Unknown

 

 

 

 

 

 

 

 

 

 

ଚିତ୍ତବୋଧ ବା ଚିତ୍ତବିନୋଦ

(ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ

 

ସୂଚୀପତ୍ର

 

ବିଷୟ

.

ମଙ୍ଗଳାଚରଣ

.

ଗଣେଶଙ୍କ ବନ୍ଦନା

.

ପାର୍ବତୀଙ୍କ ବନ୍ଦନା

.

ବୃନ୍ଦାବତୀର ଚେତନା

.

ଶ୍ରୀ ଶୁକ ଉବାଚ

.

କଂସରମୋହ ଓ ଦେବୀଙ୍କୁ ଆରାଧନା

.

ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣଙ୍କର ଗମନ ରଜକ ବିନାଶ, ଭାବବତୀ ପୁତ୍ରକୁ ଜୀବଦାନ

.

ଭାବବତୀ ପୁତ୍ରକୁ ଜୀବଦାନ

.

ଶ୍ରୀକୃଷ୍ଣଙ୍କୁ କୁବୁଜା ଗନ୍ଧଚନ୍ଦନ ଦେବା, କୁବୁଜାର ସୁନ୍ଦର ରୂପ

୧୦.

ତେଜବତୀର ଜୀବନଦାନ

୧୧.

ସୁଦାମାର ପୁଷ୍ପମାଲ୍ୟ ଦାନ ଓ ବର ପାଇବା

୧୨.

ପ୍ରିୟବତୀ ଓ ତାର ପୁତ୍ରାଦିର ଜୀବଦାନ

୧୩.

କୃଷ୍ଣର ବରରେ ପ୍ରିୟବତୀର ସ୍ଵାମୀ ପୁତ୍ରସହ ବୈକୁଣ୍ଠ ପ୍ରାପ୍ତି

୧୪.

ଶ୍ରୀକୃଷ୍ଣଙ୍କ ଧନୁଭଙ୍ଗ ଓ ରଙ୍ଗସଭାରେ ପ୍ରବେଶ

୧୫.

କୁବଳୟା ହସ୍ତୀ ଓ ମାହୁନ୍ତର ବିନାଶ

୧୬.

ଚାଣୁର, ମୁଷ୍ଟିକ, କୁକୁଟ ପ୍ରଭୃତି ମାଲଙ୍କର ବିନାଶ

୧୭.

କୃଷ୍ଣ ଦର୍ଶନେ କଂସର ବିନାଶ

୧୮.

ଉଗ୍ରସେନର ରାଜ୍ୟାଭିଷେକ

 

ମଙ୍ଗଳାଚରଣ

ନମୋ ଗଣେଶ ବିଘ୍ନେଶ

ଗିରିଜା ନନ୍ଦନ ପ୍ରଭୋ

ସର୍ବବିଘ୍ନ ନିହନ୍ତ୍ୟାଶୁ

ସର୍ବସିଦ୍ଧି ପ୍ରଦୋଭବଃ ।

କୃପାପାରାବାରଃ ସକଳ ଜଳଦ ଶ୍ରେଣୀ ରୁଚିରୌ

ରମାବାଣୀରାମଷ୍ଣୁ ରଦ୍‌ମଳପଦ୍ମେ କ୍ଷଣମୁଖ୍ଃ

ସୁରେନ୍ଦ୍ରାରାଧ୍ୟଃତିଗଣ ଶିଖା ଗୀତରଚିତେ

ଜଗନ୍ନାଥଃସ୍ୱାମୀ ନୟନପଥଗାମୀ ଭବତୁମେ । ୨ ।

ଯଦା ଧର୍ମଗ୍ଲାନିର୍ଭବତି ମଜଗତାଂ କ୍ଷୋଭକରଣ

ତଦାଲୋକସ୍ୱାମୀ ପ୍ରକଟିତ ବପୁଃ ସେତୁଧୂଗଜଃ

ତତାଂଧାତ ସ୍ୱଚ୍ଛୋନିଗମଗୁଣଗୀତେ ବ୍ରଜପତିଃ

ଶରଣ୍ୟେ ଲୋକେଶୋନାମ ମଭବତୁ

କୃଷ୍ଣୋପି ବିଷୟଃ । ୩ ।

ମକରଧ୍ୱଜ ମତ୍ତମାତଙ୍ଗହରଂ

କରୀଚର୍ମାସନା ଗବିବୋଧକରଂ

ବରଜାଭୟଶୁକବିଷାଣଧରଂ

ପ୍ରଣମାମି ଶିବଂ ଶିବକଳ୍ପତରୁଂ । ୪ ।

ଶରଣମପିସୁରାଣାଂ ସିଦ୍ଧବିଦ୍ୟାଧାରଣଂ

ମୁନିମନୁଜନରାଂ ବ୍ୟାଧିଭିଃ ପୀଡ଼ିତାନାଂ

ନୃପତିଗୃହତାନାଂ ଦସ୍ୟୁଭିସ୍ତା ପିତାନାଂ

ତ୍ୱମାମି ଶରଣମେକା ଦେବୀ ଦୁର୍ଗେ ପ୍ରସୀଦଃ ।

 

ଗଣେଶଙ୍କ ବନ୍ଦନା

ଜୟ ଜୟ ଲମ୍ବୋଦର ପାର୍ବତୀ ନନ୍ଦନ

ଗଜଦନ୍ତ ମହାକାୟ ସିନ୍ଦୂର ବଦନ ।

ଅଯୋନି ସମ୍ଭୂତ ଦେବ ଯୋଗେ ଯୋଗସିଦ୍ଧ

ଜନ୍ତୁପତିଙ୍କି ମୁକତ କଲ ଦେବରାଜ ।

ସର୍ବବିଦ୍ୟା ବିଶାରଦ ଚତୁର ପଣରେ

ଭକ୍ଷିଲ ଅମୃତ ଲଡ଼ୁ ଶିବଙ୍କ ତୋଷରେ ।

ସର୍ବଦେବ ଅଗ୍ରେ ପୂଜା ଅଟଇ ତୁମ୍ଭର

ସର୍ବବିଘ୍ନ ନାଶିବାରୁ ନାମ ବିଘ୍ନେଶ୍ଵର ।

ତୋ ଦୟାବଳରେ ଦେବ ଶ୍ରୀହରିଙ୍କ ତତ୍ତ୍ୱ

ଲେଖିବାକୁ ଭାଷାବନ୍ଧେ ବଳାଇଛି ଚିତ୍ତ ।

ତୋର ଦୟା ହେଲେ ଯାହା କିଞ୍ଚିତ ମାତର

ଦୀନ ହୀନର ମାଗୁଣି ଏତିକି ମାତର ।

 

Unknown

ପାର୍ବତୀଙ୍କ ବନ୍ଦନା

ଜୟ ମାତା ପାର୍ବତୀ ଗୋ ଜଗତ ଜନନୀ

ଜୟ ଜୟ ଆଦ୍ୟାଶକ୍ତି ଦେବୀ ସନାତନୀ ।

ମହିଷା ବିନାଶେ ମାଗୋ ଦୁର୍ଗା ଅବତାର

ଅସୁରବଳ ଧ୍ଵଂସିନୀ ଶିବେ କଲୁ ବର ।

ଅନ୍ନପୂର୍ଣ୍ଣା ମହାମାୟୀ ସଂକଟ ତାରିଣୀ

ତ୍ରିଲୋକେ କେ ଶକ୍ୟ ତୋର ମହିମା ବଖାଣି

ତୋ ସୁଦୟା ଯାହାଠାରେ ହୁଅଇ ଗୋ ମାତ

ଗଜମୂର୍ଖ ହେଲେ ସେହି ହୁଅଇ ପଣ୍ଡିତ ।

ତବ ପାଦପଦ୍ମେ ମୋରେ ନିରନ୍ତରେ ଧ୍ୟାନ

ଚିତ୍ତବିନୋଦ ଲେଖିବି ବଳାଇଛି ମନ ।

ମୋର ମନୋରଥ ମାତଃ ପୂର୍ଣ୍ଣ ଯେ କରାଅ

କଣ୍ଠତଟେ ବସି ମୋରେ ପଦ କହିଦିଅ ।

ତୁମ୍ଭ ପ୍ରସନ୍ନରୁ ଏହି ଚିତ୍ତବୋଧ ଗ୍ରନ୍ଥ

ଲେଖୁଅଛି ମାତା ମୋର ବଳିଅଛି ଚିତ୍ତ ।

ଯହୁଁ ହରି ଗୋପ ଛାଡ଼ିଗଲେ ମଧୁପୁର

ସେଠାରେ ମାରିବେ ସେହି ଦୁଷ୍ଟ କଂସାସୁର ।

ତା ଉତ୍ତାରୁ ଆଉ ବହୁ ରାକ୍ଷସ ମାରିବେ

ଶ୍ରୀକୃଷ୍ଣର ହସ୍ତେ ମରି ମୁକତି ଲଭିବେ ।

କଂସର ମରଣ ଶୁଣି ଜରାସନ୍ଧ ବୀର

ଅଷ୍ଟାଦଶ ବାର ଧାଡ଼ି ଦେବ ସେ ନିକର ।

ରାଜସୂୟ ଯଜ୍ଞ ଯୁଧିଷ୍ଠିର କଲାବେଳେ

ଜରାସନ୍ଧ ମରିବ ଯେ ଭୀମର ହସ୍ତରେ ।

ଅଷ୍ଟାଦଶ ଦିନ କୁରୁ ସମର ଲଗାଇ

ଧରଣୀ ଭାରା ହରିବେ ଦୁଷ୍ଟଙ୍କୁ ମରାଇ ।

ଏହିରୂପେ ନାନା କର୍ମ କରିଣ ଶ୍ରୀହରି

ଶେଷେ ନିଜ ପୁରେ ଯିବେ ଯଦୁବଂଶ ମାରି ।

ଏହିପରି କର୍ମ ଯେ କରିବେ ନରହରି

ଏକଥା ପ୍ରସନ୍ନେ ମାତଃ କୁହ ବେଗକରି ।

ତୁମ୍ଭ ଶ୍ରୀପୟରେ ମୁଁ ଯେ ସର୍ବଦା ନମଇଁ

ଅଚ୍ୟୁତାନନ୍ଦକୁ ମାତଃ କର ବେଗେ ତ୍ରାହି ।

 

ବୃନ୍ଦାବତୀର ଚେତନା

ପରୀକ୍ଷ ରାଜା ପଚାରେ ବିନୟ କରିଣ

ଆହେ ମୁନିବର କୁହ ସନ୍ଦେହ ଫେଡ଼ିଣ ।

ଯେତେବେଳେ ଗଲେ କୃଷ୍ଣ ଅକ୍ରୂର ସଙ୍ଗରେ

ନ ଥିଲା ବୃନ୍ଦା ସେକାଳେ ବରଜ ନଗରେ ।

ଯାଇଥିଲେ କରିବାକୁ କୁସୁମ ଚୟନ

ଆଜ୍ଞା ଦେଇଥିଲେ ଯେଣୁ ଯଶୋଦା ନନ୍ଦନ ।

ବାହୁଡ଼ି ଆସନ୍ତେ ପଥେ ସଖୀଙ୍କ ମୁଖରୁ

ଶୁଣିଲେ ଗଲେଣି କୃଷ୍ଣ ବରଜ ନଗରୁ ।

ପତିପ୍ରାଣା ସାଧବୀ ଯେ ଆହା ନାଥ ବୋଲି

ଅଜ୍ଞାନ ହୋଇ ପଡ଼ିଲେ ଧରାପରେ ଢଳି ।

ଶ୍ରୀମତୀ ସହିତେ ଯେତେ ଗୋପାଙ୍ଗନାଗଣ

ସର୍ବେ ମିଳି କଲେ ନାନା ଉପାୟ ବିଧାନ ।

ନ ଆସିଲା ସଂଜ୍ଞା ଯହୁଁ ବୃନ୍ଦାର ଶରୀରେ

ଦେବତା ଏ ବିଚାରନ୍ତି ବିଷାଦ ମନରେ ।

କିପରି ହେମାଙ୍ଗୀ ବୃନ୍ଦା ପାଇବେ ଜୀବନ

କି କରିବେ କୃଷ୍ଣ ଯାଇ ମଥୁରା ଭୁବନ ।

କୃପାକରି କହ ଏହି କଥା ସବୁ ମୋତେ

ଶୁଣିଲେ ସଂଶୟ ମୋର ନ ରହିବ ଚିତ୍ତେ ।

 

ଶ୍ରୀ ଶୁକ ଉବାଚ

ପରୀକ୍ଷିତଙ୍କର ମୁଖୁଁ ଶୁଣିଣ ଏସନ

ହରଷ ଚିତ୍ତେ କହନ୍ତି ଶୁକ ତପୋଧନ ।

କୃଷ୍ଣଙ୍କର ମଥୁରା ଗମନ ବାଣୀ ଶୁଣି

ସଂଜ୍ଞାହୀନ ହୋଇ ବୃନ୍ଦା ଲୋଟିଲା ଧରଣୀ ।

ବୃନ୍ଦାକୁ ଧରି ସକଳ ଗୋପୀ ତହିଁ ରହି

ଶୋକଭରେ କାହାରି ଶରୀରେ ଜ୍ଞାନ ନାହିଁ ।

ତେବେ ମଧ୍ୟ ବୃନ୍ଦାବତୀ ପିଣ୍ଡକୁ ସେମାନେ

ଦହନ କରିବେ ବୋଲି ଭାବି ନିଜ ମନେ ।

ଚନ୍ଦନକାଷ୍ଠ ବନରୁ ଆଣୁଛନ୍ତି ବହି

ବୃନ୍ଦାବତୀ ପିଣ୍ଡ ଘେନିଛନ୍ତି କେତେ ଗୋଈ ।

ଚଉପାଶେ ବେଢ଼ିକରି ବସିଛନ୍ତି କେତେ

ହା ହା ବୃନ୍ଦା କେଣେ ଗଲୁ ବୋଲନ୍ତି ସମସ୍ତେ

ସେହି ପଥ ଦେଇଣ ନାରଦ ଯାଉଥିଲେ

ଏମନ୍ତ ଘଟଣା ସେହି ସ୍ଥାନରେ ଦେଖିଲେ ।

ମନରେଭାବିଲେ ଗୋପୀ ହୋଇଛନ୍ତି ଭୋଳ

ଦହିବାକୁ ଭାବିଛନ୍ତି ବୃନ୍ଦାର ଶରୀର ।

ନାରୀ ଜାତି ଗୋପୀମାନେ ନ ଜାଣନ୍ତି କିଛି

ଶ୍ରୀକୃଷ୍ଣ ବିଚ୍ଛେଦେ ବୃନ୍ଦା ଅଜ୍ଞାନ ହୋଇଛି ।

ଯିବି ମଧୁବନ କୃଷ୍ଣ ଦର୍ଶନ କରିବି

ବୃନ୍ଦାବତୀ କଥାସବୁ କୃଷ୍ଣଙ୍କୁ କହିବି ।

ମନରେ ଏକଥା ଭାବି ନାରଦ ଚଳିଲେ

ମଧୁପୁରେ ମଧୁବନେ ପ୍ରବେଶ ହୋଇଲେ ।

ନାରଦଙ୍କୁ ଖଣ୍ଡେ ଦୂରୂଁ କୃଷ୍ଣ ଘେନିଗଲେ

କାହିଁଥିଲ ନାରଦ ହେ ବୋଲି ପଚାରିଲେ ।

ନାରଦ ବୋଇଲେ ଗୋପପୁର ଯାଇଥିଲୁ

ତୁମ୍ଭଙ୍କୁ ନ ଦେଖି ସେହି ସ୍ଥାନରୁ ଫେରିଲୁ ।

ଦେଖିଲି ଯମୁନା କୂଳେ ଗୋପାଙ୍ଗନା ନାରୀ

ଅପେକ୍ଷା କରି ସେଠାରେ ନ ଥିଲେ ଶ୍ରୀ ହରି ।

ଶ୍ରୀମତୀ ଆଦି ସକଳ ହୋଇଛନ୍ତି ଠୁଳ

ଗୋପୀଙ୍କର ନୟନରୁ ବହେ ଅଶ୍ରୁଜଳ ।

ଶବ ଗୋଟିଏ ମଧ୍ୟରେ ପକାଇ ଅଛନ୍ତି

ବୃନ୍ଦାବନରୁ ଚନ୍ଦନ କାଷ୍ଠ ବହୁଛନ୍ତି ।

କାନ୍ଦୁଛନ୍ତି ବୃନ୍ଦାବତୀ ବୃନ୍ଦାବତୀ ବୋଲି

କେ କାନ୍ଦୁଛି ବୃନ୍ଦା ଆସିଥିଲୁ ଫୁଲତୋଳି ।

ଗୋପରେ ଯେପରି ଗୋପୀ ହୋଇଛନ୍ତି ନାଶ

ଶୋଭା ନ ଥିବେ ତା ପରି ଜଣେ ପୀତବାସ ।

କୋଳାହଳ ଧ୍ୱନି ଶୁଭେ ଯମୁନାର ତୀରେ

ଏମନ୍ତ କହି ନାରଦ ଅନ୍ତର୍ଦ୍ଧାନ ହେଲେ ।

ନାରଦଙ୍କ ମୁଖୁ ଶୁରି ଏମନ୍ତ ବଚନ

ବାକ୍ୟ ନ ସ୍ଫୁରିଲା ପୁଣି ନ ଚଳେ ଚରଣ ।

ଶ୍ରୀକୃଷ୍ଣଙ୍କୁ ଗୋପ ମାୟା କଲା ବିମୋହିତ

ଗୋପୀଙ୍କ ମାୟାରେ କୃଷ୍ଣ ହୋଇଲେ ପୀଡ଼ିତ

ତାଙ୍କ ମନ ଯାଇ ବୃନ୍ଦା ପାଶରେ ରହିଲା

ଯେ ଦିଗେ ଚାହିଁଲେ ବୃନ୍ଦା ରୂପେ ଦେଖାଗଲା

ମନରେ ବିଚାରି ରାମ ପାଶକୁ ସେ ଯାଇଁ

ବୋଇଲେ ଶୁଣନ୍ତୁ ଏବେ ଭାଇ ହଳସାଇଁ ।

ନନ୍ଦ ଗୋପାଳଙ୍କୁ ଘେନି ତୁମ୍ଭେ ଏଥେ ଥାଅ

ମୁଁ ନ ଫେରିବା ପର୍ଯ୍ୟନ୍ତ କେଣିକି ନ ଯାଅ ।

କ୍ଷଣେ ରହି ଫଳମୂଳ ଆଣିବଇଁ ମୁହିଁ

ସୁସ୍ଥ ହୋଇବା ହୋ ଆମ୍ଭେ ଫଳମୂଳ ଖାଇ ।

ମାମୁଁଙ୍କୁ ଦେଖିବାଯାଏ ମୌନ ହୋଇଥିବା

ମାମୁଁ ଯାହା ଦେବେ ତାହା ଆନନ୍ଦେ ଖାଇବା

ଏମନ୍ତ କହି ରାମଙ୍କୁ କୃଷ୍ଣ ତହିଁ ଗଲେ

ମଧୁବନର ମଧ୍ୟରେ ପ୍ରବେଶ ହୋଇଲେ ।

ଦେଖିଲେ ବୃନ୍ଦାବନର ପ୍ରାୟ ଶୋଭା ତାର

ଅଜ୍ଞାନେ ଡାକିଲେ ବୃନ୍ଦା ଆସି ବୃନ୍ଦା ମୋର

କେଣେ ଲୁଚିଅଛୁ ମୋତେ ଦେଖା ତୋ ବଦନ

ତୋ ମୁଖ ନ ଦେଖି ମୁହିଁ ତେଜିବି ଜୀବନ ।

ମୁହିଁ ମୂଢ଼ପଣ କଲି ତୋତେ ନ କହିଲି

ଫୁଲ ତୋଳିବା ନିମନ୍ତେ ବନେ ପଠାଇଲି ।

ଦେଖିଲି ମୋତେ ମୁଁ ତୋକେ ତୁହି ନ ଦେଖିଲୁ

ନିରାଶ ହୋଇଣ ତୁହି ଜୀବନ ତେଜିଲୁ ।

ମୋତେ ନ ଦେଖି ଜୀବନ ହରାଇଲୁ ତୁହି

ତୋ ଗୁଣ ସୁମରି ମୋର ହୃଦ ହୁଏ ଦହି ।

ତୋର ଭାବ ମୋତେ ସଖୀ ହୋଇଲା ସ୍ଵପନ

ତୋର ଗୁଣମାନ ଦେଖି ଦେହ ହେବ କ୍ଷୀଣ ।

ନିରତେ ବେନି ନୟନେ ତୁହି ଖେଳା କରୁ

ତୁ କେଣେ ଗଲୁ ଗୋ ମୋତେ ଏକା ଛାଡ଼ିଗଲୁ

କାହା ଆଗେ ହୃଦ ବ୍ୟଥା କହିବି ଏକାନ୍ତେ

କାହାର କହିବା କଥା ଯିବଇଁ ପରତେ ।

କାହା ଲାଗି ରାଧା ଆଗେ କହୁ କଟୁଛନ୍ଦ

କାହା ଲାଗି ରାଧା ମୋର କରିଥିବ ଦ୍ୱନ୍ଦ୍ୱ ।

ଗୋପୀଙ୍କି ଲୁଚି ମୁଁ ଆଉ କା ଘରକୁ ଯିବି

କାହା ସଙ୍ଗେ ରତିରସେ ରାତି ପୁହାଇବି ।

ମୋ ଅଧରାମୃତ ନେଇ କେ କରିବ ପାନ

ରତି କାଳରେ ମୋ ମୁଖେ କେ ଦେବ ଚୁମ୍ବନ

କେ ପୂର୍ଣ୍ଣିମା ଚାନ୍ଦ ଦେଖି କରି ଆଲିଙ୍ଗନ

ରତି ଅସମ୍ଭାଳେ କିଏ କରିବ ଉଲଗ୍ନ ।

ଆଗୋ ବୃନ୍ଦାବତୀ ମୋର ହୃଦହାର ଅଟୁ

ହୃଦରେ ମାୟା ନ ରଖି ମୋର ପାଦେ ଖଟୁ ।

ରାଧାଠାରୁ ବଳି ସ୍ନେହ କରୁ ତୁ ଅଧିକ

ଏବେ ବୃନ୍ଦାବତୀ କରିଗଲୁ ତୁ ନିରେଖ ।

ବିଶ୍ୱାସ କରି ମୋ କାନ୍ଧେ ଥରେ ବସିଥିଲୁ

କଚାଡ଼ି ଛାଡ଼ି ମୁଁ ଗଲି ମନୁ ପାଶୋରିଲୁ ।

ମୋହର ସେ ଦୋଷ ତୁହି ମନରେ ନ ଧରି

ପୁଣି ମୋ କଥା ବିଶ୍ୱାସ ଥିଲୁ ତୁହି କରି ।

ସବୁଦିନ କଥା ତୁ ଗୋ ଠୁଳ କରିଥିଲୁ

ଠକିଲେ ଶ୍ରୀକୃଷ୍ଣ ବୋଲି ଜୀବନ ତେଜିଲୁ ।

ଜାଣୁ ଜାଣୁ ହସ୍ତରେ ମୁଁ ତୋତେ କଲି ବଧ

ତୁ ଯେବେ ମରିଲୁ ବୃନ୍ଦା ସରିଲା ଗୋ ସଧ ।

ଗୋପକୁ ନ ଯିବି ନ ଚାହିଁବି କାହା ମୁଖ

ରାଧା ସଙ୍ଗେ ନ କରିବି ନୋହୁ ପଛେ ସୁଖ ।

ଏମନ୍ତ ବୃନ୍ଦାର ଗୁଣ ଭାବି ଭାବଗ୍ରାହୀ

ବେନି ନୟନରୁ ତାଙ୍କ ଅଶ୍ରୁ ଯାଏ ବହି ।

ପୁଣି ବୃନ୍ଦାବତୀ ଭାବ ମନରେ ଭାବିଲେ

ମଞ୍ଚେ ନ ରହିବି ବୋଲି ମନରେ ପାଞ୍ଚିଲେ ।

ଏବେ ବିଧାତା ମୋଠାରେ ମନ୍ଦ ଗୋ ପାଞ୍ଚିଲା

ଏବେ ବିଧାତା ମୋହର ସଙ୍ଗ ଛଡ଼ାଇଲା ।

କଂସ ମାରିବାରେ ମୋର ଆଉ କାର୍ଯ୍ୟ ନାହିଁ

ନିଜ ଧାମେ ଯିବି ଏବେ ସତ୍ୟ କଲି ମୁହିଁ ।

ଏମନ୍ତ ଭାବେ ବୃନ୍ଦାର ଗୁଣକୁ ସୁମରି

ନିଶ୍ଚଳ ଯୋଗଧ୍ୟାନରେ ରହିଲେ ଶ୍ରୀହରି ।

ନିରାକାର ବିଷ୍ଣୁଙ୍କୁ ସେ ହୃଦେ କଲେ ଧ୍ୟାନ

ଶ୍ରୀକୃଷ୍ଣ ବହ୍ମରନ୍ଧ୍ରରେ ଲଗାଇଲେ ଧ୍ୟାନ ।

କମ୍ପିଲା ତିନି ଭୁବନ ମେଘ ଆଚ୍ଛାଦିଲା

ଦିବାକର ଆକାଶରେ ଚକିତେ ରହିଲା ।

ଦେବଗଣ ଭୀତ ହୋଇ ଗଲେ ଇନ୍ଦ୍ର ପାଶ

ବୋଇଲେ ଯୋଗ କରୁଛି କେବଣ ପୁରୁଷ ।

ସୁରପତି ତାହା ଶୁଣି ଉଠିଲା ଝଟତି

ଦେବଙ୍କୁ ଘେନିଣ ଗଲା ପିତାମହ କତି ।

ବ୍ରହ୍ମାଙ୍କ ପାଦତଳେ ନମସ୍କାର କଲା

ବେନି କର ଯୋଡ଼ିଣ ସେ ବିନୟ କହିଲା ।

ବୋଇଲା ଭୋ ତାତ ମଧୁପୁର ଘୋରବନେ

କେବଣ ପୁରୁଷ ବସିଅଛି ଯୋଗଧ୍ୟାନେ ।

ବିଷ୍ଣୁ ତେଜ ଅଙ୍ଗ ତାର ଦିଶୁଛି ପ୍ରଖର

କିଏ ଜାଣେ ଯୋଗବଳେ ଦହିବ ତ୍ରିପୁର ।

ଶୁଣି ପିତାମହ ଧ୍ୟାନ ବଳରେ ଜାଣିଲେ

କୃଷ୍ଣ ନିଜେ ଧ୍ୟାନ ଯୋଗେ ଅଛନ୍ତି ଦେଖିଲେ ।

ତକ୍ଷଣେ ଦେବଙ୍କୁ ଧରି ଗଲେ ମଧୁବନ

ମିଳିଲେ ତକ୍ଷଣେ ସ୍ଥାନେ ଛନ୍ତି ନାରାୟଣ ।

କରଯୋଡ଼ି ସ୍ତୁତି ଉଚ୍ଚାରିଲେ ବେଦବର

ଦୟାକର ପ୍ରଭୁ ତୁମେ କରୁଣା ସାଗର ।

ଜଗତ ତୋ ଶରୀରରୁ କରିଛୁ ସମ୍ଭୁତ

ଦେବାସୁର ନରଙ୍କୁ ତୁ କରିଅଛୁ ଜାତ ।

ଚଉଦ ଭୁବନ ଜୀବଜନ୍ତୁ ଆଦି ଯେତେ

ତୋ ଲୋମମୂଳରୁ ଜାତ ହୋଇଲେ ସମସ୍ତେ

ତୁ ସିନା ସକଳ ଭୂତେ ଅଛୁ ବାସ କରି

ତୁହି ଜୀବ ହୋଇ ସର୍ବଘଟେ ଅଛୁ ପୁରି ।

ପରମ ରୂପେ ତୋ ସର୍ବ ଘଟରେ ବିଶ୍ରାମ

ସରିଯାଉଅଛି ଯାହା କରୁଛ ସୃଜନ ।

ତୁହି ନ ରଖିଲେ ଆମ୍ଭେ ହୋଇଲୁ ନିରେଖ

ତୋ ପାଦେ ଶରଣ ଗଲୁ ଯୋଗଧ୍ୟାନ ରଖ ।

ଅସୁରେ ଆମ୍ଭଙ୍କୁ ମାରି କରିବେ ନିଧନ

ଦେବଙ୍କ ଭଣ୍ଡାର ସବୁ କରିବେ ହରଣ

ଦେବଙ୍କ ଭୋଗ ପଦାର୍ଥ ସମୁଦ୍ରେ ଫିଙ୍ଗିବେ

ଦେବନାରୀମାନଙ୍କୁ ସେ ବଳେଣ ହରିବେ ।

ବ୍ରହ୍ମାର ପଦକୁ ମୋତେ ଦେଲୁ ଦାମୋଦର

କାହାକୁ ଧରି ମୁଁ ଏବେ କରିବି ସଂସାର ।

ପୂର ଭାରା ଉଶ୍ୱାସ ଯେବେ ନ କରିବୁ

ଅସୁର ନ ମାରି ଯେବେ ନିଜ ଧାମେ ଯିବୁ ।

ସରିଲା ଜଗତ ସରିଗଲେ ଦେବଗଣ

ଦୟିନୀ କରୁଛି ଏବେ ରଖ ଯୋଗଧ୍ୟାନ ।

ଏମନ୍ତ ବୋଲିଣ ଧାତା ଯୋଡ଼ି ବେନିକର

ଅନ୍ତର୍ଯ୍ୟାମୀ କୃଷ୍ଣ ମନ ଜାଣିଲେ ବ୍ରହ୍ମାର ।

ବୋଲନ୍ତି ସେ ଚକ୍ରଧର ଚାହିଁଣ ବ୍ରହ୍ମାଙ୍କୁ

କାହିଁ ପାଇଁ ପିତାମହ ଆସିଲେ ମଞ୍ଚକୁ ।

ଆହେ ତାତ ତୁମ୍ଭ ପାଇଁ ମୋର ଅବତାର

ତୁମ୍ଭ ପାଇଁ ବୈକୁଣ୍ଠରେ ବାସ ନାହିଁ ମୋର ।

ନାନା ଯୋନିରେ ମୁଁ ଜାତ ହୁଏ ତୁମ୍ଭ ପାଇଁ

ନାନାକଷ୍ଟମାନ ତୁମ୍ଭ ଯୋଗେ ମୁଁ ସହଇ ।

ମୁଁ ଯେବେ ଗୋପୀଙ୍କ ସଙ୍ଗେ ଗୋପଲୀଳା କଲି

କଂସ ମାରିବାକୁ ମଧୁପୁର ମୁଁ ଆସିଲି ।

ଗୋପୀଏ ନ ଦେଖି ମୋତେ ହୋଇଲେ ନିରାଶ

କ୍ଷଣେ ଛାଡ଼ି ନାହିଁ ତାଙ୍କୁ ବୃନ୍ଦା ଗଲା ନାଶ ।

ନିରାଶ କରିଣ ଗୋପେ ଛାଡ଼ି ମୁଁ ଅଇଲି

ତେଣୁ ବୃନ୍ଦାବତୀ ମଲା ଆଜି ମୁଁ ଶୁଣିଲି ।

ତୁମ୍ଭେ ପଚାରିଲ କୃଷ୍ଣ ଗୋପୀଙ୍କୁ ଛାଡ଼ିଲେ

ଶ୍ରୀକୃଷ୍ଣ ଗୋପୀଙ୍କି ଆଉ ନଦେଖିବେଡୋଳେ

ଶୁଣ ଆହେ ବେଦବର କହୁଅଛି ମୁହିଁ

ଯହିଁ ଗୋପୀ ଥିବେ ମୁହଁ ରହିଥିବି ତହିଁ ।

ଶ୍ରୀକୃଷ୍ଣ ଗୋପୀ କେବେ ନୁହନ୍ତି ଭିନ୍ନାଭିନ୍ନ

ଆହେ ଦେବ ତୁମ୍ଭେ ସବୁ କରିଛ ଭିଆଣ ।

ମୋହର ଜୀବନ ସିନା ଗୋ ଯେ ଅଛି ରହି

କେବଳ ପିଣ୍ଡ ମୁଁ ଧରି ଆସିଅଛି ମହୀ ।

ଗୋପୀ ମଲେ ମୁହିଁ ଆଉ ନ ରଖେ ଜୀବନ

ଏକଥା ବିଚାର ନାହିଁ ତୁମ୍ଭେ ଦେବଗଣ ।

ଅସୁର ନ ମଲେ ମୋର ହୋଇବ ବା କିସ

ସ୍ୱର୍ଗ ସମ୍ପତ୍ତି ଯେତେକ ହୋଇବ ବିନାଶ ।

ଗୋପୀମାନେଯେବେ ମୋର ସଙ୍ଗେସଙ୍ଗ ହୋଇ

ତାହାଙ୍କୁ ଯେବେ ମୁଁ ରଖୁପାରିଲିଟି ନାହିଁ ।

ସେ ପାଦେ ସେବାକରିଣ ଗୋପୀ ନାଶ ଯିବେ

ଜଗତରେ ଦୋଷୀ ମୋତେ ଶୁଣିଲେ କହିବେ

ମୁହିଁ ଯେବେ ପୃଥ୍ୱୀ କରୁଅଛି ଆତଯାତ

ମୋତେ ଭଜି କେଉଁ ପରି ମରିବେ ମୋ ଭକ୍ତ

ରମ୍ଭା ମେନକା ସହିତେ ଦେବକନ୍ୟାମାନ

ଯେବେ ସେ ଅସୁରେ ନେବେ ତାହାଙ୍କ ଭୁବନ

ଯେବେ ସେ ଅସୁର ଦେବଭଣ୍ଡାର ଲୁଟିବେ

ନିଜ ପୁରକୁ ସେମାନେ ବଳେ ଯେ ଭାଙ୍ଗିବେ

ମାୟାକରି ମୋତେ ତୁମ୍ଭେ ଅନୁକ୍ଷଣେ କୁହ

ତୁମ୍ଭର ନାରୀ ଧରିଣ ତୁମ୍ଭେମାନେ ରୁହ ।

ତୁ ପିତାମହ ମୋହର ବତ୍ସାବାଳ ନେଲୁ

ତୁହି ଇନ୍ଦ୍ର ସାତଦିନ ବଜ୍ର ବରଷିଲୁ ।

କାହାକୁହିଁ ତୁମ୍ଭେମାନେ ରଖିଦେବ ନାହିଁ

କିମ୍ପା ଏହା ଦେଖିବି ମୁଁ ମଞ୍ଚପୁରେ ଥାଇ ।

ଯିବି ନିଜ ଧାମକୁ ମୁଁ ନ ଦେଖିବି କିଛି

ମୋତେ ଭଜିଲେ ପ୍ରାଣୀର ଯଦି ମନ୍ଦ ଅଛି ।

ମୋର ନାମ ଧରି ଯେବେ ପ୍ରାଣୀ ନ ତରିବେ

କିମ୍ପାଇଁ ମଞ୍ଚରେ ବୃଥା ବିହରିବି ତେବେ ।

ଯାଅ ହେ ଦେବତାଗଣ ଯେ ଯାହାର ପୁର

ନିରାକାରଙ୍କୁ ଭଜିବ ହେଉଛି ଉଛୁର ।

ଶ୍ରୀକୃଷ୍ଣ ବଚନ ଶୁଣି କହେଁ ବେଦବର

ବୃନ୍ଦାବତୀ ବର୍ତ୍ତମାନ ହୋଇଛି ଅମର ।

ତୁମ୍ଭର ବିଚ୍ଛେଦେ ବୃନ୍ଦା ହୋଇ ମୂର୍ଚ୍ଛାଗତ

ଗୋପୀ ନଚିହ୍ନି ବୋଲନ୍ତି ବୃନ୍ଦା ହେଲେ ହତ

ବୃନ୍ଦାବତୀ ଅଟନ୍ତି ନିତ୍ୟର ଠାକୁରାଣୀ

ସେ କିମ୍ପା ମରିବେ ଶୁଣ ଆହେ ଚକ୍ରପାଣି ।

ବ୍ରହ୍ମାଙ୍କ ବଚନେ କୃଷ୍ଣ ବୋଲୁଛନ୍ତି ପୁଣି

ସେହିଠାରେ ରହିଛନ୍ତି ରାଧା ଠାକୁରାଣୀ ।

କରୁଛନ୍ତି ସଂସାରକୁ ସେହି ଆତଯାତ

ଷୋଳସସ୍ର ଗୋପୀ ଛନ୍ତି ତାହାଙ୍କ ଅଗ୍ରତ ।

ସେ କିମ୍ପା ଚିହ୍ନିବେ ନାହିଁ ମୃତ ଶବମାନ

ତୁମ୍ଭେ କିମ୍ପା ପିତାମହ କୁହ ଏ ବଚନ ।

ଶ୍ରୀକୃଷ୍ଣ ବଚନ ଶୁଣି କହେ ପଦ୍ମଯୋନି

ଯେତେବେଳେ ନାରୀ ଜାତି ଅଟେ ଠାକୁରାଣୀ

ନାରୀ ଜାତି କେଉଁପରି ମରିବା ଜାଣିବେ

ମୃତପିଣ୍ଡ ଦେଖିଲେ ସେ ଭୟଟି କରିବେ ।

ଆଗେ ବିଜେକର ନିଜ ଧାମେ ଆହେ ହରି

ତୁମ୍ଭ ପଛେ ଯିବେ ସିନା ଯେତେ ତୁମ୍ଭ ନାରୀ

ଗୋପପୁରେ କାହିଁ ଆଗ ପଡ଼ିବ ବିପତ୍ତି

ଯେତେ ଦିନଯାଏ ଗୋପେ ଅଛନ୍ତି ଶ୍ରୀମତୀ ।

ବୃନ୍ଦାବନ ଗୋବର୍ଦ୍ଧନ ଯେତେ ଦିନ ଥିବ

ନିତ୍ୟ ରିଷ୍ଟ ଶାନ୍ତ କରୁଅଛୁ ସର୍ବଦେବ ।

ବ୍ରହ୍ମାଣ୍ଡର ନାଥ ତୁ ହୋ ଥିବୁ ସିନା ତୁହି

ରାଧାକୁ ଆଜ୍ଞା ଦେଉଛ ଆଗ ଭାବଗ୍ରାହୀ ।

ରାଧା ଗୋପୀମାନେ କେହି ନୁହେଁ ଭିନ୍ନାଭିନ୍ନ

କିମ୍ପା ଗୋପପୁର ଯିବେ ଯମଦୂତଗଣ ।

ଅମ୍ଭେ ଯେତେ ଦେବ ଭୃତ୍ୟଅଟୁ ତୋ ପୟରେ

ସମସ୍ତ ବ୍ରହ୍ମାଣ୍ଡ ଅଛି ତୋହର ଗର୍ଭରେ ।

ପୁଣି ବ୍ରହ୍ମା ବୋଲନ୍ତି ହୋ ଶୁଣ ସୁରପତି

ବେଗ ହୋଇ ଯାଅ ଯହିଁ ଛନ୍ତି ବୃନ୍ଦାବତୀ ।

ତୁମ୍ଭେ ବୋଧକରି ଗୋପୀମାନଙ୍କୁ କହିବ

ଚିହ୍ନି ନ ପାରିଲେ ଆନ ରୂପ ହୋଇଯିବ ।

କୃଷ୍ଣ ଥିଲେ ଗୋପୀଙ୍କର ନୋହିବ ମରଣ

କ୍ଷୁଧା ତୃଷା ରତିରସେ ନ ବଳିବ ମନ ।

ଅଟନ୍ତି ଶ୍ରୀକୃଷ୍ଣ ଅର୍ଦ୍ଧଅଙ୍ଗ ଗୋପନାରୀ

ସାକ୍ଷାତେ ପରମ ଲକ୍ଷ୍ମୀ ଛନ୍ତି ଅବତରି ।

ବ୍ରହ୍ମାର ଆଜ୍ଞାରେ ଇନ୍ଦ୍ର ତକ୍ଷଣେ ଚଳିଲା

ନିଜ ରୂପ ଗୁପ୍ତକରି ମୁନି ରୂପ ହେଲା ।

ଅତି କ୍ଷୀଣ ଶରୀର ସେ ଚାଲି ନ ପାରଇ

କଷାୟ ବସନ ପିନ୍ଧି ଶିରେ ଜଟା ବହି ।

ଗଳାରେ ତୁଳସୀମାଳ କର୍ଣ୍ଣରେ କୁଣ୍ଡଳ

ହସ୍ତେ କମଣ୍ଡଳୁ ଦେହ ଦିଶୁଛି ଧବଳ ।

ପାଦରେ କଠାଉ ଅଙ୍ଗେ ବିଭୂତି ତାହାର

ଚାଲି ନ ପାରନ୍ତି ସେହୁ ହୁଏ ଥରହର ।

ଯମୁନା କୂଳରେ ଯାଇ ହୋଇଲା ପ୍ରବେଶ

ଦୂରୁ ଦେଖି ଗୋପୀମାନେ ହୋଇଲେ ହରଷ

ମୁନିଙ୍କୁ ଦେଖିଣ ଗୋପୀ ତାଙ୍କ ପାଶେ ଯାଇ

ବୋଇଲେ ଭୋ ମୁନିବର ଯାଉଅଛି କାହିଁ ।

ସୁରପତି ବୋଲୁଛନ୍ତି ଶୁଣ ଗୋପୀମାନେ

ଆମ୍ଭେ ଶୁଣିଲୁ ଶ୍ରୀକୃଷ୍ଣ ଗଲେ ମଧୁବନେ।

ଗୋପପୁର ନରନାରୀ କହିଲେ ଆମ୍ଭଙ୍କୁ

ତେଣୁକରି ଯାଉଅଛୁ ମଥୁରା ପୁରକୁ ।

ତୁମ୍ଭେ ଗୋପୀମାନେ ଆଗୋ ହୋଇଛି ମଣ୍ଡଳି

ମଧ୍ୟରେ କେ ଅଛି ଗୋଈ କହ ଗୋ ଗୁଆକି

କାହିଁ ପାଇଁ ତୁମ୍ଭେମାନେ କରୁଛ ରୋଦନ

ଶୁଣି ରାଧିକା ବିକଳେ କହନ୍ତି ବଚନ ।

ଭୋ ମୁନି ଆମ୍ଭଙ୍କୁ ଭାବଗ୍ରାହୀ ଛାଡ଼ିଗଲେ

ବୃନ୍ଦାବତୀ କାଲି ଫୁଲ ତୋଳି ଯାଇଥିଲେ ।

କୃଷ୍ଣ ଗଲେ ମଧୁପୁରୀ ନ ଦେଖି ନୟନେ

ଶୁଣିବା ମାତ୍ରକେ ସେହୁ ପଡ଼ିଲେ ଅଜ୍ଞାନେ ।

ଏତେ ବୋଲିଣ ସେ ରାଈ ମୁନି ପାଦେ ପଡ଼ି

ବିନୟ ହୋଇଣ ପୁଣି ବେନିକର ଯୋଡ଼ି ।

ବୋଲନ୍ତି ହେ ମୁନିବର ଏବେ ଦୟାକଲ

ବୃନ୍ଦା ମଲା କି ଜୀଇଁଛି ଦେଖ ମୁଖ ତାର ।

ଆମେ ଗୋପୀ କେବେହେଁଟି ଶବ ଦେଖୁ ନାହିଁ

ମୃତପିଣ୍ଡ କେମନ୍ତ ତ ଚିହ୍ନିବୁ ଗୋସାଇଁ ।

କୃଷ୍ଣ ଥିବାଯାଏ ଗୋପେ ଯମ ନ ପଶିଲା

ଆଜ କୃଷ୍ଣ ଗଲେ ବୃନ୍ଦାକୁଟି ଯମ ନେଲା ।

ଏହି ଗୋପପୁରେ ଇନ୍ଦ୍ର ଜଳ ବରଷିଲା

ଗୋବର୍ଦ୍ଧନ କୃଷ୍ଣ ବାମ କରରେ ଧଇଲା ।

ଇନ୍ଦ୍ର ହାରି କୃଷ୍ଣପାଦେ ଶରଣ ପଶିଲା

ପୁଣି ବତ୍ସା ବାଳକଙ୍କୁ ବ୍ରହ୍ମା ହରିନେଲା ।

ବତ୍ସାବାଳକ ଶ୍ରୀକୃଷ୍ଣ ଅଙ୍ଗୁ ଜାତିକରି

ଦେଖିଲେ ବ୍ରହ୍ମା କୃଷ୍ଣଙ୍କୁ ଯାଇଅଛି ହାରି ।

ଯେତେ ଯେତେ ବିପତ୍ତି ସେଗୋପକୁ ପଡ଼ିଲା

କୃଷ୍ଣ ଥିବାରୁ ଆମ୍ଭଙ୍କୁ କିଛି ନ ଲାଗିଲା ।

ଏତେ ବୋଲିଣ ସେ ରାଈ ମୁନି ପାଦେ ପଡ଼ି

ବିନୟ ହୋଇଣ ପୁଣି ବେନିକର ଯୋଡ଼ି ।

ବୋଲନ୍ତି ହେ ମୁନିବର ଏବେ ଦୟାକର

ବୃନ୍ଦା ମଲା କି ଜୀଇଁଛି ଦେଖ ମୁଖ ତାର ।

ମଲା କି ଜୀବନ ଅଛି ଦେଖିଲେ ଜାଣିବ

ସଂଶୟ ଫିଟାଇ ଆମ୍ଭ ଆଗରେ କହିବ ।

ଆଗତ ଭବିଷ୍ୟ ତୁମ୍ଭେ ମୁନିବର ଜାଣ

ଶୁଣିଲେ ଚିତ୍ତ ସଂଶୟ ନାଶିବ ପ୍ରମାଣ ।

ଏହା କହି ରାଧା ପଡ଼ି ମୁନି ପାଦତଳେ

ଉଠି ବେନିକର ଯୋଡ଼ି ଦେଲେକ କପାଳେ ।

ସୁରପତି ଦେଖି ଭୟ ମନରେ ପାଞ୍ଚଇ

ଯହୁଁ ରାଧା ବେନିକର ଯୋଡ଼ି ଉଭା ହୋଇ ।

ବିଚାର କରଇ ଏହି ଅଟେ କମଳିନୀ

ବେନିକର ଯୋଡ଼ି ମୋତେ କହୁଛନ୍ତି ବାଣୀ ।

ମୋର ପାଦତଳେ ଯେବେ ରାଧିକା ପଡ଼ିବ

ଘଡ଼ିକେ ସକଳ ଧର୍ମ ମୋର ନାଶଯିବ ।

ମୁନି ବୋଲନ୍ତି ଗୋପୀଏ ନୁହଁରେ ବିକଳ

ତୁମ୍ଭେ ଗୋପୀମାନେ ସିନା କୃଷ୍ଣର ସକଳ ।

ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ପତିତ ଚଣ୍ଡାଳ

ନ ଚିହ୍ନ କିମ୍ପା ଗୋ ତୁମ୍ଭେ ପଡ଼ ପାଦତଳ ।

ବଡ଼ ଘରେ ଜାତ ହୋଇ ହୀନପାଦ ଭଜ

ନାରୀ ଜାତି ତୁମ୍ଭେ ଆଗୋ କିଛିହିଁ ନ ବୁଝ ।

ମୁହିଁ ହୀନ ଜାତି ମୋତେ ନ ଛୁଅଁ ଗୋ କେହି

ମୋ ପାଦେ ନ ପଡ଼ି ତୁମ୍ଭେ ଯେତେ ଗୋପଗୋଈ

ମୁନିଙ୍କ ବଚନ ଶୁଣି ବୋଲେ ଠାକୁରାଣୀ

ଜାତି ହୀନ ହୋଇଛ ତୁମ୍ଭେ ଦେବମୁନି ।

ହୀନ ହୋଇ ଯେବେ ତୁମ୍ଭେ ସକଳ ତେଜିଲେ

ଶ୍ରୀକୃଷ୍ଣ ପାଦେ ନିରତେ ଚିତ୍ତ ନିବେଶିଲେ ।

ସକଳ ତେଜିଣ ମାୟା ବନ୍ଧନ କାଟିଲ

ଶ୍ରୀହରିଭକତ ସଂସାରେ କେ ତବ ତୁଲ ।

ତୁମ୍ଭର ଦୀକ୍ଷାକୁ ଆମ୍ଭେ କରୁଛୁ ଦୟିନୀ

ବିଳମ୍ବ ନ କରି ମୁନି ଦେଖ ଚନ୍ଦ୍ରାନନୀ ।

ବୃନ୍ଦା ନ ବଞ୍ଚିଲେ ସର୍ବେ ତେଜିବୁ ଶରୀର

ଶୁଣିକରି ସୁରପତି ବୋଲଇ ଉତ୍ତର ।

ଆମ୍ଭେ ଏହିଠାରେ ଅଛୁ ଯାଅ ଗୋପୀମାନେ

କୃଷ୍ଣନାମ ଉଚ୍ଚେ ତୁମ୍ଭେ ଡାକ ବୃନ୍ଦା କର୍ଣ୍ଣେ ।

ଶୁଣିକରି ଗୋପୀମାନେ ବୃନ୍ଦା ପାଶେ ଯାଇ

ବୃନ୍ଦା ମୁଖେ ଜଳ ସିଞ୍ଚି କର୍ଣ୍ଣ ଫୁଙ୍କିଦେଇ ।

ପୁଣି କର୍ଣ୍ଣଫୁଙ୍କି ବିଞ୍ଚଣାରେ ସେ ବିଞ୍ଚିଲେ

ନାଡ଼ୀକ୍ଷୀଣ ଜଣାଗଲା ସଚେତ ନୋହିଲେ ।

ମୁନିଙ୍କ କହନ୍ତି ଡାକି ନୋହିଲେ ସଚେତ

ବସାଇଲେ ନ ବସନ୍ତି ବୃନ୍ଦା ହେଲେ ହତ ।

ମୁନି ଶୁଣି ବୋଲନ୍ତି ହେ ଶୁଣ ଗୋପୀକୁଳ

ବୃନ୍ଦା କର୍ଣ୍ଣ ପାଶେ ତୁମ୍ଭେ କୃଷ୍ଣନାମ ବୋଲ ।

ମୁନିଙ୍କ ବଚନେ ରାଈ ବୃନ୍ଦା ପାଶେ ଗଲେ

ବୃନ୍ଦା କର୍ଣ୍ଣପୁଟେ କୃଷ୍ଣ ବୋଲି ସେ ଡାକିଲେ ।

ବୃନ୍ଦା କର୍ଣ୍ଣପୁଟେ ଯହୁଁ ରାଧିକା ଡାକିଲା

ବୃନ୍ଦାର ଶରୀର ଲୋମ ଟାଙ୍କୁରି ଉଠିଲା ।

ନୋହିଲେ ସଚେତ ହୋଇ ଅଛନ୍ତି ଅଜ୍ଞାନ

ନିରାଶରେ ରାଧା ଯାଇ ମୁନିଙ୍କ ପାଶେଣ ।

ବୋଇଲେ ହେ ମୁନିବର ବୃନ୍ଦା ନ ଜୀଅଇଁ

ମଲା ଲୋକକୁ ଡାକିଲେ ଶୁଣିବ ଗୋ କାହିଁ ।

ତୁମ୍ଭର ବଚନେ ଆମ୍ଭେ ବୃନ୍ଦାକୁ ଡାକିଲୁ

ଚେତା ନୋହିଲା ତାହାର ନିରାଶେ ଫେରିଲୁ ।

ଯେତେ ଚେତାଇଲୁ ତାଙ୍କୁ ନୋହିଲା ଯେ ଜ୍ଞାନ

ତୁମ୍ଭେ ମୁନିବର ଚାଲ ଦେଖ ତା ନୟନ ।

ରାଧା ବୋଲନ୍ତି ଗୋଟିଏ କଥା ମୁଁ ଦେଖିଲି

ବୃନ୍ଦାର କର୍ଣ୍ଣପୁଟରେ କୃଷ୍ଣ ନାମ ନେଲି ।

କୃଷ୍ଣନାମ ଶୁଣି ବୃନ୍ଦା ଦେହ ଲୋମମାନ

ଟାଙ୍କୋରି ଉଠିଲା ଅଳ୍ପ ଦେଖିଲି ନୟନ ।

ପୁଣି କ୍ଷଣକ ମଧ୍ୟରେ ନିଶ୍ଚଳ ସେ ହୋଇ

ରହିଲେ ଏ କଥା ଏକା ଦେଖିଲଇଁ ମୁହିଁ ।

ଶୁଣିକରି ଶଚୀସାଇଁ ବୋଲଇ ବଚନ

ଶ୍ରୀକୃଷ୍ଣ ବିଚ୍ଛେଦେ ବୃନ୍ଦା ହେଲା ହତଜ୍ଞାନ ।

କୃଷ୍ଣଙ୍କୁ ନ ଦେଖି ତାର ଜ୍ଞାନ ନାହିଁ ହୃଦେ

ଚାଲ ଗୋ ବୃନ୍ଦାଙ୍କୁ ଏବେ ଦେଖିବାଟି ରାଧେ ।

ଏହା କହି ସୁରପତି ବୃନ୍ଦା ପାଶେ ଗଲା

ତାହାର ମୁଖ ବସନ କାଢ଼ିଣ ଦେଖିଲା ।

ନାଟିକା ଚିପି ତାହାର ନାକେ ହସ୍ତ ଦେଇ

ପବନ ଯେ ବହୁଅଛି ମନ୍ଦ ମନ୍ଦ ହୋଇ ।

ମୁନି ବୋଇଲେ ବୃନ୍ଦାର ଅଛି ଗୋ ଜୀବନ

ନ ଚିହ୍ନିଣ ଗୋପୀମାନେ କରୁଛ ରୋଦନ ।

ନ ହୁଅ ହୋ ଗୋପୀମାନେ କେବେହେଁ ବିକଳ

ବୃନ୍ଦାକୁ ଧରିଣ ତୁମ୍ଭେ ଗୋପପୁରେ ଚଳ ।

ଯେତେ ଯୁଗ ଧରଣୀରେ ଥିବା ନନ୍ଦବତ୍ସି

ତୁମ୍ଭେମାନେ ନ ମରିବ ମୁହିଁ କହୁଅଛି ।

ଆଗ ସିନା ନିଜ ଧାମେ ଯିବ ଦଇତାରି

ତହିଁ ପଛେ ପଛେ ତୁମ୍ଭେ ଯିବ ସ୍ୱର୍ଗପୁରୀ ।

ବସୁଦେବ ଦେବକୀ ଯେ ନନ୍ଦ ଯଶୋବନ୍ତୀ

କୃଷ୍ଣର ଯେତେକି ଥିବେ ଅଙ୍ଗର ଯୁବତୀ ।

କୃଷ୍ଣ ଗଲେ ତାଙ୍କ ପଛେ ଯିବ ଗୋ ସମସ୍ତେ

କୃଷ୍ଣ ଥିବାଯାଏ ଭୟ ନ କରିବ ଚିତ୍ତେ ।

କ୍ଷୁଧା ତୃଷ୍ଣା ନିଦ୍ରା କାମ ପୀଡ଼ା ନ କରିବ

ଆଜହୁଁ ଗୋ ଯମଭୟ ଗୋପେ ନ ପଡ଼ିବ ।

ଏତେ କହି କମଣ୍ଡଳୁ ଜଳ ନେଲେ ହସ୍ତେ

ଗୋପୀ ଜଳକା ହୋଇଣ ଦେଖନ୍ତି ସମସ୍ତେ ।

ବୃନ୍ଦାବତୀ ଅଙ୍ଗରେ ସେ ପକାଇଲେ ନେଇ

ଉଠ ଉଠ ବୃନ୍ଦାବତୀ ବୋଲେ ଶଚୀସାଇଁ ।

କମଣ୍ଡଳୁ ଜଳ ବୃନ୍ଦା ଦେହରେ ପଡ଼ିଲା

ନିଦ୍ରାରୁ ଉଠିଲା ପ୍ରାୟେ ସେ ବୃନ୍ଦା ଉଠିଲା ।

ଚଉଦିଗ ଦେଖିଣ ସେ ହୋଇଲା ଚକିତ

ମୁନିଙ୍କି ଦେଖିଣ ତାର ବିଚାରଇ ଚିତ୍ତ ।

ଦେଖିଲା ବେଢ଼ିଅଛନ୍ତି ପୁଣି ଗୋପୀଗଣ

ସବୁରି ନେତ୍ରରୁ ଅଶ୍ରୁ ବହେ ଘନଘନ ।

ରାଧାକୁ ଦେଖିଣ ବୋଲେ ରହି ବୃନ୍ଦାବତୀ

କେବଣ ସ୍ଥାନରୁ ଆସି ଅଛନ୍ତି ଏ ଯତି ।

ସୁନ୍ଦରପଣେ ନ ଥିବେ ସମ ତିନିପୁର

କେଜାଣି ସ୍ଵର୍ଗରୁ ଆସିଛି କି ପୁରନ୍ଦର ।

କପଟ କରି କି ଅବା ହୋଇ ମୁନି ବେଶ

ନିଶ୍ଚୟ ଅଟଇ ଏହି ସ୍ଵର୍ଗର ନରେଶ ।

ମାୟାରେ ଏଠାକୁ ସେହି ଆସିଛନ୍ତି ଜାଣ

ଏହିପରି ପରତେ ହୁଅଇ ମୋର ମନ ।

ପୁଣି ବୋଲୁଛନ୍ତି ବୃନ୍ଦା ଦିଶେ ଏହା ରୂପ

ଆମ୍ଭ ମନ ଜାଣି ଆସିଅଛି କି କନ୍ଦର୍ପ ।

ପ୍ରବୋଧିବାକୁ ଶ୍ରୀକୃଷ୍ଣ ଛନ୍ତି ପଠିଆଇ

ପୁଣି ବୋଲନ୍ତି କି ଅବା ଏହି ଗୋ କହ୍ନାଇ ।

ପୁଣି ବୋଲୁଛନ୍ତି ମୋତେ ଦିଶେ ମୁନିବର

ଗୋପ୍ୟ କରିଛି ଏହାର ନିଜର ଶରୀର ।

ବୃନ୍ଦାବତୀ ବାକ୍ୟ ଶୁଣି ଇନ୍ଦ୍ର ବିଚାରଇ

ଲକ୍ଷ୍ମୀନୋହିଲେ ଚିହ୍ନନ୍ତେ ମୋତେ ସେହୁ କାହିଁ

ସାକ୍ଷାତେ ପରମ ଲକ୍ଷ୍ମୀ ଅଟେ ବୃନ୍ଦାବତୀ

ଏମନ୍ତ ମନେ ବିଚାର କଲା ସୁରପତି ।

କେମନ୍ତେ ଏଠାରୁ ମୁହଁ ଯିବି ଗୋପପୁର

ବ୍ରହ୍ମାଦି ଦେବତା ଥିବେ ଶ୍ରୀକୃଷ୍ଣ ପାଶର ।

ବାରତା କହି କୃଷ୍ଣଙ୍କୁ ସ୍ୱର୍ଗେ ଚଳିଯିବି

ମାରିବେ ଅସୁର କୃଷ୍ଣ ନୟନେ ଦେଖିବି ।

ଏତେ ବିଚାରିଣ କୃଷ୍ଣ ରାଧାକୁ ବୋଲଇ

ତୁମ୍ଭର ସଙ୍ଗେ ଆମ୍ଭର ଥିବା ନ ଯୋଗାଇ ।

ଯମୁନା ଜଳରେ ଆମ୍ଭେ ସ୍ନାହାନ କରିବୁ

ଏଠାରେ ଆଉ ଆମ୍ଭେ ରହି ନ ପାରିବୁ ।

ଶ୍ରୀରାଧା ବୋଇଲେ ମୁନି ତୁମ୍ଭ ଦୟା ଘେନି

ବୃନ୍ଦା ଜୀବନ ଲଭିଲା ଏ ସ୍ଥାନରେ ପୁଣି ।

କଲ୍ୟାଣ କରନ୍ତୁ ମୁନି ଶ୍ରୀକୃଷ୍ଣ ଆସନ୍ତୁ

ଯାହା ଭାବିଛନ୍ତି ତାହା ସିଦ୍ଧ ଯେ କରନ୍ତୁ ।

ମହାମୁନି ବୋଇଲେ ଯେ ନିଶ୍ଚେ ସିଦ୍ଧ ହେବ

ଯାଉଛି ସ୍ନାନ କରିବି ହେଲାଣି ବିଳମ୍ବ ।

ଏତେ ବୋଲି ସୁରପତି ତହୁଁ ଚଳିଗଲା

ଯମୁନାରେ ସ୍ନାନ କରି ଗୋପୀଙ୍କି ଲୁଚିଲା ।

ବୃକ୍ଷ ଉହାଡ଼ରେ ଥାଇ ଦେଖେ ସୁରପତି

ମୁନିଙ୍କି ନ ଦେଖି ତହିଁ ଗୋପର ଯୁବତୀ ।

ଗୋପୀଦେଖି ବୋଲନ୍ତି ଯେ ମୁନିଗଲେ କାହିଁ

ଯମୁନାରେ ବୁଡ଼ିଣ ସେ ବାହାରିଲେ ନାହିଁ ।

ବୃନ୍ଦା ବୋଇଲେ ହେ ସଖୀ କହିଲି ମୁଁ ସତ

ମୁନି ନୁହେ ସେହିଁ ଅଟେ ଶ୍ରୀକୃଷ୍ଣର ଦୂତ ।

କହ ଗୋ ରାଧେ ତୁମ୍ଭର କୃଷ୍ଣ ଗଲେ କାହିଁ

ସେ ଗଲେ ମଥୁରାକୁ ତୁ ନ ଗଲୁ କିମ୍ପାଇଁ ।

ସହଜେ ତୁ ମଧୁପୁର ନିତି ଯାଉଥାଉ

ଦଧିଲବଣୀ ସର ତୁ ନିତି ବିକିଯାଉ ।

କୃଷ୍ଣ ଗଲେ ଏବେ ତୁହି ନଗଲୁ ଗୋଡ଼ାଇ

ତାହା ମୁଖ ଦେଖିବାକୁ ଗୋପେ ଅଛୁ ରହି ।

ମୁଁ ସିନା କୃଷ୍ଣ ବଚନେ ଫୁଲ ତୋଳିଗଲି

କୃଷ୍ଣ ମଧୁପୁର ଗଲେ ତାଙ୍କୁ ନ ଦେଖିଲି ।

କହ ରାଧେ କୃଷ୍ଣ କହିଛନ୍ତ କି କି ମାନ

ଗୁପତ ପ୍ରୀତି ମୋହର ଶୁଣିଛୁ କି କର୍ଣ୍ଣ ।

ଗୁପତ ନ କରି ମୋତେ କହ ସତ କରି

ମୋ ଗୁପତକଥା ତୋତେ କହିଥିବେ ହରି ।

ଦେଖ ଗୋ ରାଧିକା ଗୋପେ ସର୍ବେଛନ୍ତିପୁରି

ନନ୍ଦ ଯଶୋଦା କିପରି ଛନ୍ତି ଦେହ ଧରି ।

ଏକା ଶ୍ରୀକୃଷ୍ଣ ମୋହର ଛାଡ଼ିଗଲେ କେଣେ

ମୁଁ କାହୁଁ ଦେଖିବି ଆଉ ତାହାଙ୍କୁ ନୟନେ ।

ହୃଦୟର ହାର ମୋତେ କରିଥିଲେ ହରି

ମଥୁରା ଗଲେ ଶ୍ରୀକୃଷ୍ଣ ମୋତେ ଲୁଚିକରି ।

ଠକି କରି ମୋତେ ସେହୁ ଗଲେ ମଧୁପୁର

କୃଷ୍ଣ ଗୁଣ ଗୁଣି ବୃନ୍ଦା କାନ୍ଦେ ସେ ଠାବର ।

ରାଧା ବୋଲନ୍ତି ଗୋ ବୃନ୍ଦା ନ କାନ୍ଦ ତୁ ଆଉ

କୃଷ୍ଣଙ୍କୁ ଲୋଡ଼ିଲେ ଆଉ ପାଇବଟି କାହୁଁ ।

ଯାହାର ଶ୍ରୀକୃଷ୍ଣ ସେ ଗୋ ନେଲା ନିଜ ଘରେ

ଆମ୍ଭ ଭାଗ୍ୟଥିଲାଯାକ ଥିଲେ ଆମ୍ଭ କୋଳେ ।

ବିଧାତା ଲିଖିତ ବୃନ୍ଦା କେ କରିବ ଆନ

ଭାଲପଟେ ଯାହା ଧାତା କରିଛି ଲିଖନ ।

ପ୍ରାତଃକାଳରୁ ଆମର ବେଳ ବୁଡ଼ିଗଲା

ଆମର ନବଯୌବନ ଅକାରଣ ହେଲା ।

ଏ ଯୁବାକାଳେ ଗୋ ଆମ କୃଷ୍ଣେ କଲୁ ଆଶ

ସକଳ ତେଜି କୃଷ୍ଣଙ୍କୁ କରିଲୁ ବିଶ୍ଵାସ ।

କୃଷ୍ଣ ସିନା ପର ଅଟେ ଆମେ ଗୋପନାରୀ

ସବୁଦିନେ କୃଷ୍ଣ କାହୁଁ ହୁଅନ୍ତେ ଆମ୍ଭରି ।

ପରର ପ୍ରୀତିରେ ମାତି ସବୁ ପାଶୋରିଲୁ

ସବୁଦିନେ ଗୋ ଆମେ ଆଶା ବଢ଼ାଇଲୁ ।

ପରର ପ୍ରୀତିରୁ ଆଉ ନାହିଁ ବଡ଼ ସୁଖ

ସେ ପ୍ରୀତିରୁ ବଳି ଆଉ ନାହିଁ ବଡ଼ ଦୁଃଖ ।

ସ୍ନେହ ଥିବାଯାଏ ଆଗ ପଛ ନ ବିଚାରେ

ଛାଡ଼ିଦେଲେ ସ୍ନେହ ଭାବି ଝୁରି ଝୁରି ମରେ ।

ଆମ୍ଭେ ସିନା କୃଷ୍ଣ ସଙ୍ଗେ କରିଥିଲୁ ପ୍ରୀତି

ଗୋପେ ଯେତେ ଛନ୍ତି କିମ୍ପା ଝୁରି ମରୁଛନ୍ତି ।

ଗୋପପୁରରେ ନିରତେ ଶୁଭୁଛି ରୋଦନ

କୃଷ୍ଣ ଗୁଣ ଗୁଣି ଆମ୍ଭେ ହାରିବା ଜୀବନ ।

କୃଷ୍ଣ ଗଲେ ମଧୁପୁରେ ଆମ୍ଭେ ଭାବୁଥାଇଁ

ଆମ୍ଭର କପାଳେ ଏହା ଲିହି ଥିଲା ବିହି ।

ବିଧାତା ସିନା ସଖୀ ଗୋ ଅଟେ ଅବିବେକ

ଏ ନବଯୌବନ ଏବେ ଦିଏ ବଡ଼ ଦୁଃଖ ।

ଆମ କପାଳେ ଘେନି କେ ନ ହେଉ ଜନମ

ଧିକ ଆମ ଜନ୍ମ ଧିକ ଧିକ ଆମ କର୍ମ ।

ସକଳ ତେଜି ଶ୍ରୀକୃଷ୍ଣ ସଙ୍ଗରେ ମାତିଲୁ

ଛାଡ଼ିଯିବେ ବୋଲି କୃଷ୍ଣ ଜାଣିତ ନ ଥିଲୁ ।

ନିର୍ଦ୍ଦୟ ପୁରୁଷ ସେହୁ ଅଟେ ଦଇତ୍ୟାରୀ

ଏବେ ମରିଗଲେ ସେହୁ ମନେ ନ ବିଚାରି ।

ଏତେ କହି ବୃନ୍ଦା ମନ ବୋଧିଲେ ସେ ରାଈ

କୋଳକଲେ ବୃନ୍ଦାକୁ ସେ ଶୋକଭର ହୋଇ ।

ଚାଲ ଆଗେ ବୃନ୍ଦାବତୀ ଗୋପପୁର ଯିବା

କାନ୍ଦିଲେ କି ଆଉ ଆମ୍ଭେ କୃଷ୍ଣଙ୍କୁ ପାଇବା ।

ମାୟା ଛାଡ଼ିଣ ଶ୍ରୀକୃଷ୍ଣ ଗଲେ ଗୋ ଆମ୍ଭର

ଏକା ନନ୍ଦରାଜାକୁ ଗୋ ନେଲେ ସଙ୍ଗତର ।

କେଜାଣି କି ବିଚାର ସେ କରିଲେ ମନର

ବୃଦ୍ଧାକାଳେ ଯଶୋଦାକୁ କରିଗଲେ ଦୂର ।

ଆମ୍ଭମାନଙ୍କର ମାୟା ତାଙ୍କୁ ନ ଲାଗିଲା

ପାଷାଣୁ କଠିନ ତାର ହୃଦୟ ହୋଇଲା ।

ଏତେ ବୋଲି ବୃନ୍ଦା କର ଧରି ଚନ୍ଦ୍ରାବଳୀ

ଯମୁନାରେ ସ୍ନାନସାରି ଗୋପପୁରେ ଚଳି ।

ଖଣ୍ଡେ ଦୂରୁ ନନ୍ଦ ଘର ଦେଖି ବୃନ୍ଦାବତୀ

ବୋଲନ୍ତି ନନ୍ଦଘର ତୁ ଦେଖ ଗୋ ଶ୍ରୀମତୀ ।

ଗୋପପୁର ନାରଖାର ଦିଶୁଛି ଗୋ ଦେଖ

ଗୋପପୁରରେ ଚାହିଁବି ମୁହିଁ କାହା ମୁଖ ।

ନନ୍ଦର ଘରକୁ ମୁହିଁ କେବେହେଁ ନ ଯିବି

ଯଶୋଦାକୁ ଦେଖିଲେ ମୁଁ କିସ ବା କହିବି ।

ଶ୍ରୀକୃଷ୍ଣର ନିତ୍ୟଲୀଳା ସ୍ଥାନମାନ ମୁହିଁ

ନୟନେ ଦେଖିଲେ ମୋର ହୃଦ ହେବ ଦହି ।

ନ ଯିବି ମୁଁ କୃଷ୍ଣ ଘର ଗୋପକୁ ନ ଯିବି

ବୃନ୍ଦାବନେ ଆଜହୁଁ ମୁଁ ବିହାର କରିବି ।

ଚାଲ ଆଗୋ ରାଈ ତୀର୍ଥେ ଭ୍ରମଣ କରିବା

ଶ୍ରୀକୃଷ୍ଣ ଆସିବାଯାଏ ବନେ ବିହରିବା ।

ରାଈ କହୁଛନ୍ତି ତୁ ଲୋ ଶୁଣ ବୃନ୍ଦାବତୀ

ନବଦିନ କଣ୍ଟକରି କୃଷ୍ଣ ଯାଇଛନ୍ତି ।

ନବଦିନ ଯାକ ଚାଲ ଗୋପପୁରେ ଥିବା

କୃଷ୍ଣ ନ ଆସିଲେ ତୀର୍ଥେ ଗମନ କରିବା ।

ଗୋପପୁଏ ଯାଇଛନ୍ତି କିମ୍ପାଇଁ ରହିବେ

ନନ୍ଦକୁ ସଙ୍ଗରେ ଧରି ଅବଶ୍ୟ ଫେରିବେ ।

ରାଧାର ବଚନେ ବୃନ୍ଦା କରନ୍ତି ରୋଦନ

ହା ହା କୃଷ୍ଣ ବୋଲି ଗୋପୀ କରନ୍ତି ଗମନ ।

ବିକଳେ ସମସ୍ତେ ଗୋପୀମାନେ ଚଳିଗଲେ

ସେ ଯାହା ମନ୍ଦିରେ ଯାଇ ପ୍ରବେଶ ହୋଇଲେ ।

ରାତ୍ରଦିନେ କୃଷ୍ଣ ଭାବି କରନ୍ତି ଗାୟନ

ଶୟନେ ଭୋଜନେ କୃଷ୍ଣ ନାଚଇ ନୟନ ।

କୃଷ୍ଣ ଗୁଣ ଗୁଣି ଗୋପୀ ତନୁ କ୍ଷୀଣ କଲେ

କେବଳ ଜୀବନମାତ୍ର ରହିଲା ଶରୀରେ ।

ବାତୁଳ ପରାୟେ ଡାକ ଦ୍ୟନ୍ତି ଗୋପୀମାନେ

ଆସ ଶ୍ରୀକୃଷ୍ଣ କରିବା ରାସ ବୃନ୍ଦାବନେ ।

କେଉଁ ଗୋପୀ ବାଟେ ବସିରହଇ ଅନାଇ

ଡାକେ ବତ୍ସା ସଙ୍ଗେ ଘେନିଆସ ହେ କହ୍ନାଇ ।

ବାତୁଳ ପ୍ରାୟେ ବୁଲନ୍ତି ଗୋପୀ ଏଣେତେଣେ

ସବୁବେଳେ କୃଷ୍ଣ କୃଷ୍ଣ ବୋଲନ୍ତି ବଚନେ ।

ଏହିପରି ଗୋପୀମାନେ ଗୋପରେ ରହିଲେ

କୃଷ୍ଣ ପାଦପଦ୍ମେ ନେଇ ମନକୁ ରଖିଲେ ।

ଅଚ୍ୟୁତଦାସର ମନ ହୋଇଣ ଅସ୍ଥିର

ଶ୍ରୀକୃଷ୍ଣ ଚରଣେ ଯାଇଁ କରିଲା ସେ ଘର ।

ସାଧୁଜନମାନେ ମୋର ଦୋଷ ନ ଧରିବ

ଏଣିକି କହିବ ଯେଉଁ ମଥୁରାର ଭାବ ।

 

Unknown

କଂସରମୋହ ଓ ଦେବୀଙ୍କୁ ଆରାଧନା

ଶୁଣହେ ସୁବୁଦ୍ଧି ଜନେ କହେ ବ୍ୟାସସୁତ

ପରୀକ୍ଷିତ ଆଗରେ କହନ୍ତି ଭାଗବତ ।

ସାତଦିନ ମଧ୍ୟେ ଭାଗବତ ହେଲା ଶେଷ

ରାଧା ବୋଲି ବେନିକ୍ଷର ନ କଲେ ପ୍ରକାଶ ।

ଯହୁଁ ପରୀକ୍ଷିତ ଯେ କହନ୍ତି ଶୁଣ ଯତି

ରାଧା ନାମ ବିନା ମନ ନୋହିଲା ତୃପତି ।

ବେନି ଦଣ୍ଡେ ଯିବି ମୁହିଁ ଆଜ ସ୍ଵର୍ଗପୁର

ଯେବେ ଦୟାକର ମୋତେ ଆହେ ମୁନିବର ।

ଦ୍ଵାଦଶ ସ୍କନ୍ଧରେ ବ୍ରହ୍ମଜ୍ଞାନ ଅଟେ ବାଣୀ

ଶୁଣିଲି ତୁମ୍ଭ ମୁଖରୁ ଗଙ୍ଗାତୀରେ ପୁଣି ।

ତା ମଧ୍ୟରୁ ହରିବଂଶ ହୋଇଲା ବିଖ୍ୟାତ

ରାଧାର ନାମ ନ ଶୁଣି ଅବୋଧ ମୋ ଚିତ୍ତ ।

ରାଧା ନାମକୁ ଅଚ୍ୟୁତ ହୃଦରେ ଭାଳିଲା

ହରିବଂଶ ଭାବି ଚିତ୍ତବୋଧ ଗ୍ରନ୍ଥ କଲା ।

ସୃଷ୍ଟି ସର୍ଜ୍ଜନା ମାନବ ବିଷ୍ଣୁ ଜାତହୋଇ

ରାଧା ଜାତ ଗୋପଲୀଳା କରିବାର ପାଇଁ ।

ଅକ୍ରୂର ଗମନେ ରାଧା ହୋଇଲେ ବିରସ

କୃଷ୍ଣ ବିଚ୍ଛେଦରେ ବୃନ୍ଦା ହେଲେ ପ୍ରାଣନାଶ ।

ଅକ୍ରୂରର ବିଷ୍ଣୁ ତେଜେ କଂସ ବିହ୍ୱଳିତ

ଯେଉଁ ଯେଉଁ କୃତ୍ୟ ତହୁଁ କଲେ ନନ୍ଦସୁତ ।

ଭାବବତୀର ଉଦ୍ଧାର ସୁଦାମା ମାଲୁଣୀ

ତେଜବତୀର ଉଦ୍ଧାର କଲେ ବେଣୁପାଣି ।

କୁବୁଜାକୁ ଉଦ୍ଧାରି ସେ ପ୍ରୀତିବନ୍ତ ବାଣୀ

ଧନୁକୁ ଭାଙ୍ଗି ଫେରିଲେ ରାମକୃଷ୍ଣ ବେନି ।

ଚାଣୁର ମୁଷ୍ଟିକ କୁବଳୟା ମହାମଲ୍ଲ

ରଙ୍ଗସଭା ତଳେ ଉଭା ହେଲେ ଆଦିମୂଳ ।

ଦେଖି କଂସ ଅସୁରର ଜୀବ ହେଲା ନାଶ

ବସୁଦେବ ଦେବକୀ ଯେ ହୋଇଲେ ହରଷ ।

ଫିଟିବ ଶାଙ୍କୋଳୀ ଯାଇଁ ମନବୋଧ କରି

ଗ୍ରାମର ଦେବୀମାନଙ୍କୁ ପୂଜିବେ ଶ୍ରୀହରି ।

ଉଗ୍ରସେନ ମଧୁପୁରେ ହୋଇବେ ରାଜନ

ଏହି ବିଷୟ ଏଣିକି କରିବି ଲିଖନ ।

ମାୟାମୁନି ହୋଇ ଇନ୍ଦ୍ର ଗୋପୀଙ୍କ ପାଶରୁ

ବିଦାୟ ହୋଇଣ ଗଲା ସ୍ନାନ କାରଣରୁ ।

ଯେଣେ ଯାଇ ଏକ ବୃକ୍ଷ ଅନ୍ତର୍ଗତେ ରହି

ଗୋପୀଙ୍କ ବିଷୟମାନ ମନରେ ଭାବଇ ।

ବୃକ୍ଷପାଶେରହି ଇନ୍ଦ୍ର ଗୋପୀ ଭାବି ଦେଖି

ବିଚାରଇ କୃଷ୍ଣ ଗଲେ ଗୋପୀଙ୍କି ଉପେକ୍ଷି ।

କେଉଁପରି କୃଷ୍ଣ ଗୋପୀ ଭାବି ମୁରୁଛିବେ

ଏ ଗୋପୀ ଭାବକୁ ସମାନ ହୋଇବୁ ଆମ୍ଭେ ।

ପୁଣି ଭାବେ ଧନ୍ୟ ଗୋପୀ ବଶ କଲ କରି

ଯେ କୃଷ୍ଣ ପାଦକୁ ମୁନି ନ ପାରନ୍ତି ଧରି ।

ଯେଉଁ ବ୍ରହ୍ମ ହୋଇଅଛି ମର୍ତ୍ତ୍ୟେ ଅବତାର

ତାହାକୁ ନିତି ଭାବି ନପାଏ ବେଦବର ।

ଯେ ବ୍ରହ୍ମକୁ ନିତି ଧ୍ୟାନ କରନ୍ତି ଶଙ୍କର

ସେହି ବ୍ରହ୍ମ ବଶ ସିନା ହେଲା ଗୋପୀଙ୍କର ।

ଯେ ବ୍ରହ୍ମକୁ ମୁନିମାନେ ନ ଦେଖି ନୟନେ

ଲୟ ଲଗାଇଣ ଥାଇ ସେହୁ ଅନୁକ୍ଷଣେ ।

ସେ ବ୍ରହ୍ମ ସଙ୍ଗରେ ଲୀଳା କରନ୍ତି ଏମାନେ

ତିନିପୁରେ ନ ଥିବେ କେ ଏହାଙ୍କ ସମାନେ ।

ବରୁଣ କୁବେର ଆଦି ଯେତେ ଦେବଗଣ

ବ୍ରହ୍ମାଙ୍କୁ ନିତି ସେମାନେ କରୁଛନ୍ତି ଧ୍ୟାନ ।

ତୁମ୍ଭେ ଗୋପୀମାନେ ବ୍ରହ୍ମ କରି ଆଲିଙ୍ଗନ

ଧନ୍ୟ ହେଲେ ଗୋପୀ ଧନ୍ୟ ତୁମ୍ଭର ଜୀବନ ।

ତୁମ୍ଭେ ଗୋପୀମାନେ କେତେ ତପ କରିଥିଲ

ମନୁଷ୍ୟ ହୋଇଣ ବ୍ରହ୍ମା ପୟରେ ସେବିଲ ।

ସେ ଶ୍ରୀକୃଷ୍ଣ ବ୍ରହ୍ମ ତୁମ୍ଭେ ଚିହ୍ନିବ ଗୋ କାହିଁ

ଯେବଣ କୃଷ୍ଣ କିଛି ଆଦ୍ୟ ଅନ୍ତ ନାହିଁ ।

ଧନ୍ୟ ଧନ୍ୟ ଗୋପୀମାନେ ତୁମ୍ଭର ଜୀବନ

ହୃଦ ପାଦପଦ୍ମେ ତୁମ୍ଭେ ଲୟ କଲ ମନ ।

ତୁମ୍ଭ ମନ ଯେବେ ନାହିଁ କୃଷ୍ଣ ପାଦତଳେ

କିମ୍ପା କୃଷ୍ଣ ତୁମ୍ଭ ଲାଗି ଯୋଗଧ୍ୟାନ କଲେ ।

ଏମନ୍ତ ଭାବିଣ ସୁରପତି ତହୁଁ ଗଲା

ମୁନିରୂପ ତେଜି ନିଜ ରୂପ ସେ ଧଇଲା ।

ଯହିଁ ଶ୍ରୀକୃଷ୍ଣ ଅଛନ୍ତି ପ୍ରବେଶିଲା ତହିଁ

ଦେଖିଲା ଯେ ଦେବଗଣ ଛନ୍ତି ତହିଁ ରହି ।

କୃଷ୍ଣ ପାଦତଳେ ପଡ଼ି ଯୋଡ଼ି ବେନିକର

ବୋଲଇ ତୁମ୍ଭର ମାୟା ଅଟେ ଅଗୋଚର ।

ଗୋପୀଙ୍କଗାବକୁ ଆମ୍ଭେ ଦେବେ ନୋହୁସରି

କିଏ ଜାଣେ ଗୋପୀକା ସେ ଛନ୍ତି ଅବତରି ।

ଗୋପୀଙ୍କ ଭକତି ପ୍ରଭୁ ନ ଜାଣିବେ କେହି

ଗୋପୀଙ୍କ ସଙ୍ଗରେ ଆମ୍ଭେ ସମ ହେବୁକାହିଁ ।

ଧନ୍ୟ ଗୋପୀମାନେ ସେ ତୁମ୍ଭଙ୍କୁ ବଶ କଲେ

ଗୋପୀଙ୍କୁ ନ ଦେଖି ତୁମ୍ଭେ ରହି ମହୀତଳେ ।

ବୃନ୍ଦା ମୋହେ ପଡ଼ିଥିଲା ତୁମ୍ଭଙ୍କୁ ସୁମରି

ତୋ ନାମ କର୍ଣ୍ଣରେ ଶୁଣି ଚେତିଲା ସୁନ୍ଦରୀ ।

ରମ୍ଭା ଆଦି ଦେବକନ୍ୟା ତ ସମ ନୋହିବେ

ଦେଖିଲା ମାତ୍ରକେ ଯୋଗୀ ଧ୍ୟାନ ଉପେକ୍ଷିବେ ।

ବୃନ୍ଦାର ତେଜକୁ ରାଧା ନୁହେଁ ସମତୁଲ

ସାକ୍ଷାତେ ସେ ଲକ୍ଷ୍ମୀ ଜାତ ରହି ମହୀତଳ ।

ତୁମ୍ଭର ଦୟାରୁ ସର୍ବ ସଖୀଙ୍କି ଦେଖିଲି

ସହସ୍ର ନୟନେ ମୁହିଁ ଚାହିଁ ନ ପାରିଲି ।

ଗୋପୀଙ୍କ ବେନି ନୟନୁ ବହେ ଅଶ୍ରୁଧାର

କୃଷ୍ଣ କୃଷ୍ଣ ବୋଲି ମୁଖେ କରନ୍ତି ଉଚ୍ଚାର ।

ତୁହି ତାହାଙ୍କର ଭାବ ତେଜିଦଇତ୍ୟାରୀ

କେମନ୍ତେ ରହିବୁ ମନେ ଭାବଇ ମୋହରି ।

ଗୋପୀମାନଙ୍କୁ ମୁଁ ପୁଣି ବୁଝାଇ କହିଲି

ଗୋପକୁ ଗୋପୀଏ ଗଲେ ତହୁଁ ମୁଁ ଫେରିଲି ।

ଏତେ ବୋଲି କୃଷ୍ଣପାଦେ ପଡ଼ି ବ୍ରଜଧାରୀ

ବୋଲଇ ଦୂରିତ ମୋର ନାଶିବ ଶ୍ରୀହରି ।

କୃଷ୍ଣଙ୍କ ଆଜ୍ଞାରେ ଉଠି ତହିଁ ପୁରନ୍ଦର

କିଙ୍କର ପରାୟେ ବସି ରହିଲା ସେଠାର ।

ବେଦବର ମୁଖ ଚାହିଁ ବୋଲନ୍ତି ଗୋବିନ୍ଦ

ଏହାଶୁଣି କୃଷ୍ଣ ମନ ହୋଇଲା ଆନନ୍ଦ ।

ତୁମ୍ଭେ ଦେବଗଣ ଯାଅ ଯେ ଯାହା ଭୁବନ

ଅସୁର ମାଣିଣ ମୁହିଁ ଯିବି ନିଜ ଧାମ ।

ଶୁଣିଣ ସକଳ ଦେବେ ଆନନ୍ଦ ହୋଇଲେ

ଶ୍ରୀକୃଷ୍ଣଙ୍କ ପାଦେ ପଡ଼ି ମେଲାଣି ମାଗିଲେ ।

ଯେ ଯାହାର ପୁରେ ଯାଇ ହୋଇଲେ ପ୍ରବେଶ

କୃଷ୍ଣକଥା ଭାବି ମନେ ହୋଇଲେ ହରଷ ।

ମଧୁବନେ ଯାଇ କୃଷ୍ଣ ହୋଇଲେ ପ୍ରବେଶ

କେହି ନ ଜାଣିଲେ ମାୟା କଲେ ପୀତବାସ ।

ମାୟାଧର କୃଷ୍ଣ ମାୟା ଜାଣନ୍ତି ବହୁତ

ମାୟାରେ ମୋହିନୀ ଯାର ହୋଇଛି ଜଗତ ।

ଶ୍ରୀକୃଷ୍ଣ ଗୋପାଳେ ମଧୁବନରେ ରହିଲେ

ମଥୁରାଦାଣ୍ଡେ ଅକ୍ରୂର ରହୁବରେ ଗଲେ ।

ମଥୁରାର ନରନାରୀଅକ୍ରୂରକୁ ଦେଖି

ବୋଲନ୍ତି ଗୋପରୁ ଫେରିଅଛନ୍ତି ଗୋ ସଖୀ ।

ଦେଖ ଅକ୍ରୂରର ତେଜ ଦିଶଇ ପ୍ରଖର

ସାକ୍ଷାତେ ସେ ବିଷ୍ଣୁ ତେଜ ଧରିଛି ଅକ୍ରୂର ।

ଦେଖ କୃଷ୍ଣଙ୍କୁ ଅକ୍ରୂର ଆଣୁଥିଲା ପରା

ତୁଚ୍ଛା ରଥଧରି ସେହୁ କେମନ୍ତେ ଫେରିଲା ।

ଥୋକାଏ ବୋଇଲେ କଂସ କରିବ ଯେ ରୋଷ

ଥୋକାଏ ବୋଇଲେ ଶୁଣି ହୋଇବ ହରଷ ।

ଆଗରେ ଅକ୍ରୂର ଆସେ ପଛେ ସେ ଆସିବେ

ଆଗହୋଇ ନୃପତିଙ୍କୁ ଦର୍ଶନ କରିବେ ।

ତେଣୁକରି ଆଗହୋଇ ଆସଇ ଅକ୍ରୂର

ଦ୍ଵାରୀକୁ କହିଲା କୃଷ୍ଣେ ଛନ୍ତି ମଧୁପୁର ।

ଏହିପରି ନରନାରୀ ହେଲେ କୁହାକୁହି

ଅକ୍ରୂର ପ୍ରବେଶ ହେଲା ସିଂହଦ୍ୱାରେ ଯାଇଁ ।

ଦ୍ୱାରୀ ଯାଇଣ ରାଜାଙ୍କୁ କହିଲା ସନ୍ଦେଶ

ଅକ୍ରୂର ଆସିଣ ଅଛି ସିଂହଦ୍ୱାର ପାଶ ।

ଦ୍ୱାରୀମୁଖୁ ଶୁଣି କଂସ ଜଗତୀ ତେଜିଲା

ତାହାକୁ ନୃପତିଶୁଣି ସନ୍ଦେଶ ପୁଛିଲା ।

ରାଜା ବୋଇଲା ଦ୍ଵାରୀକି ଅକ୍ରୂର ଦେଖିଲୁ

ଆଉ କିଏ କିଏ ଛନ୍ତି କିମ୍ପା ନ କହିଲୁ ।

ପ୍ରହରୀ ବୋଇଲେ ଦେବ ଆନ କେହି ନାହିଁ

ରହୁବରରେ ଅକ୍ରୂର ଏକା ଅଛି ରହି ।

କଂସ ଶୁଣି ଏ ବଚନ ହୋଇଲା ବାହାର

ଦେଖିଲା ରଥର ଦ୍ଵାରେ ଅଛଇ ଅକ୍ରୂର ।

ମନ୍ତ୍ରୀମାନେ ରାଜାଙ୍କର ପଛରେ ଅଛନ୍ତି

ମଥୁଭାର ନରନାରୀ ତହୁଁ ଦେଖୁଛନ୍ତି ।

କଂସକୁ ଦେଖି ଅକ୍ରୂର ରଥୁ ଓହ୍ଲାଇଲା

ବେଗ ହୋଇ ଯାଇ ପଦେ ଦଣ୍ଡବତ କଲା ।

ଅକ୍ରୂରକୁ ବିଷ୍ଣୁଦେଖି କଂସ ଭୟ କଲା ମନେ

କାଳଦେବତା ପରାୟେ ଦିଶିଲା ନୟନେ ।

ଅକ୍ରୂରକୁ ବିଷ୍ଣୁତେଜ କୃଷ୍ଣ ଦେଇଥିଲେ

ନ ଜାଣଇ ଅକ୍ରୂର ଯେ କୃଷ୍ଣ ମାୟାକଲେ ।

ବିଷ୍ଣୁ ନିର୍ମାଲ୍ୟ ଅକ୍ରୂର ଗର୍ଭେ ଥିଲା ତହୁଁ

ବିଷ୍ଣୁତେଜ ପ୍ରକାଶିଲା ତାର ଅଙ୍ଗ ତହୁଁ ।

ଘୃତ ଯେହ୍ନେ ଅଗ୍ନି ତେଜେ ହୁଏ ତରଳିତ

ଅକ୍ରୂର ତେଜରେ କଂସ ହୋଇଲା ତେମନ୍ତ ।

ବିଷ୍ଣୁ ତେଜ ଅକ୍ରୂରକୁ ଦେଇଛନ୍ତି ହରି

ଅକ୍ରୂର ତେଜରେ କଂସ ଜ୍ଞାନ ତାର ହାରି ।

ବିହ୍ୱଳିତ ମନ ହୋଇ ହେଲା ଅନୁମାନ

ବାୟା ପ୍ରାୟ ହେଲା କଂସ ନ ଛନ୍ନଛନ୍ନ ।

ନିଜ ହୃଦୟରେ ତାର କିଛି ନାହିଁ ଜ୍ଞାନ

ଦେଖୁଥିଲେ ମଧୁପୁର ନରନାରୀଗଣ ।

ସମସ୍ତ ଶ୍ରୀକୃଷ୍ଣ ପ୍ରାୟେ କଂସକୁ ଦିଶିଲେ

ଅକ୍ରୂରକୁ ଯହୁଁ କୃଷ୍ଣ କଳା ଦେଇଥିଲେ ।

ଏତ କୃଷ୍ଣ ଆସିଛନ୍ତି ଭୟ କରି ମୋତେ

ଶରଣ ପଶୁଛି ମୋର ବେନି ପାଦଗତେ ।

କଂସବୋଲେ ଉଠି ଆହେ ଦେବକୀ ତନୟ

କାହିଁପାଇଁ ମନରେ ତୁ କରୁଅଛୁ ଭୟ ।

କିମ୍ପାଇଁ ଡରିଣ ମୋତେ ଗୋପରେ ରହିଲୁ

ଦେବକୀ ବସୁଦେବକୁ କିମ୍ପାଇଁ ମୁର୍ଚ୍ଛିଲୁ ।

ପୂତନା ଆଦି ଯେତେକ ଦୂତ ମୁଁ ପେଶିଲି

କେହି ନ ଫେରିଲେ ମୁହିଁ ବାର୍ତ୍ତା ନ ପାଇଲି ।

ସୋଦର ଭଣଜା ମୋର ଅଟୁ ବନମାଳୀ

ଏବେ ପିତାମାତାର ତୁ ଫିଟାଅ ଶାଙ୍କୋଳୀ ।

ଉଗ୍ରସେନ ତାତ ମୋର ଗଲେ ମଧୁପୁର

ହଂସକ ଡିମ୍ବକ ବେନି ମୌଳା ଭାଇ ତୋର

ମାଈଁମାନଙ୍କୁ ହୋ ତୁହି ଦୟା ରଖିଥିବୁ

କାଲି ଦିଗବିଜେ ଆମ୍ଭେ ନିଶ୍ଚୟ କରିବୁ ।

କଂସର ହୃଦେ ଅଜ୍ଞାନ ଶୁଣି ଜାତ ହେଲା

ଦେଖୁ ଦେଖୁ ଅକ୍ରୂରକୁ ପୁଣି ସେ ବୋଇଲା ।

ତୋତେ ଆଜି ମାରି ମୁହିଁ ନେବି ତୋ ଜୀବନ

ଆଜି ଦେବକୀ ତୋହର ଦେଖୁରେ ମରଣ ।

ଯେତେଯେତେ ଦୂତ ଗୋପେ ପେଶିଲଇଁ ମୁହିଁ

କେତେ କଷ୍ଟ ଗୋପପୁରୁ ଆସିଅଛୁ ତୁହି ।

ଯେତେ କଷ୍ଟରେ ଅକ୍ରୂର ଆଣିଅଛି ତୋତେ

ଗୋପକୁ ଫେରିବୁ ବୋଲି କରିଛୁ ପରତେ ।

ଭୟରେ ପଡୁ ତୁହିରେ ମୋ ପୟରେ ଆଜ

ଏବେ ଗୋପପୁର କଥା ମନରୁ ତୁ ତେଜ ।

କରିବୁ ତୁ ମଧୁପୁରେ ରହି ନାରଖାର

ବାଳିକାକୁ ମୂର୍ଖପଣ ଶୁଣିଛି ତୋହର ।

ଏତେ ବୋଲି କଂସ ଖଣ୍ଡା ଝଲକାଇ କରେ

ବୋଲଇ ଉଠରେ କୃଷ୍ଣ ହାଣିବି ସତ୍ଵରେ ।

ମରିବାବେଳେ ନିସତି ହେଉ କାହିଁପାଇଁ

ଯେତେକ ଚାର ମାଇଲୁ ମନେ କିରେ ନାହିଁ ।

ପୁତନା ତୋର ମାଉସୀ ତାକୁ ତୁ ମାଇଲୁ

ଗୋପେ ହୋଇ ନାନା ଅନ୍ୟାୟ ତୁ କଲୁ ।

ତୋ ଷଡ଼ ଭାଇଙ୍କି ତୁହି ନୟନେ ଦେଖିବୁ

ଭାଇମାନଙ୍କର ସଙ୍ଗେ ସୁଖେ ହିଁ ରହିବୁ ।

ଛାଡ଼ ମୋର ପାଦ ତୁରେ ଇଷ୍ଟଦେବାସୁର

ଏତେବୋଲି ଖଣ୍ଡା ଝମକା ଏ କଂସାସୁର ।

କଂସ ପାଦେ ପଡ଼ି ମନେ ଭାବଇ ଅକ୍ରୂର

ବୁଦ୍ଧିଭ୍ରମ ହେଲା କଂସ ଯିବ ଯମପୁର ।

ଶ୍ରୀକୃଷ୍ଣ ବଚନ ଏବେ ହୋଇଲାଣି ସତ

କାଲି ଶ୍ରୀକୃଷ୍ଣ କଂସକୁ ମାରିବେ ନିୟତ ।

ଯେବେ କଂସ ପାଦତଳୁ ଉଠିବିନି ମୁହିଁ

ମାରିବ ନିଶ୍ଚୟ କଂସ ହୃଦେ ଜ୍ଞାନ ନାହିଁ ।

ଅଜ୍ଞାନରେ କୃଷ୍ଣ ବୋଲି ବୋଲୁଅଛି ମୋତେ

ଆଗପଛକୁ ବିଚାର ନାହିଁ ତାର ଚିତ୍ତେ ।

ଏମନ୍ତ ଭାବି ଅକ୍ରୂର ରହିଲା ମଉନେ

କଂସ ପାଦେ ପଡ଼ି ଚିନ୍ତେ ଶ୍ରୀକୃଷ୍ଣଙ୍କୁ ମନେ ।

ଦେଖି ମଧୁପୁର ଜନେ ଚକିତ ହୋଇଲେ

ବାଇ ହୋଇଲାଣି କଂସ ମରିବ ବୋଇଲେ ।

ହେତି ପ୍ରହେତି ଦେଖିଣ ବିଚାରନ୍ତି ମନ

ଦେଖ ହେ ଅକ୍ରୂର କିମ୍ପା ମାରୁଛି ରାଜନ ।

ବିପରୀତ କଥା କାହିଁ ଦେଖିଲୁଣି ନାହିଁ

ବିନୟ ପଣେ ଅକ୍ରୂର ପାଦେ ଅଛି ଶୋଇ ।

ବୁଦ୍ଧିଭ୍ରମ ହୋଇଲାଣିଜ୍ଞାନ ନାହିଁ କିଛି

କୃଷ୍ଣ ବୋଲି ଅକ୍ରୂରକୁ ମାରି ପକାଉଛି ।

ରାମକୃଷ୍ଣ ଆଣିବାକୁ ଗୋପକୁ ପେଶିଲା

ସେ ଦୁହିଁଙ୍କୁ ଆଣି ମଧୁବନରେ ରଖିଲା ।

ଅକ୍ରୂର ଆସିଲା ଏବେ ତାକୁ କହିବାକୁ

ଦର୍ଶନ ଦେବା ମାତ୍ରକେ ମାରୁଛି ତାହାକୁ ।

ହେତି ପ୍ରହେତି ବିକଳେ ହୋନ୍ତି କୁହାକୁହି

କଂସର କ୍ରୋଧକୁ ଦେଖୁଛନ୍ତି ତୁନି ହୋଇ ।

ପୁଣି ଅକ୍ରୂର ମୁଖକୁ ଚାହିଁଲା ରାଜନ

ବୋଇଲାରେ କୃଷ୍ଣ କିମ୍ପା ହୋଇଲୁ ମଉନ ।

କ୍ରୋଧଭରେ ଚାରି ମୁଖ ଚାହିଁ କଂସାସୁର

ବୋଲେ ବେଗେ ଯାଇଆଣଯୋଦ୍ଧାଙ୍କୁ ମୋହର

ମନ୍ତ୍ରୀମାନଙ୍କୁ ଚଞ୍ଚଳ ଆଣ ତୁ ହକାରି

ମଧୁପୁରରେ ଯେତେକଛନ୍ତି ନରନାରୀ ।

ଉଗ୍ରସେନ ତାହାଙ୍କୁ ତୁ ଆଣ ବେଗେ ଯାଇଁ

ଅନ୍ତଃପୁର ନାରୀଙ୍କିଟି କହିବ ବୁଝାଇ ।

ଆଜ ଗୋ ଦେଖିବ ଚାଲ କୃଷ୍ଣ ହେବ ହତ

ଯମପୁର ଯିବ ଆଜ ଦେବକୀର ସୁତ ।

ଦେବକୀ ବସୁଦେବଙ୍କୁ ଆଣ ବନ୍ଦୀଘରୁ

ବାଦ୍ୟକାର ବାଦ୍ୟମାନ ବଜାନ୍ତୁ ଦୂରରୁ ।

ଆନନ୍ଦେ କରିଣ ଶଙ୍ଖଧ୍ୱନି ମଧୁପୁର

ଦେଖନ୍ତୁ ସମସ୍ତ ଜନ କୃଷ୍ଣ ମରିବାର ।

ଷଡ଼ପୁତ୍ର ଦେବକୀର କଲି ପ୍ରାଣେ ବଧ

ଏବେ କୃଷ୍ଣଙ୍କୁ ମାରିଲେ ପୂରିବ ମୋ ସଧ ।

ବିଜୁଳି କହିବା କଥା ଏବେ ହେଲା ସତ

ନାରଦଙ୍କ କଥା ମୁହିଁ ଭାବେ ଅନ୍ତର୍ଗତ ।

ଏବେ ଶ୍ରୀକୃଷ୍ଣ ଆସିଣ ପ୍ରାଣର ବିକଳେ

ଶରଣ ସମ୍ଭାଳ ବୋଲି ପଡ଼େ ପାଦତଳେ ।

ବିଳମ୍ବ ନ କରି ଚାଣ୍ଡେ ଆଣରେ ହକାରି

ଶୁଣିକରି ଚାରଗଣ ଗଲେ ମଧୁପୁରୀ ।

ହାଟେବାଟେ ମଧୁପୁରେ ଯାହାକୁ ଦେଖିଲେ

ରାଜା ଆଜ୍ଞା ଚାଲ ବୋଲି ସବୁଙ୍କୁ କହିଲେ ।

ଦେବକୀ ବସୁଦେବଙ୍କୁ ବନ୍ଦୀଘରୁ ଆଣି

ଉଗ୍ରସେନସହିତରେ କଂସ ଆଜ୍ଞା ଶୁଣି ।

ନାନା ଜାତି ବାଜଣା ବାଜିଲା ଚଉପାଶ

ସିଂହଦ୍ଵାରରେ ସମସ୍ତେ ହୋଇଲେ ପ୍ରବେଶ ।

ଯେ ଯହିଁ ଶୁଣିଲେ ସେହି ଧାଇଁଲେ କାତରେ

ଘନ ଘନ ଶଙ୍ଖଧ୍ୱନି ଶୁଭେ ଉଚ୍ଚ ସ୍ଵରେ ।

ସ୍ଵର୍ଗ ଦେବଗଣ ଶୁଣି ହୋଇଲେ ସ୍ତବଧ

ବ୍ରହ୍ମା ମଥୁରାକୁ ଚାହିଁ ପାଇଲେ ବିଷାଦ ।

ଶୂନ୍ୟେ ଥାଇ ମଧୁପୁର ଦେଖି ଦେବଗଣ

କଂସପାଦେ ପଡ଼ିଅଛି ସଫଳା ନନ୍ଦନ ।

ଖଣ୍ଡା ଝମକାଇ କଂସ କ୍ରୋଧଭର ହୋଇ

ବିହ୍ୱଳିତ ହୋଇ ତାର ଦେହେ ଜ୍ଞାନ ନାହିଁ ।

ଅଜ୍ଞାନେ ଅକ୍ରୂରକୁ ସେ ନ ପାରଇ ଚିହ୍ନି

କୃଷ୍ଣ ବୋଲି ଅକ୍ରୂରକୁ ଜାଣୁଛି ସେ ପୁଣି ।

ମଧୁପୁରଯାକ ସେହି ଆଣିଛି ଡକାଇ

କୃଷ୍ଣ ବୋଲି ଅକ୍ରୂରକୁ ଆନନ୍ଦିତ ହୋଇ ।

ଶଙ୍ଖଧ୍ୱନି କରି ସେହି ଧରି ନାନା ବାଦ୍ୟ

ଜାଣିଲୁ କଂସକୁ ନିଶ୍ଚେ ପଡ଼ିଲା ପ୍ରମାଦ ।

ମାରିବେ କଂସକୁ ହରି ଭୟ ହେବ ଦୂର

ଆଜିଠାରୁ ନିଶ୍ଚିନ୍ତେ ରହିବ ସ୍ଵର୍ଗପୁର ।

ଏମନ୍ତ ବିଚାରି ଦେବେ ଗଲେ ଯେଝାପୁର ।

ଶୁଣି ତେଣିକି ହୋଇଲା ଯେଉଁ ସମାଚାର

ଅକ୍ରୂରକୁ କୃଷ୍ଣ ବୋଲି କଂସ ବିଚାରିଲା

ମାରିବ ବୋଲିଣ ସେହୁ ଖଡ଼ଗ ଉଞ୍ଚାଇଲା ।

ଅକ୍ରୂର ତା ପାଦତଳେ ପଡ଼ିଥିଲା ଜାଣ

ଏକଥା ମଧୁପୁରରେ ପ୍ରଘଟ ହୋନ୍ତେଣ ।

ଅକ୍ରୂରର ପୁତ୍ର କର୍ଣ୍ଣେ ସେ କଥା ବାଜିଲା

କଦାପି ତାହାର ମନ ସ୍ଥିର ଯେ ନୋହିଲା ।

ଆକୁଳ ହୋଇଣ ସେହୁ ଧାଇଁଲା ସତ୍ଵର

ପ୍ରବେଶ ହୋଇଲା ଯାଇ କଂସ ସିଂହଦ୍ଵାର ।

ପିତାର ସନ୍ଦେଶ ସେହୁ କର୍ଣ୍ଣରେ ଶୁଣିଣ

ଆକୁଳ ଭାବେ ଆସିଛି ସେଠାବକୁ ପୁଣ ।

ଦେଖିଲା ପିତା ପଡ଼ିଛି କଂସର ପୟରେ

ବିଚାର କରେ ଅକ୍ରୂର କୁମର ମନରେ ।

ପୁଣି ଦେଖିଲା ସେ କଂସ ଅଛି ଖଣ୍ଡାଧରି

ବିଚାରେ ମୋ ପିତା ଗୋପେ କିବାଦୋଷକରି

କିଅବା କୃଷ୍ଣଙ୍କୁ କଂସ ଭର୍ତ୍ସନା କରିଲା

ସେହିକଥା ଆସି କେହି କଂସକୁ କହିଲା ।

କିଅବା ପିତା ମୋହର କଲା ଅପରାଧ

ସେହିକଥା କଂସ ଶୁଣି କରିଅଛି କ୍ରୋଧ ।

ଖଣ୍ଡରେ କାଟିବ ଏହି ମୋ ପିତାର ଶିର

କହିଲେ ଏହାର କ୍ରୋଧ ହେବ ବଳିୟାର ।

ଏତେ ବିଚାରିଣ କଂସ ଚରଣେ ପଡ଼ିଲା

ଅପରାଧ କରି କ୍ଷମା ଭୋ ନୃପ ବୋଇଲା ।

ଶରଣ ତୋ ପାଦତଳେ ରଖ ହୋ ରାଜନ

ଯେତେ ଅପରାଧ ତାତ କରେ ତୋ ଚରଣ ।

ଦାସ ଯେବେ ଅପରାଧ ପ୍ରଭୁରେ କରଇ

ସେ ଯେବେ ଶରଣ ପାଦତଳେ ପଶେ ଯାଇ ।

ପ୍ରଭୁଠାରେ ଦୋଷ ଅଟେ ନିତ୍ୟ ଅପରାଧୀ

ଏବେ କ୍ରୋଧ କରି ତୋର ନ ସ୍ଫୂରଇ ବୁଦ୍ଧି ।

ପ୍ରଭୁପଣେ ଥାଇ ଯେହୁ କ୍ଷମା ନ ଆଚରେ

ଦୁର୍ଜନ ବୋଲି ତାହାକୁ ବୋଲନ୍ତି ସଂସାରେ ।

ଏତେ ବୋଲି ପାଦେ ପଡ଼ି ଅକ୍ରୂର ନନ୍ଦନ

ଅଜ୍ଞାନେ ମୋହିତ କଂସ ନଦେଖେ ନୟନ ।

ଚିତ୍ତଭ୍ରମେ ମନ ତାର ହୋଇଅଛି ଚଞ୍ଚଳ

ଯେତେ କହିଲେ ନଶୁଭେ କର୍ଣ୍ଣକୁ ତାହାର ।

କେବଳ ମନ ତାହାର କୃଷ୍ଣ ମାରିବାରେ

ସମସ୍ତେ ଶ୍ରୀକୃଷ୍ଣ ପ୍ରାୟେ ତାହାକୁ ଦିଶିଲେ ।

ପୁଣି କଂସ ବୋଲେ ସେହି ଅକ୍ରୂର ସୁତକୁ

ବଳରାମ ଆସିଲାଣି ମୋ ପାଦ ତଳକୁ ।

କୃଷ୍ଣ ମାରିବାର ଯହୁଁ କର୍ଣ୍ଣରେ ଶୁଣିଲା

ତେଣୁକରି ମୋ ପାଦରେ ଆସି ଏ ପଡ଼ିଲା ।

ବିହ୍ୱଳିତ ହୋଇକରି ବୋଲଇ ବଚନ

ଗଉଡ଼ ପିଲାଏ ଲୁଚିଥିଲେ କେଉଁ ସ୍ଥାନ ।

ଶୁଣି ତୁ ଭାଇ ମରଣ ଆସିଅଛୁ ଧାଇଁ

ଏହା କି ଗୋପପୁର ବିଚାରୁଛୁ ତୁହି ।

ତୁମ୍ଭେ ବେନିଭାଇ ଗୋପେ ହୋଇଥିଲ ଷଣ୍ଢ

ଆଜି କରିବି ତୁମ୍ଭର ମାଂସ ଖଣ୍ଡ ଖଣ୍ଡ ।

ଆଜିଠାରୁ ମଧୁପୁର ମୋ କଳଙ୍କ ଗଲା

ଭଲ ଦଇବ ତୁମ୍ଭଙ୍କୁ ଆଜି ଭେଟାଇଲା ।

ରାମକୃଷ୍ଣ ବେନି ଭାଇ ଯିବ ଯମପୁର

ଇଷ୍ଟ ଦେବତା ତୁମ୍ଭର ସୁମରଣା କର ।

ବ୍ରହ୍ମା ଶଙ୍କର ଯେତେକ ଛନ୍ତି ଦେବଗଣ

ବୈକୁଣ୍ଠ ତେଜି ଆସିବେ ଯେବେ ଭଗବାନ ।

ସେମାନେ ତୁମ୍ଭଙ୍କୁ କେହି ରଖି ନ ପାରିବେ

ସଥ୍ୟ ଏ କଥା ତୁମ୍ଭଙ୍କୁ ମାରିବି ମୁଁ ଏବେ ।

ଅକ୍ରୂର ଶୁଣିଣ ମନେ କରଇ ବିଚାର

ଆଜି ନିଶ୍ଚେ ଅଜ୍ଞାନ ହୋଇଲା କଂସାସୁର ।

ମୋତେ ନ ଚିହ୍ନିଲା ମୋର ପୁତ୍ରକୁ ନ ଚିହ୍ନି

ବୋଲୁଅଛି ଏହି ରାମକୃଷ୍ଣ ଭାଇ ବେନି ।

ଭ୍ରମ ହେଲା ଚିତ୍ତ ତୋର ନ ଚିହ୍ନେ କାହାକୁ

ମାରିବି ବୋଲି ଗର୍ଜ୍ଜନ କରୁଛୁ ଆମ୍ଭଙ୍କୁ ।

ଜାଣିଲି ମୁଁ କୃଷ୍ଣ ନେବେ ଏହାର ଜୀବନ

ମଲାବେଳେ କଂସାସୁର କରେ କେଡ଼େ ଟାଣ

ଉଠିଲେ ମାରିବ ପଡ଼ିଥିଲେ ନାହିଁ କାର୍ଯ୍ୟ

ପିତା ପୁତ୍ରକୁ ମାରିବ ବୋଲୁଅଛି ଆଜ ।

ପିତା ପୁତ୍ର ଦୁହେଁ ଆଜ ଆମ୍ଭେ ଗଲୁ ନାଶ

ଅଜ୍ଞାନରେ ଅନ୍ଧ ହୋଇଅଛି ରାଜା କଂସ ।

ଧୀରେ ଧୀରେ ଅକ୍ରୂର ତା ପୁତ୍ରକୁ ବୋଲଇ

ନ ଉଠିବୁ ପୁତ୍ର କଂସ ହୋଇଅଛି ବାଇ ।

ଉଠିଲେ ମାରିବ ନିଶ୍ଚେ କାହିଁୟା ବିଚାର

ଶ୍ରୀକୃଷ୍ଣ ପେଶିବେ ୟାକୁ ଆଜି ଯମପୁର ।

କଂସ ପାଦତଳେ ପଡ଼ି ଥାଅରେ ନନ୍ଦନ

ପାରିବୁ ଯେବେ କୃଷ୍ଣଙ୍କୁ ମନେକର ଧ୍ୟାନ ।

ଏମନ୍ତ କଥା ଅକ୍ରୂର ପୁତ୍ରକୁ ବୋଇଲା

ଅନ୍ତର୍ଗତେ ଶ୍ରୀକୃଷ୍ଣଙ୍କ ନାମ ସେ କରିଲା ।

ବୋଇଲା ଭୋ ପ୍ରଭୁ ତୁମ୍ଭେ ଜଗତ ଜୀବନ

ମୁଁ ତୁମ୍ଭ ଦାସର ଦାସ ପଶୁଛି ଶରଣ ।

ତୁ ଦୟାସାଗର ମୋତେ ବାରେ ଦୟାକର

ପିତାପୁତ୍ର ଦୁହିଙ୍କି ଯେ ମାରେ କଂସାସୁର ।

ନ ରଖିଲେ ଭାବଗ୍ରାହୀ ଗଲୁ ଏବେ ସରି

ବିନା ଦୋଷରେ ଆମ୍ଭଙ୍କୁ ପକାଉଛି ମାରି ।

ଆମ୍ଭ ଦୁହିଁଙ୍କୁ ରକ୍ଷାକର ହେ ଲକ୍ଷ୍ମୀସାଇଁ

ତୁମ୍ଭେ ନ ରଖିଲେ ନାଶଗଲୁ ଭାବଗ୍ରାହୀ ।

ଅଜ୍ଞାନେ ରହିଛି କଂସ ତାର ଜ୍ଞାନ ନାହିଁ

ନିରନ୍ତରେ ତବ ପାଦେ ମନ୍ଦ ସେ ପାଞ୍ଚଇ ।

ମୋତେ ଆଜ୍ଞାଦେଲା ରାମକୃଷ୍ଣ ଗୋପୁ ଆଣ

ଏବେ ତୋ ଆସିବା ଶୁଣି ହେଲା ଛନ୍ନଛନ୍ନ ।

ତୋଟାଳିଆ ଆସି କଂସ ଆଗରେ କହିଲା

ତୁମ୍ଭ ଆସିବା ସମ୍ବାଦ ସେହି ଯେ ଶୁଣିଲା ।

ଆହେ ଭାବଗ୍ରାହୀ ମୋତେ ମଥୁରା ପେଶିଲୁ

କଂସକୁ ବାରତା କହ ଯାଇ ତୁ ବୋଇଲୁ ।

ତବ ଆଜ୍ଞା ଶୁଣି କଂସ ଛାମୁକୁ ଅଇଲି

କଂସ ରାଜାଙ୍କୁ କହିବୁ ଦ୍ଵାରୀକୁ ବୋଇଲି ।

ଦ୍ଵାରୀ ମୁଖୁ ଶୁଣି କଂସ ହୋଇଲା ବାହାର

ରାମକୃଷ୍ଣ ବୋଲି ଛେଦୁଅଛି ଆମ୍ଭ ଶିର ।

ନ ଚିହ୍ନେ ଆମ୍ଭଙ୍କୁ ଚିତ୍ତେ ଜ୍ଞାନ ନାହିଁ ତାର

କଂସକୁ ଦେଖିଣ ପାଦେ ପଡ଼ିଲି ତାହାର ।

ମୋ ଉପରେ ଯହୁଁ କ୍ରୋଧ କରିଲା ରାଜନ

ଭୟ କଂସପାଦେ ମୋର ପଡ଼ିଲା ନନ୍ଦନ ।

ଦେହେ ଜ୍ଞାନ ନାହିଁ ତାର ହୋଇ ମତିଭ୍ରମ

ଆମ୍ଭଙ୍କୁ ବୋଲୁଛି ସେହି କୃଷ୍ଣ ବଳରାମ ।

ଏତେ ବୋଲି କଂସରାୟ ଖଣ୍ଡା ଝମକାଏ

ଏ କଷ୍ଟୁ ଆମ୍ଭଙ୍କୁ ଏବେ ରଖ ଦେବରାୟେ ।

ପୁତ୍ରକୁ ନ ମାରୁ ମୋତେ ମାରୁ ପଛେ କଂସ

ତୁମ୍ଭର ପାଦେ ଶରଣ ରଖ ପୀତବାସ ।

ଅକ୍ରୂର ଚିନ୍ତିଲା ଯହୁଁ ମନେ ନାରାୟଣ

ଅନ୍ତର୍ଯ୍ୟାମୀ ନାଥ ଜାଣି ଅକ୍ରୂରର ମନ ।

ଉଗ୍ରସେନ ହୃଦୟରେ ଆସି ବିଜେ କଲେ

କଂସର ଗର୍ବ ଦେଖିଣ ଉଗ୍ରସେନ ବୋଲେ ।

ଅଜ୍ଞାନରେ କଂସ ହୋଇଅଛି ବିହ୍ୱଳିତ

ନ ଚିହ୍ନଇ ଅକ୍ରୂରକୁ ଚଞ୍ଚଳ ତା ଚିତ୍ତ ।

କ୍ରୋଧଭରେ ଅକ୍ରୂରକୁ ଖଣ୍ଡା ଝମକାଇ

ବୋଲଇ ଉଠରେ ରାମକୃଷ୍ଣ ବେନିଭାଇ ।

ଦେବକୀ ଗର୍ଭରୁ କୃଷ୍ଣ ହୋଇଅଛି ଜାତ

ଦେଖିବ ଦେବକୀ ଆଜ ଯିବୁ ଯମପଥ ।

ବକା ଅଘା ଆଦି ଯେତେ ଗଲେ ଗୋପପୁର

ମାଇଲୁ ଶ୍ରୀକୃଷ୍ଣ ତୁହି ଭରସା ମୋହର ।

ପୁତନା ମାରି ତୁହି ତୋ ହୃଦେ ନାହିଁ ଭୟ

ଏବେ ତୋର ମରଣକୁ ଦେଖୁ ତାଙ୍କ ପୁଅ ।

ତୋହର ମରଣେ ତାଙ୍କ ମନ ହେଉ ତୋଷ

ତାଙ୍କ ପିତା ଶତ୍ରୁ ତୁହି ହୋଇବୁ ନାଶ ।

ହରଷ ହୋଇବ ତୁମ୍ଭ ମରଣକୁ ଦେଖି

ଆଜହୁଁ ମଥୁରା ନରନାରୀ ହେବେ ସୁଖୀ ।

ପାଦେ ପଡ଼ିଲେ ମୁଁ ଆଜ ଛାଡ଼ିବି କି ତୋତେ

ଏହି କଥା ମନେ କିରେ କରିଛୁ ପରତେ ।

ଉଠି ଆରେ ରାମ କୃଷ୍ଣ ନ ହୁଅ ନିସତ

ମାରିବି ତୁମ୍ଭଙ୍କୁ ଆଜ କରିଛି ମୁଁ ସତ୍ୟ ।

ଦେବକୀ ଅଷ୍ଟମ ଗର୍ଭ ଅଟେ ମୋ ବଇରୀ

ପାଦେ ପଡ଼ିଲେ ତୋତେ କି ଛାଡ଼ିବି ନ ମାରି ।

କପଟ କରିଣ ତୋତେ ବସୁଦେବ ନେଲା

ଗୋପପୁରେ ନନ୍ଦ ଘରେ ଲୁଚାଇ ରଖୁଲା ।

ନନ୍ଦ ଯଶୋମତୀ ତୋତେ ଥିଲେ ପ୍ରତିପାଳି

ଅଷ୍ଟମ ବରଷେ କାଳ ପୂରିଲା ତୋହରି ।

ସର ଲବଣୀ ଖାଇ ତୁ ହୋଇଅଛୁ ମୋଟ

ମୋର ହାତେ ତୋର ଆଜି ହେବ ମୁଣ୍ଡକାଟ ।

ଏମନ୍ତ ବୋଲିଣ କଂସ ପ୍ରଜ୍ଜ୍ୱଳିତ ହେଲା

ଆରକ୍ତ ବର୍ଣ୍ଣ ତାହାର ନୟନ ଦିଶିଲା ।

ଫରଫର ନିଶ ଦାଢ଼ି ଉଡ଼ଇ ତାହାର

ବୋଲେ ଯେତେ ଅଛ ମଧୁପୁର ନାରୀନର ।

ଅନ୍ତଃପୁର ନାରୀଗଣ ଯେତେ ଅଛି ରହି

ମନ୍ତ୍ରୀମାନେ ସକଳ ହେ ଥାଅ ସାକ୍ଷୀ ହୋଇ

ବସୁଦେବ ଦେବ ବୀର ସୋଦର ଯେ ଅଛ

ଉଗ୍ରସେନ ତାତ ମୋର ଦେଖ ଯେ ପ୍ରତ୍ୟକ୍ଷ ।

ଉଠାଇଲି ତାହାଙ୍କୁ ମୁଁ ନ ଉଠିଲେ ବେନି

ପାଦେ ପଡ଼ିଥାନ୍ତୁ ଏବେ ପକାଇବି ହାଣି ।

ମୋ ପାଦତଳେ ପୁରିଲା ଏହାଙ୍କର କାଳ

ସାକ୍ଷୀ ଥାଅ ତୁମ୍ଭେମାନେ ଦଶଦିଗପାଳ ।

ଏତେ ବୋଲି ଖଣ୍ଡା ଝମକାଇ ଧରି କଂସ

ବାମକରେ ଧରିଲା ଯେ ଅକ୍ରୂରର କେଶ ।

ଦେଖି ମଧୁନରନାରୀ ହାହାକାର କଲେ

ଅକ୍ରୂରକୁ କଂସ କିମ୍ପା ମାରୁଛି ବୋଇଲେ ।

କୃଷ୍ଣ ବୋଲି ଅକ୍ରୂରର ଧରିଅଛି ବାଳ

ପିତା ପୁତ୍ରଙ୍କର ଶିର କାଟିବ ଏ ଖଳ ।

ଅଦୋଷୀ ଅଟନ୍ତି କିଛି ଦୋଷତାଙ୍କ ନାହିଁ

ବାଇ ହୋଇ ତାଙ୍କ ଶିର କାଟେ ଭୋଜସାଇଁ

କେ ବୋଲଇ ମନ୍ତ୍ରୀ କିମ୍ପା ଦେଖନ୍ତି ନୟନ

ବାରଣ କରନ୍ତି ନାହିଁ କିମ୍ପାଇଁ ରାଜନ ।

ରାଜପାଟ ମହାଦେଈ ନ କହେ ରାଜାକୁ

ବିନାଦୋଷେ କାହିଁପାଇଁ ମାରେ ଅକ୍ରୂରକୁ ।

ଅଦୋଷୀ ମାରି ଜୀବନ ରାଜା କେତେଦିନ

ରାଜାହେଲେ କେହ୍ନେ ତାକୁପାର ଯିବ ପୁଣ ।

କେ ବୋଲଇ ଉଗ୍ରସେନ ରାଜା ହୋଇଥିଲୁ

ଏଡ଼େ ଅନ୍ୟାୟ ତୋହର କେବେ ନ ଦେଖିଲୁ ।

ଦେଖ ଦେଖ ଏବେ ତୋର ଧର୍ମ ଗଲା ନାଶ

ବିନାଦୋଷେ ଅକ୍ରୂରକୁ କରୁଅଛି ନାଶ ।

ଧିକ ତୁମ୍ଭର ଜୀବନ ଧିକ୍‌କ ଜନ୍ମ ଆଉ

ତୁମ୍ଭେ ଥାଉଁ ମଧୁପୁର ଅନାସ୍ଥା ଆଜହୁଁ ।

ଏ ଦୁଷ୍ଟ କଂସକୁ ଯାହା କରିଛି ରାଜନ

ରାଜ୍ୟଭାର ଦେଇ ତାକୁ ହୋଇଲା ମଉନ ।

ମଧୁନାରୀମାନେ ଏବେ ହୋଇଲେ ବିକଳ

ଦେଖିଣ ନ ଛାଡ଼େ କଂସ ଅକ୍ରୂରର ବାଳ ।

ନଗ୍ରନାରୀଙ୍କ ବଚନ ଶୁଣି ଉଗ୍ରସେନ

ବିଚାରେ ମନେ କଂସର ହୋଇଲା ମରଣ ।

ଯେବଣ କରରେ ଖଣ୍ଡା ଧରିଛି ରାଜନ

ସେ ହସ୍ତ ଧରିଲା ଯାଇ ଶୀଘ୍ର ଉଗ୍ରସେନ ।

କିରେ କିରେ କଂସ ବାଇହୋଇଲୁ ବୋଇଲା

ଆଜି କିରେ ଧାତାଆସି ତୋତେ ବାମହେଲା

କିରେ କଂସ ତୋର ମୁଣ୍ଡେ ଭୂତ ଲାଗିଅଛି

କିଅବା ବ୍ରହ୍ମରାକ୍ଷସ ତୋ ମୁଣ୍ଡେ ବସିଛି ।

ବିଧାତା ଆଜି କି ତୋତେ ହୋଇଅଛି ବାମ

ଜ୍ଞାନ ନାଶ ହେଲା ତେଣୁ ହେଲୁ ମତିଭ୍ରମ ।

ବେନିଚକ୍ଷୁ ଥାଉଁ କିରେ ହୋଇଅଛୁ କଣା

ଦେଖୁ ଦେଖୁ ବାଟ ତୁରେ ହେଉଅଛୁ ବଣା ।

ତୋର ବୋଲେ ଅକ୍ରୂର ଯେ ଗୋପପୁରଗଲା

ରାମକୃଷ୍ଣ ଆଣି ମଧୁବନରେ ରଖିଲା ।

କୃଷ୍ଣର ସନ୍ଦେଶ ତୋତେ ଆସିଲାକ କହି

ଦ୍ୱାରୀକୁ ପେଶିଲା ତୋର ସମ୍ବାଦ ଦିଆଇ ।

ଦ୍ଵାରୀ ମୁଖରୁ ଶୁଣିଣ ଆସିଲୁ ତୁରିତ

ଅକ୍ରୂର ଦେଖିଣ ତୋତେ ଯୋଡ଼ି ବେନି ହସ୍ତ ।

ତୋର ପାଦତଳେ ପଡ଼ି କରୁଛି ଦର୍ଶନ

ପୁତ୍ରକୁ ଧରି ଅକ୍ରୂର ପଡ଼ିଛି ଚରଣ ।

ବୁଦ୍ଧି କେଣେ ଗଲା ତୋର ତାକୁ ନଚିହ୍ନିଲୁ

ଅକ୍ରୂର ପୁତ୍ରକୁ ରାମକୃଷ୍ଣ ତୁ ମଣିଲୁ ।

ଦିଗବିଜେ କରି ସ୍ୱର୍ଗ ଆଦି ପୁର ତିନି

ବୁଦ୍ଧି ବଳରେ କଂସ ତୁ ଦେବଗଣ ଜିଣି ।

ଏବେ ସେହି ବୁଦ୍ଧି ତୋର କେଉଁଆଡ଼େ ଗଲା

ବାଇ ହେଲୁ କଂସ ଏବେ ତୋ ବୁଦ୍ଧି ଭ୍ରମିଲା ।

ତେଣୁ ସେ ଅକ୍ରୂର ଗୋପପୁର ଯାଇଥିଲା ।

ଶ୍ରୀକୃଷ୍ଣ ସନ୍ତୋଷ ତାକୁ ବିଷ୍ଣୁ ତେଜ ଦେଲା ।

ସେ ତେଜକୁ ବାଇ ଯେବେ କୃଷ୍ଣକୁ ଦେଖିବୁ

ଖଣ୍ଡା ତୋହର ହସ୍ତରୁ ଝଡ଼ିବ ମରିବୁ ।

ଦୁର୍ଗା କହିଗଲେ ଯାହା ତାହା ପାସୋରିଲୁ

ନାରଦ କହିବା କଥା କର୍ଣ୍ଣେ ନ ଶୁଣିଲୁ ।

ଦେବକୀ ଅଷ୍ଟମ ଗର୍ଭେ ହେବ ଯେଉଁ ସୁତ

ତାହାର ହସ୍ତରେ ତୁହି ହେବୁପ୍ରାଣେ ହତ ।

ଏବେ ଦେବକୀ ଅଷ୍ଟମ ଗର୍ଭର ନନ୍ଦନ

ଅଷ୍ଟମ ବରଷ ଏବେ ହୋଇଛି ସମ୍ପୂର୍ଣ୍ଣ ।

ଏ ତୋତେ ମନ୍ଦ ବୁଦ୍ଧି ଦେଲାରେ ଶିଖାଇ

ଗାପରୁ ଶ୍ରୀକୃଷ୍ଣ କିମ୍ବା ଆଣିଲୁ ଡକାଇ ।

ପାଷାଣ ଫିଙ୍ଗି କିମ୍ପାଇଁ ପାତିଲୁ ତୁ ଶିର

ଜଳନ୍ତା ଅନଳ କଲୁ ମୁଖରେ ଆହାର ।

ଏବେ ଏକ ବୁଦ୍ଧିଅଛି ଶୁଣରେ ରାଜନ

ଅକ୍ରୂରଠାରେ ପ୍ରୀତି ତୁ କରିହେ ବହନ ।

କୃଷ୍ଣଙ୍କୁ ମଧୁବନୁ ଫେରାଇ ସେ ନେବ

ଅମର ହୋଇବୁ କଲେ କୃଷ୍ଣେ ପ୍ରୀତିଭାବ ।

ମୁହିଁ ଅଟେ ତୋର ତାତ ମୋର ବୋଲକର

ଏହି ମଧୁପୁର କଂସ ଅନାଥ ନକର ।

ଶ୍ରୀକୃଷ୍ଣ ପାଶେ ଶରଣ ଏବେ ପଶ ଯାଇ

ରଖିବେ ଶରଣ ଗଲେ ତୋତେ ଭାବଗ୍ରାହୀ ।

ଶରଣ ପଞ୍ଜର ବାନା ଅଟଇ ତାହାର

ଯେ ଭାବଇ ହୃଦୟରେ ତାହାର ପୟର ।

ହେତିପ୍ରହେତି ଯେତେକ ମୋର ବଧୂଗଣ

ତୋରବିନା ଅନାଥ ସେ ହେବେ ନିଶ୍ଚେ ଜାଣ ।

ମଥୁରାର ନରନାରୀ ଯେତେକ ଅଛନ୍ତି

ତୋ ବିନା ଅନାଥ ସେହୁ ହୋଇବେ ନୃପତି ।

ଛାଡ଼ ମନୁ କ୍ରୋଧ ଆଉ ନୁହ ହତଜ୍ଞାନ

ଅଜ୍ଞାନ ନହୋଇ ତୁହି ସ୍ଥିର କର ମନ ।

ଉଗ୍ରସେନର ବଚନ ଶୁଣି ଯେ ରାଜନ

ଏକଥା ଶୁଣିଲେ ମଧ୍ୟ ଗୋପପୁର ଜନ ।

ଶୁଣିଣ ଏକଥା କଂସ କ୍ରୋଧ ଦୂର କଲା

ମଉନ ହୋଇ ରହିଲା ଦୃମିଳାର ବଳା ।

ଯହୁଁ ଉଗ୍ରସେନ କଥା ହୃଦରେ ପଶିଲା

ଅଜ୍ଞାନ ଯାଇଣ ସଦଜ୍ଞାନ ପ୍ରକାଶିଲା ।

ଚିତ୍ତଭ୍ରମ ଗଲା ତାର ଜ୍ଞାନ ହେଲା ଜାତ

ଚଉଦିଗକୁ ଚାହିଁଣ ହୋଇଲା ଚକିତ ।

ସ୍ଵପନ ପରାୟେ କଂସ ସବୁ ପାସୋରିଲା

ଶଙ୍ଖଧ୍ୱନି ବାଦ୍ୟ ଯହୁଁ କରେ ଶୁଣିଲା ।

ଦେଖିଲାକ ମଧୁପୁର ନରନାରୀ ଯେତେ

ଅନ୍ତଃପୁର ନାରୀମାନେ ଅଛନ୍ତି ସମସ୍ତେ ।

ଦେଖୁଛନ୍ତି ମନ୍ତ୍ରୀମାନେ କଂସକୁ ସମସ୍ତେ

ଅକ୍ରୂରର ସୁତ ପଡ଼ିଅଛି କଂସ ପାଦେ ।

ଅକ୍ରୂର କେଶକୁ ଧରିଅଛି ବାମକରେ

ଦକ୍ଷିଣ କରେ ଧରିଛି ଖଣ୍ଡା କୋପଭରେ ।

ସମ୍ମୁଖରେ ଉଗ୍ରସେନ ଅଛି ଉଭା ହୋଇ

ବନ୍ଦୀହୋଇ ବସୁଦେବ ଦେବକୀ ଅଛଇ ।

ଉଗ୍ରସେନକୁ ଚାହିଁଣ ବୋଲଇ କାତରେ

କାହିଁପାଇଁ ନଗ୍ରଯାକ ଅଛନ୍ତି ଏଠାରେ ।

କାହିଁପାଇଁ ବାଦ୍ୟଶଙ୍ଖ ବାଜେ ଘନ ଘନ

କାହିଁପାଇଁଛନ୍ତି ଅନ୍ତଃପୁର ନାରୀଗଣ ।

କାହିଁକି ମନ୍ତ୍ରୀମାନେ ଛନ୍ତି ମୌନ ହୋଇ

ହୁଳହୁଳି କିମ୍ପା ମଧୁପୁରରେ ପଡ଼ଇ ।

କଂସର ବଚନ ଶୁଣି କହେ ଉଗ୍ରସେନ

ହୋଇଲୁଣି ଚିତ୍ତଭ୍ରମ ତୁହିରେ ଅଜ୍ଞାନ ।

ତୋହର ଆଜ୍ଞାରେ ସର୍ବେ ହୋଇଛନ୍ତି ଠୁଳ

ଦେଖ ଅଜ୍ଞାନେ କାହାର ଧରିଅଛୁ ବାଳ ।

ଉଗ୍ରସେନ ବଚନରେ ହେତୁ ହୋଇ କଂସ

ଅକ୍ରୂରର ମୁଖଦେଖି ଛାଡ଼ିଦେଲା କେଶ ।

କୋଳାଗ୍ରତେ ଅକ୍ରୂରକୁ ଆଲିଙ୍ଗନ କଲା

ମନଦୁଃଖ ନକର ତୁ ବୋଲିଣ ବୋଇଲା ।

ଆଶ୍ଵାସ ବଚନ ତାକୁ ଅନେକ କହିଲା

ଅକ୍ରୂର ପୁତ୍ରକୁ ପାଦତଳୁ ଉଠାଇଲା ।

ମୁଖେ ଚୁମ୍ବ ଦେଇକରି ଦେହ ଆଉଁଷଇ

ବୋଇଲା କିମ୍ପାଇଁ ମୋର ପାଦେଥିଲୁ ଶୋଇ ।

ପୁଣି କହିଲାରେ ସୁତ ମନ୍ଦବୁଦ୍ଧି କଲି

ତୁହି ମୋର ପୁତ୍ର ତୋତେ ପାପ ମୁଁ ଚିନ୍ତିଲି ।

ଖଣ୍ଡାଧରି ତୋତେ ମୁହଁ ମାରୁଥିଲି ବଳା

ତୋର ହୃଦ ମୋତେ କୃଷ୍ଣ ପ୍ରାୟେକ ଦିଶିଲା ।

ତୁହି ରାମ ପ୍ରାୟେ ମୋତେ ଦିଶିଲୁ ନନ୍ଦନ

ମତିଭ୍ରମ ହେଲା ମୋର ହୋଇଲି ଅଜ୍ଞାନ ।

ମୋ ତାତ କହିବାମାତ୍ରେ ପାଇଲି ଚେତନା

ମୋର ଦୋଷ ନ ଧରିବୁ ତୁ ମୋ ବାପସିନା

ନିଜର ଘରକୁ ତୋର ଯାଅରେ ନନ୍ଦନ

ମାତା କାନ୍ଦୁଥିବ ତୋର ଧ୍ୟାୟି ଗୁଣମାନ ।

ଅକ୍ରୂରର କର ଧରି ବୋଲଇ ରାଜନ

ବୋଲଇ ଅକ୍ରୂର ତୁହି ଶୁଣ ମୋ ବଚନ ।

କାହିଁପାଇଁ ଚିତ୍ତଭ୍ରମ ଆଜି ମୋ ହୋଇଲା ।

କେଜାଣି ବିଧାତା ମୋତେ କେଉଁବୁଦ୍ଧି ଦେଲା

ଦିଶିଲୁ ଦେବକୀ ସୁତ ପ୍ରାୟ ତୁହି ମୋତେ

ତେଣୁକରି ହୃଦେଭୟ ହେଲା ମୋର ତୋତେ ।

ପୁଣି ସେହୁ ନଗରର ନାରୀଙ୍କୁ ଦେଖିଲା

ଯେ ଯାହା ଘରକୁ ତୁମ୍ଭେଯାଅଗୋ ବୋଇଲା ।

ଶୁଣି ଅନ୍ତଃପୁର ନାରୀଗଲେ ଅପସରି

ମନ୍ତ୍ରୀମାନେ ତହୁଁ ଗଲେ ମନେ ଭୟକରି ।

ଉଗ୍ରସେନକୁ ଚାହିଁଣ ବୋଲଇ ରାଜନ

ନନ୍ଦ ରାମ କୃଷ୍ଣ ତିନି ଛନ୍ତି ମଧୁବନ ।

ଭଣ୍ଡାରରୁ ସଞ୍ଚାମାନ ବେଗେ ତାଙ୍କୁ ଦିଅ

ସନ୍ତୋଷ ହେବେ ଖାଇଲେ ଗୋପପୁର ପୁଅ ।

ଏତେ କହି ଅକ୍ରୂରର କର ଧରି କଂସ

ଅନ୍ତଃପୁର ମଧ୍ୟେ ଯାଇ ହୋଇଲା ପ୍ରବେଶ ।

ରାଜଭୋଗ୍ୟ ଅଳଙ୍କାର ମାନ ସେ ଆଣିଲା

ଅକ୍ରୂର ଅଙ୍ଗରେ ନେଇ ଆଭରଣ କଲା ।

ଦେବାଙ୍ଗ ବସନ କଂସ ପିନ୍ଧାଇଲା ନେଇ

ଅଷ୍ଟରତ୍ନରେ ମଣ୍ଡିଲା ଅକ୍ରୂରର ଦେହୀ ।

କର୍ପୂର କସ୍ତୁରୀ ତାର ଅଙ୍ଗରେ ବୋଳିଲା

ସୁବାସିତ ପୁଷ୍ପମାଳ କଣ୍ଠେ ଲମ୍ବାଇଲା ।

ହେତି ପ୍ରହେତିକି କଂସ କହଇ ବଚନ

ଅକ୍ରୂରର ପାଦେ ସେବ ଯେତେ ନାରୀଗଣ ।

ହଂସକ ଡିମ୍ବକ ପୁଣି ପୁତ୍ର କର ଧରି

ଅକ୍ରୂର ହସ୍ତରେ କଂସ ସମର୍ପଣ କରି ।

ବେନିକର ଯୋଡ଼ି ନିଜେ ଆଗେ ଉଭା ହେଲା

ତାହା ଦେଖି ଅକ୍ରୂରର ଭୟ ଉପୁଜିଲା ।

ବୋଇଲା ରାଜନ ତୁହି ହୋଇଲୁ କି ବାଇ

ଅନୀତି କଥାମାନ ତୁ କରୁଛୁ କିମ୍ପାଇଁ ।

ନ କରିବି ଯେବେ ମୁହିଁ ଯାହା ଆଜ୍ଞା ଦେବୁ

ତୋର ଭୃତ୍ୟ ସିନା ମୁହିଁ ଦଣ୍ଡ ତୁ ବିହିବୁ ।

ଯେବେ ତୁହି ରାଜା ହୋଇ ଯୋଡୁ ବେନିକର

ଜାଣିଲି ପେଶିବୁ ମୋତେ ନିଶ୍ଚେ ଯମପୁର ।

ଅକ୍ରୂର ବଚନ ଶୁଣି କହେ କଂସରାୟେ

ତୋତେ ସିନା ମୁହିଁ ଆଜି ମାଗୁଛି କଥାଏ ।

ମଧୁପୁରେ ଆଜିଠାରୁ ହେଲୁ ଯୁବରାଜ

ନିଶ୍ଚିନ୍ତରେ ଭୋଗକର ତୋତେ ଦେଲି ରାଜ୍ୟ

ହଂସକ ଡିମ୍ବକ ଯେତେ ରାଣୀ ଛନ୍ତି ମୋର

ମୋ ଭାବକୁ ଖଟିଥିବେ ତୋ ପାଦ ତଳର ।

ମଧୁପୁର ଜନ ପ୍ରଜା ଧନ ଆୟମାନ

ଆଜିଠାରୁ ତୋତେ ମୁହିଁ କଲି ସମର୍ପଣ ।

ଏତେ ବୋଲି କଂସ ରାଜା କହେ ନମ୍ର ହୋଇ

ଶୋକଭରେ ତା ନୟନୁ ଲୋତକ ଗଳଇ ।

ବୋଲଇ ଆଜହୁଁ କିଣା ହେଲି ମୁଁ ତୋହର

କାକୁସ୍ଥ ହୋଇଣ କଂସ ଯୋଡ଼ି ବେନିକର ।

ଅକ୍ରୂରକୁ ବୋଲେ କଥାଏ ମାଗୁଛି ତୋତେ

ମାଗିବି ମୁଁ ତୋତେଯାହା ତାହା ଦେବୁ ମୋତେ

କାହାକୁ କହିବୁ ନାହିଁ ମନେଥିବୁ ରଖି

ମାଗିବି ଦେବୁ ଏଥିକି ଧର୍ମ ଅଛି ସାକ୍ଷୀ ।

ସତ୍ୟକରି ଯେବେ ମୋର ପାଦକୁ ଛୁଇଁବୁ

ତେବେ ମୁଁ ମାଗିବି ମୋତେ ଆନ ନ କରିବୁ ।

ମୁହିଁ ଦୋଷ କଲି ତୋତେ ଯାହା ମାରୁଥିଲି

ଚିତ୍ତଭ୍ରମ ହେଲା ମୋର ଜାଣି ନ ପାରିଲି ।

ମୋହର ତାତ ସଚେତ କରାଇଲେ ଯହୁଁ

ଅଜ୍ଞାନ ମୋହର ଗଲା ଜ୍ଞାନ ଉଦେ ତହୁଁ ।

ସେହି କଥାମାନ ତୁହି ମନରେ ନ ଧର

ଆଜହୁଁ ଶରଣ ମୁହିଁ ଗଲି ତୋ ପୟର ।

ଅକ୍ରୂର ବୋଲେ ସମସ୍ତ ପାରେ ମୁହିଁ କରି

ରାମ କୃଷ୍ଣ ବେନିଭାଇ ନ ପାରିବି ମାରି ।

ଦେଖିଲୁ ତ ଯେତେ ଯେତେ ଦୂତ ପେଶିଥିଲୁ

କୃଷ୍ଣ ସଭିଙ୍କୁ ମାଇଲା ବାର୍ତ୍ତା ନ ପାଇଲୁ ।

ମୋତେ ବୋଇଲେ କୃଷ୍ଣଙ୍କୁ କର ପ୍ରାଣେନାଶ

ତୋଆଜ୍ଞାରେ ଆସିଲେ ମୋସଙ୍ଗେ ମଧୁଦେଶ

ସାକ୍ଷାତେ ବ୍ରହ୍ମ ଅଟନ୍ତି ସେହି ବେନିଭାଇ

ଆମ୍ଭେ ମାଇଲେ ତାଙ୍କର କେବେ ମୃତ୍ୟୁନୋହି ।

ଏ କଥାକୁ ଛାଡ଼ି ମୋତେ ମାଗ ତୁ ରାଜନ

ଦେବଇ ମାଗିବୁ ଯାହା ସତ୍ୟ ମୋ ବଚନ ।

ଅକ୍ରୂର ମୁଖରୁ କଂସ ଏ ବଚନ ଶୁଣି

ବୋଲଇ ଶୁଣ ଅକ୍ରୂର ମନ୍ତ୍ରୀ ଚୂଡ଼ାମଣି ।

ମୋର ଆଜ୍ଞା ଘେନି ତୁହି ଗୋପପୁର ଗଲୁ

ମଧୁବନେ ଆଣି ସେହି କୃଷ୍ଣଙ୍କୁ ରଖିଲୁ ।

ଭଲ କଥା କଲୁ ଭିତରକୁ ନ ଆଣିଲୁ

ଗଉଡ଼ଙ୍କ କଥା ଜାଣି ବାହାରେ ରଖିଲୁ ।

ହୁରି ଜୁରି କରନ୍ତେ ଯେ ପଶିଣ ନଗର

ଏବେ କଥାଏ ଅକ୍ରୂର ମୋର ବୋଲକର ।

ରତ୍ନ ବସନ ବହୁତ ଭଣ୍ଡାରରୁ ମୋର

ସୂପକାରମାନେ ବୋହି ନ୍ୟନ୍ତୁ ଉପହାର ।

ବତ୍ସା ଧେନୁମାନ ବୋଲି ନିଅ ତୁ ବହୁତ

ରାମ କୃଷ୍ଣ ଦେଇକରି ତୋଷକର ଚିତ୍ତ ।

ସବୁ ଗୋପାଳଙ୍କୁ ତୁହି ଦେବୁ ଅଳଙ୍କାର

ଯାହାକୁ ଯେମନ୍ତ ସଜ ଦିଶିବ ସୁନ୍ଦର ।

ଦେବାଙ୍ଗ ବସନ ନେଇ ତାଙ୍କୁ ପିନ୍ଧାଇବୁ

ବହୁତ ସର ଲବଣୀ ତାଙ୍କୁ ନେଇ ଦେବୁ ।

ଦଧିସର ଲବଣୀରେ ଗଉଡ଼େ ସନ୍ତୋଷ

ପୃଥୁଳା ଧେନୁ ଦେଖିଲେ ହୋଇଯିବେ ତୋଷ

ବୋଲିବ ରାଜା ତୁମ୍ଭଙ୍କୁ ହୋଇଲେ ହରଷ

ମୋର ଅଜ୍ଞାନେ ଆସି ଭାଙ୍ଗିଲେ ମଧୁଦେଶ ।

ଆଜୁ ଗୋପପୁର କର ନ ଦେବଟି କିଛି

ନିଶ୍ଚିନ୍ତରେ ଥାନ୍ତୁ ଗୋପେ ଦେବକୀର ବତ୍ସି ।

ଦେବକୀ ବସୁଦେବର ଚରଣ ଶାଙ୍କୋଳୀ ।

ଫିଟାଇ ଦେଉଛି ମୁହିଁ ନେଇ ବନମାଳୀ ।

କହିବୁ ଗୋପକୁ କଂସ ପେଶିଥିଲା ଦୂତ

ଗୋପୀମାନେ ବାର୍ତ୍ତାଦେଲେ ମୋପାଶେ ଏମନ୍ତ

ଶ୍ରୀକୃଷ୍ଣଙ୍କୁ ବାହୁଡ଼ାଇ ଦେବେ ରାୟ କଂସ

ନହେଲେ ସ୍ତ୍ରୀହତ୍ୟା ନେବେ ହୋଇବୁ ବିନାଶ

ତେଣୁ କଂସରାଜା ଯେ କ୍ରୋଧକୁ କଲେ ଦୂର

ତୁମ୍ଭେ ଗୋପେ ଫେରିଯାଅ ବୋଲିଛନ୍ତି ଗୀର

ବୋଇଲା ରହୁବରରେ ରାମକୃଷ୍ଣ ନେବୁ

ଗୋପରେ ଯଶୋଦାଗୋପୀ ଆଗରେତୁ ଦେବୁ

ବସୁଦେବ ଦେବକୀକୁ ନେବୁ ସଙ୍ଗତର

ବିଶ୍ଵାସ କରିଛି କୃଷ୍ଣ ତୋତେରେ ଅକ୍ରୂର ।

ଯେତେ ଦୂତ ଗଲେ ଗୋପେ ସମସ୍ତ ମାଇଲା

ତୋର କଥା ସତ କରି ଯେ ସିନା ଆସିଲା ।

ଅନେକ ପ୍ରକାର କହି କୃଷ୍ଣ ଫେରାଇବୁ

ନ ଜାଣିବେ କୃଷ୍ଣ ଯେଉଁପରି ତୁ କରିବୁ ।

ତୁହି ହୋ ଅକ୍ରୂର ମୋତେ ଉପକାର କର

ଯେମନ୍ତେ ଫେରିବେ ରାମକୃଷ୍ଣ ଗୋପପୁର ।

ଯାହା କହିଥିଲେ ଦୁର୍ଗା ହେଲା ତା ଘଟଣ

କୃଷ୍ଣଙ୍କୁ ବରଷ ଅଷ୍ଟ ହୋଇଛି ସମ୍ପୂର୍ଣ୍ଣ ।

ଯେବେ ଗୋପପୁର ଆଜ କୃଷ୍ଣ ଫେରିଯିବେ

ଅଷ୍ଟମ ବରଷ ଗଲେ ମୋତେ ସେ ମାରିବେ ।

ଗୋପପୁରେ ଆଉ ଦୂତ ପଠାଇବି ନାହିଁ

କାହିଁପାଇଁ ମଧୁପୁର ଆସିବେ ସେ ଧାଇଁ ।

କାହିଁପାଇଁ ସେହି ମୋତେ କରିବେଟି ନାଶ

କୃଷ୍ଣଙ୍କୁ ଆଜହୁଁ ମୁହିଁ କରିବି ବିଶ୍ୱାସ ।

ଅପ୍ରେତଚ ରଷି ଶାପ ଦେଇଛନ୍ତି ସିନା

ଗୋପକୁ ଗଲେ ମୋହର ଫାଟିବ ମୂର୍ଦ୍ଧନା ।

ଶ୍ରୀକୃଷ୍ଣଙ୍କୁ ମଧୁପୁର ଆଉ ନ ଡାକିବି

ଗଉଡ଼ଙ୍କ ସଙ୍ଗେ ମୁହିଁ ପ୍ରୀତି ବଢ଼ାଇବି ।

ଯେମନ୍ତ ଶ୍ରୀକୃଷ୍ଣ ଆଦି ଗୋପକୁ ଫେରିବ

ତେମନ୍ତ କଥା ଅକ୍ରୂର ତୁମ୍ଭେଟି କରିବ ।

ସେହି ଭାବ କହି କଂସ ଅକ୍ରୂରକୁ କହି

କଂସର ବଚନ ଶୁଣି ଅକ୍ରୂର ଭାବଇ ।

ଶ୍ରୀକୃଷ୍ଣଙ୍କୁ ଫେରାଇଲେ ନ ଫେରିବେ ସେହି

ଶୂନ୍ୟେ ଦୈବବାଣୀ ମୁହିଁ କର୍ଣ୍ଣେ ଶୁଣିଛଇଁ ।

ଦେବଙ୍କୁ ଅସୁରେ ଯହୁଁ କରିଲେ ଆକ୍ରାନ୍ତ

ତହୁଁ ନରଦେହେ ବିଷ୍ଣୁ ହୋଇଛନ୍ତି ଜାତ ।

ମାରିବେ ଅସୁରକୁଳ ତାରି ଭକ୍ତଜନ

କେମନ୍ତେ ଫେରିବେ କୃଷ୍ଣ ମୋ କଥାରେ ପୁଣା

କୃଷ୍ଣ କହିଛନ୍ତି କାଲି କଂସକୁ ମାରିବି

ମୋ ପିତା ଚରଣୁ ମୁହିଁ ଶାଙ୍କୋଳୀ ଫେଡ଼ିବି ।

ଉଗ୍ରସେନକୁ ଏଠାରେ କରିବି ନୃପତି

ଏମନ୍ତ ବୋଲିଣ କୃଷ୍ଣ ମୋତେ କହିଛନ୍ତି ।

କଂସେ ଭୟ କରି ପୁଣି କହଇ ଅକ୍ରୂର

କଥାଏ କହିବି ମୁହିଁ ଶୁଣ ନୃପବର ।

ଶରଣ ପଞ୍ଜର ବାନା କୃଷ୍ଣର ଅଟଇ

ମୋ ବୋଲେ ଶରଣ ପଶ ଆହେ ଭୋଜସାଇଁ

ଶରଣ ପଶିଲେ ତୋର ନାହିଁ ଭୟ ଭ୍ରାନ୍ତି

ମଧୁପୁରେ ନିଶ୍ଚିନ୍ତରେ ଥିବ ହେ ନୃପତି

ଶ୍ରୀକୃଷ୍ଣ ଯାହା ବୋଲିବେ ତାହା ତୁ କରିବୁ

ତେବେ ସିନା କୃଷ୍ଣଙ୍କୁ ତୁ ଫେରାଇ ପାରିବୁ ।

ତେବେ ସିନା ତୋତେ କରିପାରିବେ ଅମର

ମନୁ କ୍ରୋଧ ଛାଡ଼ି ତୁହି ମୋର ବୋଲ କର ।

ଜାଣୁ ଜାଣୁ ଅନଳରେ ନ ପଶ ଧସାଇ

ଶରଣ ପଶିଲେ କୃଷ୍ଣ ରହିବେଟି ନାହିଁ ।

ସେ କୃଷ୍ଣ ଭକ୍ତବତ୍ସଳ ଜାଣନ୍ତି ସକଳେ

ଦ୍ରୋହ ଅରଜିଛୁ ଆମ୍ଭେ ତାହାର ପାଶରେ ।

ଅକ୍ରୂର ବଚନ ଶୁଣି କଂସ ପ୍ରଜ୍ୱଳିତ

କ୍ରୋଧେ ଥରହର ତନୁ ଆରକ୍ତ ତା ନେତ୍ର ।

ନିଶ ଫରଫର ଉଡ଼େ ତାର କ୍ରୋଧଭରେ

ଖଣ୍ଡା ଝମକାଇ ସେହୁ ରେରେକାର କରେ ।

ବୋଇଲା ଅକ୍ରୂର ଆରେ ପ୍ରତାପ ମୋ ଦେଖ

ମାରିବି ରାମକୃଷ୍ଣଙ୍କୁ ପାରିଲେ ତୁ ରଖ ।

କହିଲି କୃଷ୍ଣଙ୍କୁ ତୁହିଁ ଫେରା ଗୋପପୁର

ତୁ ବୋଲୁଶରଣ ପଶ କୃଷ୍ଣର ପୟର ।

ଜିଣିଲି ପାତାଳ ମଞ୍ଚ ସ୍ୱର୍ଗ ବାହୁବଳେ

ଶରଣ ପଶିବି କିମ୍ପା ଗୌଡ଼ ପାଦଦଳେ ।

ଗଉଡ଼ ସିନା ମୋହର ଅଟନ୍ତି ବଇରୀ

ଦେଖିବୁ ଅକ୍ରୂର ଆଜ ପକାଇବି ମାରି ।

ପୁତନା ଅଘା ବକାର ପ୍ରାୟ ଅଛୁ ମଣି

ବେନି ଭାଇଙ୍କର ଶିର ପକାଇବି ହାଣି ।

ଏତେକ ବୋଲିଣ ଖଣ୍ଡା ଝମକାଏ ରାୟେ

ପ୍ରତାପ ଦେଖି ଅକ୍ରୂର ମନେ ଚିନ୍ତେ ଭୟେ ।

କିଛି ନ କହି କଂସକୁ ହୋଇଲା ମଉନ

ମନେ ବିଚାରେ ଏହାର ହୋଇଲା ମରଣ ।

ବେଳୁବେଳ ବଢ଼ି କଂସ କରଇ ପ୍ରତାପ

ଗର୍ଜନରେ ଅନ୍ତଃପୁର ହୋଇଲା ପ୍ରକମ୍ପ ।

ପୁଣି ରେରେକାର କରି ଗର୍ଜ୍ଜନ କରିଲା

ମଲୁରେ ଶ୍ରୀକୃଷ୍ଣ ବୋଲି ଉଚ୍ଚରେ ଡାକିଲା ।

ଗର୍ଜ୍ଜନରେ ମଧୁପୁର ହେଲା ଥରହର

ଏ ଗର୍ଜନ ଶୁଣି ନନ୍ଦ ହୋଇଲେ କାତର ।

ଗୋପାଳେ ଭୟରେ ରାମକୃଷ୍ଣ କୋଳକଲେ

ଚକିତ ହୋଇଣ କୃଷ୍ଣ ଚୌଦିଗ ଚାହିଁଲେ ।

ଅଳାଳେ ମେଘ ଗର୍ଜନ ମନରେ ଭାବିଲେ

ନିର୍ଘାତ ପଡ଼ିଲା କଂସ ମରିବ ଏ କାଳେ ।

ଏଣେ ଅନ୍ତର୍ଯ୍ୟାମୀ ନାଥ ମନରେ ଜାଣିଲେ

ଅନ୍ତଃପୁରେ କଂସକ୍ରୋଧେ ଗର୍ଜ୍ଜିଲା ବୋଇଲେ ।

ଅକ୍ରୂର କଥା ଶୁଣି ସେ କ୍ରୋଧଭର ହେଲା

ଜାଣିଲି କଂସର ମୃତ୍ୟୁକାଳ ପ୍ରବେଶିଲା ।

ମରିବାର କାଳେ କଂସ କରଇ ଗର୍ଜ୍ଜନ

ନିଶ୍ଚେ କାଲି ଏହୁ ଯିବ ଯମର ଭୁବନ ।

କଂସ ଗର୍ଜ୍ଜନ ଶୁଣିଲେ ସ୍ଵର୍ଗଦେବ ଯହୁଁ

କଂସ ମଲା ବୋଲି ମଧୁପୁରେ ଗଲେ ତହୁଁ ।

ଦେବଗଣ ମଧୁବନେ କୃଷ୍ଣଙ୍କୁ ଦେଖିଲେ

କୃଷ୍ଣଙ୍କୁ ଦେଖିଣ ଦେବ ତହୁଁ ବାହୁଡ଼ିଲେ ।

ପାତାଳେ ବାସୁକୀ ଶୁଣି ହୋଇଲା ଚକିତ

ଭାବିଲେ ଯେ ମଧୁପୁରେ ପଡ଼ିଲା ନିର୍ଘାତ ।

କଂସ ମଲା ବୋଲି ସର୍ବେ ମନେ ବିଚାରିଲେ

ଆଜୁ ତିନିପୁର ଭୟ ଗଲା ମନେକଲେ ।

ପୁଣି କଂସରାୟେ ମନେ କ୍ରୋଧ ଶାନ୍ତି କଲା

ହେତି ପ୍ରହେତିକୁ ଆଣି କୋଳେ ବସାଇଲା ।

ଚାଟୁବଚନେ କହଇ ଚାହିଁ ଅକ୍ରୂରକୁ

ଭୟେ ଉତ୍ତର ନଦିଏ ଅକ୍ରୂର କଂସକୁ ।

ଦୁଇରାଣୀ କରଯୋଡ଼ି କଂସକୁ କହିଲେ

ତହୁଁ କଂସ ନୃପ ନିଜ କୋପ ଶାନ୍ତ କଲେ ।

ଭୋ ନାଥ ଆମ୍ଭମାନଙ୍କୁ ତୁମ୍ଭେ ଦୟାକର

ହଂସକ ଡିମ୍ବକ ତୋର ବାଳୁତ କୁମର ।

ଶ୍ରୀକୃଷ୍ଣ ସଙ୍ଗରେ ଦ୍ୱନ୍ଦ୍ୱ ନକର ହୋ ରାୟେ

ସୋଦର ଭଣଜା ତୁମ୍ଭ ଦେବକୀ ତନୟେ ।

ଜଗତେ ବୋଲନ୍ତି କୃଷ୍ଣ ସ୍ୱୟଂ ନାରାୟଣ

ଅସୁରକୁ ମାରିବାକୁ ହୋଇଅଛି ଜନ୍ମ ।

ବାପଘରେ ଥାଇ ଆମ୍ଭେମାନେ ଅଛୁ ଶୁଣି

ଦେବକୀର ଗର୍ଭେ ଜାତହେବ ଚକ୍ରପାଣି ।

ଭାରତ ମଣ୍ଡଳ ସେହୁ ଭିଆଣ କରିବେ

ଦୁଷ୍ଟ ଜନମାନଙ୍କୁ ସେ ସମୂଳେ ନାଶିବେ ।

ଶାପରୁ ଅସୁରମାନେ ହୋଇଛନ୍ତି ଜାତ

କୃଷ୍ଣ ହସ୍ତେ ମରି ସେହୁ ହୋଇବେ ମୁକତ ।

ପୃଥ୍ୱୀ ଭାରା ଉଶ୍ୱାସି ସେ କୁଳ ସଂହାରିବେ

ତେବେ ରାମକୃଷ୍ଣ ବେନି ନିଜ ଧାମେ ଯିବେ ।

ବେଦରୁ ସମ୍ଭୂତ ଏହୁ ବ୍ରହ୍ମାର ବଚନ

ଶୁଣିଥିଲୁ କର୍ଣ୍ଣେ ଯାହା ଦେଖିଲୁ ନୟନ ।

ନକର କୃଷ୍ଣେ ଅପ୍ରୀତି ପାଦେ ପଡୁଅଛୁ

ନକର ଅନାଥ କର ଯୋଡ଼ିଣ ମାଗୁଛୁ ।

ଅନ୍ତଃପୁରେ ତୁମ୍ଭେ ରହିଥାଅ ହେ ରାଜନ

ଅକ୍ରୂର ପେଶି ଆଣିଛି ଦେବକୀ ନନ୍ଦନ ।

ଭଣଜା ଆମ୍ଭର ସେହି ତା ପାଦେ ପଡ଼ିବୁ

ଚାଟୁ ବଚନ କହିଣ ବାହୁଡ଼ାଇ ଦେବୁ ।

ହେତି ପ୍ରହେତି ବଚନ କଂସରାୟ ଶୁଣି

ବୋଲଇ ଶୁଣ ହେ ଜରାସନ୍ଧର ନନ୍ଦିନୀ ।

ବୋଇଲା ବେଦରେ ତାହା ଶୁଣିଅଛୁ ଆମ୍ଭେ

ଦେବକୀ ଗର୍ଭରେ ଜାତ ନାରାୟଣ ହେବେ ।

ଅସୁରମାନଙ୍କୁ ସେହି କରି ପ୍ରାଣେ ହତ

ଶ୍ରୀକୃଷ୍ଣ ହସ୍ତରେ ମରି ହୋଇବେ ମୁକତ ।

ସେ କୃଷ୍ଣ ଅଟନ୍ତି ଯେବେ ସ୍ଵୟଂ ନାରାୟଣ

ତାହାର ହସ୍ତରେ ମଲେ ହୋଇବି କାରଣ ।

ମୋହର ଭାଗ୍ୟରେ ଯେବେ ଧାତା ଅଛି ଲିହି

ଅବଶ୍ୟ କୃଷ୍ଣଙ୍କୁ ଦେଖି ମରିବି ଗୋ ମୁହିଁ ।

ଜାଣିଛି କହିଲେ ମୋତେ ଦୁର୍ଗା ସେ ଦିନରୁ

ନାରଦ କହିବା କଥା ନ ଯାଏ ମନରୁ ।

ବେଦରେ ଗୋ ତୁମ୍ଭେମାନେ ଯାହା ଅଛ ଶୁଣି

ସେ କଥା ଦଇବ ଏବେ ଘଟାଇଲା ଆଣି ।

ବୀରପଣ ଏବେ ମୋର କେଣେ ଯିବ ଉଡ଼ି

ଶରଣ ପଶିବି ମୁହିଁ କୃଷ୍ଣ ପାଦେ ପଡ଼ି ।

ଅବଶ୍ୟ ମଞ୍ଚରେ ଯେହୁ ଜନମ ହୁଅଇ

ନ ରହଇ କାଳ କାଳ ଅବଶ୍ୟ ମରଇ ।

ମୂଳ ସିନା ମରିବାର ନ ଜାଣନ୍ତି କେହି

ମିଥ୍ୟା କଥାରେ ପଡ଼ିଣ ଭ୍ରମୁଥାନ୍ତି ମହୀ ।

ମାୟାରେ ମଜ୍ଜିଣ ସର୍ବେ ବୋଲୁଥାନ୍ତି ମୋର

ମରିବାର ବେଳେ କେହି ନ ଯାନ୍ତି ସଙ୍ଗର ।

ନାରାୟଣ ଯେବେ ସେହି ତା ହସ୍ତେ ମରିବି

ପୂର୍ବର ଶାପରୁ ମୁହିଁ ତେବେ ପାରି ହେବି ।

କୃଷ୍ଣକୁ ଫେରାଇ ଦିଅ ଅକ୍ରୂରେ କହିଲି

ତୁମ୍ଭେମାନେ ଶୁଣିଅଛି ଯାହା ମୁଁ ବୋଇଲି ।

ତୁମ୍ଭେ ଦୁହେଁ ଯାଇ ଏବେ ଅକ୍ରୂରକୁ କହ

ଗୋପପୁରକୁ ଫେରାଇ ଦେଉ ନନ୍ଦପୁଅ ।

ଶୁଣିଣ ହେତି ପ୍ରହେତି ଅକ୍ରୂରକୁ ଚାହିଁ

ବେନିକର ଯୋଡ଼ି ସେହୁ ନମ୍ରଭାବ ବହି ।

ବୋଲନ୍ତି ଅକ୍ରୂର ତୁମ୍ଭେ ଆମ୍ଭ କଥା ଘେନ

ଗୋପକୁ ଫେରାଇ ଦିଅ ଦେବକୀ ନନ୍ଦନ ।

ତୁମ୍ଭର କହିବା କଥା ଶ୍ରୀକୃଷ୍ଣ ଘେନିବେ

ତୁମ୍ଭ ବୋଲେ ଗୋପକୁ ସେ ନିଶ୍ଚେ ଫେରିଯିବେ ।

ହେତି ପ୍ରହେତି ବଚନ ଶୁଣିଣ ଅକ୍ରୂର

ବୋଲେ ମହାଦେଈ ମୁହିଁ ତୁମ୍ଭ ପରିଚାର ।

ରାଜାକୁ କହିଲ ତୁମ୍ଭେ କିଛି ନ କହିଲେ

ମୁଁ କହିଲି କିନ୍ତୁ କ୍ରୋଧ ମୋହଠାରେ କଲେ ।

ଏବେ ମହାଦେଈ ତୁମ୍ଭେ କରୁଛ କଟାଳ

ଏତେ କହି ମନେକଲେ ଅକ୍ରୂର ବିଚାର ।

କରପତ୍ର ଯୋଡ଼ିକରି କହେ ମହାଦେଈ

ଆଉଥରେ ରାଜା ଆଗେ ତୁମ୍ଭେ କହ ଯାଇ ।

ଅକ୍ରୂର ରାଣୀଙ୍କ କଥା ଭାଙ୍ଗି ନ ପାରିଲା

ରାଜାଙ୍କ ଛାମୁରେ ଯାଇ ପୁଣି ଉଭା ହେଲା ।

ବୋଇଲା ଭୋଦେବ କଂସ ପ୍ରତାପୀ ତୁ ରାୟେ

ଅପରାଧ କ୍ଷମାକର କହିବି କଥାଏ ।

ଅକ୍ରୂର ବଚନେ କଂସ କହନ୍ତି ତକ୍ଷଣ

ହୃଦୟରୁ ଭୟ ଛାଡ଼ି କହ କଥାମାନ ।

କଂସ ବଚନେ ଅକ୍ରୂର ଯୋଡ଼ି ବେନିକର

ବୋଲଇ ଭୋ ଦେବ କହେ ଶୁଣ ନୃପବର ।

ଦୁଷ୍ଟଲୋକେ ଶୁଣିକରି ଭୟକୁ ଛାଡ଼ିବେ

ଦେବଗଣ ଶୁଣିକରି ଭୟ ଉପେକ୍ଷିବେ ।

ନଗ୍ର ନର ନାରୀମାନେ ବହୁ ନିନ୍ଦା ଦେବେ

ରାଜାମାନେ ଶୁଣିକରି ନିନ୍ଦାକୁ ରଖିବେ ।

ବାଳୁତ ଅଟନ୍ତି ରାମକୃଷ୍ଣ ବେନିଭାଇ

ମାରିବ ବୋଲିଣ କଂସ ଆଣିଲା ଡକାଇ ।

ଦେଖା ଦେଇନାହିଁ ମରିବାକୁ ଭୟକଲା

ଗୋପପୁରକୁ କୃଷ୍ଣଙ୍କୁ ଫେରାଇ ସେ ଦେଲା ।

ଦେବକୀ ବସୁଦେବର ଶାଙ୍କୋଳି ଫିଟାଇ

କୃଷ୍ଣଙ୍କୁ ଦେଇ ଶରଣ ଗଲା ଭୋଜସାଇଁ ।

ଶତ୍ରୁମାନେ ଶୁଣିକରି ହୋଇବେ ଉଷତ

ମଧୁପୁର ଧାଡ଼ିଦେବେ ସେମାନେ ବହୁତ ।

କରିବେ ରାମକୃଷ୍ଣଙ୍କୁ ଧରି ସେହୁ ମେଳ

ଭାଙ୍ଗିବେ ମଧୁପୁରକୁ କୃଷ୍ଣ ଅବହେଳ ।

ଦେଖିଲେଟି ବକା ଅଘାସୁର ଗଲେ ଯେତେ

ଯାମଳା ପୁତନା ପ୍ରାଣ ଦେଲେ ସେ ସମସ୍ତେ ।

ଶୁଣିଥିଲେ ବ୍ରହ୍ମା ବତ୍ସା ନେଇଥିଲା ହରି

ନିଜ ଅଙ୍ଗୁ ବତ୍ସା ଜାତ କଲା ସେ ଶ୍ରୀହରି ।

ଶୁଣିଥିଲା ଗୋପେ ଇନ୍ଦ୍ର ବଜ୍ର ବରଷିଲା

ବାମକରେ ଗୋବର୍ଦ୍ଧନ ଗିରି ସେ ଟେକିଲା ।

କାଳୀ ଦଂଶିଲା କୃଷ୍ଣଙ୍କୁ ନୋହିଲା ସେ ନାଶ

ଏବେ ମୁହିଁ କହୁଅଛି ଶୁଣ ଆହେ କଂସ ।

ପ୍ରଭାତେ ସଭା ମଣ୍ଡନ ଆମ୍ଭେ କରାଇବା

ମଥୁରା ନଗ୍ରେ ଘୋଷଣା ଆମ୍ଭେ ଦିଆଇବା ।

ସକଳଠୁଳ ହୋଇବେ ନରନାରୀମାନେ

ଏକତ୍ର ହୋଇଣ ଥିବେ ପାତ୍ରମନ୍ତ୍ରୀଗଣେ ।

ଯୋଦ୍ଧାମାନେ ସର୍ବେ ତହିଁ ଶସ୍ତ୍ର ଥିବେ ଧରି

ଚାଣୁର ମୁଷ୍ଟିକ ମଲ୍ଲ ଥିବେ ସେ ଆବୋରି ।

କୁବଳୟା ଗଜ ଆମ୍ଭେ ରଖିଥିବା ଦ୍ୱାରେ

ବସୁଦେବ ଦେବକୀକୁ ରଖିଥିବା ତଳେ ।

ଦେବଙ୍କୁ ଦୁର୍ଲ୍ଲଭ ସଭା କରିବା ମଣ୍ଡିତ

ସେ ସଭାକୁ ଦେଖି କୃଷ୍ଣ ହେବେ ଆନନ୍ଦିତ ।

ପଟାର ଉପରେ ତୁମ୍ଭେ ଥିବ ବିଜେକରି

ଢାକା ବାଜୁଥିବ ହେ ମଣିମା ଦଣ୍ଡଧାରୀ ।

ଉଗ୍ରସେନ ତାତ ତୋର ପାଶେ ଥିବ ରହି

ତାହାର ଆଜ୍ଞାକୁ ସର୍ବେ ଥିବୁ ବାଟ ଚାହିଁ ।

ମଧୁବନ ରାମକୃଷ ଆଣିବା ହକାରି

ନ କହିବେ କେହି କିଛି ନେବୁ ଆଜ୍ଞା କରି ।

ସେ ରାମକୃଷ୍ଣଙ୍କୁ ତୁହି ପାଛୋଟି ଆଣିବୁ

ଜଗତୀ ଉପରେ ତୋର ପାଶେ ବସାଇବୁ ।

ସଭାକୁ ଚାହିଁ ବୋଲିବୁ ଦେବକୀର ସୁତ

ଦେଖିବାକୁ ମାଈଁମାନେ ଶ୍ରଦ୍ଧା କଲେ ଚିତ୍ତ ।

ଗୋପପୁରକୁ ଅକ୍ରୂର ତେଣୁକରି ଗଲା

ରାମକୃଷ୍ଣ ନନ୍ଦ ଗୋପାଳଙ୍କୁ ସେ ଆଣିଲା ।

ଯହୁଁ ରାମକୃଷ୍ଣ ଦୁହେଁ ମଥୁରା ଆସିଲେ

ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ନ ଦେଖି ବିକଳେ ।

କାନ୍ଦନ୍ତି ଯଶୋଦା ମୁହିଁ ବାରତା ପାଇଲି

ଭାଗ୍ୟଥଲା ଭଣଜାକୁ ମୋହର ଦେଖିଲି ।

ରାମକୃଷ୍ଣ ଦେଖି ଦେଖି ହୋଇଲା ପବିତ୍ର

ମୋ ଭଉଣୀ ଦେଖିକରି ହୋଇବ କୃତାର୍ଥ ।

ଫିଟାଅ ଶାଙ୍କୋଳି ରାମ କୃଷ୍ଣଙ୍କୁ ଦେଖିବେ

ଆଜିଠାରୁ ରାମକୃଷ୍ଣ ସଙ୍ଗତେ ରହିବେ ।

ନନ୍ଦ ଯଶୋଦା ଗୋପାଳେ ଭଗ୍ନୀ ବସୁଦେବ

ଯାଆନ୍ତୁ ଗୋପପୁରକୁ ନିଶ୍ଚିନ୍ତେ ରହିବ ।

ଆଜୁ ଗୋପପୁର କର ଦେବନାହିଁ କିଛି

ତୁମ୍ଭେମାନେ ଭୋଗକର ମୁହିଁ ଦେଉଅଛି ।

ମୋତେ ବୋଲିବ ଅକ୍ରୂର ଆଣ ରହୁବର

ରାମକୃଷ୍ଣ ଚଢ଼ି ଏବେ ଯିବେ ଗୋପପୁର ।

ବହୁତ ଦିଅ ଅଡ଼ାଇ ଧେନୁ ବତ୍ସାମାନ

ଭଣ୍ଡାରୁ ବୁହାଇ ଦିଅ ରତନ ବସନ ।

ଜଣ କଣ କରି ହେଜି ଦେଇ ଶାଢ଼ୀମାନ

ନ ଅଣ୍ଟିଲେ ଭଣ୍ଡାରରୁ ଅଣାଇବ ଧନ ।

ରାମକୃଷ୍ଣଙ୍କୁ ତୋ ନିଜ ହସ୍ତେ ପିନ୍ଧାଇବୁ

ଯହିଁରେ ଆନନ୍ଦ କୃଷ୍ଣ ତାହା କରିଦେବୁ ।

କସ୍ତୁରୀ ଚନ୍ଦନ ଆଦି ଅଙ୍ଗେ ଦେବୁ ବୋଳି

ସୁବାସ ପୁଷ୍ପମାଳକୁ ଅଙ୍ଗେ କରି ମାଳୀ ।

ଅନ୍ତଃପୁର ମଧ୍ୟୁ ନେଇ ତୁ ସର ଲବଣୀ

ମାଈଁମାନେ ଭୁଞ୍ଜାଇବେ ବୋଲି ନୃପମଣି ।

ବୋଲିବୁ ନିଅ ଅକ୍ରୂର ଶ୍ରୀକୃଷ୍ଣଙ୍କୁ ଏବେ

ଗୋପପୁରେ ଛାଡ଼ିଦେଇ ଆସ ଯାଇ ବେଗେ ।

ଚାଲିଗଲେ ପଥଶ୍ରମ ପାଇବେଟି ଏହୁ

ଭଣଜା ବାଳୁତ ମୋର ଚାଲିବେ ବା କାହୁଁ ।

ଅପୂର୍ବପଦାର୍ଥମାନ ଭଣ୍ଡାରରୁ ଦିଅ

ଗୋପୀମାନେ ଦେଖିଲେ କରିବେ ଯହିଁ ସ୍ନେହ ।

ତୋହର ଆଜ୍ଞାରେ ମୁହିଁ ଆଣି ରହୁବର

ଅପୂର୍ବ ପଦାର୍ଥମାନ ରଖିବି ତହିଁର ।

ଯାହାକୁ ଦେଖିଲେ ଲୋଭ କରିବେଟି ହରି

ସେ ପଦାର୍ଥ ରଖିଦେବି ମୁହିଁ ଯତ୍ନକରି ।

ଅନେକ ପ୍ରକାରେ ତୁହି କୃଷ୍ଣଙ୍କୁ କହିବୁ

ରହୁବର ପୁରେ ତାଙ୍କୁ ବସାଇଣ ଦେବୁ ।

ଦେବକୀ ବସୁଦେବଙ୍କୁ ରଥରେ ବସାଇ

କର ଯୋଡ଼ି କହିବୁ ତୁ ନମ୍ର ଭାବ ବହି ।

ତକ୍ଷଣେ ଗୋପକୁ ମୁହିଁ ରହୁବର ନେବି

ଅନେକ ପ୍ରକାରେ ତାଙ୍କୁ ବାଟରେ କହିବି ।

ଯେମନ୍ତେ ମଥୁରା କୃଷ୍ଣ କେବେ ନ ଆସିବେ

ନିଶ୍ଚିନ୍ତଭାବେ ଏଠାରେ ଥିବୁରାଜା ତେବେ ।

ଏମନ୍ତ କଲେ ଶ୍ରୀକୃଷ୍ଣ ହୋଇବି ହରଷ

ସକଳ ଜନେ କରିବେ ତୋତେ ପଉରୁଷ ।

ଅକ୍ରୂର କହିଲା କଥା ଶୁଣି ରାଜା କଂସ

ତତକ୍ଷଣେ ବୋଲଇଲା ସେ ହୋଇଣ ହରଷ ।

ଭଲା ବୁଦ୍ଧି ମନ୍ତ୍ରୀବର ଅଟଇ ତୋହର

ନୋହିଲେ କି ରାମକୃଷ୍ଣ ଆସନ୍ତେ ସଙ୍ଗର ।

ଅକ୍ରୂର ତୋହର କଥା ହୋଇଲା ବିଶ୍ୱାସ

ତେଣୁକରି ଆସିଲେ ତୋ ବୋଲେ ମଧୁଦେଶ

ଦୁଇ ଭାଇଙ୍କର ଦେଖା ନ କରିବ ଯେବେ

ସକଳେ ଅବଶ୍ୟ ମୋତେ ନିନ୍ଦାଟି କରିବେ ।

କହିଲେ ଅକ୍ରୂର ଯାହା ଅବଶ୍ୟ କରିବି

ତୋ କହିବା କଥା ମୁହିଁ କେଭେ ନ ଲଘିଂବି ।

ଏତେବୋଲି କଂସ ଅକ୍ରୂରର କର ଧରି

ବୋଇଲା ଅକ୍ରୂର ତୁମ୍ଭେ ଯାଅ ନିଜପୁରୀ ।

ନିତ୍ୟକର୍ମସାରି ତୁହି ଆସି ପ୍ରଭାତରୁ

ରାମକୃଷ୍ଣଙ୍କୁ ଆଣିବୁତୁ ମଧୁବନରୁ ।

ଏତେବୋଲି ରାଜ ଅକ୍ରୂରକୁ ଆଗକରି

ଅକ୍ରୂର ପଛେ ପଛେ ଗଲେ ଦଣ୍ଡଧାରୀ ।

କଂସ ପଛେ ଅନ୍ତଃପୁର ନାରୀମାନେ ଗଲେ

ଆଉ ଲୋକମାନେ ତାଙ୍କ ପଛରେ ଚଳିଲେ ।

ସିଂହଦ୍ୱାରେ ଯାଇକରି ହୋଇଲେ ପ୍ରବେଶ

ଅକ୍ରୂର କଥାକୁ ଶୁଣି ସର୍ବେ ହେଲେ ତୋଷ ।

ବାଦ୍ୟକାରକୁ ଡକାଇ କହେ କଂସରାୟେ

ପାତ୍ରମନ୍ତ୍ରୀମାନଙ୍କୁ ଡକାଇ ଆଜ୍ଞା ଦିଏ ।

ବୋଲେ ବାଦ୍ୟକାର ତୁମ୍ଭେ ବାଜଣା ବଜାଅ

ପାତ୍ରମନ୍ତ୍ରୀ ଯେତେ ଅଛ ଆସି ଠୁଳ ହୁଅ ।

ଅକ୍ରୂରକୁ ନେଇ ଘରେ ଛାଡ଼ ହୋ ବୋଇଲା

ଆଜହୁଁ ଅକ୍ରୂର ପାତ୍ର ପଣେ ବଡ଼ ହେଲା ।

ଆଜ୍ଞା ପାଇ ବାଦ୍ୟକାର ବାଜା ବଜାଇଲେ

ରାଜଦାଣ୍ଡେ ଅକ୍ରୂରକୁ ଘରକୁ ତା ନେଲେ ।

ଅକ୍ରୂରକୁ ଘରେ ଛାଡ଼ି ଶାଢ଼ୀ ବଳା ପାଇ

ଯେ ଯାହାର ପୁରକୁ ସେ ଗଲେ ହୃଷ୍ଟହୋଇ

ମଥୁରାର ନରନାରୀ ଅକ୍ରୂରକୁ ଦେଖି

କେ ବୋଇଇ ଅକ୍ରୂରକୁ ଦେଖ ଆରେ ସଖି ।

କେହୁ ବୋଲେ ଅକ୍ରୂରକୁ ରାଜା ମାରୁଥିଲା

ପୁଣି କି ବିଚାରି ପାତ୍ରପଣେ ବଡ଼ କଲା ।

କେହି ବୋଇଇ ଏମନ୍ତ ନୁହେ ଆରେ ସହୀ

କୃଷ୍ଣ ଆସିବାର ଶୁଣି କଂସ ଚେତା ନାହିଁ ।

କେ ବୋଲଇ ସଖୀ ଆଗେ ନୁହଇ ଏମନ୍ତ

କଂସର କଥାକୁ ତୁମ୍ଭେ ନକର ଗୋ ସତ ।

ଏହିପରି ନରନାରୀ କୁହାକୁହି ହେଲେ

ସିଂହଦ୍ୱାରଠାରୁ କଂସ ଅନ୍ତଃପୁରେ ଗଲେ ।

ନିତ୍ୟକର୍ମ ସାରି ସେହି ଇଷ୍ଟଦେବୀ ପାଶ

କରଯୋଡ଼ି ପାଦେ ପଡ଼ି କହେ ରାଜା କଂସ ।

ବୋଲଇ ଭୋ ମାତା ମୋତ କର ଅନୁଗ୍ରହ

କେମନ୍ତେ ମାରିବି ମୁହିଁ ଦେବକୀର ପୁଅ ।

ଯେବେ ମୁହିଁ ରାମକୃଷ୍ଣ ଆଜି ଗୋ ମାରିବି

ଲକ୍ଷେକ ମଇଁଷି ମାଗୋ ବଳିଭୋଜା ଦେବି ।

ଲକ୍ଷେ ମେଣ୍ଢା ଦେବି ମୁଁ ପ୍ରସନ୍ନ ହୁଅ ମୋତେ

ଲକ୍ଷେକ ଛାଗଳ ଦେବି ତୋହର ଅଗ୍ରତେ ।

ଲକ୍ଷେ ମନ୍ଦାର ତୋ ଶିରେ ମାଗୋ ଚଢ଼ାଇବି

ରଙ୍ଗ ପାଟଶାଢ଼ୀ ମାଗୋ ତୋ ଶିରେ ମୁଁ ଦେବି

କପାଳେ ସିନ୍ଦୂର ରଙ୍ଗ ଚୂଡ଼ି ଦେବି ହାତେ

ଲକ୍ଷେ ନରବଳି ଦେବି ଦୟାକରି ମୋତେ ।

ରଙ୍ଗସଭା ତଳରେ ମୁଁ କୃଷ୍ଣଙ୍କୁ ମାରିବି

କୃଷ୍ଣର ରକତ ମାଗୋ ତୋ ଶିରରେ ଦେବି ।

ନାନାପରକାରେ ପଣା ଦେବି ତୋତେ ମୁହିଁ

ବିବିଧ ନୈବେଦ୍ୟ ଭୋଗ କରିବି ତୋଠାଇଁ

ପୁଣି ବୋଲେ ହେବୀମାଗୋ ମୋ ବିନୟଘେନ

ଅମର ଦେବି ଗୋ ମାତଃ ଦିଅ ବରଦାନ ।

ନ ଛିଡ଼ିବି ଖଡ଼ଗେ ନ ପୋଡ଼ିବି ଅନଳେ

ନ ବୁଡ଼ି ମରିବି ମୁହିଁ ସପତ ସାଗରେ ।

ମାରିବି ଶ୍ରୀକୃଷ୍ଣ ରାମ ଦୟାକର ମୋତେ

ତୋହ ପ୍ରସନ୍ନେ ଜଗତ ଜିଣିଲି କିଞ୍ଚିତେ ।

ଏତେବୋଲି କଂସ ଦେବୀ ଚରଣେ ପଡ଼ିଲା

ଶରଣାଗତରେ ରଖ ବୋଲିଣ ବୋଇଲା ।

କଂସର ଉତ୍କଣ୍ଠା ଦେଖି ଦେବୀ ବିଚାରିଲେ

ମଲାବେଳେ କଂସ ସ୍ଵର୍ଗପୁର ଭୋଗକଲେ ।

ଯାହାପାଇଁ ବିଷ୍ଣୁ ନରଦେହ ଛନ୍ତି ବହି

ସେ ବୋଲୁଅଛି ଅମର ହୋଇବଇଁ ମୁହିଁ ।

ବିଚାରିଲେ ଚିତ୍ରପଟ ମାଗୁଅଛି କଂସ

ଦେବି ଚିତ୍ରପଟେ ଯିବ ବିଶ୍ଵକର୍ମା ପାଶ ।

ଏତେକ ବିଚାରି ଦେବୀ ଗଲେ ସ୍ଵର୍ଗପୁରେ

ବିଶ୍ଵକର୍ମା ଭୁବନରେ ମିଳିଲେ ସତ୍ଵରେ ।

ଦେଖିକରି ବିଶ୍ଵକର୍ମା ଆସନୁ ଉଠିଲେ

ଗଉରବ କରି ଦିବ୍ୟାସନେ ବସାଇଲେ ।

ବେନିକର ଯୋଡ଼ିଣ ସେ ବୋଲଇ ବଚନ

କେଉଁ କାର୍ଯ୍ୟପାଇଁ ମାତଃ କରିଲ ଗମନ ।

ଶୁଣିଣ ବିଶ୍ଵକର୍ମାକୁ ମହାମାୟା କହି

କଟାଳ କରୁଛି ମୋତେ ଆଜି ଭୋଜସାଇଁ ।

ଶ୍ରୀକୃଷ୍ଣର ବାଲ୍ୟଲୀଳା କଂସର ମରଣ

ସେହିରୂପେ ଚିତ୍ରପଟ କର ତୁ ଲିଖନ ।

ଦିଅ ମୋତେ କଂସକୁ ମୁଁ ନେଇଦେବି ଆଜ

ସେହିରୂପେ ଚିତ୍ରପଟ ଦେଲେ ବ୍ରହ୍ମାଙ୍କ ତନୁଜ ।

ଚିତ୍ରପଟ ଧରି କଂସ ଆଗେ ଉଭାହେଲେ

ଉଠ ଉଠ ବୋଲି ଦେବୀ କଂସକୁ ବୋଇଲେ ।

ଆରେ କଂସ ତୁହି ଆଉ ନହୁଅ ଅଜ୍ଞାନ

ଧାତା ଲେଖିଅଛି ଯାହା ନ ହୋଇବ ଆନ ।

ଧାତା ଦେଲା ବର ତୋର ମନୁ ପାଶୋରିଲୁ

ପୁଣି ବୋଲୁଅଛୁ ମୋତେ ଅମର ନକଲୁ ।

ଯାଅ ଆରେ କଂସ ତୋର ଶିର ନ ଛିଡ଼ିବ

ନୀଳ ଭୁଜ ବ୍ରହ୍ମଶକ୍ତି ପୀଡ଼ା ନ କରିବ ।

ଜଳ ଅନଳ ପବନ ବହି ନ ପାରିବେ

ତୋର ଅଙ୍ଗେ ବାଜି ବ୍ରହ୍ମଶର ଚୂର୍ଣ୍ଣହେବେ ।

ପାଶୁପତ ବାଜି ଦେହେ ହେବ ଅକାରଣ

ଲଙ୍ଗଳ ଚକ୍ର ମୂଷଳେ ନହେବ ମରଣ ।

ଯେଉଁ କଥା ତୋତେ ଆଗେ କହିଥିଲା ବିହି

ସେହିକଥା ଚିତ୍ରପଟେ ଦେଇଅଛି ଲିହି ।

ନିଅ ଚିତ୍ରପଟ ତୁହି ଯାଅ ସଦନକୁ

ଶୟନ ମନ୍ଦିରେ ରଖୁଥିବୁ ଏ ଚିତ୍ରକୁ ।

ଯେଉଁରୂପେ ଦେଖି ତୋର ହୋଇବ ମରଣ

ସେ ରୂପକୁ ଚିତ୍ରପଟେ କର ତୁ ପଠନ ।

ଆନରେ ତୋହର ମୃତ୍ୟୁ ନୋହିବରେ କଂସ

ଯୁଦ୍ଧ ନ ଜିଣିବେ କେହି ଦୃମିଳାର ଶିଷ୍ୟ ।

ଏତେ କହି ମହାମାୟା ମଉନ ହୋଇଲେ

ଆପଣାର ଆସନରେ ନିଶ୍ଚିନ୍ତେ ରହିଲେ ।

ଦେବୀ ଆଜ୍ଞା ପାଇ କଂସ ଉଠିଲା ତଡ଼ତି

ଚିତ୍ରପଟ ଦେଖିକରି ଫେରିଲା ନୃପତି ।

ଶୟନ ମନ୍ଦିରେ ଯାଇ ତକ୍ଷଣେ ମିଳିଲା

ରତ୍ନପଲଙ୍କରେ ବସି ଚିତ୍ରକୁ ଦେଖିଲା ।

ଦେଖିଲା ଚିତ୍ରପଟରେ ହୋଇଛି ଲିଖନ

ପ୍ରଥମରେ ଲେଖାଅଛି ଗୋପର ଭୁବନ ।

ଦେଖିଲା ଅନ୍ତୁଡ଼ି ଘରେ ଶ୍ରୀକୃଷ୍ଣ ଅଛନ୍ତି

ପୁତନାଠାରୁ ଶ୍ରୀକୃଷ୍ଣ କ୍ଷୀର ପିଉଛନ୍ତି ।

ପୁତନା ମଲା ତାହାର ପ୍ରାଣ କେଣେ ଗଲା

ପୁଣି ଗୋପୀ କୃଷ୍ଣ ମିଳି କଲେ ବାଲ୍ୟଲୀଳା ।

ପୁଣି ଯେ ଯାମଳା ବକାସୁରକୁ ମାଇଲେ

ପୁଣି ବତ୍ସାସୁର ମଲା ଦେଖିଲା ସେ ଡୋଳେ ।

ପୁଣି ଦେଖିଲା ଶକଟା ହୋଇଅଛି ବଧ

ପୁଣି ଦେଖିଲା ମାଇଲେ ଷଣ୍ଢା ଆଦିକନ୍ଦ ।

ପୁଣି ଅଜଗର ଗର୍ଭୁ ହୋଇଲେ ବାହାର

ପୁଣି ଦେଖିଲା ମାଇଲେ ସେହୁ ତୃଣାସୁର ।

ପୁଣି ଦେଖିଲା ବକାର ଗର୍ବ ଚୂର୍ଣ୍ଣକଲେ

ପୁଣି ଦେଖିଲା ମନ୍ଦର ଧରିଛନ୍ତି କରେ ।

ପୁଣି ଦେଖିଲା ଜଳରେ ନନ୍ଦ ବୁଡ଼ିମଲେ

ଜଳର ମଧ୍ୟରୁ କୃଷ୍ଣ ନନ୍ଦକୁ ଆଣିଲେ ।

ପୁଣି ଦେଖିଲା ବତ୍ସାକୁ ବ୍ରହ୍ମା ନେଲା ହରି

ଦେଖିଲା ବତ୍ସାସଙ୍ଗେ ଭୁଞ୍ଜନ୍ତି ଶ୍ରୀହରି ।

ଠାବେଠାବେ ଗୋପଲୀଳା ହେଉଛି ଦେଖିଲା

ପୁଣି ଚିତ୍ରପଟକୁ ସେ ଲେଉଟାଇ ଦେଲା ।

ଅସୁନ୍ଦର ହୋଇ ରହିଅଛି ମଧୁପୁର

ଚଉଦିଗ ମେଘ ଘୋଟି ଦିଶେ ଭୟଙ୍କର ।

ବିଜୁଳିଝଟକ ତେଜେ ବାଟ ନ ଦିଶଇ

ବସୁଦେବର ମୁଣ୍ଡରେ କୃଷ୍ଣ ଛନ୍ତି ରହି ।

ଉଗ୍ରସେନ ନ ଛାଡ଼ିଣ ବାଟ ଓଗାଳିଛି

ମାରିବି ବୋଲି ସେ ଖଣ୍ଡା ଝମକି ଉଠୁଛି ।

ପୁଣି ଦେଖିଲା ଦେବକୀ ଅଟେ ମୂର୍ଚ୍ଛାଗତ

ଜନମ ହୋଇକରି ସେ କାନ୍ଦଇ ଦୁହିତ ।

ଦେଖିଲା କଂସ ଦେବକୀ ଆକୁଳକୁ ଜାଣି

ଶିଳାପରେକଚାଡ଼ଇ କନ୍ୟା ନୃପମଣି ।

ଚରଣ ଛାଡ଼ନ୍ତେ ଦୁର୍ଗା ଶୂନ୍ୟେ ଉଡ଼ିଗଲେ

ଚକିତହୋଇଣ କଂସ ଶୂନ୍ୟେଚାହେଁ ଡୋଳେ

ଶୁନ୍ୟରେ ଥାଇ ବିଜୁଳି କହଇ ବଚନ

ଯେ ମାରିବ ତୋତେ ସେ ଅଛି ଗୋପଭୁବନ

ପୁଣି ଦେଖିଲା ଚିତ୍ରରେ ଲେଖାଅଛି ହୋଇ

କୃଷ୍ଣ ଆସିବା ଦେଖି ସନ୍ତାପୀ ହେଲେ ରାଈ ।

କାଳିନ୍ଦୀ ପାଖେ ଅକ୍ରୂର କୃଷ୍ଣଙ୍କୁ ଦେଖିଲା

ଅକ୍ରୂର ମଧୁବନରେ ଆସି ପହଞ୍ଚିଲା ।

ମଧୁବନରେ ଅକ୍ରୂର ରଖି ଗୋପାଳଙ୍କୁ

ଆସିଅଛି କହିବାକୁ ବାରତା କଂସକୁ ।

ପୁଣି ସେ ଦେଖିଲା ଗୋପ ବୃନ୍ଦା ହତଜ୍ଞାନ

ଦେଖିଲା ଶ୍ରୀକୃଷ୍ଣ କରୁଛନ୍ତି ଯୋଗଧ୍ୟାନ ।

ପୁଣି ଦେବେ ଶ୍ରୀକୃଷ୍ଣଙ୍କୁ ସ୍ତୁତି ଉଚ୍ଚାରିଲେ

ବୃନ୍ଦାବତୀକୁ ସଚେତ ଇନ୍ଦ୍ର କରାଇଲେ ।

ପୁଣି ଦେଖିଲା ଅକ୍ରୂର କେଶ କଂସ ଧରି

ମାରିବ ବୋଲି ଝମକେ କଂସ ଦଣ୍ଡଧାରୀ ।

ପୁଣି ଦେଖିଲା ସେ କଂସ ଅକ୍ରୂରକୁ ନେଇ

ଅନ୍ତଃପୁର ମଧ୍ୟେ ସେହୁ ବସାଇ କହ୍ନାଇ ।

ପୁଣି ସେ ହେତି ପ୍ରହେତି କଂସ ପାଦତଳେ

ବିନୟ ହୋଇଣ ସେହୁ କହନ୍ତି ବିକଳେ ।

ପୁଣି ଦେଖ କଂସ ଉଗ୍ରସେନ ଚାରଗଣ

ଅଦୋଷରେ ବାନ୍ଧିଛନ୍ତି ସେ ଚାରି ବ୍ରାହ୍ମଣ ।

ଦେଖିଲା ମଧୁପୁରରେ ଶ୍ରୀକୃଷ୍ଣ ପଶିଲେ

ଚାପୋଡ଼େ ମାରି ରଜକ ମୁଣ୍ଡ ଛିଡ଼ାଇଲେ ।

ପୁଣି ମଧୁପୁର ଦାଣ୍ଡେ କରନ୍ତି ଗମନ

ଭାବବତୀ ପୁତ୍ରକୁ ସେ ଦେଲେ ଜୀବଦାନ ।

ଶୁଣି ସେ କୁବୁଜା ଗନ୍ଧ କୃଷ୍ଣଙ୍କୁ ଲେପିଲା

କୃଷ୍ଣ ହସ୍ତ ଲାଗି ସେହି ସୁନ୍ଦର ଦିଶିଲା ।

ପୁଣି ତେଜବତୀକି ଯେ ଦେଲେ ଜୀବଦାନ

ଦେଖିଲା ସୁଦାମ ଫୁଲେ କରି ଆଭରଣ ।

ପୁଣି ଚିତ୍ରପଟ କଂସ ଦେଖିଲା ନୟନ

ପ୍ରିୟବତୀ ପତି ପୁତ୍ର ପାଇଲେ ଜୀବନ ।

ଚିତ୍ରପଟକୁ ଦେଖିଣ ପୁଣି ରାୟେ କଂସ

ଧନୁ ବେନି ଖଣ୍ଡ କରି ଭାଙ୍ଗେ ପୀତବାସ ।

ପୁଣି ଦେଖିଲା ଦ୍ଵାରରେ କୁବଳୟା ମାରି

ଚାଣୁର ମୁଷ୍ଟିକ ଦୁହେଁ ପଡ଼ିଛନ୍ତି ମରି ।

ପୁଣି ସେ ଦେଖିଲା ରଙ୍ଗସଭା ତଳେ ହରି

ଗୋପାଳ ପୁଅଙ୍କ ସଙ୍ଗେ ଛନ୍ତି ବିଜେକରି ।

ପୁଣି ସେ ଦେଖିଲା କଂସ ଜଗତି ଉପରୁ

କୃଷ୍ଣଙ୍କୁ ଦେଖିଣ ପ୍ରାଣ ଛାଡ଼ିଲା ପିଣ୍ଡରୁ ।

ପୁଣି ଦେଖିଲା ଭୂମିରେ କଂସ ଅଛି ପଡ଼ି

କରୁଛନ୍ତି ବୋଧ ମାଈଁମାନଙ୍କୁ ଶ୍ରୀହରି ।

ମଧୁପୁରେ ଉଗ୍ରସେନ ହୋଇଛି ରାଜନ

ପୁଣି ସେ ଦେଖିଲା ଅଷ୍ଟମଲ୍ଲଙ୍କ ନନ୍ଦନ ।

ଦେଖିଲା ଡିମ୍ବକ ମଲେ ମାଲ ଅଷ୍ଟସୁତେ

ଚିତ୍ରପଟେ ଦେଖି ଏହା ବିଚାରଇ ଚିତ୍ତେ ।

ଚିତ୍ରପଟ ଦେଖି କଂସ କରଇ ବିଚାର

ଦେଖିଲା କୃଷ୍ଣ ହସ୍ତରେ ମୃତ୍ୟୁ ଅଛି ମୋର ।

ମୋ ଇଷ୍ଟଦେବତା ମୋତେ ପ୍ରତ୍ୟକ୍ଷେଦେଖାଇ

ଦୁର୍ଗା ସ୍ଵର୍ଗ ଗଲେ ମୋତେ ଯାହା ଯାହା କହି

ବ୍ରହ୍ମା କହିଲେ ଶ୍ରୀକୃଷ୍ଣ ହସ୍ତରେ ମରିବୁ

ସୋଦର ଭଣଜା ତୋର ବିଶ୍ୱାସ ନଯିବୁ ।

ଏ ଚିତ୍ରପଟ ପ୍ରତ୍ୟକ୍ଷେ ଦେବୀ ଯେ ବିହିଲେ

ମୋ ମୃତ୍ୟୁ ଯହିଁରେ ଅଛି ତାହା ଦେଖାଇଲେ ।

ବଂଶ ମୋର ନାଶଯିବ ଲେଖାଅଛି ତହିଁ

ଦେବୀ ଆଜ୍ଞାକୁ କେମନ୍ତେ ମିଛ କରିବଇଁ ।

ଦିଗବିଜେବେଳେତୋଷେଦେବୀ ଦେଲେବର

ତୁ ଜିଣିବୁ ବୋଲି ଆଜ୍ଞା ଦେଲେ ତିନିପୁର ।

ଦେବୀଙ୍କର ଆଜ୍ଞା ମୋତେ ନୋହିଲା ମେଣ୍ଟନ

ଏବେ ସେହି ଦେବୀ ଦେଖିଦେଲେ ମୋ ମରଣ

ଏହିପରି କଂସ ରାଜା ମନରେ ଭାବିଲା

ପୁଣି ସେ ଚିତ୍ରପଟକୁ ନିରେଖି ଦେଖିଲା ।

ଯହିଁରେ ଦେଖିଲା ସେହି ଦେବକୀର ସୁତ

ସେ ଶ୍ରୀକୃଷ୍ଣ କଂସକୁ ଯେ କରୁଛନ୍ତି ହତ ।

ବିସ୍ମୟ ହୋଇଣ ଚିତ୍ରପଟକୁ ରଖିଲା

ତତକ୍ଷଣେ ଅନ୍ତପୁରେ ପ୍ରବେଶ ହୋଇଲା ।

ମଣୋହିରେ ବସି ସେହୁ କରଇ ବିଚାର

ନ ରୁଚଇ ଅନ୍ନ ତହୁଁ ହୋଇଲା ବାହାର ।

ପୁଣି ରତ୍ନ ପଲଙ୍କରେ ପହୁଡ଼ିଲା ଯାଇଁ

ତହିଁ ଛଟପଟ ହୁଏ ନିଦ୍ରା ନ ହୁଅଇ ।

କେବଳ ମନ ତାହାର କୃଷ୍ଣ ମାରିବାରେ

ବାହାରକୁ ଯାଇ ପୁଣି ପଶଇ ଭିତରେ ।

ଏହିପରି ଭାବେ କଂସ ହୁଅଇ ଅସ୍ଥିର

ଅଚ୍ୟୁତ ଦାସ କହଇ ନାହିଁ ତୋ ନିସ୍ତାର ।

 

Unknown

ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣଙ୍କର ଗମନ ରଜକ ବିନାଶ,
ଭାବବତୀ ପୁତ୍ରକୁ ଜୀବଦାନ

ପରୀକ୍ଷ କହନ୍ତି ଶୁଣ ଆହେ ବ୍ରହ୍ମପତି

ମଥୁରାକୁ ଯାଇ କୃଷ୍ଣ କଲେ କେଉଁ ରୀତି ।

ଶୁଣ ଶୁକ ମୁନିବର କହନ୍ତି ବଚନ

ଭାଗବତ ବାଣୀ ହରିବଂଶ ଏ ପୁରାଣ ।

ଶ୍ରୀକୃଷ୍ଣ କହନ୍ତି ବୃଦ୍ଧ ଗୋପାଳମାନଙ୍କୁ

ନନ୍ଦ ସଙ୍ଗେ ଯିବ ତୁମ୍ଭେ ମଥୁରାପୁରକୁ ।

ମଧୁପୁର ଯାଇଁ ଆମ୍ଭେ ଏକ୍ଷଣି ଦେଖିବୁ

ଗୋପାଳଙ୍କ ସଙ୍ଗେ ଆମ୍ଭେ ଏକ୍ଷଣି ଫେରିବୁ ।

ଏତେ ବୋଲି ଗୋପାଳଙ୍କୁ କୃଷ୍ଣ ସଙ୍ଗେ ଧରି

ଧୀରେ ଧୀରେ କଲେବିଜେ ଦେବ ଦଇତ୍ୟାରୀ

ବାଜଣା ବଜାନ୍ତି ନାନା ରଙ୍ଗେ ଆନନ୍ଦରେ

ମତ୍ତଭରେ ନାଚି ବଂଶୀ ବଜାନ୍ତି ସୁସ୍ୱରେ ।

ରଙ୍ଗଗଜା ଡାଳ ସେହୁଶିରେ ଖୋସିଛନ୍ତି

ହରି ହରି ବୋଲି ସେହୁ ଆନନ୍ଦେ ନାଚନ୍ତି ।

ରାମତାଳି ସଙ୍ଗେ ଶଙ୍ଗା ବୀର ତୂରୀ ନାଦ

ବୀଣା ରବ କାହାଳୀରେ ହୁଏ ସିଂହନାଦ ।

କରତାଳି ବଜାନ୍ତି ସେ ଶୁଭେ କିଣି କିଣି

ବାଦ୍ୟର ଶବଦେ କମ୍ପୁଅଛି ପୁର ତିନି ।

ଆନନ୍ଦେ ମଥୁରା ଦାଣ୍ଡେ କରନ୍ତି ଗମନ

ନୂପୁର ଶବଦ କମ୍ପେ ମଥୁରା ଭୁବନ ।

କଟିରେ କିଙ୍କିଣୀ ତହିଁ ମଧୁରେ ବାଜଇ

କୃଷ୍ଣ ମନ୍ଦହାସ ମଧୁପୁରକୁ ମୋହଇ ।

ନୃସିଂହ ରୂପକୁ ସେହି ରାମ ଛନ୍ତି ଧରି

ସେ ନୃସିଂହ ରୂପ ଦେଖି କମ୍ପେ ବସୁନ୍ଧରୀ ।

ମଧୁପୁର ଦେଖି କୃଷ୍ଣ କହନ୍ତିରେ କଂସ

ଭୋଗକରି ନ ପାରିଲୁ ବୃଥା ଗଲୁ ନାଶ ।

ଏ ମଧୁପୁରକୁ ତୁହି ନୋହୁ ଆରେ ଯୋଗ୍ୟ

ଏ ପୁର କରିବ ଆରେ ଉଗ୍ରସେନ ଭୋଗ ।

ଏମନ୍ତ ବିଚାରି କୃଷ୍ଣ କଲେ ନୃତ୍ୟଗୀତ

ନଗରର ନାରୀମାନେ ଧାଇଁଲେ ସମସ୍ତ ।

ରୁଣ୍ଡ ହୋଇକରି ଦେଖୁଛନ୍ତି ସର୍ବ ନାରୀ

କେ ବୋଲଇ ବେଗେ ଚାଲ ଦେଖିବା ଶ୍ରୀହରି

ଏହି ସମୟେ ରଜକ ରାଜାର ବସନ

ଭାରବହି ରାଜଦାଣ୍ଡେ କରଇ ଗମନ ।

ରଜକକୁ ଦେଖି କୃଷ୍ଣ ମନେ ବିଚାରିଲେ

କାହାର ବସନ ଏହୁ ନେଉଛୁ ବୋଇଲେ ।

ତାକୁ ଦେଖି କୃଷ୍ଣ ଡାକଦ୍ୟନ୍ତି ଆସବୋଲି

ନଶୁଣି ରଜକ ସୁଖେ ଯାଉଅଛି ଚାଲି ।

ପୁଣି କୃଷ୍ଣ ଡାକଦ୍ୟନ୍ତି ଆଣ ହେ ବସନ

ଶୁଣି କ୍ରୋଧରେ ରଜକ କହଇ ବଚନ ।

ଗୋପବୋଲି ମଧୁପୁର ଭାବିଛ ଗୋପାଳେ

କିମ୍ପା ଡାକ ତୁମ୍ଭେ ଭୟ ନାହିଁକି ମନରେ ।

ରାଜା ଲାଗି ମୁହିଁ ନିତି ବାସ ପଖାଳଇ

ରାଜାଙ୍କ ଛାମୁରେ ନେଇ ନିତି ମୁଁ ଦିଅଇ ।

ରଜକ ବଚନ ଶୁଣି ବୋଲନ୍ତି କହ୍ନାଇ

ଆମ୍ଭଙ୍କୁ ବସନ ଖଣ୍ଡେ ଦେଇଯାଅ ତୁହି ।

ଧନୁଉତ୍ସବ ଯାତ୍ରା ଆମ୍ଭେ ଦେଖିବାର ପାଇଁ

କଂସମାମୁଁ ଆମ୍ଭଙ୍କୁ ଯେ ଆଣିଛି ଡକାଇ ।

ଶୁଣି ରଜକ କ୍ରୋଧରେ ବୋଲଇ ବଚନ

ସବୁ ଜାତିରୁ ଗଉଡ଼ ଜାତି ଅଟେ ହୀନ ।

ନୀଚ ଜାତିଙ୍କର ଭାର ବୁହାରେ ଗଉଡ଼

କଟୁବାଣୀ କହ ତୁମ୍ଭେ ଅଟ ବଡ଼ ରାଢ଼ ।

ଖୁଡ଼ୀ ମାଈଁ ଭଉଣୀଙ୍କୁ ନକରି ବିଚାର

ବଡ଼ଘର ଝିଅବୋହୂ ବଳାତ୍କାରେ ହର ।

ଏତ ଗୋପପୁର ନୁହେଁ ଶୁଣ ନନ୍ଦସୁତ

ଯେତେ ଦୂତ ପେଶିଲା ତୁ ସବୁକଲୁ ହତ ।

ସେହିକଥା ମନେରଖ ଆଣିଅଛି ଧରି

ବିଚାରିଛୁ କି ଗୋପକୁ ସତେ ଯିବୁ ଫେରି ।

ରଜକ ବଚନେ କୃଷ୍ଣ ବୋଲନ୍ତି ଉତ୍ତର

ବୋଲନ୍ତି ରଜକ ଛାଡ଼ି ଗୁମାନ ତୋହର ।

ଦେବକୀ ସୁତ ମୁଁ ଅଟେ ଭଣଜା ରାଜାର

ଅକ୍ରୂରକୁ ପେଶି ଆଣିଅଛି ମଧୁପୁର ।

ଆମ୍ଭପାଇଁ ଧନୁଯାତ୍ରା ମାମୁଁ ଅଛି କରି

ଆମ୍ଭେ ସିନା ଭୋଗ କରିବୁରେ ମଧୁପୁରୀ ।

ମନରୁ ଛାଡ଼ ତୋହର ଯେତେକ ଗାରିମା

ନ ବିଚାରି ମନେ କିଛି ଦିଅ ବାସ ସିନା ।

ତୁଯାଇ ମାମୁଁ ଆଗରେ କହ ଯା ମୋହର

ବୋଲିବୁ ବସନ ନେଲେ ଭଣଜା ତୁମ୍ଭର ।

ମାମୁଁ ଶୁଣିକରି ଶାଢ଼ୀ ବଳା ତୋତେ ଦେବେ

ଏବେ ମାମୁଁ ବାସଦେଇ କହି ତାଙ୍କଠାବେ ।

କୃଷ୍ଣ ବଚନେ ରଜକ କ୍ରୋଧଭର ହେଲା

ରେ ଗଉଡ଼ ମୂଢ଼ ବାଇ ହୋଇଲବୋଇଲା ।

ଆକାଶରେ ଚାନ୍ଦ କିରେ ଧରି ଲୋଡ଼ି କର

ସ୍ୱର୍ଗର ସମ୍ପଦ ଭୋଗ କରରେ ମଞ୍ଚର ।

ରାଜାର ବସନ ପିନ୍ଧିବାକୁ ଇଚ୍ଛାକର

ଭୟ ନକରି ଗରବ ହୃଦୟରେ ଧର ।

ମୂର୍ଖ ଅଟ ଗଉଡ଼ରେ ବିଚାର ନ କର

ରାଜାର ବସନ ତୁମ୍ଭେ ପିନ୍ଧି ମନେକର ।

ଶ୍ୱାନ ହୋଇକରି ସୁଧା କରିବରେ ପାନ

ରାଜା ବାସ ପିନ୍ଧିବାକୁ ବିଚାରିଛି ମନ ।

ଶାକର ମୁଖେ ପାଚିଲା କଦଳୀର ଫଳ

ମର୍କଟ ଗଳାରେ କି ସୁନ୍ଦର ମୋତିମାଳ ।

ତୁମ୍ଭ ଶରୀରକୁ ପୁଣି ମୋତିମାଳ ବାସ

ପଳାଅ ଗଉଡ଼େ ଯେବେ ପ୍ରାଣେ ଅଛି ଆଶ ।

ରଜକ କଟୁ ବଚନେ କ୍ରୋଧ ହଳଧର

ରେ ରେକାର କରି ସେହୁ ଧଇଲେ ମୂଷଳ ।

ରାମଙ୍କୁ ଦେଖି ଶ୍ରୀକୃଷ୍ଣ ଗଲେ ଆଗ ହୋଇ

ଚାପୋଡ଼େ ମାଇଲା ରଜକକୁ ଭାବଗ୍ରାହୀ ।

ଛାଡ଼ିଲା ପିଣ୍ଡରୁ ପ୍ରାଣ ଭୂମିରେ ପଡ଼ିଲା

ତକ୍ଷଣେ ଶ୍ରୀକୃଷ୍ଣ ଅଙ୍ଗେ ସେହୁ ଲୀନ ହେଲା ।

ବିଷ୍ଣୁ ଲୋକେ ପୁଷ୍ପରଥେ ରଜକକୁ ନେଇ

ବୈକୁଣ୍ଠପୁରରେ ବିଷ୍ଣୁ ଲୋକରେ ବସାଇ ।

ଯାହାକୁ ସେହି ଶ୍ରୀକୃଷ୍ଣ କରୁଣା କରନ୍ତି

ବୈକୁଣ୍ଠପୁରରେ ବିଷ୍ଣୁପାଦ ସେ ଲଭନ୍ତି ।

ଯାହାକୁ କହନ୍ତି କୃଷ୍ଣ କ୍ରୋଧେ ପ୍ରାଣନାଶ

ସେ ପାଦ ଲଭି ବୈକୁଣ୍ଠପୁରେ କରେ ବାସ ।

ଶ୍ରୀକୃଷ୍ଣ ମହିମା କେହୁ କରିବ ବଖାଣି

ଯେ କୃଷ୍ଣ ମହିମା ଦେବେ ନ ପାରନ୍ତି ଜାଣି ।

ସେ ଶ୍ରୀକୃଷ୍ଣ ରାକଭୋଗ ବସନ କାଢ଼ିଲେ

ବେନିଭାଇ ବାଛି ବାଛି ତହିଁରୁ ପିନ୍ଧିଲେ ।

ରାମଙ୍କ ଅଙ୍ଗକୁ ଶୋଭା ଦିଶେ ଯେଉଁ ବାସ

ବାଛିଣ ପିନ୍ଧିଲେ ରାମ ହୋଇଣ ହରଷ ।

ସୁବଳ ସୁଦାମ ଥିଲେ ଯେତେ ଗୋପପୁରେ

ସମସ୍ତେ ବାଛିଲେ ବାସ ଯୋଡ଼ାଏ ଯୋଡ଼ାଏ

ଆନନ୍ଦ ହୋଇ ନୃପତି ବାସକୁ ପିନ୍ଧିଲେ

ହରଷ ହୋଇଣ ମଧୁଦାଣ୍ଡେ ଚଳିଗଲେ ।

ରଜକୁ ମାରିବା ଦେଖି ଦୁଷ୍ଟ ଲୋକମାନେ

ଭୟେ ପଳାଇ ସମସ୍ତେ ଗଲେ ଏଣେତେଣେ

ଦେଖି ମଧୁ ନରନାରୀ ମନରେ ଚକିତ

କେ ବୋଲଇ ଦେଖିବା ଗୋ ଚାଲ ନନ୍ଦସୁତ

ଧାଇଁଣ ହୋଇଲେ ଅସମ୍ଭାଳ ନାରୀମାନେ

କୃଷ୍ଣଙ୍କୁ ଦେଖି ଆନନ୍ଦ ହୋଇଲେ ସେମାନେ

କେ ନାରୀ ରନ୍ଧନ ନିଜ ଘରେ କରୁଥିଲା

ଗୋପ ବାଜଣା ତାହାର କର୍ଣ୍ଣକୁ ଶୁଭିଲା ।

ତଳେ ପକାଇ ବାଳକ ଗଲା କୃଷ୍ଣ ଦେଖି

ଦେଖି କୃଷ୍ଣଙ୍କୁ ପିଛାଡ଼ି ନ ପାରିଲା ଆଖି ।

ମଥୁରାଦାଣ୍ଡରେ ରାମ କୃଷ୍ଣଙ୍କୁ ଦେଖିଲା

ମୋହନ ରୂପ ସେ ଦେଖି ମୋହିତ ହୋଇଲା

ବିଚାରଇ ଏ ରୂପ ମୁଁ କେବେ ଦେଖି ନାହିଁ

ସାକ୍ଷାତେ ଯେ ବିଷ୍ଣୁ ଏହି ଛନ୍ତି ଜାତହୋଇ

ଶ୍ରୀକୃଷ୍ଣଙ୍କୁ ଦେଖି ତାର ଭ୍ରମ ହେଲା ଚିତ୍ତ

ଭାବବତୀ ଶରୀରରୁ ଜ୍ଞାନ ହେଲା ଜାତ ।

ବେନି ନୟନରୁ ତାର ବହେ ଅଶ୍ରୁଧାର

ଭାବଭରେ କମ୍ପମାନ ହୋଇଲା ଶରୀର ।

ହୃଦ ମଧ୍ୟେ କୃଷ୍ଣପାଦ ଧ୍ୟାନ କରୁଅଛି

କୃଷ୍ଣନାମ ବିନୁ ତାକୁ ନ ଶୁଭଇ କିଛି ।

ଯେବଣ ପୁତ୍ରକୁ ସେହି ଛାଡ଼ି ଆସିଥିଲା

ସେବାଳକ କାନ୍ଦି କାନ୍ଦି ଚୁଲ୍ଲୀରେ ପଡ଼ିଲା ।

ଅନଳର କୋପାନଳେ ହୋଇଲା ଦେହନ

ଫାଟିଗଲା ଅଙ୍ଗ ତାର ଦିଶିଲା ବିବର୍ଣ୍ଣ ।

ମସ୍ତକର କେଶ ଯେତେ ସବୁଗଲା ପୋଡ଼ି

ହାଡ଼ରୁ ମାଉଁସ ତାର ପଡ଼ିଲାକି ଝଡ଼ି ।

ପିଣ୍ଡରୁ ଶୀଘ୍ରତାହାର ଛାଡ଼ିଲା ଜୀବନ

ନାହାନ୍ତି ଗୃହରେ କେହି ହୋଇଅଛି ଶୂନ୍ୟ ।

ଯହିଁ କୃଷ୍ଣ ରହିଛନ୍ତି ସର୍ବେ ଛନ୍ତି ତହିଁ

ମନରେ ଭାବବତୀର ସ୍ୱାମୀ ବିଚାରଇ ।

ପୁତ୍ରକୁ ଆଣିଣ ମୁହିଁ ଦେଖାଇବି ନାଟ

ଶ୍ରୀକୃଷ୍ଣ ନାଟ ଦେଖିଣ ହୋଇବ ଉଚ୍ଚାଟ ।

ଏମନ୍ତ ବିଚାରି ଘରେ ବହନ ଆସିଲା

ନଦେଖି ଭାବବତୀର ଘରେ ସେ ପଶିଲା ।

ଡାକିଲା ଭାବବତୀ ଗୋ ଆସ ବେଗକରି

ଶ୍ରୀକୃଷ୍ଣ ନାଟ ଦେଖିବୁ ପୁତ୍ର ଆସ ଧରି ।

ଭାବବତୀର ନାମ ସେ ଉଚ୍ଚରେ ଡାକିଲା

ତାହାକୁ ନଦେଖି ସେହୁ ବହନ ଫେରିଲା ।

ବିଚାରଇ ସେ ବାଳୁତ ପୁତ୍ର ସଙ୍ଗେ ଧରି

ଯାଉଛି ଗଉଡ଼ ନାଟ ଦେଖି ସଧ କରି ।

ଶାଶୁ ଶ୍ଵଶୁର ଥାଆନ୍ତେ ଯେବେ ଘରେ ରହି

ଯାତ୍ରା ଉତ୍ସବ ନାଟ ସେ ଦେଖନ୍ତା ବା କାହିଁ ।

କୁଳ ହୁଆସୁଣୀ ଘରୁ ହୋଇଲା ବାହାର

ଆପଣାର ନେଇଗଲା ବାଳୁତ କୁମର ।

ଆଜି ଏହାଙ୍କୁ ଘରେ ରଖିବି ମୁଁ ନାହିଁ

ଧାଈ ରଖି ପୁତ୍ରକୁ ମୁଁ ଏବେ ପାଳିବଇଁ ।

ବାପଘରକୁ ତାହାର ଏବେ ମୁଁ ଛାଡ଼ିବି

ତାହାର ମାତା ପିତାକୁ ଏମାନ କହିବି ।

ବୋଲିବି ହୋଇଲା ତୋର ଝିଅ ଦୋଚାରିଣୀ

ପ୍ରତ୍ୟକ୍ଷେ ଦେଖିଲି ତେଣୁ ଛାଡ଼ିଲି ମୁଁ ଆଣି ।

ତୋ ଘରେ ତୋ ଝିଅ ଆଜ ଦିନରୁ ରହିଲା

ଯହୁଁ ପରପୁରୁଷରେ ତା ମନ ବଳିଲା ।

ପର ପୁରୁଷରେ ସେହୁ କରୁ ଘରଦ୍ଵାର

ଆମ୍ଭ ପିତୃଦେବଠାରୁ ହୋଇଲା ଅନ୍ତର ।

ତୋର ଝିଅରେ ମୋହର କାର୍ଯ୍ୟ ନାହିଁ ଆଉ

ପାଇଲୁ ତୋ ଝିଅକୁ ତୁ ରଖ ଗୋ ଆଜହୁଁ ।

ଏକା ପୁତ୍ରକୁ ଗୋ ମୋର ପାଳିବି ମୁଁ ନେଇ

କୁଳଗୋତ୍ର ଦେଖି ହୋଇବି ମୁଁ ଯାଇ ।

ଏହା ବିଚାରି ବିଚାରି ଗଲା କୃଷ୍ଣ ପାଶ

ଯହିଁ ଭାଗବତୀ ଥିଲା ହୋଇଲା ପ୍ରବେଶ ।

ଦେଖିଲା ଭାବବତୀର କୋଳେ ପୁତ୍ର ନାହିଁ

ମଧୁନାରୀ ମଧ୍ୟରେ ସେ ଅଛି ଉଭାହୋଇ ।

କାହାକୁ ନ କହି କିଛି ଫେରିଲା ସେ ଘର

ଘରେ ପଶି ନ ଦେଖିଲା ବାଳୁତ କୁମର ।

ପୁଣି କୃଷ୍ଣ ଥିଲାଠାରେ ପ୍ରବେଶ ହୋଇଲା

ସକଳ ଯୁବତୀଙ୍କର କୋଳରେ ଦେଖିଲା ।

ନଦେଖି ପୁତ୍ରକୁ ତାର ଗୃହକୁ ଆସିଲା

ଗମ୍ଭୀର ଘରକୁ ଯାଇ ସମସ୍ତ ଖୋଜିଲା ।

ନଦେଖି ପୁତ୍ରକୁ ସେହି ମନେ ବ୍ୟସ୍ତ ହୋଇ

ରୋଷାଇ ଘରକୁ ପଦ୍ମନିଧି ଦେଲା ଚାହିଁ ।

ଦେଖିଲା ଚୁଲୀର ଦ୍ଵାରେ ପଡ଼ିଛି ନନ୍ଦନ

ଧାଇଁ କୋଳକରି ସେହୁ କରଇ ରୋଦନ ।

ଦେଖିଲା ପୁତ୍ରର ଦେହ ଯାଇଅଛି ଜଳି

ପିଣ୍ଡରେ ଜୀବନ ନାହିଁ ପଡ଼ିଅଛି ଢଳି ।

ହା ପୁତ୍ର ବୋଲିଣ ସେହୁ କରଇ ରୋଦନ

ପଡ଼ୋଶୀ ନାରୀଏ ଶୁଣି ତାହାର କ୍ରନ୍ଦନ ।

ପଦ୍ମନ ଘରକୁ ଆସି ଦେଖିଲେ ବାଳୁତ

ଅଙ୍ଗ ଜଳି ମୃତ୍ୟୁମୁଖେ ହୋଇଛି ତପତ ।

ପଡ଼ୋଶୀ ନାରୀଏ ଦେଖି ବିକଳ ହୋଇଲେ

ଭାବବତୀ ହେତୁପୁତ୍ର ମଲା ଗୋ ବୋଇଲେ ।

ଦେଖିଗଲା କୃଷ୍ଣଙ୍କୁ ସେ ପୁତ୍ର ଛାଡ଼ିକରି

ତେଣୁ ଚୂଲୀପରେ ପୁତ୍ରମଲା ତାର ପଡ଼ି ।

ଅଜ୍ଞାନ ଅଟଇ ସେହି ବାଳୁତ ନନ୍ଦନ

ଜନ ପବନ ଅନଳ ତା ପକ୍ଷେ ସମାନ ।

ଦେଖ ଭାବବତୀ କେଡ଼େ ମନ୍ଦକୃତ କଲା

କୃଷ୍ଣ ଦେଖି ଗଲା କିମ୍ପା ପୁତ୍ରକୁ ନନେଲା ।

କୃଷ୍ଣ ଦେଖିବାରେ ମନ କଲା ଭାବବତୀ

ଗୋଟିକ ନନ୍ଦନ ମଲା ସରିଲା ସମ୍ପତ୍ତି ।

ବିକଳେ ପଦ୍ମନ ବୋଲେ ଶୁଣ ଆଗୋ ମାଏ

ଜଗିଥା ପୁତ୍ରକୁ ମୋର ମୁଁ ଆସିବା ଯାଏ ।

ଭାବବତୀକୁ ମୁଁ ମଧୁଦାଣ୍ଡରୁ ଆଣିବି

ଯମପୁରେ ତାକୁ ପୁତ୍ର ସଙ୍ଗତେ ପେଶିବି ।

ଏତେ କହି କୃଷ୍ଣ ଥିବା ସ୍ଥାନେ ଗଲା ଚଳି

ଦୂରୁ ଦେଖି ପତ୍ନୀକୁ ସେ କ୍ରୋଧେ ଦେଲା ଗାଳି

ଛାଟ ଦେଖାଇ ବହୁତ ଗର୍ଜ୍ଜନ କରଇ

ପୁତ୍ରକୁ ଘେନିଣ ଆଜ ସ୍ଵର୍ଗ ଯିବୁ ତୁହି ।

ତୋର ଯୋଗୁ ପୁତ୍ର ମୋର ଆଜ ନାଶଗଲା

ତୁମ୍ଭେ ନାରୀମାନେ ବାଟ ଛାଡ଼ ଗୋ ବୋଇଲା

ଭାଇବୋହୂ ତାହାର ଯେ ଥିଲା ତହିଁ ରହି

ଦେଖି ତାହାର ଭିତରେ ନପାରିଲା ଯାଇ ।

ଶୁଣି ନାରୀମାନେ ଭାବବତୀକୁ ଆବୋରି

ଚାଲ ଚାଲ ଭାବବତୀ ଯିବା ତୋର ପୁରୀ ।

ପୁତ୍ର ତ ତୋହର ପୋଡ଼ିଗଲା ଗୋ ସୁନ୍ଦରୀ

ନ ଶୁଣଇ ଭାବବତୀ ବଚନ କାହାରି ।

କୃଷ୍ଣପାଦେ ମନଦେଇ ହୋଇଅଛି ଭୋଳ

ବେନି ନୟନରୁ ବହିଯାଏ ଅଶ୍ରୁଜଳ ।

କେ ବୋଲଇ ପୁତ୍ର ତାର ମରିବାର ଶୁଣି

କାନ୍ଦଇ ବିକଳେ ସେତ ଶୁଣେନା କା ବାଣୀ ।

କେ ବୋଲେ କଥାଏ ମୋର ଶୁଣ ସର୍ବସହୀ

କୃଷ୍ଣ ଭାବେ ଭାବବତୀ ଅଛି ଭୋଳ ହୋଇ ।

କେ ବୋଲେ ମନକୁ ମୋର ଏହା ନ ଆସଇ

କେ ବୋଲେ କା ମନକଥା କେ ଜାଣିଛି ସହୀ ।

କେ ବୋଲେ ଶ୍ରୀକୃଷ୍ଣ ପାଶେ ଛିଡ଼ା ହୋଇଥିଲା

ମୁଖ ଚାହିଁ ଭୋଳ ହୋଇ ପୁତ୍ର ପାଶୋରିଲା ।

କେ ବୋଲେ ପୁତ୍ରକୁ ଚାଲ ଦେଖିବୁରେ ସହୀ

ସ୍ଵାମୀର ଦଣ୍ଡକୁ ଭୟ କରୁ କାହିଁପାଇଁ ।

ପୁଣି ପୁତ୍ର ହେବ ତୋର ବୟସ ନବୀନ

ହୋଇଥିଲା ବାରବର୍ଷେ ତୋହର ନନ୍ଦନ ।

ଚାଲ ଯିବା ସଖୀ ତୁରେ ନ ହୁଅ ବିକଳ

ଏମନ୍ତ କହି ସକଳେ ତହିଁ ହେଲେ ଠୁଳ ।

ଦେଖିଲେ ଭାବବତୀର ନାହିଁ ଚଇତନ

ଦେଖି ସକଳ ନାୟିକା ବିଚାରନ୍ତି ମନ ।

କେ ବୋଲେ ପୁତ୍ର ଚିନ୍ତାରେ ହୋଇଛି ଏସନ

କେ ବୋଲେ ପତିକି ଡରି ହେଲା ଅଚେତନ

କେହି କହେ ମାତା ପୁତ୍ର ଏକାଦିନେ ମଲେ

କେ ବୋଇଲା ଏହା ସେହୁ ମାଗି ଆସିଥିଲେ ।

କେ ମୁଖରେ ଜଳ ସିଞ୍ଚି କର୍ଣ୍ଣରେ ଫୁଙ୍କିଲା

ଉଠ ଉଠ ଭାବବତୀ ବୋଲି ଡାକଦେଲା ।

ଭାବବତୀ କୃଷ୍ଣପାଦେ ହୃଦେ ଧ୍ୟାନ କରି

କାନ୍ଦଇ ଆକୁଳ ହୋଇ ନେତ୍ରୁ ବହେ ବାରି ।

ଦେଖି ମଧୁନାରୀମାନେ କଲେ ଆଲିଙ୍ଗନ

କୃଷ୍ଣ ଭାବେ ଭାବବତୀ କରଇ ରୋଦନ ।

ମହା କୋଳାହଳ ଧ୍ୱନି ଉଠିଲା ସେଠାରେ

ସ୍ଥକିତ ହୋଇଣ ତହିଁ ରହିଲେ ଗୋପାଳେ ।

ତାହା ଶୁଣି କୃଷ୍ଣଚନ୍ଦ୍ର ପଚାରନ୍ତି ମନ

ଭାବଗ୍ରାହୀ ନାଥ ସଦା ଭାବରେ ବନ୍ଧନ ।

ଭାବବତୀ ଭାବେ ଭୋଳ ଜାଣିଲେ ଶ୍ରୀହରି

ତକ୍ଷଣେ ମିଳିଲେ ଯହିଁ ରୁଣ୍ଡ ସର୍ବନାରୀ ।

ବୋଇଲେ ସର୍ବେ କିମ୍ପାଇଁ ହୋଇଅଛ ଠୁଳ

କିମ୍ପାଇଁ ତୁମ୍ଭର ନେତ୍ରୁ ବହେ ଅଶ୍ରୁଜଳ ।

କିମ୍ପାଇଁ ଯୁବତୀ ଏକ ମୂର୍ଚ୍ଛାଗତ ଏଥି

କିଏବା ବିହିଲା ଦଣ୍ଡ କହ ଗୋ ଝଟତି ।

କି ରୋଗ ଏହାର ଅବା ଥିଲା ବାଲ୍ୟକାଳୁ

କହଗୋ ସଂଶୟ ଯାଉ ଆମ୍ଭର ମନରୁ ।

ଶୁଣି ମଧୁନାରୀମାନେ କହନ୍ତି ବିଚାରି

ବୋଇଲା ହେ କୃଷ୍ଣ ଏହା ପୁତ୍ର ଗଲା ମରି ।

ଦେଖିବାକୁ ଭାବବତୀ ତୁମ୍ଭଙ୍କୁ ଆସିଲା

ଅଜ୍ଞାନ ପୁତ୍ର ଚୁଲ୍ଲୀରେ ପଡ଼ି ତାର ମଲା ।

ଭାବବତୀ ଶୁଣି ତାହା ହେଲା ଅଚେତନ

ଯେତେହେଁ ଡାକିଲେ କେଭେ ନ କହେ ବଚନ

କେବଳ ବହୁଛି ବେନି ନେତ୍ରୁ ଅଶ୍ରୁଧାର

ଶୋକଭରେ ଅଙ୍ଗ ତାର ହୁଏ ଥରହର ।

ଶୁଣି ଭାବଗ୍ରାହୀ ଭାବବତୀ ପାଶେ ଗଲେ

କରୁଣା ନୟନେ ଦେବ ତାହାଙ୍କୁ ଚାହିଁଲେ ।

ମଥୁରା ନାରୀଙ୍କୁ ଚାହିଁ ବୋଲନ୍ତି ବଚନ

ଯାହା ମୁଁ କହୁଛି ତୁମ୍ଭେ ମନଦେଇ ଶୁଣ ।

ଯେବେ ଗୋ ଏହାର ପୁତ୍ର ହୋଇଲା ନିଧନ

ପୁତ୍ରମଲା ବୋଲି ଯେବେ କରୁଛି ରୋଦନ ।

ମଲା ପୁତ୍ର କାହିଁ ଆଉ ପାଇବ ଜୀବନ

ଅକାରଣେ ଭାବବତୀ କରୁଛି ରୋଦନ ।

ତୁମ୍ଭେ ମଧ୍ୟ ନାରୀମାନେ ଶୁଣ ମୋ ବଚନ

ବଞ୍ଚିବ ନାହିଁ ଏ ପୁତ୍ର କହୁଛି ପ୍ରମାଣ ।

ଏ ଭାବବତୀ ବହୁତ ପୁତ୍ର ପ୍ରସବିବ

ଯେଉଁ ପୁତ୍ର ମଲା ଆଉ ତାକୁ ନ ପାଇବ ।

ଯେବେ ଭାବବତୀ ମୋର ଭାବେ ଚିତ୍ତଦେଇ

କାନ୍ଦୁଥିବ ମୋ ପାଦକୁ ହୃଦମଧ୍ୟେ ଧ୍ୟାୟି ।

ନୋହିବ ତାହାର ପୁତ୍ର କଦାଚ ନିଧନ

ତୁମ୍ଭେ ସର୍ବନାରୀମାନେ ଶୁଣ ମୋ ବଚନ ।

ଘରକୁ ନିଅ ତାହାର ଦେଖୁପୁତ୍ର ମୁଖ

ମୋତେ ଦେଖିକାହିଁକି ସେ ହୋଇବ ନିରେଖ ।

ମୋତେ ଦେଖି ଯେବେ ଆସିଥିଲା ଭାବବତୀ

ତାର ପୁତ୍ର ମଲେ ମୋର ହୋଇବ ଅକୀର୍ତ୍ତି

ମାମୁଁ ଶୁଣିଲେ ବହିବେ ମୋହଠାରେ ରୋଷ

ଦେଖୁଛତ ତୁମ୍ଭେମାନେ ନାହିଁ ମୋର ଦୋଷ ।

ତୁମ୍ଭେ ଗୋ ଭାବବତୀକି ସଙ୍ଗେ ଘେନିଯାଅ

ଘରକୁ ନେଇ ତାହାର ପୁତ୍ରକୁ ଦେଖାଅ ।

ସ୍ଵାମୀକି ଏହାର ତୁମ୍ଭେ ବୁଝାଇ କହିବ

ଶୋଚନା କରିଲେ ପୁତ୍ର ଫେରିକି ଆସିବ ।

ପୁତ୍ର କଷ୍ଟଦିଏ ବଡ଼ ମାତାକୁ ଯନ୍ତ୍ରଣା

ମାତାର ହୃଦୟ ପୁତ୍ରକଷ୍ଟ କରେ ଚୂନା ।

ପୁତ୍ରର ଶୋକରେ ମାତା ତେଜଇ ଜୀବନ

ଜୀବନ ପଛକେ ଯାଏ ନ ଦେଖେ ନନ୍ଦନ ।

ଏତେ ବୋଲି କୃଷ୍ଣ ଭାବବତୀ କର ଧରି

ବୋଇଲେ ଭାବବତୀ ଗୋ ଯାଅ ନିଜପୁରୀ ।

ଏମନ୍ତ ସକଳ ନାରୀ ଭାବବତୀ ଧରି

ଧୀରେ ଧୀରେ ପ୍ରବେଶିଲେ ଯାଇ ତାର ପୁରୀ

ପଛେ ଭାବବତୀ ସ୍ଵାମୀ କରଇ ଗମନ

ବିଚାରଇ ଗଉଡ଼େ କି କଲେ ମନ୍ଦକର୍ମ ।

ଗଉଡ଼ଙ୍କ ହେତୁରୁ ମୋ ପୁତ୍ର ନାଶଗଲା

ଏବେ ମୋର କୁଳଗୋତ୍ର ସବୁ ନାଶଗଲା ।

ମୋ ଆଗରେ ଭାବବତୀ କର ସେ ଧଇଲେ

ମଧୁପୁର ନାରୀମାନେ ସର୍ବେ ତହିଁ ଥିଲେ ।

ଏବେ ମୋତେ ନିନ୍ଦାଭାଷା ସକଳେ କହିବେ

ତୋ ନାରୀହସ୍ତ ଗୋପାଳ ଧଇଲେ ଗରବେ

ଏମନ୍ତ ଭାବବତୀର ସ୍ୱାମୀ ମନେ କଲା

ନିଜ ନାରୀ ସଙ୍ଗେ ଆସି ଗୃହରେ ମିଳିଲା ।

ଏଥୁଅନ୍ତେ ଭାବବତୀ ନିଜ ଦ୍ୱାରେ ମିଳି

ଉଚ୍ଚରେ ଅଜ୍ଞାନରେ ପାରଇ ବୋବାଳି ।

ଯେଉଁ ନାରୀମାନେ ତାର ପୁତ୍ର ଜଗିଥିଲେ

ଭାବବତୀ କାନ୍ଦ ଶୁଣି ବାହାର ହୋଇଲେ ।

ଦ୍ୱାରେ ରହି ଭାବବତୀ ସେମାନଙ୍କୁ ଚାହିଁ

ବୋଇଲା ମୋ ପୁତ୍ର କାହିଁଅଛି ଦେଖା ସହୀ ।

ପୁଣି ଚିତ୍ତଭ୍ରମରେ ସେ କହେ ନାନାବାଣୀ

ହା ହା କୃଷ୍ଣଚନ୍ଦ୍ର ବୋଲି ଲୋଟଇ ଧରଣୀ ।

ପୁଣି ଡାକଇ ହେ କୃଷ୍ଣ ଆସ ବେଗକରି

ତୁମ୍ଭଙ୍କୁ ନ ଦେଖି ମୁହିଁ ଯାଉଅଛି ସରି ।

ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ତାର ମନ ଜାଣି

ସର୍ବଦା ଭାବରେ ବସ ଦେବ ଚକ୍ରପାଣି ।

ବିଚାରିଲେ ଭାବବତୀ ମୋହଠାରେ ମନ

ଦେଇଅଛି ହେବ କିମ୍ପା ତୋ ପୁତ୍ର ନିଧନ ।

ଏତେ ବୋଲି ତା ଭାବରେ କୃଷ୍ଣ ହେଲେ ବଶ

ପୁଣି ଡାକେ ଭାବବତୀ ଆସ ପୀତବାସ ।

ପୁତ୍ର ମରିବାରୁ ସେହୁ ନକରେ ଶୋଚନା

ଦେଇଅଛି ମନ କୃଷ୍ଣ ପାଦେ ନବାଙ୍ଗନା ।

କୃଷ୍ଣଙ୍କୁ ସୁପୁତ୍ର ପ୍ରାୟେ ମଣିକରେ ଭାବ

ଭାବବତୀ ମନ ତହିଁ ଜାଣିଲେ ମାଧବ ।

ଦୟାକରି ପୁତ୍ରକୁ ତା ଦେଲେ ଜୀବଦାନ

ତକ୍ଷଣେ ଉଠିଲା ସେହୁ ବାଳୁତ ନନ୍ଦନ ।

ଯହୁଁ ସେ ଜୀବନଦାନ କଲେ ନନ୍ଦବଳା

ଦ୍ୱିତୀୟ କୃଷ୍ଣ ପ୍ରାୟେ ତା ତେଜ ବିକାଶିଲା ।

ବାଳୁତ ସେ କାନ୍ଦି କାନ୍ଦି କରି ଆଣ୍ଠୁ ଆଇ

ମାତାମାତା ବୋଲିଣ ସେ ଉଚ୍ଚରେ କାନ୍ଦଇ ।

ପଡ଼ିଣ କାନ୍ଦଇ ପୁଣି ଉଠିଣ କାନ୍ଦଇ

ବରଷ ପୁରି ତ ନାହିଁ ଠିଆହେବ କାହିଁ ।

କାନ୍ଦି କାନ୍ଦି ମାତାପାଶେ ଆସନ୍ତେ ନନ୍ଦନ

ଦେଖିଣ ସକଳ ଜନେ ଆନନ୍ଦିତ ମନ ।

ଖଣ୍ଡେଦୂରୁ ଭାବବତୀ ପୁତ୍ରକୁ ଡାକିଲା

ଆସହେ ଶ୍ରୀକୃଷ୍ଣ ମୋର ଜୀବନ ବୋଇଲା ।

ଯହୁଁ ଆସ ଆସ ବୋଲି ଡାକିଲା ଯୁବତୀ

କାନ୍ଦି କାନ୍ଦି କୁମର ଯେ ଗଲା ତାର କତି ।

ପୁତ୍ର ଦେଖି ଭାବବତୀ ଆନନ୍ଦିତ ହୋଇ

କୋଳେ ଧରି ମୁଖେ ତାର ଚୁମ୍ବନ ଦିଅଇ ।

କ୍ଷୀର ପିଆଇ ପୁତ୍ରକୁ ଆନନ୍ଦ ତା ମନ

କୃଷ୍ଣ ମାୟା କଲେ ଯହୁଁ ବଞ୍ଚିଲା ନନ୍ଦନ ।

ପୁତ୍ରକୁ ତାହାର ଯେଉଁମାନେ ଜଗିଥିଲେ

ବଞ୍ଚିବା ଦେଖି ସେମାନେ ଚମକି ପଡ଼ିଲେ ।

ବୋଇଲେ ଏକଥା କାହିଁ ଦେଖା ତ ନଥିଲା

ମଲା ପୁତ୍ର କିପରି ଗୋ ଜୀବନ ପାଇଲା ।

ପଦ୍ମନ ଦେଖି ପୁତ୍ରକୁ ଆଶ୍ଚର୍ଯ୍ୟ ହୋଇଲା

ମୋର ବଡ଼ ଭାଗ୍ୟ ଦେଖ ମୋ ପୁତ୍ର ଜୀଇଁଲା

ମଲା ପୁତ୍ର କେଉଁପରି ପାଇଲା ଜୀବନ

ଦେଖୁଥିବା ଲୋକମାନେ ବିଚାରନ୍ତି ମନ ।

କୃଷ୍ଣ କହିଲାର କଥା ହୋଇଲାଟି ସତ

ଭାବବତୀ କୃଷ୍ଣ ପାଦେ ଦେଇଥିଲା ଚିତ୍ତ ।

ତେଣୁକରି ପୁତ୍ର ତାର ଜୀବନ ପାଇଲା

ଶ୍ରୀକୃଷ୍ଣ ସାକ୍ଷାତେ ବିନୁ ଏବେ ଜଣାଗଲା ।

ଆହୁରି କଥାଏ ସେ ତ କହିଥିଲେ ସହୀ

କେ ଜାଣି ତୁମ୍ଭର ମନେ ରହିଛି କି ନାହିଁ ।

ଯେବେ ଭାବବତୀ ପୁତ୍ରଶୋକେ ହତଜ୍ଞାନ

ହୋଇଥିବ ନ ବଞ୍ଚିବ ତାହାର ନନ୍ଦନ ।

ଭାବବତୀ ମନ ଏବେ ଜଣାଗଲା ସହୀ

କୃଷ୍ଣଭାବେ ବଶ ହୋଇଥିଲା ମୋହଯାଇ ।

ତେଣୁ ଭାବବତୀ ଭାବେ କୃଷ୍ଣ କଲା ବଶ

ତେଣୁ ତାହାର ନନ୍ଦନ ନୋହିବଟି ନାଶ ।

ଶତେଗୁଣ ବଳି ତାର ରୂପ ଗୋ ହୋଇଲା

ଭଲା ଭାବବତୀ କୃଷ୍ଣ ପାଦେ ମନଦେଲା ।

କେ ବୋଲଇ ସଖୀ ଶୁଣୁଥିଲା ଯାହା କର୍ଣ୍ଣ

ପ୍ରତ୍ୟକ୍ଷ ଭାବରେ ଏବେ ଦେଖିଲା ନୟନ ।

ନନ୍ଦ ବୁଡ଼ି ମଲା କୃଷ୍ଣ ଆଣିଲେ ଜୀଆଇଁ

ଏବେ ଭାବବତୀ ପୁତ୍ର ଦେଲେ ସେ ବଞ୍ଚାଇ ।

ମଧୁପୁର ଜନ ତାହା କହୁଥିଲେ ମିଛ

ଏବେ ନେତ୍ରଭରି ତାହା ଦେଖିଲେ ଗୋ ସ୍ଵଚ୍ଛ ।

କେ ବୋଲଇ ଭାବବତୀ ମୋହଗଲା ବେଳେ

କୃଷ୍ଣଙ୍କୁ ଦେଖିଲି ମୁହିଁ ନେତ୍ରେ ଯେତେବେଳେ ।

କେ ବୋଲଇ ଗହଳରେ ହେଉ ଠେଲାଠେଲି

କୃଷ୍ଣ ଅଙ୍ଗେ ମୋର ଅଙ୍ଗ ଲାଗିଲା ଦେଖିଲି ।

କେ ବୋଲଇ ମୋପଛୁକେ ଠେଲାଦେଲା ମାରି

କୃଷ୍ଣର ଉପରେ ମୁହିଁ ଝୁଣ୍ଟିଣ ପଡ଼ିଲି ।

କିଛି ମୋତେ ନକହି ସେ ହସି ମନ୍ଦମନ୍ଦ

ଚଳିଲେ ଭାବବତୀର ପାଶକୁ ଗୋବିନ୍ଦ ।

କେ ବୋଲେ ଅଞ୍ଚଳ ତାର ଭୂମି ଲୋଟିଥିଲା

ସାଉଁଟି ଧାଇଁଲି ମୋତେ କିଛି ନ କହିଲା ।

କେ ବୋଲେ କଟୀରୁ ବଂଶୀ ପଡ଼ିଲା ଦେଖିଲି

ଗୋଟାଇ କୃଷ୍ଣର ହସ୍ତେ ଧରାଇ ମୁଁ ଦେଲି ।

କେ ବୋଲେ ତାମ୍ବୁଳ ପିକ ଅଧରୁ ପଡ଼ିଲା

ଦେଖଗୋମୋଶାଢ଼ୀରେ ତା ଲାଗିଛି ବୋଇଲା

କେ ବୋଲେ କେଡ଼େ ମଧୁର ବଚନ କହଇ

କୋକିଳ ସ୍ଵନରୁ ବଳି ମଧୁର ଶୁଭଇ ।

କେ ବୋଲଇ ଭାବବତୀ ଧନ୍ୟ ତୋ ଜୀବନ

ତୋତେଦେଖି ଆସିଥିଲେ ନନ୍ଦର ନନ୍ଦନ ।

ତୋ ଯୋଗେ ଦେଖିଲୁ ଆମ୍ଭେ ନୟନ ପୁରାଇ

ଏକକୁ ଅନେକ ନାରୀ ଏସନ କହଇ ।

ଶ୍ରୀକୃଷ୍ଣଙ୍କ ବଂଶୀ ସ୍ୱର ଶୁଭିଲା ଏ କାଳେ

ପୁଣି ଭାବବତୀ ତାର ସ୍ୱାମୀପାଶେ ବୋଲେ ।

ଏହି ପୁତ୍ର ନିଅ କୃଷ୍ଣ ପାଦତଳେ ଦିଅ

ବୋଲିବ ହେ କୃଷ୍ଣ ତୁମ୍ଭେ ଏ ବାଳକ ନିଅ ।

ଭାବବତୀ ବଚନରେ ବୋଲଇ ପଦ୍ମନ

ଏ ବାଳକ ତୋହର ଗୋ ଅଟଇ ନନ୍ଦନ ।

ଏ କୁମର ନିଅ ତୁହି କୃଷ୍ଣପାଶେ ଦେବୁ

ତୋର ମନେ ଯାହାଥିବ ତାହା ତୁ କରିବୁ ।

ସ୍ୱାମୀର ବଚନେ ପୁତ୍ର ଭାବବତୀ ନେଲା

କୃଷ୍ଣ ଥିବାଠାରେ ଯାଇ ପ୍ରବେଶ ହୋଇଲା ।

ଦୂରୁ ଦେଖି ତାକୁ ହରି ବିଚାରନ୍ତି ମନେ

ଏ ତ ଭାବବତୀ ଫେରି ଆସୁଅଛି ଏଣେ ।

ପୁତ୍ର ମଲାରୁ ପଦ୍ମନ କ୍ରୋଧେ ଡାକିନେଲା

କେମନ୍ତେ ସେ ପୁତ୍ର ତାର ଜୀବନ ପାଇଲା ।

ଦେଖ ଆସୁଛି ପୁତ୍ରକୁ ଧରି ଭାବବତୀ

କହୁ କହୁ ଭାବବତୀ ମିଳେ କୃଷ୍ଣ କତି ।

ଶ୍ରୀକୃଷ୍ଣ ପାଦେ ପୁତ୍ରକୁ ଥୋଇଦେଲା ନେଇ

ବିନୟ ହୋଇଣ କରି ଯୋଡ଼ିଣ କହଇ ।

ବୋଲଇ ଭୋ କୃଷ୍ଣ ତୁମ୍ଭେ ଏ ନନ୍ଦନ ନିଅ

ମୋର ଦୋଷ କ୍ଷମାକର ଦେବକୀର ପୁଅ ।

ବୋଇଲେ ଭାବବତୀର ବାକ୍ୟେ ଦାମୋଦର

ଘେନି ତୋ ପୁତ୍ରକୁ ଏବେ ଯାଅ ନିଜପୁର ।

ନ ପାଇବୁ ଦୁଃଖ ତୁ ଗୋ ସୁଖରେ ରହିବୁ

ଅନ୍ତଃକାଳେ ଯାଇ ବିଷ୍ଣୁପାଦ ତୁ ଲଭିବୁ ।

ଏମନ୍ତ କହି ଶ୍ରୀକୃଷ୍ଣ ତହୁଁ ଚଳିଗଲେ

ଚାଲନ୍ତି ଗୋପାଳେ ରାମ ସଙ୍ଗେ କୁତୂହଳେ ।

ମଥୁରାର ନରନାରୀ ଆସୁଛନ୍ତି ଧାଇଁ

କୃଷ୍ଣଙ୍କୁ ଦେଖିବା ପାଇଁ ମନେ ଗର୍ବ ବହି ।

ନୟନେ କଜ୍ଜ୍ୱଳ କେଉଁ ସଖୀ ରଞ୍ଜୁଥିଲା

କୃଷ୍ଣ ବଂଶୀସ୍ଵନ ଶୁଣି ବେଗି ସେ ଧାଇଁଲା ।

ବାମ ନୟନେ କଜ୍ଜ୍ୱଳ ରଞ୍ଜିଥିଲା ସେହି

ଦକ୍ଷିଣ ନୟନେ ଆଉ ଘେନିପାରି ନାହିଁ ।

ଧାଇଁ ରାମକୃଷ୍ଣ ମଧୁଦାଣ୍ଡରେ ଦେଖିଲା

ଏକ ନାରୀ ଦେଖି ତାକୁ ବହୁତ ହସିଲା ।

କେହୁ ସ୍ନାନ କରି ଆସି ବାସ ପିନ୍ଧୁଥିଲା

ଅଧେକ ପିନ୍ଧି ଅଧେକ ପିନ୍ଧି ନ ପାରିଲା ।

ମୁକୁଳା କୁନ୍ତଳ ମୁଣ୍ଡେ ବାସ ନାହିଁ ତାର

କୃଷ୍ଣଙ୍କୁ ଦେଖିବ ବୋଲି ଆସଇ ଚଞ୍ଚଳ ।

ଚିତ୍ତଭ୍ରମେ କାହାକୁ ସେ ଚିହ୍ନି ନ ପାରଇ

ଦିଅର ବୋଲିଣ ଦେଢ଼ଶୁର ମୁଖ ଚାହିଁ ।

ଦେଖିଲା ସେ ଦେଢ଼ଶୂର ମୁଖକୁ ଅନାଇ

ଲଜ୍ଜାଭରେ ମୁଖ ପୋତି କିଛି ନ କହଇ ।

କେ ବସି ସ୍ଵାମୀ ଚରଣ ଧରି ଚାପୁଥିଲା

ପଡ଼ୋଶୀ ଯୁବତୀ ଆସି ତାହାକୁ ଡାକିଲା ।

ଆସ ଆସ କୃଷ୍ଣଙ୍କୁ ଗୋ ଦେଖିଯିବା ସଖୀ

ଧାଇଁଲା ସ୍ୱାମୀର ପାଦ ଛାଡ଼ି ଚନ୍ଦ୍ରମୁଖୀ ।

କେ ନିଜ ସ୍ୱାମୀକୁ ଆଣି ଅନ୍ନ ଦେଉଥିଲା

ଅଧେକ ଦେଇ ଅଧେକ ତଳେ ପକାଇଲା ।

କୃଷ୍ଣର ବାଜଣା ଶୁଣି ଧାଇଁଲା ଯେ ଖରେ

ଚକିତ ଭାବେ ତା ସ୍ୱାମୀ ଦେଖେ ନୟନରେ ।

କେ ନଣନ୍ଦ ସଙ୍ଗତରେ କରୁଥିଲା କଳି

କୃଷ୍ଣର ବାଜଣା ଶୁଣି ତାର ପାଦେ ପଡ଼ି ।

ନ କହିବ ତୁମ୍ଭ ଭାଇ ଆଗରେ ଗୋ ସହୀ

କୃଷ୍ଣଙ୍କୁ ଦେଖି ଏଣିକି ଫେରିବି ଗୋ ମୁହିଁ ।

ଶୁଣି ନଣନ୍ଦ ତାହାକୁ କ୍ରୋଧରେ କହଇ

କିଲୋ କଳିହୁଡ଼ି ତୋର ମୁଖେ ଲାଜନାହିଁ ।

ବାପଘରୁ ଆସିଛୁ ତୁ କାଲି ଆମ୍ଭ ଘର

କୁଳ ଭୁଆସୁଣୀ ହେବୁ କେମନ୍ତେ ବାହାର ।

ପିତା ମାତା ଏ ବୁଦ୍ଧିକି ଅଛନ୍ତି ଶିଖାଇ

ମହତକୁ ତୋହର ଲୋ ତିଳେ ଭୟନାହିଁ ।

ମୋ ଭାଇ ଆସିଲେ ଆଜି ଏକଥା କହିବି

ବହୁତ ମାଡ଼ ମୁଁ ଆଜି ତୋତେ ମରାଇବି ।

ନାସିକା ଶ୍ରବଣ ତୋର କାଟି ମୋର ଭାଇ

ଆଜି ତୋର ବାପଘରେ ଛାଡ଼ିଦେବେ ନେଇ ।

କ୍ରୋଧରେ ଏମନ୍ତ ଯହୁଁ ନଣନ୍ଦ କହିଲା

ଭୟରେ ଗମ୍ଭିରୀ ଘରେ ଭାଉଜ ପଶିଲା ।

କୃଷ୍ଣ କୃଷ୍ଣ ବୋଲିଣ ଯେ ମନରେ ଭାବଇ

ନ ଦେଖିଲି ପ୍ରଭୁ କେଡ଼େ ଅଭାଗିନୀ ମୁହିଁ ।

ଧିକ ଧିକ ଜୀବନ ମୋ ଏହିକ୍ଷଣି ଯାଉ

ଶ୍ରୀକୃଷ୍ଣ ପଦ ପଙ୍କଜ ନ ଦେଖିଲା ଯହୁଁ ।

ଏମନ୍ତ ବିଚାରି ବାଳା କୃଷ୍ଣଙ୍କୁ ଭାବିଲା

ମନ ଚଇତନ କୃଷ୍ଣ ପାଦେ ସମର୍ପିଲା ।

ବିଚାରେ ନଣନ୍ଦ ମୋତେ ଭଗାରୀ ହୋଇଲା

କୃଷ୍ଣ ଦେଖିବାକୁ ମୋତେ ମନା ସେହୁକଲା ।

ଏ ନଣନ୍ଦ ଲାଗି ମୁହିଁ ମରିବି ଜୀବନେ

ଯେବେ ନ ଦେଖିବି ଆଉ କୃଷ୍ଣଙ୍କୁ ନୟନେ ।

ଦଉଡ଼ି ଦେବାକୁ ଗଲେ ପଶିଲା ସେ ଘରେ

କୃଷ୍ଣ ଚିନ୍ତି ଆଣି ଲଗାଇଲା ସେ ଗଳାରେ ।

ଅନ୍ତର୍ଯ୍ୟାମୀ ନାଥ ତାର ମନକୁ ଜାଣିଲେ

ନଣନ୍ଦ ମନେ ଉତ୍କଣ୍ଠା ଜାତ କରାଇଲେ ।

ନଣନ୍ଦ ନାମରେ କୃଷ୍ଣ ବଂଶୀ ବଜାଇଲେ

ଆସ ଆସ ସଖି ବୋଲି ବଂଶୀରେ ଡାକିଲେ ।

ତକ୍ଷଣେ ମନ ତାହାର ହେଲା ଛନଛନ୍ନ

କୃଷ୍ଣଙ୍କୁ ଦେଖି ଯିବାକୁ ହୋଇଲା ଉଚ୍ଛନ୍ନ ।

ଭାଉଜକୁ ଡାକଇ ସେ ଅଜ୍ଞାନ ହୋଇଣ

କୃଷ୍ଣ ଦେଖିଯିବ ପରା ଆସ ଗୋ ବହନ ।

ବୋଲେ ଆସ ଭାଉଜ ଗୋ ଗମ୍ଭିରୀ ଭିତରୁ

କୃଷ୍ଣଙ୍କୁ ଦେଖିବା ଆମ୍ଭେ ଯାଇଁ ବହୁଦୂରୁ ।

ନଣନ୍ଦ ବଚନେ କୋପେ ଭାଉଜ ବୋଲଇ

ପୋଡ଼ିଲା ଘାଆରେ ଚୂନ ଲଗାଉ କିମ୍ପାଇଁ ।

ଭାଉଜ ବାକ୍ୟେ ନଣନ୍ଦ ବିନୟ କହିଲା

ବହୁତ ବଚନ ଆଜ ନ କୁହ ଗୋ ବାଳା ।

ଚାଲ ଚାଲ ସଖୀ ଦେଖିଯିବା ରାମ ହରି

ଦେଖୁଛନ୍ତି ମିଳି କେତେ ଭୁଆସୁଣୀ ନାରୀ ।

ବିଳମ୍ବ ନ କରି ଚାଲ ଚାଲ ବେଗେ ଯିବା

ନୟନେ ରାମକୃଷ୍ଣଙ୍କୁ ଦେଖି ଗୋ ଫେରିବା ।

ନଣନ୍ଦ ବଚନେ କୋପେ ଭାଉଜ ବୋଲଇ

କିମ୍ପାଇଁ ନଣନ୍ଦ ତୁମ୍ଭେ ହୋଇଅଛ ବାଇ ।

ତୁ ତ ଭୁଆସୁଣୀ କାଲି ଶାଶୁଘର ଯିବୁ

ଆଜି କିପରି ମଥୁରା ଦାଣ୍ଡେ ଠିଆହେବୁ ।

ଗେରସ୍ତ ଦିଅର ତୋର ଥିବେ ଯହିଁ ରହି

ଶାଶୁ ନଣନ୍ଦ ତୋହର ଦେଖୁଥିବେ ଯାଇଁ ।

ତୋତେସେମାନେ ନିଶ୍ଚୟେ ଦେଖିବେ ସେଠାରେ

ମୋତେ ଦେଖିଲେ ତ ଆଉ ନରଖିବେ ଘରେ ।

ତୋହେତୁରୁ ମୋତେ ଦାଣ୍ଡଠିଆ କରିଦେବେ

ମୋର ବାପମାଆ ମୋତେ ଭର୍ତ୍ସନା କରିବେ ।

ଦେଖି ନ ଯିବି ମୁଁ କୃଷ୍ଣ ତହିଁ କାର୍ଯ୍ୟ ନାହିଁ

ତୋ ମନହିଁ ଆସୁଅଛି ଯେବେ ଦେଖଯାଇଁ ।

ଶୁଣିଣ ନଣନ୍ଦ ତାର ପାଦରେ ପଡ଼ିଲା

ଏମନ୍ତ ସମୟେ ଶାଶୁ ସେଠାରେ ମିଳିଲା ।

ଦୂରୁ ଦେଖିଣ ବୋହୂକୁ ଗାଳି ସେ ଦିଅଇ

ବୋଲେ ମୋ ଝିଅତୋ ପାଦେ ପଡ଼ିଛି କିମ୍ପାଇଁ

କାଲି ଆସିଣ ଏଡ଼େ ଲୋ ଗରବ ତୋହର

କି କଥାରେ ମୋ ଝିଅକୁ କଲୁ ନାରଖାର ।

କିଲୋ ଚାଣ୍ଡାଳୁଣୀ ଝିଅ ଡର ତୋତେ ନାହିଁ

ମାଡ଼ ମରାଇବି ତୋତେ ମୋ ପୁଅକୁ କହି ।

କହ କିମ୍ପା ପଡ଼ିଛି ମୋ ଝିଅ ତୋ ପାଦରେ

ପଙ୍କିଳ ହୋଇଛି ଗଣ୍ଡ ଲୋତକର ଧାରେ ।

ଏମନ୍ତ ବୋଲି ବୋହୁକୁ ଶାଶୁ ଦେଲା ଗାଳି

ଶାଶୁ କଥା ଶୁଣି ପାଦ ବୋହୂର ନ ଚଳି ।

ଶାଶୁକୁ କହଇ ବୋହୂ ଭୟକରି ଧୀରେ

ନଣନ୍ଦକୁ ଉଠାଇଣ ଧରିଅଛି କରେ ।

ବୋଲଇ କହିଲେ ତୁମ୍ଭ ଝିଅ ମୋତେ ଯାହା

ମୋ ମନକୁ ନ ଆସିଲା ମନାକଲି ତାହା ।

ବୋଇଲେ ଚାଲ କୃଷ୍ଣଙ୍କୁ ଦୁହେଁ ଦେଖିଯିବା

ଲୁଚିକରି ଯାଇ କୃଷ୍ଣ ଦେଖିଣ ଫେରିବା ।

ମୁଁ ବୋଇଲି କାଲି ତୁମ୍ଭେ ଯିବ ଶାଶୁଘର

ଦେଖିଲେ ତୁମ୍ଭଙ୍କୁ ଲୋକେ ହସିବେ ସେଠାର

ନ ମାନିଣ ସେ କଥାକୁ କରନ୍ତି କଟାଳ

ନାସ୍ତି କରନ୍ତେ ପଡ଼ିଲେ ମୋରି ପାଦତଳ ।

ଶାଶୁ ଶୁଣିଣ ବୋହୂକୁ ବୋଲଇ ବଚନ

ବାପଘର ଝିଅ ଯାତ୍ରା ଦେଖିଗଲେ ପୁଣ ।

ତୋର ଦୋଷ ହୁଅଇ କି ନଯିବ କାହିଁକି

ବାପଘରେ ଯାଇ ଯାତ୍ରା ତୁ ଦେଖିନାହୁଁ କି ।

ବୋହୂ ବୋଲଇ ଗୋ ତୁମ୍ଭେ ବୁଝି ଭଲମତେ

ଦୁହେଁ ଦେଖିଯିବା ପାଇଁ କହିଲେ ସେ ମୋତେ

ଶାଶୁ ବୋଲଇ ମୋ ଝିଅ ଦେଖିବ କି ଆଉ ।

ମୁଁ ଜଗିଛି ଘର ତୁମ୍ଭେ ଯାଅ ଝିଅବୋହୁ ।

ବହୁତ ଅଛନ୍ତି କୁଳ ଭୁଆସୁଣୀମାନେ

ଦେଖୁଛନ୍ତି କୃଷ୍ଣଙ୍କୁ ମୁଁ ଦେଖିଲି ନୟନେ ।

ଶାଶୁର ବଚନେ ମନ ଆନନ୍ଦ ସେ କଲେ

ନଣନ୍ଦ ଭାଉଜ ଦୁହେଁ କୃଷ୍ଣ ଦେଖିଗଲେ ।

କେହି ବସି ଖୋସା ଖୋସୁଥିଲା ନିଜ ଘରେ

କୃଷ୍ଣ ବଂଶୀସ୍ଵନେ ଶୁଣି ଗଲା ଧାତିକାରେ ।

କେଶ ମୁକୁଳା କାହାର ମହୀରେ ଲୋଟଇ

ମଥୁରା ଦାଣ୍ଡେ କୃଷ୍ଣଙ୍କୁ ଦେଖିଲା ସେ ଯାଇ ।

ବାଳକକୁ ପଲ୍ୟଙ୍କେ କେ ଧରିଥିଲା ଶୋଇ

କୃଷ୍ଣ ଆଗମନ ସ୍ଵପ୍ନ ପ୍ରାୟ ସେ ମଣଇ ।

ମଥୁରା ଦାଣ୍ଡରେ ଯହୁଁ ଚହଳ ଶୁଭିଲା

ବାଳକକୁ ଛାଡ଼ି ସେହୁ ଚମକି ଉଠିଲା ।

କେଶ ବାସ ଅସମ୍ଭାଳେ ବେଗେ ଗଲା ଧାଇଁ

ମଥୁରା ଦାଣ୍ଡରେ କୃଷ୍ଣ ଦେଖିବାର ପାଇଁ ।

ଆନନ୍ଦ ମନରେ ରାମକୃଷ୍ଣଙ୍କୁ ଦେଖିଲା

ମୋହନ ମୂରତି ଦେଖି ମୋହିତ ହୋଇଲା ।

ଏ ପ୍ରକାରେ ମଧୁପୁର ନାରୀମାନେ ତହିଁ

କୃଷ୍ଣ ଦର୍ଶନ ନିମନ୍ତେ ବିହ୍ୱଳିତା ହୋଇ ।

ପତିତନୟଙ୍କୁ ଛାଡ଼ି ହୋଇ ଅସମ୍ଭାଳ

କୃଷ୍ଣଙ୍କୁ ଦେଖି ମଥୁରା ଦାଣ୍ଡେ ସେ ସକଳ ।

ଶ୍ରୀକୃଷ୍ଣ ରୂପ ଲାବଣ୍ୟ ଦେଖିଣ ସେମାନେ

ଭାବନ୍ତି ବିଧାତା ଗଢ଼ିଥିଲା କେତେଦିନେ ।

କାହିଁ ସେ ସୁନ୍ଦର ରୂପ ଲୁଚି ରହିଥିଲେ

ଯୁବତୀ ମୋହିବା ପାଇଁ ଏଠାକୁ ଆସିଲେ ।

ମନେ ମନେ ନିଜକୁ ସେ ଧିକ୍‌କାର କରନ୍ତି

ଭାଗ୍ୟ ନାହିଁ ୟାଙ୍କ ସଙ୍ଗେ କରିବାକୁ ପ୍ରୀତି ।

କାମେ ଭୋଳ ହେଲେ ମଧୁପୁରର ଯୁବତୀ

ଏକକୁ ଆରେକ ଏହା କୁହାକୁହି ହୋନ୍ତି ।

ପୁଣି କଂସକୁ ଧିକ୍‌କାର କରନ୍ତି କାମିନୀ

ଏହାଙ୍କୁ ମାରି କି ଯଶ ଲଭିବୁରେ ପୁଣି ।

କେମନ୍ତେ ତୋହର ହାତ ବଳିବରେ ସତେ

ମାରିବା ନିମନ୍ତେ ଧରି ଆଣିଅଛୁ ଏଥେ ।

ଧିକ ତୋର ବୁଦ୍ଧିବଳ ଧିକ ତୋ କୌଶଳ

ତାହାଙ୍କୁ ମାରିବା ପାଇଁ କରିଛୁ ବିଚାର ।

ମାଳ କୁବଳୟା ଗଜ ଆଦି ରଖି ଦ୍ୱାରେ

ମାରିବା ଉପାୟ କରୁ ନାନା ପରକାରେ ।

ଏପରି ଲାବଣ୍ୟ ରୂପ ଦେଖିବୁରେ କାହିଁ

ତୋପରି ନିଷ୍ଠୁର ତିନି ଜଗତରେ ନାହିଁ ।

ଏ ରାଜ୍ୟରେ ଧାତା କାହିଁପାଇଁ ବାସ ଦେଲା

ଏପରି କଥା ଆମ୍ଭଙ୍କୁ କିମ୍ପା ଶୁଣାଇଲା ।

ଚାଲଗୋ ଏ ରାଜ୍ୟେ ଆମ୍ଭେ ଆଉ ନ ରହିବା

ଏପରି ନିଷ୍ଠୁର କଥା କର୍ଣ୍ଣେ ନ ଶୁଣିବା ।

ଏ ପାପୀ କଂସକୁ ମନ୍ଦ ହେଲାଣି ଦଇବ

କେମନ୍ତେ ଏହାକୁ ଆଉ ଧରମ ସହିବ ।

ଭଣଜାକୁ ମାରିବାକୁ କରିଛି ବିଚାର

ଫୁଟିଯାଉ ଆଖି ଛାତି ଫାଟିଯାଉ ତାର ।

ଏମନ୍ତ ପ୍ରକାରେ ମଧୁପୁର ନାରୀଗଣେ

କଂସକୁ ଧିକ୍‌କାର କରନ୍ତି ସେ ମନେମନେ ।

ଥୋକେ ନାରୀ ଏହିକଥା ଭାବିଣ ମନରେ

କୃଷ୍ଣଙ୍କୁ ଦର୍ଶନ କରି ଫେରିଲେ ସେ ଘରେ ।

ଥୋକେ ନାରୀ କୃଷ୍ଣପାଦେ ଲୟ ଲଗାଇଣ

ମଥୁରା ଦାଣ୍ଡରେ ହୋଇଲେ ଅଚେତନ ।

ଥୋକେ ନାରୀ କୃଷ୍ଣଙ୍କର ରୂପ ଦେଖିକରି

ହତଜ୍ଞାନ ହୋଇଲେ ସେ କାମେ ହୋଇ ଘାରି ।

ଅଚ୍ୟୁତ ଦାସ ସେ ରୂପ ଦେଖି ମଧୁପୁରେ

ଦାସପଣେ ରହିଲା ନାରୀଙ୍କ ମେଳରେ ।

 

Unknown

ଶ୍ରୀକୃଷ୍ଣଙ୍କୁ କୁବୁଜା ଗନ୍ଧଚନ୍ଦନ ଦେବା, କୁବୁଜାର ସୁନ୍ଦର ରୂପ

ଶୁକମୁନି କହୁଛନ୍ତି ପରୀକ୍ଷ ଆଗରେ

ଏଣିକି ଯାହା ଘଟିଲା ଶୁଣ ମଧୁପୁରେ ।

ଶ୍ରୀକୃଷ୍ଣ ଚରିତ ଏହୁ ଅସମ୍ଭବ ଗୀତ

ପଢ଼ିଲେ ଶୁଣିଲେ ଜନେ ହୋଇବେ କୃତାର୍ଥ ।

ଜନ୍ମଜନ୍ମାନ୍ତର ପାପ ଅଙ୍ଗରୁ ନାଶିବ

ଅନ୍ତକାଳେ ବଇକୁଣ୍ଠ ଭୋଗ ଯେ ମିଳିବ ।

ଏବେ ଶୁଣ ଶ୍ରୀକୃଷ୍ଣ ଯେ କରିଲେଟି ଯାହା

ବୁଝାଇ ତୁମ୍ଭ ଆଗରେ କହୁଛି ମୁଁ ତାହା ।

ମଥୁରାଦାଣ୍ଡେ ଶ୍ରୀକୃଷ୍ଣ କରନ୍ତି ଗମନ

ବଜାଇଣ ନାନା ବାଦ୍ୟ କରି ବଂଶୀସ୍ଵନ ।

ଆନନ୍ଦରେ ଗାଲତୁରୀ ଗୋପାଳେ ମାରନ୍ତି

ଧୀରେ ଧୀରେ ମଥୁରାର ଦାଣ୍ଡେ ସେ ଚାଲନ୍ତି

ଉଛୁଳଇ ମଧୁପୁର କୃଷ୍ଣ ବାଜଣାରେ

ଶୁଣି କୁବୁଜା ବିଚାର କଲା ତା ମନରେ ।

କୃଷ୍ଣ ଆଜି ରଜକକୁ ଚାପୋଡ଼େ ମାଇଲେ

ଛିଡ଼ିଣ ପଡ଼ିଲା ମୁଣ୍ଡ ଅବନୀର ତଳେ ।

ଜୁର କଲେ ସବୁ ରାଜା ଅଙ୍ଗଲାଗି ବାସ

ପିନ୍ଧିକରି ରାମକୃଷ୍ଣ ହୋଇଛନ୍ତି ବେଶ ।

ରାଜା ଲାଗି ଚନ୍ଦନ ମୁଁ ଆଜି ଘେନି ଯିବି

ରାମ କୃଷ୍ଣଙ୍କର ଅଙ୍ଗେ ଲେପନ କରିବି ।

ଏମନ୍ତ ବିଚାରି ମନେ ସୁଗନ୍ଧ ଚନ୍ଦନ

କର୍ପୂର କସ୍ତୁରୀ ଚୂଆ ତହିଁ ଗୋଳାଇଣ ।

ନାନା ଜାତି ସୁବାସିତ ଗନ୍ଧ ସେ ଧଇଲା

ଦେବଙ୍କ ଭଣ୍ଡାରୁ କଂସ ଯାହା ଆଣିଥିଲା ।

ବିଷ୍ଣୁ ଲାଗି ଚନ୍ଦନ ଯେ ଆଣିଥିଲା ବେଳେ

ସେ ଚନ୍ଦନ ରଖିଥିଲା କୁବୁଜା ଯତ୍ନରେ ।

ପେଡ଼ିରେ ପୁରାଇ ସେହୁ ମସ୍ତକେ ଧଇଲା

ଶ୍ରୀକୃଷ୍ଣଙ୍କୁ ଦେବ ବୋଲି ଶ୍ରଦ୍ଧା କରି ଗଲା ।

ପୃଷ୍ଠଭାଗେ କୁଜ ତାର ହୋଇଅଛି ଭାରି

ବୟସ ଷୋଳ ସତର ସ୍ଵଭାବେ ବାଙ୍ଗରୀ ।

ବାମନ ଶରୀର ତାର କନକ ବରନ

ଛୋଟ ପାଦ ପଲ୍ଲବ ତା କୁରଙ୍ଗୀ ନୟନ ।

ମୁଣ୍ଡରେ ପେଡ଼ିକୁ ବହି ଚାଲେ ଆଡ଼ ଟେରେ

କୁଜର ଓଜନେ ଚାଲି ନ ପାରଇ ଖରେ ।

ମନ୍ଦ ମନ୍ଦ ହୋଇ ଦାଣ୍ଡେ ଦାଣ୍ଡେ ଗଲା ନାରୀ

କୃଷ୍ଣଙ୍କୁ ଦେଖିବା ପାଇଁ ହୋଇଛି ଆତୁରୀ ।

ଦୂରୁ ଦେଖି କୁବୁଜାକୁ ଗୋପାଳେ ହସିଲେ

ଏମନ୍ତେ କୁରୂପା ନାରୀ ଦେଖିନାହୁଁ ଡୋଳେ

ଦେଖ ଏହାର ଦେହକୁ କୁଜ ଅଧେ ଭାରି

କେମନ୍ତେ ସେ ଚାଲୁଅଛି କିସ ମୁଣ୍ଡ ଧରି ।

ଶ୍ରୀକୃଷ୍ଣ ଡାକନ୍ତି ଆସ ଆସ ଗୋ କୁବୁଜା

କୁହ କାହାର ବଧୂ ତୁ କାହାର ଭାରିଯା

କିବେପାର କରି ପୋଷୁ ଉଦର ତୋହର

କି ଦ୍ରବ୍ୟ ବହିନେଉଛୁ କହ ଗୋ ସତ୍ଵର ।

କୃଷ୍ଣ ବଚନେ କୁବୁଜା କରଇ ଉତ୍ତର

ବୋଇଲା ଭୋ ସ୍ୱାମୀ କାହିଁ ପାଇବି ମୁଁ ବର

ନାହିଁ ମୋର ଭାଇବନ୍ଧୁ ନାହିଁ ସହୋଦର

ନାହିଁ ମୋର ପିତାମାତା ନାହିଁ ମୋର ବର

କେବଳ ମୁଁ ଆଶ୍ରା କରିଅଛି ଚକ୍ରଧର

କୁରୂପ ଦେଖି ନୋହିଲେ କେହି ମୋର ବର

ଦୂରୁ ଦେଖିଲେ କରନ୍ତି ଘୃଣା ମୋତେ ନରେ

ଦେଖ ଗୋପାଳେ ହସନ୍ତି ରହି ତା ପାଶରେ

ବାଲ୍ୟ ସମୟରୁ ମୋର ପିତା ମାତା ଦୁଇ

କଂସ ରାଜା ପାଶେ ମୋତେ ସମର୍ପିଲେ ନେଇ

ବାଲ୍ୟକାଳୁ ପିତାମାତା କରିଛି ମୁଁ ଗ୍ରାସ

ସେହିଦିନୁ ମୋତେ ପାଳୁଅଛି ରାଜା କଂସ ।

ସେକାଳରେ ସ୍ଵାମୀ ମୋର ଏ କୁଜ ନଥିଲା

ଯେଣୁ କଂସ ରାଜା ମୋତେ ଶ୍ରଦ୍ଧାରେ ରଖିଲା

କଂସ ଗନ୍ଧକାରୀ ପଣେ ଶାଢ଼ୀ ମୋତେ ଦେଇ

ତାହାକୁ ଚନ୍ଦନ ଲାଗି ନିତି ମୁଁ କରଇ ।

ଯାହାପଡ଼ି ଦିଏ ମୋତେ ତାହା ମୁଁ ଭୁଞ୍ଜଇ

ସହସ୍ର ଜଣକୁ ଖାଇ ଏକା ଅଛି ମୁହିଁ ।

ବିହି ମୋର ଭାଲପଟେ ଏହା ଅଛି ଲିହି

ବିଧାତା କରିଲା କଥା କେ ଆନ କରଇ ।

କୃଷ୍ଣ କହୁଛନ୍ତି ଆଗୋ ଶୁଣ ତୁ କୁବୁଜା

କଂସର ଅଟଇ ମୁହିଁ ସୋଦର ଭଣଜା ।

ରାଜାର ଲାଗି ଚନ୍ଦନ ସବୁ ମୋତେ ଦିଅ

ତୋ ଭଣଜାନେଲେ ବୋଲି ତାରଆଗେ କହ ।

ମୋତେ ଦେବା କଥା ଯେବେ ମାମୁଁଙ୍କୁ କହିବୁ

ଶାଢ଼ୀ ସୁନାବଳା ଦେଲେ ସନ୍ତୁଷ୍ଟ ହୋଇବୁ ।

କୃଷ୍ଣ ବଚନେ କୁବୁଜା ଯୋଡ଼ି ବେନିକର

ବୋଲଇ ହେ କୃଷ୍ଣ ତୁମ୍ଭେ ଶୁଣ ମୋ ଉତ୍ତର

ଏ ଚନ୍ଦନ ପେଡ଼ି ପୁଣି ନୁହଇ ରାଜାର

ବହୁତ କାଳୁ ସମ୍ପାଦି ରଖିଥିଲି ଘର ।

ଏ ଗନ୍ଧ ଚନ୍ଦନ କଂସ ସ୍ୱର୍ଗୁ ଆଣିଥିଲା

ଦେବଙ୍କ ଭଣ୍ଡାର ଦ୍ରବ୍ୟ ବୋଲି କହୁଥିଲା ।

ଶ୍ରବଣେ କଂସ ମୁଖରୁ ଜାଣି ମୁଁ ମନରେ

ଦେବାଙ୍ଗ ଚନ୍ଦନ ବୋଲି ରଖିଲି ଯତ୍ନରେ ।

ଏବେ ତୁମ୍ଭ ଅଙ୍ଗେ ଏହା କରିବି ଲେପନ

ଅଶେଷ ଜନ୍ମର ପାପ ହେବ ମୋ ଦହନ ।

ଅସୁର ପାଦରେ ଆଉ ନ ସେବିବି ମୁହିଁ

ଫିଟାଇଲା ଗନ୍ଧ ପେଡ଼ି ଏ ବଚନ କହି ।

କର୍ପୂର କସ୍ତୁରୀ ସହ ଅଗୁରୁ ଚନ୍ଦନ

କୃଷ୍ଣଙ୍କ ଅଙ୍ଗେ ଲେପିଲା କରି ଯତନ ।

ଲଲାଟେ ଲଲାଟ ପାଟି କଣ୍ଠେ କଣ୍ଠ ହାର

କୃଷ୍ଣ ଅଙ୍ଗକୁ ଯେମନ୍ତେ ଦିଶିବ ସୁନ୍ଦର ।

ଦର୍ପଣ ଧରିଣ କୃଷ୍ଣ ଆଗେ ଦେଖାଇଲା

ପୁଣି ପିଠିପରେ ସେହୁ ଚନ୍ଦନ ବୋଳିଲା ।

ଦେଖି ଶ୍ରୀକୃଷ୍ଣ ମନରେ ହୋଇଲେ ସନ୍ତୋଷ

ବୋଇଲେ କୁବୁଜା ରାମ ଅଙ୍ଗେ ଦିଅ ବାସ ।

ବଳରାମ ଅଙ୍ଗେ କୃଷ୍ଣ ଆଜ୍ଞାରେ ବୋଳିଲା

ଲଲାଟ କଣ୍ଠରେ ପୁଣି ପୃଷ୍ଠପରେ ଦେଲା ।

ଗୋରଚନା ଚିତାଦେଇ ସେ ଆନନ୍ଦ ମନେ

ଦେଖାଇଲା ଦରପଣ ଶ୍ରୀରାମ ବଦନେ ।

ଦେଖିଣ ବଳରାମ ଯେ ହୋଇଲେ ଆନନ୍ଦ

ବୋଇଲେ କୁବୁଜା ଦିଅ ଗୋପାଳଙ୍କୁ ଗନ୍ଧ ।

ବଳରାମ ବଚନେ ସେ ଗୋପାଳଙ୍କୁ ଦେଲା

ଜଣ ଜଣ କରିଣ ଯେ ସୁବେଶ କରିଲା ।

ଚନ୍ଦନ ଘେନି ଗୋପାଳେ ହୋଇଲେ ଆନନ୍ଦ

ହରଷରେ କୁବୁଜାକୁ ଡାକନ୍ତି ଗୋବିନ୍ଦ ।

କୁବୁଜା କୁବୁଜା ବୋଲି ଡାକିଲେ ଉଚ୍ଚରେ

ଶୁଣି ସେ ଡାକ ବୋଲନ୍ତି ମଧୁପୁର ନରେ ।

ବୋଇଲେ ଧନ୍ୟ କୁବୁଜା ଧନ୍ୟ ତୋ ଜୀବନ

କୃଷ୍ଣର ଶ୍ରୀଅଙ୍ଗେ ତୁହି ଲେପିଲୁ ଚନ୍ଦନ ।

ବିରୂପ ତୋହର ଦେଖି ନକରି ସେ ଦୂର

ଶ୍ରଦ୍ଧାକଲେ ତୋତେ କିମ୍ପା ସେ ନନ୍ଦକୁମର ।

ଦୂରୁ ଦେଖି କଂସ ତୋତେ କରଇ ଭର୍ତ୍ସନା

ତୋ ରୂପକୁ ଦେଖିଣ ସେ ହସୁଥାଏ ସିନା

ମଥୁରା ପୋଏ ଦାଣ୍ଡରେ ଦେଖିଲେ ହସନ୍ତି

କୁବୁଜା କୁବୁଜା ବୋଲି ଡାକ ସେ ଦିଅନ୍ତି ।

ଏହିପରି ନରନାରୀ କୁହାକୁହି ହେଲେ

କୁବୁଜା ମନର ଭାବ ଶ୍ରୀକୃଷ୍ଣ ଜାଣିଲେ ।

ବିଚାରିଲେ କୁବୁଜା ତ ଅଟେ ମୋର ନାରୀ

ଶାପ ପାଇ ଜାତ ହୋଇଅଛି ମଧୁପୁରୀ ।

କୁବୁଜାକୁ ଏବେ ତାର ନିଜ ରୂପ ଦେବି

ଅଭିଶାପରୁ ତାକୁ ମୁଁ ଉଦ୍ଧାର କରିବି ।

ଏମନ୍ତ ବିଚାରି କୃଷ୍ଣ କୁବୁଜାକୁ ଡାକି

ଚିବୁକ ଧରିଣ ବାମକରେ ଦେଲେ ଟେକି ।

ବାମପାଦେ କୁବୁଜାର ବାମପାଦ ମାଡ଼ି

ତକ୍ଷଣେ କୁବୁଜା ଅଙ୍ଗୁ ପାପ ଗଲା ଛାଡ଼ି ।

କୁରୂପ ତେଣିକି ଗଲା ହେଲା ମନୋହର

ସୁନ୍ଦର ପଣରେ ରମ୍ଭା ନୁହେଁ ପଟାନ୍ତର ।

କୁବୁଜା ସୁନ୍ଦର ପଣେ ଜଗତ ମୋହିଲା

ଅଙ୍ଗରେ ତାହାର ଲକ୍ଷ୍ମୀତେଜ ପ୍ରକାଶିଲା ।

ଦେଖଣାହାରୀ ଦେଖିଣ ସ୍ତବ୍‌ଧ ହୋଇଲେ

ବିସ୍ମୟ ହୋଇ କୃଷ୍ଣର ମୁଖକୁ ଚାହିଁଲେ ।

କେ ବୋଲଇ ନାରାୟଣ ଏ କୃଷ୍ଣ ଅଟଇ

ଆବର ଏକଥା କିଏ କରିବା ପାରଇ ।

କେ ବୋଲଇ ଭାବବତୀ ପୁତ୍ର ଗୋ ଜୀଇଁଲା

ଏକ ଚାପୋଡ଼େ ରଜକ ମୁଣ୍ଡ ଛିଡ଼ି ମଲା ।

ଦେଖ ଏବେ କୁବୁଜାର କୁଜ ଗଲା କାହିଁ

ସୁନ୍ଦର ପଣେ ଏହାକୁ ସମ ନାହିଁ କେହି ।

ମଥୁରା ନାରୀଙ୍କ ମୁଖୁଁ ଏ ବଚନ ଶୁଣି

କହନ୍ତି କୁବୁଜା ମୁଖ ଚାହିଁ ବେଣୁପାଣି ।

ଏବେ ତ କୁବୁଜା ଯାଅ ଆପଣା ମନ୍ଦିର

ଆମ୍ଭେ ଯାଇ ଦେଖି ଆସୁ ମଥୁରା ନଗର ।

କୃଷ୍ଣର ବଚନ ଶୁଣି କୁବୁଜା ବୋଲଇ

କୃଷ୍ଣପାଦେ ପଡ଼ି ବେନିକର ସେ ଯୋଡ଼ଇ ।

ବୋଲଇ ଭୋନାଥ ମୋତେ ଦେଲୁ ନବତନୁ

ଏବେ କିମ୍ପାଇଁ ବୋଲୁଛ ଯାଅ ଏହି ସ୍ଥାନୁ ।

କେଉଁଆଡ଼େ ଯିବି କାହିଁ ରହିବି ଗୋସାଇଁ

କେଉଁ କୁଳ ଅଛି ମୋର କହ ଭାବଗ୍ରାହୀ ।

ସୁନ୍ଦର ଶରୀର ନବ ଯଉବନ ଦେଲୁ

କେ କରିବ ଭୋଗ ଏହା ଯାଅ ଯାଅ ବୋଲୁ ।

ବିଜେକର ମୋ ମନ୍ଦିରେ ତାହା ଭୋଗକର

ଏତେବୋଲି ଧଇଲା ସେ କୃଷ୍ଣର ଅଞ୍ଚଳ ।

ପୁଣି ବୋଇଲା କୃଷ୍ଣ ମୁଁ ଅଟେ ତୋର ଦାସୀ

ବହୁଦିନ ପରେ ଭେଟ ପାଇଅଛି ଆସି ।

ଜଗତ କରୁଛ ପରା ତୁମ୍ଭେ ଆତଜାତ

ଅସୁର ମାରିବାପାଇଁ ହୋଇଅଛ ଜାତ ।

ଏବେ ତୋ ଚତୁରପଣ ଛାଡ଼ ଭାବଗ୍ରାହୀ

ଏ ନବ ଯୌବନ ଭୋଗ କର ଆସି ତୁହି ।

କୁବୁଜା ବଚନଶୁଣି ଦେବ ଚକ୍ରପାଣି

ବୋଲନ୍ତି ମୋ ସଙ୍ଗେ ଆସିଛନ୍ତି ହଳିପାଣି ।

ପୁଣି ଗୋପାଳେ ଅଛନ୍ତି ଦେଖଗୋ କୁବୁଜା

ମୋ ଅଞ୍ଚଳ ଛାଡ଼ି ଆଜ ଘରକୁ ତୁ ଯା ଯା ।

ମଧୁପୁର ନାରୀମାନେ ଦେଖନ୍ତି ନୟନେ

ଏଠାରେ ଅଛନ୍ତି ପୁଣି ରାଜଦୂତମାନେ ।

ହସିବେ ସକଳେ ତୁ ଗୋ ନ ଗଲେ ମନ୍ଦିରେ

ମୋର ବୋଲକରି ତୁ ଗୋ ଯାଅ ନିଜପୁରେ ।

ମାମୁଁଙ୍କୁ ଦର୍ଶନ କରି ତୋ ପୁରକୁ ଯିବି

ତୋ କାମନା ପୂର୍ଣ୍ଣକରି ଏଠାକୁ ଆସିବି ।

କୃଷ୍ଣ ମାୟାକୁ କୁବୁଜା ଜାଣିବ ବା କାହୁଁ

ବିନୟେ ବୋଇଲେ ପୁଣି ଆହେ ମହାବାହୁ ।

ପଦ୍ମପାଦ ଛୁଇଁ ମୁଁ ଯେ ନିୟମ କରୁଛି

ନ ଯିବୁ ମନ୍ଦିରେ ମୋର ଯେବେ ପଦ୍ମଆଖି ।

ତେଜିବି ଜୀବନ ନିଶ୍ଚେ ନାରୀହତ୍ୟା ହେବ

ମୋର ଏ ବଚନ ସତ୍ୟ କହୁଛି ମାଧବ ।

ଏମନ୍ତେ କହି କୁବୁଜା କୃଷ୍ଣପାଦେ ପଡ଼ି

ଆନନ୍ଦମନେ ଗୃହକୁ ଗଲା ସେ ବାହୁଡ଼ି ।

ନାନା ଶୋଭା ପୂର୍ଣ୍ଣ ତାର ଦେଖିଲା ଭୁବନ

ବିଚାରିଲା ଏ ତ ସବୁ ଗୋବିନ୍ଦ ଭିଆଣ ।

ଆପଣା ମନରେ ବସି କରଇ ବିଚାର

ସତେ ଆସିବେ ଏପୁରେ ଦେବ ଦାମୋଦର ।

ଏତେ ବିଚାରି କୁବୁଜା ଆନନ୍ଦେ ରହିଲା

ନିଶ୍ଚିନ୍ତରେ ବସି ପାଦପଦ୍ମ ଧ୍ୟାନ କଲା ।

ଅଚ୍ୟୁତ ଦାସ କହଇ ବିମନ ନ ହୁଅ

ନିଶ୍ଚୟ ଆସିବେ ତୋର ଘରେ ନନ୍ଦପୁଅ ।

 

ତେଜବତୀର ଜୀବନଦାନ

ଏଥୁଅନ୍ତେ ଶୁଣ ଜନେ ଶ୍ରୀକୃଷ୍ଣର ଲୀଳା

କୁବୁଜା ଉଦ୍ଧାର କରି ଗଲେ ନନ୍ଦବାଳା ।

ମଥୁରା ଦାଣ୍ଡରେ କୃଷ୍ଣ କରନ୍ତି ଗମନ

ନାନାରଙ୍ଗରେ ନାଚନ୍ତି ଗୋପସୁତଗଣ ।

ଆନନ୍ଦେ ମୋହନ ବଂଶୀ କୃଷ୍ଣ ବଜାଇଲେ

ମଧୁପୁର ନରନାରୀ ମନକୁ ମୋହିଲେ ।

ଘର ବର ତ୍ୟାଗକରି ମଧୁନାରୀମାନେ

ଦେଖନ୍ତି ଦାଣ୍ଡରେ ଆସି କୃଷ୍ଣଙ୍କୁ ନୟନେ ।

ଯୁବତୀର ଘରୁ ଶାଶୁ ନଣନ୍ଦଙ୍କୁ ଡରି

କେ ନିଜ ସ୍ୱାମୀକି ଡରି ନପାରେ ବାହାରି ।

କେବା କୃଷ୍ଣଙ୍କୁ ନଦେଖି କରୁଅଛି ଶୋକ

କେ ବୋଲେ କେମନ୍ତ ଦେଖିଯିବି କୃଷ୍ଣମୁଖ ।

କେ ବୋଲେ କୃଷ୍ଣ ନଦେଖି ଜୀବନ ହାରିବି

ଛାଡ଼ି ନ ଦିଏ ନଣନ୍ଦ କେମନ୍ତେ ବା ଯିବି ।

କେ ବୋଲଇ ସ୍ଵାମୀ ମୋତେ କରିଛି ବାରଣ

କେମନ୍ତ ଦେଖିବି ଆଉ ଶ୍ରୀକୃଷ୍ଣ ବଦନ ।

କାହାକୁ ଥିଲା ତ୍ରିଦୋଷ ଜ୍ୱର ପୀଡ଼ା କରି

ଆଗୁଁ ଜ୍ଞାନ ହାରି ପଡ଼ିଥିଲା ସେ ସୁନ୍ଦରୀ ।

ଲାଗୁ ନଥିଲା ତା ନାଡ଼ୀ ନ ଚଳେ ଚରଣ

ବହୁଥିଲା ମନ୍ଦ ମନ୍ଦ ନାସାରେ ପବନ ।

ବନ୍ଧୁ କୁଟୁମ୍ବ ତାହାର କରନ୍ତି ଭାଳେଣି

କହି କହୁଥିଲା ଏ ତ ମରିବ ଏକ୍ଷଣି ।

ଏକାଳେ କୃଷ୍ଣ ବାଜଣା କର୍ଣ୍ଣରେ ବାଜିଲା

ଅଜ୍ଞାନରେ ପଡ଼ିଥିଲା ଚମକି ଉଠିଲା ।

ପଳାଇ ମଥୁରାଦାଣ୍ଡେ ଦେଖିଲା ସେ ଯାଇ

ଆନନ୍ଦରେ ରାମ କୃଷ୍ଣ ନୟନ ପୁରାଇ ।

ପଲ୍ୟଙ୍କରୁ ଉଠିବାକୁ ବଳ ତ ନଥିଲା

କୃଷ୍ଣ ବଂଶୀନାଦେ ବଳ ଶରୀରେ ବଢ଼ିଲା ।

ତାହା ଦେଖି ସର୍ବେ ତାର ଭଜିଲେ ଆନନ୍ଦ

ବୋଇଲେ ସେ ଯାଇ ଦେଖୁ ଦାଣ୍ଡରେ ଗୋବିନ୍ଦ

କୃଷ୍ଣର ଗମନ ଦେଖି ଆନନ୍ଦ ହୋଇବ

ନ ମରିବ ବୋହୂ ମୋର ଘରେ ମୋ ରହିବ ।

ସେହି ନଗ୍ରେ ଭବଦତ୍ତ ନାମେ ବିପ୍ରବର

ତେଜବତୀ ନାମେ ଥିଲା କନ୍ୟା ଏକ ତାର ।

ପତ୍ନୀର ନାମ ତାହାର ଅଟେ ସୁଲକ୍ଷଣା

ମାତା ଗୁଣ ଘେନି କନ୍ୟା ଅତି ବିଚକ୍ଷଣା ।

ପୂର୍ଣ୍ଣିମା ଚାନ୍ଦକୁ ଜିଣି ତା ମୁଖ ସୁନ୍ଦର

ଅଗ୍ନିରୁ ବଳି ତା କାନ୍ତି ଅତି ମନୋହର ।

ତୀର୍ଥପଣ୍ଡାକୁ ସେ କନ୍ୟା ଭବଦତ୍ତ ଦେଲା

ବର କନ୍ୟାଙ୍କର ହସ୍ତଗ୍ରନ୍ଥି ପଡ଼ିଥିଲା ।

ହୋମ କରୁଥିଲେ ବିପ୍ରେ ବେଦଧ୍ୱନି କରି

ସମିଧ ତଣ୍ଡୁଳ ଯବ ଅଗ୍ନିକୁଣ୍ଡେ ଭରି ।

କୃଷ୍ଣ ବାଦ୍ୟ ଶୁଣି ବିପ୍ରେ ବେଦ ପାଶୋରିଲେ

କୃଷ୍ଣ କୃଷ୍ଣ ବୋଲି ଭୋଳେ ଆହୁତି ସେ ଦେଲେ

ଘୃତଧାର ପାଇ ତୋଷେ ଜଳେ ହୁତାଶନ

ଅନଳର ତେଜେ ବିପ୍ରେ ଛାଡ଼ିଲେ ଆସନ ।

ସ୍ୱାମୀ ସଙ୍ଗତରେ ତେଜବତୀ ବସିଥିଲା

କୃଷ୍ଣର ବାଜଣା ତାର କର୍ଣ୍ଣରେ ବାଜିଲା ।

ବିଚାରେ କୃଷ୍ଣଙ୍କୁ ମୁହିଁ କେମନ୍ତେ ଦେଖିବି

ନଦେଖିଲେ ଆଜି ନିଶ୍ଚେ ଜୀବନ ତେଜିବି ।

ଆହା ରେ ଦଇବ କେଡ଼େ ମନ୍ଦକୃତ୍ୟ କଲୁ

ଆଜି ମୋର ଭାଲପଟେ ବିଭା ଲେଖୁଥିଲୁ ।

ସକଳେ ବୋଲନ୍ତି କୃଷ୍ଣ ଅନ୍ତର୍ଯ୍ୟାମୀ ନାଥ

ମନରେ ଚିନ୍ତିଲେ ତାହା ଜାଣନ୍ତି ଅଚ୍ୟୁତ ।

ମାତା ପିତା ବନ୍ଧୁ ଯେତେ ଅଛନ୍ତି ମୋହର

ଦେଢ଼ଶୁର ଶାଶୁ ଅବା ନଣନ୍ଦ ଦିଅର ।

ନାହିଁ ମୋର କାର୍ଯ୍ୟ ତହିଁ କୃଷ୍ଣଙ୍କୁ ଦେଖିବି

ବିଚାରିଣ ତେଜବତୀ କୃଷ୍ଣ ନାମ ଭାବି ।

ବୋଲଇ ହେ କୃଷ୍ଣ ମୋତେ ଦେଖା ତୋ ବଦନ

ତବ ପାଦତଳେ ଆଜି ପଶିଲି ଶରଣ ।

ନ ରଖିଲେ ଏବେ ସରିଗଲି ମୁଁ ହେ ହରି

ରଖି ରଖ ଚକ୍ରଧର ଶୁଣ ମୋ ଗୁହାରି ।

ପଞ୍ଚମନ ତେଜବତୀ କୃଷ୍ଣପାଦେ ଦେଲା

ବିଭାହୋମ ଘରେ ଥାଇ କୃଷ୍ଣ ଲୟ କଲା ।

ଯହୁଁ ତେଜବତୀ କୃଷ୍ଣ ପାଦ କଲା ଧ୍ୟାନ

ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ଜାଣିଲେ ତା ମନ ।

ମାୟା ଆଚ୍ଛାଦିଲେ ଅଗ୍ନିକୁଣ୍ଡେ ଭାବଗ୍ରାହୀ

ଉଠିଲା ଯେ ହୁତାଶନ ପ୍ରଜ୍ୱଳିତା ହୋଇ ।

ତକ୍ଷଣେ ସେ ତେଜବତୀ ବିହ୍ୱଳିତା ହେଲା

ଅନଳ ତେଜରେ ତହିଁ ଢଳିଣ ପଡ଼ିଲା ।

ଗଇଁଠାଳ ତେଜବତୀ ଉପରେ ପକାଇ

ଅଗ୍ନିପାଶୁ ତୀର୍ଥପଣ୍ଡା ଗଲା ଯେ ପଳାଇ ।

ତେଜବତୀ କୃଷ୍ଣପାଦ ଧ୍ୟାନରେ ରହିଲା

ଧନ୍ୟ ତେଜବତୀ ଭାବେ କୃଷ୍ଣ ବଶ କଲା ।

ଅନେକ ଯୁବତୀ ତହିଁ ହୋଇଥିଲେ ଠୁଳ

ଦେଖିଲେ ପ୍ରବଳ ହୋଇ ଜଳଇ ଅନଳ ।

ଖଣ୍ଡଦୂରେ ଥାଇ ସର୍ବେ ଦେଖୁଛନ୍ତି ଭୋଳେ

ତେଜବତୀ ପାଶକୁ କେ ଯାଇ ନ ପାରିଲେ ।

ଜଳକା ପରାଏ ତାର ବନ୍ଧୁବର୍ଗ ହୋଇ

ଶାଶୁ ଶ୍ଵଶୁର ଜନନୀ ଦେଖୁଛନ୍ତି ରହି ।

ଅନଳ ତେଜରେ ପାଶେ ଯାଇ କାନ୍ଦନ୍ତି ବିକଳେ

ହା ହା ତେଜବତୀ ବୋଲି କାନ୍ଦନ୍ତି ବିକଳେ ।

କୃଷ୍ଣ ଆସିବାର ବାଦ୍ୟ ବାଜେ ଘନ ଘନ

ସକଳ ଯୁବତୀ ମନ ହେଲା ଛନ୍ନଛନ୍ନ ।

ତେଜବତୀକି ଛାଡ଼ି ସେ ଯାଇ ନ ପାରନ୍ତି

କେ ବୋଲଇ ଦେଖ ସହୀ ହେଲା ଗୋ ବିପତ୍ତି ।

କୃଷ୍ଣଙ୍କୁ ଦେଖିବା ପାଇଁ ମନେ କଲା ଶ୍ରଦ୍ଧା

ଯାଇଥିଲେ ଏହାକୁ ଗୋ ନ ହୁଅନ୍ତା ବାଧା ।

ବିବାହ ଏହାର ଆଜ ହୋମରେ ବସିଛି

କୃଷ୍ଣ ଭାବରେ ମୂର୍ଚ୍ଛିତା ହୋଇଣ ପଡ଼ିଛି ।

କେ ବୋଲେ ଯୁବା ବୟସ ଭାବ କି ଜାଣିବ

ରତି ରସରେ ଏହାର ମନ ସିନା ଥିବ ।

କେ ବୋଲଇ ଅନଳର ତେଜେ ମୋହ ଗଲା

ବହୁତ ବେଳ ହୋଇଲା ଚେତନା ନୋହିଲା ।

ମଲାକି ବଞ୍ଚିଅଛି ଜାଣି ହେଉ ନାହିଁ

ଅଗ୍ନି ତେଜେ ପାଶକୁ ତା ଯାଇ ନ ହୁଅଇ ।

କର ଚରଣ ତାହାର ନ ଚଳଇ କିଛି

ମଲା ପ୍ରାୟ ହୋଇ ତେଜବତୀ ପଡ଼ିଅଛି ।

ଏମନ୍ତ ସମୟେ ତେଜବତୀ ଶୋକଭରେ

ହାହାକାର କରିଣ ସେ ପଡ଼ିଲା ଅଗ୍ନିରେ ।

ବିହ୍ୱଳିତା ହୋଇ ସେହୁ ଅଜ୍ଞାନେ ପଡ଼ିଲା

ଅନ୍ତରେ କୃଷ୍ଣ ସୁମରି ଅନଳେ ଝାସିଲା ।

ଅନଳେ ପଡ଼ନ୍ତେ କେଶ ବାସ ପୋଡ଼ିଗଲା

ନାସା ଶ୍ରବଣ ପୋଡ଼ିଣ ବିବର୍ଣ୍ଣ ଦିଶିଲା ।

ଯଉବନ ପୋଡ଼ି ତାର ହେଲା ନାରଖାର

ପିଣ୍ଡରୁ ଛାଡ଼ିଣ ପ୍ରାଣ ହୋଇଲା ଅନ୍ତର ।

ସେ ଅନଳେ ତେଜବତୀ ହୋଇଲା ଦହନ

କୃଷ୍ଣ ଆଜ୍ଞାରେ ଲିଭିଲା ତହୁଁ ହୁତାଶନ ।

ଲିଭିଲା ହୁତାଶନ ଯହୁଁ ଦେଖିଲେ ସକଳେ

ତେଜବତୀ ପଡ଼ିଅଛି କୁଣ୍ଡର ମଧ୍ୟରେ ।

ଦରଶନେ ସ୍ୱାମୀ ତାର ହାହାକାର କରି

ଓଟାରିଆଣି ଅନଳୁ ବସେ କୋଳେ ଧରି ।

କରାଇ ନବୀନ ବାସ ତାକୁ ଆଭରଣ

ଦେଖି ସୁଲକ୍ଷଣୀ ତେଜବତୀର ମରଣ ।

ବୋଲଇ ମୁଁ କେତେ ଦେବାଦେବୀ ପୂଜାକରି

କେତେ ଦୁଃଖେ ପାଇଥିଲି ତୋତେ ଲୋ କୁମାରୀ

ଆଜି ମୁଁ ବିବାହ କରି ଦେଉଥିଲି ତୋତେ

ଏକା କରି କେଉଁଆଡ଼େ ଛାଡ଼ିଗଲୁ ମୋତେ ।

ହାହା ମୋର ଧନ ବୋଲି କୋଳକଲା ଯାଇ

କିମ୍ପା ଏତେ କଷ୍ଟ ମୋତେ ଗଲୁ ତୁହି ଦେଇ ।

ସକଳେ ବୋଲନ୍ତି ଶୋକେ କିହେଲା କିହେଲା

କି ସୁନ୍ଦର ଝିଅ ବିଭାବେଳେ ପୋଡ଼ି ମଲା ।

ପୁଣି ତେଜବତୀ ସ୍ୱାମୀ ଦଇବ ସୁମରି

ବୋଲେ ଯୁବାକାଳେ ମୋର ପତ୍ନୀ ନେଇ ହରି

ବିଧି ନାମ ବହି କିମ୍ପା ଅବିଧି ତୁ କଲୁ

ଭୋଗ ନ କରାଇ ଯାହା ଦେଖାଇ ହରିଲୁ ।

ଯୁବାକାଳେ ପତ୍ନୀକଷ୍ଟ ଦେଲୁ ତୁ କିମ୍ପାଇଁ

ଜାଣିଲି ବିବେକ ତୋର ତିଳେ ମାତ୍ର ନାହିଁ ।

ବନ୍ଧୁମାନେ ତାର ତହିଁ ଯେତେ ଆସିଥିଲେ

ତେଜବତୀ ଶବ ଦେଖି ସକଳେ କାନ୍ଦିଲେ ।

ମଉନରେ କାବ୍ୟକାରୀମାନେ ଗଲେ ଫେରି

କାନ୍ଦି ଦେଖଣାହାରୀଏ ଗଲେ ଯେଝା ପୁରୀ ।

ତେଜବତୀ ସ୍ୱାମୀ ତହୁଁ ବୋଲଇ ବଚନ

ଆସ ତେଜବତୀକୁ ହୋ କରିବା ଦହନ ।

ଶ୍ୱଶୁର ସ୍ୱାମୀ ଦେବର ଆଉ ବନ୍ଧୁ ଯେତେ

ଶୋକେ ତେଜବତୀ ଘେନି ଚଳିଲେ ସମସ୍ତେ

ନାରାୟଣ ନାମକୁ ସେ ଉଚ୍ଚରେ ବୋଇଲେ

କାନ୍ଦି କାନ୍ଦି ମାତା ପିତା ପଛେ ପଛେ ଗଲେ ।

ନାରାୟଣ ନାମ ଶୁଣି ଜାଣି କାମପାଳ

ଦୂରୁ ଡାକଦେଲେ ଉଠ ଉଠରେ ଗୋପାଳ ।

ଛାଡ଼ିଦିଅ ବାଟ ଶବ ନେଉଛନ୍ତି ବହି

ଭଲମନ୍ଦ ବିଚାର ତ କୃଷ୍ଣ କରୁ ନାହିଁ ।

ବୋଲନ୍ତି ଶ୍ରୀକୃଷ୍ଣ ଶୁଣ ଭାଇ ହଳଧର

ବିଚାର ତ ନାହିଁ ମଧୁ ନର ନାରୀଙ୍କର ।

ଜୀଅନ୍ତାକୁ ମୃତ ବୋଲି ନେଉଛନ୍ତି ବହି

ଏମନ୍ତ ପୁରରେ ଆମ୍ଭେ ରହିବା କିମ୍ପାଇଁ ।

ଛାମୁକୁ ଚାଲ ହେ ବେଗେ ଦର୍ଶନ କରିବା

ମଧୁପୁରେ ନ ରହିଣ ଗୋପପୁରେ ଯିବା ।

ଜାଣି ନ ପାରିଲେ କୃଷ୍ଣ ମାୟା ହଳସାଇଁ

ଗୋପାଳଙ୍କୁ ବୋଇଲେ ରେ ଯାଅ ବେଗହୋଇ

ଶବ ବୋହି ନେଉଥିଲା ଲୋକେ ଅଟକାଅ

ତୁ ରେ କୃଷ୍ଣ ବେଗେ ଯାଇ ତାହାକୁ ଜୀଆଁଅ

ଯହୁଁ ମଧୁପୁର ଜନେ ଏମନ୍ତ ଶୁଣିଲେ

ରଖହୋ ତେଜବତୀକି ବୋଲି ଡାକଦେଲେ ।

ଏହିକ୍ଷଣି କୃଷ୍ଣ ମୁଖୁ ଶୁଣିଲଇଁ ଯାହା

ରାମ ଆଜ୍ଞାରେ ଶ୍ରୀକୃଷ୍ଣ କରିବଟି ତାହା ।

ତେଜବତୀ ଭାଗ୍ୟ ଥିଲେ ଜୀବନ ପାଇବ

କୃଷ୍ଣ କହିବା କଥା ତ ଆନ ଗୋ ନୋହିବ ।

ଏମନ୍ତ ସମୟେ ଯାଇ ସେଠାକୁ ଗୋପାଳେ

ବୋଇଲେ ହୋ ତୁମ୍ଭେମାନେ ଶବ ରଖ ତଳେ ।

ଦେଖୁ ଦେଖୁ ଶବ ପାଶେ ଶ୍ରୀକୃଷ୍ଣ ମିଳିଲେ

ରଖ ହୋ ଶବକୁ ଆମ୍ଭେ ଦେଖିବା ବୋଇଲେ ।

କୃଷ୍ଣଙ୍କୁ ବେଢ଼ିଣ ମଧୁ ନରନାରୀମାନେ

ଚକିତ ଭାବରେ ସର୍ବେ ଦେଖନ୍ତି ନୟନେ ।

ଶବକୁ ବହି ଯାଉଥିଲେ ଯେଉଁମାନେ

ନଚଳେ ଚରଣ ଥକ୍‌କା ହୋଇଲେ ସେମାନେ

ଠେଲାଠେଲି ହୋଇ ମଧୁପୁର ଜନମାନେ

ଦେଢ଼ଶୁର ଭାଇବୋହୂ ମେଳ ଏକସ୍ଥାନେ ।

ନ ଚିହ୍ନି ଦେଢ଼ଶୁରକୁ ଭାଇବୋହୂ ବୋଲେ

ଭିତରକୁ ଚାଲ ଯିବା ଦେଖିବା ହୋ ଭଲେ ।

ଦେଖି ଦେଢ଼ଶୁର ଲାଜେ ଆଡ଼ ହୋଇଯାଇ

କେ ଭାବିକି ନ ଚିହ୍ନିଣ ବୋଲଇ ଭିଣୋଇ ।

ପୁଣି ହିଁ ମୁଖକୁ ଚାହିଁ ନ କହଇ କଥା

କେହୁ ନିଜ ପତି ଦେଖି ଲାଜେ ପୋତେ ମଥା ।

କେହୁ ବୋଲେ ତେଜବତୀ ଆଜି ମରିଅଛି

ଜୀଆଁଇବି ବୋଲି କୃଷ୍ଣ ପ୍ରତିଜ୍ଞା କରୁଛି ।

ସାମାନ୍ୟ ସାହସ କି ଗୋ କରୁଅଛି ଏହି

ଏ କଥା ଦେଖିବା ଆଉ ଶୁଣା ନାହିଁ କାହିଁ ।

ଏପରି ହୁଅନ୍ତେ କୁହାବୁହି ମଧୁନାରୀ

ଶବକୁ ଚାହିଁ କହନ୍ତି କୃଷ୍ଣ ଧୀରକରି ।

କିହୋ ମଧୁନରନାରୀ ରହିଲ ମଉନେ

କହ କାହିଁକି ଏହାକୁ ନେଉଅଛ କେଣେ ।

କେଉଁପରି ମରିଛି ଏ କହ ସତ୍ୟକରି

କାହିଁପାଇଁ କାନ୍ଦୁଅଛି ଏହି ବୃଦ୍ଧା ନାରୀ ।

କିସ ନାମ ଏହାର ଗୋ କାହିଁ ଏହା ଘର

ମୃତପିଣ୍ଡ ପରାୟେ ତ କରିଛି ବାହାର ।

ଶୁଣି ମଧୁନାରୀମାନେ କହନ୍ତି ବିଚାରି

ଶୁଣ ଆହେ ନନ୍ଦସୁତ ବିଚର ଆମ୍ଭରି ।

ଭଗଦତ୍ତ ବିପ୍ରର ଏ ଦୁହିତା ଅଟଇ

ଆଜି ତୀର୍ଥପଣ୍ଡାକୁ ଏ ଥିଲା ବିଭାହୋଇ ।

ବିବାହ ମଣ୍ଡପେ ବସି ହୋମ କଲାବେଳେ

ଆମ୍ଭେମାନେ ମିଳି ସର୍ବେ ଦେଖୁଥିଲୁ ଡୋଳେ

ବେଦମନ୍ତ୍ରରେ ବ୍ରାହ୍ମଣ ଦିଅନ୍ତି ଆହୁତି

ପିତା ମାତା ଭାଇ ବନ୍ଧୁ ଥିଲେ ତାର କତି ।

ଘୃତ ପାଇ ହୁତାଶନ ଜଳିଲା ତେଜରେ

ସହି ନ ପାରି ସକଳେ ପଳାଇଲୁ ଦୂରେ ।

ତୀର୍ଥପଣ୍ଡା ମଧ୍ୟ ତାହା ସହି ନ ପାରିଲା

ତେଜବତୀକି ଛାଡ଼ି ସେ ପଳାଇଣ ଗଲା ।

ତେଜବତୀ ଅଗ୍ନିତେଜ ସହି ନ ପାରିଲା

ମୋହ ପାଇ କୃଷ୍ଣ ବୋଲି ଅନଳେ ପଡ଼ିଲା ।

ଉଚ୍ଚେ କୃଷ୍ଣ କୃଷ୍ଣ ବୋଲି ବୋଲଇ ତୁଣ୍ଡରେ

ଶୁଣିଅଛୁ ଯେତେ ଲୋକ ଥିଲୁ ସେହିଠାରେ ।

ଯହୁଁ ଅନକେ ପଡ଼ିଲା ଏହି ତେଜବତୀ

ଲିଭିଲା ଅନଳ ତାକୁ ଆଣିଲେ ଝଟତି ।

ଦେଖିଲୁ ଜୀବନ ତାର ଯାଇଅଛି ଛାଡ଼ି

ଦେହ ଗୋଟାଯାକ ତାର ଯାଇଅଛି ପୋଡ଼ି ।

ତେଣୁ ବହି ନେଉଛନ୍ତି କରିବେ ଦହନ

ଗୋଡ଼ାଇ ତା ପିତାମାତା କରନ୍ତି ରୋଦନ ।

କୃଷ୍ଣ ବୋଇଲେ ଶୁଣ ଗୋ ସକଳ କାମିନୀ

ମୋର ନାମ ଧରି କିମ୍ପା ମରିବ ଏ ପୁଣି ।

ମାମୁଁ ଶୁଣିଲେ ଏ କଥା ନିଶ୍ଚେ ଧରିନେବେ

ନ ବୁଝି ସେ କିଛି ମୋତେ ବହୁଦଣ୍ଡ ଦେବେ ।

ଏବେ ମଧୁନରନାରୀ ଶୁଣ ମୋ ବଚନ

ଯେବେ ହୋମାନଳେ ହୋଇଥାଏ ଏ ଦହନ

କେଭେ ନ ଜୀଇଁବ ତାକୁ କର ଗୋ ଦହନ

ହୋଇଛି ସଫଳ ମାତ୍ର ତାହାର ଜୀବନ ।

ମଲାବେଳେ ମୋର ନାମ ଧରିଛି ମୁଖରେ

ଯମଦଣ୍ଡ ନାହିଁ ଯିବ ବଇକୁଣ୍ଠ ପୁରେ ।

ଆହୁରି କଥାଟି ଶୁଣିଥାଅ ମଧୁନରେ

ମୋର ଭାବ ଯେବେ ଜାତ ହେଲା ତା ହୃଦରେ

ମୋ ଭାବରେ ଅଚେତନ ହୋଇ ରହିଥିଲା

ମୋର ନାମଧରି ଯେବେ ଅଗ୍ନିରେ ପଡ଼ିଲା ।

ତେବେ ସେ ମରିବ କିମ୍ପା ହେଲ ତୁମେ ବାଇ

ରଖ କାହାକୁ ଏଠାରେ ଦେଖିବିରେ ମୁହିଁ ।

ଶ୍ରୀକୃଷ୍ଣ ବଚନେ ତେଜବତୀକି ରଖିଲେ

ଅଙ୍ଗବାସ କାଢ଼ି ହରି ତାହାକୁ ଦେଖିଲେ ।

ଅଙ୍ଗ ଗୋଟିଯାକ ତାର ଯାଇଅଛି ପୋଡ଼ି

ନାସା ଶ୍ରବଣ ସହିତେ ପଡ଼ିଥିଲା ଛିଡ଼ି ।

ଯଉବନ ତାହାର ଯେ ଜଳି ଯାଉଥିଲା

ପାଦରେ ଅଙ୍ଗୁଳି କେଶ ମୁଣ୍ଡରେ ନଥିଲା ।

ମଧୁପୁର ନରନାରୀ ଦେଖିଣ ନୟନେ

ଆଣୁଥିଲେ କରିବାକୁ ଦହନ ଶ୍ମଶନେ ।

ନାମଧରି ଡାକଦେଲେ ଯହୁଁ ନାରାୟଣ

ଦ୍ୱିତୀୟ ଇନ୍ଦିରା ପ୍ରାୟ ଦିଶିଲା ତା ବର୍ଣ୍ଣ ।

ତିନିପୁର ଜିଣି ରୂପ ଦିଶିଲା ସୁନ୍ଦର

ଦେଖି ମଧୁନରନାରୀ ହେଲେ ଚମତ୍କାର ।

କେବଳ ଜୀବନ କାହିଁ ନ କହ ବଚନ

ଚିତ୍ର ପ୍ରତିମା ପରାୟେ ଦିଶେ ସୁଶୋଭନ ।

ଶ୍ରୀକୃଷ୍ଣ ବୋଇଲେ ତେଜବତୀ ଏବେ ଶୁଣ

ବିଭା ହୋମାନଳେ ଯେବେ ହୋଇଲ ଦହନ ।

ତେବେ ବଇକୁଣ୍ଠେ ତୁହି ଯାଅ ତେଜବତୀ

ଏ ମଧୁନଗରେ ତୋର ରହୁ ଗୋ କୀରତି ।

ଆହୁରି କଥାଏ ଶୁଣ ତୁହି ତେଜବତୀ

ମୋ ନାମକୁ ହୃଦେ ତୁହି ଯେବେ ଥିଲୁ ଚିନ୍ତି ।

ମୋ ରୂପକୁ ଦେଖିବାକୁ ଯେବେ ଶ୍ରଦ୍ଧା କଲଲ

ମୋତେ ନ ଦେଖିଣ କିମ୍ପା ଅନଳେ ଝାସିଲୁ ।

ଯୁଗେଯୁଗେ ମୋର ନାମ ସତ୍ୟ ଅଟେ ଯେବେ

କେମନ୍ତେ ଅନଳେ ଦଗ୍‌ଧ ହୋଇବୁଗୋ ତେବେ ।

ଉଠ ଉଠ ତେଜବତୀ ବିଳମ୍ବ ନକର

ତୋତେ ଦେଖି ଆନନ୍ଦିତ ହେଉ ମଧୁପୁର ।

ଶ୍ରୀକୃଷ୍ଣ ବଚନ ଯହୁଁ କର୍ଣ୍ଣରେ ପଡ଼ିଲା

ଉଠି ତେଜବତୀ କୃଷ୍ଣ ମୁଖକୁ ଚାହିଁଲା ।

ଲଜ୍ଜାଭରେ ପଲଙ୍କରୁ ଉଠି ନ ପାରଇ

ଅନ୍ତରେ କେବଳ କୃଷ୍ଣ ନାମ ଅଛି ଧ୍ୟାୟି ।

ଦେଖିଲା ପୁରିଅଛନ୍ତି ବହୁ ନରନାରୀ

ପୁଣି ଅଛନ୍ତି ଗୋପାଳ କୃଷ୍ଣ ହଳଧାରୀ ।

ତେଜବତୀର ଜନନୀ ବସି କାନ୍ଦୁଥିଲା

ଧାଇଁଯାଇ ତାକୁ ଆଣି କୋଳେ ବସାଇଲା ।

ମୁଖେ ଚୁମ୍ବଦେଇ ସେ ପଲଙ୍କୁ ଉଠାଇ

ଲଜ୍ଜାହୁଡ଼ି ତେଜବତୀ କୃଷ୍ଣ ପାଶେ ଯାଇ ।

ପ୍ରଦକ୍ଷିଣ କରିଣ ସେ ପାଦତଳେ ପଡ଼ି

ବିନୟ ଭାବରେ କହେ ବେନିକର ଯୋଡ଼ି ।

ବୋଲଇ ଭୋ ପ୍ରଭୁ ମୋର ପ୍ରତିକାର କର

ଶରଣ ପଞ୍ଜର ବାନା ରଖ ତୋ ପୟର ।

ବୋଲୁଛନ୍ତି ମନ୍ଦ ମନ୍ଦ ହସି ଦାମୋଦର

ଏ ଜୀବନେ ସୁଖୀ ହୋଇ ଥାଅ ମଧୁପୁର ।

ଅନ୍ତକାଳେ ବିଷ୍ଣୁପାଦ ଯାଇ ତୁ ଲଭିବୁ

ଯାଅ ତେଜବତୀ ସ୍ଵାମୀ ଚରଣ ସେବିବୁ ।

ଏତେ କହି କୃଷ ରାମ ଗୋପାଳଙ୍କୁ ଘେନି

ମଥୁରା ଦାଣ୍ଡରେ ବିଜେକଲେ ଭାଇ ବେନି ।

ମଧୁପୁର ନରନାରୀ କୃଷ୍ଣ ଗୁଣ ଗାଇ

ଦେଖିବାକୁ ଧାଇଁଛନ୍ତି ଉର୍ଦ୍ଧ୍ୱଶ୍ଵାସ ହୋଇ ।

ହଟିଆ ପସରା ଛାଡ଼ି କୃଷ୍ଣଙ୍କୁ ଦେଖନ୍ତି

ପଥିକ ଦେଖି ପଥରେ ଚାଲି ନ ପାରନ୍ତି ।

ଡାକେ କେ ନାରୀକୁ ସ୍ୱାମୀ କ୍ରୋଧଭର ହୋଇ

ଗଉଡ଼ଙ୍କୁ ଦେଖିବାକୁ ଆସିଅଛି ଧାଇଁ ।

ଶୁଣି ନାହୁଁ କିଲୋ ଗୋପେ କୃଷ୍ଣ ଯାହା କଲା

ଖୁଡ଼ୀ ଦେଠେଇ ଯେ ଭାଇ ବୋହୂକୁ ହରିଲା ।

କେ କାହା ମାତାକୁ ପୁଣି ଉଚ୍ଚରେ ଡାକଇ

ଭୁଆସୁଣୀ ବୋହୂକୁ ତୁ ଆଣିଛୁ ଦେଖାଇ ।

ମୁଖେ ଲାଳ ନାହିଁ ବଡ଼କୁଳେ ହୋଇ ଜାତ

ଶାଶୁ ବୋହ୍ରୂଙ୍କୁ ଆଜ ମୁଁ କରିବି ଲୋ ହତ ।

ଏ ମଧୁପୁରେ ଜାତିରେ ଅଟଇ ମୁଁ ଶ୍ରେଷ୍ଠ

ଆଜି ମୋର ବଡ଼ପଣ ତୁମ୍ଭେ କଲ ନଷ୍ଟ ।

ତୁ ଗର୍ଭଧାରିଣୀ ମାଆ ଅଟୁ ଲୋ ମୋହର

ନୋହିଲେ ପେଶନ୍ତି ଏହିଠାରେ ଯମପୁର ।

କେ ବୋଲଇ ଜନନୀଗୋ ବାଇ ତୁ ହୋଇଲୁ

ଯୁବା ଝିଅକୁ ଧରିଣ ଦେଖି ତୁ ଅଇଲୁ ।

ଭଉଣୀକି ଦେଖି ତହିଁ ଗାଳି ସେ ଦିଅଇ

ଶାଶୁ ନଣନ୍ଦକୁ କିଲୋ ଭୟ ତୋର ନାହିଁ ।

କେ ନିଜ ନାରୀ ପଣତ ଧରି ଓଗାଳଇ

ନ ଯାଏ ଲୋ କୃଷ୍ଣ ଦେଖି କହୁଅଛି ମୁହିଁ ।

ଯେତେ ଭର୍ତ୍ସନା କରନ୍ତି ମଧୁପୁର ନରେ

ନ ଶୁଶନ୍ତି ମଧୁନାରୀ ସେ କଥା କର୍ଣ୍ଣରେ ।

ଆବାଳ ବୃଦ୍ଧ ବନିତା ଯେତେ ନରନାରୀ

ରାଜଦାଣ୍ଡେ ଉଭାହୋଇ ଦେଖୁଛନ୍ତି ହରି ।

ହାଟବାଟ ଆଦି ସବୁ ଲୋକମାନେ ଛାଡ଼ି

କୃଷ୍ଣଙ୍କୁ ଦେଖିବା ପାଇଁ ପଡ଼ୁଛନ୍ତି ମାଡ଼ି ।

ଯେ ଯେତେ କହିଲେ କର୍ଣ୍ଣେ ନ ଶୁଣନ୍ତି କେହି

ଉବୁରା ଉବୁରି ହୋଇ ଯାଉଛନ୍ତି ଧାଇଁ ।

ହାଟବାଟ ପେଣ୍ଠ ଆଦି ଥିଲା ଯେତେ ସ୍ଥାନ

ଲୋକ ଗହଳରେ ସବୁ ହୋଇଗଲା ପୂର୍ଣ୍ଣ ।

କେ କୋଠା ଉପରେ କେହି ଛାତର ଉପରେ

କେହୁ ପାଚେରୀରେ କେହୁ ଗଛର ଉପରେ ।

ଏହିପରି ନରନାରୀ ଦେଖନ୍ତି ହର୍ଷରେ

ଶ୍ରୀକୃଷ୍ଣ ମଧୁରମୂର୍ତ୍ତି ଦେଖନ୍ତି ନେତ୍ରରେ ।

ଯେତେ ଦେଖୁଥିଲେ ଚକ୍ଷୁ ଫେରି ନ ଆସଇ

କୃଷ୍ଣଭାବେ ମୁଗ୍‌ଧ ହୋଇଛନ୍ତି ସର୍ବେ ତହିଁ ।

ଜୟ ପତିତ ତାରଣ ଦୀନଜନ ବନ୍ଧୁ

ଏ ଦୀନ ଅଚ୍ୟୁତ ଦାସ ତୋର ପାଦ ବନ୍ଦୁ ।

 

ସୁଦାମାର ପୁଷ୍ପମାଲ୍ୟ ଦାନ ଓ ବର ପାଇବା

ସୁଦାମା ନାମରେ ମାଳୀ କଂସ ବେଶକାରୀ

କୁବୁଜାର କଥା ଶୁଣି ମନ ତୋଷକରି ।

ମନେ ବିଚାରେ କୃଷ୍ଣଙ୍କୁ ଫୁଲ ଦେବି ଆଜ

ପାପ ନାଶି ଲଭିବି ମୁଁ ଶ୍ରୀପାଦ ପଙ୍କଜ ।

ଏତେ ବିଚାରି ସୁଦାମା ପୁଷ୍ପମାନ ତୋଳି

ଯତ୍ନକରି ଗୁନ୍ଥିଲା ସେ ମାଳ ମାଳ କରି ।

ଚାଙ୍ଗୁଡ଼ାରେ ଧରି ଘରୁ ହୋଇଲା ବାହାର

କୃଷ୍ଣ ଦେଖିବାରେ ମନ ବଳିଅଛି ତାର ।

କୃଷ୍ଣ ଆସିବାର ବାଟେ ଧୀରେ ଧୀରେ ଯାଇ

ମନରେ ବିଚାରେ କୃଷ୍ଣଙ୍କୁ ଦେବଇ ପିନ୍ଧାଇ ।

ଖଣ୍ଡଦୂରୁ ଦେଖି କୃଷ୍ଣ ଡାକିଲେରେ ଭାଇ

ଚାଙ୍ଗୁଡ଼ାରେ କିସ ନେଉଅଛୁ ତୁ ଘୋଡ଼ାଇ ।

କହ ଆରେ ଭାଇ ମନେ ଭୟ ତୁ ନକର

ଶୁଣିଣ ସୁଦାମା ମାଳୀ ଦିଅଇ ଉତ୍ତର ।

ନିଏ ମୁଁ ରାଜାର ଲାଗି ସୁବାସ ସୁମନ

ରାଜା ଅଙ୍ଗେ ନିତି ମୁହିଁ କରଇ ମଣ୍ଡନ ।

ମୋ ଫୁଲ ଲଭଇ ରାଜା ମନରେ ସନ୍ତୋଷ

ଏଣୁ ଫୁଲ ଘେନି ଯାଉଅଛି ତାର ପାଶ ।

ରାଜାକୁ କରିଣ ବେଶ ଫେରି ମୁଁ ଆସିବି

ଯାହା ଆଣିବି ତା ଘେନି ଉଦର ପୋଷିବି ।

କହନ୍ତି ସୁଦାମା ବାକ୍ୟ ଶୁଣି ନନ୍ଦକାହ୍ନୁ

କେତେ କୁଟୁମ୍ବ ତୋହର କେତେ ପଡ଼ି ଆଣୁ ।

ସୁଦାମା ବୋଲଇ ତୁମେ ଶୁଣ ନନ୍ଦବତ୍ସି

ପୁତ୍ର ଦୁହିତା ମୋହର ଗୃହେ ନାହିଁ କିଛି ।

ତା ବଚନ ଶୁଣି କୃଷ୍ଣ ବୋଲନ୍ତିରେ ଭ୍ରାତ

ରାଜାର ଭଣଜା ମୁହିଁ ଦେବକୀର ସୁତ ।

ଦେଖ ହେ ରଜକ ମାମୁଁ ଲାଗି ବାସ ଦେଲା

ଗନ୍ତାଇତ ଆମ୍ଭଙ୍କୁ ଯେ ଆସି ବେଶ କଲା ।

କୁବୁଜା ମାମୁଁର ଲାଗି ଚନ୍ଦନକୁ ଆଣି

ଆନନ୍ଦେ ଆମ୍ଭ ଅଙ୍ଗରେ ବୋଳିଲା ତରୁଣୀ ।

ତୁମ୍ଭେ ଏବେ ଫୁଲମାଳ ଆମ୍ଭଙ୍କୁ ଯେ ଦିଅ

ତୋ ଭଣଜା ନେଲା ବୋଲି ମାମୁଁ ଆଗେ କହ ।

କୃଷ୍ଣ ବଚନ ସୁଦାମା ଶୁଣି ପାଦେ ପଡ଼ି

ସୁବାସ କୁସୁମମାନ ଚାଙ୍ଗୁଡ଼ିରୁ କାଢ଼ି ।

ଯତ୍ନରେ ତାଳୁ ଉପରେ ଚୂଳ ବାନ୍ଧିଦେଲା

ସେବତୀ ପାଖୁଡ଼ା ନେଇ ତାପରେ ଖଞ୍ଜିଲା ।

ଗଳାରେ ଲମ୍ବାଇ ଦେଇ ମାଳତୀର ମାଳ

ଯତ୍ନେ ମିଶାଇଛି ତହିଁ ନିଆଳି ବକୁଳ ।

ପୁଣି ବରୁଣ ଦୟଣା ମାଳମାନ ନେଇ

କରୁଣାସାଗର ଗଳେ ଦେଲା ସେ ଲମ୍ବାଇ ।

ମରୁଆ ତରାଟ ସଙ୍ଗେ ଘେନି ଚମ୍ପାକଢ଼ି

କୃଷ୍ଣର ବେଣୀରେ ନେଇ ଖଞ୍ଜେ ଯୋଡ଼ିଯୋଡ଼ି

ମଦନମୋହନ ବେଶ ସଜାଇଲା ମାଳୀ

ସେ ବେଶ ଦେଖିଲେ ଯିବ ପାଷାଣ ତରଳି ।

କୃଷ୍ଣ ବୋଇଲେ ସୁଦାମା ଶୁଣ ମୋ ବଚନ

ଦିଅ ରାମ ଗୋପାଳଙ୍କୁ ବାଛି ପୁଷ୍ପମାନ ।

ଏହାଶୁଣି ସୁଦାମା ଯେ ରାମ ପାଶେ ଯାଇ

ଜାଈ ଯୁଈ ଆଦି ନାନା ପୁଷ୍ପମାନ ଦେଇ ।

ଅତି ସୁନ୍ଦର ଭାବରେ ତାଙ୍କୁ ବେଶ କଲା

ନାନା ପୁଷ୍ପମାଳମାନ ଗଳେ ଲମ୍ବାଇଲା ।

ଜଣେ ଜଣେ ଗୋପାଳଙ୍କୁ ଫୁଲମାଳ ଦେଇ

ନଟବର ବେଶ ସବୁ ସଜାଇଲା ତହିଁ ।

ଯାହାକୁ ଯେମନ୍ତ ବେଶ ଦିଶିବ ସୁନ୍ଦର

ତାହାର ସେ ପୁଷ୍ପେ ଖଞ୍ଜିଦେଲା ଫୁଲମାଳ ।

ଦିଶିଲେ ସୁନ୍ଦର ତିନିପୁର ସେ ମୋହିଲେ

ସେ ମୋହନ ବେଶ ଦେଖି ପୟର ନ ଚଳେ ।

ମୋହନ ବେଶରେ କୃଷ୍ଣ ମୋହିଲେ ଜଗତ

ଦେଖନ୍ତେ ଦେଖଣାହାରୀ ହୋଇବେ ମୋହିତ

ବେଶ କରି ରାମକୃଷ୍ଣ ପାଦରେ ପଡ଼ିଲା

କରପତ୍ର ଯୋଡ଼ିଣ ସେ ଦୂରେ ଉଭା ହେଲା ।

ଉଠାଇ ବୋଲନ୍ତି କୃଷ୍ଣ ତୁ ମୋର ଭକତ

ଏବେ ପାପଗଲା ଦୂର ହୋଇଲୁ ମୁକତ ।

ଅନ୍ତଃକାଳେ ବଇକୁଣ୍ଠେ ଯାଇ ତୁ ବସିବୁ

ଯେତେଦିନ ଆମ୍ଭେ ଥିବୁ ଫୁଲ ଦେଉଥିବୁ ।

କଂସ ଦାସଭାବେ ଉଗ୍ରସେନ ଖଟିଥିବେ

ଅନ୍ତେ ବଇକୁଣ୍ଠ ଯାଇ ସକଳେ ବସିବେ ।

ଆମ୍ଭ ବୋଲକରି ଏବେ ଯାଅ ତୁ ଘରକୁ

ନ ଅଣ୍ଟିଲା ଯେତେ ପୁଲ ଦେଲୁ ତୁ ଆମ୍ଭଙ୍କୁ ।

ତୋ ବାଡ଼ିରେ ଏବେ ଯେତେ ଫୁଲଥିବ ଫୁଟି

ପଠିଆଇ ଦେଇଥବୁ ଯାଅରେ ଲେଉଟି ।

କୃଷ୍ଣ ଆଜ୍ଞାରେ ସୁଦାମା ରୂପ ଚମତ୍କାର

ଦିଶିଲା ତାଦୃଶ ପତ୍ନୀ ହୋଇଲା ସୁନ୍ଦର ।

ସୁଦାମାକୁ ଶ୍ରୀକୃଷ୍ଣଙ୍କର ଯହୁଁ ଦୟା ହେଲା

ନାନା ସମ୍ପତ୍ତିରେ ତାର ମନ୍ଦିର ପୂରିଲା ।

ଯହୁଁ ସେ ସୁଦାମା ନିଜ ଘରଠାକୁ ଗଲା

ଆପଣାର ଘର ସେହି ଚିହ୍ନି ନ ପାରିଲା ।

ଦୂରୁ ଦେଖିଣ ତାହାର ନାରୀ ଗଲା ଧାଇଁ

ଡାକଇ ହେ ସ୍ୱାମୀ ଗୃହେ ନ ଆସ କିମ୍ପାଇଁ ।

ଶୁଣି ସୁଦାମା ଚିତ୍ତରେ ଭୟ କଲା ତାର

ବୋଇଲା ଡାକଇ ମୋତେ ଏ ନାରୀ କାହାର ।

ବଣାହେଲି ମୋର ଘର ନୁହଁଇଟି ଏହି

ଏସୁନ୍ଦରୀ ନାରୀ ମୋତେ ଡାକୁଛି କିମ୍ପାଇଁ ।

ପୁଣି ବିଚାରେ ମୋ ନାରୀ ପ୍ରାୟେ ତ ଦିଶଇ

କି କଥା କହିବି ମୋତେ ବୁଦ୍ଧି ଦିଶୁନାହିଁ ।

ଦେଖିଣ ତାହାର ନାରୀ କହେ ମୃଦୁବାଣୀ

କାହିଁପାଇଁ ସ୍ଵାମୀ ତୁମେ ହୋଇଲ ହେ ତୁନି ।

କାହିଁକି ନ ଆସି ଗୃହେ ଅଛ ଉଭା ହୋଇ

ଶ୍ରବଣେ ସୁଦାମା ମାଳୀ ମନେ ବିଚାରଇ ।

ମୋ ଘରେ ସମ୍ପତ୍ତି ଦେଲେ ନନ୍ଦରନ୍ଦନ

ମୋ ନାରୀକି ରୂପବତୀ ସେହି କଲେ ପୁଣ ।

ଏତେ ବିଚାରି ସୁଦାମା ପୁର ମଧ୍ୟେ ମିଳି

ଦେଖି ନିଜ ମନ୍ଦିରକୁ ମନେ ମନେ ଭାଳି ।

ପୁଣି ବିଚାରିଲା ଧନ୍ୟ ଦେବକୀର ସୁତ

ସାକ୍ଷାତରେ ବ୍ରହ୍ମ ତୁ ହୋ ଅଟୁ ଗୋପୀନାଥ ।

ବୋଇଲା ମାଳତୀ କେହୁ ଏହା ଦେଲା କହ

ଏମାନ ଦେଖି ମୋହର କମ୍ପୁଅଛି ଦେହ ।

ସୁଦାମା ବାକ୍ୟେ ମାଳତୀ ଦିଅଇ ଉତ୍ତର

ବାଇ ହେଲା ମନ ଭ୍ରମ ହେଲା କି ତୁମ୍ଭର ।

ପୁଷ୍ପମାଳ ଘେନି ତୁମେ ରାଜା ପାଶେ ଗଲ

ବାଟରେ କୃଷ୍ଣଙ୍କୁ ଦେଖି ବାଇକି ହୋଇଲ ।

ଏ ସକଳ ଧନ ତୁମ୍ଭେ ଦେଇଛ ପଠାଇ

ଭାର ଭାର କରି ବହୁ ଲୋକ ଗଲେ ଦେଇ ।

ବୋଇଲେ ତୋହର ସ୍ୱାମୀ ଦେଇଛି ପଠାଇ

ଏ ଧନ ରତନ ତୁମ୍ଭେ ଘରେ ରଖ ନେଇ ।

ଜୀବ ଥିବାଯାଏ ତୁମ୍ଭେ ଦରିଦ୍ର ନୋହିବ

ଆଜିଠାରୁ ତୁମ୍ଭେ ଆଉ ବସି ଖାଉଥିବ ।

ତୁମ୍ଭ ସ୍ୱାମୀ ବାଟେ କୃଷ୍ଣ ଦେଖୁଛନ୍ତି ରହି

ଆମ୍ଭଙ୍କୁ ବୋଇଲେ ଘରେ ଦେଇଆସ ଯାଇ ।

ତୁମ୍ଭେ କହୁଛ ଏପରି ଏବେ କାହିଁପାଇଁ

କିବା ତୁମ୍ଭେ ଆଜି କାହିଁ ଖାଇଛ ଗଞ୍ଜାଇ ।

କି ଅବା ଧନକୁ ଦେଖି ହେଲା ମତିଭ୍ରମ

କି ଅବା ତୁମ୍ଭଙ୍କୁ ବାଇ କଲେ କୃଷ୍ଣରାମ ।

ଏମନ୍ତ ଶୁଣି ସୁଦାମା କୃଷ୍ଣଙ୍କୁ ଚିନ୍ତିଲା

ନ କହି କାହାକୁ କିଛି ମଉନେ ରହିଲା ।

ବିଚାରେ ସାକ୍ଷାତେ କୃଷ୍ଣ ଦେବ ନାରାୟଣ

ନିଶ୍ଚୟେ କଂସକୁ ଆସି ଘୋଟିଲା ମରଣ ।

ଏମନ୍ତ ବିଚାରି ଯେତେ ଫୁଲ ଥିଲା ତୋଳି

ଯତ୍ନେ ଗଭାକରି ବସି ଗୁନ୍ଥିଲା ସେ ମାଳୀ ।

ନିଜ ନାରୀକି ଅନାଇ ବୋଲଇ ବଚନ

ଏ ଫୁଲକୁ ନେଇ ଦାଣ୍ଡେ ଚଳ ହୋ ବହନ ।

କୃଷ୍ଣଙ୍କ ଗଳାରେ ଦେଇ ପାଦରେ ପଡ଼ିବୁ

କରଯୋଡ଼ି ତାହାଙ୍କୁ ତୁ ବିନୟେ କହିବୁ ।

ବୋଲିବୁ ହେ ପ୍ରଭୁ ମୋର ନାହାନ୍ତି ନନ୍ଦନ

ଅପୁତ୍ରିକା ହୋଇ ମୋର ଯିବ ଏ ଜୀବନ ।

ନ ଚାହାନ୍ତି ମଧୁ ନରନାରୀ ମୋ ବଦନ

ଦିଅ ପୁତ୍ରଦାନ ମୋତେ ଦେବକୀ ନନ୍ଦନ ।

ନିଃସନ୍ତାନ ହୋଇ ଯେବେ ମରିବି ଗୋସାଇଁ

ଯମ ଦଣ୍ଡରେ ପଡ଼ିବି ରକ୍ଷା ମୋର ନାହିଁ ।

ଆଣ୍ଠୁକୁଡ଼ୀ ହୋଇ ଯେବେ ଥିବି ଏ ସଂସାରେ

ଧିକ୍‌କ ମୋହର ଜୀବନ କି ବୋଲନ୍ତି ନରେ ।

ନାରୀ ଜନ୍ମ ହୋଇ ପୁତ୍ର ମୁଖ ନ ଦେଖିଲି

ଅପୁତ୍ରୀ ଦୋଷରୁ ପାରିକର ବନମାଳୀ ।

ଶୁଣି ମାଲୁଣୀ ମନରେ ହୋଇଲା ଆନନ୍ଦ

ପୁଷ୍ପ ଡାଲା ଧରିଣ ସେ ଚାଲେ ମନ୍ଦ ମନ୍ଦ ।

ଖଣ୍ଡେ ଦୂରୁ କୃଷ୍ଣରୂପ ଦେଖି ମୋହ ଗଲା

ହସ୍ତରୁ କୁସୁମ ଡାଲା ଭୂମିରେ ପଡ଼ିଲା ।

ମାଲୁଣୀର ମନ କୃଷ୍ଣ ତକ୍ଷଣେ ଜାଣିଲେ

କରୁଣାସାଗର ତାର ଆଗେ ପ୍ରବେଶିଲେ ।

ବୋଇଲେ ଏ କିସ ଆଣିଅଛ ଫୁଲମାଳ

ସୁଦାମାକୁ କହିଥିଲି ନ ଅଣ୍ଟିଲା ଫୁଲ ।

ତେଣୁ ଏ ସୁନ୍ଦରୀ ଫୁଲ ଘେନିଣ ଆସିଛି

ସୁଦାମାର ନାରୀ ଏହୁ ଜଣା ଯାଉଅଛି ।

କାହୁଁ ଆସିଥିଲା ଏହୁ କେମନ୍ତେ ପଡ଼ିଲା

ଏ କଥା ତ ମୋତେ ବଡ଼ ସନ୍ଦେହ ଲାଗିଲା ।

ଏମନ୍ତ ବିଚାରି କୃଷ୍ଣ ତାର କର ଧରି

ବୋଇଲେ ଉଠ ଗୋ ବାଞ୍ଛାପୂର୍ଣ୍ଣ ହେଲାନାରୀ ।

କୃଷ୍ଣଙ୍କୁ ଦେଖି ମାଲୁଣୀ ଫୁଲମାଳ ଧରି

ବେନି ନୟନରୁ ବହିଯାଏ ଅଶ୍ରୁବାରି ।

କୃଷ୍ଣପାଦେ ଲଗାଇଛି ମନ ଚଇତନ

କୃଷ୍ଣଭାବେ ବଶ ହୋଇଗଲା ଅଚେତନ ।

କୃଷ୍ଣର ଗଳାରେ ଫୁଲମାଳ ଦେଲା ନେଇ

ରାମ ପାଶେ ଫୁଲ ଧରି ଭାବେ ଉଭା ହୋଇ ।

ପାଦେ ପଡ଼ି ପୁଣି ଉଠି ଫୁଲମାଳ ଦେଲା

ତଦନ୍ତରେ ନେଇ ଗୋପପୁଅକୁ ମଣ୍ଡିଲା ।

ସ୍ୱାମୀ ତାର ଦେଇଥିଲା ଯେତେ ଫୁଲମାନ

ଯେଉଁ ଯେଉଁ ସ୍ଥାନ ସବୁ ହୋଇଥିଲା ଶୂନ୍ୟ

ଫୁଲରେ ସେ ସ୍ଥାନମାନ ମଣ୍ଡନ କରିଲା

ପୁଣି କୃଷ୍ଣ ପାଦତଳେ ଯାଇଣ ପଡ଼ିଲା ।

ବେନି କରପତ୍ର ଯୋଡ଼ି କହଇ ବଚନ

ଧିକ ଧିକ ପ୍ରଭୁ ମୋର ଯାଉ ଏ ଜୀବନ ।

ନାରୀଜନ୍ମ ପାଇ ଯେବେ ନୋହିଲା ନନ୍ଦନ

ସଂସାରେ ଜନମ ହେବା ମୋର ଅକାରଣ ।

ଅପୁତ୍ରୀ ବୋଲିଣ ମୋତେ ବୋଲିବେ ସମସ୍ତେ

ନ ଚାହିଁବେ କେହି ମୋର ମୁଖକୁ ପ୍ରଭାତେ ।

ପୁତ୍ର ମୁଖ ନ ଦେଖିଣ ଯେଉଁ ପ୍ରାଣୀ ମରେ

ନ ମିଳଇ ବାସ ତାକୁ ପଡ଼େ ସେ ନର୍କରେ ।

ପୁତ୍ର ହେବ ବୋଲି ପରପୁଂସେ ଦେଇ ମନ

ଯେଉଁ ରମଣୀ ସମର୍ପେ ନିଜ ଯଉବନ ।

ପର ବୀର୍ଯ୍ୟରେ ସନ୍ତାନ ଯେବେ ଜାତହୋଇ

କୁଳ ରହିଲା ବୋଲି ସେ ସନ୍ତୋଷ ଲଭଇ ।

ବନ୍ଧୁଭାଇ କୁଟୁମ୍ବ ଯେ ଜାତିକୁଳ ଗୋତ୍ର

ହରଷ ହୁଅନ୍ତି ସର୍ବେ ଦେଖି ନବପୁତ୍ର ।

ପିତୃଦେବତା ହୁଅନ୍ତି ତାରେ କୋପାନଳ

ସକଳ କରନ୍ତି ନାଶ ମିଳି ତାର କୁଳ ।

ସେ ପୁତ୍ର ଅଳପ କାଳ ଜୀବିତ ହୁଅଇ

କାହାକୁ ନ ଡରେ ଧନେ ବଳବାନ ହୋଇ ।

ଧର୍ମ କର୍ମ ନ ଜାଣଇ ପାପେ ହୁଏ ରତ

ନିରତେ ତାହାର ପାପେ ବଢୁଥାଏ ଚିତ୍ତ ।

ନିରତେ କିଛିଦିନରେ ହୁଏ ପ୍ରାଣେ ନାଶ

ନିଅନ୍ତି ଗଳାରେ ଦେଇ ଯମଦୂତେ ଫାଶ ।

କୁଳ ରହିବ ବୋଲିଣ ପରପୁଂସେ ମାତି

ପୁତ୍ର ଜାତ କରଇଟି ଯେବଣ ଯୁବତୀ ।

ମରଣ କାଳରେ ଯମଦୂତେ ଘେନିଯାନ୍ତି

ମାରିଣ ଅନେକ ମାଡ଼ ଦଣ୍ଡ ସେ ଦିଅନ୍ତି ।

ଖଣ୍ଡ ଖଣ୍ଡ କରି ତାର କାଟନ୍ତି ମାଉଁସ

ବୁଲାନ୍ତି ଉଲଗ୍ନ କରି ତାକୁ ଯମଦେଶ ।

ତପତ ଲୁହାରି ବାଡ଼ି ତା ମୁଖେ ଭରନ୍ତି

ପୁଣି ଲୌହ ଛାଟ ତାର ଚକ୍ଷୁରେ ମାରନ୍ତି ।

କୁମ୍ଭୀପାକ ନରକରେ ତାହାକୁ ପକାନ୍ତି

କଣ୍ଟାମୟ ଛାଟେ ପିଟି ଦାଣ୍ଡେ ଘୋଷାଡ଼ନ୍ତି ।

କୁଳ ନ ରହେ ସେ ବ୍ୟକ୍ତି ଦଣ୍ଡେ ହୁଏ ଯୋଗ

ପରପୁରୁଷରେ ଯେହୁ କରେ ରତି ଭୋଗ ।

ଯେବେ ପରପୁରୁଷରେ ପୁତ୍ରଜାତ ହୁଏ

କୁଳ ନ ରହଇ ମାତ୍ର କଳଙ୍କଟି ରହେ ।

ମୁହିଁ ଅପୁତ୍ରିକା ନାରୀ ପୁତ୍ର ଦିଅ ମୋତେ

ଫିଟୁ ମୋର ବନ୍ଧ୍ୟାଦୋଷ ଦେଖନ୍ତୁ ସମସ୍ତେ ।

ଭାବେ ଗଦଗଦ ନେତ୍ରୁ ଅଶ୍ରୁଜଳ ଗଳେ

ଏମନ୍ତ କହି ପଡ଼ିଲା ପୁଣି ପାଦତଳେ ।

ବୋଲଇ ହେ ପ୍ରଭୁ ମୋତେ ବାରେ ଦୟାକର

ଜଗତେ ବୋଲନ୍ତି ଅଟୁ ତୁ ଦୟାସାଗର

ଦୟାକରି ସ୍ୱାମୀ ସିନା କଲୁ ଧନ ଦାନ

ଅସୁନ୍ଦର ଦିଶେ ପୁର ନଥାଇ ନନ୍ଦନ ।

ଯେତେକ ସମ୍ପଭି ଦେଲୁ ସବୁ ଅକାରଣ

ଆମ୍ଭ ଅନ୍ତେ ଶତ୍ରୁ ସିନା ଖାଇବେ ସେ ଧନ ।

ଭୋ ବ୍ରହ୍ମାଣ୍ଡନାଥ ମୋତେ ଯେବେ କଲ ଦୟା

କେବଳ ସନ୍ତାନ ଦିଅ ମାଗୁଅଛି ଏହ। ।

ଏମନ୍ତ ବୋଲି ମାଲୁଣୀ ଭାବେ ହେଲା ଭୋଳ

ବିହ୍ୱଳିତେ ପଡ଼ିଲା ସେ କୃଷ୍ଣ ପାଦତଳ ।

ବୋଲଇ ହେ ତ୍ରାହିକର ଦେବକୀର ସୁତ

ମୁଁ ତୋର ଦାସୀର ଦାସୀ ଅଟେ ଗୋପୀନାଥ

ଧନ ସମ୍ପତ୍ତିରେ ମୋର କିଛି କାର୍ଯ୍ୟ ନାହିଁ

ଯେବେ ଦେଇଅଛ ତାହା ନିଅ ହେ ଫେରାଇ ।

ନଗ୍ରେ ଭିକ୍ଷା ମାଗି ପଛେ ଉଦର ପୋଷିବି

ପୁତ୍ର ବିନା ତୋତେ ମୁହିଁ ଆନ ନ ମାଗିବି ।

ଯେମନ୍ତ ମୁଁ ଅପୁତ୍ରିକା ଦୋଷୁ ହେବି ପାରି

ତେମନ୍ତ କରୁଣା ମୋତେ କର ଦଇତ୍ୟାରୀ ।

ମାଲୁଣୀ ବଚନେ କୃଷ୍ଣ ମନରେ ଭାବିଲେ

ଏହାର ହୃଦରେ ଜ୍ଞାନ ଜନ୍ମିଲା ବୋଇଲେ ।

ଥରେ ମାତ୍ର ମନ ଦେଖି ଏହାଙ୍କୁ ବିଡ଼ିବା

କେମନ୍ତ ଭକତି କରେ ସେ କଥା ବୁଝିବା ।

ବୋଇଲେ ମାଲୁଣୀ ଏବେ ଶୁଣ ମନଦେଇ

ତୋରର କର୍ମେ ପୁତ୍ର ନାହିଁ କାହୁଁ ମୁଁ ଦେବଇଁ ।

କୃଷ୍ଣ ବଚନେ ମାଲୁଣୀ ବୋଲଇ ବଚନ

ଗୋପପୁରେ କଲ ଯାହା ବାଜିଛି ମୋ କର୍ଣ୍ଣ ।

ଆହୁରି ମୁଁ ମଧୁପୁରେ ପ୍ରତ୍ୟକ୍ଷେ ଦେଖିଲି

କାହିଁକି ଭଣ୍ଡାଅ ମୋତେ ମିଛେ ବନମାଳୀ ।

ଅନ୍ତୁଡ଼ିଶାଳରେ କୃଷ୍ଣ ନାଶକଲ ଯାଇ

ନନ୍ଦ ବୁଡ଼ିଗଲା ଜଳୁ ଆଣିଲ ଜୀଆଇଁ ।

ବ୍ରହ୍ମା ନେଲା ବତ୍ସାବାଳ ତୋହର ଚୋରାଇ

ତୋ ଅଙ୍ଗୁ କେମନ୍ତ ଜାତ କଲୁ ଭାବଗ୍ରାହୀ ।

ନ ଚିହ୍ନିଲେ କେହି ଗୋପୀଗୋପାଳ ସହିତେ

ଇନ୍ଦ୍ର ବଜ୍ର ବରଷିଲା ଗୋପେ ଦିନା କେତେ ।

ଟେକିଲୁ ତୁ ଗୋବର୍ଦ୍ଧନ କରେ ନନ୍ଦବଳା

ଇନ୍ଦ୍ର ହାରି ତୋର ପାଦେ ଶରଣ ପଶିଲା ।

ଏ ମଥୁରାପୁରେ ଏବେ ଲୀଳା ତୁ କରିବୁ

ଅସୁର ବିନାଶି ଧରା ଭାରା ନିବାରିବୁ ।

ତୁ ଯେ ବୋଲୁଅଛୁ ପୁତ୍ର କର୍ମେ ନାହିଁ ମୋର

ତୋ ତହୁଁ ବଡ଼ କେ ଅଛି କହ ମୋ ଆଗର ।

ଛପନ କୋଟି ଜୀବର ହୃଦେ ତୁହି ଥାଉ

ଯେ ଯାହା ଭାବଇ ମନେ ତାହ। ତାକୁ ଦେଉ ।

ଭାବକୁ ନିକଟ ତୁହି ଅଭାବକୁ ଦୂର

ବିଧାତା ସେବଇ ନିତି ତୋହର ପୟର ।

କେମନ୍ତ ବୋଇଲୁ ମୋର କର୍ମେ ନାହିଁ ସୁତ

ତୋର ମୁଖୁଁ ଶୁଣି ମୁହିଁ ହେଲି ଆଚମ୍ବିତ ।

ବୋଲନ୍ତି ତାର ବଚନ ଶୁଣି ଦାମୋଦର

ଶୁଣଗୋ ମାଲ୍ୟାଣୀ ତୁହି ବଚନ ମୋହର ।

ତା ଶୁଣି ମାଲ୍ୟାଣୀ କୃଷ୍ଣ ପାଦେପଦ୍ମ ପଡ଼ି

ବିନୟେ ହୋଇଲା ଉଭା ବେନିକର ଯୋଡ଼ି ।

ବୋଲଇ ହେ ପ୍ରଭୁ ଯେବେ ଦୟାକଲ ମୋତେ

ଅନ୍ୟ ନ ମାଗଇ ପୁତ୍ର ମାଗୁଅଛି ତୋତେ ।

ବୋଲନ୍ତି ମାଲୁଣୀବାକ୍ୟ ଶୁଣି ଭାବଗ୍ରାହୀ

ମାଗିଲୁ ତୁ ପୁତ୍ର ଯେବେ ଶୁଣ ମୁଁ କହଇ ।

ଦାନ ଧର୍ମ ତୀର୍ଥ ବ୍ରତମାନ କରୁଥିବୁ

ସବୁକାଳେ ଅନ୍ନ ଜଳ ଦାନ ଦେଉଥିବୁ ।

ପର ଉପକାର ତୁହି କରୁଥିବ ନିତି

ପରଠାରେ ହିଂସା ନବହିବ ତୋର ମତି ।

ପରଦୁଃଖ ଦେଖି ଦୁଃଖୀ ହୋଇବୁ ମାଲ୍ୟାଣୀ

ଆତଙ୍କ କାଳେ ପରକୁ ସାହା ହେବୁ ପୁଣି ।

ନ କରିବୁ କ୍ଷୁଧା ତୃଷାତୁରଙ୍କୁ ନିରାଶ

ଅତି ଦେଖିଲେ ତୁହି କରିବୁ ସନ୍ତୋଷ ।

ନ କହିବୁ ତୁ ନିଷ୍ଠୁର ବଚନ କାହାକୁ

ସମାନ ଦେଖିବୁ ତୁହି ପର ଆପଣାକୁ ।

ବିଷ୍ଣୁଙ୍କର ପାଦପଦ୍ମେ ଚିତ୍ତ ଦେଇଥିବୁ

ସାଧୁଙ୍କ ଚରଣ ରେଣୁ ଅଙ୍ଗରେ ବୋଳିବୁ ।

ବିଷ୍ଣୁପାଦ ଚିନ୍ତି ମନେ ବୁଲୁଥିବୁ ତୁହି

ବିଷ୍ଣୁ ପାଦେ ସଦାଥିବୁ ଚିତ୍ତକୁ ବୁଡ଼ାଇ ।

ବିଷ୍ଣୁପାଦପଦ୍ମକୁ ତୁ ସ୍ୱାମୀ ବୋଲି ଧର

ବିଷ୍ଣୁର ପାଦକୁ ପୁତ୍ର ବୋଲି ଆଶ୍ରାକର ।

ଦୁଃଖରେ କରିବୁ ଯେତେ ଧନ ଉପାର୍ଜନ

ବିଷ୍ଣୁପାଦେ ତାହା ସବୁ କରିବୁ ଅର୍ପଣ ।

ବିଷ୍ଣୁର ପାଦପଦ୍ମକୁ ମଣି ତାତ ମାତ

ବିଷ୍ଣୁ ପାଦେ ସମର୍ପିବୁ ତୁ ଲାଜ ମହତ ।

ବିଷ୍ଣୁର ପାଦକୁଦୀକ୍ଷାଗୁରୁ ତୁ କରିବୁ

ବିଷ୍ଣୁ ନାମ କର୍ଣ୍ଣେ ତୁ ତ ନିତି ଶୁଣୁଥିବୁ ।

କରିବୁ ବିଷ୍ଣୁର ପାଦୋଦକ ନିତି ସେବା

ନ ସେବିବୁ ବିଷ୍ଣୁପାଦ ବିନୁ ଆନ ଦେବା ।

ସମ୍ପତ୍ତି ବିପତ୍ତି ବିଷ୍ଣୁପାଦେ ସମର୍ପିବୁ

ଜ୍ଞାନ ଅଜ୍ଞାନ ତୋହର ବିଷ୍ଣୁପାଦେ ଦେବୁ ।

ବିଷ୍ଣୁପାଦେ ସମର୍ପିବୁ ଅଙ୍ଗକ୍ଳେଶ ଯେତେ

ବିଷ୍ଣୁପାଦେ ମନ ଦେଉଥିବୁ ଶୁଦ୍ଧଚିତ୍ତେ ।

ବିଷ୍ଣୁପାଦେ ପ୍ରକୃତିମାନ ସମର୍ପିବୁ

ବିଷ୍ଣୁପାଦରେ ଇନ୍ଦ୍ରିୟଗଣେ ନିୟୋଜିବୁ ।

ତେବେ ତୁ ତ ବଇକୁଣ୍ଠେ ବସିବୁ ମାଲ୍ୟାଣୀ

ବିଷ୍ଣୁ ପାଦପଦ୍ମ ଛଡ଼ା ନକର ଭାଳେଣି ।

ଏ କଥାରୁ ବଡ଼ କେବେ ନୁହଇ ତନୟ

ଯେଉଁପାଦ ଆଶ୍ରୟରେ ନାହିଁ ଭବଭୟ ।

ଯେବେ ଧରି ନ ପାରିବୁ ଏହା ସୁଲକ୍ଷଣୀ

ଆହୁରି କଥାଏ ତେବେ କହୁଅଛି ପୁଣି ।

କେବଳ ହୃଦୟେ ବିଷ୍ଣୁ ନାମ ଧ୍ୟାଉଥିବୁ

ଅତିଥି ଦେଖି ନିରାଶ କେବେ ନ କରିବୁ ।

ଥିଲେ ଦେବୁ ନ ଥିଲେ ତୁ ବିନୟେ କହିବୁ

ଯା ଘରେ ମିଳିବ ତାକୁ ଦେଖାଇଣ ଦେବୁ ।

ନିଜେ ନ ଦେଲେ ଅନ୍ୟର ଦ୍ଵାରା ଦିଆଇବୁ

ଦେବାଠାରୁ ଅଧିକରେ ଫଳ ତୁ ପାଇବୁ ।

କଟୁକଥାମାନ କେବେ ନ କହିବୁ ତୁହି

ଦୁଷ୍ଟଜନେ ଯେବେ ତାକୁ ମାରିବେ ଗୋଡ଼ାଇ ।

ନ ମାର ବୋଲିଣ ତାଙ୍କୁ ବୁଝାଇ କହିବୁ

ନ ମାନିଲେ ତାଙ୍କୁ ତୋର ଅଙ୍ଗ ଦେଖାଇବୁ ।

ନିଜେ ମାଡ଼ ଖାଇ ଅନ୍ୟେ ରକ୍ଷା ତୁ କରିବୁ

ପର ନିମନ୍ତେ ଆପଣା ପ୍ରାଣ ସମର୍ପିବୁ ।

ପର ଉପକାରେ ସଦା ଦେବୁ ମନପ୍ରାଣ

ଅନ୍ତିମେ ପାଇବୁ ଯାଇ ବଇକୁଣ୍ଠେ ସ୍ଥାନ ।

ଗୁପ୍ତେ ଅତିଥିଙ୍କୁ ଦେଉଥିବୁ ତୁ ଆହାର

ସନ୍ତୋଷ ଲଭିବେ ସେହୁ ଯେମନ୍ତ ପ୍ରକାର ।

ନ ଲାଗଇ ବନ୍ଧ୍ୟାଦୋଷ ଏଥୁ ସୁଲୋଚନୀ

ପୁତ୍ର ହୋଇଲେ ବିଷ୍ଣୁଙ୍କୁ ଲଭଇ କି ପ୍ରାଣୀ ।

ଆହୁରି କଥାଏ ଶୁଣ କହୁଅଛି ମୁହିଁ

ପରଠାରେ ହିଂସା ଦ୍ୱେଷ ନ ବହିବୁ ତୁହି ।

ନ ବଳାଇବୁ କଦାଚ ପରଧନେ ମନ

ସମର୍ପିବୁ ପର ଆତଙ୍କରେ ତୁ ଜୀବନ ।

କରୁଥିବୁ ନିତ୍ୟେ ପର ଉପକାରମାନ

କର୍ଣ୍ଣେ ନ ଶୁଣିବୁ ପର ନିନ୍ଦା ଅପମାନ ।

ସକଳ ଧର୍ମରେ ପର ଉପକାର ସାର

ବଳାଇବୁ ନାହିଁ ପର ନାଶେ ମନ ତୋର ।

କ୍ଷୁଧାର୍ତ୍ତ ତୃଷାର୍ତ୍ତ ଜନେ ଦେବୁ ଅନ୍ନ ଜଳ

ନ ଥିଲେ ନ ଦେଲି ବୋଲି ହୋଇବୁ ବିକଳ ।

ଦରିଦ୍ର ଦେଖିଲେ ଧନ ବସ୍ତ୍ର ଦାନ ଦେବୁ

ଜଳ ନଥିବା ପଥରେ ପୋଖରୀ ଖେଳିବୁ ।

ଦେଉଳ ତୋଳାଇ ବିଷ୍ଣୁ ପ୍ରତିମା ସ୍ଥାପିବୁ

ଏକଥା ନ କରି ପୁତ୍ର ଲୋଡ଼ିକି ପାରିବୁ ।

ବିଷ୍ଣୁର ପାଦକୁ ଧନ ପୁତ୍ର ନୁହେଁ ସରି

ବାଇ ତୁ ନହୁଅ ଆଗୋ ସୁଦାମାର ନାରୀ

ସତ୍ୟ କହୁଅଛି ପୁତ୍ର ଦେବି ସୁଲୋଚନୀ

ବିଷ୍ଣୁ ଭକତିରେ ଏକା କରିବୁ ଭାଳେଣି ।

ପଚାରି କହ କହିଲି ତୋତେ ବେନି କଥା

ଶୁଣି ମାଲୁଣୀ କରଇ ମନେ ତାର ଚିନ୍ତା ।

ବିଚାରଇ ଏ ଶ୍ରୀକୃଷ୍ଣ ଭଣ୍ଡୁଅଛି ମୋତେ

ନାନା ଜାତିରେ ଭୁଲାଇ କହୁଅଛି କେତେ ।

ବୋଲଇ ହେ କୃଷ୍ଣ ତୁମ୍ଭେ ଶୁଣ ମୋ ବଚନ

ନାରୀଜାତି ଆମ୍ଭେ ଅଟୁ ବଡ଼ ନିଲକ୍ଷଣ ।

ତୁ ଯାହା କହିଲୁ ଗୋପୀମାନେ ତା ଜାଣନ୍ତି

ନାରୀଜାତି ହୋଇ କାହିଁ ଜାଣିବୁ ଭକତି ।

ବିଷ୍ଣୁ ବୋଲି ଦିନେ ମୁଁତ ନେତ୍ରେ ଦେଖିନାହିଁ

ମୋତେ ତ ଦେଖିଲେ ବିଷ୍ଣୁ ଯିବେଟି ପଳାଇ ।

ଭାବ ଭକ୍ତି କେଉଁପରି ମୋତେ ଜଣା ନାହିଁ

ହରିନାମ ଧ୍ୱନି ଦିନେ କର୍ଣ୍ଣେ ବାଜିନାହିଁ ।

ଏବେ ତୁମ୍ଭେ ବୋଲୁଅଛ ବିଷ୍ଣୁପାଦେ ସେବ

ଆଗେ ଦିଅ ପୁତ୍ର ପଛେ ସେବେ ବିଷ୍ଣୁଦେବ ।

ଦେଖ ମାଲୁଣୀ ଅଭାଗୀ ମୋକ୍ଷ ନ ଲାଗିଲା

କୃଷ୍ଣ ପାଦେ ପଡ଼ି ପୁତ୍ର କେବଳ ମାଗିଲା ।

ବହୁତ ସମ୍ପତ୍ତି ପୁତ୍ର ନାତି ହେବେ ମୋର

ମାଗୁଅଛି ଏହି ବର ହେ ନନ୍ଦ କୁମର ।

ପୁଣିହିଁ କୃଷ୍ଣ ବୋଲଇ ଶୁଣ ଗୋ ମାଲୁଣୀ

ତୋର କର୍ମେ ପୁତ୍ର ନାହିଁ କାହୁଁ ଦେବି ଆଣି ।

ତୁ ଯେ ବୋଲୁଅଛୁ ପୁତ୍ର ଦିଅ ଦାମୋଦର

ସମ୍ପଦ କରିବି ଭୋଗ ବଂଶ ରଖି ମୋର ।

ମଲାବେଳେ ମୋତେ ସେହୁ ପିଣ୍ଡପାଣି ଦେବ

ପିତୃଗଣଙ୍କୁ ମୋହର ସନ୍ତୋଷ କରିବ ।

ସୁଦାମାର ପୁତ୍ର ନାତି ବୋଲିବେ ସକଳେ

ଏଥିପାଇଁ ରେ ସୁନ୍ଦରୀ ଲୋଡୁଛୁ ବିକଳେ ।

କଥାଏ କହୁଛି ଏବେ ଶୁଣ ମନଦେଇ

ଯେବେ ଅପୁତ୍ରିକା ବୋଲି ଚିନ୍ତାକରୁ ତୁହି ।

ତ୍ରେତାଯୁଗେ ଦଶରଥ ଘରେ ଦେବହରି

ଚାରିମୂର୍ତ୍ତି ହୋଇଣ ଯେ ହେଲେ ଦେହଧାରୀ ।

ରାମ ଲକ୍ଷ୍ମଣ ଭରତ ଏ ଚାରି କୁମର

ତିନିରାଣୀ ଗର୍ଭୁ ଜାତ ଏ ଚାରି କୁମର ।

ଯେତେବେଳେ ଦଶରଥ ତେଜିଲେ ଜୀବନ

ପାଶେ ନ ଥିଲେ ତାଙ୍କର ଏ ଚାରି ନନ୍ଦନ ।

ପୁତ୍ର ଜାତ କରି ତାଙ୍କ ମୁଖ ନ ଦେଖିଲେ

ଚାରିପୁତ୍ର ଥାଉଁ ଥାଉଁ ପାଣି ନ ପାଇଲେ ।

ତାଙ୍କ ତହୁଁ ବଡ଼ କିଲୋ ତୁ ସୁଦାମା ନାରୀ

କଟାଳ କରୁଛୁ ପୁତ୍ର ଦିଅ ବୋଲିକରି ।

ତୋର କର୍ମେ ପୁତ୍ର ନାହିଁ ବୁଝାଇ କହିଲି

ନ ବୁଝି ହିଁ ପୁଣି ବୋଲୁ ପୁତ୍ର ଦିଅ ବୋଲି ।

ପୁତ୍ର ଥିବା ଲୋକମାନେ ନ ପାନ୍ତି କି କଷ୍ଟ

ପୁତ୍ର କି ମାତା ପିତାଙ୍କୁ ନିଏଲୋ ବୈକୁଣ୍ଠ ।

ନାହାନ୍ତି କାହାର କେତେ ପୁତ୍ର ମହୀତଳେ

କାହାର ପୁତ୍ର କାହାକୁ ବଇକୁଣ୍ଠ ନେଲେ ।

କେବା ପୁତ୍ର ଧରି ଚିରଦିନ ଅଛି ରହି

ଏ କଥା ସୁନ୍ଦରୀ କିମ୍ପା ନ ବିଚାରୁ ତୁହି ।

ବାଳକେ ଯେସନେ ଖେଳ ଖେଳନ୍ତି ଧୂଳିରେ

କ୍ଷଣକେ ଭାଙ୍ଗି ତାହାକୁ ଫେରନ୍ତି ସ୍ୱପୁରେ ।

ତେସନେ ବିଧାତା ସିନା ସୃଜଇ ସଂସାର

ପୁଣି ପ୍ରଳୟେ ଏହାକୁ କରେ ନାରଖାର ।

ତୁ ଯେ ବୋଲୁଅଛୁ ଅପୁତ୍ରିକା ଯିବି ହୋଇ

ମିଥ୍ୟାକଥା ସତ୍ୟ ବୋଲି ମଣୁ କାହିଁପାଇଁ ।

ଯେତେବେଳେ ଯମଦୂତେ ବାନ୍ଧି ଘେନିଯିବେ

ତୋର ପୁତ୍ର ଭାଇବନ୍ଧୁ ରଖିକି ପାରିବେ ।

ମୁଁ ଯାହା କହିଲି ସେହିମାନେ ହେଲେ ସାହା

ତୁହାଇ କହିଲି କିମ୍ପା ନ ବୁଝି ତୁ ଏହା ।

କୃଷ୍ଣ ବଚନେ ବିନୟେ ପୁଣି ସେ କହଇ

ଅପୁତ୍ରୀ ଦୋଷ ଖଣ୍ଡିବା ଶକ୍ତି ତୋର ନାହିଁ ।

ପୁତ୍ର ବିନା ଆନ କଥା ତୋତେ ମାଗୁ ନାହିଁ

କିମ୍ପା ଏତେ କଥା ମୋତେ କହ ଭାବଗ୍ରାହୀ ।

ପୁଣି କୃଷ୍ଣ ବୋଇଲେ ତୁ ଶୁଣରେ ମାଲ୍ୟାଣୀ

ଗୋପପୁରେ ବେଦରେ ମୁଁ ଯାହା ଅଛି ଶୁଣି ।

ତୁ ଏବେ ମନକୁ ଦେଇ ଶୁଣ ମୋ ବଚନ

ବିହି ଲିହିଥିବା କଥା କେ କରେ ଖଣ୍ଡନ ।

ତୋ ସ୍ୱାମୀର ଜ୍ୟେଷ୍ଠ ଭ୍ରାତା ପୁତ୍ର ପାଳ ତୁହି

ନଥିଲେ ତୋ ସାନଭାଇ ପୁତ୍ର ଆଣ ଯାଇଁ ।

ତହିଁ ନଥିଲେ ତୋ ଜ୍ଞାତି ଦେଖି ପୁତ୍ର ଆଣ

କି ଅବା ବନ୍ଧୁର ଘରୁ ଆଣିବୁ ନନ୍ଦନ ।

ନଥିଲେ ଜାତିରୁ ପୁତ୍ର ଆଣ ଧନ ଦେଇ

ନିଜ ପୁତ୍ର ତୁଲ୍ୟ ତାକୁ ପାଳ ଯତ୍ନେ ନେଇ ।

କୋଳରେ ବସାଇ ତାକୁ ବିଭା ତୁ କରିବୁ

ତୋ ଧନ ସମ୍ପତ୍ତି ତାକୁ ସବୁ ସମର୍ପିବୁ ।

ଧର୍ମର ନନ୍ଦନ ତୋର ହୋଇବ ଗୋ ସେହି

ତୋହରି ଗୋତ୍ରେ ତାହାକୁ ବିଭାଦେବୁ ନେଇ

ପିଣ୍ଡପାଣି ଦେବ ତୋତେ ସ୍ୱର୍ଗକୁ ତୁ ଯିବୁ

ପିତୃଗଣଙ୍କ ସଙ୍ଗରେ ଯାଇଣ ବସିବୁ ।

ଜଗତେ ବୋଲିବେ ମାଳୀ ସୁଦାମାର ସୁତ

ଅପୁତ୍ରିକ ଦୋଷ ଯିବ ହୋଇବୁ ମୁକତ ।

ଶୁଣି କହଇ ମାଲ୍ୟାଣୀ ବେନିକର ଯୋଡ଼ି

ପୁଣି ସେହି କୃଷ୍ଣ ପଦ୍ମପାଦ ତଳେ ପଡ଼ି ।

ପୁଣି ଉଠି ବେନିକର ମସ୍ତକରେ ଦେଲା

ଦୋଷ କ୍ଷମାକର ମୋର ଯଶୋଦାର ବଳା ।

ବେଦଶାସ୍ତ୍ର କଥା ତୁମ୍ଭେ କହିଲ ଗୋସାଇଁ

ମୁଁ ଶୁଣିଛି କଥା ଏକ ଶୁଣ ଭାବଗ୍ରାହୀ ।

ବନ୍ଦୀଘରେ ଦେବକୀର ଗର୍ଭୁ ହୋଇ ଜାତ

ଗୋପେ ନନ୍ଦ ଯଶୋଦାର ହେଲା ପୋଷ୍ୟପୁତ୍ର

ଆଠବରଷ ଯଶୋଦା ତୁମ୍ଭଙ୍କୁ ପାଳିଲେ

ମୋ ଗର୍ଭରୁ ଜାତ ମୁହିଁ କରିଛି ବୋଇଲେ ।

ନାଭି ନାଡ଼ୀ ଲାଗିଥିଲା କଲା ଯେ ପାଳନ

ଜଗତେ ଜାଣିଲେ ହେଲା ନନ୍ଦର ନନ୍ଦନ ।

ଏବେ ମଧୁପୁର ନରନାରୀମାନେ ଯେତେ

ଦେବକୀ ସୁତ କୃଷ୍ଣ ବୋଲନ୍ତି ସମସ୍ତେ ।

ନନ୍ଦ ଯଶୋଦାର ସୁତ ନ ବୋଲନ୍ତି କେହି

ଦେବକୀ ବସୁଦେବର ପୁତ୍ର ସିନା ତୁହି ।

ଅଷ୍ଟ ବରଷ ପାଳି ସେ ହୋଇଲେ ନିରାଶ

ବୃଦ୍ଧ ସମୟେ ଛାଡ଼ିଲା ତାଙ୍କୁ ପୀତବାସ ।

ଏବେ ଦେବକୀ ଦେଖିଣ ସନ୍ତୋଷ ହୋଇବ

ନନ୍ଦ ଯଶୋଦା କିମ୍ପାଇଁ ମନରେ ପଡ଼ିବ ।

ତୁମ୍ଭେ ମନରେ ବିଚାର କର ଦାମୋଦର

ପାଳିବା ପୁତ୍ର କେବେ ହୁଏ ଆପଣାର ।

ଆପଣା ଗର୍ଭରୁ ଯେଉଁ ପୁତ୍ର ହେବ ଜାତ

ପରି ପୁତ୍ରନାମେ ସେହୁ ହେବ କି ବିଖ୍ୟାତ ।

ପର ପୁତ୍ରରେ ଅପୁତ୍ରୀ ଦୋଷ ଯିବ କାହୁଁ

କାହିଁପାଇଁ ଭଣ୍ଡି ମୋତେ ଏତେ କଥା କହୁ ।

ଯଦୁବଂଶେ ଜାତହୋଇ ତୁମ୍ଭେ ଭାବଗ୍ରାହୀ

ଗଉଡ଼ର ଘରେ ପୋଷ୍ୟପୁତ୍ର ହେଲ ଯାଇ ।

ତୁ ଏପରି କଥାମାନ କହୁଅଛୁ ମୋତେ

ପୁତ୍ର ନ ଦେଲେ କି ଆଜ ଛାଡ଼ିବି ମୁଁ ତୋତେ ।

ମାଲ୍ୟାଣୀ ବଚନେ କୃଷ୍ଣ ଅଳପ ହସିଲେ

ନାରୀଜାତି ପୁଣି ଏଡ଼େ ଅବୁଝା ହୋଇଲେ ।

ପୂର୍ବରୁ ଭକତ ମୋର ଏ ନାରୀ ଅଟଇ

ତେଣୁକରି ସିନା ମୋତେ ଏମନ୍ତ କହଇ ।

ସୁଦାମା ମାଳୀ ଅଟଇ ମୋହର ଭକତ

ଏହାର ବଚନ ମୋତେ ଲାଗଇ ଅମୃତ ।

ପୁଣି ବୋଇଲେ ମାଲ୍ୟାଣୀ ଏକ ମନେ ଶୁଣ

ଯେପରି ଅପୁତ୍ରୀ ଦୋଷ ହୋଇବ ଖଣ୍ଡନ ।

ପୁଷ୍କରିଣୀ ଏକ ଯେବେ ଖୋଳାଇ ପାରିବୁ

ବିଷ୍ଣୁ ପାଦପଦ୍ମ ସଦା ଆଶ୍ରୟ କରିବୁ ।

ତେବେ ତୁହି ଅପୁତ୍ରିକା ଦୋଷୁହେବୁ ପାର

ଧନ ତ ଅଭାବ ନାହିଁ ପୁଷ୍କରିଣୀ କର ।

ଯେବେ ତୋଳିବୁ ଦେଉଳ ଅବା ଆନନ୍ଦରେ

ବିଷ୍ଣୁର ପ୍ରତିମା ନେଇ ଥାପିବୁ ତହିଁରେ ।

ବିଷ୍ଣୁର ପାଦରେ ମନ କରିବୁ ଅର୍ପଣ

ଅପୁତ୍ରିକା ଦୋଷୁ ତେବେ ପାର ହେବୁଜାଣ ।

କି ଅବା ସହସ୍ରେ ଚୁତ ବୃକ୍ଷ ଲଗାଇବୁ

ତେବେ ଅପୁତ୍ରି ଦୋଷରୁ ତୁହି ପାରିହେବୁ ।

ସହସ୍ରେକ ବୃକ୍ଷଯେବେ ରୋପି ନ ପାରିବୁ

ତେବେ ତୁ ଗୋଟିଏ ଚୁତ ବୃକ୍ଷ ଲଗାଇବୁ ।

ଅପୁତ୍ରୀ ଦୋଷରୁ ତେବେହୋଇବୁଲୋ ପାର

ଆହୁରି କଥାଏ ଶୁଣ କହେ ତୋ ଆଗର ।

ଯେବେ କି ଅଶ୍ଵତ୍‌ଥ ବଟବୃକ୍ଷ ଲଗାଇବୁ

ତେବେ ଯମଦଣ୍ଡରେ ତୁ କେଭେ ନ ପଡ଼ିବୁ ।

ଆହୁରି କଥାଏ ମୋର ଶୁଣ ମନଦେଇ

ବସାଇବ ଶୂଳପାଣି ଦେଉଳ ତୋଳାଇ ।

ବେନିକର ଯୋଡ଼ି ତାଙ୍କୁ ମାଗିବୁ ତୁ ବର

ସେହି ସିନା ତୋତେ ଦେଇପାରନ୍ତି କୁମର ।

ଅକର୍ମ କର୍ମଦାୟକ ବୋଲନ୍ତି ଜଗତେ

ତାଙ୍କ ଭିନ୍ନ କେବାପୁତ୍ର ଦେଇପାରେ ତୋତେ

ଭାଗ୍ୟରେ ନଥିଲେ ସିନା ପାରନ୍ତି ସେ ଦେଇ

ଅଭାଗ୍ୟର ଭାଗ୍ୟଦାତା ପାର୍ବତୀର ସାଇଁ ।

ବିହି ଲିହିଲା ଅକ୍ଷର କରନ୍ତି ସେ ଦାନ

ସେ ଯେ ଭୋଳାନାଥ ଦେଇପାରନ୍ତି ନନ୍ଦନ ।

କୃଷ୍ଣବ୍ୟାଧି ଖଣ୍ଡନ ଗୋ ପାରନ୍ତି ସେ କରି

ଶିବ ସିନା ଦେଇପାରେ ସବୁ ସୁଖ ଶିରୀ ।

ମୋହର କହିବା କଥା କରି ତୁ ପାରିଲେ

ଅପୁତ୍ରି ଦୋଷରୁ ତୁହି ପାରିହେବୁ ଭଲେ ।

ଯମର ଦଣ୍ଡ ତୋତେ ଗୋ ନ ଲାଗିବ ଆଉ

ବିଷ୍ଣୁ କଥାଛାଡ଼ି ପୁତ୍ର ବୋଲି ଖୋଳି ହେଉ ।

କାହାର ତନୟ କେତେ ଅଛନ୍ତି ଲୋ କହ

ତୁହି ବୋଲୁଛୁ ମୋହର ନ ହୋଇଲା ପୁଅ ।

ଯେବେ ତୁ ଆଗରୁ ଜାତ କରିଥିଲୁ ସୁତ

ମରିଛନ୍ତି ଯମ ଯେବେ କରିଅଛି ହତ ।

କହ ମୋତେ ଯମ ଘରୁ ପୁତ୍ର ଆଣିଦେବି

ଯୁଗ ଯୁଗକୁ ସଂସାରେ କଥା ରଖିଯିବି ।

ପୁତ୍ର ଜାତକରି ଯେବେ ଦେଖିଥିବୁ ନେତ୍ରେ

ଅପୁତ୍ରିକ ଦୋଷ କେବେ ନ ଲାଗିବ ତୋତେ ।

ଯେବେ ତୁ ସନ୍ତାନ ଜାତ କେବେ କରି ନାହୁଁ

ତୋ କର୍ମେ ତ ପୁତ୍ର ନାହିଁ ଦେବି ମୁହିଁ କାହୁଁ ।

ଦେଇଛନ୍ତି ବିଧାତାକୁ ବିଷ୍ଣୁ ଅଧିକାର

ଯେ ଯାହା ଲେଖଇ ଭାଲପଟରେ ଯାହାର ।

ତାହାର ଲେଖାକୁ କେ ବା କରିବ ଖଣ୍ଡନ

ବୃଥାରେ ଲଗାଉ କାହୁଁ ପାଇବୁ ନନ୍ଦନ ।

ମୁହିଁ ତୋତେ ଯେତେ ବୁଝାଇଲି ନ ବୁଝିଲୁ

ମାୟା ପସତାକୁ ତୁହି ଆଶା ବଢାଇଲୁ ।

ଯେତେହେଁ କହିଲେ ତୁହି କଟାଳ ଗୋ କରୁ

ସବୁଦିନେ ପୁତ୍ର ଧରିଥିବାରୁ ବିଚାରୁ ।

ମଲେ ତୋର ପୁତ୍ରନାତି ତୋତେ ସ୍ୱର୍ଗନେବେ

ମୃତ୍ୟୁକାଳେ ମୁଖେ ବିଷ୍ଣୁ ନିର୍ମାଲ୍ୟ ସେ ତେବେ ।

ସବୁକଥା ମିଥ୍ୟା ଅଟେ ଶୁଣ ମନଦେଇ

ମୁନିମାନଙ୍କର ମୁଖୁ ଶୁଣିଅଛି ମୁହିଁ ।

ଦ୍ୱାପର ଯୁଗେ ମୋହନ ରୂପ ଧରି ହରି

ମଧୁପୁରେ ଯଦୁବଂଶେ ହେଲେ ଦେହଧାରୀ ।

ଦୃମିଳାର ସୁତକୁ ସେ କରି ପ୍ରାଣେ ନାଶ

ରହି ଦ୍ୱାରକାରେ ନାଶକଲେ ରୁକ୍ଷବଂଶ ।

ଷାଠିଏ ସହସ୍ର ପୁତ୍ରନାତି ତାହାଙ୍କର

ସମସ୍ତଙ୍କ ମଧ୍ୟେ ଶ୍ରେଷ୍ଠ ପ୍ରଦ୍ୟୁମ୍ନ କୁମର ।

ସର୍ବେ ନାଶଗଲେ ଏକା ପ୍ରଦ୍ୟୁମ୍ନ ରହିଲା

ତାହାକୁ ଶ୍ରୀହରି ଚକ୍ର ପେଶି ନାଶ କଲା ।

ପୁଣିହିଁ ଶବର ଶରେ ସେହି ହେଲେ ହତ

କି ହେବ ଥାଇ ତାଙ୍କର ଏତେ ପୁତ୍ରପୌତ୍ର ।

ମାଉସୀ ପୁତ୍ର ଦହନ ତାଙ୍କୁ ଆସି କଲା

ଷାଠିଏ ସହସ୍ର ପୁତ୍ର ମୁଖ ନ ଦେଖିଲା ।

ମୁଖେ ଅଗ୍ନି ଦେବା ପାଇଁ ନ ଥିଲେ ନନ୍ଦନ

ନ ଦେଖି କାହାର ମୁଖ ଗଲା ତାଙ୍କ ପ୍ରାଣ ।

ଗୋଟିଏ ମାତ୍ରକ କଥା କରୁଥିଲେ ସେହି

ବିଷ୍ଣୁର ନାମକୁ ଅହୋରାତ୍ର ଥିଲେ ଧ୍ୟାୟି ।

ନାନାଦି ସତ୍କାର୍ଯ୍ୟ କରୁଥିଲେ ନିରନ୍ତର

କୁଟୁମ୍ବ ପୋଷଣେ ମନ ସର୍ବଦା ତତ୍ପର ।

ତଥାପି ବିଷ୍ଣୁର ନାମ ଜପିଲେ ତକ୍ଷଣେ

ନ ହୁଅଇ ଅଭିରୁଚି ଶୟନେ ଭୋଜନେ ।

ମରଣ ସମୟେ ବିଷ୍ଣୁ ନାମ ସୁମରିଲେ

ଭୟକରି ଅଗ୍ନି ତାଙ୍କ ଶବ ନ ଦହିଲେ ।

ହସ୍ତପଦ ପୋଡ଼ି ଯହୁଁ ଗଣ୍ଡି ନ ପୋଡ଼ିଲା

ଭୟରେ ମାଉସୀ ପୁଅ ସମୁଦ୍ରେ ମେଳିଲା ।

ବିଷ୍ଣୁର ନାମକୁ ଯେଣୁ ଜପୁଥିଲା ସେହି

କୂଳରେ ଲାଗିଲା ଶବ ଜ୍ୟୋତିର୍ମୟ ହୋଇ ।

ବହୁ ପ୍ରଳୟରେ ସେହୁ ପିଣ୍ଡ ନୁହେଁ କ୍ଷୀଣ

ନୀଳଗିରି ଶିଖେ ଏବେ ପାଇଅଛି ସ୍ଥାନ ।

ଆପଣାର କଥାମାନ କହି ଗୋପୀନାଥ

ଭୁଲାଇ ନାନା ରୂପରେ ମୋହିଲେ ତା ଚିତ୍ତ

କୃଷ୍ଣ ବଚନେ ମାଲୁଣୀ କହୁଲ ବଚନ

କିମ୍ପା ମୋତେ ଭୁଲାଉଛୁ ଦେବକୀ ନନ୍ଦନ ।

ମାଗୁଛି କେବଳ ପୁତ୍ର ନାହିଁ ଅନ୍ୟ ଚିନ୍ତା

ତୁ କହିଲୁ ଯେତେ କଥା ସବୁ ସିନୀ ବୃଥା ।

ଗତି ମୁକ୍ତି ନ ଇଚ୍ଛଇ ସ୍ୱର୍ଗେ କାର୍ଯ୍ୟ ନାହିଁ

କହିଲୁ ଦ୍ୱାପର କଥା ମୋତେ ଭାବଗ୍ରାହୀ ।

କହୁଛି କଥାଏ ମୁହିଁ ଶୁଣ ଦାମୋଦର

ମୋତେ ପରା ବୋଳୁଅଛ ବିଷ୍ଣୁ ସେବାକର ।

ମୁଁ ଶୁଣିଛି ତୁମ୍ଭେ ପରା ଅଟ ନାରାୟଣ

ଆଉ କେଉଁଠାରେ ବିଷ୍ଣୁ ଅଛି ତୋହ ଭିନ୍ନ ।

ତୋହ ନାମ ଧରି ଜନେ ଭବୁ ହୋନ୍ତି ପାର

ତୋ ପାଦ ଧ୍ୟାୟି ବଞ୍ଚନ୍ତି ବିରଞ୍ଚି ଶଙ୍କର ।

ତୋର ଶ୍ରୀମୁଖକୁ ଚାହିଁ ଦୁସ୍ତରୁ ତରନ୍ତି

ତୋହର ନିର୍ମାଲ୍ୟ ଖାଇ ଲଭନ୍ତି ମୁକତି ।

ତୋ ଚରଣେ ଆଶ୍ରାକରି ବୁଲନ୍ତି ଭକତେ

ତୋହର ନାମ ଗାୟନ କରୁଥାନ୍ତି ନିତ୍ୟେ ।

ତୁମ୍ଭେ ଯେବେ ବିଷ୍ଣୁ ନୁହଁ ହେ ନନ୍ଦକୁମର

କି ନିମନ୍ତେ ବ୍ରହ୍ମା ଆସିଥିଲେ ଗୋପପୁର ।

କାହିଁକି ସ୍ୱର୍ଗରୁ ଆସିଥିଲେ ସୁରପତି

କଇଳାସୁ କିମ୍ପା ଆସିଥିଲେ ପଶୁପତି ।

କେଉଁପରି ଭାବବତୀ ନନ୍ଦନ ବଞ୍ଚିଲା

କିପରି କୁବୁଜା ଏଡ଼େ ସୁନ୍ଦରୀ ହୋଇଲା ।

କେଉଁପରି ତେଜବତୀ ପାଇଲା ଜୀବନ

ମୋତେ ସିନା ଭଣ୍ଡୁଅଛ ନନ୍ଦର ନନ୍ଦନ ।

ତୁ ସାକ୍ଷାତେ ବିଷ୍ଣୁ ତୋତେ ଦେଖିଲେ ତରନ୍ତି

ଦେଖି ନ ପାରିଲେ ନର ମନରେ ଚିନ୍ତନ୍ତି ।

ଚିନ୍ତିଲା ମାତ୍ରକେ ଯାଇ ବୈକୁଣ୍ଠେ ବସଇ

ତୋତେ ଦେଖିଲେ ପାପ କି ଅଙ୍ଗେ ପାରେରହି

ଡୁ ବିଷ୍ଣୁ ସାକ୍ଷାତେ ତୋର ଚରଣ ଧରିଲି

ମୋର ହସ୍ତ ଧରି ତୁମ୍ଭେ ଉଠାଇଲ ହରି ।

ତୁମ୍ଭର ଶ୍ରୀହସ୍ତ ମୋର ଅଙ୍ଗରେ ଲାଗିଲା

ତବ ଶ୍ରୀମୁଖ ଆଜ୍ଞା ମୋ କର୍ଣ୍ଣରେ ବାଜିଲା ।

ଏ ତୁମ୍ଭ ଲାବଣ୍ୟ ରୂପ ନୟନେ ଦେଖିଲି

ବିନୟ ଭାବରେ ପୁଣି ଦୁଃଖ ଜଣାଇଲି ।

ତୁମ୍ଭର ବାକ୍ୟରୁ ମୁହିଁ ପ୍ରତ୍ୟୁତ୍ତର କଲି

ତବ ପାଦପଦ୍ମକୁ ମୁଁ ନିରେଖି ଚାହିଁଲି ।

ତୁମ୍ଭେ ଯହିଁ ଥାଅ ସ୍ୱାମୀ ସେହି ମୁକ୍ତିସ୍ଥାନ

ତୁମ୍ଭେ ଯହିଁ ଥାଅ ସେହି ବୈକୁଣ୍ଠ ଭୁବନ ।

ତୁ ଗତି ମୁକତି ଆଉ ରଖିଅଛୁ କାହିଁ

କାହିଁ ବା ରଖିଛୁ ବଇକୁଣ୍ଠପୁର ନେଇ ।

ଆଉ ବିଷ୍ଣୁ ରଖିଅଛି କେଉଁଠାରେ କହ

ଏ କପଟ କଥା ଛାଡ଼ି ପୁତ୍ର ମୋତେ ଦିଅ ।

ତୁମ୍ଭଙ୍କୁ ଦେଖିଲାବେଳୁ ହେଲିଣି ମୁକତ

ନ କହି ବହୁତ କଥା ମୋତେ ନନ୍ଦସୁତ ।

ଏପରି ବଚନ ଯହୁଁ ମାଲ୍ୟାଣୀ କହିଲା

ସ୍ଥକିତ ଭାବେ ରହିଲେ ତହିଁ ନନ୍ଦବଳା ।

ବିଚାରିଲେ ଏ ତ ମୋର ଅଟଇ ଭକତ

କିମ୍ପାଇଁ ବା ନ ଜାଣିବ ଭୂତ ଭବିଷ୍ୟତ ।

ତାହାର ହୃଦରେ ଯହୁଁ ମାୟା ବିସ୍ତାରିଲେ

ଭକ୍ତି ଜାତ ହୁଅନ୍ତେ ସେ ପଡ଼େ ପାଦତଳେ ।

ବୋଇଲା ଭୋ ପ୍ରଭୁ ମୋତେ କର ପ୍ରତିକାର

ଦିଶୁଅଛି ମୋତେ ଦଶଦିଗ ଅନ୍ଧକାର ।

ମୁକତି ଯାଚିଲା ମୋତେ ତାହା ମୁଁ ଏଡ଼ିଲି

ପୁତ୍ର ଦିଅ ବୋଲି ବୃଥା କଟାଳ ମୁଁ କଲି ।

ଅବଳାମତି ଆମ୍ଭର ବୁଦ୍ଧି ବଳ ନାହିଁ

ନିନ୍ଦିତ କଥାରେ ମନ ସର୍ବଦା ଚଳଇ ।

ମତ୍ତଗର୍ବେ ଆମ୍ଭେ ଭଲ ମନ୍ଦ ନ ବିଚାରୁ

ପୁତ୍ର ପତି ଭାଇବନ୍ଧୁ ସର୍ବ ଦୂର କରୁ ।

ଜାତି କୁଳ ତେଜି ପରପୁଂସେ ଦେଉ ମନ

ମୁଁ କାହୁଁ ଚିହ୍ନିବି ମୋର ବୁଦ୍ଧି ଅଟେ ହୀନ ।

ତୁମ୍ଭେ ଗତି ମୁକତିର ଅଟ ଅଧିକାରୀ

ସକଳ ଘଟରେ ତୁମ୍ଭେ ସିନା ଅଛି ପୁରି ।

ତୁମ୍ଭେ ସିନା ଏ ଜଗତ କର ଆତଯାତ

ତୁମ୍ଭେ ସିନା ଅଟ କୃଷ୍ଣ ଜଗତର ନାଥ ।

ତୁମ୍ଭେ ସିନା କଉଣପ କୁଳ ସଂହାରିବ

ତୁମ୍ଭେ ପତିତ ଚାଣ୍ଡାଳ ଉଦ୍ଧାର କରିବ ।

ପତିତାରୁ ହୀନ ମୁହିଁ ଚାଣ୍ଡାଳରୁ ହୀନ

ପତିତ ଚାଣ୍ଡାଳ ସଙ୍ଗେ ନୁହଇ ସମାନ ।

ପତିତପାବନ ବୋଲି ଉଡ଼େ ବାନା ତୋର

ନିନ୍ଦା ହୋଇବଟି ମୋତେ ନ କଲେ ଉଦ୍ଧାର ।

ପତିତ ତାରଣେ ଯେବେ ଇଚ୍ଛା ତୋରି ନାହିଁ

ପତିତପାବନ ବାନା କିମ୍ପା ଅଛି ବହି ।

ମଲେ ମୋତେ ନ ଛୁଇଁବେ ଶକୁନି ଶୃଗାଳ

ପାତକିନୀ ହେତୁ ହେବି ଅଭକ୍ଷ ତାଙ୍କର ।

ଯେଉଁ ଶ୍ମଶାନରେ ମୋର ଶବ ଥିବ ପଡ଼ି

ନଛୁଇଁବେ ପିପିଲିକା ଯିବ ସିନା ସଢ଼ି ।

ଦୁର୍ଗନ୍ଧ ହେ ତୁ ରୁ ଦୂରେ ପଳାଇବେ ନରେ

ବୋଲିବେ ପାପୀ ପଡ଼ିଛି ନ ଯା ସେ ବାଟରେ

ଶ୍ଵାନମାନେ ଦେଖି ମଧ୍ୟ ପଳାଇବେ ଡରି

କହ କେମନ୍ତେ ଏଭବୁ ହୋଇବି ମୁଁ ପାରି ।

ପୁଣି ମୃଦୁ ଗଦଗଦେ କୃଷ୍ଣପାଦେ ପଡ଼ି

ପଛଘୁଞ୍ଚା ଦେଇ ପୁଣି କରପତ୍ର ଯୋଡ଼ି ।

ବୋଲଇ ଭୋ କୃଷ୍ଣ ମୁହିଁ ଅପରାଧ କଲି

ତୋ ବଚନ ଏହି ପୁତ୍ର ସ୍ନେହେ ବଳାଇଲି ।

ହେ ପ୍ରଭୁ ସେ ଦୋଷ ମୋର କରନ୍ତୁ ଖଣ୍ଡନ

ପୁଣି ଟହଟହ ହସି ଦେବକୀ ନନ୍ଦନ ।

ବୋଇଲେ ମାଲ୍ୟାଣୀ ତୁ ଗୋ କହିଲୁଟି ଯାହା

ଦେବତାମାନଙ୍କୁ ଅଟେ ଅଗୋଚର ତାହା ।

ଅତି ପତିତ ବୋଲି ତୁ ବୋଇଲୁ ଏ ବାଣୀ

ଲାଗିରହିଲା ସେ ମୋର ହୃଦେ ହୋଇ ମଣି ।

ଚାଣ୍ଡାଳରୁ ହୀନ ବୋଲି ବୋଇଲୁ ଯେ ତୁହି

ଆତ୍ମାକୁ ଏପରି ତୁଚ୍ଛ ମଣୁଛୁ କିମ୍ପାଇଁ ।

ଚାଣ୍ଡାଳ ଚାଣ୍ଡାଳୁ ଯେବେ ହୋଇଯାଏ କେହି

ଅନ୍ତକାଳେ ଯେବେ ମୋର ନାମକୁ ଭଜଇ ।

ତାହାର ଶରୀର କିମ୍ପା ଛୁଇଁବ ଗୋ ଯମ

ସେ କିମ୍ପାଇଁ ଚାଣ୍ଡାଳଙ୍କ ସଙ୍ଗେ ହେବ ସମ ।

ମୋ ନାମକୁ ମୁଖେ ଧରି ମୋ ନାମକୁ ଚିନ୍ତେ

ପ୍ରକାଶି ନପାରି ଦୁଃଖେ ଭାବ ଅନ୍ତର୍ଗତେ ।

ଅତି ଚାଣ୍ଡାଳ ହୋଇବ ସେ ବା କାହିଁପାଇଁ

ଚାଣ୍ଡାଳ ବୋଲି ତାହାକୁ ଯେଉଁ ପ୍ରାଣୀ କହି ।

ସେମାନେ ଅତି ଚାଣ୍ଡାଳେ ଗଣନୀୟ ହେବେ

ତାଙ୍କୁ ନେଇ ଯମଦୂତେ ବହୁ ଦଣ୍ଡ ଦେବେ ।

ମୋହଠାରୁ ଅଟେ ବଡ଼ ଭକତ ମୋହର

ତୁ ମାଲ୍ୟାଣୀ ମୋର ଭକ୍ତପାଦେ ସେବାକର ।

ଏବେ ଗୋ ମାଲ୍ୟାଣୀ ଯାଅ ତୁ ନିଜ ମନ୍ଦିର

ଜୀବ ଥିବାଯାଏ ନାନା ସୁଖ ଭୋଗକର ।

ବହୁତ ହୋଇବେ ପୁତ୍ର ନାତି ଗୋ ତୋହର

ବିଷ୍ଣୁପାଦେ ଶୁଦ୍ଧଚିତ୍ତେ ଦୃଢ଼ ଭକ୍ତି କର ।

ଅନ୍ତକାଳେ ସ୍ଵାମୀ ସଙ୍ଗେ ବଇକୁଣ୍ଠେ ଯିବୁ

ଦିବ୍ୟସ୍ଥାନ ବିଷ୍ଣୁପାଦ ତଳରେ ପାଇବୁ ।

କୃଷ୍ଣ ବଚନେ ମାଲ୍ୟାଣୀ ଗଲା ନିଜଘର

ଯାହା ଲୋଡ଼ୁଥିଲା ତାହା ପାଇଲା ନିକର ।

ଶ୍ରୀହରି ପାଦରେ ସେବା ଯାହାର ଅଟଇ

ତାହାର କେବଣ କଥା ଅପ୍ରାପତ ହୋଇ ।

ଧନ୍ୟ ସୁଦାମାର ନାରୀ କେତେ ତପକରି

ଶ୍ରୀକୃଷ୍ଣଙ୍କ ଗଳେ ମାଳାଦେଲା ବେଗକରି ।

ଭକ୍ତିବାକ୍ୟେ ଶ୍ରୀକୃଷ୍ଣଙ୍କୁ ବଶ ସେ କରିଲା

ଶ୍ରୀକୃଷ୍ଣଙ୍କ ବାକ୍ୟେ ପ୍ରତିଉତ୍ତର ସେ ଦେଲା ।

ମାୟାଧର ତା ସଙ୍ଗରେ ମାୟା କରିଥିଲେ

ତେଣୁ ନାନାକଥା ତାକୁ ଭୁଲାଇ କହିଲେ ।

କଦାପି ଶୁଣିଲା ନାହିଁ ସୁଦାମାର ନାରୀ

ଶ୍ରୀକୃଷ୍ଣଙ୍କୁ ବଚନରେ ବଶ ସେହୁ କରି ।

ନନ୍ଦପୁତ୍ର ଆଦିକନ୍ଦ ନେଲା ସେ ବହନ

ଦେଖ ସେ ନାରୀର ପୂର୍ବ ତପସ୍ୟାର ଗୁଣ ।

ପରୀକ୍ଷିତ ନୃପ ଆଗେ ଶୁକ ମହାଯତି

ଆନନ୍ଦ ଭାବରେ ଏହି ବିଷୟ ଶୁଣନ୍ତି ।

ଶୁଣିକରି ପରୀକ୍ଷିତ ହୋନ୍ତି କୃତ୍ୟ କୃତ୍ୟ

ମୁନିଙ୍କ ପୟରେ ସେହୁ ହେଲେ ପ୍ରଣମିତ ।

ସାଧୁ ସୁଜ୍ଞଜନେ ଏହା ଶୁଣ କର୍ଣ୍ଣଦ୍ୱାରେ

ନିଶ୍ଚୟ ଗତି ମୁକତି ଲଭିବ ଅନ୍ତରେ ।

ଜନ୍ମଜନ୍ମାନ୍ତରେ ପାପ ହୋଇବ ଛେଦନ

ଶ୍ରୀକୃଷ୍ଣ ଚରଣେ ଯାର ରହିଥିବ ମନ ।

ଶ୍ରୀକୃଷ୍ଣ ଚରିତ ଏହା ସୁଧାମୟ ବାଣୀ

ପଠନ ଶ୍ରବଣେ ତରିଯାଅ ସର୍ବେ ଶୁଣି ।

ଏ ଚିତ୍ତବିନୋଦ ଚିତ୍ତବୋଧ ଯେ କରିବ

ଅଙ୍ଗରେ କଳୁଷ ଆଉ କେଭେ ନ ରଖିବ ।

ଚିତ୍ତରୁ ସଂଶୟମାନ କରିବ ବିନାଶ ।

ପ୍ରାଣୀଙ୍କହିତେ ଲେଖିଲେ ଶ୍ରୀ ଅଚ୍ୟୁତ ଦାସ ।

 

Unknown

ପ୍ରିୟବତୀ ଓ ତାର ପୁତ୍ରାଦିର ଜୀବଦାନ

ଶୁକମୁନି କହୁଛନ୍ତି ଶୁଣ ପରୀକ୍ଷିତ

ଶ୍ରୀକୃଷ୍ଣ ଚରିତ ଏ ଯେ ସାକ୍ଷାତେ ଅମୁତ ।

ଏହା ଶୁଣି ଭବାର୍ଣ୍ଣବୁ ତରିଯିବେ ପ୍ରାଣୀ

ମୁକତିଦାୟକ ଏହୁ ଅପୂର୍ବ କାହାଣୀ ।

ଶ୍ରୀକୃଷ୍ଣଙ୍କଠାରୁ ବର ପାଇ ସେ ମାଲ୍ୟାଣୀ

ତୋଷଚିତ୍ତେ ନିଜ ଗୃହେ ଗଲା ସେହୁ ପୁଣି ।

ଏଣେ ରାମକୃଷ୍ଣ ଗୋପପୁତ ସହିତରେ

ନାନା ବାଦ୍ୟ ବଜାଇଣ ବାହାର ହୋଇଲେ ।

ଦମା ରବା ଆଦିକରି ଖୋଳ କରତାଳ

ବଂଶୀ ବୀଣା କାହାଳୀ ଯେ ମଦିରା ମର୍ଦ୍ଦଳ ।

ଆନନ୍ଦରେ ବଜାଇଣ ରୋପାଳ ଚଳିଲେ

ମଧୁନାରୀମାନେ ଦେଖି ପ୍ରମୋଦ ଭଜିଲେ ।

ନ ମାନନ୍ତି ମାତାପିତା ଶ୍ଵଶୁର ଦେବର

ଧାଇଁ ଆସୁଛଚି ଶୁଣି ବାଜଣା କୃଷ୍ଣର ।

ଦେଢ଼ଶୁର ମଳାଶୁର ଭର୍ତ୍ତା ନ ମାନନ୍ତି

କେବଳ କୃଷ୍ଣ ଦର୍ଶନ ଆଶେ ଧାଇଁଛନ୍ତି ।

ନିଜ ପର ଜ୍ଞାତି ଗୋତ୍ର ନ ମାନନ୍ତି କେହି

ଦେଖନ୍ତି ସକଳେ କୃଷ ଦାଣ୍ଡେ ଉଭାହୋଇ ।

ହାଟ ବାଟ ଘାଟମାନ ସବୁ ଶୁନ୍ୟ ହେଲା

ମଥୁରାରେ ପ୍ରତିପୁର ହୋଇଅଛି ମେଲା ।

ସର୍ବେ ଉଭାହୋଇ ଦେଖୁଛନ୍ତି କୃଷ ମୁଖ

କେ କାହାକୁ ବୋଲେ ସଖୀ ଭଲକରି ଦେଖ ।

ମଧୁପୁରେ ପ୍ରିୟବତୀ ନାମେ ନାରୀ ଥିଲା

ବାର ବରଷରେ ସେହୁ ପୁତ୍ର ଜାତ କଲା ।

ବସି ପାକସିଦ୍ଧ କରୁଥିଲା ତାର ଘରେ

ନିଜର ଶିଶୁପୁତ୍ରକୁ ଧରିଣ କୋଳରେ ।

ଗୀତ ଗାଇ ପୁତ୍ରକୁ ସେ କରାଏ ଶୟନ

ବନାଉଥିଲା ପରିବା ହେବାକୁ ବ୍ୟଞ୍ଜନ ।

କୃଷ୍ଣଙ୍କୁ ଦେଖିବା ପାଇଁ ତା ନଣନ୍ଦ ଗଲା

ଏ ସମୟେ ବଂଶୀସ୍ଵନ ତା କର୍ଣ୍ଣେ ବାଜିଲା ।

ଛନ୍ନଛନ୍ନ ମନ ତାର କୃଷ୍ଣ ଦେଖିବାକୁ

କହି ନ ପାରିଲେ ସେହୁ ବଚନ କାହାକୁ ।

ଶାଶୁକୁ ବୋଇଲା ତୁମ୍ଭ ନାତିକୁ ଗୋଧର

ମୁଁ ଦେଖି ଆସଇ ଯାଇ ନନ୍ଦର କୁମର ।

କୃଷ୍ଣଙ୍କୁ ଦେଖି ଏକ୍ଷଣି ଆସିବି ମୁଁ ଫେରି

ଶାଶୁ ବୋଇଲା ତୁ ଅଟୁ ଭୁଆସୁଣୀ ନାରୀ ।

ବାଳକୁ ଛାଡ଼ି ତୋର ଦେଖିବାକୁ ମନ

ସବୁଦିନେ ନଗଲା ଲୋ ତୋର ଧୁର୍ତ୍ତପଣ ।

ବାର ବରଷରେ ପୁତ୍ର କରିଅଛୁ ଜାତ

ଏହାକୁ ବରଜି କୃଷ୍ଣ ଦେଖିବାକୁ ଚିତ୍ତ ।

ଏମନ୍ତ କହି ବୋହୂକୁ ଶାଶୁ ମନାକଲା

ନିଜେ କୃଷ୍ଣ ଦେଖିବାକୁ ଦାଣ୍ଡକୁ ସେ ଗଲା ।

ଯହୁଁ ପ୍ରିୟବତୀ କୃଷ୍ଣ ବାଜଣା ଶୁଣିଲା

ଚିତ୍ତ ଭ୍ରମ ହେଲା ତାର ଦେହୁ ଜ୍ଞାନ ଗଲା ।

ହା ହା କୃଷ୍ଣ ବୋଲି ସେହୁ କରଇ ରୋଦନ

ସର୍ବେ ଗଲେ କୃଷ୍ଠ ଦେଖି ଗୃହ କରି ଶୂନ୍ୟ ।

କୃଷ୍ଣଭାବେ ପ୍ରିୟବତୀ ଅଜ୍ଞାନ ହୋଇଲା

ପରିବା ବୋଲି ସେ ତାର ପୁଅକୁ କାଟିଲା ।

ତୁଳା ପ୍ରାୟ ମାଂସକୁ ସେ ଖଣ୍ଡ ଖଣ୍ଡ କରି

ରନ୍ଧନ ପାତ୍ରରେ ନେଇ ତାହାକୁ ଯେ ଭରି ।

ମୁଖେ ହା ହା କୃଷ୍ଣ ବୋଲି ଉଚ୍ଚରେ ବୋଲଇ

ନୟନରୁ ଅଶ୍ରୁଧାର ତାର ଯାଏ ବହି ।

ନ ପାରଇ ଉଠି କୃଷ୍ଣ ଭାବେ ହୋଇ ଭୋଳ

କୃଷ୍ଣଙ୍କୁ ନ ଦେଖିବାରୁ ପରାଣ ଚଞ୍ଚଳ ।

ଏ ସମୟେ ଶାଶୁ ଆସି ଦେଖି ହେଲା ଭୀତ

ଦେଖିଲା ଚାରିଆଡ଼ରେ ପଡ଼ିଛି ରକତ ।

ବୋହୂର କୋଳରେ ପୁତ୍ର ଦେଖିଲା ସେ ନାହିଁ

ବିକଳେ କାନ୍ଦଇ ବୋହୂ କୃଷ୍ଣ ମନେ ଧ୍ୟାୟି ।

ପୁତ୍ରକୁ ନ ଦେଖି ଶାଶୁ ଗମ୍ଭୀରିକି ଗଲା

ଖୋଜି ଖୋଜି ପୁତ୍ରକୁ ସେ କାହିଁ ନ ଦେଖିଲା

ପୁଣି ବୋହୂକୁ ବୋଲଇ କାହିଁ ପୁତ୍ର ତୋର

କିଏ ନେଇଗଲା ତୋର ବାଳୁତ କୁମର ।

କିବା କୃଷ୍ଣ ଦେଖିବାକୁ ବାପ ତାର ନେଲା

କହଲୋ ରାଣ୍ଡର ଝିଅ ପୁତ୍ର କାହିଁ ଗଲା ।

କିମ୍ପାଇ ଲୋ ପୋଡ଼ାମୁହିଁ କରୁଛୁ ରୋଦନ

କେଣେ ରଖିଅଛୁ ତୋର ଦେଖାଅ ନନ୍ଦନ ।

କାହାର ରକତ ତୋର ଲାଗିଅଛି ହାତ

ଟୋପା ଟୋପା ହୋଇ ଦେଖ ପଡ଼ିଛି ରକତ

ଶାଶୁର ବଚନ ବୋହୂ ନ ଶୁଣଇ କିଛି

କେବଳ ମନ ତାହାର କୃଷ୍ଣପାଦେ ଅଛି ।

ଶାଶୁ ବୋଲେ ପ୍ରିୟବତୀ ହୋଇଲୁ କି ବାଇ

ପୁତ୍ର କେଉଁଆଡ଼େ ଗଲା କାନ୍ଦୁଛୁ କିମ୍ପାଇଁ ।

ପୁଣି ବୋହୂ କର୍ଣ୍ଣ ପାଶେ ଉଚ୍ଚରେ ଡାକିଲା

କୃଷ୍ଣନାମେ ଭୋଳହୋଇ ବୋହୂ ପାଶୋରିଲା

କୃଷ୍ଣ ବୋଲି ପୁତ୍ର ନାମ ଉଚ୍ଚରେ ଡାକିଲା

ବାରେ ଦେଖାଦିଅ ପୁତ୍ର ଆସିଣ ବୋଇଲା ।

କୃଷ୍ଣ କୃଷ୍ଣ ବୋଲି ପୁତ୍ର ନିରତେ ଡାକଇ

ହାହା ପୁତ୍ର ଜଗବନ୍ଧୁ କେଣେ ଗଲୁ ତୁହି ।

ସକଳେ ଶୁଣିଲେ ପୁତ୍ର ନାମେ କରେ ଶୋକ

ପ୍ରିୟବତୀ ହୃଦୟରେ ଏକା କୃଷ୍ଣ ଦକ ।

ଶୁଣି ଶାଶୁ ବୋଲେ ତୋର ପୁତ୍ର ଗଲା କାହିଁ

କାହିଁକି ଲୋ ପୁତ୍ରନାମେ କାନ୍ଦୁଅଛୁ ତୁହି ।

ଶୁଣିଣ ସେ ପ୍ରିୟବତୀ କରଇ ରୋଦନ

ନାତି ନାତି ବୋଲି ବୁଢ଼ୀ କାନ୍ଦେ ଘନଘନ ।

ରନ୍ଧନ କନ୍ଦିରେ ପଶି ନାତିକୁ ଖୋଜିଲା

କନ୍ଦି ବିକନ୍ଦିରେ ପଶି ନିରୀକ୍ଷଣ କଲା ।

ଦେଖିଲା ଚୁଲୀ ଉପରେ ଭାଣ୍ଡ ମଧ୍ୟେ ରହି

ଖଣ୍ଡ ଖଣ୍ଡ ହୋଇ ପୁତ୍ର ସିଝୁଅଛି ତହିଁ ।

ପ୍ରିୟବତୀ ବାହୁଡ଼ିଣ କାନ୍ଦେ ପୁତ୍ର ବୋଲି

ପୁତ୍ର ବୋଲି କୃଷ୍ଣ ନାମ ଧରି କାନ୍ଦେ ବାଳୀ ।

ଜ୍ଞାନ ତାର ନାହିଁ କୃଷ୍ଣଭାବେ ସେହି ଭୋଳ

ସ୍ଵାମୀ ତା ଭାଣ୍ଡ ଦର୍ଶନେ ହୋଇଲା ବିକଳ ।

କ୍ରୋଧେ ପ୍ରିୟବତୀକି ସେ ପାଦେ ପ୍ରହାରିଲା

ତୁ ଲୋ ରାକ୍ଷସୀ ପୁତ୍ରକୁ ମାଇଲୁ ବୋଇଲା ।

ତୋ ମୁଖ ନ ଚାହିଁ ଆଜି ପକାଇବି ମାରି

ଏମନ୍ତ ବୋଲି ମାଇଲା ପୁଣି ନାତ ଚାରି ।

ପ୍ରିୟବତୀ ହୃଦେ ପୀଡ଼ା ନ ଲାଗିଲା କିଛି

ଯେଣୁ କୃଷ୍ଣଭାବରେ ସେ ଭୋଳ ହୋଇଅଛି ।

ନ ଶୁଣଇ ସେହୁ ପୁଣି ନ ଦେଖେ ନୟନେ

ସ୍ୱାମୀର ବଚନ ତାର ନ ପଶଇ କର୍ଣ୍ଣେ ।

କ୍ରୋଧେ ତେଣୁ ସ୍ୱାମୀ ତାର ଖଡ଼ଗ ଆଣିଲା

ପ୍ରିୟବତୀକି ସେ ତହିଁ ବେନିଖଣ୍ଡ କଲା ।

ଛିଡ଼ିଲା ତାହାର ମୁଣ୍ଡ ହେଲା ଖଣ୍ଡ ଖଣ୍ଡ

ଜୀବନ ଗଲା ପଡ଼ିଲା ତଳେ ମୃତ ପିଣ୍ଡ ।

ଦେଖି ମଧୁନରନାରୀ ହାହାକାର କଲେ

କାହା ପାଇଁ ନାରୀହତ୍ୟା କଲୁରେ ବୋଇଲେ

ଚାଲଗୋ ଏଠାରେ ଆମ୍ଭେ କେହି ନ ରହିବା

ଚାଣ୍ଡାଳର ମୁଖ ଆଉ କେମନ୍ତେ ଚାହିଁବା ।

କୃଷ୍ଣ ଦେଖୁଥିଲୁ କିମ୍ପା ଏ ବୁଢ଼ୀ ଡାକିଲା

କେ ମାଇଲା ନାତିକି ତା କିଛି ନ କହିଲା ।

ପୁତ୍ରକୁ ଡାକିଲା ଯେଣୁ ଆସିଲା ତା ପୁତ୍ର

ନବୁଝି ସେ ଭାରିଯାକୁ ପ୍ରାଣେ କଲା ହତ ।

ପୁଣି ବୋଇଲେରେ ମୂର୍ଖ କି ବୁଝିଲୁ ତୁହି

ଅକାରଣେ ପ୍ରିୟବତୀ ହାଣିଲୁ କିମ୍ପାଇଁ ।

କେ ଜାଣେ ପୁତ୍ରକୁ କେହୁ ଖଣ୍ଡ ଖଣ୍ଡ କଲା

ପୁତ୍ରକୁ ତ ପ୍ରିୟବତୀ ଜାତ କରିଥିଲା ।

ମାତା ହୋଇ ପୁତ୍ରକୁ କି ନାଶକଲା ସେହି

ନବୁଝି ଚାଣ୍ଡାଳ ତାକୁ ମାଇଲୁ କିମ୍ପାଇଁ ।

କେ ବୋଲଇ ମଥୁରାରେ ଉତ୍ସବ ଲାଗଇ

ଗୋପରୁ ଆସିଅଛନ୍ତି ରାମକୃଷ୍ଣ ଦୁଇ ।

କେମନ୍ତେ ବା ପ୍ରିୟବନ୍ତ ପୁତ୍ର ନାଶକଲା

ପୁତ୍ର ପୁତ୍ର ବୋଲି ସେ ତ ବସି କାନ୍ଦୁଥିଲା ।

ଜଣାଯାଏ କେହୁ ତାର ଘରେ ପଶିଥିଲା

ଶାଶୁ ନଣନ୍ଦ କାହାକୁ ଯହୁଁ ନ ଦେଖିଲା ।

ପ୍ରିୟବତୀକି ସେ ବଳେ ହରି ଲୋଡୁଥିଲା

ନାହିଁ ବୋଲିବାରୁ ରାଗେ ପୁତ୍ରକୁ ମାରିଲା ।

ସ୍ଵଭାବେ ଅବଳା ଜାତି ତାର କେଉଁ ବଳ

କାନ୍ଦୁଥିଲା ଗୃହେ ବସି ହୋଇଣ ବିକଳ ।

ଏମନ୍ତ ବଚନ ପ୍ରିୟବତୀ ସ୍ୱାମୀ ଶୁଣି

ହା ପୁତ୍ର ବୋଲିଣ ସେହୁ ଲୋଟୁଇ ଧରଣୀ ।

ମୁହଁ ଚାଣ୍ଡାଳ ପତ୍ନୀକି ନବୁଝି ମାଇଲି

କିପରି ମଲା ତାଠାରୁ ପଦେ ନ ବୁଝିଲି ।

ନାରୀ ହତ୍ୟା କଲି ପୁତ୍ର ମିଳିବ ବା କାହିଁ

ରାଜା ଶୁଣିଣ ଶାଙ୍କୋଳୀ ଦେବ ମୋତେନେଇ

ନ ଚାହିଁବେ ମୋର ମୁଖ ମଧୁ ନରନାରୀ

ପ୍ରିୟବତୀ ଭାଇବନ୍ଧୁ ହୋଇବେ ବଇରୀ ।

ଜ୍ଞାତି ବନ୍ଧୁମାନେ ମୋତେ ଆଉ ନ ଲୋଡ଼ିବେ

ସମାଜ ମଧ୍ୟରୁ ମୋତେ ଦୂର କରିଦେବେ ।

ଯାହାଘରେ ଗଲେ ମୋର ନ ଚାହିଁବେ ମୁଖ

ନାରୀହତ୍ୟା କଲୁ ବୋଲି ବୋଲିବେ ପ୍ରତ୍ୟକ୍ଷ

ସମସ୍ତଙ୍କଘରୁ ନିନ୍ଦା କଥା ମୁଁ ଶୁଣିବି

ଦାଣ୍ଡରେ ମୁଣ୍ଡଟେକି ମୁଁ ଚାଲି ନ ପାରିବି ।

ଏଡ଼େ ନିଲ୍ଲର୍ଜ ପୁରେ ମୁଁ ବଞ୍ଚିବି କିମ୍ପାଇଁ

ମରିବାର ଭଲ ବୋଲି ମନରେ ଭାଳଇ ।

ଗମ୍ଭିରୀ ଭିତରୁ ତାର ପଲ୍ୟଙ୍କ କାଢ଼ିଲା

ପ୍ରିୟବତୀ ଗଣ୍ଡିମୁଣ୍ଡ ତହିଁରେ ରଖିଲା ।

ପୁତ୍ର ଥିବା ଭାଣ୍ଡ ନେଇ ସେଠାରେ ଥୋଇଲା

ନୂତନ ବସନ ତାର ପରେ ଘୋଡ଼ାଇଲା ।

ମାତାକୁ ବୋଇଲା ମଧୁଦାଣ୍ଡେ ଯାଅ ତୁହି

କୃଷ୍ଣ ଦେଖୁଛନ୍ତି ଆମ୍ଭ ଯେତେ ବନ୍ଧୁଭାଇ ।

ସେମାନଙ୍କୁ ବେଗ ହୋଇ ହକାରି ଆଣିବୁ

ଏ କଥାମାନ କାହାକୁ କିଛି ନ କହିବୁ ।

ତାହା ଶୁଣି ଅନ୍ୟ ଜନମାନେ ଯେତେ ଥିଲେ

ହରି ହରି ବୋଲି ସର୍ବେ ବାହାର ହୋଇଲେ ।

ରାଜଦୂତମାନେ ଆସି ପ୍ରବେଶିଣ ତହିଁ ।

ପଚାରନ୍ତି ଏ ଗହଳି ଶୁଭୁଅଛି କାହିଁ ।

ଏ ଘରେ ମଧୁସୂଦନ ଅଟେ ଅଧିକାରୀ

କିମ୍ପାଇଁ ତା ଘରୁ ଉଠେ କ୍ରନ୍ଦନର ହୁରି ।

ନାରୀମାନେ ବୋଇଲେ ହେ ଶୁଣ ରାଜା ଚର

ପୁତ୍ର ସହ ଭାରିଜାଟି ମଲା ଆଜି ତାର ।

ତେଣୁ ସେ ଗୃହରେ ବସି ରୋଦନ କରଇ

ଆମ୍ଭେ କି କହିବୁ ତୁମ୍ଭେ ବୁଝ ନିଜେ ଯାଇଁ ।

ଏତେ କହି କୃଷ୍ଣଙ୍କୁ ସେ ଦେଖିବାକୁ ଗଲେ

ମଧୁସୂଦନର ମାତା ଧାଇଁଛି ବିକଳେ ।

ଯହୁଁ ମଧୁନାରୀମାନେ ହୋଇଲେ ଅନ୍ତର

ମାତାହିଁ ଯାଇଛି ଶୂନ୍ୟ ହୋଇଛି ମନ୍ଦିର ।

ଦେଖି ମଧୁସୂଦନ ତା ମନରେ ଭାବିଲା

ପୁତ୍ର ପତ୍ନୀ ସଙ୍ଗେ ନିଶ୍ଚେ ମରିବି ବୋଇଲା ।

ଯେ ଖଣ୍ଡାରେ କାଟିଥିଲା ପ୍ରିୟବତୀ ମୁଣ୍ଡ

ହସ୍ତରେ ଧଇଲା ପୁଣି ସେହି ଖଣ୍ଡା ଖଣ୍ଡ ।

ବୋଇଲା ଲୋ ପ୍ରିୟବତୀ କେଉଁଆଡ଼େ ଗଲା

ପୁତ୍ରକୁ ସଙ୍ଗରେ ନେଇ ମୋତେ ପାଶୋରିଲା ।

ପୁତ୍ରପତ୍ନୀ ଗଲେ ଯେବେ ମୁଁ ଥିବି କିମ୍ପାଇଁ

ଏମନ୍ତ ବୋଲିଣ ଗଳେ ଖଡ଼ଗ ଲଗାଇ ।

କାଟିଲା ଶରୀର ତାର ହେଲା ବେନିଖଣ୍ଡ

ପତ୍ନୀ ପୁତ୍ର ଶବସହ ପଡ଼ିଲା ତା ମୁଣ୍ଡ ।

ପଡ଼ୋଶୀ ଗୃହର ନାରୀମାନେ ପ୍ରବେଶିଲେ

ମାତାପିତା ପୁତ୍ର ମରିଅଛନ୍ତି ଦେଖିଲେ ।

ବିକଳେ ଡାକିଲେ ନାରୀମାନେ ତ୍ରସ୍ତ ହୋଇ

ସବଂଶେ ମଧୁସୂଦନ ମଲା ଆସି ତହିଁ ।

ଏ ଘରର ଲୋକେ କୃଷ୍ଣ ଦେଖିବାରେ ବାଇ

କୁଳ ବୁଡ଼ିଲାଣି ଏଣେ ଦେଖିବାକୁ ନାହିଁ ।

ତିନି ତିନିଟା ଶବତ ସାହିରେ ପଡ଼ିଲେ

କେଉଁପରି ଖିଆପିଆ ହୋଇବ ବୋଇଲେ ।

ଶୁଣି ରାଜଦୂତମାନେ ତହିଁ ପ୍ରବେଶିଲେ

ସମସ୍ତ ଘଟଣା ଦେଖି ରାଜାଙ୍କୁ କହିଲେ ।

ହୋଇଛି ମଧୁସୂଦନ ନିଜେ ବେନି ଖଣ୍ଡ

କଟା ହୋଇଅଛି ମଧ୍ୟ ତାର ନାରୀ ମୁଣ୍ଡ ।

ବାଳୁତ କୁମର ତାର ଖଣ୍ଡ ଖଣ୍ଡ ହୋଇ

ଭାଣ୍ଡର ଭିତରେ ସିଦ୍ଧ ହୋଇଅଛି ରହି ।

ମନ୍ଦିର ତାହାର ଶୂନ୍ୟ ହୋଇଛି ଦେଖିଲୁ

ପଡ଼ୋଶୀ ନାରୀଙ୍କଠାରୁ ସମସ୍ତ ଶୁଣିଲୁ ।

ଶୁଣିକରି ଉଗ୍ରସେନ ହୋଇଲେ ଚକିତ

ବୋଇଲେ ପ୍ରତ୍ୟକ୍ଷେ ଦେଖିଥିଲେ କହ ସତ ।

କେବେ ତ ମଧୁଭୁବନେ ଏମନ୍ତ ନଥିଲା

ଶ୍ରବଣେ ଏକଥା ମୋତେ ଆଶ୍ଚର୍ଯ୍ୟ ଲାଗିଲା ।

କହୁଛନ୍ତି ଦୂତେ ଶୁଣି ଉଗ୍ରସେନ ବାଣୀ

ପ୍ରତ୍ୟକ୍ଷେ ଦେଖିଲୁ ନେତ୍ରେ ଶୁଣ ନରମଣି ।

କେଣେ ପ୍ରିୟବତୀ ଶାଶୁ କାନ୍ଦି କାନ୍ଦି ଗଲା

ଭାଇବନ୍ଧୁମାନଙ୍କୁ ସେ ଡାକିଣ ଆଣିଲା ।

ପ୍ରିୟବତୀ ଘରେ ଭାଇବନ୍ଧୁମାନେ ଗଲେ

ମାତା ପିତା ପୁତ୍ର ମରିଅଛନ୍ତି ଦେଖିଲେ ।

ନିଜେ ପ୍ରିୟବତୀ ହୋଇଅଛି ବେନି ଖଣ୍ଡ

ବେନି ଖଣ୍ଡ ହୋଇଅଛି ତା ସ୍ୱାମୀର ମୁଣ୍ଡ ।

ଖଣ୍ଡ ଖଣ୍ଡ ହୋଇକରି ପୁତ୍ରଟି ତାହାର

ଅଗ୍ନିସିଦ୍ଧ ହୋଇକରି ରହିଛି ଭାଣ୍ଡର ।

ପ୍ରିୟବତୀର ଦେବର ଭାଇବନ୍ଧୁ ଯେତେ

ରାଜା ଆଗେ କହିବାକୁ ଗଲେ ସେ ସମସ୍ତେ

ଉଗ୍ରସେନ ଆଗରେ ସେ ସକଳ କହିଲେ

ଚାର ମୁଖୁ ଶୁଣି ରାଜା ମିଥ୍ୟା ମଣୁଥିଲେ ।

ବନ୍ଧୁମାନେ କହିବାରୁ କଥା କଲେ ସତ

ଦୁଇଙ୍କୁ ବୋଇଲେ ଯାଅ ଏହାଙ୍କ ସଙ୍ଗତ ।

ବନ୍ଧୁମାନେ କନ୍ଧେ ଶବ ବହିଣ ଆସିବେ

ତୁମ୍ଭେ ନ ଛୁଇଁବ ଆମ୍ଭ ପାଶକୁ ଆଣିବେ ।

ସାଇ ପଡ଼ିଶାଙ୍କୁ ତୁମ୍ଭେ ଆଣିବ ହକାରି

କେବଳ ଆସିବେ ପୁଂସେ ନ ଆସିବେ ନାରୀ ।

ଗୋପପୁର ଆସିଛନ୍ତି ଆଜରେ ଗୋପାଳେ

ସେମାନେ କି ପଶି ଏମାନଙ୍କୁ ନାଶକଲେ ।

କିବା ମଧୁସୂଦନର ନାରୀ ପ୍ରିୟବତୀ

ପର ପୁରୁଷର ସଙ୍ଗେ ଥିଲା ସେହୁ ମାତି ।

ଦେଖିଣ ମଧୁସୂଦନ ବେନିଖଣ୍ଡ କଲା

ପୁତ୍ରସହ ନିଜ ଦେହ ଖଣ୍ଡ ଖଣ୍ଡ କଲା ।

ଯାଅ ଚାରଗଣ ତୁମ୍ଭେ ଆଣ ବେଗହୋଇ

ନେତ୍ରେ ନ ଦେଖିଲେ ମନେ ପରତେ ନୁହଇ ।

ଉଗ୍ରସେନ ବାକ୍ୟେ ଚର ସହ ବନ୍ଧୁମାନେ

ତତକ୍ଷଣ ଗଲେ ପ୍ରିୟବତୀର ଭୁବନେ ।

ପଲ୍ୟଙ୍କ ଉପରେ ମଧୁସୂଦନକୁ ଥୋଇ

ତା ପାଶେ ପ୍ରିୟବତୀକି ରଖିଦେଲେ ନେଇ ।

ତହିଁପରେ ପୁତ୍ରକୁ ସେ ବହିଣ ମୁଣ୍ଡରେ

ଧୀରେ ଧୀରେ ଗଲେ ସର୍ବେ ମଥୁରା ଦାଣ୍ଡରେ

ଆଗପଛେ ରାଜଦୂତମାନେ ଛନ୍ତି ରହି

କାନ୍ଦୁଛନ୍ତି ପ୍ରିୟବତୀ ମାତା ପିତା ଭାଇ ।

ସାହି ପଡ଼ିଶାମାନଙ୍କୁ ଦୂତଗଣେ ଧରି

ଆଣୁଛନ୍ତି ଉଗ୍ରସେନ ଆଜ୍ଞା ଅଛି କରି ।

ମଥୁରା ଦାଣ୍ଡରେ ଶବ ଆଣୁଛନ୍ତି ବହି

ବାଟ ଛାଡ଼ ବୋଲି ରାଜଦୂତେ ଡାକଦେଲେ ।

ମଥୁରାରେ ନରନାରୀ କୃଷ୍ଣ ଦେଖୁଥିଲେ

ମଢ଼ଖଟ ଦେଖି ସର୍ବେ ଦୂରେ ପଳାଇଲେ ।

ଗୋପାଳଙ୍କୁ ଦେଖି ଦୂତ ବୋଲେ ଆଡ଼ ହୁଅ

କ୍ଷଣମାତ୍ର ତୁମ୍ଭେମାନେ ବାଟ ଛାଡ଼ିଦିଅ ।

ଶବ ନେଉଅଛୁ ପଛେ ଆସରେ ଗୋପାଳେ

ଶବଘଟ ଦେଖି ରାମକୃଷ୍ଣ ଡାକଦେଲେ ।

ବୋଇଲେ ପଛକୁ କୃଷ୍ଣ ଅନାଅରେ ତୁହି

ଯୋଡ଼ାଏ ଶବ କାହିଁରେ ନେଉଛନ୍ତି ବହି ।

ଆଡ଼ ହୁଅ କୃଷ୍ଣ ଶବ ନିଅନ୍ତୁରେ ବହି

ବୋଲନ୍ତି ରାମ ବଚନ ଶୁଣି ଭାବଗ୍ରାହୀ ।

କାହିଁକି ଏ ଶବ ଘେନିଯାନ୍ତି ଚାରଗଣେ

ପଛେ ଭାଣ୍ଡ ଏକ ବହିଅଛି କିମ୍ପା ଜଣେ ।

ବିପରୀତ କଥା ଏ ତ ଅଟେ ହଳଧାରୀ

ବାଟ ଛାଡ଼ିଦେବା ଆମ୍ଭେ କଥା ବୁଝିକରି ।

ଶ୍ରୀକୃଷ୍ଣ ବଚନେ ରାମ ହୋଇଲେ ମଉନ

ଗୋପାଳଙ୍କୁ ଡାକି କୃଷ୍ଣ ବୋଲନ୍ତି ବଚନ ।

ବେଢ଼ରେ ଗୋପାଳେ ଶବ ଦିଅ ନାହିଁ ଛାଡ଼ି

କୃଷ୍ଣ ବଚନେ ଗୋପାଳେ ଚଉପାଶେ ବେଢ଼ି

ରାଜଦୂତମାନଙ୍କୁ ସେ ସେଠାରେ ରୋକିଲେ

ଦେଖି ରାଜଦୂତମାନେ କ୍ରୋଧଭର ହେଲେ ।

ବୋଇଲେ ଗଉଡ଼େ ତୁମ୍ଭେ ହୋଇଲାକି ବାଇ

ଜାଣିଲୁ ମରିବା ପାଇଁ ଆସିଅଛି ଧାଇଁ ।

ଏମନ୍ତ ସମୟେ କୃଷ୍ଣ ସେଠାରେ ମିଳିଲେ

କିହୋ ଭାଇ କିମ୍ପା କ୍ରୋଧ ହେଉଛ ବୋଇଲେ

ନ କହ କିମ୍ପାଇଁ ତୁମ୍ଭେ କିସ ନେଉଅଛ

ପଚାରିଲେ କିମ୍ପା ତୁମ୍ଭେ ମାରି ଗୋଡ଼ାଉଛ ।

ଦୁଇଗୋଟି ଖଟ କିମ୍ପା ନେଉଅଛ ବହି

ଖଟର ଉପରେ କେଉଁମାନେ ଛନ୍ତି ରହି ।

ପଛେ ଏକ ଭାଣ୍ଡ କିମ୍ପା ନେଉଅଛ କହ

ପଚାରିଲେ କ୍ରୋଧଭରେ ମାରି ତ ଗୋଡ଼ାଅ

ଶୁଣି ରାଜଦୂତମାନେ କ୍ରୋଧଭର ହେଲେ

ତୁ ଆମ୍ଭର ରାଜା କିହୋ କହିବୁ ତୋଠାରେ

ଉଗ୍ରସେନ ହୋଇଅଛି ବାହାରେ ରାଜନ

କଂସ ନୃପତିର ପିତା ଅଟନ୍ତି ସେ ପୁଣ ।

ତାହାର ଦୂତ କହିବୁ ଆମ୍ଭେ ତୋତେ କାହିଁ

ବାଟ ଛାଡ଼ିରେ ଗଉଡ଼େ ଯିବୁ ବେଗହୋଇ ।

ଶୁଣି ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଦୂତଗଣ

ଅଟଇ ସିନା ଆମ୍ଭର ଅଜା ଉଗ୍ରସେନ ।

ଆମ୍ଭେ ଗୋପେ ଗଲାବେଳେ କହିଥିଲୁ ଯାହା

କହରେ ରାଜାଙ୍କୁ କାଲି କରିବୁଟି ତାହା ।

ଆଜରେ ମାମୁଁ ଆମ୍ଭଙ୍କୁ ଆଣିଛି ଡକାଇ

ସୋଦର ଭଣଜା ତାର ଆମ୍ଭେ ବେନିଭାଇ ।

ତୁମ୍ଭେରେ ଉଗ୍ରସେନକୁ କହ ବେଗକରି

ବୋଲିବ ଗୋପରୁ ଆସିଛନ୍ତି ରାମହରି ।

ଧନୁଯାତ୍ରା ଦେଖିବାକୁ ଡକାଇଛି କଂସ

ସେ ଆସି ମଧୁବନରେ କରିଛନ୍ତି ବାସ ।

ଗୋପାଳଙ୍କୁ ଘେନି ରାମକୃଷ୍ଣ ଆସିଛନ୍ତି

ଆନନ୍ଦ ମନରେ ମଧୁପୁର ଦେଖୁଛନ୍ତି ।

କାଲି ସିନା ରାଜାକୁ ସେ କରିବେ ଦର୍ଶନ

ତୁମ୍ଭଙ୍କୁ କରିବେ ଦେଖା ଦେବକୀ ନନ୍ଦନ ।

ଅଷ୍ଟ ବରଷ ସେ ଗୋପପୁରରେ ବଢ଼ିଲେ

ମାମୁଁଘରେ ରହିବାକୁ ଏବେ ସେ ଆସିଲେ ।

ଆଜି କି ନଗର ଦେଖିଯିବେ ଭାବଗ୍ରାହୀ

ଆମ୍ଭଙ୍କୁ କହିଲେ ଅଜା ଆଗେ କହ ଯାଇ ।

ତୁମ୍ଭେ ଫେରିବା ଯାଏରେ ଶବ ଯାଅ ରଖି

ଜଗିଥାଅ ଜଣେ କେହି ନ ପାରିବେ ଦେଖି ।

ଉଗ୍ରସେନ ରାଜା ଯାହା ତୁମ୍ଭଙ୍କୁ ବୋଲିବେ

ଦେଖାଇବାକୁ କହିଲେ ଦେଖାଇବ ତେବେ ।

ବୋଲିବ ଶବକୁ ଆମ୍ଭେ ଆଣିଥିଲୁ କହି

କୃଷ୍ଣ ରଖିଛନ୍ତି ସେ ଶବକୁ ଅଟକାଇ ।

ଆମ୍ଭେ ଯେତେ କହିଲୁ ସେ ଛାଡ଼ିଦେଲେ ନାହିଁ

ତେଣୁ ତୁମ୍ଭର ପାଶକୁ ଆସିଲୁ ଜଣାଇ ।

ସେ ଆସି ବୋଇଲେ ଘେନିଯିବା ତା ଛାମୁକୁ

ଶୁଣିକରି ଦୂତଙ୍କର ଆସିଲା ମନକୁ ।

ବେନି ଦୂତ ଉଗ୍ରସେନ ଛାମୁକୁ ଚଳିଲେ

ତାହାଙ୍କର ପାଦେ କରଯୋଡ଼ି ଜଣାଇଲେ ।

ଭୋଦେବ ତୁମ୍ଭ ଆଜ୍ଞାରେ ଆମ୍ଭେମାନେ ଗଲୁ

ପ୍ରିୟବତୀ ସ୍ଵାମୀ ପୁତ୍ର ଘେନି ଆସୁଥିଲୁ ।

ସାହି ପଡ଼ିଶୀଏ ସର୍ବେ ସଙ୍ଗେ ଆସୁଥିଲେ

ଦେଖି ଓଗାଳିଲେ ରାମ ଶ୍ରୀକୃଷ୍ଣ ଗୋପାଳେ

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ କହ କିସ ନିଅ

ଆମ୍ଭେ ବୋଇଲୁ ତୁମ୍ଭେ ତ ନୁହ ରାଜା ପୁଅ ।

ତୁ ଆମ୍ଭ ଠାକୁର ନୋହୁ ତୋତେ ନ କହିବୁ

ଉଗ୍ରସେନ ଛାମୁକୁରେ ତୋତେ ବାନ୍ଧିନେବୁ ।

ଶ୍ରୀକୃଷ୍ଣ ବୋଇଲେ ଚାରଶୁଣ ମୋ ବଚନ

ସୋଦର ଅଜା ଆମ୍ଭର ରାଜା ଉଗ୍ରସେନ ।

ଗୋପକୁ ଯିବା ସମୟେ ଦେଖିଛି ଅଜାଙ୍କୁ

ଆଠବରଷ ହୋଇଲା ଦେଖିନାହିଁ ତାଙ୍କୁ ।

କହିଥିଲେ ଯାହା ତାହା ନ ଥିବ ତା ମନେ

କାଲି ମୁହିଁ କରିବି ସେ କଥାଏ ଭୁବନେ ।

ମାମୁଁ ମୋର ଅଟେ ଇନ୍ଦୁମତୀର କୁମର

ସୋଦର ଭଣଜା ମୁହିଁ ଅଟଇ ତାହାର ।

ଆମ୍ଭ ପାଇଁ ଧନୁଯାତ୍ରା କରିଛି ଭିଆଣ

କାଲି ଆମ୍ଭେ ମାମୁଁଙ୍କୁରେ କରିବୁ ଦର୍ଶନ ।

କାଲିଠାରୁ ଆମ୍ଭେ ଅଜା ପାଶରେ ଖଟିବୁ

ସେ ଯାହା ଆଜ୍ଞା କରିବେ ତାହା କରୁଥିବୁ ।

ଆଜି ତୁମ୍ଭେ କି କି ଦ୍ରବ୍ୟ ନେଉଛରେ କହି

ନ ଦେଖାଇଲେ ସେ ଦ୍ରବ୍ୟ ଛାଡ଼ିଦେବୁ ନାହିଁ ।

ଗଉଡ଼ ହୋଇ ସେ ଏଡ଼େ କରନ୍ତି ସାହସ

ଆଜ୍ଞାଦେଲେ କରିବୁ ହୋ ତାଙ୍କୁ ପ୍ରାଣେ ନାଶ

ରାମକୃଷ୍ଣ ବେନିଭାଇ ଜୀବନେ ମାରିବୁ

ଗୋପାଳମାନଙ୍କୁ ଆମ୍ଭେ ଘଉଡ଼ାଇ ଦେବୁ ।

ଏମନ୍ତ ସମୟେ ପୁଣି ଆସି ଏକଚର

କରପତ୍ର ଯୋଡ଼ି କହେ ରାଜାର ଛାମୁର ।

ବୋଲେ ଅଗୋଚର କଥା ଶୁଣିମା ଭୋଦେବ

ଗଉଡ଼ ହୋଇଣ କୃଷ୍ଣ କରେ କେଡ଼େ ଗର୍ବ ।

ବହୁତ ପ୍ରକାରେ ମୋତେ ପଚାରିଲା ସେହି

ବେନି ଶବ ବେନି ଖଟପରେ ଛନ୍ତି ଶୋଇ ।

ଏ ଭାଣ୍ଡ ଭିତରେ କିସ କହ ଚାରଭାଇ

କାହିଁକି ଏ ଭାଣ୍ଡ ତୁମ୍ଭେ ନେଉଅଛ ବହି ।

ଅଟକାନ୍ତେ କହିଲି ମୁଁ ତାହାର ଆଗର

ଏ ଭାଣ୍ଡରେ ଅଛି ପ୍ରିୟବତୀର କୁମର ।

ବାଳୁତ ପୁତ୍ରକୁ କେହି ଖଣ୍ଡ ଖଣ୍ଡ କରି

ଏ ଭାଣ୍ଡ ମଧ୍ୟରେ ତାକୁ ରଖିଅଛି ଭରି ।

ଶୁଣି କୃଷ୍ଣ କରତାଳି ମାରିଣ ହସିଲା

ତୁମ୍ଭେ ମଧୁପୁର ଲୋକ ବାଇରେ ବୋଇଲା ।

ଜୀଅନ୍ତା ପୁତ୍ରକୁ ଭାଣ୍ଡେ ଅଛରେ ପୁରାଇ

ମଲା ବୋଲି ତାକୁ କେହି ନେଉଅଛରେ ବହି ।

ଉଗ୍ରସେନ ଦେଖିଲେଟି ଦେବେ ବହୁ ଦଣ୍ଡ

ମଲାବୋଲି ତାକୁ କହି ବହିନିଅ ପିଣ୍ଡ ।

ଏମନ୍ତେ ତାହାର ମୁଖୁ ଶୁଣି ସର୍ବଜନ

ମୋତେ ବୋଇଲେ ସେ ଭାଣ୍ଡ ଦେଖାରେବହନ ।

ତୋ ଆଜ୍ଞା ନ ପାଇ ଆମ୍ଭେ ଭାଣ୍ଡ ନ ଫେଡ଼ିଲୁ

ଏବେ ସେ କୃଷ୍ଣର କଥା ତୋ ଆଗେ କହିଲୁ ।

ଶୁଣି ଉଗ୍ରସେନ ବେନି ନୟନ ବୁଜିଲା

କୃଷ୍ଣର ରୂପକୁ ମନେ ସୁମରଣା କଲା ।

ସାକ୍ଷାତରେ ବ୍ରହ୍ମରୂପା ଦେଖିଲା ନୟନେ

ଯେଉଁ ରୂପ ଦେଖିଥିଲା ସେ ଜନମ ଦିନେ ।

ପ୍ରିୟବତୀ ଶବ ଦାଣ୍ଡେ ଓଗାଳି ଅଛନ୍ତି

ତାହା ଶୁଣି ଉଗ୍ରସେନ ମନେକଲା ଭୀତି ।

ଚାରଗଣଙ୍କୁ ଚାହିଁ ସେ ବୋଇଲା ବଚନ

ଯାଅରେ ଦୂତେ ଅଛନ୍ତି କୃଷ୍ଣ ଯେଉଁ ସ୍ଥାନ ।

ଯାହା ସେ ବୋଲିବେ ତାହା ନ କରିବ ଆନ

ବୋଲିବ ଅଜା ତୁମ୍ଭର ଆସିବେ ଏକ୍ଷଣ ।

ବୋଲିବେ ଅଜା ତୁମ୍ଭର ଏମନ୍ତ କହିଛି

ତୋ ମନକୁ ଯାହା ଆସେ କର ନନ୍ଦବତ୍ସି ।

ଯାଅ ଦୂତେ ତୁମ୍ଭେମାନେ ନ ରହ ଏଠାରେ

ଯାହା କରିବେ କହିବ ତାହା ମୋ ଆଗରେ ।

କରିବ ନାହିଁଟି ଦ୍ୱନ୍ଦ୍ୱ କହିଣ କୁଭାଷା

ଯେବେ ରେ ଦୂତେ ତୁମ୍ଭର ପ୍ରାଣେ ଅଛି ଆଶା ।

ଶୁଣିକରି ଦୂତମାନେ ସ୍ତବ୍‌ଧ ହୋଇଲେ

ଉଗ୍ରସେନ ଆଜ୍ଞାରେ ସେ କ୍ଷଣକେ ଉଠିଲେ ।

ଦୂତଙ୍କର ମୁଖସବୁ ପଡ଼ିଛି ମଳିନ

ଶ୍ରୀକୃଷ୍ଣଙ୍କୁ ଦେଖିଣ ସେ ବୋଲନ୍ତି ବଚନ ।

ଦେଖ ହେ ଶ୍ରୀକୃଷ୍ଣ ତୁମ୍ଭେ ଆସ ବେଗକରି

ଏ ପଲ୍ୟଙ୍କେ ପ୍ରିୟବତୀ ପଡ଼ିଅଛି ମରି ।

ଆର ପଲ୍ୟଙ୍କରେ ସ୍ୱାମୀ ମୃତପିଣ୍ଡ ତାର

ଭାଣ୍ଡେ ପୁରି ରହିଅଛି ନନ୍ଦନ ତାହାର ।

କେଉଁପରି ହରାଇଲେ ତିନିଜଣ ପ୍ରାଣ

ଆମ୍ଭେ ତା ନ ଜାଣୁ କିଛି ତୁମ୍ଭେ କୃଷ୍ଣ ଶୁଣ ।

ରାଜା ବୋଇଲେ ଶ୍ରୀକୃଷ୍ଣ ଯେମନ୍ତ କରିବ

ସବୁକଥାମାନ ଆସି ମୋ ଆଗେ କହିବ ।

ଏବେ ବେଗ ହୋଇ ଆସ ଦେଖ ବେନିଭାଇ

ନ ଦେଖିବ ଯେବେ ଆମ୍ଭେ ଘେନିଯିବୁ ରହି ।

କୃଷ୍ଣ ବୋଇଲେରେ ଦୂତ ବାଇକି ହୋଇଲ

ଭାଣ୍ଡର ଭିତରେ ମଡ଼ା କେବେ ଦେଖିଥିଲ ।

ମଧୁପୁର ନରନାରୀ ରାଜଦୂତମାନେ

କଂସ ଉଗ୍ରସେନ ଆଦି ଅଛ ଯେତେ ଜନେ ।

ଏ ମଧୁପୁରେ ତୁମ୍ଭର ନାହିଁ ବିଜ୍ଞଜନ

ଚିହ୍ନିପାରୁନାହଁ ମଲା ଜୀଅନ୍ତା କେସନ ।

ଶିଶୁଟିକୁ ଶ୍ମଶାନକୁ ନେଉଅଛ ବହି

ଶିଶୁହତ୍ୟାକୁ ତୁମ୍ଭର ତିଳେ ଭୟ ନାହିଁ ।

କୃଷ୍ଣ କଥା ଶୁଣିଦୂତେ ବୋଲନ୍ତି ବଚନ

ରେ ଗୋପାଳେ କୁହ କୃଷ୍ଣ ଅସହ୍ୟ ବଚନ ।

ଆମ୍ଭେ ସର୍ବେ ପ୍ରିୟବତୀ ପୁତ୍ରକୁ ଦେଖିଲୁ

ମରି ଭାଣ୍ଡେ ରହିଅଛି ବହିଣ ଆଣିଲୁ ।

ଖଣ୍ଡ ଖଣ୍ଡ ହୋଇ ତାର ପିଣ୍ଡ ରହିଅଛି

ମତୁଆଲ ନୋହୁ ଆମ୍ଭେ ଦେହେ ଜ୍ଞାନ ଅଛି ।

ତୁମ୍ଭେ ସିନା ମତୁଆଳ ଗଉଡ଼ ଅଜ୍ଞାନ

ମଲାଲୋକ କେଉଁପରି ପାଇଲା ଜୀବନ ।

କେଉଁଠାରେ ଶୁଣାଅଛି ଏହି କଥାମାନ

ମଲାଲୋକ କାହିଁ ପୁଣି ଲଭଇ ଜୀବନ ।

ଶୁଣି କୃଷ୍ଣ କ୍ରୋଧକରି ବୋଲନ୍ତି ବଚନ

ଆମ୍ଭେ ମତୁଆଲ ପରା ତୁମ୍ଭେ ଜ୍ଞାନୀଜନ ।

ଦେଖରେ ଫିଟାଇ ଭାଣ୍ଡ ଆଣରେ ବାଳକ

ତେବେ ସିନା ଜଣାଯିବ କିଏ ଭଲ ଲୋକ ।

ଏ ରାଜ୍ୟରେ ରାଜା ଯେବେ ବିବେକୀ ହୁଅନ୍ତୁ।

ଜୀଅନ୍ତା ବାଳକ ମଲା ବୋଲି କି ଆଣନ୍ତା ।

ଉଗ୍ରସେନ ରାଜାର ତ ନାହିଁରେ ବିବେକ

ଆଣବେଗେ ଦୂତେ ଆମ୍ଭେ ଦେଖୁ ସେବାଳକ ।

ଶ୍ରୀକୃଷ୍ଣ ବଚନେ ଦୂତେ କରନ୍ତି ଉତ୍ତର

କାହିଁପାଇଁ ମଡ଼ା ଆମ୍ଭେ ଧରିବୁ ହୋ କର ।

ତାହାର ଆମ୍ଭର ଜାତି ଅଟେ ଭିନ୍ନ ଭିନ୍ନ

ତାହାକୁ କିମ୍ପାଇଁ ଆମ୍ଭେ ଛୁଇଁବୁ ହୋ ପୁଣ ।

ଆମ୍ଭ ଜାତି ନେବାକୁରେ ଗଉଡ଼ ବସିଛ

ହୀନଜାତି ବୋଲି ତୁମ୍ଭେ ଏମନ୍ତ ବୋଲୁଛ ।

ଶୁଣି କୃଷ୍ଣ ବୋଲନ୍ତିରେ ନ ଛୁଅଁ କେ ତୁମ୍ଭେ

ଶୁଣରେ ଶ୍ରୀକୃଷ୍ଣ ଦୂରୁ ଡାକୁଅଛୁ ଆମ୍ଭେ ।

ଡାକିଲେ ଶ୍ରୀକୃଷ୍ଣ ଆସ ଜଗବନ୍ଧୁ ତୁହି

ଭାଣ୍ଡ ମଧ୍ୟେ ଶୋଇଅଛୁରେ ବାବୁ କାହିଁ ପାଇଁ ।

ନ ଆସିଲେ ମଧୁଜନେ କରିବେ ଦହନ

ଅକାରଣ ବାଳକରେ ନ ହରା ଜୀବନ ।

କୃଷ୍ଣ ଡାକ ଶୁଣି ଶିଶୁ ଭାଣ୍ଡରେ ରୋଦଇ

ମାଆ ବୋଲି ଜଗବନ୍ଧୁ ଉଚ୍ଚେ ଡାକ ଦେଇ ।

ଥିଲେ ତହିଁ ମଧୁପୁର ନରନାରୀ ଯେତେ

ବାଳକ ରୋଦନ ଶୁଣି ସ୍ତବଧ ସମସ୍ତେ ।

ବହିଥିବା ଲୋକ ଭୟେ ରଖିଲା ଭୂମିରେ

ବାଳକ ରୋଦଇ ଯହୁଁ ଶୁଣିଲା କର୍ଣ୍ଣରେ ।

ଶୁଣି ମଧୁନାରୀଙ୍କର ବଦନ ନିରେଖି

ବୋଲନ୍ତି ଶ୍ରୀକୃଷ୍ଣ ତୁମ୍ଭେ ଶୁଣ ଶଶୀମୁଖୀ ।

ଆଣ ଗୋ ପ୍ରିୟବତୀକି ରଖ ମୋ ଆଗରେ

ଶୁଣି ବାଳକ ସକଳେ ରଖିଲେ ସେଠାରେ ।

କୃଷ୍ଣ ବୋଇଲେ ହେ ନରନାରୀମାନେ ଶୁଣ

ଯେବେ ହୋଇଅଛି ପ୍ରୟବତୀର ମରଣ ।

ଯେବେ ସେହି ମୋ ଭାବରେ ହୋଇଥିଲା ମୂକ

ମୋତେ ଦେଖିବାକୁ ଯେବେ କରୁଥିଲା ଶୋକ

ମୋଠାରେ ନିବେଶି ଚିତ୍ତ ମତିଭ୍ରମ ହେଲା

ଦେଖିବାକୁ ଯେବେ ମୋତେ ତା ଶ୍ରଦ୍ଧା ବଢିଲା

ନ ପାରିଲା ଦେଖି ଶାଶୁ ନଣନ୍ଦଙ୍କୁ ଡରି

ବିହ୍ୱଳିତ ହୋଇ ପୁତ୍ରେ ପକାଇଲା ମାରି ।

ଯେବେ ଏହି କଥାମାନ ସତ୍ୟ ଗୋ ଅଟଇ

ନ ମରି ଉଠିବ ପ୍ରିୟବତୀ ଚେତା ପାଇ ।

ଆବର କଥାଏ ତୁମ୍ଭେ ଶୁଣ ଚାରମାନେ

ଏ ମଧୁସୁଦନ ମୋତେ ଭାବୁଥିଲେ ମନେ ।

ମରିବ ସେ କିମ୍ପାଇ ରେ ଅକାଳ ମରଣେ

ଅବଶ୍ୟ ସେ ବଞ୍ଚିବରେ ଆମ୍ଭର ବଚନେ ।

ଯେବେ ପ୍ରିୟବତୀ ମୋର ଭାବରେ ନ ଥିବ

କାଟିଲାର ମୁଣ୍ଡ ତାର କେଭେ ନ ବଞ୍ଚିବ ।

ନ ବଞ୍ଚିଲେ ନେବ ରାଜା ପାଶେ ଚାରଗଣେ

ଦଣ୍ଡ ବହିବରେ ତୁମ୍ଭେ ଚିହ୍ନି ଦୋଷୀଜନେ ।

ଏତେ ବୋଲି ପ୍ରିୟବତୀ ଶବ କୃଷ୍ଣ ଚାହିଁ

ଛିଡ଼ନ୍ତା ମୁଣ୍ଡ ତାହାର ଗଣ୍ଡିରେ ଲଗାଇ ।

ବୋଇଲେ ଗୋ ପ୍ରିୟବତୀ ବେଗହୋଇ ଉଠ

ପୁତ୍ର କାନ୍ଦୁଅଛି ତୋର ପୋଡୁଛି ତା ପେଟ ।

ଘରକୁ ନିଅ ତାହାକୁ ଦିଅ କ୍ଷୀର ପାନ

ଉଠ ଗୋ ଦେଖନ୍ତୁ ତୋତେ ମଧୁପୁର ଜନ ।

ବେଢ଼ିଛନ୍ତି ରାଜଦୂତେ ତୋର ଚଉପାଶ

ମାତା ପୁତ୍ର ଉଠ ବେଗେ କରାଅ ସନ୍ତୋଷ ।

ତହୁଁ ପ୍ରିୟବତୀ କୃଷ୍ଣ ବଚନ ଶୁଣିଲା

ଶ୍ରୀକୃଷ୍ଣଙ୍କର କର ଯହୁଁ ତା ଅଙ୍ଗେ ଲାଗିଲା ।

ଭାଣ୍ଡର ଭିତରେ ପୁତ୍ର କାନ୍ଦେ ଉଚ୍ଚ ସ୍ୱରେ

ପ୍ରିୟବତୀ ପଲ୍ୟଙ୍କରୁ ଉଠିଲା କାତରେ ।

ପଲ୍ୟଙ୍କେ ବସି କୃଷ୍ଣଙ୍କୁ ଖୋଜେ ଚଉପାଶ

ଡାକେ ବାପ ଜଗବନ୍ଧୁ ବେଗ ହୋଇ ଆସ ।

ତୁ ମୋର ଦୁଃଖୀସଙ୍ଖାଳୀ କେଣେ ଅଛୁ ରହି

ଶ୍ରୀକୃଷ୍ଣ ଦେଖିବୁ ଏବେ ଆସ ବେଗ ହୋଇ ।

ଏମନ୍ତ ବୋଲି ସେ ଚାରିଆଡ଼କୁ ଚାହିଁଲା

ମଧୁନାରୀ ସହ ରାଜଦୂତଙ୍କୁ ଦେଖିଲା ।

ପୁଣି ରାମକୃଷ୍ଣ ରୂପ ଦେଖିଲା ନୟନେ

ଲଜ୍ଜାଭରେ ମୁଖପୋତି ବସିଲା ମଉନେ ।

ପଲ୍ୟଙ୍କ ଉପରୁ ବାଳା ନ ପାରିଲା ଉଠି

କେଶ ବାସ ଅସମ୍ଭାଳ ଭୂମିପରେ ଲୋଟି ।

ପୁଣି ଦେଖିଲା ଦେବର ଦେଢ଼ଶୁର ଭାଇ

ଲାଜେ ମୁଖପୋତି ସେହୁ ମଉନେ ବସଇ ।

ପୁଣି ଅଳପ କରିଣ ଦେଖିଲା ଅନାଇ

କିଛିଦୂରେ ଭାଣ୍ଡଟା ଅଛି ଥୁଆହୋଇ ।

ଭାଣ୍ଡରେ ବାଳକ ଆଣ୍ଟେ କରଇ ରୋଦନ

ଶୁଣିକରି ପ୍ରିୟବତୀ ଭାଳେ ତାର ମନ ।

ଲଜ୍ଜା ପାଇ ପ୍ରିୟବତୀ ମୁଖ ଫେରାଇଲା

ସ୍ୱାମୀ ତାର ପଲ୍ୟଙ୍କରେ ପଡ଼ିଛି ଦେଖିଲା ।

ମୁଖ ପୋତି ପ୍ରିୟବତୀ ନ କହଇ କିଛି

ଶ୍ରୀକୃଷ୍ଣ ଚଳିଲେ ଭାଣ୍ଡ ଯହିଁ ରହିଅଛି ।

ଭାଣ୍ଡ ଭିତରୁ ପୁତ୍ରକୁ କାଖରେ ଧରିଲେ

ନ କାନ୍ଦରେ ପୁତ୍ର ବୋଲି ମୁଖେ ଚୁମ୍ବଦେଲେ ।

ପିତା ପୁତ୍ର ଭାଣ୍ଡେ ବହି ଆଣେ ନନ୍ଦସୁତ

ଦେଖି ମଧୁନରନାରୀ ହେଲେ ଆଚମ୍ବିତ ।

ରାଜା ଚାରଗଣ ମନେ ବିଚାର କରନ୍ତି

ଜଳକା ପରି ଶ୍ରୀକୃଷ୍ଣ ମୁଖକୁ ଅନାନ୍ତି ।

ବୋଲନ୍ତି ଅଟଇ ଏ ତ ଅଦ୍ଭୁତ କାହାଣୀ

ମଲା ପ୍ରାଣୀ ଉଠିଲେ ତ ଏହା ଡାକ ଶୁଣି ।

ଦେଖା ଶୁଣା ନଥିଲା ଏକଥା କେବେ କାହିଁ

ଖଣ୍ଡ ଖଣ୍ଡ ହୋଇ ପୁତ୍ର ଭାଣ୍ଡେ ଥିଲା ରହି ।

ବେନି ଖଣ୍ଡ ହୋଇ ପ୍ରିୟବତୀ ପଡ଼ିଥିଲା

ଶ୍ରୀକୃଷ୍ଣ ତା ଗଣ୍ଡି ମୁଣ୍ଡ ନେଇ ଲଗାଇଲା ।

ପ୍ରତ୍ୟକ୍ଷରେ ଆମ୍ଭେ ପୁରବାସୀ ଦେଖିଥିଲୁ

ପ୍ରିୟବତୀ ସ୍ଵାମୀ ପୁତ୍ର ଶବ ବହିନେଲୁ ।

ରାଜାକୁ କହିଲେ ପ୍ରିୟବତୀ ବନ୍ଧୁଗଣେ

ଆମ୍ଭେ ମଧ୍ୟ କହିଥିଲୁ ରାଜା ସନ୍ନିଧାନେ ।

କୃଷ୍ଣ କେମନ୍ତେ ତାହାକୁ ଦେଲାଟି ଜୀଆଇଁ

ପ୍ରତ୍ୟକ୍ଷେ ଦେଖିଲୁ ଆମ୍ଭେ ଉଠିଲେ ଚିଆଇଁ ।

ପୁଣି ଏକ ଚାର ତହୁଁ କହିଲା ସଧୀରେ

ବୋଇଲା କଥାଏ ମୋର ଆସୁଛି ମନରେ ।

ସେ ଯେବେ ତୁମ୍ଭ ସକଳ ମନକୁ ଆସିବ

ମୋ କହିଲା କଥା ଯେବେ ସକଳ ଘେନିବ ।

ଚାଲ ଆମ୍ଭେ ପ୍ରିୟବତୀ ସ୍ଵାମୀକୁ ଦେଖିବା

ବେନି ଖଣ୍ଡ ହୋଇଥିଲା ବିଶ୍ଵାସ କରିବା ।

ଏହା କହି ପାଶେ ଗଲେ ମଧୁସୂଦନର

ତା ସାନଭାଇକି ଚାହିଁ ଆଦେଶିଲେ ଚର ।

ଫିଟାଅ ମଧୁସୂଦନ ଅଙ୍ଗରୁ ବସନ

ଦେଖିବା କେମନ୍ତେ ଗଲା ଏହାର ଜୀବନ ।

ଶୁଣି ସେ ଅଙ୍ଗରୁ ଦେଲା ବାସ ଦୂର କରି

ଦେଖିଲେ ସକଳ ମଧୁପୁର ନରନାରୀ ।

ରାଜଦୂତମାନେ ମଧୁସୂଦନେ ଦେଖିଲେ

ମୁଣ୍ଡ ଛିଣ୍ଡି ଗଣ୍ଡି ପଡ଼ିଅଛି ପଲ୍ୟଙ୍କରେ ।

ରକତେ ପଲ୍ୟଙ୍କ ଅଛି ଜର ଜର ହୋଇ

ଦେଖିଲେ ତା ପ୍ରିୟବତୀ ପଲ୍ୟଙ୍କରେ ଥାଇ ।

ଆପଣାର ସ୍ଵାମୀ ବେନି ଖଣ୍ଡ ହୋଇଅଛି

ଦେଖିଣ ତାହାର ବୁଦ୍ଧି ନ ସ୍ଫୁରଇ କିଛି ।

ପୁଣି ସେହି ନିରେଖିଲେ ସ୍ଵାମୀର ବଦନ

ଗଣ୍ଡିମୁଣ୍ଡ ପଡ଼ିଛଇ ହୋଇ ଭିନ୍ନ ଭିନ୍ନ ।

କିଛି ନ କହି ମନରେ କରଇ ବିଚାର

ପୁଣି ଜ୍ଞାନ ଉପୁଜିଲା ତାହାର ଶରୀର ।

ପୁତ୍ରକୁ ଧରିଛି ଯେହୁ ବ୍ରହ୍ମାଣ୍ଡର ନାଥ

କେମନ୍ତେ ବୁଝିବି ମୁହିଁ ଏ ସବୁ ବୃତ୍ତାନ୍ତ ।

ଏତେ ବିଚାରି କୃଷ୍ଣଙ୍କୁ ହୃଦେ ଧ୍ୟାନ କଲା

ପଞ୍ଚମନ ତାର କୃଷ୍ଣପାଦେ ନିବେଶିଲା ।

ପୁଣି ପ୍ରିୟବତୀ ଚଉପାଶକୁ ଅନାଇ

ମନେ ବିଚାରଇ ଏହା ଉଚିତ ନୁହଇ ।

ମୁଁ କିମ୍ପା ଏଠାରେ ବସିଥିବି ପଲ୍ୟଙ୍କରେ

କିମ୍ପା ଦେଖୁଥିବେ ମୋତେ ବେଢ଼ି ନାରୀନରେ

ଏହିପରି ପ୍ରିୟବତୀ ଭାବେ ମନେ ମନେ

ତେଣେ ମଧୁସୂଦନକୁ ଦେଖି ଚାରଗଣେ ।

ବୋଲନ୍ତି ଦେଖିଲା କଥା କେହ୍ନେ ହେଲା ମିଛ

ଦଣ୍ଡେ ରହ ଦେଖିଯିବା ଶ୍ରୀକୃଷ୍ଣ ଚରିତ ।

କରିବ ସେ କି ଉପାୟ ତାହା ଦେଖିଯିବା

ତେବେ ସିନା ରାଜା ଆଗେ ସକଳ କହିବା ।

ଏମନ୍ତ ବିଚାରି ଦୂତେ ହୋଇଲେ ମଉନ

ଧରିଛନ୍ତି କୃଷ୍ଣ ପ୍ରିୟବତୀର ନନ୍ଦନ ।

ପ୍ରିୟବତୀ ପାଶରେ ସେ ହୋଇଲେ ପ୍ରବେଶ

ବୋଲନ୍ତି ସୁନ୍ଦରୀ ପଲ୍ୟଙ୍କରୁ ଉଠିଆସ ।

ଏ ତୋହର ପୁତ୍ର ନିଅ ଆନ ନ ବିଚାରି

ମୋ ସ୍ୱାମୀର କାର୍ଯ୍ୟକର ଗଲାଣି ତ ମରି ।

ତୁହି ମରିଥିଲୁ ତୋର ପୁତ୍ର ମରିଥିଲା

ମୋର ଭାବେ ଥିଲୁ ଯେଣୁ ଜୀବନ ପଶିଲା ।

ମୋର ଭାବେ ଥାଇ ପୁତ୍ର ମୁଣ୍ଡକତୁ କାଟିଲୁ

ତେଣୁ ତୋ ପୁତ୍ରକୁ ଆମ୍ଭେ ଜୀବନ ତ ଦେଲୁ ।

କୃଷ୍ଣଙ୍କ ବଚନ ଶୁଣି ପ୍ରିୟବତୀ ଉଠି

ଭାବେ ଗଦଗଦ ହୋଇ ପାଦପଦ୍ମେ ଲୋଟି ।

ବେନିକର ଯୋଡ଼ି ସେହୁ ବଚନ ବୋଲଇ

ପୁତ୍ର କାହୁଁ ପାଇବି ମୁଁ ଶୁଣ ଭାବଗ୍ରାହୀ ।

ସେ ପୁତ୍ର ତୋହର ଅଟେ ନିଅ ତୁ ବହନ

ମୋହର ସ୍ଵାମୀକି ଏବେ ଦିଅ ଜୀବଦାନ ।

ଆତ୍ମଘାତୀ ହେଲେ ସ୍ଵାମୀ ଯେବେ ମୋର ଘେନି

ନ ବଞ୍ଚିଲେ ସେ ତ ହେବି ମୁଁ ସହଗାମିନୀ ।

ତୋ ମୁଖକୁ ଦେଖୁ ଦେଖୁ ଯେବେ ମୁଁ ମରିବି

ସ୍ଵାମୀକି ସଙ୍ଗରେ ଧରି ବୈକୁଣ୍ଠେ ବସିବି ।

ଏ ସୁଖ ଛାଡ଼ି ମାୟାରେ ପଡ଼ିବି କିମ୍ପାଇଁ

ଜଗବନ୍ଧୁ ହେଲା ତୋର ପୁତ୍ର ଭାବଗ୍ରାହୀ ।

ଝାସ ଦେଇ ଅଗ୍ନିରେ ତୋ ମାୟାରୁ ତରିବି

ଯୁଗ ଯୁଗାନ୍ତରେ ମୁହିଁ କଥା ରଖିଥିବି ।

ପ୍ରିୟବତୀ ବଚନରେ ବୋଲନ୍ତି ଶ୍ରୀପତି

ତୋର ସ୍ଵାମୀ ତୋତେ ମାରି ହୋଇଲାପାତକୀ

ନ ବୁଝିଣ ଯାହା ତୋତେ ଜୀବନେ ମାଇଲା

ତେଣୁ ସ୍ତିରୀହତ୍ୟା ଦୋଷ ତାହାକୁ ଲାଗିଲା ।

ଗୋ ବ୍ରାହ୍ମଣ ହତ୍ୟା ନାରୀହତ୍ୟା ଶିଶୁବଧ

ସକଳ ପାପରୁ ବଳି ଅଟେ ପରମାଦ ।

ସୁବର୍ଣ୍ଣ ହରାଏ ଯେହୁ କରେ ସ୍ୱର୍ଣ୍ଣ ଚୋରି

ପାଇଲାର ସୁବର୍ଣ୍ଣ ଯେ ରଖେ ଗୋପ୍ୟ କରି ।

ଏ ପାଞ୍ଚ ପାପରୁ ଆଉ ବଡ଼ ପାପ ନାହିଁ

ଏ ପାପରେ ପାପୀ ତୋର ସ୍ଵାମୀ ଅଛି ହୋଇ

ଏ ପଞ୍ଚ ପାପକୁ ମୁହିଁ ଡରଇ ନିରତେ

ତୋହର ସ୍ୱାମୀକି ରଖିପାରୁ ତୁ ଯେ ମତେ ।

ମୁଁ କିମ୍ପାଇଁ କାର୍ଯ୍ୟରେ ଗୋ ବାଧାଦେବି ତୋର

କୃଷ୍ଣ ବାକ୍ୟେ ସତ୍ୟବତୀ ଯୋଡ଼ି ବେନିକର ।

ତୁ କିମ୍ପାଇଁ ମାୟା ମୋତେ କରୁ ଚକ୍ରପାଣି

ତୋର ନାମ ଧରି ଭବ କୂପୁ ତରେ ପ୍ରାଣୀ ।

ତୁ ପାତକ ନାଶି ପ୍ରଭୁ ପତିତ ଉଦ୍ଧାର

ତୋ ନାମ ଧରିଲେ ଡରି ପାପ ଯାଏ ଦୂର ।

ଗୋରୁବଧ ବ୍ରହ୍ମବଧ ଶିଶୁବଧ ଯେତେ

ନାରୀ ହତ୍ୟା ସୁବର୍ଣ୍ଣାଦି ହରଣ ସହିତେ ।

ଜଗତରେ ଯେ ଯେତେକ ପାପ କରିଥାଇ

ଭକ୍ତିଭରେ ଯେବେ ତୋର ନାମ ଉଚ୍ଚାରଇ ।

ତେବେ ସେ ଆନନ୍ଦେ ଏ ସଂସାରୁ ପାରିହେବ

ତୋର ଆଗେ ପାପ କାହିଁ ରହିବ କେଶବ ।

ପତିତ ପାବନ ବାନା ଦୀନଜନ ସାଇଁ

ଭାବରେ ସର୍ବଦା ବଶ ଅଟୁ ଭାବଗ୍ରାହୀ ।

ଆରତେ ଡାକିଲେ ତୁହି କର୍ଣ୍ଣେ ଡେରିଥାଉ

ଚକ୍ରପାଣି ବିପଦକୁ ନାଶୁ ମହାବାହୁ ।

ଆତଙ୍ଗ କାଳରେ ଯେହୁ ତୋତେ ଭାବେମନେ

ରକ୍ଷାକର ତାକୁ ରଣେ ଅନଳେ କାନନେ ।

ରାଜଦ୍ଵାରେ ତାହା କୁଟି ସଙ୍କଟ ପଡ଼ଇ

ଚିନ୍ତିଲେ ତୋତେ ସେ ପ୍ରାଣୀ ଦୁସ୍ତରୁ ତରଇ ।

ନାନା ସଙ୍କଟେ ପଡ଼ିଲେ ତୋତେ ଯେ ଚିନ୍ତଇ ।

ତୁ ତାହାର ମନ ଜାଣିପାରୁ ଭାବଗ୍ରାହୀ ।

ମୋତେ ବୋଲୁ ତୋର ସ୍ଵାମୀ ନାରୀ ହତ୍ୟାକଲା

ମହାପାତକୀରେ ସେହୁ ଗଣନା ହୋଇଲା ।

ଦୂରେ ଥାଇ ତୋତେ ଯେହୁ ଚିନ୍ତେ ହୃଦୟରେ

ଘୋର ଦୁସ୍ତରୁ ତରଇ ନ ପଡ଼େ ନର୍କରେ ।

ତୁ ମୋହର ସ୍ଵାମୀ ପାଶେ ଅଛୁ ଉଭାହୋଇ

ତୋତେ ଦେଖି ପାପଶୂନ୍ୟ ହୋଇଲାଟି ସେହି

ଆମ୍ଭେ ପାତକୀ ତୋ ନାମ ପାତକନାଶନ

ତୋ ଆଗେ ମୋ ସ୍ୱାମୀ ପାପ ହେଲାଣି ଦହନ

ଛିନ୍ନଶିର ମୋର କନ୍ଧେ କିମ୍ପାଇଁ ଯୋଡ଼ିଲୁ

ମଲା ପୁତ୍ରକୁ ମୋହର କିମ୍ପା ଜୀଆଇଲୁ ।

ଏବେ ମୋତେ କାହିଁପାଇଁ କରୁଛୁ ନିରାଶ

ନ ବର୍ତ୍ତିଲେ ସ୍ୱାମୀ ଦେବି ଅନଳେ ମୁଁ ଝାସ ।

ତୁ ବ୍ରହ୍ମ। ତୋ ପାଦ ଛୁଇଁ ନିୟମ କରୁଛି

ଝାସିବି ଅନଳେ ନିଶ୍ଚେ ଶୁଣ ନନ୍ଦବତ୍ସି ।

ନ ବଞ୍ଚିବେ ପ୍ରଭୁ ଯେବେ ମୋ ଜୀବନ ସ୍ୱାମୀ

ତାହାଙ୍କୁ ଘେନି ମୁଁ ନିଶ୍ଚେ ହେବି ସହଗାମୀ ।

ସତ୍ୟ ସତ୍ୟ ତିନିବାର ସିତ୍ୟ ଅଟେ ମୋର

ତୁ ସତ୍ୟ ବକତା ସତ୍ୟ ନ ଭାଙ୍ଗ ତୋହର ।

ବୋଲନ୍ତି ପ୍ରିୟବତୀର ବାକ୍ୟେ ଦଇତ୍ୟାରୀ

ନାରୀହତ୍ୟା ପାତକ ମୁଁ ନ ପାରଇ ହରି ।

ଏ ପୁତ୍ରକୁ ଧରି ଘର କରିବୁ ତୁ ସୁଖେ

କାହିଁକି ଲୋ ପ୍ରିୟବତୀ ଭାଳୁଅଛୁ ଶୋକେ ।

ଜାଣୁ ଜାଣୁ ଅପଘାତ ଯେ ଜନ କରଇ

ଜହର ମହୁରା ଖାଇ ଯେ ପ୍ରାଣ ତେଜଇ ।

ଅହିଫେନ ଧାତୁରାଦି ଯେ କରେ ସେବନ

ନାନାଜାତି ବିଷଖାଇ ତେଜେ ଯେ ଜୀବନ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ତାକୁ ନାହିଁ ବାସ

ସ୍ଥାନ ନ ଦିଶଇ ତାକୁ ପୃଥିବୀ ଆକାଶ ।

କ୍ଷୁଧା ତୃଷାରେ ଜୀବନ ନିରତେ ଦହଇ

ଯହିଁ ଗଲେ ତାର ମୁଖେ ଅଗ୍ନି ବରଷଇ ।

ତପତ ବାଲିରେ ସେହି ଚାଲି ନପାରଇ

ପଛେ ପଛେ ଯମଦୂତେ ପିଟନ୍ତି ଗୋଡ଼ାଇ ।

ବିହି ଯେତେଦିନ ଲିହିଥାଏ ତା କପାଳେ

ତେତେଦିନ ଦୁଃଖଭୋଗି ନାନା ସ୍ଥାନ ବୁଲେ ।

ଶୁଣ ପ୍ରିୟବତୀ ବାଣୀ ଆତ୍ମହତ୍ୟା କଲେ ।

ସେ ପ୍ରାଣୀର ମୁକ୍ତି ଆଉ ନାହିଁ କେଉଁଠାରେ

ଆହୁରି କିଥାଏ ମୁହିଁ କହୁଅଛି ତୋତେ

ମୋ ବୋଲକରି ତୁ ଯାଅ ସ୍ଵାମୀର ସଙ୍ଗତେ ।

ନ ଭାଳ ମନେ ତୁ କିଛି ରାଜାକୁ କହିବି

ତୋର ପୁତ୍ର ନାତି ଆଦି ସୁଖୀ କରାଇବି ।

ସୁଖୀ ହୋଇ ରହିବେ ସେ ନ ହୋଇବେ ଦୁଃଖୀ

ନହୁଅ ସହଗାମିନୀ ମୋର କଥା ରଖି ।

ତୁ କହିଲେ ତୋ ସ୍ଵାମୀକି କରିବେ ଦହନ

ରବି ଅସ୍ତହେଲେ ବାସିମଡ଼ା ହେବ ଜାଣ ।

ମୁକ୍ତି ଦେବାପାଇଁ ତୋର ବିଚାର ମନରେ

ବାସିମଡ଼ା ହେଲେ ସେ ତ ପଡ଼ିବ ନର୍କରେ ।

ତୋତେ ବିଭାହୋଇ ଯମଦଣ୍ଡ ସେ ଲଭିବ

ଏତେ ବନ୍ଧୁଭାଇ ଥାଇ ହୋଇଲା କି ଲାଭ ।

କୃଷ୍ଣର ବଚନେ ପ୍ରିୟବତୀ ଭାବେ ମନେ

କୃଷ୍ଣଭାବେ ଅଶ୍ରୁଜଳ ପୁରଇ ନୟନେ ।

ରାମକୃଷ୍ଣ ନାମକୁ ଯେ ହୃଦେ ଅଛି ଧରି

ଭାଇବନ୍ଧୁମାନଙ୍କୁ ସେ ଡାକେ ଧୀର କରି ।

ନିଅ ସ୍ୱାମୀକି ମୋହର କର ଯା ଦହନ

ସହଗାମୀ ହେବି ମୁହିଁ ସତ୍ୟ ମୋ ବଚନ ।

ଥୋକାଏ ଯାଅରେ ତୁମ୍ଭେ ରାଜାଙ୍କର ତହିଁ

ତାଙ୍କ ଆଗେ ସବୁକଥା କହିବ ବୁଝାଇ ।

ଆଣିବାର ପାଟଶାଢ଼ୀ ଚନ୍ଦନ ସିନ୍ଦୂର

ବୋଲିବ କୃଷ୍ଣଙ୍କୁ ତାର ଦେଲା ସେ କୁମର ।

ଯାଅ ଯାଅ ଚାରଗଣ ମୋ ଭାଇ ସଙ୍ଗତେ

କହିବ କଂସକୁ ତୁମ୍ଭେ ଦେଖିଲରେ ଯେତେ ।

ବୋଲିବରେ ପ୍ରିୟବତୀ କହିଛି ବଚନ

ସତୀ ଯାଉଅଛି ଚାଲ ଦେଖିବ ନୟନ ।

ଦଣ୍ଡେମାତ୍ର ପ୍ରିୟବତୀ ଆଜି ଦେଖିଥିବ

କାଳ ଦଶଦଣ୍ଡଠାରେ ପୁଣି ଭେଟ ହେବ ।

ଶୁଣି ଚରଗଣ ପ୍ରିୟବତୀ ଭାଇ ଘେନି

ଉଗ୍ରସେନର ଛାମୁରେ ମିଳିଲେ ସେକ୍ଷଣି ।

ଉଗ୍ରସେନକୁ ଦେଖି ସେ ପାଦରେ ପଡ଼ିଲେ

ବେନି କର ଯୋଡ଼ିକରି ବିନୟେ କହିଲେ ।

ଯାହାକଲେ କୃଷ୍ଣ ସବୁ କହିଲେ ବୁଝାଇ

ପ୍ରିୟବତୀ କଥା ମଧ୍ୟ ତାହାପରେ କହି ।

ଶୁଣି ଉଗ୍ରସେନ ତହୁଁ ତୁରିତେ ଉଠିଲା

କଂସର ଶୟନଠାରେ ଯାଇ ପ୍ରବେଶିଲା ।

ଦେଖିଲା ସେ ବୀରକଂସ କରିଛି ଶୟନ

ଡାକିଲେ ସେ ବେଗେ ଉଠ ଉଠରେ ନନ୍ଦନ

ପିତାଙ୍କୁ ଦେଖିଣ କଂସ ଦୁରିତେ ଉଠିଲା

ପାଦେ ପଡ଼ି ପଲ୍ୟଙ୍କରେ ଅଙ୍କେ ବସାଇଲା ।

ବୋଇଲା ହୋ ତାତ ତୁମ୍ଭେ ଆସିଲ କିମ୍ପାଇଁ

ବେଗକରି କହ ମୋତେ ସଂଶୟ ଫିଟାଇ ।

ଉଗ୍ରସେନ ବୋଇଲେରେ ଶୁଣ କଂସ ତହିଁ

ପ୍ରିୟବତୀ ସ୍ୱାମୀ ମଲା ଶୁଣିଥିଲି ମୁହିଁ ।

ସ୍ଵାମୀ ସଙ୍ଗେ ଏବେ ସେହି ଯାଉଅଛି ସତୀ

ଚାରକୁ କହିଲା ଯାଇ କହ ରାଜା କତି ।

ବୋଇଲା ସେ ପାଟଶାଢ଼ୀ ସିନ୍ଦୂର ଆଣିବ

ଦେଖି ଆସିବାପାଇଁକି ରାଜାକୁ କହିବ ।

ମଥୁରାର ନରନାରୀ ଦେଖନ୍ତି ବହୁତ

ଗୋପର ଗୋପାଳମାନେ ଦେଖନ୍ତି ସମସ୍ତ ।

ତୁ ରାଜା ଦେଖିବାପାଇଁ ବିଜେକର ଏବେ

ତୋର ମନବେଦନା ତୁ ପଚାରିବୁ ଯେବେ ।

କହିବ ସେ ମହାସତୀ ନିଶ୍ଚେ ସତ୍ୟକଥା

ଛାଡ଼ିବ ମନରୁ ତୋର ଶୁଣି ସର୍ବକଥା ।

ଶୁଣି କଂସରାଜା ଉଗ୍ରସେନ କର ଧରି

ବୋଇଲା ହେ ତାତ ତୁମ୍ଭେ ଯାଅ ବେଗକରି ।

ଭଣ୍ଡାରୁ ସିନ୍ଦୂର ଶାଢ଼ୀ ରତ୍ନଚୁଡ଼ୀ ନିଅ

ପ୍ରିୟବତୀକି ଯେ ତୁମ୍ଭେ ମଣ୍ଡନ କରାଅ ।

ସେ ଯାହା ମାଗୁଛି ନିଅ ଭଣ୍ଡାରୁ ସଜାଡ଼ି

ବୋଲିବ ପଚାରିଅଛି କଂସ କରଯୋଡ଼ି ।

ରାଜ୍ୟ ଭଲମନ୍ଦ କଥା କହ ମହାସତୀ

କହ ତୁ ରାଜାର ସବୁ ବିପତ୍ତି ସମ୍ପତ୍ତି ।

ସେହି ମହାସତୀ ଯାହା କହିବେ ହୋ ତାତ

ମୋର ଆଗେ ଆସି ତୁମ୍ଭେ କହିବ ସମସ୍ତ ।

ଗଉଡ଼େ ଅଛନ୍ତି ତହିଁ ନ ଯିବଇଁ ମୁହିଁ

ଆବର କଥାଏ ତାତ ତୁମ୍ଭଙ୍କୁ କହଇ ।

କାଲିହୁଁ ମଥୁରା ଭାର ତୁମ୍ଭେ ଯେ ସମ୍ଭାଳ

ମନକୁ ଆସିବ ଯାହା ତାହା ତୁମ୍ଭେ କର ।

ମଧୁପୁରରେ ଘୋଷଣା ଦିଅ ହେ ବଜାଇ

ପାତ୍ରମନ୍ତ୍ରୀମାନେ ତହିଁ ସର୍ବେ ଥିବେ ରହି ।

ଚାଣୁର ମୁଷ୍ଟିକ ଗଜ ଆଦି ମାଲ ଥିବେ

ଯେମନ୍ତେ ଶ୍ରୀକୃଷ୍ଣ ଦେଖି ଦୂରୁ ତ୍ରସ୍ତ ହେବେ ।

ଦେବକୀ ବସୁଦେବ ଯେ ଥିବେ ତହିଁ ବସି

ଅଷ୍ଟମଲ୍ଲ ଭାଇ ପୁତ୍ର ତହିଁଥିବେ ଆସି ।

ଏହିପରି ଭାବେ ରଙ୍ଗସଭା କରାଇବ

ପଣ୍ଡିତମାନଙ୍କ ସହ ଥିବେଟି ଗାର୍ଗବ ।

ଅକ୍ରୂରକୁ ପେଶି ରାମକୃଷ୍ଣ ତୁ ଆଣିବୁ

ଦେବଙ୍କୁ ଦୁର୍ଲ୍ଲଭ କରି ସଭା ମଣ୍ଡାଇବୁ ।

ଏହିପରି ଆଜ୍ଞା କଂସ ଉଗ୍ରସେନେ ଦେଇ

ବୋଇଲା ଭୋ ତାତ ତୁମ୍ଭେ ଯାଅ ବେଗହୋଇ

କଂସର ବଚନ ଶୁଣି ଉଠି ଉଗ୍ରସେନ

ସିଂହଦ୍ୱାରେ ଆସି ସେହୁ ମିଳିଲେ ତକ୍ଷଣ ।

ଚାରମାନଙ୍କୁ ଅନାଇ ବୋଲେ ଉଗ୍ରସେନ

ପ୍ରିୟବତୀ ବନ୍ଧୁଭାଇ ଯାଅରେ ବହନ ।

ସଜାଅରେ କାଷ୍ଠ ନିଅରେ ରାଜ୍ୟରୁ

ରାଜା ଆଜ୍ଞା କହି କାଷ୍ଠ ନେଇ ପ୍ରତିଘରୁ ।

ଶାଢ଼ୀ ସିନ୍ଦୂର ଘେନି ମୁଁ ଯାଉଛି ଏକ୍ଷଣି

ବିଳମ୍ବ ନ କରି ଦୂତେ ଯାଅ ବେଗେ ପୁଣି ।

ରାଜା ଆଜ୍ଞାରେ ସେ ଗଲେ ବେଗ ବେଗ ହୋଇ

ପ୍ରିୟବତୀ ଆଗରେ ସେ କହିଲେ ବୁଝାଇ ।

ବୋଇଲେ ତୁ ଶୁଣ ଶୁଣ ଆଗୋ ପ୍ରିୟବତୀ

ତୋ ହଂସଗମନ ରାଜା ଦେଖି ଆସୁଛନ୍ତି ।

ତୋର ଭାଇ ବନ୍ଧୁମାନେ ସାଜୁଛନ୍ତି ସହ

ଶୁଣି ରୋମାଞ୍ଚିତ ହେଲା ପ୍ରିୟବତୀ ଦେହ ।

ନିରତେ ଡାକଇ କୃଷ୍ଣ ମୋତେ ତ୍ରାହିକର

ବୋଲନ୍ତି ଯେ ଚାର ମୁଖୁଁ ଶୁଣି ହଳଧର ।

ରଖ ବାଳକ ଶ୍ରୀକୃଷ୍ଣ ମଧୁବନେ ଯିବା

ରାଜା ଆସିବେ ଏଠାକୁ ଆମ୍ଭେ କିମ୍ପା ଥିବା ।

ରାଜାର ବଚନେ ପ୍ରିୟବତୀ କର୍ଣ୍ଣେ ଶୁଣି

ବେନିକର ଯୋଡ଼ି ଶ୍ରୀକୃଷ୍ଣଙ୍କୁ କହେ ପୁଣି ।

ଶୁଣ ଦେବ ଦଇତ୍ୟାରୀ ମୋର ନିବେଦନ

କାହିଁ ନଥିବେ ମୋ ଭଳି ଅଭାଗିନୀ ଜନ ।

ମୋ ସ୍ୱାମୀକି ଧରି ସହଗାମିନୀ ମୁଁ ହେବି

ତବ ମୁଖ ଚାହିଁ ବଇକୁଣ୍ଠପୁରେ ଯିବି ।

ତୁମ୍ଭେ ତେବେ କାହିଁପାଇଁ ଯିବ ମଧୁବନ

ତୁମ୍ଭେ ଗଲେ ତୁମ୍ଭ ସଙ୍ଗେ କରିବି ଗମନ ।

ଏ ପୁତ୍ରକୁ ଦେଲି ମୁହିଁ କିମ୍ପା ଫେରିନେବି

କଦାପି ମୁଁ ସତ୍ୟଭଗ୍ନ କରି ନ ପାରିବି ।

ପ୍ରିୟବତୀ ବାକ୍ୟ ଶୁଣି ନନ୍ଦର ନନ୍ଦନ

ବୋଇଲେ ଗୋ ପ୍ରିୟବତୀ ଶୁଣ ମୋ ବଚନ ।

ଏ ପୁତ୍ରକୁ ଯେବେ ମୋତେ ଦେଲ ପ୍ରିୟବତୀ

ଶୁଣିଲେ ସେ କଂସ ମୋତେ ଦେବ ବହୁଶାସ୍ତି ।

ତୋ ଶାଶୁ ଶ୍ଵଶୁର ସିନା ହୋଇଲେ ନିରାଶ

ବୃଦ୍ଧକାଳେ ମାତାପିତା ହେବେ ଅସନ୍ତୋଷ ।

ତୋର ବନ୍ଧୁଗଣ ସର୍ବେ ନିରାଶା ଭଜିବେ

ପ୍ରିୟବତୀ ବଂଶ ନାଶ କଲାଟି ବୋଲିବେ ।

ଏବେ ପ୍ରିୟବତୀ ତହିଁ ମୋର ବୋଲ କର

ତୋ ପୁତ୍ରକୁ ଦିଅ ନେଇ ତୋ ଶାଶୁକୋଳର

ବୋଲିବୁ ତୁମ୍ଭର ପୁତ୍ର ଅଟଇ ଗୋ ଏହି

ଏ ପୁତ୍ରକୁ ଘେନି ପୁତ୍ର କଷ୍ଟ ଭୁଲ ତୁହି ।

ପୁତ୍ରର ପାଲଟେ ପୁତ୍ର ପାଇଲୁ ଗୋ ତୁହି

ଜାଣୁ ଗୋ ମଧୁସୂଦନ ଏ ପୁତ୍ର ଅଟଇ ।

ତେବେ ତୋତେ ପ୍ରଶଂସିବେ ମଧୁନାରୀମାନେ

ଧନ୍ୟ ଧନ୍ୟ ପଦପ୍ରାପ୍ତ ହେବୁ ଏ ଭୁବନେ ।

ଶୁଣି ପ୍ରିୟବତୀ କୃଷ୍ଣ ପାଦତଳେ ପଡ଼ି

ବିନୟଭାବେ ସେ କହେ ବେନିକର ଯୋଡ଼ି ।

ଭୋ ପ୍ରଭୁ ଦୟାସାଗର ଦୟା ମୋତେ କର

ସ୍ଵାମୀ ସଙ୍ଗେ ଅନଳେ ମୁଁ ଦହିବି ଶରୀର ।

ଏ ପୁତ୍ର ତୋହର ସିନା ଯାହା କର ତୁହି

ମରି ଜୀଇଁବା କଥା ତୋତେ ସେ ଲାଗଇ ।

ବନ୍ଧୁଗଣ ଯେବେ ମୋତେ ନିନ୍ଦାଟି କରିବେ

ନ ଦେଖିବି ନ ଶୁଣିବି ପଛରେ କହିବେ ।

ରାଜାହିଁ ଦଣ୍ଡିବ ଯେତେ ଦଣ୍ଡୁପଛେ ମୋତେ

ସତୀକଲୁ ଅସତୀ ମୁଁ ହୋଇବି କେମନ୍ତେ ।

କୃଷ୍ଣଙ୍କୁ ବିନୟକରି ବୋଲେ ପ୍ରିୟବତୀ

ନ ଭାଙ୍ଗ ମୋ କଥା ପ୍ରଭୁ ଯିବଇଁ ମୁଁ ସତୀ ।

ଏହିପରି ପ୍ରିୟବତୀ କୃଷ୍ଣଙ୍କୁ କହଇ

ମାୟାରେ ଶ୍ରୀକୃଷ୍ଣ ତାକୁ ଅଛଇ ଭୁଲାଇ ।

ଶୁକମୁନି କହୁଛନ୍ତି ପରୀକ୍ଷା ଅଗ୍ରତ

ହରିବଂଶ ସମ୍ଭୂତ ଏ ଚିତ୍ତବୋଧ ଗୀତ ।

ବହୁବାର ରାଧାନାମ ଉକତ ଏଥିରେ

ସେ ନାମ ଅଚ୍ୟୁତାନନ୍ଦ ଭାବଇ ଚିତ୍ତରେ ।

ପଢ଼ିଶୁଣି କରି ନରେ ଲଭ ମହାତୋଷ

ନ ଧରିବେ ସାଧୁଜନେ ମୋର କିଛି ଦୋଷ ।

 

କୃଷ୍ଣର ବରରେ ପ୍ରିୟବତୀର ସ୍ଵାମୀ ପୁତ୍ରସହ ବୈକୁଣ୍ଠ ପ୍ରାପ୍ତି

ପରୀକ୍ଷ ଆଗରେ କହୁଛନ୍ତି ଶୁକମୁନି

ସତୀ ପ୍ରିୟବତୀ କଥା ଅପୂର୍ବ କାହାଣୀ ।

ଶ୍ରଦ୍ଧାରେ ଶୁଣିବ ଯେହୁ ହୋଇବ ମୁକତ

ପରମ ପବିତ୍ର ଏ ଯେ ଚିତ୍ତବୋଧ ଗୀତ ।

ଏଥୁଅନନ୍ତରେ ତୁହୋ ଶୁଣ ନରମଣି

ରାଜା ଉଗ୍ରସେନ ନାନା ଦ୍ରବ୍ୟମାନ ଘେନି ।

ଚଳଇ ମଥୁରାଦାଣ୍ଡେ ପ୍ରିୟବତୀ ପାଶେ

ଆଗେ ମଙ୍ଗଳ ମହୁରୀ ବାଜଇ ହରଷେ ।

ମଣିମା ମଣିମା ବୋଲି ଉଚ୍ଚେ କରି ସ୍ୱନ

ଆଗେ ଆଗେ ଚାଲିଛନ୍ତି ରାଜଦୂତଗଣ ।

ମଧୁପୁର ନାରୀମାନେ ବୋଲନ୍ତି ଉଚ୍ଚାଟେ

ଚାଲଗୋ ଦେଖିବା ସତୀ ଯମୁନାର ଘାଟେ ।

ରାଜା ଉଗ୍ରସେନ ଯାଉଅଛି ଗୋ ତହିଁକି

ଆମ୍ଭେ ଦେଖିଯିବା ଚାଲ ଭୟ ଗୋ କାହିଁକି ।

ଏମନ୍ତ ବୋଲି ସକଳେ ନଦୀକୂଳେ ମିଳି

ଗୋପାଳଙ୍କୁ ଘେନି ରାମ ସଙ୍ଗେ ବନମାଳୀ ।

ପ୍ରିୟବତୀ ପୁତ୍ର ଧରିଛନ୍ତି ପୀତବାସ

ଉଭା ହୋଇଛନ୍ତି ସେହୁ ପ୍ରିୟବତୀ ପାଶ ।

ଦୁରୁ ଦେଖି ଉଗ୍ରସେନ ହୋଇଲା ହରଷ

ମନେ ବିଚାରିଲା ଏହୁ ଦେବକୀର ଶିଷ୍ୟ ।

ପୁଣି ବିଚାରେ ଜନମ ଦିନ ଦେଖିଥିଲି

ଆଠ ବରଷରେ ପୁଣି ଆଜ ମୁଁ ଦେଖିଲି ।

କଂସ କହିବାରୁ ସିନା ଆସିଲି ମୁଁ ଏଥି

ତାହା ହେତୁରୁ ଦେଖିଲି ଦେବ ଶିରୀପତି ।

ବାଟ ଛାଡ଼ ବୋଲି ଡାକ ପଡ଼ୁଅଛି ତହିଁ

ଦେଖୁ ଦେଖୁ ଉଗ୍ରସେନ ପାଶରେ ମିଳଇ ।

ଯହିଁ ଶ୍ରୀକୃଷ୍ଣ ତାହାକୁ ନୟନେ ଦେଖିଲେ

ଏହୁ ଉଗ୍ରସେନ ବୋଲି ରାମଙ୍କୁ କହିଲେ ।

ମାନ୍ୟଧର୍ମ ଆଚରିବା ଉଚିତ ଆମ୍ଭରି

ଦେବକୀ ରୋହିଣୀ ସିନା ଅଟେ ଗର୍ଭଧାରୀ ।

ଉଗ୍ରସେନ ତାହାଙ୍କର ଅଟନ୍ତି ସେ ତାତ

ଇନ୍ଦୁମତୀରି ଗର୍ଭରୁ ହୋଇଅଛି ଜାତ ।

ଆମ୍ଭ ସହୋଦର ଅଜା ଏ ସିନା ଅଟଇ

ଆଗେ ମାନ୍ୟ କରିବା ହେ ଆମ୍ଭେ ବେନିଭାଇ

ଏମନ୍ତ ବୋଲିଣ ରାମ ସଙ୍ଗେ ଚକ୍ରଧର

ଉଗ୍ରସେନ ପାଦତଳେ କଲେ ନମସ୍କାର ।

ଦେଖି ଆନନ୍ଦ ଉଠାଇ ରାଜା ଉଗ୍ରସେନ

କୋଳକରି ରାମମୁଖେ ଦିଅଇ ଚୁମ୍ବନ ।

ବେନି ନୟନରୁ ତାର ଲୋତକ ଗଳଇ

କୃଷ୍ଣଙ୍କୁ ସେ କୋଳକରି ବଚନ ବୋଲଇ ।

ଆଜି ଦେଖିଲି ତୁମ୍ଭଙ୍କୁ ଦେବକୀ ନନ୍ଦନ

ଫିଟାଅ ମାତାପିତାଙ୍କ ଶାଙ୍କୋଳୀ ବହନ ।

ଦୁଷ୍ଟ କଂସ ଦେବକୀକୁ ବହୁକଷ୍ଟ ଦେଲା

ତୋତେ ଦେଖି ସେ ଦେବକୀ କଷ୍ଟ ପାଶୋରିଲ।

ବୋଲେ ଆଗୋ ପ୍ରିୟବତୀ ଧନ୍ୟ ତୋର ସ୍ୱାମୀ

କୃଷ୍ଣଙ୍କୁ ନୟନେ ଦେଖି ହେବ ସହଗାମୀ ।

ଏତେ ବୋଲି ରାଜା ପ୍ରିୟବତୀ ପାଦେ ପଡ଼ି

ଖଣ୍ଡଦୂରେ ଉଭାହୋଇ କରପତ୍ର ଯୋଡ଼ି ।

ଦେଖି ଉଗ୍ରସେନକୁ ସେ ବୋଲେ ପ୍ରିୟବତୀ

ତୁ ଯେ ଉଗ୍ରସେନ ମଧୁପୁର ଚକ୍ରବର୍ତ୍ତୀ

ଏ କୃଷ୍ଣଙ୍କୁ ଏହା ତୁହି ସିନା ଅଛୁ ଚିହ୍ନି

ସାକ୍ଷାତରେ ବ୍ରହ୍ମା ଏ ଯେ ଅଟେ ନୀଳମଣି ।

ଯେତେବେଳେବସୁଦେବ ଗୋପେ ଘେନିଗଲା

ପ୍ରତ୍ୟକ୍ଷରେ ନାରାୟଣ ରୂପ ଦେଖାଗଲା ।

ଶଙ୍ଖ ଚକ୍ର ଗଦା ପଦ୍ମ ନୟନେ ଦେଖିଲୁ

ତେବେ ତୁ ଗୋପେ ଯିବାକୁ ବାଟ ଛାଡ଼ିଦେଲୁ

ଶୁଣି ଏ ବଚନ ଉଗ୍ରସେନ ବିଚାରଇ

ମହାସତୀ ନୋହିଲେ ଜାଣନ୍ତା ଏହା କାହିଁ ।

ମୁଁ ଜାଣଇ ବସୁଦେବ ଜାଣନ୍ତିଟି ଏହା

ଅନ୍ୟତ୍ର ନଥିଲେ କେହି ଜାଣିବାକୁ ତାହା ।

ଏ ସମୟେ ପ୍ରିୟବତୀ ପୁଣି ବୋଲେ ଶୁଣ

କୃଷଙ୍କୁ ମୁଁ ଦେଉଅଛି ମୋହର ନନ୍ଦନ ।

ମୋ ଶାଶୁ ଶ୍ୱଶୁର ଦେଢ଼ଶୁର ଆଦି ଯେତେ

ପିତା ମାତା ଭାଇବନ୍ଧୁ ଅଛନ୍ତି ସମସ୍ତେ ।

ଏମାନେ ଶ୍ରୀକୃଷ୍ଣଠାରୁ ନେବେ ଏହି ସୁତ

ଭିଆଇଲେ ଦ୍ୱନ୍ଦ୍ୱ ଦଣ୍ଡଦେବୁ ନରନାଥ ।

ଏତେ କହି ପୁତ୍ରକୁ ସେ କୃଷ୍ଣ ହସ୍ତେ ଦେଲା

ବେନିକର ଯୋଡ଼ି କୃଷ୍ଣପାଦରେ ପଡ଼ିଲା ।

ଦେଖି ଉଗ୍ରସେନ ତାହା ହୋଇଲା ଚକିତ

ବୋଲେ ଧନ୍ୟ ପ୍ରିୟବତୀ ଧନ୍ୟ ତାତମାତ ।

ଧନ୍ୟ ତୋହର ଚିତ୍ତକୁ କୃଷ୍ଣପାଦେ ଦେଲୁ

ଏ ମଧୁଭୁବନେ ତୁହି ଯଶ ଅରଜିଲୁ ।

କୋଟିକୋଟି ଜନ୍ମେ ଯୋଗୀଧ୍ୟାନେନ ଦେଖିଲେ

ଯାର ପାଦଲାଗି ଶିବ ଯୋଗଧ୍ୟାନ କଲେ ।

ତୁ ସେ ପାଦପଦ୍ମକୁ ଗୋ ହୃଦେ ଅଛୁ ଧରି

ମୁଁ ତ ତୋ ଚରଣ ରେଣୁ ସଙ୍ଗେ ନୁହେଁ ସରି ।

ଏବେ ପ୍ରିୟବତୀ ତୋର ସ୍ଵାମୀ କାର୍ଯ୍ୟକର

ତୋ ପୁତ୍ରକୁ ଦେଲୁ ମୋର ନାହିଁ ଅଧିକାର ।

ନିଜ ପୁତ୍ର ମାତା ପିତା ପାରନ୍ତି ତ ବିକି

ଆମ୍ଭ ଅଧିକାର କିଛି ନାହିଁ ଗୋ ତହିଁକି ।

ତୋ ପୁତ୍ରକୁ ଦେଲୁ ତୁହି ମୋର ଅଛି କିସ

ତୋ ଦେବର ଶାଶୁ ଆଦି ଅଛନ୍ତି ତୋ ପାଶ

ସେମାନେ ନ କହି କିଛି ହୋଇଛନ୍ତି ତୁନି

ତୋ ପୁତ୍ରକୁ ଦେଲୁ ତୁହି ଦଣ୍ଡିବି କି ଘେନି ।

ପ୍ରଜା ଅଧିକାର ଥାଏ ଭୂମିପରେ ସିନା

ମାତାପିତା ଅଧିକାରେ ଥାନ୍ତି ପୁତ୍ରକନ୍ୟା ।

କା ଭୂମି ହରିଲେ କେହୁ ଦଣ୍ଡଦେଉ ତାକୁ

ପୁତ୍ର ଦୁହିତାରେ କିଛି ନାହିଁ କହିବାକୁ ।

ରାଜା ବାକ୍ୟେ ପ୍ରିୟବତୀ ବୋଇଲେ ବଚନ

ପାଟଚୁଡ଼ୀ ସିନ୍ଦୂରକୁ ତୁ ଦିଅ ହେ ରାଜନ ।

ପ୍ରିୟବତୀ ବାକ୍ୟ ଶୁଣି ଉଗ୍ରସେନ କହି

କଥାଏ କହୁଛି ଏବେ ଶୁଣ ସହୀ ତୁହି ।

ବହୁତ ରତ୍ନ ବସନ ଦେବୁ ଆମ୍ଭେ ତୋତେ

ତୋର ପୁତ୍ର ନାତି ସୁଖୀ ହୋଇେବ ସମସ୍ତେ ।

ବାରଖଣ୍ଡ ଗ୍ରାମ ତୋତେ ଦେବଇଁ ଯେ ମୁହିଁ

ସତୀ ନ ଯାଅ ମୋ ବାକ୍ୟ ଘେନାକର ତୁହି ।

ଆତ୍ମହତ୍ୟା ନ କର ତୁ ଆଗୋ ପ୍ରିୟବତୀ

ଦୁଃଖୀ ନୋହିବେ ତୋହର ସନ୍ତାନ ସନ୍ତତି ।

ଉଗ୍ରସେନ ବଚନରେ ପ୍ରିୟବତୀ କହି

କେମନ୍ତେ କହୁଛ ରାଜା ହୋଇଲୁକି ବାଇ ।

ସ୍ଵାମୀ ମୋର ନାରୀହତ୍ୟା ପାତକେ ପୀଡ଼ିତ

ତେଣୁ ନରକେ ପଡ଼ିବେ କହିଲେ ଅଚ୍ୟୁତ ।

ମୁଁ ଯେ ପୁତ୍ର ନାତି ଧରି ସୁଖେ ବିଳସିବି

ସାକ୍ଷାତେ ବ୍ରହ୍ମ ଏ କୃଷ୍ଣ ଆଉ ତ ପାଇବି ।

ଏବେ ଯେବେ ସତୀ ଯିବି ଶୁଣ ହେ ରାଜନ

ମୋ ସ୍ୱାମୀ ବସିବେ ଯାଇ ବୈକୁଣ୍ଠ ଭୁବନ ।

ନାରୀହତ୍ୟା ପାତକରୁ ହୋଇବେ ସେ ପାରି

ଆତ୍ମହତ୍ୟା ପାପ ସିନା ହୋଇବ ମୋହରି ।

ସ୍ୱାମୀ ତ ବସିବେ ଯାଇ ବଇକୁଣ୍ଠ ପୁରେ

ଯା ହେବାର ହେବ ସିନା ମୋହର ଉପରେ ।

ନାରୀ ହୋଇ ସ୍ୱାମୀକି ଯେ ନକରେ ଉଦ୍ଧାର

ତା ଜୀବନ ଅକାରଣ ଅଟେ ନରବର ।

ନାନା ଦୁଃଖ ଭୋଗୀ ଯେହୁ ସ୍ଵାମୀକି ତାରଇ

ସେ ଉତ୍ତମା ନାରୀ ବୋଲି ବେଦରେ ଭାଷଇ

ମୁଁ ପଛେ କୁମ୍ଭୀପାକରେ ପଡ଼ିବି ରାଜନ

ମୋ ସ୍ୱାମୀ ଯାଆନ୍ତୁ ଆଗ ବୈକୁଣ୍ଠ ଭୁବନ ।

ନ କର ତୁ ମୋତେ ସତ୍ୟଭଗ୍ନ ବଳାତ୍କାରେ

ସେ ପାଇଁ ଶୋଚନା ମୋର ନାହିଁଟି ମନରେ ।

ବଳାତ୍କାର କରି ଯେବେ ଛାଡ଼ି ତୁ ନ ଦେବୁ

ନିଶ୍ଚୟ ତୁ ଅଭିଶାପ ମୋଠାରୁ ଭୋଗିବୁ ।

ମରିବ ତୋହର ପୁତ୍ର କହୁଅଛି ସତ୍ୟ

ମୋ କହିବା କଥା ମିଛ ନୁହେଁ ନରନାଥ ।

ଶୁଣି ଉଗ୍ରସେନ ରାଜା କରଇ ବିଚାର

ଏଯେ ମହାସତୀ ବାକ୍ୟ ନ ରଖିବ ମୋର ।

ବିରକ୍ତ କଲେ ଏହାକୁ କିଛି ଫଳ ନାହିଁ

ଅକାରଣେ ଅଭିଶାପ ଭୋଗିବ କିମ୍ପାଇଁ ।

ଏମନ୍ତ ବିଚାରି ରାଜା ଆନନ୍ଦ ହୋଇଲା

ପାଟଶାଢୀ ସିନ୍ଦୂର ଯେ ରତ୍ନଚୂଡ଼ୀ ଦେଲା ।

ଦେଖି ପ୍ରିୟବତୀ ଅତି ଆନନ୍ଦିତା ହୋଇ

ପଟେକ ପିନ୍ଧିଣ ପଟେ ଉପରେ ପକାଇ ।

ଲଲାଟେ ସିନ୍ଦୂର ଦେଇ ରତ୍ନଚୂଡ଼ୀ ପିନ୍ଧି

ନାନା ଜାତି ପୁଷ୍ପମାଳ ଶିରେ ଚୂଳ ବାନ୍ଧି ।

ଗଳାରେ ତୁଳସୀମାଳ ନେଇ ସେ ପିନ୍ଧିଲା

କରପତ୍ର ଯୋଡ଼ି କୃଷ୍ଣ ଆଗେ ଉଭା ହେଲା ।

ବୋଇଲା ନନ୍ଦ ନନ୍ଦନ ମୋ ବିନୟ ଶୁଣ

ମାଗୁଅଛି କଥା ଏକ ଦିଅ ତୁ ବହନ ।

ସତ୍ୟକଲେ ମାଗିବି ମୁଁ ପାଦେ ପଡ଼ୁଅଛି

ତାର ବାକ୍ୟ ଶୁଣି ସତ୍ୟ କଲେ ନନ୍ଦବତ୍ସି ।

ପୁଣି ଶ୍ରୀକୃଷ୍ଣ ବୋଇଲେ ଯେ ତୋହର ଇଚ୍ଛା

ତାହା ମାଗି ଘେନ ପୂର୍ଣ୍ଣ କରିବା ତୋ ବାଞ୍ଛା ।

ପ୍ରିୟବତୀ ବୋଲେ ପ୍ରଭୁ ଦୟା ଯେବେ କଲ

ଦିଅ ତୋ ଗଳାରୁ କାଢ଼ି ତୁଳସୀର ମାଳ ।

ତୋହର ଅଧରାମୃତ ଦିଅ ଦଇତାରୀ

ମୋ ଆଗରେ ବିଜେକର ଶଙ୍କ ଚକ୍ରଧାରୀ ।

ଦ୍ୱିଭୁଜ ମୁରଲୀ ରୂପଧାରୀ ଦେଖି ତୋର

କୋଟି ଜନ୍ମର ପାତକ କ୍ଷୟ କଲି ମୋର ।

କରିବାକୁ ଚତୁର୍ଭୁଜ ମୂର୍ତ୍ତି ଦରଶନ

ମରଣ କାଳରେ ମୋର ବଳିଅଛି ମନ ।

ଦେଖିଅଛି ସେ ରୂପ ତୋ ଅଜା ଉଗ୍ରସେନ

ମୋହଠାରେ ଦୟା ଥିଲେ ଦେଖା ଭଗବାନ ।

ଯହୁଁ ଉଗ୍ରସେନ ରାଜା ଏମନ୍ତ ଶୁଣିଲା

ବିଚାରେ ଏ ଗୁପ୍ତକଥା କେମନ୍ତେ ଜାଣିଲା ।

ମୁଁ ଜାଣଇ ଜାଣେ ଉଗ୍ରସେନ ଓ ତା ଜ୍ୱାଇଁ

ଅନନ୍ତ ଜାଣନ୍ତି ଆଉ କେହି ନ ଜାଣଇ ।

ତିନିଜଣ ଭିନ୍ନ ଅନ୍ୟ ନ ଥିଲେ ତ କେହି

ଏବେ ପ୍ରିୟବତୀ ଦେଲା ସେକଥାକୁ କହି ।

ଏମନ୍ତ ବିଚାରି କୃଷ୍ଣ ଦେଖି ହେଲା ଭୋଳ

ଜାଣିଲେ ତାହାର ମନ ପ୍ରଭୁ ଆଦିମୂଳ ।

ପ୍ରିୟବତୀର ବଚନେ କାଢ଼ି ଗଳାହାର

ନିଜେ ବାନ୍ଧିଲେ ତାହାର ଶିରେ ବେଣୁଧର ।

ପୁଣି କାଢ଼ିଣ ଗଳାରୁ ତୁଳସୀର ମାଳ

ପ୍ରିୟବତୀର ଗଳାରେ ଦେଲେ ଆଦିମୂଳ ।

ଉଗ୍ରସେନକୁ ବୋଇଲେ ଶୁଣ ଅଜା ତୁହି

ନାନା ଭୋଗ୍ୟ ଉପହାର ଅଣାଅ ତୁ ଯାଇ ।

କୃଷ୍ଣ ଆଦେଶେ ଅଣାଇ ଉପହାରମାନ

ବୁଝାଇ ବ୍ରାହ୍ମଣ ହସ୍ତେ ଆଣେ ଉଗ୍ରସେନ ।

ଦେଖି ଗୋପାଳଙ୍କୁ ଆଜ୍ଞାଦେଲେ ଦାମୋଦର

ବେଗେ ବ୍ରାହ୍ମଣଙ୍କଠାରୁ ଆଣ ଉପହାର ।

କଷ୍ଟ ଆଦେଶେ ଗୋପାଳେ ଆଣିଲେତ ବେଗେ

ଆନନ୍ଦେ ଥୋଇଲେ ନେଇ ରାମକୃଷ୍ଣ ଆଗେ

ପୁଣି କୃଷ୍ଣ ବୋଇଲେରେ ଚଉପାଶେ ବସ

ଭୁଞ୍ଜିଣ ଏମାନେ ସବୁ ହୁଅରେ ସନ୍ତୋଷ ।

ନିଜେ ରାମକୃଷ୍ଣ ବେନି ମଧ୍ୟରେ ବସିଲେ

ଭୁଞ୍ଜିଲେ ଗୋପାଳମେଳେ ମନ ଆନନ୍ଦରେ ।

ପ୍ରିୟବତୀକି ଶ୍ରୀକୃଷ୍ଣ ସ୍ନେହେ ଅନାଇଲେ

ଭାବେ ପ୍ରିୟବତୀ କୃଷ୍ଣ ନାମ ଉଚ୍ଚାରିଲେ ।

ଅତି ଭାବେ ଭୋଳହୋଇ ହାହାକାର କଲା

ରାମକୃଷ୍ଣ ମଧ୍ୟରେ ସେ ଯାଇଣ ବସିଲା ।

ଶ୍ରୀକୃଷ୍ଣ ମୁଖରୁ ନାନା ଉପହାରମାନ

ଏବେ ପ୍ରିୟବତୀ ଆଣି କରଇ ଭୋଜନ ।

ପ୍ରିୟବତୀ ସଙ୍ଗେ ଭାବେ ଭୁଞ୍ଜନ୍ତି ଶ୍ରୀହରି

ଭୁଞ୍ଜୁଛନ୍ତି ହଳଧର ବୋଲି ହରି ହରି ।

ଦେଖି ଉଗ୍ରସେନ ରାଜା କାନ୍ଦେ ଭାବ ଭୋଳେ

କୃଷ୍ଣ ସୁମରି ବସିଲା ଗୋପାଳଙ୍କ ମେଳେ ।

କୃଷ୍ଣ ସଙ୍ଗେ ଆନନ୍ଦେ ସେ କରଇ ଭୋଜନ

ପାଦଧୂଳି ପ୍ରିୟବତୀ ହୁଅଇ ଭୂଷଣ ।

ପୁଣି କୃଷ୍ଣ ପାଦତଳେ ପଡ଼ି ଗଡ଼େ ଖାଲି

ଆନନ୍ଦେ ଉଠିଲା ସେହୁ ହରି ହରି ବୋଲି ।

ସକଳେ ଗଲେ ଆନନ୍ଦେ ଯମୁନାର କୂଳ

ବଜାଇ ଶଙ୍ଖ ମହୁରୀ ଶୁଭେ କୋଳାହଳ ।

ନାନାଜାତି ବାଦ୍ୟମାନ ଗମ୍ଭୀରେ ବାଜଇ

ଧୀରେ ଧୀରେ ପ୍ରିୟବତୀ ଗହଣେ ଚଳଇ ।

ହରିବୋଲ ଧ୍ୱନିରେ ଯେ ପୁରଇ ଆକାଶ

ସତୀ ଶିରେ ରତ୍ନ ବୃଷ୍ଟି କରଇ ନରେଶ ।

ବିଜେ ଶଙ୍ଖ ଚକ୍ର ଗଦା ପଦ୍ମଧରି ହରି

ଚଳେ ପ୍ରିୟବତୀ ତାଙ୍କୁ ଦରଶନ କରି ।

ତହିଁପଛେ ଉଗ୍ରସେନ ଭାବେ ହୋଇ ଭୋଳ

ଚାଲନ୍ତେ ମଥୁରାଦାଣ୍ଡେ ଶୁଭଇ ଚହଳ ।

ଆସ ଆସ ଚାଲ ଚାଲ ଚାଲ ବୋଲି ଉଠେ ଧ୍ୱନି

ସେହି ଘୋର କୋଳାହଳେ କମ୍ପଇ ମେଦିନୀ

ପ୍ରିୟବତୀ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ

ନାରାୟଣ ରୂପ ଏକା ଦେଖିଲା ସୁନ୍ଦରୀ ।

ଉଗ୍ରସେନ ଦେଖେ ଏକା ଆଉ ଯେତେଜନେ

ଦ୍ଵିଭୁଜ ମୁରଲୀଧାରୀ ଦେଖନ୍ତି ନୟନେ ।

ନାରାୟଣ ରୂପ ଗୋଟି କେହି ନ ଦେଖନ୍ତି

ସମସ୍ତେ ସେ ନନ୍ଦସୁତ ବୋଲି ଦେଖୁଛନ୍ତି ।

ପ୍ରିୟବତୀ ପୁଅ କୃଷ୍ଣ କାଖେ ଛନ୍ତି ଧରି

ଘର ବର ତେଜି ଦେଖୁଛନ୍ତି ମଧୁନାରୀ ।

ସତୀ ପ୍ରିୟବତୀକି ଯେ ଦେଖନ୍ତି ନୟନେ

ଧନ୍ୟ ଧନ୍ୟ ବୋଲି ସର୍ବେ ବୋଲନ୍ତି ବଚନେ

ହରିଧ୍ୱନି କଂସ ଯହୁଁ କର୍ଣ୍ଣରେ ଶୁଣିଲା

କାହିଁର ଶବଦ ବୋଲି ଚମକି ଉଠିଲା ।

ଦାସୀମାନଙ୍କୁ ସେ ଚାହିଁ ବୋଲଇ ବଚନ

ଗୋଳମାଳ ଶୁଭଇ କି ଦେଖିଲେ ସ୍ୱପନ ।

ଦାସୀମାନେ ବୋଲୁଛନ୍ତି ଶୁଣିମା ଭୋ ରାୟେ

ସତୀ ଯାଏ ପ୍ରିୟବତୀ ନାହିଁ କିଛି ଭୟେ ।

ତାତ ଉଗ୍ରସେନ ତହିଁ ବିଜେ କରିଛନ୍ତି

ଶୁଣି ପଲ୍ୟଙ୍କୁ ଉଠିଲା କଂସ ନରପତି ।

ପ୍ରାଚୀର ଉପରେ କଂସ ଚାହିଁଲା ନିରେଖି

ଧାଇଁଛନ୍ତି ମଧୁପୁର ନର ନାରୀ ଦେଖି ।

ସତୀ ପ୍ରିୟବତୀକି ସେ ନୟନେ ଦେଖିଲା

ଅଗ୍ନିସମ କାନ୍ତି ଦେଖି ନୟନ ବୁଜିଲା ।

ପୁଣି ଚକ୍ଷୁ ଫିଟାଇ ସେ ଦେଖିଲା ଅସୁର

ଗୋପାଳ ବାଳକ ମେଳେ କୃଷ୍ଣ ହଳଧର ।

ଉଗ୍ରସେନ ସହ ମଧୁପୁର କନଗଣ

ଅପଲକେ ଚାହିଁଛନ୍ତି ସତୀର ବଦନ ।

ଅନ୍ତର୍ଯ୍ୟାମୀ କୃଷ୍ଣ କଂସ ଦେଖିବା ଜାଣିଲେ

ତେରଛି ନୟନେ ଚାହିଁ ଅଳପ ହସିଲେ ।

ଦେଖିଲେ ଅସୁର ରହିଅଛି ଭୟ ଚିତ୍ତେ

ଜଳକା ପରାୟେ ଚାହିଁଅଛି ବେନିନେତ୍ରେ ।

ମନରେ ବିଚାରି ଦେବ ମାୟା ଆରମ୍ଭିଲେ

ଯେତେ ଥିଲେ ସର୍ବେ ପ୍ରାୟ କୃଷ ଦେଖାଗଲେ

ଭୟରେ ଲେଉଟି କଂସ ପଲ୍ୟଙ୍କେ ବସିଲା

କେମନ୍ତେ ମାରିବି କୃଷ୍ଣ ବୋଲି ସେ ଭାବିଲା ।

ମହାଦୁଃଖେ ମୁଖମାଡ଼ି କଲା ସେ ଶୟନ

ନିଦ୍ରା ନ ମାଡ଼ଇ ନେତ୍ରେ ମନ ଛନ ଛନ ।

ଏଥୁଅନ୍ତେ ପ୍ରିୟବତୀ ଯମୁନାର କୂଳେ

ଦେଖିଲା ମଧୁସୂଦନ ଜଳଇ ଅନଳେ ।

ଅନଳର ତେଜ ଦିଶେ ଅତି ବଳିୟାର

ପଶି ନ ପାରନ୍ତି ତାର ପାଶେ ନାରୀନର ।

ଦରଶନେ ପ୍ରିୟବତୀ ଜ୍ଞାନ ହରାଇଲା

କୃଷ୍ଣ ମୁଖ ଦେଖି ପୁଣି ସଚେତ ହୋଇଲା ।

ପୁଣି ସ୍ୱାମୀର ବଦନ ଦେଖିଲା ନୟନେ

ଦେହରୁ ଉଡ଼ିଲା ଜ୍ଞାନ ପଡ଼ିଲା ଅଜ୍ଞାନେ ।

ଶଙ୍ଖଧ୍ୱନି କୃଷ୍ଣ ଯହୁଁ କଲେ ଘନ ଘନ

ପ୍ରିୟବତୀ କର୍ଣ୍ଣେ ଶୁଣି ପାଇଲା ଚେତନ ।

ଯମୁନାର ଜଳ ଯହିଁ ହୋଇଛି ସ୍ଥକିତ

ସେହିଠାରେ ପ୍ରିୟବତୀ ହେଲା ଉପଗତ ।

ରାଜାକୁ ବୋଇଲେ ନାବ ଆଣ ବେଗକରି

ଯମୁନାରେ ଆଜ କରିଥିବି ନାବକେଳି ।

ନାଉରୀକି ଉଗ୍ରସେନ ଉଚ୍ଚରେ ଡାକିଲା

ରାଜା ଆଜ୍ଞାରେ ନାଉରୀ ନାବକୁ ଆଣିଲା ।

ପ୍ରିୟବତୀ ବୋଇଲା ହେ ଶୁଣ ଭାବଗ୍ରାହୀ

ଆଗକରି ନାବପରେ ବିଜେକର ତୁହି ।

ଉଗ୍ରସେନ ରାଜା ନାବପରେ ବିଜେକରୁ

ତୋ ସଙ୍ଗରେ ନାବଖେଳି ତରିବ ମାୟାରୁ ।

ପ୍ରିୟବତୀ ବଚନରେ ନାବେ ବିଜେ ହରି

ତାହାର ପୁତ୍ରକୁ ହରି କାଖେ ଛନ୍ତି ଧରି ।

ଉଗ୍ରସେନ ରାଜାଯାଇ ନାବରେ ବସିଲା

ଭାଇ ଦେବରଙ୍କୁ ଧରି ସତୀହିଁ ଚଢ଼ିଲା ।

ଯମୁନା ଜଳରେ ନାବ ଖେଳେ ଆନନ୍ଦରେ

ହରି ହରି ବୋଲି ଧ୍ୱନିକରେ ନିରନ୍ତରେ ।

ନାବ ଖେଳିସାରି ସେହୁ କୂଳରେ ମିଳିଲା

ବ୍ରାହ୍ମଣମାନଙ୍କୁ ବହୁ ସ୍ୱର୍ଣ୍ଣ ଦାନ କଲା ।

ଅନ୍ନ ବସ୍ତ୍ରଦାନ ମଧ୍ୟ କଲା ସେ ବହୁତ

ଆତ୍ମଘାତୀ ପାତକରୁ ହେବାକୁ ମୁକତ ।

ଏହିପରି ନାନା ଦାନ କଲା ପ୍ରିୟବତୀ

ଏମନ୍ତ ସମୟେ କୃଷ୍ଣ ବୋଲନ୍ତି ଗୋ ସତୀ ।

କଥାଏ କହୁଛି ମୁହିଁ ମନଦେଇ ଶୁଣ

ସ୍ଵଭାବେ ବାଳକ ମୁହଁ ବୟସରେ ସାନ ।

ଅଛନ୍ତି ନନ୍ଦ ଯଶୋଦା ଦେବକୀ ଅଛନ୍ତି

ବାସୁଦେବ ହିଁ ଅଛନ୍ତି ଶୁଣିଅଛୁ ସତୀ ।

ବିବାହ ମୁଁ କରିନାହିଁ ପତ୍ନୀ ମୋର ନାହିଁ

ଜଗତେ ବୋଲିବେ ପୁତ୍ର ପାଇଲାଏ କାହିଁ ।

ପତ୍ନୀ ନଥିଲେଟି ପୁତ୍ର ନ ରଖିବ କେବେ

ବଳେ ଯେହୁରଖେପିତାଯୋଗ୍ୟ ନୁହେଁ ତେବେ ।

ସ୍ୱାମୀ ନଥିଲେ ନାରୀଟି ପୁତ୍ର ନ ପାଳଇ

ବଳେସେ ପାଳଇ ଯେବେ କାହିଁଯୋଗ୍ୟନୋହିଁ ।

ସ୍ୱାମୀ ଯେବେ ପତ୍ନୀକି ଗେ। ଆଜ୍ଞା ଦେଇଥିବ

ତେବେ ତା ଆଜ୍ଞାରେ ନାରୀ ନନ୍ଦନ ପାଳିବ ।

ନୁହଇଁ ଉଚିତ ତୋର ପୁତ୍ର ନିଅ ତୁହି

ବିବାହ ନକରି ପୁତ୍ର ପାଳିବି ମୁଁ କାହିଁ ।

ପ୍ରିୟବତୀକି ଏମନ୍ତ ବାକ୍ୟ କୃଷ୍ଣ କହି

ତାହାର ନନ୍ଦନ ତାର କୋଳେ ଦେଲେନେଇ

ଦେଖି ପ୍ରିୟବତୀ ମନେ କ୍ରୋଧ ଜାତକଲା

କେଡ଼େ ମାୟାଧର କୃଷ୍ଣ ଅଟ ତୁ ବୋଇଲା ।

ପୁତ୍ରକୁ ଧରିଣ ମୁଖେ ଦେଲା ସେ ଚୁମ୍ବନ

ବୋଇଲା ହେ ଶୁଣ ତୁମ୍ଭେ ମଥୁରା ରାଜନ ।

ତୁମ୍ଭେ ମଧ୍ୟ ନରନାରୀମାନେ ସର୍ବେ ଶୁଣ

କୃଷ୍ଣପାଦେ ଯେବେ ମୋର ଥାଏ ପଞ୍ଚମନ ।

କୃଷ୍ଣପଦ ବିନୁ ଯେବେ ଆନ ନ ଜାଣଇ

ଯେବେ ଶ୍ରୀକୃଷ୍ଣ ନାମକୁ ହୃଦେଥିବି ଧ୍ୟାୟି ।

ଯେବେ ସତ ମନେ ମୁହିଁ ପୁତ୍ରଥିବି ଦେଇ

ଯେବେ ଏ ସଂସାରେ ସତ୍ୟଧର୍ମ ଥାଏ ରହି ।

ଯେବେ ମୁଁ ଅଟଇ ସତ୍ୟ ସତ୍ୟ ମୋ ବଚନ

ନ ରହିବି ଏ ପୁତ୍ରକୁ ଧରି କଦାଚନ ।

କହୁଅଛି ସର୍ବଜନେ ଶୁଣ ମୋ ବଚନ

କୃଷ୍ଣ ଦେଖୁ ଦେଖୁ ଭସ୍ମହେଉଏ ନନ୍ଦନ ।

ଯେବେ ବ୍ରହ୍ମା ବିଷ୍ଣୁ ରୁଦ୍ର ବାସବ ଆସିବେ

ଏ ପୁତ୍ରକୁ ଜୀବଦାନ ଦେଇ ନ ପାରିବେ ।

ମୁହିଁ ପ୍ରିୟବତୀ ଯେବେ ଅଟେ ମହାସତୀ

ଏ ପୁତ୍ର ପାଉଁଶ ହେଉ ରହୁ ମୋ କୀରତି ।

ଯହୁଁ ପ୍ରିୟବତୀ କ୍ରୋଧେ ଏମନ୍ତ ବୋଇଲା

ତାର କୋଳେ ପୁତ୍ରତାର ପାଉଁଶ ହୋଇଲା ।

ଦେଖି ମଧୁପୁର ଜନେ ହାହାକାର କଲେ

ଧନ୍ୟ ପ୍ରିୟବତୀ ମହାସତୀ ଗୋବୋଇଲେ ।

ପ୍ରିୟବତୀ କୋଳକୁ ଶ୍ରୀକୃଷ୍ଣ ଦେଲେ ଚାହିଁ

ନନ୍ଦନ ନାହିଁ ପାଉଁଶ କୋଳେ ଅଛି ରହି ।

ପୁତ୍ରର ଭସ୍ମକୁ ସତୀ ଅଙ୍ଗେ ହୁଏ ବୋଳି

ରୋଦନ କରଇ ପୁଣି ହା ହା କୃଷ୍ଣ ବୋଲି ।

ସତୀର କୋଳରୁ ଭସ୍ମ ନିଜ କରେ ଧରି

କାହିଁ ଗଲୁ ପୁତ୍ର ବୋଲି କାନ୍ଦନ୍ତି ଶ୍ରୀହରି ।

ଗୁଣ ସୁମରି ମହୀରେ ପୁଣି ସେ ଲୋଟନ୍ତି

ଧନ୍ୟ ଧନ୍ୟ ପ୍ରିୟବତୀ ବୋଲିଣ ବୋଲନ୍ତି ।

କୃଷ୍ଣର ରୋଦନ ଶୁଣି ସ୍ତବ୍‌ଧ ହଳପାଣି

କ୍ଷଣେ ସେ ମଉନ ହୋଇ ମନେ ମନେ ଗୁଣି ।

ବୋଇଲେ ପୁତ୍ରକୁ ସିନା ଦେବେ ଭସ୍ମକଲେ

ସ୍ଵର୍ଗପୁର ପାଇବି କି ଆଜ ରସାତଳେ ।

ସତୀର ପୁତ୍ରକୁ କୃଷ୍ଣ ସୀତାକୋଳେ ଦେଲା

ମଲାବେଳେ ନନ୍ଦନକୁ କୋଳେ ନ ଧଇଲା ।

ଦେଖୁ ଦେଖୁ କୋଳେପୁତ୍ର ହୋଇଲା ପାଉଁଶ

ଏବେ ତାର ଗୁଣ ଗୁଣି କାନ୍ଦେ ପୀତବାସ ।

ଆଜି ମୁଁ ସମୁଦ୍ରେ ମଧୁପୁର ପ୍ରକାଇବି

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ ଏକ ମୁଁ କରିବି ।

ଲଙ୍ଗଳ ଧଇଲେ ଏତେବୋଲି ହଳଧର

ବୁଲାଇଲେ ରେରେକାର କରି ସେ ମୂଷଳ ।

ଆଜ ଦେବ ତୁମ୍ଭେ ସ୍ୱର୍ଗ ପାରିବ କି ରହି

ବାଳୁତ ଭାଇକି ମୋର କଷ୍ଟ ଅଛ ଦେଇ

ଅତି ଶରଧାରେ ସେହୁ ପୁତ୍ର ଥିଲା ରଖି

ସେ ପୁତ୍ର ନାଶିଲ ତୁମ୍ଭେ ତହିଁ କୃଷ୍ଣ ଦେଖି ।

କାନ୍ଦୁଅଛି କୃଷ୍ଣ କେତେ ବିକଳ ଯେ ହୋଇ

ବାଳକାଳୁ ମୁଁ ତାହାର ଶୋକ ଦେଖିନାହିଁ ।

ବଳରାମ କ୍ରୋଧେ ଦେବେ ହେଲେ ଥରହର

ଆସିଲ ତାହାଙ୍କୁ ଧରି ବ୍ରହ୍ମା ମଧୁପୁର ।

ସ୍ତବ ପଢ଼ି କୃଷ୍ଣ ମୁଖ ଚାହିଁ କୁଶଧର

ବୋଇଲେ ଭୋଦେବ ଶେଷହେଲା ସ୍ଵର୍ଗପୁର ।

ବଳରାମ କ୍ରୋଧେ ଆଉ ରହିବେ କି ଦେବେ

ସରିଲା ତୋ ଖେଳଘର ନ ରଖିବୁ ଯେବେ ।

ପ୍ରିୟବତୀକୁ ତୁ ସତୀ କଲୁ ଦଇତାରୀ

ନ ପାରୁ ସତୀ ବଚନ ଆମ୍ଭେ ଆନ କରି ।

ଏବେ ବଳରାମ କ୍ରୋଧେ ଗଲୁ ଦେବଗଣ

ନ କାନ୍ଦ ତୁ ଭାବଗ୍ରାହୀ ବୋଧକର ରାମ ।

ଦେବଙ୍କ ବଚନେ କୃଷ୍ଣ କ୍ରୋଧ ସମ୍ଭାଳିଲେ

ରାମଙ୍କ ପାଶକୁ ଯାଇ ପ୍ରବୋଧି କହିଲେ ।

ଶ୍ରୀକୃଷ୍ଣ ମାୟାରେ ରାମ ହୋଇଲେ ମୋହିତ

ଯାହାର ମାୟାରେ ହୁଏ ବ୍ରହ୍ମାଣ୍ଡ ଚାଳିତ ।

ସେ ମାୟା ରାମଙ୍କ ଅଙ୍ଗେ ପ୍ରବେଶିଲେ ବଳେ

ଶ୍ରୀକୃଷ୍ଣଙ୍କ ଚାଟୁବାକ୍ୟେବୋଧ ସେ ହୋଇଲେ

ଶୁନ୍ୟରେ ଥାଇଣ ଦେବ ଆନନ୍ଦ ହୁଅନ୍ତି

ପ୍ରିୟବତୀର ସତୀତ୍ୱ ଦେଖିବା ବୋଲନ୍ତି ।

ମଧୁ ନରନାରୀ କୃଷ୍ଣ ମାୟାରେ ମୋହିତ

ସତୀ ଦେଖିବାରେ ଅଛି ସମସ୍ତଙ୍କ ଚିତ୍ତ ।

କୃଷ୍ଣପାଦେ ପ୍ରିୟବତୀ ନମସ୍କାର କଲା

ନିସ୍ତରିଲି ପ୍ରଭୁ ବୋଲି ବିନୟେ ବୋଇଲା ।

ପ୍ରଦକ୍ଷିଣ କରିଣ ସେ ଗଲା ସ୍ୱାମୀ କତି

ଅନୁକ୍ଷଣେ କୃଷନାମ ବୋଲେ କୁନ୍ଦବନ୍ତୀ ।

ଚିତାନଳ ଉପରକୁ ଚଢ଼େ ଧୀରେ ଧୀରେ

ଶ୍ରୀକୃଷ୍ଣ ମୁଖ ଚାହିଁଣ ବୋଲଇ ମଧୁରେ ।

କରପତ୍ର ଯୋଡ଼ି ବୋଲେ ଶୁଣ ଚକ୍ରପାଣି

କହିଲ କି ନାରୀହତ୍ୟା କଲା ତୋର ସ୍ଵାମୀ ।

ନାରୀହତ୍ୟା ମହାପାପ ଯେଉଁ ଜନ କରେ

ଇହପରେ ସୁଖନାହିଁ ପଡ଼େ ତମଘୋରେ ।

ଏବେ ସ୍ୱାମୀକି ମୋହର କର ହେ ଉଦ୍ଧାର

ତୁ ସିନା ପାପନାଶନ ଅଟୁ ଦାମୋଦର ।

ନାରୀ ଜାତି ହୋଇ ପାପ କଲି ମୁଁ ବହୁତ

ମୋର ପାପ ଦହନ ତୁ କର ଗୋପୀନାଥ ।

ପୁଣି ସେ ବିନୟ ଭାବେ ବୋଲେ କୃଷ୍ଣ ଶୁଣ

ମୋର ଦୋଷ କ୍ଷମାକର ଦେବକୀ ନନ୍ଦନ ।

ବାଳକ ହତ୍ୟାକଲି ସେ ଦୋଷ ନ ଲାଗିଲା

ତୋ ଆଜ୍ଞାରେ ପୁତ୍ର ମୋର ଜୀବନ ପାଇଲା ।

ମୋତେ ଜୀବଦାନ ତୁହିଁ ଦେଲୁ ଦଇତାରୀ

ତୋତେ ପୁତ୍ରକୁ ମୋହର ଦେଲି ସତ୍ୟକରି ।

ମୋର ଭାଇ ବନ୍ଧୁ ସର୍ବେ ନକହିଲେ କିଛି

ଦେଖୁଥିଲେ ତୋ ପାଶରେ ରହି ନନ୍ଦବତ୍ସି ।

ତୁ ଯେ ମୋତେ ମହାସତୀ କଲୁ ନାରାୟଣ

ପୁଣି ତୋର ବଚନକୁ କଲୁ ତୁହି ଆନ ।

ବୋଇଲୁ ବିବାହ କରି ନାହିଁ ମୁଁ ବାଳୁତ

କିପରି ପାଳିବି ଆଉ ନେବ ତୋର ସୁତ ।

ଏମନ୍ତ ବୋଲିଣ ପୁତ୍ର ଦେଲୁ ମୋର କୋଳେ

ମୋର କୋଳୁ ପୁତ୍ର ଏବେ ଗଲା ଯମଆଳେ ।

ମୋ ବଚନେ ସେ କୁମର ହୋଇଲା ପାଉଁଶ

ମୋର ଅଭିଶାପ ଏବେ ଘେନ ପୀତବାସ ।

ଅନେକ ନାରୀ ତୋହର ହେବେ ଭାବଗ୍ରାହୀ

ଷୋଳ ସହସ୍ର ଉପରେ ଅଷ୍ଟ ପାଟଦେଈ ।

ବହୁତ ସନ୍ତାନ ଜାତ ହୋଇବେ ତୋହର

ଏ ପୁତ୍ର ତହିଁରେ ଜ୍ୟେଷ୍ଠ ହେବ ଦାମୋଦର ।

ମୁଁ ଯେଦେଖୁ ଦେଖୁ ମୋର ପୁତ୍ର କୋଳେମଲା

ତୋତେ ଦେଖୁଥିଲା ଯେଣୁ ପାଦ ନ ଲାଗିଲା ।

ସେହିପରି ତୋର ବହୁ ପୁତ୍ର ଜାତ ହେବେ

ଦେଖୁଥିବୁ ତୋର ଆଗେ ସମସ୍ତେ ମରିବେ ।

ମୋ ପୁତ୍ରତୋକୋଳେଜନ୍ମ ଜ୍ୟେଷ୍ଠପୁତ୍ର ହେବ

ବଳରେ ତାହାକୁ ସମ ନୋହିବେ ବାସବ ।

କ୍ଷଣକରେ ତିନିପୁର ପାରିବ ସେ ଜିଣି

ତ୍ରିଭୁବନରେ ଅଜୟ ହେବ ବୀରମଣି ।

ନ ଛିଡ଼ିବ ନ ପୋଡ଼ିବ ଖଡ଼ଗେ ଅନଳେ

ଶସ୍ତ୍ର ନ ଭେଦିବ ଅଙ୍ଗେ ନ ବୁଡ଼ିବ ଜଳେ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଏ କାହିଁ ନ ଡରିବ

ଏମନ୍ତ ଏ ପୁତ୍ର ତୋର ବୀର୍ଯ୍ୟେ ଜାତ ହେବ ।

ଏ ପୁତ୍ରକୁ ଦେଖି ତୁହି ଆନନ୍ଦ ହୋଇବୁ

ଏ ପୁତ୍ରର ପୁତ୍ର ହେବ ନୟନେ ଦେଖିବୁ ।

ମୋର ପୁତ୍ରକୁ କୋଳରେ କଲୁ ମୋର ହତ

ତୋର ବଂଶ ତୋ ଆଗରେ ହୋଇବେ ନିପାତ

ଏ ପୁତ୍ରକୁ ପ୍ରଭୁ ତୁହି ସ୍ଵହସ୍ତେ ମାରିବୁ

ଚକ୍ର ପେଶି ଏହାର ଯେ ମସ୍ତକ କାଟିବୁ ।

ତୋହର ବଂଶକୁ ତୋର ହସ୍ତେ ବିନାଶିବୁ

ଯେବେ ମୁହିଁ ମହାସତୀ ମୋ ଭାଗ୍ୟ ଭୋଗିବୁ

ତୋର ଆଗେ ସ୍ୱାମୀ ପୁତ୍ର ଧରି ହେଲି ହତ

ତୋର ବଂଶ ନାଶ ତୁହି ଦେଖ ଗୋପୀନାଥ ।

ଏତେ ବୋଲି ପ୍ରିୟବତୀ କୃଷ୍ଣପାଦ ଧ୍ୟାୟି

ସ୍ୱାମୀ ଚିତାନଳ ଦେଖି ମୋହଗଲା ସେହି ।

ପୁଣି ସଚେତ ହୋଇଣ କୃଷ୍ଣଙ୍କୁ ଚିନ୍ତିଲା

ନିସ୍ତରିଲି ନିସ୍ତରିଲି ବୋଲି ସେ ବୋଇଲା ।

ଗଉରୀ ଭାଣ୍ଡ ଅନଳେ ପକାଇଲା ନେଇ

ବେନିକର ଯୋଡ଼ି ସତୀ ଧର୍ମକୁ ଜଣାଇ ।

ବୋଇଲା ଭୋ ଧର୍ମଦେବ ତୁହି ନିରାକାର

ମୁଁ ନିରେଖ ପ୍ରାଣୀ ମୋତେ ପ୍ରତିକାର କର ।

ଏହି ସମୟରେ ଉଗ୍ରସେନ ରାଜା କହି

ବୋଲଇ ଗୋ ସତ୍ୟବାଦୀ ମହାସତୀ ତୁହି ।

ପଚାରନ୍ତି ରାଜ୍ୟ ଭଲମନ୍ଦ ପ୍ରଜାଜନେ

କଂସର ମଙ୍ଗଳ କଥା କହ ସୁବଦନେ ।

ଶୁଣିକରି ପ୍ରିୟବତୀ ବୋଲଇ ବଚନ

ଶୁଣ ରାଜ୍ୟ ଭଲମନ୍ଦ କଥା ଉଗ୍ରସେନ ।

ଶୁଣ ରାଜନ ତୋ ଆଗେ କହୁଅଛି ମୁହିଁ

ରାଜ୍ୟ ଭଲମନ୍ଦ ମୋତେ ପଚାରିଲୁ ତୁହି ।

ଯେତେବେଳୁ ଆସିଲେଣି ଦେବକୀ କୁମର

ପଡ଼ିଲାଣି ଶୁଭଦୃଷ୍ଟି ଲକ୍ଷ୍ମୀ ଦେବୀଙ୍କର ।

ମଧୁପୁର ଦୁଃଖୀ ହୋଇ କେହି ନ ରହିବେ

ଗ୍ରହମାନେ କାହାକୁ ଯେ ପୀଡ଼ାଟି ନ ଦେବେ

ରୋଗୀ ହୋଇ ଜଣେକେହି ନଥିବେ ଏଠାରେ

ଯେଣୁ ଚକ୍ରଧର ବିଜେ କଲେଣି ଏ ପୁରେ ।

ଚାରିମେଘ ମଧୁପୁର ପାଳିବେ ଆନନ୍ଦେ

ଗୋବିନ୍ଦ କୃପାରେ ସର୍ବେ ବିହରିବେ ମୋଦେ ।

ଗୋପପୁର ସୁଖଶିରୀ ଆଜହୁଁ ସରିଲା

ତୁହୋ ଉଗ୍ରସେନ ରାଜା ବିଚାରିଲୁ ଭଲା ।

ପୁଣି ବୋଇଲା ସେ କାଲି କଂସ ଯିବ ନାଶ

କାଲି ତୁହି ମଧୁପୁରେ ହୋଇବୁ ନରେଶ ।

ହଂସକ ଡିମ୍ବକ ପୁଣି ପ୍ରାଣେ ହେବେ ହତ

ବୁଡ଼ିବ କଂସର କୁଳ ଶୁଣ ନରନାଥ ।

ଜରାସନ୍ଧ ଧାଡ଼ି ଦେବ ଏ ପୁର ତେଜିବେ

ଦ୍ଵାରକାରେ ରହି କୃଷ୍ଣ ଅସୁରେ ନାଶିବେ ।

ଏହା କହି କୃଷ୍ଣମୁଖ ଚାହିଁ ସତୀବାଳା

ହରିହରି ବୋଲି ସୁଖେ ଅଗ୍ନିରେ ପଶିଲା ।

ଯହୁଁ ପ୍ରିୟବତୀ ଦେଲା ଅନଳରେ ଝାସ

ଶୂନ୍ୟେ ରହି ଦେବଗଣ ବରଷିଲେ ପୁଷ୍ପ ।

ପୁଷ୍ପଯାନେ ପ୍ରିୟବତୀ ସ୍ୱାମୀ ସୁତ ଧରି

ଜୟ ଜୟନାଦେ ଗଲା ବଇକୁଣ୍ଠ ପୁରୀ ।

ଯାଇ ବିଷ୍ଣୁ ପାଦପଦ୍ମେ ଦରଶନ କଲା

ନାରୀହତ୍ୟା ପାତକରୁ ମଧୁପୁର ହେଲା ।

ସ୍ଵାମୀ କାର୍ଯ୍ୟକରି ହେଲା ପ୍ରିୟବତୀ ତୋଷ

କହଇ ଅଚ୍ୟୁତାନନ୍ଦ ଏ ପବିତ୍ର ରସ ।

 

Unknown

ଶ୍ରୀକୃଷ୍ଣଙ୍କ ଧନୁଭଙ୍ଗ ଓ
ରଙ୍ଗସଭାରେ ପ୍ରବେଶ

ଶୁଣ ପରୀକ୍ଷିତ ନୃପ ଏଥୁ ଅନନ୍ତରେ

ଶ୍ରୀହରି ଚରିତ ପାପ ନ ରହେ ଅଙ୍ଗରେ ।

ପ୍ରିୟବତୀ ସତୀ ଗଲା ସ୍ୱାମୀ ପୁତ୍ର ସଙ୍ଗେ

କୃଷ୍ଣ ମାୟାରେ ସକଳେ ଦେଖୁଥିଲେ ରଙ୍ଗେ ।

ଉଗ୍ରସେନ ତୁଲେ ରାମ କୃଷ୍ଣ ଛନ୍ତି ରହି

ମଧୁପୁର ନରନାରୀ ଛନ୍ତି ରୁଣ୍ଡ ହୋଇ ।

ଚଉପାଶେ ବେଢ଼ି ଦେଖୁଛନ୍ତି ରାମହରି

ଉଗ୍ରସେନ ସହ ଭାଇବନ୍ଧୁଙ୍କୁ ହକାରି ।

ବୋଇଲେ ପ୍ରିୟବତୀର କାର୍ଯ୍ୟକର ଏବେ

କହିବି ସକଳ କଥା ମୁଁ ଯେ କଂସ ଆଗେ ।

ଏ ସମୟେ ରଜକର ନାରୀ ଆସି ତହିଁ

କାନ୍ଦି କାନ୍ଦି ଉଗ୍ରସେନ ଆଗରେ କହଇ ।

ବୋଇଲା ଭୋ ପ୍ରଭୁ ଦେଖ କି ଅନ୍ୟାୟ ହେଲା

ମୋ ସ୍ୱାମୀ ରାଜାର ଲାଗି ବାସ ଆଣୁଥିଲା ।

ଏ କୃଷ୍ଣ ତାହାକୁ ମାରି ବାସକଲା ଜୁର

ସ୍ଵାମୀ ମଲା କେମନ୍ତେ ମୁଁ ପାଳିବି ଉଦର ।

କୁଟୁମ୍ବ ମାରିବେ ମୋର ହୋଇଣ ନିରେଖ

ରାଜା ଥାଉଁ ଛାରଖାର କରେ ଏ କଟକ ।

କହିଲେ ବୋଇଲେ ମୁହିଁ ଭଣଜା ରାଜାର

ଡକାଇ ଆଣିଛି ମୋତେ ମାମୁଁ କଂସାସୁର ।

କୁବୁଜାଠାରୁ ଚନ୍ଦନ କଲେ ପୁଣି ଲୁଟି

ସୁଦାମାଠାରୁ କୁସୁମ ଛଡ଼ାଇ ନେଲେଟି ।

ଯା ଶୁଣା ନଥିଲା ତାହା ଗଉଡ଼େ କରନ୍ତି

ଅଦଭୁତ କଥାଏ କରୁଅଛି ଏଥିଟି ।

ବୋଲଇ ମୁଁ ଦେବକୀର ନନ୍ଦନ ଅଟଇ

କେଉଁଦିନ ଜନ୍ମକଲା ନ ଜାଣିଲୁ କେହି ।

ଆମ୍ଭେ ମଧୁନାରୀମାନେ ଜାଣିଲୁ ସକଳ

ଗୋପୁ ଆସି ଏଥି ଷଣ୍ଢ ହୋଇବ ଗୋପାଳ ।

ରଜକୀ ବଚନ ଶୁଣି ବୋଲେ ଉଗ୍ରସେନ

ଯାଆଲୋ ରଜକୀ କର ସ୍ୱାମୀକି ଦହନ ।

କହନ୍ତି ରାଜାର ମୁଖ ଚାହିଁ ହଳଧର

ଯାଅ ଯାଅ ଅଜା ଏବେ ତୁମ୍ଭ ନିଜପୁର ।

କଂସ ମାମୁଁଙ୍କୁ ଆମ୍ଭର ଜଣାଣ କରିବ

ଦେଖିଲ ଶୁଣିଲ ଯାହ। ବୁଝାଇ କହିବ ।

କାଲି ପ୍ରଭାତରେ ଆମ୍ଭେ କରିବୁ ଦର୍ଶନ

ଅକ୍ରୂରକୁ ସଙ୍ଗେ ଧରିଥବୁ ହେ ରାଜନ ।

ମାତାପିତାଙ୍କୁ ଆମର ଦେଖିଲେ କହିବୁ

ରାମକୃଷ୍ଣ ମଧୁବନେ ଅଛନ୍ତି ବୋଲିବୁ ।

କାଲି ଶାଙ୍କୋଳୀ ତୁମ୍ଭର ପାଦୁ ଫିଟାଇବେ

କଂସକୁ ଯମପୁର କାଲି ପଠାଇବେ ।

ଯାଅ ଅଜା ବୋଲି କୃଷ୍ଣ ଯହୁଁ ଆଜ୍ଞାଦେଲେ

ଶୁଣିଣ ତ ଉଗ୍ରସେନ ଚରଙ୍କୁ କହିଲେ ।

ଆରେ ଚରଗଣ ତୁମ୍ଭେ ଶୁଣ ମୋ ବଚନ

ଦିଅରେ ଘୋଷଣା ମଧୁପୁରେ ଏହିକ୍ଷଣ ।

ବୋଲିବରେ ଆଜ୍ଞା ଦେଇଛନ୍ତି କଂସାସୁର

କାଲି ପ୍ରଭାତରୁ ମଧୁପୁର ନାରୀନର ।

ପାତ୍ରମନ୍ତ୍ରୀ ଆଦି ରାଜା ପାରିଷଦଗଣେ

ଶୁଣରେ ମୁଷ୍ଟିକ ସହ ଯେତେ ବୀରମାନେ ।

ଦେବକୀ ବସୁଦେବ ଘେନିଣ ଛନ୍ତି ଯେତେ

ବ୍ରାହ୍ମଣ କ୍ଷତ୍ରୀୟ ବୈଶ୍ୟ ଆସିବେ ସମସ୍ତେ ।

କାଲି ରଙ୍ଗସଭା ରାଜା ପ୍ରଭାତେ ସାଜିବେ

ରାମକୃଷ୍ଣ ବେନିଭାଇ ଦର୍ଶନ କରିବେ ।

ଏମନ୍ତ ବୋଲି ଘୋଷଣା ଦିଆଅରେ ଚାର

ଶୁଣିଣ ଆନନ୍ଦ ହେଲେ ରାମ ଦାମୋଦର ।

ପୁଣି ବୀର ଉଗ୍ରସେନ ଚାରଙ୍କୁ କହିଲା

ବ୍ରାହ୍ମଣଙ୍କୁ ଘେନି ତୁମ୍ଭେ ଯିବରେ ବୋଇଲା ।

ଅପୂର୍ବ ପଦାର୍ଥ ଯେତେ ଦଧି ଦୁଗ୍‌ଧ ଘୃତ

ଆଣିବ ଉତ୍ତମ ଫଳମୂଳକୁ ତୁରିତ ।

ରାନ୍ଧଣା ଯୋଗାଡ଼ ଯେତେ ଭଣ୍ଡାରରୁ ନିଅ

ମଧୁବନେ ନେଇ ରାମକୃଷ୍ଣ ପାଶେ ଦିଅ ।

ଏମନ୍ତ ଆଦେଶ ରାଜା ଚାରଗଣେ ଦେଲା

ରାମକୃଷ୍ଣଙ୍କ ପାଶରୁ ବିଦାୟ ଘେନିଲା ।

ତହୁଁ ରାମକୃଷ୍ଣ ବେନି ହୋଇଲେ ବାହାର

ଭେଟିଲେ ସେ ଯାଇ ଶରାସନ ଥିବା ପୁର ।

ଦୂରୁ ଦେଖି ଦ୍ଵାରୀମାନେ ପଥ ଓଗାଳିଲେ

କିରେ ଗୋପାଳେ କିମ୍ପାଇଁ ଯିବରେ ବୋଇଲେ

କୃଷ୍ଣ ବୋଇଲେରେ ଦ୍ଵାରୀ ଶୁଣ ମୋ ବଚନ

ଧନୁ ଦେଖିବାକୁ ବଳିଅଛି ଆମ୍ଭ ମନ ।

ରାଜାର ଭଣଜା ସିନା କଟାଳ ନକର

ଡାକିବାରୁ ମାମୁଁ ସିନା ଆସିଛୁ ଏ ପୁର ।

ଧନୁଯାତ୍ରା ଭିଆଇଛି ସିନା ଆମ୍ଭ ପାଇଁ

ଛାଡ଼ିଦିଅ ବାଟ ଆମ୍ଭେ ଧନୁ ଦେଖୁ ଯାଇଁ ।

କୃଷ୍ଣ ବଚନେ ଦ୍ୱାରୀ କ୍ରୋଧଭର ହେଲେ

କେଡ଼େ ସାହସ ଗଉଡ଼େ ତୁମ୍ଭର ବୋଇଲେ ।

ଜାତିରେ ଗଉଡ଼ ତୁମ୍ଭେ କରି କେତେ ଟାଣ

ରଜକକୁ ମାରି ଜୁର କଲରେ ବସନ ।

ସେହିପରି ବିଚାରିଛ ସବୁ କି ମନରେ

ମରିବ ନିଶ୍ଚୟ ଇଷ୍ଟଦେବ ସ୍ମର ଥରେ ।

ଏମନ୍ତ କହି ଅସୁରେ କଲେ ରେ ରେକାର

ରାମ ଅଙ୍ଗେ କଲେ ନେଇ ମୂଷଳ ପ୍ରହାର ।

କୃଷ୍ଣ ଅଙ୍ଗେ ପିଟିଲେ ନେଇ ଗଦା କୁନ୍ତ

ଗୋପାଳମାନଙ୍କୁ ଧରି ମାଇଲେ ଦଇତ ।

କ୍ରୋଧଭର ହୋଇ ରାମ ମୂଷଳ ପିଟିଲେ

ଭୟରେ ଅସୁରଗଣ ଛାଡ଼ି ପଳାଇଲେ ।

ପୁଣିହିଁ ଆରେକ ଦ୍ଵାରେ ହୋଇଲେ ପ୍ରବେଶ

ଅସୁରଙ୍କୁ ବିନାଶିଲେ କ୍ରୋଧେ ପୀତବାସ ।

ବେତବାଡ଼ିରେ ଗୋପାଳେ ପିଟିଲେ ଅସୁର

ପଳାନ୍ତି ଅସୁରବଳ ହୋଇ ଛାରଖାର ।

ଯେତେକ ରହିଲେ ତହିଁ ହାରିଲେ ଜୀବନ

କୃଷ୍ଣ ହସ୍ତେ ମରିଗଲେ ବୈକୁଣ୍ଠ ଭୁବନ ।

ଧନୁଘରେ ପଶି କୃଷ୍ଣ ଧନୁ କରେ ଧରି

ଆନନ୍ଦେ ବାହାର ହେଲେ ସେପୁରୁ ମୁରାରୀ ।

ଦେଖଣାହାରୀ ସକଳେ ଦେଖି ପ୍ରଶଂସିଲେ

ଦେଖ ଗୋ ଶ୍ରୀକୃଷ୍ଣ ଧନୁ ଧରିଛନ୍ତି କରେ ।

ଧନୁକୁ ଧରିଣ କୃଷ୍ଣ ଦୃଢ଼ ଆମଞ୍ଚିଲେ

ବେନିଖଣ୍ଡ କରି ଧନୁ ଭାଙ୍ଗି ପକାଇଲେ ।

ବାହାର ହୋଇଲେ ଧନୁ ଖଣ୍ଡେ କରେ ଧରି

ବାଳକ ନନ୍ଦନ ଯଥା ଇକ୍ଷୁ ଦଣ୍ଡ ଧରି ।

ଆର ଧନୁଖଣ୍ଡ ରାମ କନ୍ଧରେ ବହିଲେ

ଆନନ୍ଦେ ମଥୁରାଦାଣ୍ଡେ ଯାଇ ବିଜେ କଲେ ।

ବେନି ଭାଇ ଖଣ୍ଡେ ଖଣ୍ଡେ ଧନୁଛନ୍ତି ଧରି

ବୁଲନ୍ତି ଗୋପାଳେ ନାନାରଙ୍ଗେ ନୃତ୍ୟକରି ।

ମଥୁରାଦାଣ୍ଡରେ ରହି ମଥୁରାର ନାରୀ

ବୋଲନ୍ତି ଦେଖଗୋ କୃଷ୍ଣ ଆସୁଛନ୍ତି ଫେରି ।

କେହି ବୋଲେ ଦେଖକୃଷ୍ଣ ଧନୁଗୋ ଭାଙ୍ଗିଲେ

ବେନିଭାଇ ଖଣ୍ଡେ ଖଣ୍ଡେ ହସ୍ତରେ ଧରିଲେ ।

କେ ବୋଲେ ବହୁ ଅସୁର ତହିଁ ଜଗିଥିଲେ

ଏ ରାମକୃଷ୍ଣ ତାହାଙ୍କୁ ଜୀବନେ ମାଇଲେ ।

କେ ବୋଲେ କେମନ୍ତେ ରାଜା ଏହା ଅଛି ସହି

କେବୋଲେ ଏହାକୁ ସେତ ଆଣିଛି ଡକାଇ ।

କେହି ବୋଲେ ଶୁଣି ନାହିଁ ଏକଥା ରାଜନ

ଜାଣିଲେଟି ଏହାଙ୍କର ଘେନିବ ଜୀବନ ।

କେ ବୋଲଇ ଏହାଙ୍କର ଭରସା ଗୋକେଡ଼େ

ମଧୁପୁର ନାରଖାର କରନ୍ତି ଗଉଡ଼େ ।

କୋବୋଲେ ଏ ଦେଖା ହେବେ ରାଜାସଙ୍ଗେ କାଲି

ଦେଖିବା ସେକାଳେ କୃଷ୍ଣ ଅଟେ କେଡ଼େ ଭଳି ।

କେ ବୋଲେ ନୟନ ଆଉ କଣାଗୋ ହୋଇଲେ

ଶୁଣି ଭାବୁଥିଲ ମିଛ ପ୍ରତ୍ୟକ୍ଷେ ଦେଖିଲେ ।

କେ ବୋଲଇ ଦେଖିଲଇଁ ସବୁ କଥା ସତ

ଗଉଡ଼େ ଗାରେଡ଼ି ବିଦ୍ୟା ଜାଣନ୍ତି ବହୁତ ।

ଇନ୍ଦ୍ରଜାଲ ବିଦ୍ୟାରେ ସେ ଭ୍ରମ କରାଇଲେ

କାଉଁରୀ ବିଦ୍ୟାରେ ଆମ୍ଭମାନଙ୍କୁ ମୋହିଲେ ।

କେବୋଲେ ସଖୀ କେମନ୍ତେ କହୁନୁ ତୁ ଏହା

ନାଟକାରମାନେ ସିନା ଜାଣନ୍ତି ଗୋ ତାହା ।

କେବୋଲେ ସଖୀ କିମ୍ପା କରିବ ଭାବନା

ଆଜି ରାତି ଶେଷେ ସବୁ ଜଣାଯିବ ସିନା ।

ସାନ ତୁଣ୍ଡେ ବଡ଼ କଥା କହିତ ନୁହଁଇ

ଆଜିକ ମାତ୍ରକ ତୁନି ହୋଇଥିବା ରହି ।

କାଲି କୃଷ୍ଣ କଂସର ଗୋ ହେବ ରଣଗୋଳ

କେ ବୋଲଇ ପ୍ରିୟବତୀ କହିଲା ଶୁଣିଲି ।

କେ ବୋଲଇ ମହାସତୀ ପ୍ରିୟବତୀ ବାଳା

କହିବା ମାତ୍ରକେ ପୁତ୍ର ଭସ୍ମ ହୋଇଗଲା ।

କେମନ୍ତେ ବଚନ ତାର ହୋଇବଟି ଆନ

କହିଛି କଂସର କାଲି ହୋଇବ ମରଣ ।

କେ ବୋଲଇ କିମ୍ପାଇଁ ଗୋ ଭାଳ ତୁମ୍ଭେ ମନେ

କାଲି ସିନା ଆମ୍ଭେମାନେ ଦେଖିବା ନୟନେ ।

କେ ବୋଲଇ ସଖୀ ଆଜ ଦେଖିଲି ନୟନେ

ଧୂମକେତୁ ପଡ଼ିଥିଲା ଦକ୍ଷିଣ ଗଗନେ ।

କେ ବୋଲଇ ଆଜି ମୁହିଁ ଦିବସେ ଦେଖିଲି

ଗଗନରେ ଦିଶୁଥିଲା ତାରାଗଣ ଝଳି ।

କେ ବୋଲଇ ରାତ୍ରେ ଶ୍ୱାନ କରଇ ରୋଜନ

କେ ବୋଲେ ଦିବସେ ଶୁଭେ ଶୃଗାଳର ସ୍ୱନ ।

କେ ବୋଲଇ ଅର୍ଦ୍ଧରାତ୍ରେ କାକ ରାବଦ୍ୟନ୍ତି

ନିଶ୍ଚେ ଏ ମଧୁଭୁବନେ ପଡ଼ିବ ବିପତ୍ତି ।

କେ ବୋଇଇ ଆଜି ପରା ଘୋର ରଡ଼ିକରି

ଗୋଟାକଯାକ ସଂସାର ଉଠିଲା ଗୋ ଥରି ।

ବିନାମେଘେ ଘଡ଼ଘଡ଼ି ଶବଦ ଶୁଭିଲା

ଏପରି କଥା କେବେ ତ ଦେଖା ଗୋ ନଥିଲା

କେ ବୋଲେ ପଣ୍ଡିତ ମୁଖୁଁ ଶୁଣିଅଛି ମୁହିଁ

ଏମାନ ଘଟିଲେ ରାଜା ଅବଶ୍ୟ ମରଇ ।

ଦେଶକୁ ଏ ଅମଙ୍ଗଳ ଅଟଇ ନିଶ୍ଚୟ

ଦେଶ ଦୋଷ ନୃପଠାରେ ନ କର ସଂଶୟ ।

ନିଶ୍ଚୟ କଂସ ନୃପତି ହୋଇବ ନିଧନ

ଏ କଥାମାନ ସଖୀ ଗୋ ଅଟଇ ପ୍ରମାଣ ।

ଏହିପରି ମଧୁପୁର ନାରୀମାନେ ଭାଳି

ମଧୁବନେ ଲେଉଟିଲେ ରାମ ବନମାଳୀ ।

ଆପଣାର ନିତ୍ୟକର୍ମ କାମ ସେ ସାରିଲେ

ମଣୋହି କରିଣ ନନ୍ଦ ଛାମୁରେ ମିଳିଲେ ।

କହନ୍ତି ମଥୁରା କଥାମାନ ଭାବଗ୍ରାହୀ

ଶୁଣି ନନ୍ଦ ରାଜା ମନେ ଆନନ୍ଦ ହୁଅଇ ।

ମଥୁରାର ନାରୀମାନେ ପଲ ପଲ ହୋଇ

ରାମକୃଷ୍ଣଙ୍କୁ ଦେଖନ୍ତି ମଧୁବନ ଯାଇ ।

ଯହୁଁ ସେ ଦିବସଗୋଟି ହେଲା ଅବସାନ

ସମସ୍ତଙ୍କୁ ଚାହିଁଣ କହନ୍ତି ଜନାର୍ଦ୍ଦନ ।

ରାତ୍ରି ପ୍ରବେଶିଲା ଏବେ ଯାଅ ଯେଝାଘରେ

ପ୍ରଭାତରୁ ଯିବୁ ଆମ୍ଭେ ମାମୁଁଙ୍କ ଛାମୁରେ ।

ମାମୁଁଙ୍କୁ ଦର୍ଶନ କରି ଫେରିଣ ଆସିବୁ

ଦିନ ଚାରି ଏହି ମଧୁବନରେ ରହିବୁ ।

ଯାଅହେ ଏଠାରେ କ୍ଷୁଧା ତୃଷାରେ ନ ରହ

ଆମ୍ଭଙ୍କୁ ଦେଖିଣ ତୁମ୍ଭେ ଦୁଃଖ ଯେ ନ ପାଅ ।

କୃଷ୍ଣ ମୁଖୁଁ ଶୁଣି ସର୍ବେ ହୋଇଲେ ହରଷ

ବାହୁଡ଼ିଲେ ଆନନ୍ଦରେ ଯେ ଯାହାର ବାସ ।

କୃଷ୍ଣ ବୋଇଲେ ଗୋପାଳପୁଅମାନେ ଶୁଣ

ରହିଯିବେ ରାତ୍ରେ ଯେତେ ମଧୁପୁର ଜନ ।

ଦଧି ଲବଣୀ ସର ମୁଁ ଭୁଞ୍ଜିବାକୁ ଦେବି

ଭୟ ନ ଦେଖାଇ ତାଙ୍କୁ ପାଶରେ ରଖିବି ।

ପ୍ରଭାତରୁ ସର୍ବେ ସିନା ଯିବେ ତାଙ୍କ ପୁର

ଆମ୍ଭଙ୍କୁ ଆସି ଦେଖିଣ ହୋଇବେକି ଚୋର ।

ଯେବେ ଆସି କଟୁଆଳେ ଏହାଙ୍କୁ ଦଣ୍ଡିବେ

ଆମ୍ଭଙ୍କୁ ଗୋପାଳମାନେ ଉଠାଇବ ତେବେ ।

ଏତେ ବୋଲି ରାମକୃଷ୍ଣ କରନ୍ତି ଶୟନ

ଗୋପାଳେ ଜଗିଲେ ଠାବେ ଠାବେ ମଧୁବନ

କୃଷ୍ଣଙ୍କୁ ଦର୍ଶନ କରି ବୃଦ୍ଧ ଜଣଚାରି

ଧୀରେ ଧୀରେ ସଦନ ସେ ଯାଉଛନ୍ତି ଫେରି ।

ନଗରେ ପ୍ରବେଶ କଲେ ରାତ୍ର ଅର୍ଦ୍ଧଠାରେ

କଟୁଆଳ ଦେଖି ତାଙ୍କୁ ବାନ୍ଧିଲେ ବେଗରେ ।

ବୋଇଲେରେ ଚୋର ତୁମ୍ଭେ ଯାଇଥିଲ କାହିଁ

ସେ ବୋଇଲେ ଆମ୍ଭେମାନେ ଚୋରନୋହୁଭାଇ

ଆମ୍ଭର ପୁତ୍ର ହଜିଲେ ଆମ୍ଭେ ନ ପାଇଲୁ

ମଧୁବନେ ଥିବେ ବୋଲି ଖୋଜି ଯାଇଥିଲୁ ।

ରାମକୃଷ୍ଣଙ୍କର ପାଶେ ପଚାରିଲୁ ଯହୁଁ

ସେବୋଇଲେ ତାହାଙ୍କୁତ ଆମ୍ଭେ ଚିହ୍ନି ନାହୁଁ ।

ବହୁତ କାଳରୁ ପୋଏ ଏଥି ଆସିଥିଲେ

ଦଣ୍ଡେ ଏଠାରେ ରହି ସମସ୍ତେ ଫେରିଗଲେ ।

ତୁମ୍ଭର ବାଳକମାନେ ଥିବେ ତୁମ୍ଭଘରେ

ଯାଅ ବାଳକମାନଙ୍କୁ ଦେଖ ନିଜପୁରେ ।

ତାଙ୍କ କଥା ଶୁଣି ଫେରି ଆସୁଅଛୁ ଘରେ

ଚାଲି ନ ପାରିଲୁ ଏହି ଘୋର ଅନ୍ଧକାରେ ।

ଚୋର ନୋହୁ ଚାଲ ଏବେ ମଧୁବନେ ଯିବା

ସତ୍ୟ ମିଥ୍ୟାକଥାମାନ କୃଷ୍ଣଙ୍କୁ ପୁଚ୍ଛିବା ।

ଶୁଣି ଚାରଗଣ ଅତି କ୍ରୋଧଭର ହୋଇ

ବୋଲୁଛନ୍ତି କୃଷ୍ଣବଳ ଅଛକିରେ ପାଇ ।

ମାଡ଼ମାରି ତାହାଙ୍କୁ ସେ ଦେଲେ ବହୁଶାସ୍ତି

ସମ୍ଭାଳି ନ ପାରି ବୃଦ୍ଧେ ବୋବାଳି ଛାଡ଼ନ୍ତି ।

କେ ବୋଲେ କୃଷ୍ଣଙ୍କୁ କିମ୍ପା ଦେଖିବାକୁ ଗଲି

ତାହା ଦେଖିବାରୁ ସିନା ଏ ଦଣ୍ଡ ଭୋଗିଲି ।

କେ ବୋଲଇ ମୋତେ ଘରେ ମନା କରୁଥିଲା

ନମାନି ଦେଖି ଆସିଲି ଏ ଦଣ୍ଡ ପଡ଼ିଲା ।

କେହୁ ବୋଲଇ କୃଷ୍ଣର ଯେତେ ପରାକ୍ରମ

ଦେଖି ସ୍ଵଚକ୍ଷୁରେ ପୁଣି ହୁଅ ମତିଭ୍ରମ ।

ରଜନୀ ପାଇଲେ କଂସ ନେଇ ଦଣ୍ଡ ଦେବ

କୃଷ୍ଣନାମ ଧଇଲେ ସେ ଅଧିକ ଦଣ୍ଡିବ ।

ଶୁଣି ଚାରଗଣେ ଖୁନ୍ଦା ପ୍ରହାରନ୍ତି ମୁଖେ

କେଉଁ କୃଷ୍ଣରାମ ମୁଖେ ବୋଲଇ ମୂରୁଖେ ।

ଖୁନ୍ଦାଘାତରେ ରକତ ହୁଅଇ ବାହାର

କେହୁ ବୋଲେ ଅଦୋଷୀରେ କାହିଁପାଇଁ ମାର

ପୁଣି ବିକଳରେ କୃଷ୍ଣନାମ ଉଚ୍ଚାରିଲେ

ରକ୍ଷାକର ରକ୍ଷାକର ବୋଲି ସେ ଡାକିଲେ ।

ମଧୁବନେ ଥାଇ ପ୍ରଭୁ ସେ ଡାକ ଶୁଣିଲେ

କେ ଡାକୁଛି ବୋଲି ଦେବ ଶଯ୍ୟା ବରଜିଲେ

ଗୋପାଳେ ବୋଇଲେ କେହି ଡାକିବାକୁ ନାହିଁ

ପୁଣି କୃଷ୍ଣ ପଲ୍ୟଙ୍କରେ ପହୁଡ଼ିଲେ ଯାଇ ।

ପୁଣି ଚାରଗଣେ ବୃଦ୍ଧଜନଙ୍କୁ ବାନ୍ଧିଲେ

ଅନେକ ପ୍ରକାରେ ମାଡ଼ ତାହାଙ୍କୁ ମାଇଲେ ।

ବିକଳରେ ବୃଦ୍ଧମାନେ ପକାନ୍ତି ବୋବାଳି

କାହିଁଅଛ ରକ୍ଷାକର ଆସି ବନମାଳୀ ।

ବୋଲୁଛନ୍ତି କ୍ରୋଧଭରେ ଚରମାନେ ପୁଣ

ଦେଖାଅରେ ତୁମ୍ଭ କୃଷ୍ଣ କାହିଁଅଛି ପୁଣ ।

ରଜନୀ ପାହିଲେ କୃଷ୍ଣ ଦେଖିବ ନୟନେ

ଘୋଷାଡ଼ି ନିଅନ୍ତି ଏହା କହି କଣ୍ଟାବଣେ ।

ବାନ୍ଧି ଘୋଷାଡ଼ନ୍ତି କନ୍ଦି ବିକନ୍ଦିରେ ନେଇ

ବୋଲନ୍ତି ତୁମ୍ଭର କୃଷ୍ଣ ନରଖେ କିମ୍ପାଇଁ ।

ବୃଦ୍ଧମାନେ ବିକଳରେ କହନ୍ତି ବଚନ

ବେଦ ପୁରାଣରେ ଆମ୍ଭେ କରିଛୁ ଶ୍ରବଣ ।

ବିପତ୍ତି କାଳରେ ବିଷ୍ଣୁ ବୋଇଲେ ମୁଖରେ

ପଳାଏ ବିପତ୍ତି ଦୂରୁ ନ ପଶେ ପାଶରେ ।

ଯମଦୂତେ ପୁଣି ଦଣ୍ଡ ଦେଇ ନ ପାରନ୍ତି

ସମାଦର କରି ବିଷ୍ଣୁଦୂତେ ଘେନିଯାନ୍ତି ।

ବିଷ୍ଣୁ ଆଗରେ ତାହାକୁ କରାନ୍ତି ପ୍ରବେଶ

ବିଷ୍ଣୁ ଦେଖି କରେ ସେହୁ ବୈକୁଣ୍ଠେ ନିବାସ

ଏବେ ସେହି ବିଷ୍ଣୁ ସିନା କୃଷ୍ଣ ଅବତାରେ

ଶୁଣିଥିଲୁ ରହିଥିଲେ ବରଜ ନଗରେ ।

କାଲିଠାରୁ ସେତ ମଧୁପୁରେ ବିଜେକରେ

ଶୁଣିଥିଲୁ ଯାହା ଏବେ ଦେଖିଲୁ ନେତ୍ରରେ ।

ଜନ୍ମଜନ୍ମାନ୍ତରେ ଯେତେ ପାପ ଅଙ୍ଗେ ଥିଲା

କୃଷ୍ଣଙ୍କୁ ଦେଖିଲୁ ନେତ୍ରେ ସବୁ କ୍ଷୟ ଗଲା ।

ତୁମ୍ଭେ ଯମଦୂତେ କେତେ ଦେଉଛରେ ଦଣ୍ଡ

ସେ ବଚନ ଶୁଣି ଦୂତେ ହୋଇଲେ ପ୍ରଚଣ୍ଡ ।

ମାର ମାର ବୋଲି ଲୌହଦଣ୍ଡରେ ପିଟିଲେ

ତୁମ୍ଭ ପାପ କୃଷ୍ଣ ଆସି ରଖୁରେ ବୋଇଲେ ।

ଦେଖାଅ କୃଷ୍ଣ ତୁମ୍ଭର କାହିଁ ରଖିଅଛ

ଆମ୍ଭଙ୍କୁରେ ତୁମ୍ଭେ ଯମଦୂତ ବୋଲୁଅଛ ।

ଶୁଣିକରି ଏକ ବୃଦ୍ଧ କହଇ ବଚନ

ଏପରି ଗାରିମା ପୂର୍ବେ କଲାଟି ହିରଣ୍ୟ ।

ସ୍ତମ୍ଭରୁ ନୃସିଂହ ରୂପେ ବାହାରିଲେ ହରି

ରେରେକାର ଧ୍ୱନିକରି ହିରଣ୍ୟ ବିଦାରି ।

ପ୍ରହ୍ଲାଦଙ୍କୁ ସ୍ଵର୍ଗପୁରେ ଇନ୍ଦ୍ରପଦ ଦେଲେ

ଏ କୃଷ୍ଣ ସେ ବିଷ୍ଣୁ ସିନା ଗୋପରେ ବଢ଼ିଲେ ।

ପୁଣି ଆଉ ଏକ ବୃଦ୍ଧ ବୋଲଇ ତହିଁରେ

ଗଜ ଡାକ ଦେଲା ଯହୁଁ ଜଳର ଭିତରେ ।

ଖେଳ କଉତୁକେ ଲକ୍ଷ୍ମୀ ସଙ୍ଗେ ଭାବଗ୍ରାହୀ

ରହିଥିଲେ ଗଜ ଡାକ କର୍ଣ୍ଣରେ ବାଜଇ ।

ବଇକୁଣ୍ଠ ପୁରେ ଯାଇ ଚକ୍ରକୁ ପେଶିଲେ

କୁମ୍ଭୀରକୁ ମାରି ପ୍ରଭୁ ଗଜ ଉଦ୍ଧାରିଲେ ।

ସେହି ବୈକୁଣ୍ଠ ବିଷ୍ଣୁରେ ଏହି ନନ୍ଦସୁତ

ଏ ଯୁଗରେ କୃଷ୍ଣରୂପେ ହୋଇଛନ୍ତି ଜାତ ।

ପୁଣି ଏକ ବୃଦ୍ଧ ତହୁଁ କହଇ ବଚନ

ଯେତେବେଳେ ଦ୍ରୌପଦୀଙ୍କୁ ପଡ଼ିଲା କଷଣ ।

କୁରୁସଭା ମଧ୍ୟରେ ଯେ ଦୁଃଶାସନ ନେଇ

ବିବସନା କରୁଥିଲା ରାଜା ଆଜ୍ଞା ପାଇ ।

କାତରେ ଡାକିଲେ ଦେବୀ ରଖ ଭାବଗ୍ରାହୀ

କୋଟିବସ୍ତ୍ର ଦେଇ ବିଷ୍ଣୁ ରକ୍ଷାକଲେ ତହିଁ ।

ସେହି କୃଷ୍ଣ ନୁହଁନ୍ତି କି ଏହି ନନ୍ଦସୁତ

ଜାଣୁ ଜାଣୁ ନିନ୍ଦା ତାଙ୍କୁ ନ କରରେ ଦୂତ ।

ପୁଣି ଏକ ବୃଦ୍ଧ ତହିଁ ବୋଲଇ ବଚନ

ଭାବଗ୍ରାହୀ ନାଥ କୃଷ୍ଣ ଭାବରେ ବନ୍ଧନ ।

ଭାବବତୀ ପ୍ରିୟବତୀ କଥାକୁ ଦେଖିଲ

ରଜକ କୁବୁଜା ମାଳୀ ବିଷୟ ଶୁଣିଲ ।

ଧନୁ ଭଗ୍ନକଲେ କୃଷ୍ଣ ଦେଖଲେ ନୟନେ

କାଲି ନିଶ୍ଚେ ଯିବେ ପ୍ରଭୁ କଂସ ଦରଶନେ ।

ତୁମ୍ଭେ ଆମ୍ଭଙ୍କୁ କିମ୍ପାଇଁ ଦେଉଅଛ ଦଣ୍ଡ

ବିଳମ୍ବ ନ କରି ମାରି କର ଦି ଦି ଖଣ୍ଡ ।

ଶୁଣିଣ ସେ ଚରଗଣ ପ୍ରଜ୍ୱଳିତ ହେଲେ

କେ ଖୁନ୍ଦାଏ କେ ଚାପୁଡ଼େ କେ ଲାଠି ମାଇଲେ

କେ ତପତ ଲୌହ ଅଙ୍ଗେ ପକାଇଲେ ନେଇ

କେହି ତପ୍ତକରି ନେଇ ଦେହରେ ଛାଟଇ ।

କାନ୍ଦନ୍ତି ବିକଳ ହୋଇ ଡାକି କୃଷ୍ଣ ବୋଲି

ହା ହା କୃଷ୍ଣ ବିନା ଦୋଷେ ଯାଉଅଛୁ ସରି ।

ଏହାଙ୍କର ନାହିଁ ପ୍ରଭୁ ଟିକିଏ ବିଚାର

ତୋତେ ଦେଖିବାକୁ ଯାଇ ହୋଇଅଛୁ ଚୋର

ରଖ ରଖ କୃଷ୍ଣଚନ୍ଦ୍ର ହୋଇଲୁ ଅନାଥ

କାଟିବେ ଆମ୍ଭର ଶିର ଏ ନିର୍ଦ୍ଦୟ ଦୂତ ।

ବିନାଦୋଷେ ଆମ୍ଭେମାନେ ଯାଉଅଛୁ ମରି

ରକ୍ଷାକର ଏ ସଙ୍କଟୁ ଦେବ ଚକ୍ରଧାରୀ ।

ଆକୁଳେ ସେ ଚାରିଜଣ କୃଷ୍ଣ ସୁମରିଲେ

ପାଦପଦ୍ମେ ନେଇ ପଞ୍ଚମନ ଲଗାଇଲେ ।

ବୋଇଲେ ହେ ଯେବେ ତୁମ୍ଭେ ନରଖିବ ହରି

ଦାରୁଣ କଂସର ଦୂତେ ପକାଇବେ ମାରି ।

ଏକମନେ କୃଷ୍ଣପାଦେ ଯହୁଁ ଲୟ କଲେ

ମଧୁବନେ ଥାଇ କୃଷ୍ଣ ସେ କଥା ଜାଣିଲେ ।

ଅନ୍ତର୍ଯ୍ୟାମୀ ନାଥ ସର୍ବ ଘଟେ ତାର ଘର

ଭାବକୁ ନିକଟ ସଦା ଅଭାବକୁ ଦୂର ।

ଭକ୍ତଙ୍କ ଦୁଃଖ ନ ସହି ଶଯ୍ୟା ବରଜିଲେ

ଉଗ୍ରସେନର ଶୟନ ମନ୍ଦିରେ ମିଳିଲେ ।

ରତ୍ନପଲ୍ୟଙ୍କରେ ରାଜା କରିଛି ଶୟନ

ଅଳପ ନିଦ୍ରାରେ ତାର ମୁଦ୍ରିତ ନୟନ ।

ଜନ୍ମଦିନ ଯେଉଁ ରୂପ ତାକୁ ଦେଖାଇଲେ

ସେହି ରୂପ ଧରି ଏବେ ପ୍ରବେଶ କରିଲେ ।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଧରି

ବିଜେକଲେ ଉଗ୍ରସେନ ମନ୍ଦିରେ ଶ୍ରୀହରି ।

ମହକି ଉଠଇ ଅଙ୍ଗ ସୁଗନ୍ଧରେ ପୁର

ବାଜନ୍ତେ ନାସାରେ ଚାହିଁ ଦେଲା ନରବର ।

ଦେଖିଲା ନୟନେ କୃଷ୍ଣ ରୂପ ଉଗ୍ରସେନ

ନ ସ୍ଫୁରଇ ବୁଦ୍ଧି କହି ନ ପାରେ ବଚନ ।

ସ୍ଵପନ ନୁହଇ ରାଜା ଦେଖ ସାକ୍ଷାତରେ

ଉଠିବାକୁ ଯତ୍ନକରି ଉଠି ସେ ନ ପାରେ ।

ଦେଖାଦେଇ ଭେଳିକି ଯେ ଲଗାଇଲେ ହରି

ଭ୍ରମବେଶ ବିଷ୍ଣୁରୂପ ଦେଖେ ଦଣ୍ଡଧାରୀ ।

ରାଜାର ସର୍ବାଙ୍ଗ କମ୍ପି ଉଠିଲା ଭୟରେ

ଜଳଜଳ ଚାହେଁ ବାକ୍ୟ କହି ସେ ନ ପାରେ ।

କୃଷ୍ଣ ବୋଲନ୍ତି ହେ ଅଜା ଶୁଣ ମୋ ବଚନ

ମୋତେ ଦେଖି ଯାଇଥିଲେ ମୋର ଭକ୍ତଗଣ

ବୃଦ୍ଧ ବୟସ ତାଙ୍କର ଅଙ୍ଗେ ବଳ ନାହିଁ

ଦରଶନ କରି ପୁରେ ଫେରୁଥିଲେ ସେହି ।

ବହୁ ରାତ୍ର ହେଲା ଯହୁଁ ଚାଲି ନ ପାରିଲେ

ମଧୁନଗରେ ପ୍ରହରୀମାନେ ବୁଲୁଥିଲେ ।

ଚୋର ବୋଲି କରିଛନ୍ତି ତାହାଙ୍କୁ ବନ୍ଧନ

ଦେଉଛନ୍ତି ମାଡ଼ମାରି ବହୁତ କଷଣ ।

ତୁହି ଏବେ ବେଗକରି ଯାଅ ହେ ରାଜନ

ସେହି ଭକ୍ତମାନଙ୍କର ଫିଟାଅ ବନ୍ଧନ ।

ପ୍ରହରୀମାନଙ୍କୁ ତୋର ବନ୍ଧନ କରିବୁ

ଅନେକ କଷଣ ଦେଇ ମାଡ଼ ମରାଇବୁ ।

ବନ୍ଦୀ ମନ୍ଦିରେ ତାହାଙ୍କୁ ରଖ ବନ୍ଦୀ କରି

ମୋ ଭକ୍ତମାନଙ୍କୁ ବନ୍ଦୀ କଲେ ଯେଉଁପରି ।

ସେତେବେଳେ ବସୁଦେବ ଦେବକୀ ସଙ୍ଗତେ

ଫିଟିବେ ସକଳ ବନ୍ଦୀ ତହିଁ ଥିବେ ଯେତେ ।

ଯେତେବେଳେ ବନ୍ଦୀ ରୂପେ ମୁକୁଳିବେ ଦୂତେ

ଉଠ ମୋ ଭକ୍ତମାନଙ୍କୁ ଫିଟାଅ ତୁରିତେ ।

ପାଉଛନ୍ତି ବହୁକଷ୍ଟ ସେମାନେ ରାଜନ

ଏତେ କହି କୃଷ୍ଣ ତହୁଁ ହେଲେ ଅନ୍ତର୍ଦ୍ଧାନ ।

କୃଷ୍ଣ ଯହୁଁ ଗଲେ ରାଜା ପାଇଲେ ଚେତନ

ଶଯ୍ୟ ଛାଡ଼ି ଉଠି ରାଜା ଭାବେ ମନେ ମନ ।

ଚଉଦିଗକୁ ଅନାଇ କୃଷ୍ଣ ନ ଦେଖଇ

ପୁଣି ବାହାରକୁ ଉଗ୍ରସେନ ଦେଖେ ଯାଇଁ ।

ଚକିତେ ଚାରମାନଙ୍କୁ ସଙ୍ଗରେ ଧଇଲା

ବାଦ୍ୟ ନ ବଜାଇ ରାଜା ଗୁପ୍ତେ ବିଜେ କଲା ।

ଦେଖିଣ ପ୍ରହରୀ ଦୁହେଁ ପାଦତଳେ ପଡ଼ି

କହନ୍ତି ବିନୟ ଭାବେ ବେନିକର ଯୋଡ଼ି ।

ଭୋ ଦେବ ମଣିମା ଆମ୍ଭେ ଧରିଅଛୁ ଚୋର

ବୁଲୁଥିଲେ ନିଶାଅର୍ଦ୍ଧେଏମାନେ ନଗର ।

ବୋଇଲେ ସେ ଶ୍ରୀକୃଷ୍ଣଙ୍କୁ ଦେଖି ଯାଇଥିଲୁ

ଆମ୍ଭେ ବୃଦ୍ଧ ଅନ୍ଧକାରେ ଚାଲି ନ ପାରିଲୁ ।

ପୁଣି ବୋଇଲେ ଆମ୍ଭର ବାଳକ ହଜିଲେ

ଶ୍ରୀକୃଷ୍ଣଙ୍କୁ ପଚାରନ୍ତେ ଏମନ୍ତ କହିଲେ ।

ତୁମ୍ଭ ଘରେ ତୁମ୍ଭ ପୁତ୍ର ଛନ୍ତି ଯାଅ ଫେରି

ଭିନ୍ନ ଭିନ୍ନ କଥା ଯହୁଁ କହିଲେ ଏ ଚାରି ।

ବାନ୍ଧି ତାହାଙ୍କୁ ଅନେକ ମାଡ଼ ତାଙ୍କୁ ଦେଲେ

କଣ୍ଟାବନେ ଘୋଷଡ଼ାଇ ଜଳେ ବୁଡ଼ାଇଲେ ।

ଉଗ୍ରସେନ ବୋଇଲାରେ ଶୁଣ ଏବେ ଚରେ

ଆନଦେଶର ଲୋକ କି ଅଛନ୍ତି ଏ ପୁରେ ।

ଯେବେ ବା ଆନ ଦେଶରୁ ଆସିଛନ୍ତି ସେହି

କେବେ ବି ତୁମ୍ଭ ତାଙ୍କର ଦେଖାଦେଖି ନାହିଁ ।

କିଅବା ଗୋପରୁ ଆସିଛନ୍ତି ସେହିମାନେ

ଚିହ୍ନିଣ କିମ୍ପାଇଁ ତାଙ୍କୁ ରଖିଛ ବନ୍ଧନେ ।

ଶୁଣିଣ ପ୍ରହରୀମାନେ ରାଜାର ବଚନ

ବୋଲନ୍ତି ନୁହନ୍ତି ସେତ ଗୋପପୁର ଜନ ।

ମଥୁରାପୁରର ଲୋକ ପ୍ରାୟ ସେ ଦିଶନ୍ତି

କୃଷ୍ଣର ବଡ଼ାଇ କଥାମାନ କହୁଛନ୍ତି ।

ମାଡ଼ ଖାଇଲେ ଅଧିକ କୃଷ୍ଣଙ୍କୁ ଡାକନ୍ତି

ମଧୁପୁର ଜନ ହୋଇ ଗଉଡ଼େ ଭଜନ୍ତି ।

କହୁଛନ୍ତି ଗଉଡ଼ଙ୍କ କଥା ନିରନ୍ତରେ

ଏହି ରୂପେ ରାଜା ଆଗେ କହିଇ ଡଗରେ ।

ଶୁଣି ଉଗ୍ରସେନ ବୋଲେ ତାହାଙ୍କୁ ହୋ ଆଣ

ବୁଝିବା ତାଙ୍କର ଜାତି କୁଳ ବିବରଣ ।

ଉଗ୍ରସେନଙ୍କ ବଚନେ ବୃଦ୍ଧଙ୍କୁ ଆଣିଲେ

ବାନ୍ଧିକରି ରାଜା ପାଶେ ଉଭା କରାଇଲେ ।

କୋପେ ଚରଙ୍କୁ ବୋଲଇ ରାଜା ଉଗ୍ରସେନ

ଚିହ୍ନିବା ଏହାଙ୍କୁ ବେଗେହୁଳା ଜାଳି ଆଣ ।

ରାଜାର ବଚନେ ଚର ହୁଳାଜାଳି ବେଗେ

ଦେଖାଇଲେ ବନ୍ଦୀଙ୍କୁ ସେ ଉଗ୍ରସେନ ଆଗେ ।

ସେମାନଙ୍କୁ ଦେଖି ଦୂତେ କହେ ଉଗ୍ରସେନ

କିମ୍ପା ମାଇଲରେ ତୁମ୍ଭେ ଏ ତ ବୃଦ୍ଧଜନ ।

ଆରେ ମୂଢ଼ ଏମାନେ ତ ମଧୁପୁର ଜନ

କାହିଁପାଇଁ ଏହାଙ୍କୁ ରେ କରିଛ ବନ୍ଧନ ।

ବେଗେ ଏହାଙ୍କୁ ବନ୍ଧନୁ ଫିଟାଅ ବୋଇଲା

ଆନ ଚରଙ୍କୁ ଅନାଇ ରାଜା ଆଜ୍ଞା ଦେଲା ।

ବୋଇଲାରେ ଏହି ଦୁହେଁ ମନ୍ଦକର୍ମ କଲେ

ଏ ବୃଦ୍ଧମାନଙ୍କୁ ଧରି ଅଦୋଷେ ଦଣ୍ଡିଲେ ।

ଏହାଙ୍କ ଚରଣେ ଏବେ ଦିଅରେ ଶାଙ୍କୋଳି

ମାରରେ ଅନେକ ମାଡ଼ ଦେଖନ୍ତୁ ବିଚାରି ।

ବନ୍ଦୀଘରେ ନେଇ ତୁମ୍ଭେ ଏହାଙ୍କୁରେ ରଖ

ନିର୍ଦ୍ଦୋଷ ଜନଙ୍କୁ ଏହୁ ଦେଲେ ବଡ଼ଦୁଃଖ ।

ଚାରକୁ ଅନାଇ ଆଜ୍ଞାଦେଲା ଉଗ୍ରସେନ

ଏମାନଙ୍କୁ ଛାଡ଼ିଆସ ତାହାଙ୍କ ଭବନ ।

ରାଜା ଆଜ୍ଞା ପାଇ ଚାରେ ବାହାର ହୋଇଲେ

ସନ୍ତୋଷ ଲଭିଣ ବୃଦ୍ଧେ ଯେଝା ପୁରେ ଗଲେ ।

ଉଗ୍ରସେନ ତହୁଁ ଯାଇ କରଇ ଶୟନ

ଦେବାଳୟ ଶଙ୍ଖଧ୍ୱନି ଶୁଭେ ଘନ ଘନ ।

ନିଦ୍ରାରୁ ଉଠିଣ ରାଜା ପ୍ରାତଃକୃତ୍ୟ କଲା

ଦେବକୀର ବନ୍ଦୀଘରେ ଯାଇ ପ୍ରବେଶିଲା ।

ପିତାକୁ ଦେଖି ଦେବକୀ ହୁଅଇ ବିକଳ

ବେନି ନୟନରୁ ତାର ବହେ ଅଶ୍ରୁଜଳ ।

ଉଗ୍ରସେନ ବୋଲେ ଶୁଣ ଶ୍ରୀକୃଷ୍ଣ ଜନନୀ

ଗୋପପୁରୁ ଆସିଛନ୍ତି ରାମକୃଷ୍ଣ ବେନି ।

ଆଜି କଂସାସୁର ସଙ୍ଗେ ହୋଇବ ଯେ ଭେଟ

ଆଜିଠାରୁ ଫିଟିବ ଗୋ ତୁମ୍ଭର ସଙ୍କଟ ।

ରାଜ୍ୟର ପ୍ରଜା ଏମାନେ ଚୋରହେଲେ କେହ୍ନେ

କୃଷ୍ଣ ଦେଖିବାକୁ ଗଲେ ଯେବେ ମଧୁବନେ ।

ମୋତେ ନ କହି ଏହାକୁ ଏଡ଼େ ଦଣ୍ଡଦେଲ

ତୁମ୍ଭେ ଚରେ ମଧୁବନେ ରାଜା କି ହୋଇଲ ।

ଦଣ୍ଡୁଆସି ହୋଇ ତୁମ୍ଭେ ଦଣ୍ଡ ଯେବେଦେଲ

କଂସକୁ ନୃପତି କରି ତୁମ୍ଭେ କି ରଖିଲ ।

ହୀନ ଜାତି ହୋଇ ପୁଣି ବଡ଼ଲୋକ ମାର

ରହିବେ କି ଲୋକେ କଲେ ଏତେ ଅତ୍ୟାଚାର ।

ରାଜାଙ୍କୁ ନିନ୍ଦା ଦିଆଉଛନ୍ତି ଏହୁ ଚାରେ

ଶୁଣିଲେ ବୋଲିବେ କିସ ଆନଦେଶ ନରେ ।

ବୋଲିବେ ସେ ମଧୁପୁରେ ଅନ୍ୟାୟ ହେଉଛି

ନିର୍ଦ୍ଦୋଷୀ ଲୋକଙ୍କୁ ରାଜା ବୃଥାରେ ଦଣ୍ଡୁଛି ।

ଘେନିଯାଅ ଏ ଚାରିଙ୍କି ମାରି ବହୁ ମାଡ଼

ବାନ୍ଧିକରି ବନ୍ଦୀଘରେ ବେଗେ ନେଇ ଛାଡ଼ ।

ଏତେବୋଲି ଉଗ୍ରସେନ ସେ ଚାରି ବୃଦ୍ଧଙ୍କୁ

ବନ୍ଦୀରୁ ଫିଟାଇ କହେ ଚାଟୁବଚନକୁ ।

ତାଙ୍କ କର ଧରି ରାଜା ନିଜ ପୁରେ ନେଲା

ଅନେକ ରତ୍ନବସନ ଉପହାର ଦେଲା ।

ବୋଇଲା ହେ ତୁମ୍ଭେମାନେ ନଧରିବ ଦୋଷ

ନ ଚିହ୍ନିଣ ଚାରଗଣେ କରିଛନ୍ତି ରୋଷ ।

ବିନାଦୋଷରେ ତୁମ୍ଭଙ୍କୁ ଯେଣୁ ବନ୍ଦୀକଲେ

ତହିଁର ପରାଭବଟି ସେମାନେ ପାଇଲେ ।

କୃଷ୍ଣ ବୋଇଲେ ଯିବ ମୋ ମାତାର ଛାମୁକୁ

ବିନୟ ବଚନ ମୋର କହିବ ତାହାଙ୍କୁ ।

ପୁତ୍ରରୂପେ ମୁଁ ତାହାର ଗର୍ଭହେଲି ଜାତ

ମାମୁଁ ଦେଲା ଗର୍ଭକଷ୍ଟ ତାହାକୁ ବହୁତ ।

ଭାଇବୋଲି ନବୋଇଲେ ତାହାଙ୍କୁ ସେ କିଛି

ଏବେ ତାଙ୍କ ଗର୍ଭୁ ମୁହିଁ ଜାତ ହୋଇଅଛି ।

ମୋତେ ଦେଖି କାଲି ମାମୁଁ ଯିବେ ଯମପୁର

ଯାଦବ ଦୁଷ୍ଟଙ୍କୁ ଘେନି ସଙ୍ଗେ ତାହାଙ୍କର ।

ଭାଇ ଭାଇ ବୋଲି କାନ୍ଦିବେ ଜନନୀ

ଭ୍ରାତୃଶନ୍ୟ କାଲିଠାରୁ ହୋଇବେ ସେ ପୁଣି ।

ବିହି ଲିହିଥିଲା ଭାଲେ ପାଇଲେ ସେ କଷ୍ଟ

ଷଡ଼ପୁତ୍ର ନାଶଗଲେ ବଂଶ ହେବ ନଷ୍ଟ ।

ଏବେ ମୋ ଭାଇଙ୍କ ସଙ୍ଗେ ତା ଭାଇ ରହିବେ

ମାମୁଁ ଭଣଜା ସେ ଏକସ୍ଥାନେ ବିଳସିବେ ।

କିଛିଦିନେ ମାତା ମଲାପୁତ୍ରକୁ ପାଇବେ

କେବେହଁ ଭାଇ କଂସକୁ ଆଉ ନ ପାଇବେ ।

କାଲି ରଙ୍ଗ ସଭା ମାତା ପିତା ଯିବେ ଦେଖି

ଭାଇର ମରଣ ତହିଁ ଦେଖିହେବେ ସୁଖୀ ।

ଏମନ୍ତ ବୋଲିଣ ପୁତ୍ରେ କହିଛନ୍ତି ତାର

ମୋତେ ବୋଇଲେ ତୋ ପୁତ୍ର ଯିବ ଯମପୁର ।

ଦେବକୀର ପୁତ୍ରକଷ୍ଟ କାଲି ଦୂରେ ଯିବ

ତୋତେ କାଲିଠାରୁ ଅଜା ପୁତ୍ରକଷ୍ଟ ଦେବ ।

ଆଜି ନିଶ୍ଚୟ ତୋହର ଫିଟିବ ଶାଙ୍କୋଳୀ

କହି ପଠାଇ ଅଛନ୍ତି ଯେଣୁ ବନମାଳୀ ।

କାଲି ଆସି ମଧୁପୁରେ କୃଷ୍ଣ ଯାହାକଲେ

ଦେବେ ଅଗୋଚର କଥା ଦେଖିଲି ଯା ଡୋଳେ

ବୋଲଇ ଦେବକୀ ଶୁଣି ପିତାର ବଚନ

ସତେ କି ଜୀବନେ ଅଛି ମୋହର ନନ୍ଦନ ।

ସତେକି ଦେଖିବି ତାର ଚନ୍ଦ୍ରମା ବଦନ

ଏମନ୍ତ ବୋଲି ଦେବକୀ କରଇ ରୋଦନ ।

ଗୋପଛାଡ଼ି କାହିଁପାଇଁ ଆସି ଲେ ଏ ପୁରେ

କଂସ କଥାମାନ ମୋର ପଡ଼ଇ ମନରେ ।

ଦେଖିଲେ କୃଷ୍ଣଙ୍କ ପ୍ରାଣ କରିବ ସେ ନାଶ

ତେଣୁ ମୁଁ ଲୁଚାଇ ରଖିଥିଲି ନନ୍ଦ ପାଶ ।

ଜନ୍ମକରି ତାକୁ ପାପନେତ୍ରେ ଦେଖିନାହିଁ

ଅଷ୍ଟବରଷ ହୋଇଲା ଭୁଲିଅଛି ମୁହିଁ ।

ଏବେ ମାରିବାକୁ କଂସ ଆଣିଛି ଡକାଇ

ଶୁଣି ଉଗ୍ରସେନ ରାଜା ହସ ହସ ହୋଇ ।

ବୋଇଲା ଦେବକୀ ଯେଉଁ କୃଷ୍ଣ ପୁତ୍ର ତୋର

ଅସୁର ମାରିବା ପାଇଁ ତାର ଅବତାର ।

ନୁହଁ ତୁ ବିକଳ ଆଜି କଂସକୁ ମାରିବେ

ବେନିଚରଣୁ ତୋହର ଶାଙ୍କୋଳୀ ଫେଡ଼ିବେ ।

ଏତେକହି ଉଗ୍ରସେନ ତହୁଁ ଚଳିଗଲା

କଂସ ଶୟନ ମନ୍ଦିରେ ପ୍ରବେଶ ହୋଇଲା ।

ପୁର ଭିତରକୁ ଯାଇ ଦେଖେ ନରବର

ବିସ୍ମୟେ ବସିଛି କଂସ ପଲ୍ୟଙ୍କ ଉପର ।

କି ଉପାୟେ କୃଷ୍ଣଙ୍କୁ ମୁଁ ପକାଇବି ମାରି

ଏହି ଚିନ୍ତାରେ ହୃଦୟ ହେଉଅଛି ଘାରି ।

ପିତାଙ୍କୁ ଦେଖିଣ କଂସ ପଲ୍ୟଙ୍କୁ ଉତୁରି

ବୋଇଲେ ଶ୍ରୀକୃଷ୍ଣ କଥା କହ ହେ ବିସ୍ତାରି ।

କଂସ ମନ ଭୟ ଜାଣି କହେ ଉଗ୍ରସେନ

ତୋ କଥାରେ ଗଲି ପ୍ରିୟବତୀ ସନ୍ନିଧାନ ।

ଦେଖିଲି ଶ୍ରୀରାମକୃଷ୍ଣ ଗୋପାଳ ସହିତେ

ଚାରମାନେ ଆସି ଭୟେ ଜଣାଇଲେ ମୋତେ ।

କୃଷ୍ଣ ହଳଧର ମୋତେ ଦେଲେ ସେ ଚିହ୍ନାଇ

ଦେଖି ପାଦତଳେ ମୋର ପଡ଼ିଲେ ସେ ଦୁଇ

ବୋଇଲେ ହେ ସତୀ ଯାଉଅଛି ପ୍ରିୟବତୀ

ଗୋପପୁରେ ଥାଇ କେତେ ଦେଖିନାହିଁ ସତୀ ।

ମାମୁଁ ସିନା ଆଜି ଆଣିଅଛି ବୋଲି ଡାକି

ତାହାଙ୍କ ଦୟାରୁ ସତୀ ପାରିଲୁଟି ଦେଖି ।

କାଲିକି ଦର୍ଶନ ଆମ୍ଭେ ମାମୁଁଙ୍କୁ କରିବୁ

ଧନୁଯାତ୍ରା ଦେଖି ଗୋପପୁରେ ଫେରିଯିବୁ ।

ଏମନ୍ତ ସମୟେ ଆସି ରଜକର ନାରୀ

କାନ୍ଦି କାନ୍ଦି ମୋର ଆଗେ କଲା ସେ ଗୁହାରି ।

ବୋଇଲା ଏ କୃଷ୍ଣ ମୋର ସ୍ଵାମୀକି ମାଇଲା

ରାଜାର ଲାଗି ବସନ ସବୁ ଜୁର କଲା ।

ନଦେଲେ ମୋ ସ୍ୱାମୀ ଯହୁଁ ଚାପୋଡ଼େ ମାଇଲା

ଛିଡ଼ିଲା ତାହାର ମୁଣ୍ଡ ଭୂମିରେ ଲୋଟିଲା ।

ଗଲା ତାର ଜୀବନ ତା ପିଣ୍ଡ ଅଛି ପଡ଼ି

କହିଲା ରଜକୀ ଯହୁଁ ବେନିକର ଯୋଡ଼ି ।

ପାଶେ ଥିଲେ ରାମକୃଷ୍ଣ ଶୁଣିଲେ ବଚନ

ମାମୁଁ ଡାକିବାରେ ଆମ୍ଭେ ଆସିଛୁ ରାଜନ ।

ଆମ୍ଭ ସ୍ଵଇଚ୍ଛାରେ ଆମ୍ଭେ ଆସି ନାହୁଁ ଏଥି

ମାମୁଁ ଡାକିବାରୁ ଆସିଅଛୁ ଯାତ୍ରା ଦେଖି ।

ଗଉଡ଼ ଜାତି ଆମ୍ଭର ଧନଦ୍ରବ୍ୟ ନାହିଁ

ଉତ୍ତମ ବସନ ଆମ୍ଭେ ପାଇବୁଟି କାହିଁ ।

ବନେ ବନେ ବୁଲି ଆମ୍ଭେ ବାଛୁରୀ ଚରାଉ

ବୁହାଭାତ ଖାଇ ଆମ୍ଭେ ବନେ ରହିଥାଉ ।

ପିନ୍ଧିବା ପାଇଁ କି ଇଛା କଲୁ ମାମୁଁ ବାସ

ମାଗିଲୁ ନ ଦେଇ କଲା ବହୁତ ଝିଙ୍ଗାସ ।

ତେଣୁ ଠେଲିଦେଲି ତାକୁ ମନେବହି ରୋଷ

ଦୁର୍ବଳ ଥିଲା ରଜକ ପଡ଼ି ଗଲା ନାଶ ।

ପିନ୍ଧିଲୁ ଯାତ୍ରା ଦେଖିବା ପାଇଁ ମାମୁଁ ବାସ

ଶୁଣ ହୋ ଅଜା ଆମ୍ଭର କିଛି ନାହିଁ ଦୋଷ ।

ଦେଖିବା ପାଇଁକି ଶୋଭା ନଗରେ ପଶିଲୁ

ଭାବବତୀ ଭାବେ ମୃଗ ହୋଇଲା ଦେଖିଲୁ ।

ଯହୁଁ ଚେତା ହେଲା ତହୁଁ ହୋଇଲୁ ବାହାର

ପୁଣି ଚଳିଲୁ ଆନନ୍ଦେ ନଗର ଭିତର ।

ପଥେ ଯାଉଁ କୁବୁଜା ଯେ ପଡ଼ିଲା ନୟନେ ।

ତା ପ୍ରପଞ୍ଚ ରୂପ ଦେଖି ବିଚାରିଲୁ ମନେ ।

ଆମ୍ଭ ମାମୁଁ କଂସର ଏ ଅଟେ ଗନ୍ଧକାରୀ

ଘୃଣା କରୁଥିବ ଏହା ରୂପ ଦେଖିକରି ।

ତେଣୁ ତାହାକୁ ସୁନ୍ଦର ମୂର୍ତ୍ତି ଆମ୍ଭେ କଲୁ

ମାମୁଁ ଆଗେ କୁବୁଜାଲୋ କହ ତୁ ବୋଇଲୁ ।

ଯେଣୁ କୁବୁଜାର କୁଜ ସୁନ୍ଦର ହୋଇଲା

ମାମୁଁ ଲାଗି ଚନ୍ଦନ ସେ ଆମ୍ଭ ଅଙ୍ଗେ ଦେଲା ।

ତଦନ୍ତରେ ଆମ୍ଭେ ଦାଣ୍ଡେ ଦାଣ୍ଡେ ଯାଉଥିଲୁ

ତେଜବତୀ ମୃତପିଣ୍ଡ ପଥରେ ଦେଖିଲୁ ।

ଆମ୍ଭ ଦୃଷ୍ଟି ପଡ଼ନ୍ତେ ସେ ପାଇଲା ଜୀବନ

ପଶି ତହୁଁ କିଛିଦୂର କରନ୍ତେ ଗମନ ।

ସୁଦାମା ମାଳୀ ଆମ୍ଭଙ୍କୁ ଫୁଲ ଆଣିଦେଲା

ତାହାର ଯୁବତୀ ଆସି ବହୁ ସେବା କଲା ।

ତାରି ବାଞ୍ଛା ପୂର୍ଣ୍ଣକରି ତହୁଁ ଆମ୍ଭେ ଗଲୁ

ପ୍ରିୟବତୀ ପତିପୁତ୍ର ମରଣ ଦେଖିଲୁ ।

ତଦୁତ୍ତାରେ ଧନୁଘର ଦେଖିଲୁ ନୟନେ

ବେଢ଼ିଲେ ଆମ୍ଭଙ୍କୁ ଆସି ଜଗୁଆଳମାନେ ।

ନ ଛାଡ଼ିଲେ ବାଟ ସଙ୍ଗେ ଦ୍ୱନ୍ଦ୍ୱ ଭିଆଇଲେ

ଠେଲାଠେଲି ହେଉ ବହୁଲୋକ ନାଶଗଲେ ।

ଘର ଭିତରୁ ଧନୁକୁ ଆଣିଲି ମୁଁ ଧରି

ପୁରୁଣା ବାଂଶରେ ମାମୁଁ ଥିଲେ ଧନୁକରି ।

ହସ୍ତେ ଧରୁ ଧରୁ ସେ ଯେ ବେନିଖଣ୍ଡ ହେଲା

ବହୁତ କାଳର ଧନୁ ଆଗୁଁ ଭାଙ୍ଗିଗଲା ।

ଉଗ୍ରସେନ କଥା ଶୁଣି କଂସ ମୂର୍ଚ୍ଛାଗଲା

ମୃତପିଣ୍ଡ ପରା ହୋଇ ସ୍ଥକିତ ରହିଲା ।

କର ଚରଣ ତାହାର ନ ଚଳଇ କିଛି

ମୁଖୁଁ ବଚନ ନ ସ୍ଫୁରେ କଳା ପଡ଼ିଅଛି ।

ଅଚେତନ ହୋଇଣ ସେ ପଲ୍ୟଙ୍କେ ବସିଲା

ଦେଖି ଉଗ୍ରସେନ ତାର ଅଙ୍ଗ ଝୁଲାଇଲା ।

ସୁଶୀତଳ ନୀର ଆଣି ମୁଖରେ ସିଞ୍ଚଇ

କର୍ଣ୍ଣପୁଟେ କଂସ କଂସ ବୋଲି ସେ ଡାକଇ ।

ହା ହା ରବେ ମୁଦୁସଲୀ ବ୍ୟଜନ ଚାଲନ୍ତି

ନାନା ଉପାୟରେ ବହୁକ୍ଷଣେ ଉଠେ ଚେତି ।

କିଛିକ୍ଷଣ ବସି ପୁଣି କହଇ ବଚନ

ହେ ତାତ ଶୁଣ ମୋହର କଥା ଦେଇ ମନ ।

ରାମକୃଷ୍ଣ ବେନିଭାଇ ଗୋପେ ଫେରିଯାନ୍ତୁ

ମଧୁପୁରେ ସେମାନେ ଯେ କ୍ଷଣେ ନ ରୁହନ୍ତୁ ।

ଭଣ୍ଡାରରୁ ନିଅ ତୁମେ ରତନ ବସନ

ରାମ କୃଷ୍ଣଙ୍କର ଯହିଁ ତୁଷ୍ଟ ହେବ ମନ ।

ଗୋପାଳମାନଙ୍କୁ ଯାଇ କରାଅ ସନ୍ତୋଷ

ଯେ ଯାହା ମାଗିବ ତାହା ଦିଅ ହେ ନରେଶ ।

ନନ୍ଦ ଯାହା ବୋଲିବେ ହେ ଦେବୁ ତାତ ତୁହି

ଭଣ୍ଡାରେ ନଥିଲେ ରାଜ୍ୟୁ ଦିଅ ହେ କିଣାଇ ।

କୃଷ୍ଣ ଗୋପକୁ ଗଲେ ତୁ ହୋଇବୁ ରାଜନ

ସତ୍ୟ କହୁଅଛି ପିତା ଛୁଇଁ ତୋ ଚରଣ ।

ଉଗ୍ରସେନ ବୋଇଲେରେ ଶୁଣ ପୁତ୍ର କଂସ

ଦେଖାନଦେଲେ ସଂସାରେ କରିବେ ରହସ୍ୟ ।

କାହିଁପାଇଁ କଂସ କୃଷ୍ଣେ ଦେଖାଦେଲା ନାହିଁ

କେମନ୍ତ ଫେରିବେ ରାମକୃଷ୍ଣ ବେନିଭାଇ ।

ଯେଉଁପରି ନନ୍ଦରାଜା ଗୋପକୁ ଅଇଲା

କେମନ୍ତ କଂସର କଥା ଅନ୍ୟଥା ହୋଇଲା ।

ଏମନ୍ତେ କହି କରିବେ ଲୋକେ ଉପହାସ

ଲୁପ୍ତ ହୋଇବ ତୋହର ଏ ବିପୁଳ ଯଶ ।

କାଲି ରଙ୍ଗ ସଭାତଳେ ଦେଖିବୁରେ କଂସ

ରାମକୃଷ୍ଣ ବେନିଭାଇ କରିବି ମୁଁ ନାଶ ।

ଆଜି ଏକ କଥା କର କଂସ ରାଜା ତୁହି

ମଣ୍ଡାଅ ରଙ୍ଗ ସଭାକୁ ଆଦେଶ ଦିଆଇ ।

ପାତ୍ରମନ୍ତ୍ରୀମାନେ ସର୍ବେ କରନ୍ତୁ ଦର୍ଶନ

କ୍ଷଣେମାତ୍ର ରହି ତାଙ୍କୁ କହିବୁ ବଚନ ।

ସର୍ବେ ଯାଇ ପୁରୁ ବେଶଭୂଷା ପିନ୍ଧି ଆସ

ଆନନ୍ଦ ମନରେ ରଙ୍ଗସଭା ମଧ୍ୟେ ବସ ।

ତେବେ ମଧୁ ନରନାରୀ ପାତ୍ରମନ୍ତ୍ରୀଗଣ

ଆନନ୍ଦ ହୋଇବେ ଶୁଣି ତୋହର ବଚନ ।

ଶୁଣି କଂସରାଜ ଉଗ୍ରସେନର ବଚନ

ଜଗତୀ ଉପରେ ଯାଇ ମିଳିଲା ତକ୍ଷଣ ।

ପାତ୍ରମନ୍ତ୍ରୀ ଅମାତ୍ୟ ଯେ କଲେ ଦରଶନ

ରାଜାକୁ ଦେଖି ସକଳେ ଆନନ୍ଦିତ ମନ ।

ଯେ ଯାହା ପୁରକୁ ଗଲେ ପାତ୍ରମନ୍ତ୍ରୀମାନେ

ଦେଖି କଂସ ରାଜା ତହୁଁ ଚଳିଲା ତକ୍ଷଣେ ।

ଅନ୍ତଃପୁରେ ଯାଇକରି ହୋଇଲା ପ୍ରବେଶ

ନିତ୍ୟକର୍ମ ସାରି ଭୁଞ୍ଜି ବସିଲା ସେ କଂସ ।

ଉଗ୍ରସେନ ରାଜା ନିଜ ମନ୍ଦିରକୁ ଗଲା

ନିତ୍ୟକର୍ମ ସାରି ମଣୋହିରେ ବିଜେକଲା ।

କଂସକୁ ଅନ୍ନବ୍ୟଞ୍ଜନ ନ ରୁଚଇ କିଛି

କେବଳ କୃଷ୍ଣ କଥା ତା ହୃଦୟ ଦହୁଛି ।

କୃଷ୍ଣକଥା ହୃଦେ ତାର ହେଉଅଛି ଖେଳ

ନ ଭୁଞ୍ଜିଣ ଅନ୍ନ କିଛି ଉଠେ ମହୀପାଳ ।

ପଲ୍ୟଙ୍କେ ବସିଣ କଂସ କରଇ ବିଚାର

କେମନ୍ତେ ମୁଁ ରାମକୃଷ୍ଣ କରିବି ସଂହାର ।

ହେତୀ ପ୍ରହେତୀ ସହିତ ସର୍ବ ନାରୀମାନେ

ଯେ ଯାହା ସେବାରେ ଆସି ଲାଗିଲେ ତକ୍ଷଣେ

ଶୟନ କରଇ ରାଜା ନ ମାଡ଼ଇ ନିଦ

ବାହାରକୁ ଆସି ବସି ସାଉଁଳଇ ପାଦ ।

ପୁଣି ପଲ୍ୟଙ୍କରେ ଯାଇ କରଇ ଶୟନ

ନ ଆସଇ ନିଦ୍ରା ତାର ମନ ଛନ୍ନଛନ୍ନ ।

କେବଳ ଦେଖି କୃଷ୍ଣଙ୍କୁ ଅଛି ଭୟକରି

ତେଣୁ ତାହାର ନିଶ୍ଵାସ ଉର୍ଦ୍ଧ୍ୱେ ଯାଏ ଉଡ଼ି ।

ପୁଣି ଯାଇ ପଲ୍ୟଙ୍କରେ ଶୟନ କରିଲା

ଅଳପ ନିଦ୍ରାରେ ତାର ନୟନ ଘାରିଲା ।

ଦିବସରେ ସ୍ୱପନ ଯେ ଦେଖିଲା ରାଜନ

ଶ୍ରଦ୍ଧାକରି ପିନ୍ଧିଅଛି ରକତ ବସନ ।

ରକ୍ତମନ୍ଦାର କୁସୁମ ଅଛି ମାଳକରି

ରକତ ଚନ୍ଦନ ଅଙ୍ଗେ ହୋଇଅଛି ବୋଳି ।

ତୈଳ ଜରଜର ତାର ହୋଇଅଛି ଦେହ

ମହିଷଯାନେ ଦକ୍ଷିଣେ କରଇ ବିଜୟ ।

ଏମନ୍ତ ସ୍ଵପନ ଦେଖି ନିଦ୍ରା ତା ଭାଙ୍ଗିଲା

ପଲ୍ୟଙ୍କରେ ବସି ଚଉଦିଗକୁ ଚାହିଁଲା ।

ମନେ ବିଚାରିଲା ଏତ ଅଶୁଭ ସ୍ୱପନ

ମାରିବେ ନିଶ୍ଚୟ ମୋତେ ଦେବକୀ ନନ୍ଦନ ।

କାହାକୁ ନ କହି କିଛି ଶୟନ କରିଲା

ପୁଣି ଦିବସରେ ନିଦ୍ରା ନୟନେ ଘାରିଲା ।

ପୁଣି ସ୍ୱପନ ଦେଖିଲା ସେହି ରାଜା କଂସ

ନିଜ ଯୁବତୀ ମୁକୁଳା କରିଅଛି କେଶ ।

କଂସର ମୁଖକୁ ଚାହିଁ ରୋଦନ କରଇ

ଏମନ୍ତ ଦେଖିଣ ରାଜା ଉଠେ ଚେତାପାଇ ।

ମନରେ ତାହାର ସେହି ପୁଣି ଭୟକଲା

ନିଶ୍ଚୟ ମାରିବି କୃଷ୍ଣ ମନରେ ପାଞ୍ଚିଲା ।

ବାରମ୍ବାର ସ୍ଵପ୍ନ ଯହୁଁ ଦେଖିଲା ଶୟନେ

ବିସ୍ମୟ ଭଜିଣ ସେହୁ ବସିଲା ମଉନେ ।

ସଚେତ ହୋଇଣ କଂସ ପଲ୍ୟଙ୍କେ ବସିଲା

ହେତୀ ପ୍ରହେତୀ ଦୁହିଁଙ୍କୁ ପାଖକୁ ଡାକିଲା ।

ବୋଇଲା ଗୋ ସଖୀ ମୁହିଁ ଦେଖିଲି ସ୍ୱପନ

କରିଛି ମୁଁ ଅଙ୍ଗେ ରକ୍ତ ପୁଷ୍ପ ଆଭରଣ ।

ତୈଳ ଜର୍ଜରିତ କାୟା ମହିଷ ବାହନେ

ଗମଇ ମୁଁ ଦକ୍ଷିଣକୁ ଦେଖିଲି ସ୍ୱପନେ ।

ପୁଣିହିଁ ସ୍ୱପନ ଏକ ଦେଖିଲିରେ ସଖୀ

ମୁକୁଳିତ କେଶ ହୋଇଥିଲୁ ଚନ୍ଦ୍ରମୁଖୀ ।

ପଡ଼ିଥିଲା ତୋଲାବଣ୍ୟ ମୂରତି ମଳିଣ

ମୋ ମୁଖକୁ ଚାହିଁ କରିଥିଲୁ ତୁ ରୋଦନ ।

ପୁଣି ଆଉ ବାରେ ଏକ ସ୍ଵପନ ଦେଖିଲି

ମଧୁବନରୁ ଆସିଲେ ରାମ ବନମାଳୀ ।

ସିଂହଦ୍ଵାରେ ଆସି ମୋର ହୋଇଲେ ପ୍ରବେଶ

କୁବଳୟା ଗଜ ମୋର ମିଳୁ ତାଙ୍କ ପାଶ ।

ଗଜଦନ୍ତ ଉପାଡ଼ି ସେ ମାହୁନ୍ତେ ମାରିଲେ

ଦ୍ୱିତୀୟ ଦ୍ଵାରେ ଆସି ସେ ପ୍ରବେଶ କରିଲେ ।

ଚାଣୁର ମୁଷ୍ଟିକ ତାଙ୍କ ସଙ୍ଗେ କରି ରଣ

କୃଷ୍ଣର ହସ୍ତରେ ଦୁହେଁ ତେଜିଲେ ଜୀବନ ।

ପୁଣି ରଙ୍ଗସଭା ତଳେ କଲେ ସେ ପ୍ରବେଶ

ଦେଖିଣ ଦେବକୀ ମୋତେ ଦେଲା ଉପଦେଶ

ତାର କଥା ନ ମାନି ମୁଁ କ୍ରୋଧଭର ହେଲି

ଜଗତୀ ଉପରୁ ମୁହିଁ କୃଷ୍ଣଙ୍କୁ ଦେଖିଲି ।

ଖସିପଡ଼ି ତହିଁପରୁ ଗଲା ମୋ ଜୀବନ

ସେକ୍ଷଣି ଶୂନ୍ୟରୁ ଖସି ଆସିଲା ବିମାନ ।

ତହିଁ ପରେ ବସି ମୁଁ ଗୋ ସ୍ଵର୍ଗପୁରେ ଗଲି

ଏ କୃଷ୍ଣ ରୂପକୁ ମୁଁ ଗୋ ସ୍ୱର୍ଗରେ ଦେଖିଲି ।

ପୁଣି ସ୍ୱପନରେ ମୁହିଁ ଦେଖିଲି ଗୋ ସହି

ଦେବକୀ ବସୁଦେବର ଶାଙ୍କୋଳୀ ଫିଟାଇ ।

ତାତ ଉଗ୍ରସେନକୁ ଗୋ କଲେ ସେ ରାଜନ

ତୁମ୍ଭଙ୍କୁ କରିଲେ ବୋଧ ଦେବକୀ ନନ୍ଦନ ।

ଏମନ୍ତ ସ୍ଵପନ ଆଜି ଦେଖିଲି ଗୋ ମୁହିଁ

ସେହି ସମୟରୁ ମୋତେ ନିଦ ନ ମାଡ଼ଇ ।

ରାଜାର ମୁଖୁଁ ଏମନ୍ତ ଶୁଣି ବେନି ରାଣୀ

କରପତ୍ର ଯୋଡ଼ିଣ ସେ କହୁଛନ୍ତି ବାଣୀ ।

ବୋଇଲେ ହେ ତୁମ୍ଭେ ଯାହା ଦେଖିଲ ସ୍ୱପନ

ଆମ୍ଭ ସେହି ସ୍ୱପ୍ନ ଆଜ ଦେଖିଲୁ ରାଜନ ।

ବିନୟ କରିଣ ଆମ୍ଭେ କହୁଛୁ ଭୋ ନାଥ

ଅନାଥ ନ କର ତୁମ୍ଭେ ଉଗ୍ରସେନ ସୁତ ।

ଦେବକୀ ବସୁଦେବଙ୍କୁ ଅଣାଅ ତୁରିତ

ସମସ୍ତେ ମିଳିଣ ତାଙ୍କୁ କହିବା ବହୁତ ।

ବେନି ଚରଣୁ ତାଙ୍କର ଶାଙ୍କୋଳି ଫେଡ଼ିବା

ବିନୟ ଭାବ ଦେଖାଇ ତାହାଙ୍କୁ କହିବା ।

ପୁତ୍ର ଦୁହିଁଙ୍କୁ ଚରଣେ ପକାଇବୁ ନେଇ

ଆମ୍ଭ ହସ୍ତ ତାଙ୍କ ହସ୍ତେ ଦେବୁ ତୁ ଧରାଇ ।

ଆମ୍ଭେ ଦେବକୀର ପାଦତଳରେ ପଡ଼ିବୁ

ବିନୟ କରିଣ ତାଙ୍କୁ ବହୁତ କହିବୁ ।

କରିବେ ନିଶ୍ଚୟ ଦୟା ସେହୁ ଆମ୍ଭଠାରେ

ଶରଣ ପଶିବୁ ଯେଣୁ ତାର ପାଦତଳେ ।

ବୋଲିବୁ ଗୋ ତୁମ୍ଭ ପାଦେ ପଶିଲୁ ଶରଣ

ରଖ ବା ନରଖ ଇଚ୍ଛା ଯେ ତୁମ୍ଭର ମନ ।

ତୁମ୍ଭେ ମଧ୍ୟ ଦେବକୀକୁ କହିବ ଏସନ

ଭଉଣୀ ମୋ ଜୀବ ରଖ ଦୋଷକୁ ନ ଘେନ ।

ତୁମ୍ଭେ ତାହାଙ୍କର ଯେଣୁ ଅଟ ସାନଭାଇ

ବସୁଦେବ ଯେଣୁ ଅଟେ ତୁମ୍ଭର ଭିଣୋଇ ।

ଅବଶ୍ୟ ସେ ତୁମ୍ଭଠାରେ ସୁଦୟା କରିବେ

ଦୟାଳୁ ପୁରୁଷ ସେହି ଜାଣିଅଛୁ ଆମ୍ଭେ ।

ଆମ୍ଭେ ବୋଲିବୁ ଶ୍ରୀକୃଷ୍ଣ ଗୋପେ ଫେରିଯାନ୍ତୁ

ଭଣ୍ଡାରରୁ ଯେତେ ଇଚ୍ଛା ତେତେ ଧନ ନ୍ୟନ୍ତୁ ।

ଯେ ରୂପେ ବୁଝିବେ ସେହି ସେ ରୂପେ କହିବୁ

ଯେମନ୍ତ ଫେରିବେ କୃଷ୍ଣ ତେମନ୍ତେ କରିବୁ ।

ଦେବକୀ ବଚନ କୃଷ୍ଣ ଭାଙ୍ଗି ନ ପାରିବେ

ଅବଶ୍ୟ ତାଙ୍କ ବଚନେ ଗୋପକୁ ଫେରିବେ ।

କହିବା ନନ୍ଦକୁ ଆମ୍ଭେ ବିନୟ ବଚନ

ଅଟଇ ବହୁକାଳର ସେ ବୃଦ୍ଧ ରାଜନ ।

ସେ ନନ୍ଦ କୃଷ୍ଣଙ୍କୁ ନିଶ୍ଚେ କହିବ ବୁଝାଇ

ଆନ ନ କରିବେ ତାର ବଚନ କହ୍ନାଇ ।

ଶରଣ ପଶିବା ଆମ୍ଭେ ତାଙ୍କ ପାଦଗତେ

ତାଙ୍କ ଦୟା ହେଲେ ଏଥି ରହିବା ନିଶ୍ଚିନ୍ତେ ।

ସେ ତ ମାନବ ନୁହନ୍ତି ସ୍ୱୟଂ ଦେବହରି

ଶୁଣିଛ ତ ତାଙ୍କ କଥା ରହି ମଧୁପୁରୀ ।

ତାହା ସଙ୍ଗେ ବଇରୀ ତୁ ନୁହ ଦଣ୍ଡଧାରୀ

ଏତେ ବୋଲି କଂସପାଦେ ପଡ଼ିଲେ ସୁନ୍ଦରୀ ।

ଉଠ ଉଠ ବୋଲି କଂସ ତାଙ୍କୁ ଉଠାଇଲା

ଆଶ୍ୱାସି ବେନି ନାରୀଙ୍କି ପାଶେ ବସାଇଲା ।

ବୋଇଲା ଗୋ ସଖି ଏବେ ଶୁଣ ମୋ ବଚନ

ଜିଣିଲି ମୁଁ ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଭୁବନ ।

ମୋର ଭୟେ ତୁମ୍ଭଙ୍କୁ ଯେ ପିତା ବିଭାଦେଲା

ମୋର ତପୋବଳେ ବ୍ରହ୍ମା ବରଦ ହୋଇଲା ।

ବୋଇଲା ଭଣଜା ଦେଖି ମରିବୁରେ ତୁହି

ନୋହିଲେ ତୋତେ ଜିଣନ୍ତା ତିନିପୁରେ ନାହିଁ ।

ମରିବୁ ନାହିଁ ତୁହିରେ ହୋଇବୁ ଅମର

ଏମନ୍ତ ପ୍ରକାରେ ବ୍ରହ୍ମା ଦେଇଅଛି ବର ।

କେଉଁପରି ଭଣଜାକୁ କରିବି ବିଶ୍ଵାସ

ଯେତେ ମୁଁ ପେଶିଲି ଚର ସବୁଗଲା ନାଶ ।

ଏବେ ମଥୁରାପୁରରୁ ଆଣିଛି ଡକାଇ

ମାରି ମୋ ରଜକ ଧନୁ ଭାଙ୍ଗିଲେଣି ସେହି ।

ଆଉ ଯେତେ କଥାମାନ ମଧୁପୁରେ କଲା

ତାତ ଉଗ୍ରସେନ ମୋତେ ସବୁ ବୁଝାଇଲା ।

ତୁମ୍ଭେ ବୋଲୁଅଛ ଚାଲ ଶରଣ ପଶିବା

ବସୁଦେବ ଦେବକୀର ବନ୍ଧନ ଫେଡ଼ିବା ।

କିମ୍ପାଇଁ ସେ ମୋତେ ଆଉ କରିବେ ବିଶ୍ୱାସ

ମୁଁ ତାଙ୍କର ଷଡ଼ପୁତ୍ର କରିଅଛି ନାଶ ।

ତାଙ୍କ ପାଦେ ପୁତ୍ର ନେଇ କଲେ ସମର୍ପଣ

ତେବେ କିଗୋ ଆମ୍ଭର ସେ ପାଞ୍ଚିବେ କଲ୍ୟାଣ

ପୁତ୍ରଶୋକ ତାଙ୍କ ମନୁ ନଥିବ ଗୋ ଛାଡ଼ି

ମୋ ପୁତ୍ର ମରଣ ପାଞ୍ଚୁଥିବେ ଷୋଳଘଡ଼ି ।

ଚିନ୍ତିତ ନୁହଁ ମାରିବି ମୁହିଁ କୃଷ୍ଣରାମ

ତୁମ୍ଭେ ତ ଦେଖୁଛ ନେତ୍ରେ ମୋର ପରାକ୍ରମ ।

ଆଜି ଯେବେ ରାମକୃଷ୍ଣ ମାରି ନ ପାରିବି

ବୀରଙ୍କର ବାନା ନାମ କିମ୍ପା ବୋଲାଇବି ।

ଯେବେ ରାମକୃଷ୍ଣ ଆଜି ମାରିବଇଁ ମୁହିଁ

ଆଉ ତ ମରଣ ମୋତେ ନୋହିବ ଗୋ ସହୀ ।

ଅମର ହୋଇ ମୁଁ ଯୁଗେ ଯୁଗେ ରହିଥିବି

କିପାଇଁ ମୁଁ କୃଷ୍ଣପାଦେ ଶରଣ ପଶିବି ।

କରିବେ ରାଜାଏ ଶୁଣି ମୋତେ ଉପହାସ

ଶତ୍ରୁମାନେ ଶୁଣିଣ ଗୋ ଭଜିବେ ହରଷ ।

ଆହୁରି କଥାଏ ମୋତେ ବ୍ରହ୍ମା ଅଛି କହି

ଦେବକୀର ଗର୍ଭେ ବିଷ୍ଣୁ ଜନ୍ମିବେ ଗୋ ସହି ।

ରେ ସଜନି ! ସେହୁ ଯେବେ ଅଟେ ନାରାୟଣ

ତାର ହସ୍ତେ ମଲେ ମୋର ହୋଇବ କାରଣ ।

ପୂରୁବ ଶାପରୁ ନିଶ୍ଚେ ହୋଇବି ମୁକତ

ଅସୁର କୁଳରେ ଆଉ ନ ହୋଇବି ଜାତ ।

ପୂର୍ବ ପାତକ ନାଶି ମୁଁ ବିଷ୍ଣୁଙ୍କୁ ସେବିବି

ଏହା ଛାଡ଼ିଣ କିମ୍ପାଇଁ ଶରଣ ପଶିବି ।

ଯେବେ କୃଷ୍ଣ ବିଷ୍ଣୁ ନୁହେଁ ଡରିବି କିମ୍ପାଇଁ

ମାରିବି ରାମକୃଷ୍ଣଙ୍କୁ ଦେଖିଲେ ରେ ସହି ।

ଏତେ ବୋଲି କଂସ ଖଣ୍ଡା ଧରିଣ ଉଠିଲା

ରେରେକାର ଧ୍ୱନିକରି ନେତ୍ର ବୁଲାଇଲା ।

କଂସର ପ୍ରତାପ ତହିଁ ଦେଖି ନାରୀମାନେ

କିଛି ନ କହିଣ ସର୍ବେ ରହିଲେ ମଉନେ ।

ପୁଣି କଂସ ପଲଙ୍କରେ ପହୁଡ଼ିଲା ଯାଇ

ଫରିଖଣ୍ଡା ଧରି ପୁଣି ଝମକି ଉଠଇ ।

ଏମନ୍ତ ଦେଖିଣ ଅନ୍ତଃପୁରର ଯୁବତୀ

ଭୟେ ଥରହର ହୋଇଗଲେ ପଚ୍ଛକତି ।

ପୁଣି କଂସ ବାହାରକୁ କରଇ ଗମନ

ବ୍ରାହ୍ମଣମାନଙ୍କୁ ଡାକିଦେଲା ବହୁ ଦାନ ।

ବୋଇଲା ଦେଖିଲି ମୁହିଁ ଅସାର ସ୍ଵପନ

ସେ ଦୋଷ ମୋହର ଯାଉ ଦେଉଅଛି ଦାନ

ଦାନକରି ପୁଣି ରାଜା ମିଳେ ଅନ୍ତଃପୁରେ

ସକଳ ରାଣୀମାନଙ୍କୁ ହକାରି ପାଶରେ ।

ହେତୀ ପ୍ରହେତୀ ଦୁହିଁଙ୍କୁ ପାଶେ ବସାଇଲା

ଆଜି ରଙ୍ଗସଭା ମୁଁ ଗୋ କରିବି ବୋଇଲା ।

ମାରିବି ରାମକୃଷ୍ଣଙ୍କୁ ଶୁଣ ସଖିମାନେ

ଏଥିରେ ସଂଶୟ ତୁମ୍ଭେ ନ କର ଗୋ ମନେ ।

ଆଜି ସକଳେ ସୁବେଶ ତୁମ୍ଭେ ହୋଇଥିବ

କୃଷ୍ଣ ମଲେ ଦେଖାଇବି ଯାଇଣ ଦେଖିବ ।

ଯେବେ କୃଷ୍ଣଙ୍କୁ ମୁଁ ଆଜ ମାରି ନ ପାରିବି

ତେବେ ତାହାର ହସ୍ତରେ ଜୀବନ ହାରିବି ।

ତୁମ ଆମ୍ଭର ସଜନୀ ଦେଖା ଗୋ ଏତିକି

ମନେ କରୁଥିବ ମୋତେ ଶରତ ଚନ୍ଦ୍ରମୁଖୀ ।

ଏତେକହି କଂସ ତହୁଁ ହୋଇଲା ବାହାର

ବୀରବେଶେ ବସିଲା ସେ ଜଗତୀ ଉପର ।

ମଞ୍ଚପରେ ଫରିଖଣ୍ଡା ଧରି ଝମକାଇ

ଫରଫର ନିଶାଦାଢ଼ି ତାହାର ଉଡ଼ଇ ।

ମନ୍ତ୍ରୀମାନଙ୍କୁ ଯେ କଂସ କହଇ ବଚନ

ରଙ୍ଗସଭାକୁ ଡକାଇ ଆଣ ସର୍ବଜନ ।

ମାଲ ମାହୁନ୍ତ ମାତଙ୍ଗ ସକଳ ହକାରି

ବିନୟଭାବ ଦେଖାଇ ବୋଲେ ଦଣ୍ଡଧାରୀ ।

ଶୁଣ ଆରେ କୁବଳୟା ଯାହା ମୁଁ କହଇ

ବିପତ୍ତି କାଳରେ ମୋର ସଖା ଅଟୁ ତୁହି ।

ଦିଗବିଜେ କାଳେ ତୋତେ ସ୍ୱର୍ଗକୁ ମୁଁ ନେଲି

ତୋହରି ବଳରେ ମୁହିଁ ଦେବଙ୍କୁ ଜିଣିଲି ।

ପାତାଳେ ପଶିଲି ସିନା ମୁଁ ତୋହରି ବଳେ

ହେଳେ ଜୟକଲି ଯେତେଥିଲେ ସେପାତାଳେ

ମର୍ତ୍ତ୍ୟକୁ ଜିଣିଲି ତୋତେ ସଙ୍ଗେ ଘେନି ମୁହିଁ

ମହା ମହା ବୀରମାନ ସଂହାରିଲୁ ତୁହି ।

ଇନ୍ଦ୍ରଗଜ ଐରାବତ ତୋତେ ନୁହେଁ ସରି

କ୍ଷଣକରେ ମେରୁଗିରି ପାରୁ ତୁ ବିଦାରି ।

ଏତେକାଳେ ଆସି ମୋତେ ବିପତ୍ତି ପଡ଼ିଲା

ଦେବକୀର ସୁତ ମୋର ବଇରୀ ହୋଇଲା ।

ଏବେ କୁବଳୟା ସିଂହଦ୍ଵାର ତୁ ଜଗିବୁ

ରାମକୃଷ୍ଣ ବେନିଭାଇ ଛାଡ଼ି ତୁ ନ ଦେବୁ ।

ମାରିବୁ ଉପ୍ରୋଧ ଛାଡ଼ି ନ ରଖିବୁ ମାୟା

ବାଳକ ବୋଲି ତାହାକୁ ନ କରିବୁ ଦୟା ।

ଆଦେଶିଲା ମାହୁନ୍ତକୁ ବେଗ ଯାଅ କଂସ

କୃଷ୍ଣଙ୍କୁ ଯେସନେ ଗଜ କରେ ପ୍ରାଣେ ନାଶ ।

କୃଷ୍ଣଙ୍କୁ ଦେଖିଲେ କୁବଳୟାକୁ ଚାଳିବୁ

ଯେମନ୍ତ ମରଇ କୃଷ ତେମନ୍ତ କରିବୁ ।

ଏତେବୋଲି ମାହୁନ୍ତକୁ ଶାଢ଼ୀବଳା ଦେଲା

ଦେଖି କୁବଳୟା କଂସ ଆଗରେ କହିଲା ।

ବୋଇଲା ହେ ରାଜା ଶୁଣ ମୋହର ବଚନ

ପୂର୍ବେ ବିଦ୍ୟା ନଗ୍ରେ ମୁହିଁ ହୋଇଥିଲି ଜନ୍ମ

ପଣ୍ଡିତ ପଣେ ନୋହିଲେ କେହି ମୋତେ ସରି

ବ୍ରାହ୍ମଣ ଘରେ ମୁଁ ଥିଲି ଜନ୍ମଲାଭ କରି ।

ଚାରିଦିଗେ ମୋର ନାମ ହୋଇଲା ବିଖ୍ୟାତ

ପୁତ୍ର ନାତି ମୋହର ତ ହୋଇଲା ବିଖ୍ୟାତ ।

ମୋଠାକୁ ବହୁତ ଶିଷ୍ୟମାନେ ଯେ ଆସିଲେ

ବିଦ୍ୟାଦାନ ଦିଅବୋଲି ମୋତେ କଟାଳିଲେ

ମୋରପାଦେ ପଡ଼ି କେତେକଲେ ସେ ବିନତି

ଶିଷ୍ୟକର ବୋଲି ମୋତେ କଲେ ବହୁସ୍ତୁତି ।

ପଣ୍ଡିତ ପଣେ ଗର୍ବିତ ହୋଇଲା ମୋ ମନ

ସେମାନଙ୍କୁ କହିଲି ମୁଁ ନିଷ୍ଠୁର ବଚନ ।

ନକଲି ମୁଁ ବିଦ୍ୟାଦାନ କାହାକୁ ଅକ୍ଷରେ

ବହୁତକାଳ ଅପେକ୍ଷା କଲେ ସେ କୁମରେ ।

ନିରାଶ ହୋଇଣ ସର୍ବେ ମୋର ଦ୍ଵାରୁଗଲେ

ଯହୁଁ କିଛି ଶାସ୍ତ୍ର ମୋର ମୁଖୁଁ ନ ଶୁଣିଲେ ।

ବୟସରେ ବାଳୁତ ସେ ଶାପଦେଲେ ମୋତେ

ଗଜମୁର୍ଖ ହୁଅ ବୋଲି ବୋଇଲେ ସମସ୍ତେ ।

ଅସୁର ଗୃହରେ ବନ୍ଦୀ ହୋଇ ତୁ ରହିବୁ

ଯୁଗଯୁଗାନ୍ତରେ ମହାମୂର୍ଖ ହୋଇଥିବୁ ।

ତାଙ୍କ ମୁଖୁଁ ଶୁଣିଣ ମୁଁ ସ୍ତବ୍‌ଧ ହୋଇଲି

ବହୁତ ବିନୟ ହୋଇ ତାହାଙ୍କୁ କହିଲି ।

ପୁଣି ମୋ ବିନୟ ଭାବ ଯହୁଁ ସେ ଦେଖିଲେ

ଅସୁର ଗୃହରେ ନିଶ୍ଚେ ରହିବୁ ବୋଇଲେ ।

କୃଷ୍ଣ ଅବତାର ଧରି ବିଷ୍ଣୁ ଜାତ ହେବେ

ଉଦ୍ଧାର ହୋଇବୁ ତୋତେ ମାରିବେ ସେ ଯେବେ

ଏହିପରି ପୂରୁବରୁ ଶାପ ଅଛି ମୋତେ

ଆନ ହସ୍ତେ ନ ମରିବି କହୁଅଛି ତୋତେ ।

କୃଷ୍ଣ ଯେବେ ବିଷ୍ଣୁ ମୁହିଁ ତା ହସ୍ତେ ମରିବି

ପୂରୁବ ଶାପରୁ ଏବେ ପାର ହୋଇଯିବି ।

ଯେବେ କୁବଳୟା ମଲା ଶୁଣିବୁ ହେ କଂସ

ତେବେ ତୋର ଜୀବନର ଛାଡ଼ିବୁ ତୁ ଆଶ ।

ଜାଣିବୁ ସାକ୍ଷାତେ କୃଷ୍ଣ ଅଟେ ନାରାୟଣ

ବଞ୍ଚିବାକୁ ଇଚ୍ଛାକଲେ ପଶିବି ଶରଣ ।

ଆହୁରି କଥାଏ ମୁହିଁ କହିବିରେ କଂସ

ମୋ ସଙ୍ଗେ ସମାନକଲୁ ଯଶୋଦାର ଶିଷ୍ୟ ।

ତୋରଲେଶେ ବୁଦ୍ଧିନାହିଁ ହୋଇଲୁ ତୁ ବାଇ

ସିଂହ ସଙ୍ଗେ ଶୃଗାଳକୁ ସମ କଲୁ ତୁହି ।

ଦେଖିଲି ବିଚାର ତୋର ଅଟେ ବଡ଼ ହୀନ

ମଞ୍ଜାରୀ ଅଙ୍ଗରେ ମୂଷା କଲୁ ତୁ ସମାନ ।

କୃଷ୍ଣ ସିନା ମୂଷାରେ ମୁଁ ଅଟଇ ମଞ୍ଜରୀ

ମଣ୍ଡୁକର ସଙ୍ଗେ ସର୍ପ କଲୁ ସମସରି ।

ମୁଁ ଅଟେ ସର୍ପମଣ୍ଡୁକ ଦେବକୀର ସୁତ

ତାସଙ୍ଗେ ଲଢ଼ିଲେ ମୋତେ ନିନ୍ଦିବେ ଜଗତ ।

କୃଷ୍ଣ ଅଟେ ଛାଗଳ ମୁଁ ଅଟେ ବାଘଛୁଆ

ଅନେକ ସେ ଦେଖି ମୋତେ ହେବ ଅଚାବୁଆ

ଗଜର ସଙ୍ଗେ ଗଜକୁ ଯେବେ ତୁ ଲଢ଼ାନ୍ତୁ

କୁବଳୟା ପରାକ୍ରମ ତେବେ ତୁ ଦେଖନ୍ତୁ ।

ପୂର୍ବେ ତୁ ବୋଇଲ ମୋତେ ବାଳକକୁ ମାର

ଜାଣିଲି ମୁଁ କଂସ ତୋର ନାହିଁରେ ବିଚାର ।

ମୁଁ କେମନ୍ତେ ସେ ବାଳକ ତନୟ ମାରିବି

ତାହାକୁ ମାରିଲେ ମୁହିଁ ପାତକୀ ହୋଇବି ।

ବାଳକ ଶାପରୁ ମୁହିଁ ଗଜମୁର୍ଖ ହୋଇ

ଅସୁର ଗୃହରେ ବନ୍ଦୀ ହୋଇଅଛି ମୁହିଁ ।

ଏବେ ଯେବେ ବାଳକ ତୋ ବୋଲରେମାରିବି

ଆଉ କି ଜନମ ମୁହିଁ ସଂସାରେ ଲଭିବି ।

କଂସ ଶୁଣି ବୋଇଲେରେ ଶୁଣ କୁବଳୟା

ଏତେବେଳେ କାହିଁପାଇଁ କହୁଅଛୁ ଏହା ।

କୃଷ୍ଣଙ୍କୁ ବୋଇଲୁ ତୁରେ ବାଳୁତ ନନ୍ଦନ

ସେ କୃଷ ଅଟଇ ମେରୁଗିରିର ସମାନ ।

ତୁରେ କୁବଳୟା ସିନା ହସ୍ତୀ ନାମ ବହି

ତୋର ମନେ ବଳୀୟାର ହୋଇଅଛୁ ତୁହି ।

ଯେବେ ତୁ ରାମକୃଷ୍ଣଙ୍କୁ ପାରିବୁରେ ମାରି

ଏ ମଥୁରାପୁରେ ତୁରେ ହେବୁ ଅଧିକାରୀ ।

କୃଷ୍ଣ ମାଇଲେ ବାଳୁତ ହତ୍ୟା ହେବ ମୋର

ଅନ୍ତୁଡ଼ିଶାଳେ ପୁତନା ମାଇଲା ସେ ମୋର ।

ତାହାକୁ ଅବଳା ବଧ କିମ୍ପା ନ ଲାଗିଲା

ତାଠାରେ କିମ୍ପାଇଁ ଦୟା ତିଳେ ସେ ନ କଲା ।

ମୁଁ ତୋତେ ଅଷ୍ଟରତ୍ନରେ କରିବି ଜଡ଼ିତ

ମଧୁପୁରେ ତୋ ସମ୍ମାନ ବଢ଼ିବ ବହୁତ ।

ସ୍ଵର୍ଗକୁ ନେଇଣ ଇନ୍ଦ୍ରପଦେ ବସାଇବି

ଇନ୍ଦ୍ରସମ୍ପଦ ତୋତେ ମୁଁ ଭୋଗ କରାଇବି ।

ରାଜା ବାକ୍ୟେ କୁବଳୟା ବୋଇଲେ ବଚନ

ବନେ ରହି ଡାଳପତ୍ର କରେ ମୁଁ ଭୋଜନ ।

ଇନ୍ଦ୍ରଭୋଗରେ ମୋହର କାର୍ଯ୍ୟ ନାହିଁ ସେତେ

ଆମ୍ଭଙ୍କୁ ନୃପତିମାନେ ରଖାନ୍ତି ବନସ୍ତେ ।

ବଳେ ରାଜାମାନେ ଅଷ୍ଟରତ୍ନରେ ଜଡ଼ାନ୍ତି

ବଳେ ପୀଠପରେ ଶେଜ ଶୁପାତି ଜପାନ୍ତି ।

ଘଣ୍ଟା ଘାଗୁଡ଼ି ସେ ବେଳେ କରନ୍ତି ଭୂଷଣ

ନାନା ପୁଷ୍ପେ ପୁଣି ଅଙ୍ଗ କରନ୍ତି ମଣ୍ଡନ ।

ଆମ୍ଭ ଘେନି ରାଜପୁର ସୁନ୍ଦର ଦିଶଇ

ଆମ୍ଭେ ଯହିଁ ଥିବୁ ଲକ୍ଷ୍ମୀ ତହିଁ ଥାନ୍ତି ରହି ।

ଆମ୍ଭଙ୍କୁ ଅଛନ୍ତି ଲକ୍ଷ୍ମୀ ବେନିହସ୍ତେ ଧରି

ସେହି ଲକ୍ଷ୍ମୀ ଅଟନ୍ତି ଯେ ବିଷ୍ଣୁ ମନୋହାରୀ ।

ବଳେ ସୁରେନ୍ଦ୍ର ଆମ୍ଭଙ୍କୁ କରିଛି ବାହନ

ତୁ ବୋଲୁଛୁ ତୋତେ ଦେବି ମୁଁ ଅଷ୍ଟରତନ

ଜାଣିଲି ମୁଁ ତୋତେ ଆଉ ବୁଦ୍ଧି ନ ଦିଶଇ

ଆରେ କଂସ ମୂର୍ଖପଣ କରୁ କାହିଁପାଇଁ ।

ଦେବକୀର ଷଡ଼ପୁତ୍ର ବିନାଶ ତୁ କଲୁ

ଶିଶୁହତ୍ୟା ମହାପାପ ମନେ ନ ଭାବିଲୁ ।

ସୋଦର ଭଣଜା ତୋର ଅଟେ ବନମାଳୀ

ଭିଣୋଇ ଭଗ୍ନୀଙ୍କ ପାଦେ ଦେଇଛୁ ଶାଙ୍କୋଳୀ

ଏବେ ବୋଲୁଅଛୁ ରାମକୃଷ୍ଣଙ୍କୁ ତୁ ମାର

ସମଦୋଷୀ କରି ଲୋଡ଼ ମୋତେ ତୁ ସଙ୍ଗର ।

ତୋର ବୋଲ ନ କରିବି ଯେବେ ଦଣ୍ଡଧାରୀ

ତେବେ ମୁଁ ନିଶ୍ଚୟ ତୋର ହୋଇବି ବଇରୀ ।

ତୋ ଅନ୍ନେ ପାଳିତ ହୋଇ ନକଲେ ତୋକାର୍ଯ୍ୟ

ଅବଶ୍ୟ ସଂସାର ମୁଖେ ପାଇବି ମୁଁ ଲାଜ ।

ମୋତେ ତୁ କି ରାଜା ଆଉ ରଖିବୁ ଏପୁରେ

ତୋହର ଆଦେଶେ ମୋତେ ମାରିବେ ଅସୁରେ

ଅସୁରଙ୍କ ହସ୍ତେ ମରି ଅଗତି ଲଭିବି

ବାଳକ ଶାପରୁ ଆଉ ଉଦ୍ଧାର ନୋହିବି ।

କୃଷ୍ଣରୂପେ ବିଷ୍ଣୁ ଯେବେ ହୋଇଛନ୍ତି ଜାତ

ତାଙ୍କ ହସ୍ତେ ମଲେ ହେବି ବୈକୁଣ୍ଠ ପ୍ରାପତ ।

ଯେବେ ସେହି ନାରାୟଣ ନୋହିଥିବେ କଂସ

ଏହିକ୍ଷଣି ତା ଜୀବନ କରିବଇଁ ନାଶ ।

ଏତେ କହି କୁବଳୟା କରଇ ଗର୍ଜନ

ତାହାର ଗର୍ଜନେ ପୃଥ୍ୱୀ କମ୍ପେ ଘନଘନ ।

ବୋଇଲେରେ କଂସ ଆଜ ମୁଁ ତୋର ବଇରୀ

ମାରିବି ଅବଶ୍ୟ କରିଅଛି ସତ୍ୟକରି ।

ନତୁବା ସେ ଯେବେ ହୋଇଥାଏ ନାରାୟଣ

ତାରି ପାଦପଦ୍ମେ ଯାଇ ପଶ ତୁ ଶରଣ ।

ଏତେ କହି କୁବଳୟା ତହୁଁ ଚଳିଗଲା

ପ୍ରଥମ ଦ୍ଵାରରେ ଯାଇ ପ୍ରବିଷ୍ଟ ହୋଇଲା ।

ଆଷାଢ଼ ମେଘକୁ ଜିଣି ଗର୍ଜନ କରଇ

ମଥୁରାର ନରନାରୀ ଚିହ୍ନି ସେ ଛାଡ଼ଇ ।

ପୁଣି ମୁଷ୍ଟିକ ଚାଣୁର ବୀରଙ୍କୁ ହକାରି

ଶାଢ଼ୀ ସୁନାବଳା ଦେଇ କହେ ଦଣ୍ଡଧାରୀ ।

ବୋଇଲା ରଙ୍ଗସଭାର ତଳେ ବସିଥିବ

ରାମକୃଷ୍ଣ ବେନିଭାଇ ଦେଖିଲେ ମାରିବ ।

ବାହୁବଳେ ତୁମ୍ଭେ ସ୍ଵର୍ଗପୁରକୁ ଜିଣିଲ

ତୁମ୍ଭଙ୍କୁ ଦେଖିଲେ ଭୟେ କମ୍ପେ ସୁନାଶୀର ।

ଏ କୃଷ୍ଣ ତୁମ୍ଭର ପାଶେ କିଞ୍ଚିତ ଅଟଇ

ଉପ୍ରୋଧ ନକରି ନାଶ କର ବେନିଭାଇ ।

ବାଳୁତ ପୁଅ ସେ ଗୋପପୁରେ ରହିଥାଇଁ

ମାଲ ବିନ୍ଧାଣ ସମର ଜାଣିବେ ସେ କାହିଁ ।

ଯେମନ୍ତେ ମରନ୍ତି ସେହୁ ସେହିପରି ମାର

ଉପରୋଧ ଛାଡ଼ି ତାଙ୍କୁ ଦୟା ଯେ ନ କର ।

ଏମନ୍ତ ସମୟ ଆମ୍ଭେ ପାଇବା ହୋ କାହୁଁ

ପାଶକୁ ଆସିଅଛନ୍ତି ନ ଛାଡ଼ିବା ଆଉ ।

ରଙ୍ଗସଭା ମଧ୍ୟେ ତୁମ୍ଭେ ବସିଥିବ ମାଲେ

ମାରିବ ରାମକୃଷ୍ଣଙ୍କୁ କଳେ କଉଶଳେ ।

ପୁଣି ବୋଲଇ ତୁମ୍ଭେରେ ସ୍ୱର୍ଗପୁରେ ଗଲ

ମୋ ପୃଷ୍ଠ ରକ୍ଷକ ହୋଇ ଇନ୍ଦ୍ରକୁ ଜିଣିଲ ।

ତୁମ୍ଭଙ୍କୁ ଘେନିଣ ମୁହିଁ ଦିଗବିଜେ କାଳେ

ପୃଥିବୀ ସାଧିଲି ସିନା ତୁମ୍ଭ ଭୁଜବଳେ ।

ତୁମ୍ଭ ବାହୁବଳରେ ମୁଁ ହୋଇଲି ରାଜନ

ତୁମ୍ଭବଳେ ଏକଛତ୍ର କଲି ତ୍ରିଭୁବନ ।

ତୁମ୍ଭେ ଥିଲେ ଜିଣିବାକୁ ମୋତେ କେହି ନାହି

ଏବେ ରାମକୃଷ୍ଣଙ୍କୁରେ ବେଗେ ମାର ଯାଇ ।

ଶୁଣି ଚାଣୁର ମୁଷ୍ଟିକ ହେଲେ ଆଗୁସାର

ଆମ୍ଭେ ଥାଉଁ କାହାକୁ ହୋ ତୁମ୍ଭେ ଭୟକର ।

କିମ୍ପାଇଁ ଗୋପକୁ ଆଗ ନ ପେଶିଲୁ ରାୟେ

ଏ ମଧୁପୁରେ ମାରିବୁ ଦେବକୀର ପୋଏ ।

ଆମ୍ଭର ସମାନ ସେ କି ହୋଇବ ରାଜନ

ତୁ କି ଦେଖିନାହୁଁ ଆମ୍ଭ ବଳବୀର୍ଯ୍ୟ ପଣ ।

କ୍ଷଣକେ ପାତାଳ ମର୍ତ୍ତ୍ୟ ସ୍ଵର୍ଗପାରୁ ଦହି

କେ ଅବା ରାମକୃଷ୍ଣଙ୍କୁ ଗଣନା କରଇ ।

ଏଥିପାଇଁ ଭୟ ତୋର ହୃଦେ ନିରନ୍ତର

ଆଜି ପେଶିବୁ ଦେବକୀ ସୁତ ଯମପୁର ।

ଏମନ୍ତ ବୋଲି ବହୁତ ପ୍ରତିଜ୍ଞା ସେ କଲେ

ଦେଖି ରଙ୍ଗ ସଭା ଜନେ ସ୍ତବଧ ହୋଇଲେ ।

ରାଜା ଉଗ୍ରସେନ ଏହି ସମୟ ଆସିଲା

କଂସ ଥିବାଠାରେ ଯାଇ ପ୍ରବେଶ ହୋଇଲା ।

ଦେଖିଣ ଉଗ୍ରସେନକୁ କହଇ ରାଜନ

ସିଂହଦ୍ୱାରେ କୁବଳୟା ଆବୋରିଲା ଜାଣ ।

ଚାଣୁର ମୁଷ୍ଟିକ ବେନି କହିଛି ହକାରି

ବେନି ମାଲ ଥିବେ ରଙ୍ଗସଭାକୁ ଆବୋରି ।

ଶୁଣନ୍ତେ ଉଗ୍ରସେନର ମନକୁ ଅଇଲା

ଯାଅ ଚାଣୁର ମୁଷ୍ଟିକ ବୋଲି ସେ ବୋଇଲା ।

ରାଜାର ଆଜ୍ଞାକୁ କେଭେ ନ କରିବ ଆନ

ରାମକୃଷ୍ଣ ବେନିଙ୍କିରେ ନ ମଣିବ ସାନ ।

ଶୁଣି ଚାଣୁର ମୁଷ୍ଟିକ ଉଠି ବେଗେ ଯାଇ

ରାଜାପାଦେ ପଡ଼ି ରଙ୍ଗସଭାକୁ ସେ ଚାହିଁ ।

ଦେଖି କଂସରାଜା ଶାଢ଼ୀ ସୁନାବଳା ଦେଲା

ଅଷ୍ଟରତନେ ତାହାଙ୍କ ଅଙ୍ଗ ଜଡ଼ାଇଲା ।

ଚନ୍ଦନ ଲେପନ ଅଙ୍ଗେ ପୁଷ୍ପମାଳା ଦେଲା

ଅଙ୍ଗରେ ବୁଲାଇ ହସ୍ତ ଶିରେ ଚୁମ୍ବଦେଲା ।

ସୁଦାମ ତୁଲ୍ୟରେ ତୁମ୍ଭେ ଅଟ ମୋର ଭାଇ

ତୁମ୍ଭ ଭରସାରେ ମଧୁପୁର ମୁଁ ଭୋଗଇ ।

ଯେବେ ରାମକୃଷ୍ଣ ଆଜି ପାରିବାରେ ମାରି

ତୁମ୍ଭେ କରିବରେ ଭୋଗ ଅଧେ ମଧୁପୁରୀ ।

କଂସ ମୁଖୁଁ ଶୁଣି ମାଲେ ନିଶେଦେଲେ ହସ୍ତ

ଆଜି ଦେଖିବୁ ସେ ଆମ୍ଭେ କେଡ଼େ ବଳବନ୍ତ ।

ଏତେବୋଲି ରଙ୍ଗସଭା ତଳରେ ବସିଲେ

ବିଚାରନ୍ତି କୃଷ୍ଣ କିମ୍ପା ବିଳମ୍ବ କରିଲେ ।

ଦିଶନ୍ତି ସେ କାଳଦେବ ପ୍ରାୟେ ବେନି ମାଲେ

ଅରୁଣ ଉଦୟେ ନୀଳ ମେଘ କି ଘୋଟିଲେ ।

ଯେତେ ମଧୁନରନାରୀ ଦେଖିଣ ଆସନ୍ତି

ମାଲଙ୍କୁ ଦେଖିଣ ଭୟେ କିଛି ନ କହନ୍ତି ।

ପୁଣି କଂସ କହେ ଉଗ୍ରସେନ ମୁଖ ଚାହିଁ

ଦେବକୀ ବସୁଦେବଙ୍କୁ ବେଗେ ଆଣ ଯାଇ ।

ଦେଖନ୍ତୁ ସେ ପୁତ୍ର ରାମକୃଷ୍ଣଙ୍କ ମରଣ

ଅଷ୍ଟମଗର୍ଭ ତାଙ୍କର ହୋଇବ ସମ୍ପୂର୍ଣ୍ଣ ।

ଗୋପପୁରେ ବାସୁଦେବ ଚୋରାଇ ରଖିଲା

ଏବେ ଆସି ତାଙ୍କ ସୁଖ ଦେଖ ସେ ବୋଇଲା

ଖଣ୍ଡା ଫରି ଧରି କଂସ କ୍ରୋଧେ ଝମକାଇ

ମନେ ମନେ ଉଗ୍ରସେନ ଦେଖିଣ ହସଇ ।

ଚାରମାନଙ୍କୁ ରାଇ ସେ ବୋଲଇ ବଚନ

ଆଣରେ ଦେବକୀ ବସୁଦେବଙ୍କୁ ବହନ ।

ଆଗେ ପଛେ ରହିଥିବ ତୁମ୍ଭେ ଚାରଗଣେ

ବସାଇବ ଆଣି ରଙ୍ଗସଭାରେ ଯତନେ ।

ଆଜ୍ଞାପାଇ ତତକାଳେ ଗଲେ ଚାରଗଣେ

ଯହିଁଛନ୍ତି ବସୁଦେବ ଦେବକୀ ବନ୍ଧନେ ।

ଦ୍ଵାରୀମାନଙ୍କୁ ସେ ଯାଇ କହନ୍ତି ବଚନ

ଫିଟାଅ ଦେବକୀ ବସୁଦେବଙ୍କ ବନ୍ଧନ ।

କଂସ ଆଜ୍ଞା ଦେଇଅଛି ସଭାକୁ ଯେ ଯିବେ

ତା ଆଜ୍ଞାରେ ଯାଇଛନ୍ତି ସକଳ ଯାଦବେ ।

ଆଜି ରଙ୍ଗସଭା ସାଜି ଅଛନ୍ତି ରାଜନ

ଆଜି ଶ୍ରୀକୃଷ୍ଣ କରିବେ କଂସକୁ ଦର୍ଶନ ।

ରଙ୍ଗସଭାରେ ଦେବକୀ ବସୁଦେବ ଥିବେ

ଅଷ୍ଟମଗର୍ଭ ତାଙ୍କର ପୁରିବା ଦେଖିବେ ।

ମରିବେ ଶ୍ରୀକୃଷ୍ଣ ରାମ ଯିବେ ଯମପୁର

ଏହି ପରି ଆଜ୍ଞା ଦେଇଛନ୍ତି କଂସାସୁର ।

ଚରଙ୍କ ବଚନେ ଦ୍ଵାରୀ କବାଟ ଫିଟାଇ

କହିଲେ ଦେବକୀ ବସୁଦେବ ଆଗେ ଯାଇ ।

ବୋଇଲେ ରାଜାର ଆଜ୍ଞା ଚାଲ ବେଗହୋଇ

ତୁମ୍ଭଙ୍କୁ ନେବାକୁ ଚରେ ଦ୍ଵାରେଛନ୍ତି ରହି ।

ଶୁଣିଣ ଦେବକୀ ତହୁଁ ବାହାରି ବହନ

ଦେଖି ପଚାରନ୍ତି ଚାରମାନଙ୍କୁ ବଚନ ।

କାହିଁପାଇଁ କଂସରାଜା ଡକାଇଛି ଏବେ

କହ ଆରେ ଚାରମାନେ ଶୁଣିଅଛି ଯେବେ ।

ଦୂତେ ବୋଇଲେ ଆମ୍ଭେ ତ କିଛି ଶୁଣିନାହୁଁ

ମିଛକଥା ତୁମ୍ଭ ଆଗେ କହିବୁ ଗୋ କାହୁଁ ।

ବସୁଦେବକୁ ଦେବକୀ ଏହା ଶୁଣି କହି

ମୋ ବାମ ନୟନ ନାଥ କିମ୍ପାଇଁ ସ୍ଫୁରଇ ।

ଦେବକୀକି ବସୁଦେବ କହନ୍ତି ବଚନ

ଗତ ନିଶିରେ ସଖୀ ମୁଁ ଦେଖିଲି ସ୍ୱପନ ।

ଶ୍ଵେତ ହସ୍ତୀପରେ ଉଗ୍ରସେନ ବସିଛନ୍ତି

ଶ୍ଵେତ ପୁଷ୍ପମାଳା ଗଳା ଶୋଭା ବଢ଼ାଉଛି ।

ଶ୍ରୀଅଙ୍ଗେ ଶ୍ଵେତ ଚନ୍ଦନ ହୋଇଅଛି ବୋଳି

ଶ୍ୱେତ ଚାମର ପଡ଼ଇ ତାଙ୍କର ମଉଳି ।

ଆଗରେ ଜୟ ଶଙ୍ଖ ଗୋ ବାଜେ ଘନଘନ

ପୂର୍ବ ଦିଗକୁ ସେ କରୁଅଛନ୍ତି ଗମନ ।

ରାମକୃଷ୍ଣ ବେନିଭାଇ ବେନିପାଶେ ଛନ୍ତି

ଗୋପାଳେ ଉନ୍ମତ୍ତେ ନାନାରଙ୍ଗରେ ନାଚନ୍ତି ।

ଆଗେ ବାଜେ ନାନାବାଦ୍ୟ ମଙ୍ଗଳ ମହୁରୀ

ସୁବର୍ଣ୍ଣର ଝରି ଘେନି ଚଳଇ ପ୍ରହରୀ ।

ଶ୍ଵେତ ପାଟଛତ୍ର ଶିରଉପରେ ଉଡ଼ଇ

ମଣିମା ମଣିମା ବୋଲି ଖୁଣ୍ଟିଆ ଡାକଇ ।

ରାମକୃଷ୍ଣ ହରିଲେ ଯେ କଂସର ଜୀବନ

ତେଣୁକରି ଉଗ୍ରସେନ ହୋଇଲେ ରାଜନ ।

ଆମ୍ଭ ବେନି ଚରଣୁ ଗୋ ଫିଟିଲା ଶାଙ୍କୋଳୀ

ଏମନ୍ତ ସମୟେ ମୁଁ ଯେ ସଚେତ ହୋଇଲି ।

ଏତେ କହି ପତିପତ୍ନୀ ଉଠି ଧୀରେ ଧୀରେ

ଚଳନ୍ତି ମଥୁରାଦାଣ୍ଡେ ଦୁଃଖିତ ଚିତ୍ତରେ ।

ବ୍ରହ୍ମାଣ୍ଡନାଥର ପିତାମାତା ଯେ ଅଟନ୍ତି

ପ୍ରହରୀ ବେଷ୍ଟିତ ହୋଇ ସେ ଶୁଣି ଚଳନ୍ତି ।

ଯାହାକୁ ଦେଖିଲେ ବ୍ରହ୍ମା କରଇ ଭକତି

ସୁରଗଣ ସହ ସ୍ତବ କରେ ଶଚୀପତି ।

ସେ ପୁଣ୍ୟଜନଙ୍କୁ କଂସ ଦିଅଇ କଷଣ

ଧନ୍ୟ ଧନ୍ୟ ବିଧାତା ହୋ ତୋହର ଲିଖନ ।

ରଙ୍ଗସଭା ତଳେ ଯାଇ ହୋଇଲେ ପ୍ରବେଶ

ଜଗତୀ ଉପରେ ଥାଇ ଦେଖେ ରାଜା କଂସ ।

ବସିଅଛି ଉଗ୍ରସେନ ରାଜା ମୁଖ ପୋତି

ହାହାକାର କରୁଛନ୍ତି ମଥୁରା ଯୁବତୀ ।

କେହୁ ବୋଲଇ ଦେଖ ଗୋ ଦେବକୀ କଷଣ

ରାମକୃଷ୍ଣଙ୍କର ଏବେ ଦେଖିବେ ମରଣ ।

ଦେବକୀର କଷ୍ଟମାନ କହି ଗୋ ନୁହଇ

ଧନ୍ୟ ଏ ଦେବକୀ କେତେ କଷ୍ଟ ଅଛି ସହି ।

ବେନି ଚରଣେ ଶାଙ୍କୋଳୀ ପୁଣି ପୁତ୍ର କଷ୍ଟ

ଦେବକୀର ଦୁଃଖ ସବୁ ଦୁଃଖରୁ ଗରିଷ୍ଠ ।

ନାରୀହୋଇ ଜନମ ଗୋ ଯେ ଅବା ଲଭିବ

ଦେବକୀର ଲଗ୍ନେ କେଭେ ଜନମ ନୋହିବ ।

ଏହାର କଷଣ ସଖୀ ନ ପଡୁ କାହାକୁ

ଦେଖ ରାମକୃଷ୍ଣ କଂସ ଆଣେ ମାରିବାକୁ ।

ନିଶ୍ଚୟ ଆଜି ତାହାକୁ ମାରିବ ଏ କଂସ

ଦେଖିବେ ଦେବକୀ ବସୁଦେବ ପୁତ୍ର ନାଶ ।

ମଧୁ ନରନାରୀମାନେ ବିକଳ ହୁଅନ୍ତି

ସେମାନଙ୍କ କଥା ଶୁଣି ଦେବକୀ ଭାବନ୍ତି ।

ବିଚାରିଲେ କଂସ ଆଜି କୃଷ୍ଣଙ୍କୁ ମାରିବ

ଆମ୍ଭଙ୍କୁ ଡକାଇଅଛି ତାହା ଦେଖାଇବ ।

କଂସକୁ ଚାହିଁ ଦେବକୀ ବୋଲନ୍ତି ବଚନ

ତୁ ମୋର କନିଷ୍ଠ ଭାଇ ଶୁଣରେ ରାଜନ ।

ଅଷ୍ଟଗର୍ଭ ନାଶକଲୁ ନ କହିଲୁ କିଛି

ନ ମାର କୃଷ୍ଣଙ୍କୁ ଏବେ ପାଦେ ମୁଁ ପଡୁଛି ।

ତାର ମୁଖ ଦେଖି ସର୍ବ ଦୁଃଖ ପାଶୋରିବି

ତୋ ପାଦେ ତାକୁ ଦାସ ରୂପେ ଖଟାଇବି ।

ସୋଦର ଭଣଜା ସେ ରେ ଅଟଇ ତୋହର

ପାଦେ ପଡୁଅଛି ମୋତେ ପୁତ୍ର ଦାନକର ।

ତୋର ପାଦେ ସେବାକରି ତୋରପାଶେ ଥିବ

ତୁ ଯହିଁକି ପେଶିବୁରେ ତହିଁକି ସେ ଯିବ ।

ତୋର କହିଲା କଥାକୁ ନ କରିବ ଆନ

ତାକୁ ଧରି ତୋର ପାଦେ ପଶିବି ଶରଣ ।

ନ ମାର ତାହାକୁ ଭାଇ ମୋ ବିନୟ ଘେନ

ତୋର ଦୋଷ କରି ନାହିଁ ବାଳୁତ ନନ୍ଦନ ।

ଏତେ ବୋଲି କଂସ ପାଦେ ଦେବକୀ ପଡ଼ିଲେ

ପୁଣି ଉଠି ବେନିକର ଯୋଡ଼ି ଉଭାହେଲେ ।

ମାୟାବେଶ ବସୁଦେବ ନ ପାରିଲା ଜାଣି

ପ୍ରତ୍ୟକ୍ଷ ନୟନେ ଦେଖ ଦେଖ ଚକ୍ରପାଣି ।

ବୋଲେ ବସୁଦେବ ଶୁଣ ହେ କଂସ ରାଜନ

ମୁଁ ଜ୍ୟେଷ୍ଠ ଭିଣୋଇ ଦିଅ ମୋତେ ପୁତ୍ରଦାନ

ବୃଦ୍ଧକାଳେ ଆଉ ମୋତେ ନ ଦିଅ ତୁ କଷ୍ଟ

ଏ ପୁତ୍ରକୁ ଦେଇ ମୋର ମନ କର ତୁଷ୍ଟ ।

ଏତେବୋଲି ବସୁଦେବ ପଡ଼େ ପାଦତଳେ

ସାଧୁଲୋକମାନେ ଦେଖି କୁହାକୁହି ହେଲେ ।

ଏ ବଡ଼ ଅନ୍ୟାୟ ଜ୍ୟେଷ୍ଠ ଭଉଣୀ ଭିଣୋଇ

ଦେଖ କଂସ ପାଦ ତଳେ ପଡ଼ିଛନ୍ତି ସେହି ।

ଜ୍ୟେଷ୍ଠ ହୋଇ କନିଷ୍ଠକୁ ଯେବେ ନ ଡରଇ

ବଡ଼ହୋଇ ଯେବେ ସାନ ପାଦରେ ପଡ଼ଇ ।

କଂସପକ୍ଷେ ବସୁଦେବ ସ୍ୱଂୟ ନାରାୟଣ

ଦେଖ ସେ ଧରିଅଛନ୍ତି କଂସର ଚରଣ ।

କଂସର ଜ୍ୟେଷ୍ଠ ଭଗିନୀ ଦେବକୀ ଅଟଇ

ଇନ୍ଦୁମତୀ ସମାନ ସେ କଂସ ପକ୍ଷେ ହୋଇ ।

ଦେଖ ସେ କଂସର ପାଦତଳେ ପଡ଼ିଅଛି

ଉଠ ବୋଲି ପଦେମାତ୍ର କଂସ ନ କହୁଛି ।

ଏଡ଼େ ନିଷ୍ଠୁର ହୃଦୟ ଏହାର ଅଟଇ

ନିଶ୍ଚୟ ଏହାକୁ ଏବେ ଛାଡ଼ିଲାଣି ବିହି ।

ଏ କଂସକୁ ଆଜି ନିଶ୍ଚେ ଶ୍ରୀକୃଷ୍ଣ ମାରିବେ

ଏଡ଼େ ଅନ୍ୟାୟ କିପରି ବିଧାତା ସହିବେ ।

ଏତେବୋଲି ନରନାରୀ ହୁଅନ୍ତି ବିକଳ

ପଡ଼ିଅଛି ବସୁଦେବ କଂସ ପାଦତଳ ।

ଦେଖିଙ୍କସ କ୍ରୋଧଭର ହୋଇଣ ବୋଲଇ

ବେନି ନୟନ ତରାଟି ନିଶକୁ ମୋଡ଼ଇ ।

ଖଣ୍ଡା ଝମକାଏ କଂସ ମହା କ୍ରୋଧଭରେ

ବସୁଦେବ ମୁଖ ଚାହିଁ ବୋଲଇ ଉଚ୍ଚରେ ।

ଆରେ ଆରେ ବସୁଦେବ ଶୁଣ ମୋ ବଚନ

ଗୋପରେ ଲୁଚାଇ ରଖୁଥିଲୁ ତୁ ନନ୍ଦନ ।

ତୁ ଏବେ ତାହାର ମୃତ୍ୟୁ ସ୍ୱଚକ୍ଷୁରେ ଦେଖ

ପୁଣି କହେ କ୍ରୋଧେ ଚାହିଁ ଦେବକୀର ମୁଖ ।

ବୋଇଲା ଦେବକୀ ମୋର ଭଗିନୀ ତୁ ହୋଇ

ମୋର ମୃତ୍ୟୁ ଦେଖିବାକୁ ଅଛୁ ବାଟ ଚାହିଁ ।

ନାନାରୂପେ ତୋର ପାଦେ ପଡ଼ି ମୁଁ କହିଲି

ଅଷ୍ଟମଗର୍ଭୁ ମୋହର ବଇରୀ ବୋଇଲି ।

ତାହା ନ ମାନି ଗୋପରେ ଲୁଚାଇଲୁ ନେଇ

ଦେଖିବାକୁ ଗଲେ ଯେତେ ମାଇଲା ସେ ତହିଁ ।

ଆଗହୁଁ ଦେବକୀ ଯେବେ ଜାଣିଥାନ୍ତା ତାହା

କିମ୍ପାଇଁ ନନ୍ଦ ଯଶୋଦା ହୋଇଥାନ୍ତେ ସାହା ।

ଗୋପରୁ ଡକାଇ ସଙ୍ଗେ ରଖିଥାନ୍ତି ତେ।ର

ବେନିଚରଣେ ଶାଙ୍କୋଳୀ ପିନ୍ଧାଇ ତାଙ୍କର ।

ତୁ ଦେବକୀ ଭାଇ ବୋଲି ଉପ୍ରୋଧ ନ କଲୁ

ବନ୍ଦୀଘରେ ଥାଇ ମୋର ମରଣ ପାଞ୍ଚିଲୁ ।

ଏବେ ବୋଲୁଅଛୁ ମୋର ପୁତ୍ରକୁ ତୁ ରଖ

କାଲି ମାଇଲା ତୋ ପୁତ୍ର ମୋହର ରଜକ ।

ମୋହର ଧନୁକୁ ପୁଣି ବେନି ଖଣ୍ଡ କଲା

ହାଟବାଟ ଦାଣ୍ଡ ଘାଟ ସବୁ ଜୁର କଲା ।

କେଉଁ ମୁଖେ କହୁଛୁ ତୁ ମୋ ପୁତ୍ର ନ ମାର

ଭଗିନୀ ପୁତ୍ରକୁ ମାରି ଅଧର୍ମ ନ କର ।

ତୋର ଭଉଣୀ ପୁତନା ଦେଖିବାକୁ ଗଲା

ଅନ୍ତୁଡ଼ିଶାଳେ ତୋ ପୁତ୍ର ତାହାକୁ ମାଇଲା ।

ମାଉସୀ ବୋଲି ସେ ତାକୁ ଉପ୍ରୋଧ ନ କଲା

ମୋଠାରେ ଜନମକାଳୁ ବଇରୀ ହୋଇଲା ।

ଷଣ୍ଢା ବକା ଅଘା ଆଦି ଯେତେ ଦେଖିଗଲେ

ତୋର ହେତୁରୁ ମୋର ଫେରି ସେ ନଇଲେ ।

ତୋ ପୁତ୍ର ମାଇଲା ତାଙ୍କୁ ବଂଶ ଯିବ ନାଶ

କେମନ୍ତେ ତୋତେ ମୁଁ ଆଉ କରିବି ବିଶ୍ଵାସ ।

କିଛି ନ କହିଣ କିମ୍ବା ରହୁ ତୁନି ହୋଇ

ଆଜି ଯମପୁରେ ତାକୁ ପଠାଇବି ମୁହିଁ ।

ଦେଖ ତୁ ଆଜି ତୋହର ପୁତ୍ରର ମରଣ

ଆଜ ଦେଖିଥାଉ କୃଷ୍ଣରୂପ ତୋ ନୟନ ।

ତାଙ୍କ ଷଡ଼ଭାଇଙ୍କି ଲୋ ସେ ଦେଖିବେ ଯାଇ

ରହିବେ ସକଳ ଭାଇ ଏକଠାବ ହୋଇ ।

ତୋର ଦୁଃଖମାନ ସବୁ ଭାଇଙ୍କି କହିବ

କେତେକ ଦିନ ଅନ୍ତରେ ତୁମ୍ଭେ ପୁଣି ଯିବ ।

ଆଜହୁଁ ଅଷ୍ଟମଗର୍ଭ ହୋଇବ ସମ୍ପୂର୍ଣ୍ଣ

ଆଜ ମୋତେ କିଛି ତୁ ଲୋ ନ କହ ବଚନ ।

କପାଳେ ଦଇବ ତୋର ଏହି ଅଛି ଲେଖି

ପୁତ୍ର ତୁ ଲୋଡ଼ିଲେ କାହୁଁ ପାଇବୁ ଦେବକୀ ।

ପୁଣି ବସୁଦେବ ମନେ କରନ୍ତି ବିଚାର

ଯେତେ ରୂପେ ବୁଝାଇଲେ ନ ବୁଝେ ଅସୁର ।

ବିଧାତା ବିପକ୍ଷ ଆସି ହୁଅଇ ଯାହାକୁ

ଭଲ କଥାମାନ ମନ୍ଦ ଦିଶଇ ତାହାକୁ ।

ବିଚାରିଣ ବସୁଦେବ ହୋଇଲେ ମଉନ

କିଛି ନ କହି ଦେବକୀ ଭାଳେ ମନେ ମନ ।

ଭୂମିକି ଅନାଇ ଦେବୀ କାନ୍ଦଇ ବିକଳେ

ଅନୁକ୍ଷଣେ ପୁତ୍ର ଚିନ୍ତାନଳେ ହୃଦଜଳେ ।

 

କୁବଳୟା ହସ୍ତୀ ଓ ମାହୁନ୍ତର ବିନାଶ

ଉଗ୍ରସେନକୁ ଅନାଇ କହଇ ରାଜନ

ଚର ପେଶି ରାମକୃଷ୍ଣ ଗୋପାଳଙ୍କୁ ଆଣ ।

ନନ୍ଦ ବୃଦ୍ଧ ଅଟଇ ସେ ଥିଲେ ମଧୁବନେ

ନ ଆସିବେ ଗଉଡ଼େଟି କଦାପି ଏ ସ୍ଥାନେ ।

ନନ୍ଦ ସଙ୍ଗେ ମଧୁବନେ ଥିଲେ ସେ ସକଳେ

ଆସିବେ କୃଷ୍ଣ ସଙ୍ଗରେ ଅଳପ ଗୋପାଳେ ।

ଦୂତେ ଜଣାଇବେ ରାଜା ଅଛଇ ଡକାଇ

ଦର୍ଶନ କରିବେ ଯେବେ ଆସ ବେଗହୋଇ ।

ଶୁଣି ଉଗ୍ରସେନ ଚରମାନଙ୍କୁ ଡକାଇ

ବୋଲେ ମଧୁବନୁ କୃଷ୍ଣ ଆଣ ବେଗେ ଯାଇ ।

ଉଗ୍ରସେନ ଆଜ୍ଞାପାଇ ଦୂତମାନେ ଗଲେ

ମଧୁବନେ କଂସ ଆଜ୍ଞା କୃଷ୍ଣଙ୍କୁ କହିଲେ ।

ବୋଇଲେ ହେ କୃଷ୍ଣ ତୁମ୍ଭେ ବେଗହୋଇ ଆସ

ନନ୍ଦ ସଙ୍ଗେ ମଧୁବନେ ଥାନ୍ତୁ ଗୋପ ଶିଷ୍ୟ ।

ରାଜା ଆଜ୍ଞା ଦେଇଅଛି ବିଳମ୍ବ ନ କର

ଦର୍ଶନ କରିବ ଆସ ଘେନି ହଳଧର ।

ଅଳପ ଗୋପାଳ ତୁମ୍ଭ ସଙ୍ଗେ ଯାନ୍ତୁ ତହିଁ

ବିଳମ୍ବ ନ କରି ବେଗେ ଚାଲ ବେନି ଭାଇ ।

ଟହ ଟହ ହସେ ଶୁଣି ଦେବକୀ ନନ୍ଦନ

ଗଉଡ଼ଙ୍କ ଭାଗ୍ୟେ ଆଜି ରାଜ ଦରଶନ ।

ଗୋପାଳ ମାନଙ୍କୁ ରାଇ କହନ୍ତି ବଚନ

ଥୋକାଏ ସଜ ହୁଅରେ କରିବା ଦର୍ଶନ ।

ଏମନ୍ତ ବୋଲିଣ ରାମକୃଷ୍ଣ ବାହାରିଲେ

ବଜାଇଲେ ଶିଘାଂ ବେଣୁ ଆନନ୍ଦ ମନରେ ।

ବଜାନ୍ତି ଖେମଟା ତାଳେ ଘେନି ରାମତାଳି

ମଧୁଦାଣ୍ଡେ ଚଳନ୍ତେ ସେ ପଡ଼େ ହୁଳହୁଳି ।

ରାମକୃଷ୍ଣ ପଛେ ପଛେ ସକଳ ଗୋଡ଼ାନ୍ତି

ଆନନ୍ଦେ ନାୟିକାମାନେ କୃଷ୍ଣଙ୍କୁ ଦେଖନ୍ତି ।

ବାଳ ପୁଅମାନଙ୍କୁ ଯେ କାଖେ ଛନ୍ତି ଧରି

କୃଷ୍ଣ ନାମେ ବିହ୍ୱଳିତ ସର୍ବ ନରନାରୀ ।

ମନେ ମନେ ଭାବନ୍ତି ଏ ଅତି ଆଚମ୍ବିତ

ଏପରି ସୁନ୍ଦର ରୂପ ଦେଖି ଯେ ନାହୁଁତ ।

ଏକକୁ ଆରେକ ଚାହିଁ ବୋଲନ୍ତି ବଚନ

ଧରାଇ ଆଣିଛି ୟାକୁ କଂସ ନୃପରାଣ ।

ମରାଇବ ବୋଲି ସବୁ କଥା ଭିଆଇଛି

ପ୍ରଥମରେ କୁବଳୟା ହସ୍ତୀକି ରଖିଛି ।

କେତେବେଳେ କୁବଳୟା ପଥ ନ ଛାଡ଼ିବ

ନିଶ୍ଚୟ ସେ ଏହି ଦୁଇଭାଇଙ୍କି ନାଶିବ ।

ସେ ହସ୍ତୀ ପାଖରୁ କେହ୍ନେ ଯିବ ଏ ଉବୁରି

ଏ ସୁନ୍ଦର ଦୁଇଭାଇ ନିଶ୍ଚେ ଯିବେ ମରି ।

ଯଦି ଦଇବ ବଳରେ ତହୁଁ ଉଦ୍ଧରିବେ

ତାପରେ ମଲ୍ଲମାନଙ୍କ ହାବୁଡ଼େ ପଡ଼ିବେ ।

ମଲ୍ଲଗଣେ ଏକୁ ଏକ ମହାବଳୀ ଜାଣ

ତାଙ୍କ ହସ୍ତେ ନିଶ୍ଚେ ଯିବ ଏହାଙ୍କର ପ୍ରାଣ ।

ଏ ସୁନ୍ଦର ବାଳକ ଦୁହିଁଙ୍କି ମାରିବାକୁ

ମନ କରିଅଛି ଧର୍ମ ଛାଡ଼ିଲା କଂସକୁ ।

କେମନ୍ତେ ତାହାର ମନ ଚାଲିଛି ଏଥିରେ

ଧର୍ମ ସହି ବିକି ଆଉ ଏମନ୍ତ କଥାରେ ।

ଫାଟିଯାରେ ଛାତି ବେଗେ ଫୁଟିଯା ନୟନ

ଦେଖି ନ ପାରିବୁ ଆମ୍ଭେ ଏହୁ କଥାମାନ ।

ଏ ଦେଶ ଛାଡ଼ିଣ ଚାଲ ଅନ୍ୟ ଦେଶେ ଯିବା

ଏପରି ଅଧର୍ମ ଦେଶେ ରହି ନ ପାରିବା ।

ସତେ କଂସର ମରଣ ଦୈବ ଘଟାଇବ

ଅନ୍ୟାୟ ଅଧର୍ମ ଏହି ଦେଶୁ ଦୂର ହେବ ।

ଏହିପରି କଥା ମଧୁପୁର ନାରୀମାନେ

ବିକଳ ହୋଇ ଭାବନ୍ତି ଦେଖି ଅନ୍ୟୋଅନ୍ୟେ

ଚକ୍ଷୁରୁ ଲୋତକଧାର ଯାଉଅଛି ବହି

ରାଜଦାଣ୍ଡେ ଦେଖୁଛନ୍ତି ସର୍ବେ ରୁଣ୍ଡ ହୋଇ ।

ଆଗେ ଆଗେ ରାମକୃଷ୍ଣ କରନ୍ତି ଗମନ

ପଛରେ ଗମନ୍ତି ସକଳ ଗୋପାଳଗଣ ।

ରାଜା ସିଂହଦ୍ଵାରେ ଯାଇ ହୋଇଲେ ପ୍ରବେଶ

ଦେଖି କୁବଳୟା ଗଜ ହୋଇଲା ହରଷ ।

ରାମକୃଷ୍ଣ ବେନିଭାଇ ଗଜକୁ ଦେଖିଲେ

ଦ୍ୱାରଛାଡ଼ କୁବଳୟା ବୋଲି ସେ ବୋଇଲେ ।

ଡାକି ଆଣିଛି ଅକ୍ରୂର ମାମୁଁ ପାଶେ ଯିବୁ

ତାହାଙ୍କୁ ଦର୍ଶନକରି ଗୋପକୁ ଫେରିବୁ ।

ପୁଣି କୁବଳୟା ଗଜ ବୋଇଲା ବଚନ

ଦ୍ଵାର ନ ଛାଡ଼ିବି ମୁହିଁ ଶୁଣରେ ନନ୍ଦନ ।

ବାଳକ ତୁ ଅଟୁ ବୋଲି ତୋତେ ଦୟାକଲି

ଫେରିଯାଅ ଗୋପପୁରେ ଧର୍ମେ ଡାକଦେଲି ।

ନ ଫେରିଲେ ଆଜି ତୋତେ କରିବି ମୁଁ ନାଶ

ଯାଆ ଫେରି ତୋତେ ମାରି ପାଇବି କି ଯଶ

ଲୋକ ବୋଲିବେ ଅଟଇ ଗଜ ବଳୀୟାର

ରାମକୃଷ୍ଣ ବେନିଭାଇ ବାଳୁତ କୁମର ।

ତାହାଙ୍କୁ ନିର୍ବଳ ଦେଖି ଗଜ ବିନାଶିଲା

ଏଥିରେ କେଉଁ ପୌରୁଷପଣ ସେ ଲଭିଲା ।

ତା ବଚନ ଶୁଣି କହୁଛନ୍ତି ଦାମୋଦର

କେଡ଼େ କେଡ଼େ ଦୂତେ ଯାଇଥିଲେ ଗୋପପୁର

ଶୁଣିଛି ମୁଁ ଆରେ ଗଜ ମୁନିଙ୍କର ତହୁଁ

ବାଳକ ଶାପରେ ଗଜ ହୋଇଅଛି କେହୁ ।

ସେ ପୁଣି ଶ୍ରୀ କୃଷ୍ଣ ହସ୍ତେ ହୋଇବେ ନିଧନ

ତେବେ ସିନା ଶାପରୁ ସେ ହେବ ବିମୋଚନ

ବିଦ୍ୟାଦାନ ନ ହେବାରୁ ହୋଇଅଛି ପଶୁ

ମୋତେ ସେହି ଗଜପ୍ରାୟେ ତୁ ସିନାରେ ଦିଶୁ ।

ତୁହି ମୂର୍ଖ ଗଜ କିରେ ଶୁଣିନାହୁଁ କର୍ଣ୍ଣେ

ଯେତେ ମଲ୍ଲଯାଇଥିଲେ ସେ ଗୋପଭୁବନେ

ଫେରି ବାରତା କଂସକୁ ନ କହିଲେ କେହି

ସେହି କଥାମାନ କିରେ କଂସ ମନେ ନାହିଁ ।

କଂସର ଅଟଇ ବଳ ସିନା ସେହିମାନେ

ଆଗ ଯାଇ ପଛେଛନ୍ତି ଯିବାକୁ ଗହଣେ ।

ତୁହି ଏବେ ଯାଅ ତାଙ୍କ ସଙ୍ଗରେ ରହିବୁ

କଂସର ଆସନ ଅଟୁ କେମନ୍ତେ ନଯିବୁ ।

ରାଜା ସୁକୁମାର ଅଟେ ନ ପାରଇ ଚାଲି

ଆଗହୋଇ ଯାଅ ତୁମ୍ଭେ ଥାଅ ଅନୁସରି ।

ତୋର ପଛେ ରାଜା ସିନା ଯାଉଛିରେ ଆଜ

ଯମପୁର ଦେଖିବୁ ତୁ ଯାଅ ମୂର୍ଖ ଗଜ ।

ଶ୍ରୀକୃଷ୍ଣ ବଚନ ଶୁଣି ଗଜ ମନେ ଭାଳି

ଜାଣିଲା ମୋ ପୂର୍ବକଥା କାହୁଁ ବନମାଳୀ ।

ମନୁଷ୍ୟ ନୁହଁଇ ଏଟି ଜଗତ କରତା

ନୋହିଲେ ଜାଣନ୍ତା କାହୁଁ ଜନ୍ମାନ୍ତର କଥା ।

ବିଚାରଇ କଂସ ଆଗେ କହିଥିଲି ମୁହିଁ

କେ ଶୁଣିଣ କୃଷ୍ଣ ଆଗେ କହିଥିବ ଯାଇଁ ।

ତେଣୁ ସିନା କୃଷ୍ଣ ମୋତେ କହିଲା ଦେଖାଇ

ସତକରି କେମନ୍ତେ ବା ଛାଡ଼ିଦେବି ମୁହିଁ ।

ଗଜ ଭାବନ୍ତେ ମାହୁନ୍ତ ମନେ କ୍ରୋଧକଲା

ଧର ଧର ବୋଲି ତୁମ୍ଭେ ଅଙ୍କୁଶ ମାଇଲା ।

ଧାଏଁ କୁବଳୟା କ୍ରୋଧେ ହୋଇ ପରଖର

ଆକର୍ଷଇ ଥୋର ହସ୍ତେ ଧରି ହଳଧର ।

ତିଳମନ୍ଦା ତୁଲ୍ୟ ପୃଥ୍ୱୀ ଧରେ ହଳଧର

ମେରୁଗିରିଠାରୁ ଗରୁ ଯାହାର ଶରୀର ।

ସେ ରାମକୁ କୁବଳୟା ନ ପାରଇ ଚାଲି

ଶୁଣ୍ଢରେ ଭିଡ଼ି ଗର୍ଜଇ କରେ ମହାବଳୀ ।

ବାରମ୍ବାର ଥୋର ହସ୍ତେ ରାମଙ୍କୁ ଟାଣିଲା

ଚଳନ୍ତେ ଶ୍ରୀରାମ ପୃଥ୍ୱୀ ଟଳମଳ ହେଲା ।

ଦେଖି ମହାଭୟେ ଗଜ ରାମଙ୍କୁ ଛାଡ଼ିଲା

ନୟନ ତରାଟି ପୁଣି କୃଷ୍ଣଙ୍କୁ ଚାହିଁଲା ।

ବୋଇଲା ଗଉଡ଼ ଆଜି କାହିଁ ପଳାଇବୁ

ମୋର ହସ୍ତେ ପ୍ରାଣଦେଇ ଯମପୁର ଯିବୁ ।

ଏତେବୋଲି ଥୋରହସ୍ତେ କୃଷ୍ଣଙ୍କୁ ଧଇଲା

କୁମ୍ଭକାର ଚକ୍ରପ୍ରାୟ ତାଙ୍କୁ ବୁଲାଇଲା ।

ବୋଲେ ଇଷ୍ଟଦେବତାଙ୍କୁ ସୁମରରେ ତୁହି

ତୁହିପରା ବଳବନ୍ତ ଅଟୁରେ କହ୍ନାଇ ।

ଦେଖି ମଧୁପୁର ଜନେ ବିକଳ ହୋଇଲେ

ଏ ଅନ୍ୟାୟ ପୁରେ ଦଣ୍ଡେ ନଥିବା ବୋଇଲେ ।

ଏସ୍ଥାନେ ଅଧମ ସଂଖ୍ୟା ଅଟଇ ବହୁତ

ଶିଶୁହତ୍ୟା କରେ ରେରେ ଦୃମିଳାର ସୁତ ।

କେ ବୋଲେ ଦେବକୀ ଷଡ଼ ନନ୍ଦନ ମାଇଲା

ଶିଶୁହତ୍ୟାକୁ ସେ ତିଳେ ଭୟ ତ ନକଲା ।

କେ ବୋଲେ କେଡ଼େ ସୁନ୍ଦର ରାମକୃଷ୍ଣ ଦୁଇ

ମାରୁଅଛି କୁବଳୟା ହୃଦେ ଦୟା ନାହିଁ ।

କେ ବୋଲଇ ବଳରାମ ଦେଖନ୍ତି କିମ୍ପାଇଁ

କୃଷ୍ଣଙ୍କୁ ଧରି ତ ଗଜ ପକାଏ ବୁଲାଇ ।

କେହୁବୋଲେ ବେଗେ ଚାଲ ଏଥୁ ପଳାଇବା

ଶ୍ରୀକୃଷ୍ଣ ମରଣ କିମ୍ପା ନୟନେ ଦେଖିବା ।

କେ ଶ୍ରୀରାମ ନାମ ଧରି ପଳାଏ ଦୂରକୁ

ଶୋକଭର ହୋଇଣ କେ ଘୁଞ୍ଚଇ ପଛକୁ ।

କେ ବୋଲଇ ରାମ କିମ୍ପା ଏଥେ ଛନ୍ତି ରହି

କେ ବୋଲଇ କିମ୍ପାଇଁ ଗୋ ନଗଲେ ପଳାଇ ।

କେ ବୋଲଇ ମୋ ଘରେ ଲୁଚିଥାନ୍ତେ ଯେବେ

ଏ ପାମର ଗଜ କିମ୍ପା ମାରନ୍ତା ଗୋ ତେବେ ।

କେ ବୋଲଇ ସଖୀ ତୁ ଗୋ ହୋଇଲୁକି ବାଇ

କଂସର ବଇରୀ ହୋଇ ଲୁଚିବେ ସେ କାହିଁ ।

କେଡ଼େ କେଡ଼େ ମାଲମାନେ ଗୋପପୁରେ ଗଲେ

ସମସ୍ତେ ମରିଲେ କେହି ଜଣେ ନ ଫେରିଲେ ।

କେ ବୋଲେ କାଲି ରଜକ ମାଇଲେ ଲୋ ସହୀ

କେ ବୋଲଇ ଯେତେହେଲେ ମନୁଷ୍ୟ ଅଟଇ

କୁବଳୟା ଗଜ ଅଟେ ଅତି ବଳୀୟାର

କ୍ଷଣକ ମଧ୍ୟରେ ବୁଲିପାରେ ତିନିପୁର ।

ଏହିପରି କୁହାକୁହି ହେଲେ ନରନାରୀ

କୃଷ୍ଣଙ୍କୁ ଧରିଛି ଗଜ ମନେ ଆଣ୍ଟ କରି ।

ପୁଣି କୁମ୍ଭକାର ଚକ୍ର ପରାୟେ ବୁଲାଇ

ମଲୁରେ ଗଉଡ଼ ବୋଲି ଉଚ୍ଚେ ଡାକଦେଇ ।

ଆଜହୁଁ କଂସର ମନୁ ଭୟ ଦୂର ହେଲା

ଆଜୁ ଦେବକୀର ଅଷ୍ଟଗର୍ଭ ଯେ ପୂରିଲା ।

ଏମନ୍ତ ବୋଲି କୃଷ୍ଣଙ୍କୁ ବୁଲାଇ ପ୍ରଖରେ

ଶୂନ୍ୟକୁ ଅନାଇ ଫିଙ୍ଗିଦେଲା ରାଗଭରେ ।

ଚାହୁଁ ଚାହୁଁ ଶୂନ୍ୟେ କୃଷ୍ଣ ଲୀନ ହୋଇଗଲେ

କୁବଳୟା ଗର୍ଭମଧ୍ୟେ ଯାଇ ପ୍ରବେଶିଲେ ।

କେହି ନ ଜାଣିଲେ ଦେବ ରହିଲେ ଗୋପନେ

ହାହାକାର କରୁଛନ୍ତି ମଧୁପୁର ଜନେ ।

କୁବଳୟା ଚଉପାଶେ ବୁଲିଣ ଖୋଜଇ

ମାୟାଧର ପୁରୁଷଙ୍କୁ ପାଇବ ସେ କାହିଁ ।

ପୁଣି ଥୋର ହସ୍ତେ ନିଜପଟେ ଦରାଣ୍ଡଇ

ନପାଇ କୃଷ୍ଣଙ୍କୁ ଚକ୍ରପ୍ରାୟ ସେ ବୁଲଇ ।

ସେ କୃଷ୍ଣ ହସ୍ତୀର ଗର୍ଭେ ଅଛନ୍ତି ଗୋପନେ

ଉଦର ଲାଗଇ ଭାରି ନ ଦେଖେ ନୟନେ ।

କୃଷ୍ଣଙ୍କୁ ନ ଦେଖି ସର୍ବେ ହୁଅନ୍ତି ବିକଳ

କେଡ଼େ ମୂର୍ଖ ହସ୍ତୀ ଫିଙ୍ଗି ଦେଲା ନନ୍ଦବାଳ ।

କେ ବୋଲଇ କୁବଳୟା ବୁଲଇ କିମ୍ପାଇଁ

କୃଷ୍ଣଙ୍କୁ ମାରିବାପାଇଁ ହୋଇଅଛି ବାଇ ।

କେବୋଲେ କୃଷ୍ଣଙ୍କୁ ଯେବେ ମାଇଲାଗୋସହୀ

ତାହାଙ୍କର ମୃତପିଣ୍ଡ ଗୋଟି ଗଲା କାହିଁ ।

କେବୋଲେ କୃଷ୍ଣଙ୍କୁ ଯେବେ ନାଶ କରିଥାନ୍ତା

କାହିଁପାଇଁ କୁବଳୟା ଖୋଜି ବୁଲୁଥାନ୍ତା ।

କେ ବୋଲଇ ବଳରାମ କିମ୍ପା ଚାହିଁଛନ୍ତି

କେ ବୋଲେ କୃଷ୍ଣ ନଦେଖି ଭାବନା କରନ୍ତି ।

କେ ବୋଲଇ କୁବଳୟା ହୋଇଲାଣି ବାଇ

କୃଷ୍ଣଙ୍କୁ ମାରି ଖୋଜଇ ପାଇବ ଗୋ କାହିଁ ।

କୃଷ୍ଣଙ୍କୁ ନ ଦେଖି ଗଜ ମନରେ ବିଚାରେ

ଏ ବଡ଼ ଆଶ୍ଚର୍ଯ୍ୟକଥା ଦେଖିଲେ ଏଠାରେ ।

ମଲା କି ବଞ୍ଚିଲା କୃଷ୍ଣ ନ ପାରିଲି ଜାଣି

କାହିଁପାଇଁ ରହନ୍ତି ସେ ଏତେବେଳେ ପୁଣି ।

କାହିଁପାଇଁ ପେଟ ମୋର ଲାଗୁଅଛି ଭାରି

ଦରାଣ୍ଡି ଖୋଜିଲି କେତେ ନ ପାଇଲି ହରି ।

ପୁଣି ସେ ପେଟକୁ ତାର ଦରାଣ୍ଡି ଖୋଜଇ

ନ ପାଇ କୃଷ୍ଣଙ୍କୁ ଚକ୍ରପ୍ରାୟ ସେ ବୁଲଇ ।

ମଧୁ ନରନାରୀଙ୍କର ବାକ୍ୟ ରାମ ଶୁଣି

ମନେ ବିଚାରନ୍ତି କାହିଁଗଲା ନୀଳମଣି ।

ଅନେକକ୍ଷଣ ହୋଇଲା ତାକୁ ନ ଦେଖିଲି

ଏମନ୍ତ ବିଚାରି କ୍ରୋଧଭର ହେଲେ ହଳୀ ।

ବୋଇଲେରେ କୁବଳୟା କୃଷ୍ଣ ଗଲା କାହିଁ

ବହୁତ ବେଳରୁ ତାର ଏଥି ଦେଖାନାହିଁ ।

ଯେବେ ତୋର ଜୀବନରେ ଆଶା ଅଛି ଗଜ

ଦେଖାଅ ଦେଖାଅ କାହିଁଛନ୍ତି ଦେବରାଜ ।

ଏମନ୍ତ ବୋଲିଣ ରାମ ରେରେକାର କଲେ

କୁବଳୟା ଦନ୍ତ ବେନି କରିରେ ଧଇଲେ ।

ଦେଖି ସୁନାମ ମାହୁନ୍ତ ପିଟିଲା ଗଜକୁ

ଏତେବେଳେ କୁବଳୟା ମାରରେ ରାମଙ୍କୁ ।

ଯହୁଁ ସେ ମାହୁନ୍ତ କଲା ଗଜକୁ ଆଘାତ

ଧରିବାକୁ ରାମଙ୍କୁ ସେ ଟେକେ ଥୋର ହସ୍ତ ।

ଦନ୍ତଧରି ରହିଛନ୍ତି ଯେଣୁ ହଳସାଇଁ

ଆଗ ପଛକୁ ସେ ଗଜ ଚଳି ନ ପାରଇ ।

ଦେଖି ରାମ ତାର ଦନ୍ତ କ୍ରୋଧରେ ଉପାଡ଼ି

ସୁନାମ ମସ୍ତକେ ନେଇ ଦେଲେ ତା କଚାଡ଼ି ।

ସେ ଆଘାତେ ପ୍ରାଣ ତେଜି ମାହୁନ୍ତ ପଡ଼ିଲା

ଦବଯାନେ ବସି ବଇକୁଣ୍ଠ ପୁରେ ଗଲା ।

ଆର ଦାନ୍ତ କ୍ରୋଧେ ଉପାଡ଼ିଲେ ହଳଧର

କୃଷ୍ଣଙ୍କୁ ନଦେଖି ମନେ ହୋଇଲେ ଆକୁଳ ।

ଦନ୍ତ ଉପାଡ଼ନ୍ତେ ହସ୍ତୀ ହୋଇଲା ବିକଳ

ମୁଖରୁ ଶୋଣିତ ତାର ବହେ ଧାର ଧାର ।

ପୁଣି କୁବଳୟା କ୍ରୋଧେ କୃଷ୍ଣଙ୍କୁ ଖୋଜଇ

ଗର୍ଭ ମଧ୍ୟେ ଛନ୍ତି କୃଷ୍ଣ ପାଇବ ସେ କାହିଁ ।

ରାମ ଡାକଦେଲେ ଆରେ କୁବଳୟା ଶୁଣ

ବେଗେ ଶ୍ରୀକୃଷ୍ଣଙ୍କୁ ମୋର ଦେଖାଅ ହେ ପୁଣ ।

ଏତେ ବୋଲି କ୍ରୋଧଭରେ ଲଙ୍ଗଳକୁ ଧରି

ହସ୍ତୀର ଗର୍ଭରେ ଥାଇ ଜାଣିଲେ ମୁରାରୀ ।

ବଳରାମ କ୍ରୋଧେ ମଧୁପୁର ଯିବ ନାଶ

ଗଜ ଗର୍ଭରୁ ବାହାର ହେଲେ ପୀତବାସ ।

ଦୂରେ ଉଭା ହୋଇ ଡାକିଲେରେ କୁବଳୟା

କାହାକୁ ଖୋଜରେ ଗଜ ହୋଇଲୁକି ବାୟା ।

ଦେଖିଣ ସକଳ ଜନ ହୋଇଲେ ସ୍ତବ୍‌ଧ

କୃଷ୍ଣଙ୍କୁ ଦେଖନ୍ତେ ରାମ ଶାନ୍ତ କଲେ କ୍ରୋଧ ।

ଡାକିଲେ କୃଷ୍ଣରେ ଗଜ ମାର ବେଗେ କରି

ବଡ଼ ଦୁଷ୍ଟ ଗଜ ଏ ଯେ ପେଶ ଯମପୁରୀ ।

କୃଷ୍ଣଙ୍କୁ ଦେଖିଣ ଗଜ କରଇ ଗର୍ଜନ

ମହା କ୍ରୋଧେ ମୁଣ୍ଡ ଟେକି କରଇ ଗମନ ।

ଧାଇଁ ଆସି କୃଷ୍ଣ ତାର ଲାଞ୍ଜକୁ ଧଇଲେ

କୁରାଳ ଚକ୍ର ପରାଏ କ୍ରୋଧେ ବୁଲାଇଲେ ।

ଧରିବା ପାଇଁକି ତାକୁ ଗଜ ମନେ କରେ

ବୁଲାନ୍ତି ଶ୍ରୀକୃଷ୍ଣ ଯେଣୁ ଧରି ସେ ନ ପାରେ ।

ଯେଣିକି ଟାଣନ୍ତି କୃଷ୍ଣ ବୁଲଇ ସେ ତେଣେ

ତାର ପଛେ ବୁଲନ୍ତି ଯେ କୃଷ୍ଣ ଏଣେତେଣେ ।

ମଲା କୁବଳୟା ବୋଲି କ୍ରୋଧେ ଡାକଦେଲେ

ତୋ ଇଷ୍ଟଦେବତା ଗଜ ଚିନ୍ତରେ ଏକାଳେ ।

ଦେଖି ମଧୁ ନରନାରୀ ହୋଇଲେ ମଉନ

ଜଡ଼ ପ୍ରାୟେ ହୋଇଛନ୍ତି ନସ୍ଫୁରେ ବଚନ ।

ଘନ ଘନ କୁବଳୟା କରିଣ ଗର୍ଜନ

କୃଷ୍ଣଙ୍କୁ ଧରି ନ ପାରି ଭାଳେ ମନେ ମନ ।

ଫେରି ଫେରି ଶ୍ରୀକୃଷ୍ଣଙ୍କୁ ଧରି ମନେ କରେ

ବୁଲାନ୍ତି ଶ୍ରୀକୃଷ୍ଣ ରଥୀ ନ ପାରଇ ସ୍ଥିରେ ।

ମନେ ଭବେ ଶ୍ରୀକୃଷ୍ଣର ଅପ୍ରମିତ ବଳ

ରାମଠାରୁ କୋଟିଗୁଣେ ଅଟଇ ପ୍ରବଳ ।

ନୋହିଲେକି ମାଇଲେ ଏ ଦୁର୍ଦ୍ଦାନ୍ତ ଅସୁର

ଏହାର କରରୁ ନାହିଁ ଆଜି ତ ନିସ୍ତାର ।

ମାନବ ନୁହଇ ଏତ ସ୍ଵୟଂ ନାରାୟଣ

ଘେନିବ ନିଶ୍ଚୟ ଆଜି କଂସର ଜୀବନ ।

ଶରଣ ମାଗିଲେ ନିଶ୍ଚେ ଛାଡ଼ିଦେବ ମୋତେ

ତିନିପୁରେ ଠାବ ନ ମିଳିବ କଦାଚିତେ ।

ବୋଲିବ ତାହାର ଏହୁ ଖାଉଥିଲା ଅନ୍ନ

ବିପତ୍ତି କାଳରେ ତାକୁ ଛାଡ଼ିହେଲା ଭିନ୍ନ ।

ଯମ ନେଇ କୁମ୍ଭୀପାକେ ପକାଇବ ମୋତେ

ଏ ତ ନାରାୟଣ ନିଶ୍ଚେ ମଲେ ଏହା ହସ୍ତେ ।

ପୂର୍ବ ଅଭିଶାପରୁ ମୁଁ ହେବି ଆଜି ପାର

ଏତେ ବୋଲି କୁବଳୟା ଗର୍ଜେ ବାର ବାର ।

ବିରାଟ ମୂରତି କୃଷ୍ଣ ଧଇଲେ ସେଠାରେ

ଗଜର ଲାଞ୍ଜକୁ ଧରି ବୁଲାନ୍ତି ଶୂନ୍ୟରେ ।

ଦେଖି ନରନାରୀମାନେ ଆଚମ୍ବିତ ହେଲେ

ଧନ୍ୟ ହୋ ଶ୍ରୀକୃଷ୍ଣ ତୋର ମହିମା ବୋଇଲେ ।

ଚକ୍ରାକାରେ ବୁଲାଇଣ ଦେଲେ ତାକୁ ଛାଡ଼ି

ଶୂନ୍ୟରୁ ପଡ଼ଇ ଗଜ ତଳେ ମୁଖ ମାଡ଼ି ।

ତା ମୁଖୁଁ ବାହାର ହେଲା ପ୍ରବଳ ଅନଳ

ପୂର୍ବ ଅଭିଶାପରୁ ସେ ହୋଇଗଲା ପାର ।

ଦିବ୍ୟ ଶରୀର ବହିଣ ସ୍ଵର୍ଗ ଚଳିଗଲା

ଶ୍ରୀକୃଷ୍ଣ ରୂପକୁ ଯେଣୁ ନୟନେ ଦେଖିଲା ।

ପ୍ରାଣ ଗଲାବେଳେ ଗଜ କରିଲା ଗର୍ଜନ

ତାହାର ଗର୍ଜନେ କମ୍ପିଗଲା ତ୍ରିଭୁବନ ।

ଜଗତୀ ଉପରେ କଂସ ଥାଇଣ ଶୁଣିଲା

ଚକିତ ଭାବରେ ଚଉଦିଗକୁ ଚାହିଁଲା ।

ଉଗ୍ରସେନକୁ ଚାହିଁ ସେ ବୋଲଇ ବଚନ

ଶୁଣିବେ କି ତାତ ଶୁଭେ କାହାର ଗର୍ଜନ ।

ଏମନ୍ତ ସମୟେ ଚର ଆସି ପ୍ରବେଶିଲା

ବେନିକର ଯୋଡ଼ି ରାଜା ପାଶେ ଜଣାଇଲା ।

ରାମକୁ ଦେଖିଣ କୁବଳୟା କୋପ କଲା

ଧରି ଓଟାରନ୍ତେ ତିଳେ ଚାଲି ନ ପାରିଲା ।

ତାକୁ ଛାଡ଼ି ଶ୍ରୀକୃଷ୍ଣଙ୍କୁ ଦରାଣ୍ଡି ଧଇଲା

ମଲୁରେ ଶ୍ରୀକୃଷ୍ଣ ବୋଲି ଶୂନ୍ୟେ ଫିଙ୍ଗିଦେଲା

ଖଣ୍ଡଦୂରେ ପଡ଼ି କୃଷ୍ଣ ଡାକିଲେ ଗଜକୁ

କ୍ରୋଧଭରେ ଗଲା ଗଜ ତାହାଙ୍କ ପାଖକୁ ।

ଦେଖିଣ ଶ୍ରୀକୃଷ୍ଣ ତାର ଧଇଲେ ଲାଞ୍ଜକୁ

ଚକ୍ରସମ ବୁଲାଇଲେ ଶୂନ୍ୟରେ ଗଜକୁ ।

ଗଜ କେଭେ ଶ୍ରୀକୃଷ୍ଣଙ୍କୁ ଧରି ନ ପାରିଲା

ଭୂମିରେ ତ ତାର ପାଦ କେଭେ ନ ଲାଗିଲା ।

ଗଜକୁ ଧରି ଶ୍ରୀକୃଷ୍ଣ ବୁଲାଇ ବୁଲାଇ

ଡାକନ୍ତି ମଲୁରେ ଦୁଷ୍ଟ ଇଷ୍ଟ ଚିନ୍ତ ତୁହି ।

ଏହା କହି ଛାଡ଼ିଦେଲେ ଲାଞ୍ଜ ତାର ଯହୁଁ

ଭୂମିରେ ପଡ଼ିଣ ପ୍ରାଣତ୍ୟାଗ କଲା ସେହୁ ।

ଶ୍ରବଣେ କଂସ ରାଜାର ଉଡ଼ିଲା ସାହସ

ଉଗ୍ରସେନଙ୍କୁ ଅନାଇ ବୋଲେ ନରଈଶ ।

କୁବଳୟା ପରାକ୍ରମ ଜାଣୁ ତାର ତୁହି

ମାନବ କି ପାରେ ତାକୁ ଶୂନ୍ୟରେ ବୁଲାଇ ।

ପୁଣି କୁବଳୟା ପ୍ରାଣ କେଉଁପରି ଗଲା

ଏକଥା ଶୁଣନ୍ତେ ମୋତେ ଆଶ୍ଚର୍ଯ୍ୟ ଲାଗିଲା ।

ଏହିରୂପେ କହି କଂସ ଚିତ୍ତେ ଭୟ କରି

ବୋଲେ ନିଶ୍ଚୟ ଶ୍ରୀକୃଷ୍ଣ ଅଟେ ଦେବହରି ।

ଦୈତ୍ୟ ମାରିବା ପାଇଁକି ହେଲା ଅବତାର

କାହାବଳେ କୁବଳୟା ଯାନ୍ତା ଯମପୁର ।

କୁବଳୟା କଥା ଭାବି ହୁଅଇ ବିକଳ

ଅନ୍ତରେ ଜଳଇ ସର୍ବନାଶୀ କ୍ରୋଧାନଳ ।

 

Unknown

ଚାଣୁର, ମୁଷ୍ଟିକ, କୁକୁଟ ପ୍ରଭୃତି ମାଲଙ୍କର ବିନାଶ

ଗଜ ମାରି ରାମକୃଷ୍ଣ ହୋଇଲେ ବାହାର

ବହିଛନ୍ତି କନ୍ଧେ ଡାର ଦନ୍ତ ହଳଧର ।

ସାକ୍ଷାତରେ ମୃତ୍ୟୁ ଦେବ ପ୍ରାୟେ ସେ ଦିଶନ୍ତି

ଅରୁଣ ସମାନ ଦିଶେ ଗଜରକ୍ତ ଜ୍ୟୋତି ।

ଭୟଙ୍କର ମୂର୍ତ୍ତି ଧରିଛନ୍ତି ହଳଧର

ଯେ ରୂପ ଦେଖିଲେ ଭୟେ କମ୍ପିବେ ଅମର ।

ପୁଣି ଦେଖିବାକୁ ରଙ୍ଗସଭା ପୀତବାସ

ଧୀରେ ଧୀରେ ଚଳନ୍ତି ସେ ହୋଇଣ ହରଷ ।

ଦୂରୁ ଚାଣୁର ମୁଷ୍ଟିକ ବେନି ବୀରଙ୍କର

ପଡ଼ନ୍ତେ ଦୃଷ୍ଟି ମିଳିଲେ ଶ୍ରୀକୃଷ୍ଣ ଛାମୁର ।

ବୋଲନ୍ତି ଗଉଡ଼େ ଆରେ ଆଜ କାହିଁଯିବ

ଗୋପପୁର ନୁହେଁ ଏତ କରିଛି ଗରବ ।

ମଥୁରାପୁରରେ ତୁମ୍ଭେ ହୁରିଜୁରି କର

ରଜକ ମାରି ବସନ ଲୁଟିଲ ରାଜାର ।

ପୁଣି ବେନିଖଣ୍ଡ କରି କାର୍ମୁକ ଭାଙ୍ଗିଲ

ଏବେ କୁବଳୟା ଗଜ ଜୀବନ ହାରିଲ ।

ଜୀବନ ଧରିଣ ଏଥୁ ଯିବକିରେ ଫେରି

ମନେ କରିଛ ଦେଖିବ ଯାଇ ଗୋପପୁରୀ ।

ମାଲଯୁଦ୍ଧେ ଯିବ ଆଜ ତୁମ୍ଭର ଜୀବନ

ଇଷ୍ଟଦେବତା ତୁମ୍ଭର ସୁମର ନନ୍ଦନ ।

ଶ୍ରବଣେ ବୋଲନ୍ତି କୃଷ୍ଣ ଶୁଣରେ ଅସୁରେ

ଧନୁଯାତ୍ରା ଦେଖିବାକୁ ଆସିଛୁ ଏ ପୁରେ ।

ମଲ୍ଲଯୁଦ୍ଧ କାହୁଁ ଆମ୍ଭେ ଜାଣିବୁରେ ପୁଣ

ଜାତିରେ ଗଉଡ଼ ପୁଣି ବାଳକ ନନ୍ଦନ ।

ଜନମରୁ କେବେ ମଲ୍ଲଯୁଦ୍ଧ ଦେଖାନାହିଁ

ତୁମ୍ଭେ ବୋଲ ମଲ୍ଲଯୁଦ୍ଧ କର ବେନିଭାଇ ।

ଦୁର୍ବଳ ଥିଲା ରଜକ ଝୁଣ୍ଟିପଡ଼ି ମଲା

ଏଥିରେ ଆମ୍ଭର ଦୋଷ କେଉଁପରି ହେଲା ।

ପୁରୁଣା ବାଉଁଶ ଧନୁ ମାମୁଁ କରିଥିଲା

ହସ୍ତେ ଧରି ଗୁଣ ଦେଉଁ ବେନିଖଣ୍ଡ ହେଲା ।

ମଥୁରାର ହାଟବାଟ କରିବାକୁ ଜୁରି

କିମ୍ପାଇ ତୁମ୍ଭେରେ କହୁଅଛି ମିଥ୍ୟାକରି ।

ଆମ୍ଭଙ୍କୁରେ କୁବଳୟା ଗଜ ମାରୁଥିଲା

ଧରମେ ବଞ୍ଚିଲୁ ସେ ଯେ ମହାନିଦ୍ରା ଗଲା ।

ଆମ୍ଭଙ୍କୁ ଚିହ୍ନିବ ଭାଇ ତୁମ୍ଭେ କାହିଁପାଇଁ

ତୁମ୍ଭ ଆମ୍ଭର ତ କେବେ ଦେଖାଦେଖି ନାହିଁ ।

ଦେଖିଥିଲେ ଆମ୍ଭଙ୍କୁରେ ଷଣ୍ଢା ଅଘା ବକା

ତୁମ୍ଭେମାନେ ତାଙ୍କଠାରୁ ଶୁଣିଥିବ ଏକା ।

ପୁତନା ମାଉସୀ ମୋତେ ସ୍ତନ ପିଆଇଲା

ଏତେବେଳଯାଏ ମୋତେଭେଟ ସେ ନଦେଲା ।

ଆମ୍ଭପଛେ ତୁମ୍ଭ ସ୍ଥାନେ ଜଗୁଅଛୁ ଭାଇ

ସେମାନଙ୍କୁ ତୁମ୍ଭେ ଥରେ ଡାକିଆଣ ଯାଇ ।

ଶୁଣି ଚାଣୁର ମୁଷ୍ଟିକ କ୍ରୋଧଭର ହେଲେ

ରେରେକାର କରି ଦୁହେଁ ଗର୍ଜିଣ ଉଠିଲେ ।

ଚାଣୁର ବୋଇଲା ଶୁଣରେ ମୁଷ୍ଟିକ ଭାଇ

ତୋ ଭାଗେ ପଡ଼ିଲା ରାମ ମୋ ଭାଗେ କହ୍ନାଇ ।

ଏମନ୍ତ ବୋଲି ଚାଣୁର କୃଷ୍ଣଙ୍କୁ ଧଇଲା

ତାହା ଦେଖିଣ ମୁଷ୍ଟିକ ରାମଙ୍କୁ ଝିଙ୍କିଲା ।

ମଲ୍ଲବନ୍ଧେ ହଳଧର ବସନ ପିନ୍ଧିଲେ

ବାମକରେ ମୁଷ୍ଟିକର ଗଳାକୁ ଧଇଲେ ।

ଧରାଧରି ହୋଇଣ ସେ ଭୂମିପରେ ପଡ଼ି

ପୁଣିହିଁ ହୁଅନ୍ତି ମଲ୍ଲବନ୍ଧେ ଗଡ଼ାଗଡ଼ି ।

ମାଇଲା ମୁଷ୍ଟିକ ରାମେ ବିଧାଏ ଉଞ୍ଚାଇ

ରୋହିଣୀ ନନ୍ଦନ ମଲ୍ଲବନ୍ଧେ ତା ବଞ୍ଚାଇ ।

ରାକ୍ଷସର ଗର୍ବେ ରାମ କ୍ରୋଧଭର ହେଲେ

ରକ୍ତଚକ୍ଷୁ ଭୀମମୂର୍ତ୍ତି ତକ୍ଷଣେ ଧଇଲେ ।

ବୋଇଲେ ମୁଷ୍ଟିକ ଗଲୁ ଶମନ ଦମନ

ତୋ ଇଷ୍ଟ ଦେବତା ତୁରେ କର ସୁମରଣ ।

ଶୁଣି ମୁଷ୍ଟିକ ରାମଙ୍କୁ ଚାପୋଡ଼େ ମାଇଲା

ତା ଦେଖି ରାମଙ୍କ ମନେ କ୍ରୋଧ ଉପୁଜିଲା ।

ବୋଇଲା ମୁଷ୍ଟିକ ତୁରେ ଗଲୁ ଯମପୁର

ରଖି ନ ପାରିବେ ତୋତେ ବ୍ରହ୍ମ। ଇନ୍ଦ୍ର ହର ।

ଏମନ୍ତ ବୋଲିଣ ତାର କେଶକୁ ଧଇଲେ

ମୁଣ୍ଡମୋଡ଼ି ଆକାଶକୁ କ୍ରୋଧେ ଫିଙ୍ଗିଦେଲେ ।

ବୋଇଲେ ମୁଷ୍ଟିକ ଦେଖ କଂସକୁ ତୁ ଯାଇ

ଏତେ ବୋଲି ଫିଙ୍ଗିଦେଲେ ତାକୁ ହଳସାଇଁ ।

ହସ୍ତ ମୁଣ୍ଡ ଦହି ଗଣ୍ଡି ଶୂନ୍ୟେ ଉଡ଼ିଗଲା

କଂସର ଜଗତୀ ପରେ ଯାଇଣ ପଡ଼ିଲା ।

ମୁଣ୍ଡକୁ ପକାଇ ରାମ ତଳେ ଉଭାହେଲେ

ଶ୍ରୀକୃଷ ଚାଣୁର ଯୁଦ୍ଧ କୌତୁକେ ଦେଖିଲେ ।

କୃଷଙ୍କୁ ଚାହିଁ ବୋଲନ୍ତି ପୁଣି ହଳଧର

ମୁଷ୍ଟିକ ଗଲାଣି କଂସ ନୃପତି ଛାମୁର ।

ମୁଣ୍ଡ ତାର ଦ୍ଵାର ଜଗି ରହିଅଛି ଦେଖ

ଶୀଘ୍ର କ୍ଷେପ ଚାଣୁରକୁ ଯାଉ ତାର ପାଖ ।

ଏକାକୀ ସେ ଯାଇଅଛି ନୃପତି ଛାମୁର

ବେଗେ କ୍ଷେପ ଚାଣୁରକୁ ବିଳମ୍ବ ନକର ।

ଶୁଣି ରାମଙ୍କ ବଚନ କୃଷ୍ଣ କ୍ରୋଧ କରି

ଚକ୍ରପ୍ରାୟେ ଘୁରାଇଲେ ଚାଣୁରକୁ ଧରି

ରାମ ଯେ ମୁଷ୍ଟିକ ପ୍ରାଣ କରିଛନ୍ତି ନାଶ

ତୁ ଯାଇ ବାରତା କହ କଂସରାଜା ପାଶ ।

ଏତେବୋଲି ମୁଣ୍ଡ ମୋଡ଼ି ପକାଇଲେ ହରି

ଗଣ୍ଡିକି ଫିଙ୍ଗିଣି ଦେଲେ ଶୂନ୍ୟେଗତି କରି ।

ମୁଣ୍ଡକୁ ପକାଇ ତଳେ ରାମ ସଙ୍ଗେ ଗଲେ

ଦେଖଣାହାରୀ ସକଳେ ପଛେ ଗୋଡ଼ାଇଲେ ।

ଚାଣୁର ମୁଷ୍ଟିକ ଗଣ୍ଡି ଜଗତୀ ଉପରେ

ପଡ଼ନ୍ତେ ଅନାଇ କଂସ ଥରିଲା ଭୟରେ ।

ଅଦ୍ଭୁତ ବିଚାରି ମନେ ହେଲା ଚମକିତ

ରଙ୍ଗ ସଭା ଜନମାନେ ହେଲେ ଆଚମ୍ବିତ ।

ଉଗ୍ରସେନଙ୍କୁ ଅନାଇ ବୋଲେ ରାଜା କଂସ

କାହାର ଏ ଗଣ୍ଡି ଚିହ୍ନିଆସ ତାର ପାଶ ।

ଶୁଣି ଉଗ୍ରସେନ ରାଜା ତୁରିତେ ଉଠିଲା

ଗଣ୍ଡି ବେନି ପଡ଼ିଅଛି ନୟନେ ଦେଖିଲା ।

ବୋଇଲା ରାଜନ ଗଣ୍ଡିରେ ତା ମୁଣ୍ଡ ନାହିଁ

ମୁଣ୍ଡ ନଥିବା ଗଣ୍ଡିକି ଚିହ୍ନି ତ ନୁହଇ ।

ଚାଣୁର ମୁଷ୍ଟିକ ଗଣ୍ଡି ପ୍ରାୟତ ଦିଶଇ

ଏ ସମୟେ ଜଗତୀର ତଳେ ଚାର ଯାଇ ।

ବୋଇଲା ତୁମ୍ଭେ ରାଜନ ସାବଧାନେ ଶୁଣ

ଚାଣୁର ମୁଷ୍ଟିକ ଆଜି କଲେ ଘୋର ରଣ ।

ରାମକୃଷ୍ଣ ବେନିଭାଇ ସେ ବେନିଙ୍କୁ ମାରି

ଫିଙ୍ଗି ଦେଲେ ଗଣ୍ଡି ଦୁଇ ଶୂନ୍ୟେ ଗତିକରି ।

ଯାଅ ବୋଲି କଂସ ଆଗେ କହ ଏ ବାରତା

ବେନି ମୁଣ୍ଡ ପକାଇଲେ ଦ୍ଵାରେ ବେନିଭ୍ରାତା ।

ପଡ଼ିଛି ସେ ବେନିଖଣ୍ଡ ଜଗତୀର ତଳେ

ପ୍ରତ୍ୟକ୍ଷେ ଦେଖିଛି ରାଜା ରହି ବେନିଡୋଳେ ।

ଶୁଣି କଂସ ନୃପତିର ସାହସ ଉଡ଼ିଲା

ନିଶ୍ଚେ ମଲି ବୋଲି ତାର ମନରେ ଭାବିଲା ।

ମନୁଷ୍ୟ ହୋଇଣ କେଡ଼େ କରୁଛି ସାହସ

କେଡ଼େକେଡ଼େ ମାଲଙ୍କର କଲେ ପ୍ରାଣନାଶ ।

ଦେଖୁଥିଲେ ମଲ୍ଲଙ୍କର ଭାଇ ପୁତ୍ରଗଣ

ଡାକଦେଲେ ଉଗ୍ରସେନ ଆସରେ ବହନ ।

କିମ୍ପାଇଁ ବସିଛ କିସ କରୁଛି ବିଚାର

ଶବକୁ ନେଇଣ ବେଗେ କରରେ ସଂସ୍କାର ।

ବେନି ମାଲଙ୍କୁ ନାଶିଲେ ରାମକୃଷ୍ଣ ଦୁଇ

ଶବ ପଡ଼ିଥିବାରୁ ତ ଏଥି ନ ଯୋଗାଇ ।

ଚାଣୁର ମୁଷ୍ଟିକ ପୁତ୍ର ଆଦି ବନ୍ଧୁଗଣ

ଆଜ୍ଞାପାଇ ଶବ ନେଇ କରନ୍ତି ଦହନ ।

ତତକ୍ଷଣେ ଉଗ୍ରସେନ ବିପ୍ରଗଣ ରାଇ

କଂସହସ୍ତେ ଧେନୁ ସ୍ୱର୍ଣ୍ଣ ପ୍ରଦାନ କରାଇ ।

କରାଇଲେ ସଂସ୍କାର ସେ ଶବ ଥିବା ସ୍ଥାନ

ତହୁଁ କଂସ ମନୁ ଭୟ ଛାଡ଼ିଲା ବହନ ।

ଅଷ୍ଟମଲ୍ଲ ରାଇ ପୁତ୍ର ବୋଲେ କଂସାସୁର

ଯେ ପାଇବ ମାର ଆଜି କୃଷ୍ଣହଳଧର ।

ମଧୁପୁରେ ହୋଇବେଟି ସେହି ଅଧିକାରୀ

ଦାସତୁଲ୍ୟ ଖଟିବି ମୁଁ ତାର ସେବାକରି ।

ପିତୃମାନଙ୍କୁ ତୁମ୍ଭର କଲେ ସେ ସଂହାର

ପିତୃଶତ୍ରୁ ତୁମ୍ଭରଟି ସେ ବେନି ସୋଦର ।

ଏତେବୋଲି ସେମାନଙ୍କୁ ଶାଢ଼ୀ ବଳା ଦେଲା

ଗନ୍ଧ ଚନ୍ଦନ ନେଇଣ ହୃଦେ ବୋଳାଇଲା ।

ଶୁଣି ଅଷ୍ଟମଲ୍ଲ ପୁତ୍ର ରେରେକାର କରି

ଝମକାଇଲେ କରରେ କ୍ରୋଧେ ଖଡ଼୍‌ଗ ଧରି ।

ରଙ୍ଗସଭା ମଧ୍ୟେ ସିଂହଠାଣିକି ଦେଖାଇ

ବସିଣ ଅଛନ୍ତି ବୀରେ ଛାତିକି ଫୁଲାଇ ।

ଏ ସମୟେ ରଙ୍ଗସଭା ତଳେ ଦାମୋଦର

ପ୍ରବେଶ କରିଲେ ସଙ୍ଗେ ଛନ୍ତି ହଳଧର ।

ଶିଘାଂବେଣୁ ଯଷ୍ଟି ଧରି ଅଛନ୍ତି ସେ କରେ

ଥୋକାଏ ଗୋପାଳଛନ୍ତି ତାହାଙ୍କ ପଛରେ ।

ଦେଖି ଅଷ୍ଟମଲ୍ଲ ସୁତେ ରେରେକାର କଲେ

କେଡ଼େ ସାହସ ଗଡ଼ରେ ପଶିଛ ବୋଇଲେ ।

ଆନ ମଲ୍ଲ ପ୍ରାୟେ କିରେ ମଣିଛ ମନର

ବାହୁବଳେ ମର୍ତ୍ତ୍ୟେ ଆଣିଅଛୁ ସ୍ଵର୍ଗପୁର ।

ଦେଖିଗଲେ ଆମ୍ଭ ପିତା ତାହାଙ୍କୁ ମାଇଲୁ

ପଥର ଫୋପାଡ଼ି ତୁରେ ମୁଣ୍ଡ ଦେଖାଇଲୁ ।

ଜ୍ୱଳନ୍ତ ଅନଳେ ନେଇ ଭରୁଅଛୁ ମୁଖ

ଚକ୍ଷୁହୀନ ହୋଇ କେହ୍ନେ ଜଗତକୁ ଦେଖ ।

ଆକାଶର ଚନ୍ଦ୍ରକୁରେ କରେ ଧରି ଲୋଡ଼

ଏଠାରେ ଗୋପଗାରିମା ଛାଡ଼ରେ ଗଉଡ଼ ।

ପ୍ରଥମେ ପୁତନା ସୁତ ହେଲା ଆଗଭର

ବୋଇଲା ଶ୍ରୀକୃଷ୍ଣ ଆଜ ଗଲୁ ଯମପୁର ।

ତୋର ଜନ୍ମ ଶୁଣି ମୋର ମାତା ଦେଖାଗଲା

ମାଉସୀ ବୋଲି ତୋହର ଦୟା ନଆସିଲା ।

ମାଇଲ ତାହାକୁ ତୁରେ ଫେରି ନ ଆସିଲା

ନିଜେ ମୋଠାରୁ କି ବର୍ତ୍ତିଯିବୁ ନନ୍ଦବଳା ।

ପୁତନାର ଜ୍ୟେଷ୍ଠ ପୁତ୍ର ଅଟଇରେ ମୁହିଁ

ମୋହଠାରୁ ସାନ ପୁଣି ଛନ୍ତି ଚାରିଭାଇ ।

ହଂସକ ଡିମ୍ବକ ସଙ୍ଗେ କରନ୍ତି କୌତୁକ

ମୋହର ନାମ ଅଟଇ ଶତ୍ରୁ ବିମର୍ଦ୍ଦକ ।

ଜନମକାଳରୁ ଶତ୍ରୁ ଦେଖିଲେ ମାରଇ

ବହୁତ କାଳରୁ ଶତ୍ରୁ ସଙ୍ଗେ ଦେଖାନାହିଁ ।

ଏବେ ମୋ ଛାମୁରେ ତୁମ୍ଭେ ପଡ଼ିଲରେ ଆସି

ମାତୃଋଣ ଶୁଝିବି ମୁଁ ତୋ ପ୍ରାଣ ବିନାଶି ।

ଅସୁର ନନ୍ଦନ ବାକ୍ୟ କୃଷ୍ଣ କର୍ଣ୍ଣେ ଶୁଣି

ବୋଇଲେ ତୁମ୍ଭ ଆମ୍ଭର ଦ୍ୱନ୍ଦ୍ୱ କାହିଁ ପୁଣି ।

ସୋଦର ଭଣଜା ସିନା କଂସର ତୁ ଅଟୁ

ମଧୁପୁରେ ଥାଇ ନିତ୍ୟେ ମାମୁଁ ପାଦେ ଖଟୁ ।

ମୁହିଁ ସୋଦର ଭଣଜା କଂସର ଅଟଇ

ଜନମକାଳରୁ ତାର ରୂପ ଦେଖିନାହିଁ ।

ଗୋପପୁରେ ରହି ନନ୍ଦ ଗୃହରେ ବଢ଼ିଲି

ମାମୁଁଘର ବୋଲି ଭାଇ କେବେ ନଜାଣିଲି ।

ପାଖରେ ଥିଲେ ସିନାରେ ଅଟେ ନିଜ ଗୋତ୍ର

ଦୂରେ ଥିଲେ ବନ୍ଧୁ କାହିଁ ହୋଇବ ତେମନ୍ତ

ମୁଁ ତୋର ମାଉସୀପୁଅ ଅଟଇରେ ଭାଇ

ତୁ କାହୁଁ ଚିହ୍ନିବୁ ତୋର ମୋର ଦେଖା ନାହିଁ

ତୋତେ ନ ଦେଖି ମାଉସୀ ହେଉଥିବେ ଝୁରି

ତୁ ତାର ଜ୍ୟେଷ୍ଠ ନନ୍ଦନ ଯାଅ ବେଗକରି ।

ପୁତନା ନନ୍ଦନ ଶୁଣି କୃଷ୍ଣର ବଚନ

ଗଦା ନେଇ ତାଙ୍କ ଅଙ୍ଗେ ପିଟିଲା ବହନ ।

କୃଷ୍ଣ ଅଙ୍ଗେ ଗଦାପଡ଼ି ଶତଖଣ୍ଡ ହେଲା

ଦେଖି ପୁତନାର ସୁତ ବିଧାଏ ମାଇଲା ।

ସେ ବିଧା ବଞ୍ଚାଇ କୃଷ୍ଣ ବୋଇଲେରେ ଭାଇ

କଂସ ଆଗରେ ବାରତା କହିବୁ ଯା ତୁହି ।

ଏତେକହି ଅତିରାଗେ ଚାପୋଡ଼େ ମାଇଲେ

ଛିଣ୍ଡାଇ ମସ୍ତକ ତାର ଲୋଟାଇଲେ ତଳେ ।

କଂସର ଛାମୁରେ ମୁଣ୍ଡ ଯାଇଣ ପଡ଼ିଲା

ଅନାଇ ମୁଖକୁ ତାର ଉଚ୍ଚେ ହାସ୍ୟ କଲା ।

ପୁତନାର ପୁତ୍ର ପ୍ରାଣେ ନାଶ ଗଲା ଯହୁଁ

ଚାଣୁର ମୁଷ୍ଟିକ ପୁତ୍ର କ୍ରୋଧ ହେଲେ ତହୁଁ ।

ବୀରଚଣ୍ଡ ସାୟକ ଯେ ଚାଣୁର କୁମର

ଅଛନ୍ତି କନିଷ୍ଠ ତାର ବେନି ସହୋଦର ।

ମୁଷ୍ଟିକର ପୁତ୍ର ମେଘାଜିତ ଯେ ଅଟଇ

ତାତହୁଁ କନିଷ୍ଠ ତାର ଛନ୍ତି ପାଞ୍ଚଭାଇ ।

ହଂସକ ଡିମ୍ବକ ସଙ୍ଗେ ସାନଭାଇମାନେ

ଖେଳନ୍ତି କୌତୁକେ ଯାଇ କଂସର ଭୁବନେ ।

କୃଷ୍ଣଙ୍କୁ ଅନାଇ ବୋଲେ ଚାଣୁର କୁମର

ଆଜି ନିଶ୍ଚେ ଗଉଡ଼ରେ ଯିବ ଯମପୁର ।

ଶ୍ରବଣେ ବୋଲନ୍ତି କୃଷ୍ଣ ଶୁଣରେ କୁମରେ

ପିତାମାତାଙ୍କର କଥା ସୁମରରେ ଥରେ ।

ଶୁଣି ବୋଲନ୍ତି ନନ୍ଦନେ ହୋଇଲକି ବାଇ

ଚକ୍ଷୁ ଥାଉ ଆଉ ଅନ୍ଧ ହେଉଛ କିମ୍ପାଇଁ ।

ପିତାମାନେ ତୁମ୍ଭରରେ କରୁଥିଲେ ଟାଣ

ଭାଙ୍ଗିଲା ସେ ଟାଣ ଗଲେ ଶମନ ଭୁବନ ।

କୁବଳୟା ପଡ଼ିଅଛି ଦେବ ସିଂହଦ୍ୱାରେ

ନ କହିଲେ ଦୂତେ କିରେ ରାଜାର ଆଗରେ ।

ବାପେ ତୁମ୍ଭର କହିଲେ ପୁଅକୁ କହିବୁ

ବାଟରେ ଚାହିଁଛୁ ଆମ୍ଭେ ସେ ଆସିଲେ ଯିବୁ

ବିଳମ୍ବ ନ କରି ବେଗ ହୋଇ ସେ ଆସିବେ

କହିବୁ କୃଷ୍ଣ ତାହାଙ୍କୁ ଦଣ୍ଡେ ନ ରଖିବେ ।

ଆମ୍ଭର ପୁତ୍ର ଆସିଲେ ଯିବୁ ଯମପୁର

ନୃପତି କରିବେ ନିଜେ ବନାଇବୁ ଘର ।

ନ କହିବୁ ତାହାଙ୍କର ବାରତା କାହିଁକି

କୁବଳୟାକୁ ଘେନିଣ ବାଟେ ଛନ୍ତି ଟାକି ।

ନ କହେ ବାରତା ଯେହୁ ସର୍ପ ସେ ହୁଅଇ

କିମ୍ପାଇଁ ବାରତା ମୁଁରେ ରଖିବି ଲୁଚାଇ ।

ତୁମ୍ଭେ ମଲା ପୁଅମାନେ ଯାଅ ବେଗ ହୋଇ

କ୍ଷୁଧା ତୃଷାରେ ଆକୁଳ ହେଉଥିବେ ସେହି ।

ଆମ୍ଭଙ୍କୁ କିମ୍ପାଇଁ ତୁମ୍ଭେ ଲୋଡୁଅଛ ମାରି

ଆମ୍ଭେ ତ କଦାପି ନୋହୁଁ ତୁମ୍ଭର ବଇରୀ ।

ଡକାଇଥିବାରୁ ମାମୁଁ ଆସିଅଛୁ ଧାଇଁ

ସ୍ଵଇଚ୍ଛାରେ ଆମ୍ଭେମାନେ ଆସନ୍ତୁ କିମ୍ପାଇଁ ।

ମାମୁଁଙ୍କୁ ତ ଆଜି ଆମ୍ଭେ କରିବୁ ଦର୍ଶନ

ଦେଖିଲେ ମାମୁଁ ଆମ୍ଭଙ୍କୁ ହେବ ତୁଷ୍ଟମନ ।

ଦେଖିଲେ ଆମ୍ଭଙ୍କୁ ମାମୁଁ କ୍ଷଣେ ନ ଛାଡ଼ିବେ

ମାଈଁମାନେ ଶ୍ରଦ୍ଧାକରି ପାଖରେ ରଖିବେ ।

ମାମୁଁଘର ଭାତ ଖାଇ ହେବୁ ବଳବାନ

ଆଉ ନ ଯିବୁ ଗୋପକୁ ରେ ମାଲ ନନ୍ଦନ ।

ହଂସକ ଡିମ୍ବକ ମୋର ମାମୁଁ ପୁଅ ଭାଇ

ନିତ୍ୟେ ଖେଳ ଖେଳିବୁରେ ତାଙ୍କ ସଙ୍ଗେ ରହି

କୃଷ୍ଣ ବଚନେ ଅସୁରେ କ୍ରୋଧଭର ହୋଇ

ବୋଲନ୍ତି ଗଉଡ଼ କେତେ କରୁଛ ବଡ଼ାଇ ।

ଏ ନୁହଇ ଗୋପପୁର ଗୋପୀଙ୍କର ଘର

ନାନା ଅନୀତି କରିବ ରହି ସେଠାବର ।

ଏ ମଧୁକଟକ କଂସ ରାଜାର ଅଟଇ

ଗଉଡ଼ଙ୍କ ଖେଳଘର ଏଠାରେ ନୁହଇ ।

ଏତେ ବୋଲିଣ କୃଷ୍ଣଙ୍କୁ ବଳେ ସେ ଧଇଲେ

ଧରା ନ ଦେଇ ଶ୍ରୀକୃଷ୍ଣ ଅନ୍ତର ହୋଇଲେ ।

ପୁଣି ଶ୍ରୀକୃଷ୍ଣଙ୍କୁ ବାହୁ ବଳରେ ସେ ଭିଡ଼ି

ପଡ଼ିଲେ ଭୂମିତଳରେ ହୋଇ ଗଡ଼ାଗଡ଼ି ।

ମାୟାଧର କୃଷ୍ଣ ଗଲେ ମାୟାରେ ବାହାରି

ଚାଣୁର ମୁଷ୍ଟିକ ସୁତ ହେଲେ ମରାମରି ।

ଆପଣା ଆପଣା ମଧ୍ୟେ ମଲ୍ଲଯୁଦ୍ଧ କଲେ

ଦେଖି ମୁଖେ ବାସଦେଇ ସକଳେ ହସିଲେ ।

ପୁଣି ଚିହ୍ନଚିହ୍ନି ହୋଇ ଛଡ଼ାଛଡ଼ି ହେଲେ

ଧାଇଁ ଓଗାଳି କୃଷ୍ଣଙ୍କୁ ପ୍ରହାର ସେ କଲେ ।

ଆରେରେ ଗଉଡ଼ ଆଜି କାହିଁ ଯିବୁ ତୁହି

ଖସିକରି କେଉଁଆଡ଼େ ଯାଉଛୁ ପଳାଇ ।

କ୍ରୋଧେ କୃଷ୍ଣ ଅଙ୍ଗେ ପ୍ରହାରିଲେ ଅସିବର

ବାଜନ୍ତେ ସଙ୍ଗେ ଖଡ଼ଗ ହେଲା ଶତେଚୂର ।

ପୁଣି କୃଷ୍ଣ ଗଳାରେ ସେ ପକାଇଲେ ହସ୍ତ

ତାହା ଦେଖି ହଳଧର ହୋଇଲେ ତରସ୍ତ ।

ମଲା କୃଷ୍ଣ ବୋଲିଣ ସେ ବୁକୁ ପରେ ଚଢ଼ି

ମଧୁପୁର ଜନେ ଦେଖି ଚାରିପାଶେ ବେଢ଼ି ।

ବୋଲନ୍ତି ଦେଖନ୍ତୁ ତୋର ମୃତ୍ୟୁ ତାତମାତ

ଆଜହୁଁ ମଥୁରାପୁର ହୋଇଲାଟି ସୁସ୍ଥ ।

ଚାରମୁଖ ଚାହିଁ ମଲ୍ଲେ ବୋଲନ୍ତି କ୍ରୋଧରେ

ରାଜାକୁ ଡାକିଣ ବେଗେ ଘେନିଆସ ଚାରେ ।

ଦେଖି ମଧୁପୁର ନାରୀ ବିକଳ ହୋଇଲେ

ଥିଲେ ବାଳହତ୍ୟା ପାପ ଲାଗିବ ବୋଇଲେ ।

ଚାଲ ଗୋ ଏଠାରେ ଆମ୍ଭେ ରହିବା କିମ୍ପାଇଁ

ଏ କଂସରାଜା ହୃଦୟେ ଦୟା ଧର୍ମ ନାହିଁ ।

ଦେଖ ଗୋ ଚାଣୁର ସୁତ କୃଷ୍ଣ ହୃଦେ ବସି

ମାରିବ ସେ ଏହିକ୍ଷଣି ଧରିଛି ଆକର୍ଷି ।

ବୋଲନ୍ତି ଭୋ ପ୍ରଭୁ ବାରେ ରଖନ୍ତୁ ଏହାଙ୍କୁ

ରଖ ଲୋ ସର୍ବମଙ୍ଗଳା ଏ ରାମ କୃଷ୍ଣଙ୍କୁ ।

କେ ବୋଲେ ବଞ୍ଚିବେ ଯେବେ ଦେବକୀର ସୁତ

ଲକ୍ଷେ ଛାଗବଳି ତୋତେ ଦେବୁ ଆଗୋମାତ

କେ ବୋଲେ ଏହାଙ୍କୁ ଆଜ ରକ୍ଷାକଲେ ତୁହି

ଲକ୍ଷେ ମନ୍ଦାରରେ ମାଳକରି ଦେବି ମୁହିଁ ।

କେ ବୋଲଇ ରଙ୍ଗ ପାଟଶାଢ଼ୀ ପିନ୍ଧାଇବି

କେ ବୋଲେ ରଙ୍ଗ ସିନ୍ଦୂର ରତ୍ନଚୁଡ଼ି ଦେବି ।

କେ ବୋଲଇ ଲକ୍ଷେ ପୂଜା ଦେବି ଗୋମଙ୍ଗଳା

ଯେବେ ତୁ କରିବୁ ରକ୍ଷା ଦେବକୀର ବଳା ।

କେ ବୋଲଇ ଦେଖ କୃଷ୍ଣ ବାଳୁତ କୁମର

ସେ ଅବା କି ଦୋଷ କରିଅଛନ୍ତି କଂସର ।

କେହୁ ବୋଲଇ ଅଦୋଷୀମାନଙ୍କୁ ଦଣ୍ଡିଲେ

ବିଧାତା ଦଣ୍ଡଇ ନିଶ୍ଚେ ନଛାଡ଼ଇ ଭଲେ ।

ଦେବକୀ କଷଣ କିଏ ଆଜ ଗୋ ଦେଖିବ

ପୁତ୍ର ମଲେ ଦେବକୀ କି ଜୀବନ ରଖିବ ।

ପୁଣି ସେ ଚଣ୍ଡୀ ସାୟକ ଚାଣୁର କୁମର

କୃଷ୍ଣର ବକ୍ଷରେ ପକାଇଲା ବାମ କର ।

ମୁଷ୍ଟିକର ପୁତ୍ର ମେଘଜିତ ନାମେ ବୀର

କୃଷ୍ଣ କର ଧରି ଟାଣେ ହୋଇ ଆଗଭର ।

ଦେଖି ନରନାରୀମାନେ ହେଲେ ହାହାକାର

ନ ଦେଖିବା କୃଷ୍ଣ ମୃତ୍ୟୁ ନଥିବା ଏ ପୁର ।

ସୁଜ୍ଞଜନମାନେ ତହିଁ କୃଷ୍ଣେ ଦେଲେ ଦୃଷ୍ଟି

ଭୂମିକର୍ଣ୍ଣେ ଛୁଇଁ ସର୍ବେ ଗଲେ ତହୁଁ ଉଠି ।

କେହୁ ରାମକୃଷ୍ଣ ବୋଲି ମୁଖରେ ବୋଇଲା

ରାଜା ଡରେ ସଭାରୁ କେ ଉଠି ନ ପାରିଲା ।

ଦେବେ ଦେଖିଣ ଶୂନ୍ୟରେ କରନ୍ତି ବିଚାର

ଦେଖି ଶ୍ରୀକୃଷ୍ଣଙ୍କୁ ମାଡ଼ିବସିଛି ଅସୁର ।

ଆମ୍ଭ ଲାଗି ସିନା ପ୍ରଭୁ ଏ ଦୁଃଖ ପାଇଲେ

ଅସୁର ବସିଛି ବକ୍ଷେ ପଡ଼ିଛନ୍ତି ତଳେ ।

ଶୂନ୍ୟରେ ଡାକନ୍ତି ଦେବେ ଉଠି ଆଦିମୂଳ

ଚାଣୁର ମୁଷ୍ଟିକ ସୁତେ କରନ୍ତି ସମର ।

ପୁଣିହିଁ ବୋଲନ୍ତି ଦେବ ଶୁଣ ହଳଧର

ଏ ବେନି ରାକ୍ଷସ ତୁମ୍ଭେ ବେଗ କରି ମାର ।

ଦେବଙ୍କ ଆରତ ଦେବ ଦଇତ୍ୟାରି ଜାଣି

ସଚେତ ହୋଇ ମାଲଙ୍କୁ ଚାହିଁଲେ ତକ୍ଷଣି ।

ରାମ ବୋଇଲେରେ ତୁମ୍ଭେ ଶୁଣ ବେନିବୀର

ଯହିଁ ରହିଛନ୍ତି ତାତ ତୁମ୍ଭ ଦୁହିଁଙ୍କର ।

ସେଠାବକୁ ତୁମ୍ଭେ ଦୁହେଁ ଯାଅ ବେଗହୋଇ

ପିତାଙ୍କ ସଙ୍ଗେ ରହିବ ମିଶିକରି ତହିଁ ।

ଗଲାବେଳେ କଂସକୁରେ ଯାଅ ଦେଖିକରି

ମୁଷ୍ଟିକ ସୁତର କେଶ ଧରି ପ୍ରଳମ୍ବାରୀ ।

ଆକର୍ଷି କ୍ରୋଧରେ ତାର ମୁଣ୍ଡ ଛିଣ୍ଡାଇଲେ

କଂସକୁ ଦର୍ଶନ କର ବୋଲି ଫିଙ୍ଗିଦେଲେ ।

ତଳେ ପଡ଼ି କୃଷ୍ଣ ଚଣ୍ଡସାୟକକୁ କହି

ଯାଅ ଯାଅ ସାୟକରେ ଯମପୁରେ ତୁହି ।

ପ୍ରଥମେ ଯାଇ କଂସକୁ ଦରଶନ କର

ପ୍ରହାରି ଚାପୋଡ଼େ ତାର ଛିଣ୍ଡାଇଲେ ଶିର ।

କଂସ ଜଗତୀକି ଶୂନ୍ୟେ ମୁଣ୍ଡ ଫିଙ୍ଗିଦେଲେ

ବେନିବୀରେ କଂସ ପାଦତଳରେ ପଡ଼ିଲେ ।

ତାର ମୁଖ ଦେଖି ଚଣ୍ଡସାୟକ କାନ୍ଦଇ

ମେଘଜିତ ଦେଖି ମହାକ୍ରୋଧରେ ଗର୍ଜଇ ।

ଝାଡ଼ି ହୋଇଣ ଶ୍ରୀକୃଷ୍ଣ ତଳରୁ ଉଠିଲେ

ଖଣ୍ଡେଦୂରେ ଅଘାସୁର ସୁତକୁ ଭେଟିଲେ ।

ରେରେକାର କରି ଦୁଷ୍ଟ ଆଗରେ ଓଗାଳେ

ମହାକ୍ରୋଧେ କୃଷ୍ଣ ତାକୁ ଚାପୋଡ଼େ ମାଇଲେ

ଛିଡ଼ିଲା ମସ୍ତକ ତାର ଶୂନ୍ୟେ ଗଲା ଉଡ଼ି

ଜଗତୀ ଉପରେ କଂସ ପାଦତଳେ ପଡ଼ି ।

ଦେଖି ବକାସୁର ପୁତ୍ର କରି ଘୋର ରଡ଼ି

ଶ୍ରୀକୃଷ୍ଣ ଉପରେ ଆସି ପଡ଼ିଲା ଯେ ମାଡ଼ି ।

ଦେଖି ତାର ବୁଷ୍ଟବୁଦ୍ଧି ମସ୍ତକ ମୋଡ଼ିଲେ

କଂସକୁ ଦେଖଯା ବୋଲି ଶୂନ୍ୟେ ଫିଙ୍ଗିଦେଲେ

ବକାସୁର ସୁତ ମୁଣ୍ଡ ଶୂନ୍ୟେ ଉଡ଼ିଗଲା

ଦେଖି ବତ୍ସାସୁର ସୁତ ଗରଜି ଧାଇଁଲା ।

ଦୂରୁ ଚାହିଁ କୃଷ୍ଣ ତାକୁ ଚାପୋଡ଼େ ମାଇଲେ

ମୁଣ୍ଡମୋଡ଼ି ରାଜାପାଶେ ଯାଅରେ ବୋଇଲେ

ଫିଙ୍ଗନ୍ତେ ସେ ମୁଣ୍ଡ ଶୂନ୍ୟେ ବିକ୍ରମିଣ ଗଲା

ଜଗତୀ ଉପରେ କଂସ ନିକଟେ ପଡ଼ିଲା ।

ଏଅନ୍ତେ ଯାମିଳାସୁତ କ୍ରୋଧରେ ଧାଇଁଲା

ମାଲପୁତ୍ରଙ୍କର ଶବ ଦେଖି ଛନ୍ନ ହେଲା ।

ପଡ଼ିଲା ଯେ କୃଷ୍ଣପାଦେ ଦଣ୍ଡ ପ୍ରାୟ ହୋଇ

ପିଣ୍ଡିରୁ ଛାଡ଼ିଣ ପ୍ରାଣ ପଦ୍ମମୁଖ ଚାହିଁ ।

ଲୋକେ ଦେଖି ବୋଲୁଛନ୍ତି କୃଷ୍ଣ ପଦତଳେ

ପଡ଼ିଛି ଯାମଳାସୁତ ଜୀବନ ବିକଳେ ।

ଦେଖି ତାହାକୁ ଶ୍ରୀକୃଷ୍ଣ ହେଲେ ହସ ହସ

ଉଠ ହୋ ଯାମଳାସୁତ ଯାଅ ନିଜ ବାସ ।

ତୁମ୍ଭ ରାଜା କଂସ ପାଦତଳରେ ପଡ଼ିବୁ

ତେବେ ଏ ମଧୁନଗରେ ରହି ତୁ ପାରିବୁ ।

ତୁ ଯେବେ ଯାମଳାସୁତ ପଡ଼ିଲୁ ମୋ ପାଦେ

ନ ମାରିବି ମୁହିଁ ତୋତେ ଯାଅ ନିରାପଦେ ।

ଶରଣ ପଞ୍ଜର ବାନା ବହିଅଛି ମୁହିଁ

ନ ମାରିବି ଶରଣ ତ ପଶିଲୁଣି ଯହିଁ ।

ବୋଲନ୍ତି ଶ୍ରୀକୃଷ୍ଣ ଡାକି ମଧୁପୁର ଜନେ

ଘେନିଯାଅ ଏହାକୁ ହେ ଏହାର ଭୁବନେ ।

କୃଷ୍ଣଙ୍କ ବଚନେ ଭାଇ ବନ୍ଧୁ ତା ଆସିଲେ

ଯମକେଶରୀ ଯାମଳାସୁତେ ପଠାଇଲେ ।

ପିଣ୍ଡରେ ପରାଣ ନାହିଁ ବସିବ ସେ କାହୁଁ

ଧରି ନ ପାରି ତାହାକୁ ପଳାଇଲେ ତହୁଁ ।

ଏ ଅନ୍ତେ ତାଳକସୁତ ତାଳଧ୍ୱଜ ବୀର

ଧାଇଁ ବିଧାଏ ମାଇଲା ରାମଙ୍କ ପିଠିର ।

ଦେଖି ରାମ କୁବଳୟା ଦନ୍ତ ଉଞ୍ଚାଇଲେ

ତାଳଧ୍ୱଜ ବୀର ପରେ ଯାଇଣ ପିଟିଲେ ।

ବୋଇଲେରେ ତାଳଧ୍ୱଜ ବୀର ଯାଅ ବେଗେ

କଂସରାଜାକୁ ଦର୍ଶନ କର ଅନୁରାଗେ ।

ପିଟନ୍ତେ ଶ୍ରୀରାମ ଦନ୍ତ ତାର ବକ୍ଷସ୍ଥଳେ

ଛିଡ଼ି ପଡ଼ିଲା ମୁଣ୍ଡ କଂସ ପାଦତଳେ ।

ପୁଣି ରାମ ଅଜଗର ସୁତକୁ ଧଇଲେ

ଗଜଦନ୍ତ ପ୍ରହାରେ ତା ବୁକୁ ଉଠାଇଲେ ।

ମସ୍ତକ ଛିଣ୍ଡାଇ ତାର ଫିଙ୍ଗିଲେ ଶୂନ୍ୟରେ

ସେ ମୁଣ୍ଡ ପଡ଼ିଲା ଯାଇ କଂସ ଜଗତୀରେ ।

ପୁଣି ରାମ ଶକଟାର ସୁତକୁ ଯେ ମାରି

ବୋଇଲେ ଦର୍ଶନ ଯାଇ କରି ଦଣ୍ଡଧାରୀ ।

ବାମକରେ ତାହାକୁ ଯେ ଚାପୋଡ଼େ ମାଇଲେ

ମୁଣ୍ଡେ ଛିଡ଼ି ପଡ଼ିଲା କଂସ ଜଗତୀରେ ।

ରାକ୍ଷସକୁ ରାମ ମାରି କୃଷ୍ଣ ପାଶେ ଗଲେ

ଦେଖିଣ ଶ୍ରୀକୃଷ୍ଣ ପାଦେ ପଡ଼ିଅଛି ମାଲେ ।

ଦଣ୍ଡବତ ହେଲା ପ୍ରାୟେ ଧେନୁକାର ସୁତ

ଶ୍ରୀକୃଷ୍ଣଙ୍କ ପାଦେ ପଡ଼ି ହୋଇଛି ଅଚେତ ।

ଅସୁର ଶ୍ରୀକୃଷ୍ଣ ପାଦପଦ୍ମ ଅଛି ପଡ଼ି

ମଧୁପୁର ନରନାରୀ ରହିଛନ୍ତି ବେଢ଼ି ।

ରାମଙ୍କୁ ଦେଖି ସେମାନେ ବୋଲନ୍ତି ବଚନ

କୃଷ୍ଣ ପାଦତଳେ ଏ ଯେ ପଶିଲା ଶରଣ ।

ଦେଖ ରାମ କେଉଁପରି ତାର ପ୍ରାଣଗଲା

ଶରଣପଞ୍ଜର ବାନା କିପରି ରହିଲା ।

ଶୁଣିଣ ରାମ କୃଷ୍ଣଙ୍କୁ ବୋଲନ୍ତି ବଚନ

ଏ ଅସୁର ପାଦତଳେ ପଶିଲା ଶରଣ ।

ଶରଣାଗତକୁ ସେହୁ ବଳରେ ମାରିବ

ବିଷ୍ଣୁ ପାଦତଳେ ଯେହୁ ଅପରାଧୀ ହେବ ।

ରଣଭୂଇଁରେ ଯେ ଜନ କେଶ ମୁକ୍ତକରି

ତାହାକୁ ବଳରେ ଯେହୁ ମାରଇଟି ଧରି ।

କଳ୍ପକଳ୍ପାନ୍ତରେ କୁମ୍ଭୀପାକେ ସେ ପଡ଼ଇ

ସମର ଭୂମିରେ ଦିଗମ୍ବର ଯେ ହୁଅଇ ।

ଶସ୍ତ୍ରକୁ ପକାଇ ଯେହୁ ପଛକୁ ଘୁଞ୍ଚାଇ

କି ଅବା ମୁଖେ ଅଙ୍ଗୁଳିଭରି ଠିଆହୋଇ ।

ଯେହୁ ତାର ବଳାତ୍କାରେ କରେ ଶିରଚ୍ଛେଦ

ଅପଯଶ ମିଳେ ତାକୁ ପଡ଼ଇ ବିପଦ ।

କୁମ୍ଭୀପାକେ ପଡ଼ି ଛଟପଟ ସେ ହୁଅଇ

ବିଷ୍ଣୁପାଦରେ ଦ୍ରୋହୀ ସେ ଗତି ତାକୁ ନାହିଁ ।

ଏବେ ସେ ଶତ୍ରୁପାଦରେ ପଶିଲା ଶରଣ

ଛାଡ଼ ତାକୁ ଦଣ୍ଡିବାର ନୁହଇ ବିଧାନ ।

ଆଜ୍ଞା ଦିଅ ଅସୁରକୁ ଯାଉ ତାର ପୁର

ଲୋକନିନ୍ଦା କଥା ବାବୁ ନ ଶୁଣି କର୍ଣ୍ଣର ।

ରାମ ବାକ୍ୟେ ଅସୁରକୁ ଶ୍ରୀକୃଷ୍ଣ ବୋଇଲେ

ଉଠ କଂସ ରାଜା ଆଗେ ଜଣାଅ ତୁହିରେ ।

ବୋଲିବୁ ରାମକୃଷ୍ଣଙ୍କୁ ମାରିବାର ପାଇଁ

ଆଣିଲୁ ମଥୁରାପୁରେ କପଟେ ଡକାଇ ।

ଯେତେ ଯେତେ ବୁଦ୍ଧି ତୁହି ପାଞ୍ଚିଲୁ ରାଜନ

ରାମକୃଷ୍ଣ ସବୁ କରିଦେଲେ ଅକାରଣ ।

ରଜକାଦି କୁବଳୟା ଗଜ ତା ମାହୁନ୍ତ

ଚାଣୁର ମୁଷ୍ଟିକ ସହ ମାଲଙ୍କର ସୁତ ।

ସମସ୍ତଙ୍କୁ ମାରି ଲୀଳା ରଙ୍ଗେ ଆସୁଛନ୍ତି

ଏମାନେ ଦେଖନ୍ତେ ମୋର ଉପୁଜିଲା ଭୀତି ।

ତେଣୁ ରାମକୃଷ୍ଣ ପାଦେ ପଶିଲି ଶରଣ

ଶରଣବତ୍ସଳ ମୋତେ କଲେ ପ୍ରାଣଦାନ ।

କହିବାକୁ ପଠାଇଲେ ମୋତେ ତୋ ଛାମୁରେ

ସୈନ୍ୟସାମନ୍ତ ତୋହର ଗଲେଣି ଆଗରେ ।

ତୁ ଏବେ ପ୍ରସ୍ତୁତ ହୁଅ ଯିବାର ନିମନ୍ତେ

ଆସୁଛନ୍ତି ପଠାଇବେ ଏହିକ୍ଷଣି ତୋତେ ।

କହିଲେ ଏମନ୍ତ ବାକ୍ୟ ଯହୁଁ ଦାମୋଦର

ଗରଜି ଉଠିଲା ତହୁଁ ସେ ରାକ୍ଷସ ବୀର ।

ଧନୁସାୟକ ଧେନୁକା ସୁତ କ୍ରୋଧେ ଚାହିଁ

ବେଢ଼ିଲେ ମଥୁରାପୁର ନରନାରୀ ଯାଇଁ ।

ବୋଲନ୍ତି ଅସୁର ଆରେ ଶୁଣ ଆମ୍ଭବାଣୀ

ଅକାରଣେ କାହାକୁ ତୁ କ୍ରୋଧେ କରୁବାଣୀ ।

ଷଣ୍ଢା ଶକଟା ପୁତନା ବକା ଅଘାସୁର

କେଶୀ ଯାମଳା ଧେନୁକା ମୁଷ୍ଟିକ ଚାଣୁର ।

ଏହି ରାମକୃଷ୍ଣ ତାଙ୍କୁ କଲେ ରେ ସଂହାର

ପୁଣିହିଁ ନାଶିଲେ ଯୁଦ୍ଧ ସୁତଙ୍କୁ ତାଙ୍କର ।

କୁବଳୟା ଗଜ ଅଟେ କେତେ ବଳବାନ

ମୁହୂର୍ତ୍ତକେ ବିନାଶିଲେ ତାହାର ଜୀବନ ।

ତାଙ୍କ ତୁଳନାରେ ତୃଣଠାରୁ ହୀନ ତୁହି

ବୃଥା କ୍ରୋଧ କଲେ ପ୍ରାଣ ନ ପାଇବୁ ତୁହି ।

ବଇକୁଣ୍ଠବାସୀ ଏହି ରାମକୃଷ୍ଣ ଦୁଇ

ଜନ୍ମିଛନ୍ତି ମହୀଭାରା ଉଶ୍ୱାସିବା ପାଇଁ ।

ସନ୍ଥପାଳି ଦୁଷ୍ଟଙ୍କୁରେ କରିବେ ନିଧନ

ତୁ କିମ୍ପା ବଡ଼ିମା କରୁ ଅସୁର ନନ୍ଦନ ।

ଜୀବନରେ ଆଶାଥିଲେ ପଶରେ ଶରଣ

ଅଭୟ ପାଦପଦ୍ମରେ ତେଜି ଧୂର୍ତ୍ତପଣ ।

ନ ଶୁଣି କାହାର ବାକ୍ୟ ଅସୁର ଧାଇଁଲା

ମଲୁ ଆରେ କୃଷ୍ଣ ବୋଲି ବିଧାଏ ମାଇଲା ।

ରୋହିଣୀ ନନ୍ଦନ ଦେଖି କ୍ରୋଧରେ ଧାଇଁଲେ

ଧନୁସାୟକ ମସ୍ତକେ ଚାପୋଡ଼େ ମାଇଲେ ।

ଛିନ୍ନ ହୋଇ ମୁଣ୍ଡ ତାର ଶୂନ୍ୟେ ଉଡ଼ିଗଲା

ଜଗତୀ ଉପରେ କଂସ ନିକଟେ ପଡ଼ିଲା ।

କଂସର ମୁଖକୁ ଚାହିଁ କରଇ ଗର୍ଜନ

ଶୁଣି ଉଗ୍ରସେନ ବେଗେ ତେଜିଲା ଆସନ ।

ଛିଡ଼ିଣ ମୁଣ୍ଡ କିମ୍ପାଇଁ ଗରଜନ କଲା

ଦେଖିଣ କଂସର ମନେ ମହାଭୟ ହେଲା ।

ପୁତନାର ସୁତ ମୁଣ୍ଡ ଛିଡ଼ିଣ ସେଠାରେ

କଂସର ମୁଖକୁ ଚାହିଁ ଅଟ୍ଟହାସ କରେ ।

ଦେଖି କଂସର ମନରେ ଜନମେ ବିଷାଦ

ମୁଣ୍ଡନାହିଁ ଗଣ୍ଡି କିମ୍ପା ହସେ ଗଦ ଗଦ ।

ପୁଣି ଚାଣୁର ନନ୍ଦନ ମୁଣ୍ଡ ପଡ଼ି ତହିଁ

କଂସର ମୁଖକୁ ଚାହିଁ ବିକଳେ କାନ୍ଦଇ ।

ଛିଡ଼ିଲା ମସ୍ତକ କିମ୍ପା କାନ୍ଦେ ଉଚ୍ଚସ୍ୱରେ

ଦେଖି କଂସ ନରପତି କମ୍ପଇ ଭୟରେ ।

ପୁଣି ମୁଷ୍ଟିକର ସୁତ ମେଘଜିତ ବୀର

ମସ୍ତକ ନାଚଇ ବଂଶେ ଅନାଇ ତାହାର ।

ଦେଖିଣ କଂସ ରାଜାର ସାହସ ଉଡ଼ିଲା

ବିପରୀତ ଏହି କଥା ଦେଖା ତ ନ ଥିଲା ।

ପୁଣି ଅଘାସୁତ ମୁଣ୍ଡ କଂସକୁ ଅନାଇ

ବିକରାଳ ଭାବେ ଜିହ୍ୱା କାଢ଼ିଣ ବୁଲଇ ।

ପୁଣି ବକାସୁତ ମୁଣ୍ଡ ଜଗତୀ ଉପରେ

ବୀରଭଦ୍ରା ନାମ ତାର ଜଗତ ମଧ୍ୟରେ ।

ସେ ମୁଣ୍ଡ କଂସକୁ ଦେଖି ନେତ୍ର ତରାଟିଲା

ତାହା ଦେଖି କଂସାସୁର ମନେ ଭୟ କଲା ।

ପୁଣି ବତ୍ସାସୁତ ବୀର କଙ୍କଳିର ମୁଣ୍ଡ

କଂସ ମୁଖ ଚାହିଁ କ୍ରୋଧେ ହୁଅଇ ପ୍ରଚଣ୍ଡ ।

କେବେ ହସେ କେବେ ପୁଣି ରୋଦନ କରଇ

କେତେବେଳେ କୋପେବେନି ପାଟି ବିସ୍ତାରଇ

ତାହା ଦେଖିଣ କଂସର ସର୍ବାଙ୍ଗ କମ୍ପିଲା

ମହାଭୟେ ବୀରବର ନୟନ ବୁଜିଲା ।

ପୁଣି ତାଳଧ୍ୱଜ ବୀର ତାଳକର ସୁତ

କଂସର ମୁଖକୁ ଚାହିଁ କରଇ ଇଙ୍ଗିତ ।

ପୁଣିହିଁ ଅମରସେନ ଅଜଗର କାନ

ରେରେକାର କରେ ଚାହିଁ କଂସର ବଦନ ।

ପର୍ବତ ନାମେ ଶକଟାସୁରର ନନ୍ଦନ

ଧନେଶ୍ଵର ନାମେଣ କଦମ୍ବାସୁର ପୁଣ ।

ଏ ଦୁହିଁଙ୍କ ମୁଣ୍ଡ ଖେଳେ ଜଗତୀରେ ଲୋଟି

ଭୟରେ ତହିଁକି କଂସ ନ ଦିଅଇ ଦୃଷ୍ଟି ।

ଧେନୁକର ସୁତ ଧନୁସାୟକର ମୁଣ୍ଡ

କଂସକୁ ଦେଖିଣ କ୍ରୋଧେ ହୋଇଲା ପ୍ରଚଣ୍ଡ ।

କୃଷ୍ଣମାୟା କରନ୍ତେ ସେ କହେ କଂସ ଆଗେ

ଆରେ କଂସାସୁର ଶୁଣ ମୋ ବଚନ ବେଗେ ।

ଏହିକ୍ଷଣି କୃଷ୍ଣଙ୍କୁ ତୁ ନୟନେ ଦେଖିବୁ

ଚାହିଁଥିବେ ସଭାଜନେ ଜୀବନ ହାରିବୁ ।

ତହିଁ ମୁଣ୍ଡମାନେ ଗଲେ ଜଗତୀରୁ ଖସି

ଦେଖନ୍ତି ରଙ୍ଗସଭାରେ ଥିଲେ ଯେତେ ବସି ।

ଉଠ ଉଗ୍ରସେନ ରାଜା ଦୂତକୁ ବୋଇଲେ

ଫିଙ୍ଗିଆସି ଏ ମୁଣ୍ଡକୁ ନେଇ ଶ୍ମଶାନରେ ।

ପୁଣି ତାଙ୍କ ଭାଇବନ୍ଧୁମାନେ କରଯୋଡ଼ି

ବୋଲନ୍ତି ପାଇଲେ ଆଜ୍ଞା ପକାଇବୁ ପୋଡ଼ି ।

ଉଗ୍ରସେନ ବୋଲେ ଶବ ବାଛି ଘେନିଯାଅ

ଯେମନ୍ତେ ଆସେ ମନକୁ ପ୍ରେମ କରାଅ ।

ଶୁଣନ୍ତେ ସେମାନେ ସେହି ଶବ ବହିନେଲେ

ଯମୁନା କୂଳରେ ନେଇ ଦାହ କରାଇଲେ ।

ମାଲସୁତଙ୍କର ଭାଇମାନେ କ୍ରୁଦ୍ଧ ହୋଇ

ବୋଇଲେ ଆଦେଶ ତୁମ୍ଭେ ଦିଅ ଭୋଜସାଇଁ ।

ପିତା ଭ୍ରାତାଙ୍କ ବଇରୀ ମାରିବୁ ରାଜନ

କରାଇବୁ ସ୍ଥିର ଆଜ ମଥୁରା ଭୁବନ ।

ଏମନ୍ତ ବୋଲି ଗରଜି ସକଳେ ଉଠିଲେ

ନକହେ ରାଜନ କିଛି ରହିଛି ନିଶ୍ଚଳେ ।

ପୁଣି କହନ୍ତି ମାଲଙ୍କୁ ପୁତ୍ର କରଯୋଡ଼ି

କଂସର ବେନି ଚରଣ ତଳେ ଯାଇ ପଡ଼ି ।

ବେଗେ ଆଜ୍ଞାଦିଅ ତୁମ୍ଭେ ଭୋଜ ବୀରମଣି

ପିତୃ ବଇରୀ ସାଧିବୁ ମାରିବୁ ଭାଇବେନି ।

କଂସ ଦେହେ ଜ୍ଞାନ ନାହିଁ ଚାହେଁ ଜଳଜଳ

ଉଗ୍ରସେନ ବୋଲେ ଶୁଣ ମଲ୍ଲଙ୍କର ବାଳ ।

ତୁମ୍ଭ ପିତାଙ୍କଠାରୁ କି ତୁମ୍ଭେ ବଳିଆର

ଯାହାଙ୍କୁ ଦେଖିବାମାତ୍ରେ କମ୍ପେ ପୁରନ୍ଦର ।

ବାହୁବଳେ ତିନିପୁର ଜୟ ସେହୁ କଲେ

ଦେବଙ୍କ ଭଣ୍ଡାରୁ ନାନା ରତ୍ନ ଜୁର କଲେ ।

ଏବେ ଶ୍ରୀକୃଷ୍ଣଙ୍କ ହସ୍ତେ ସର୍ବେ ନାଶଗଲେ

ତୁମ୍ଭେମାନେ ଦେଖିଅଛି ବେନି ନୟନରେ

ବୋଲୁଅଛ ରାମକୃଷ୍ଣ ବିନାଶିବୁ ଆମ୍ଭେ

ବୃଥା ଅହଙ୍କାର କିମ୍ପା କରୁଛରେ ତୁମ୍ଭେ ।

ନକରରେ ଆଉ ତାଙ୍କ ସଙ୍ଗେ କଳିଦ୍ୱନ୍ଦ୍ୱ

ଚକ୍ଷୁ ଥାଉଁ ଥାଉଁ କିମ୍ପା ହେଉଛରେ ଅନ୍ଧ ।

ଚାଣୁର ମୁଷ୍ଟିକ କୁବଳୟା ଗଲେ ନାଶ

ସେହି ରାମକୃଷ୍ଣ ପାଦପଦ୍ମେ କରି ଦୋଷ ।

ବସ ରଙ୍ଗସଭା ମଧ୍ୟେ କିଛି କହନାହିଁ

ରହିଲେ ମାଲ କୁମରେ ଶୁଣି ତୁନି ହୋଇ ।

ଚେତି କଂସ ଉଗ୍ରସେନ ଅକ୍ରୂରଙ୍କୁ ଡାକି

ବୋଲେ କଳିଦ୍ୱନ୍ଦ୍ୱ ଆଉ କରିବା କାହିଁକି ।

କଂସ ବୋଲେ ତୁମ୍ଭେ ଏଥୁ ବେଗହୋଇ ଯାଅ

ରାମକୃଷ୍ଣ ଦୁହିଁଙ୍କୁ ହୋ ଲେଉଟାଇ ଦିଅ ।

ଆଜିକ ରହନ୍ତୁ ଭାଇ ବେନି ମଧୁବନେ

ବୋଲିବ ମାମୁଁ ତୁମ୍ଭର କହିଛିଏସନେ ।

ତୁମ୍ଭେ ସୋଦର ଭଣଜା ଅଟ ତ କଂସର

ତୁମ୍ଭଙ୍କୁ ଆଦର କରି ନେବ ନିଜପୁର ।

କାଲି ପ୍ରଭାତରୁ ମାମୁଁ ତୁମ୍ଭର ଆସିବେ

ବେନିଭାଇଙ୍କୁ ସେ ହସ୍ତୀପରେ ବସାଇବେ ।

ନାନାଉପହାରମାନ ଦେବେ ହୋଇ ତୋଷ

ଏକଥା ଉଗ୍ରସେନକୁ କହୁଛନ୍ତି କଂସ ।

ଦେବକୀ ବସୁଦେବଙ୍କ ପାଦେ ଦୋଷକଲି

ଭଗିନୀ ଭିଣୋଇ କଷ୍ଟ ନୟନେ ଦେଖିଲି ।

ଦେବଙ୍କ ଚକ୍ରରେ ମୁହିଁ ଅର୍ଜିଲି ଏମାନ

ତେଣୁ ଏତେ ଏତେ ଜନ ଲଭିଲେ ନିଧନ ।

ରାମକୃଷ୍ଣ ଦୁଇଭାଇଙ୍କି ଯତ୍ନର ଭାବରେ

ନଗର ବୁଲାଇ ଧନରତ୍ନ ଦେଇ କରେ ।

ରଥରେ ବସାଇ ତୋଷ କରିଣ ତାହାକୁ

କାଲି ଛାଡ଼ିଆସ ଯାଇ ଗୋପ ଭୁବନକୁ ।

ଏହି କଥା କଂସ କହେ ଉଗ୍ରସେନେ ଚାହିଁ

ଶୁଣି ଉଗ୍ରସେନ ମନେ ଆନନ୍ଦ ହୁଅଇ ।

ମଉନ ଭାବେ କେମନ୍ତେ ଏ ଜ୍ଞାନ ଉପୁଜିଲା

ବିଷବୃକ୍ଷେ ସୁଧାଫଳ କେମନ୍ତେ ଫଳିଲା ।

ଅବସନ୍ତେ ବସନ୍ତ ବହିଲା କେଉଁପରି

ଲବଣ ସମୁଦ୍ରେ କାହିଁ ମିଳେ ସୁଧାବାରି ।

ସେହିପରି କଂସଠାରେ ହେଲା ଦିବ୍ୟଜ୍ଞାନ

ଯା କରିବ କର ପ୍ରଭୁ ଦେବ ଜନାର୍ଦ୍ଦନ ।

 

Unknown

କୃଷ୍ଣ ଦର୍ଶନେ କଂସର ବିନାଶ

କହୁଁ କହୁଁ ରାମକୃଷ୍ଣ ଆସି ପହଞ୍ଚିଲେ

ଜଗତୀ ତଳରେ ବେନିଭାଇ ଉଭା ହେଲେ ।

ସଫଳା ନନ୍ଦନ ଉଗ୍ରସେନ ବେନିଜଣ

ଦେଖିଲେ ରାମକୃଷ୍ଣଙ୍କୁ ଭଜିଲେ ମଉନ ।

କଂସହିଁ ମଉନ ଭାବେ ମଥା ପୋତି ବସେ

କି କହିବି ବୋଲି ମୁଖୁଁ ଉତ୍ତର ନ ଆସେ ।

କୃଷ୍ଣରୂପ ଦେଖି ରଙ୍ଗସଭା ଜନମାନେ

ବୋଲନ୍ତି ଗଢ଼ିଲା ଧାତା ବସି କେତେଦିନେ ।

ସେ ମୋହନରୂପେ ସର୍ବେ ହୋଇଲେ ମୋହିତ

ଦେବକୀ ଦେବୀର ନେତ୍ରୂହୁଏ ଅଶ୍ରୁପାତ ।

କୃଷ୍ଣ ବୋଲନ୍ତି ହେ ଶୁଣ ଅଜା ଉଗ୍ରସେନ

ଜଣାଅ ମାମୁଁ ଛାମୁରେ କରିବୁ ଦର୍ଶନ ।

ଶୁଣି ଉଗ୍ରସେନ କିଛି ଉତ୍ତର ନ ଦ୍ୟନ୍ତି

ପୁଣି କୃଷ୍ଣ ଉଗ୍ରସେନ ଅନାଇ ବୋଲନ୍ତି ।

କିହୋ ଅଜା ନ ଜଣାଅ ମାମୁଁଙ୍କୁ କିମ୍ପାଇଁ

ଆଜ୍ଞା ଦେଲେ ଦରଶନ କରିବୁଟି ଯାଇଁ ।

କିଛି ନ କହି ଯେ ରହିଅଛି ମଉନରେ

ବସିଅଛ ମୁଖପୋତି ଜଗତୀ ଉପରେ ।

ପାତ୍ର ମନ୍ତ୍ରୀମାନେ କିଛି ନ କହନ୍ତି କେହି

କଂସକୁ ଡରି ସମସ୍ତେ ଛନ୍ତି ତୁନି ହୋଇ ।

ପୁଣିହିଁ କୃଷ୍ଣ ଜଗତୀ ଉପରକୁ ଚାହିଁ

ବୋଲନ୍ତି ଏପରି ଦଣ୍ଡ ଦିଅ କାହିଁପାଇଁ ।

ପ୍ରହରେ ହେଲା ଜଗତୀ ତଳେ ଅଛୁ ରହି

ତୁମ୍ଭମାନଙ୍କର ହୃଦେ ଦୟାଧର୍ମ ନାହିଁ ।

ଏମନ୍ତ ବୋଲି ଶ୍ରୀକୃଷ୍ଣ କଂସ ମୁଖ ଚାହିଁ

ବୋଲନ୍ତି ହେ ମାମୁଁ ଏଡ଼େ କୋପ କାହିଁପାଇଁ ।

ଶିଶୁ ସମୟରେ ମୋର ଶାଙ୍କୋଳୀ ନିମନ୍ତେ

ଘନଘନ ଗୋପେ ଦୂତ ପେଷୁଥିଲେ କେତେ ।

ମାଉସୀ ପୁତନା ଷଣ୍ଢା ଶକଟାଦି ବୀର

ଯାମଳା ବକା ଧେନୁକା ତୃଣା ଅଘାସୁର ।

କାହାନ୍ତି ସେମାନେ ଏଥୁ ଜଣେ ଦେଖାନାହିଁ

କେ ଅବା ତୁମ୍ଭଙ୍କୁ ମୋତେ ଦେବଟି ଚିହ୍ନାଇ ।

ବିଶ୍ୱାସ ନୁହେଁ କି ସେହି ରାମ କୃଷ୍ଣ ବୋଲି

ତେଣୁକରି ମୁଖପୋତି ବସିଅଛ ଭାଳି ।

ସବୁକାଳେ ଏକରୂପ ଥାନ୍ତା କି ଆମ୍ଭର

ବୟୋବୃଦ୍ଧି ସଙ୍ଗେ ବୃଦ୍ଧି ଲଭିଛି ଶରୀର ।

ମୋ କଥାରେ ମାମୁଁ ଯେବେ ନ କର ବିଶ୍ଵାସ

ବୁଝିଆସ ଥରେ ଯାଇ ସେମାନଙ୍କ ପାଶ ।

ବିଶ୍ଵାସ ହୁଅଇ ଯେବେ ଚାହଁ ଏବେ ଥରେ

ଅନେକ ବେଳୁ ରହିଛି ମୁଁ ଜଗତୀ ତଳେ ।

ଯହୁଁ ମାମୁଁ ଦେଖବୋଲି ଶ୍ରୀକୃଷ୍ଣ ଡାକିଲେ

ସେ ଡାକ ପ୍ରବେଶ କଲା କଂସ କର୍ଣ୍ଣବିଳେ ।

ଭୟକରି କୃଷ୍ଣ ମୁଖ ଅଳପ ଅନାଇ

ପୁଣି ବେନି ନୟନ ସେ ଭୟରେ ବୁଜଇ ।

ବାରବାର ଡାକ ଦ୍ୟନ୍ତି ଯଶୋଦା ନନ୍ଦନ

ଚାହଁ ଚାହଁ ମାମୁଁ ମୋର ନିରେଖ ବଦନ ।

ସେ ଡାକେ କଂସର ମନ ହୋଇଲା କାତର

ନିରେଖି ଚାହିଁଲା କୃଷ୍ଣ ମୁଖ ନିଶାଚର ।

ଦିଶିଲା ସେ ତାକୁ କଳା ଦେବତା ସମାନ

ଭୟେ ତେଣୁ ତାର ପିଣ୍ଡୁ ଛାଡ଼ିଲା ପରାଣ ।

ଜଗତୀ ଉପରୁ ଖସି ଭୂମିରେ ପଡ଼ିଲା

କୃଷ୍ଣ ଅଙ୍ଗେ ଯାଇ ତତକ୍ଷଣେ ଲୀନ ହେଲା ।

କଂସ ପଡ଼ିବାର ଦେଖି ଧାଇଁ ଦାମୋଦର

ଡାକିଲେ ଆସ ଅକ୍ରୂର ଉଗ୍ରସେନ ବୀର ।

ଆସ ମନ୍ତ୍ରୀମାନେ ମାମୁଁଙ୍କ ଦେଖ ବଦନ

ପଡ଼ିଗଲେ ମାମୁଁଙ୍କର ଦେହେ ନାହିଁ ଜ୍ଞାନ ।

ଦେଖି ପାତ୍ରମନ୍ତ୍ରୀ ମାନେ କଂସେ କୋଳ କରି

ମୁଖରେ ସିଞ୍ଚିଲେ ତାର ନେଇ ଶୀତ ବାରି ।

ବିଞ୍ଚଣା ଧରି ବିଞ୍ଚିଲେ ଡାକନ୍ତି ଉଚ୍ଚରେ

ଦେଖିକରି ଉଗ୍ରସେନ କାନ୍ଦଇ ମାୟାରେ ।

କଂସର ସୁନାମ ଭାଳି ବିକଳେ କାନ୍ଦଇ

ନିରେଖି ବୋଲଇ କେଣେ ଛାଡ଼ିଗଲ ଭାଇ ।

କଂସ ମଲା ମଲା ବୋଲି ପଡ଼େ ହାଲହୋଳି

ମୁଦୁସୁଲିମାନେ ଅନ୍ତଃପୁରେ ଗଲେ ଚଳି ।

ହେତୀ ପ୍ରହେତୀ ସହିତେ କଂସ ନାରୀ ଯେତେ

ମରଣ ବାରତା ଶୁଣି ଧାଇଁଲେ ସମସ୍ତେ ।

ହଂସକ ଡିମ୍ବକ ବେନି ନନ୍ଦନ ଧାଇଁଲେ

ଦୂରରୁ କଂସକୁ ଦେଖି ବିକଳେ କାନ୍ଦିଲେ ।

ବାହୁନି କାନ୍ଦନ୍ତି ହେତୀ ପ୍ରହେତୀ ସୁନ୍ଦରୀ

ଆହା ପ୍ରାଣନାଥ ଗଲ ଅନାଥିନୀ କରି ।

କହିଲାର କଥା ତୁମ୍ଭେ ନ କଲ ହେ ନାଥ

ଏବେ କୃଷ୍ଣକରେ ପ୍ରାଣେ ହୋଇଲ ନିହତ ।

ଏ ବେନି ପୁତ୍ରକୁ କାହା କରେ ସମର୍ପିଲ

ଅଗାଧ ଜଳରେ ଆମ୍ଭ ଭେଳା ବୁଡ଼ାଇଲ ।

କା ଆଗେ କହିବୁ ଆମ୍ଭେ ଅନ୍ତର ବେଦନା

କେ ଆମ୍ଭଙ୍କୁ ଚାଟୁବାକ୍ୟେ ଦେବ ପ୍ରବୋଧନା ।

ଆଜିଠାରୁ ବେନିପୁତ୍ର ଛେଉଣ୍ଡ ହୋଇଲେ

ବାଳକାଳୁ ବାପା ବୋଲି ଜାଣି ନ ପାରିଲେ ।

ପ୍ରଭାତରୁ ଆମ୍ଭର ତ ବେଳ ବୁଡ଼ିଗଲା

ଯୁବା ବୟସେ ବିଧବା ବିହି ଲିହି ଥିଲା ।

ଦିଗବିଜେ କରି ତୁମ୍ଭେ ଘେନିଲ ଅମର

ଦେଖି ତବ ବୀରପଣ ପିଅର ଆମ୍ଭର ।

ବୋଇଲେ ସେ ସ୍ନେହଭରେଦେବି ମୁଁ ଦୁହିତା

ବେନି ଭଉଣୀକି ଦେଇ ହୋଇଲେ ଅଚିନ୍ତା ।

ଏବେ ଆମ୍ଭଙ୍କୁ ନିରେଖ କଲୁ ହୋ ରାଜନ

କାହା ମୁଖ ଚାହିଁ ଆଉ ବଞ୍ଚିବୁଟି ଦିନ ।

ସୁରଙ୍ଗ ଶାଢ଼ୀ ସିନ୍ଦୂର ଆଉ ନ ଘେନିବୁ

କଜ୍ଜ୍ୱଳେ ଶରଧା ପୁଣି କିମ୍ପାଇଁ କରିବୁ ।

ଅଙ୍ଗ ଅଳଙ୍କାରମାନ ସକଳ ତେଜିବୁ

ସୁବାସ କୁସୁମ ଆଉ ନେତ୍ରେ ନ ଦେଖିବୁ ।

ବିଳାସ ସାମଗ୍ରୀମାନ ନ କରିବୁ ଭୋଗ

ଭୋ ବିଧାତା ଆମ୍ଭ କର୍ମେ ଲିହିଲୁ ଏ ଯୋଗ ।

ଭୋ ପ୍ରାଣନାଥ ଆମ୍ଭଙ୍କୁ କାହିଁ ଗଲ ଛାଡ଼ି

ଏମନ୍ତ ବୋଲି ରାଣୀଏ ଶିରେ କର ତାଡ଼ି ।

କେ ଅତି ବ୍ୟାକୁଳ ହୋଇ ଭୂମିରେ ପଡ଼ଇ

କେ କଂସ ମୁଖ ନିରେଖି ଅଜ୍ଞାନେ ପଡ଼ଇ ।

ମାତାଙ୍କ ରୋଦନ ଶୁଣି ହଂସକ ଡିମ୍ବକ

ଆକୁଳ ହୋଇଣ ସେହୁ କରୁଛନ୍ତି ଶୋକ ।

ସକଳ ରାଣୀଏ ତହିଁ ବିକଳେ ରୋଦନ୍ତି

ମଧୁପୁର ନରନାରୀ ସ୍ତବ୍‌ଧେ ଦେଖନ୍ତି ।

ମାଈଁମାନଙ୍କ ବିକଳ ନେତ୍ରେ ଦେଖିକରି

ତକ୍ଷଣେ ତାହାଙ୍କ ପାଶେ ଯାଇ ବିଜେକରି ।

କାନ୍ଦି କାନ୍ଦି ମାଈଁଙ୍କର କର କରେ ଧରି

ବୋଲନ୍ତି ଗୋ ମାଈଁଦେଖ ଅଭାଗ୍ୟ ମୋହରି

କେଜାଣି କାହିଁକି ମାମୁଁ ମଞ୍ଚାରୁ ପଡ଼ିଲେ

ସର୍ବେ ଦେଖୁ ଦେଖୁ ନିଜ ଜୀବନ ତେଜିଲେ ।

ପାଶରେ ଥିଲି ଉପରେ ମୋର ନ ପଡ଼ିଲେ

ମାମୁଁ ମଲେ ମୋତେ ସିନା ବିଧାତା ରଖିଲେ

ଜନମଦିନୁ ମାମୁଁଙ୍କୁ ଦେଖି ମୁଁ ନଥିଲି

ଏବେ ଡକାଇବାରୁ ଧାଇଁ ମୁଁ ଆସିଲି ।

ସବୁକାଳେ ମୋହଠାରେ ଦୟା ରଖିଥାଏ

ଚାର ପେଶି ଘଡ଼ିଘଡ଼ି ମୋ ସମ୍ବାଦ ନିଏ ।

ଅନ୍ତୁଡ଼ିଶାଳରୁ ମାମୁଁ ପୁତନା ପେଶିଲା

ପୁଣି ବକା ଷଣ୍ଢା ଅଘା ଆଦି ପଠାଇଲା ।

ଯାମଳା ଶକଟା ତୃଣ ସଙ୍ଖୋଳିଲେ ମୋତେ

ଅକ୍ରୂର ଡାକିଯିବାରୁ ଆସିଲି ମୁଁ ଏଥେ ।

ଦ୍ଵାରେ ଥିଲେ କୁବଳୟା ମୁଷ୍ଟିକ ଚାଣୁର

ଉବୁରି ତାହାଙ୍କ ପାଶୁ ପଶିଲି ଭିତର ।

ପୁଣି ବେଢ଼ି ମାଲସୁତେ ମାରୁଥିଲେ ମୋତେ

ଧର୍ମବଳେ ତହୁଁ ଖସି ଆସିଲି ଜୀବିତେ ।

ମାମୁଁଙ୍କ ଆଗରେ ସବୁ ଜଣାଇବି ବୋଲି

ଜଗତୀ ତଳରେ ଆସି ଉଭା ହୋଇଥିଲି ।

କେଡ଼େ ମନ୍ଦ କର୍ମ ମୋର ଅଟଇ ଗୋସାଇଁ

ମଞ୍ଚରୁ ପଡ଼ିଲେ ମାମୁଁ ତୋତେ ଛାଡ଼ିଦେଇ ।

କେଡ଼େ ପୁଣ୍ୟବନ୍ତ ମାମୁଁ ଅଟଇ ମୋହର

ଆଉ କାହୁଁ ତାହାଙ୍କୁ ମୁଁ ଦେଖିବି ନେତ୍ରର ।

ପୁଣିହିଁ ବୋଲନ୍ତି ମାମୁଁ ଆଣିଲ ଡକାଇ

ମହାନିଦ୍ରା ଗଲା ମୋତେ କିଛିହିଁ ନି କହି ।

ମାଈଁମାନଙ୍କୁ ନିରାଶ କରି ମୋର ଗଲ

ଉଠ ମାମୁଁ ମାଈଁମାନେ ହୁଅନ୍ତି ବିକଳ ।

ମାଈଁମାନଙ୍କ ରୋଦନ ସହି ମୁଁ ନ ପାରେ

ହଂସକ ଡିମ୍ବକ ତୋର କାନ୍ଦନ୍ତି ବିକଳେ ।

ମୋ ମାଈଁମାନଙ୍କୁ ମାମୁଁ ବେଗେ ବୋଧକର

ଏମନ୍ତ ବୋଲି କାନ୍ଦନ୍ତି ଦେବକୀ କୁମର ।

କୃଷ୍ଣର ବେନି ନୟନୁ ବହେ ଅଶ୍ରୁଧାର

ରଞ୍ଜିତ କଜ୍ଜ୍ୱଳ ଲିଭି ଦିଶେ ଅସୁନ୍ଦର ।

ଆହା ମୋର ମାମୁଁ ବୋଲି ଉଚ୍ଚରେ ରୋଦନ୍ତି

ମାଈଁମାନଙ୍କ ଅଞ୍ଚଳେ ଶ୍ରୀମୁଖ ପୋଛନ୍ତି ।

ଏ ମଧୁଭୁବନେ ଆଉ କିମ୍ପାଇଁ ରହିବି

ମାମୁଁ ବୋଲିକରି ଆଉ କାହାକୁ ଡାକିବି ।

ଆଜହୁଁ ମାମୁଁ ଛେଉଣ୍ଡ ହୋଇଲି ଗୋ ମାଈଁ

ସବୁରି ଅଛନ୍ତି ମାମୁଁ ମୋର ମାମୁଁ ନାହିଁ ।

ମାମୁଁ ମାମୁଁ ବୋଲି ମଧୁପୁର ପିଲାମାନେ

ଡାକୁଥିବେ ଆନନ୍ଦିତ ହୋଇ ତାଙ୍କ ମନେ ।

ସବୁରି ଅଛନ୍ତି ମାମୁଁ ମୋର ମାମୁଁ ମଲା

ଆଜହୁଁ ସବୁ ଭରସା ମୋହର ସରିଲା ।

ଜାଣିଥାନ୍ତି ଯେବେ ମୋର ମାମୁଁ ଯିବେ ମରି

କିମ୍ପା ଗୋପପୁରୁ ଆସିଥାନ୍ତି ମଧୁପୁରୀ ।

ଧନୁଯାତ୍ରା ଦେଖିବାରେ କାର୍ଯ୍ୟ ମୋ ନ ଥିଲା

ମାମୁଁଙ୍କୁ ଦେଖିବା ପାଇଁ ଶରଧା ବଳିଲା ।

କେ ଜାଣି କି ରୋଗ ମାମୁଁ ଅଙ୍ଗେ ଥିଲାହୋଇ

ମୋତେ ଦେଖୁ ଦେଖୁ ଏବେ ପଡ଼ିଲେ ଘୁମାଇ

ଦିନେ କରି ମାମୁଁଙ୍କୁ ତ ଦେଖି ନ ପାରିଲି

ମୋପରି ଅଭାଗା କେହି ନଥିବେ ଜାଣିଲି ।

ଅବଶ୍ୟ ମାମୁଁର ଦିନେ ହୁଅନ୍ତା ମରଣ

ମୋତେ ଦେଖି ମାମୁଁ ଯାହା ହାରିଲେ ଜୀବନ

ଭଣଜାକୁ ଦେଖି କଂସ ଜୀବନ ହାରିଲା

ଏ କଥା ମୋ ନାମେ ମାଈଁ କଳଙ୍କ ଲାଗିଲା ।

ମାମୁଁ ଅଛି ବୋଲି କରିଥିଲି ମୋ ଭରସା

ଆଜିଠାରୁ ମାମୁଁ ଭାଙ୍ଗି ଦେଇଗଲେ ଆଶା ।

ଏତେ ବୋଲି କୃଷ୍ଣ ମାଈଁ ଗଳାକୁ ଧଇଲେ

ମାମୁଁ ମାମୁଁ ବୋଲି ଉଚ୍ଚେ ବିକଳେ କାନ୍ଦିଲେ ।

ଦେଖିଣ ହେତୀ ପ୍ରହେତୀ ହୋଇଲେ ସ୍ତବଧ

ଦେବକୀ ଦେଖି ଭଜିଲେ ମନରେ ବିଷାଦ ।

ଏହି କଂସ ମୋର ଷଡ଼ ଗର୍ଭନାଶ କଲା

ଏ କଂସ କୃଷ୍ଣକୁ ପରା ନାନା ଦୁଃଖ ଦେଲା ।

ସେ ଦୁଷ୍ଟ ତ ମଲା କିମ୍ପା କାନ୍ଦେ ମୋ ନନ୍ଦନ

ପାପ କଲା ଦୁଷ୍ଟ ଯେବେ ହାରିଲା ଜୀବନ ।

ଏମନ୍ତେ ଦେବକୀ ଦେବୀ ମନରେ ପାଞ୍ଚିଲେ

ଆହା କୃଷ୍ଣ କେତେଦୁଃଖ ପାଇଲୁ ବୋଇଲେ ।

ପୁଣି କରନ୍ତି ରୋଦନ କଂସ ନାରୀମାନେ

ଆହା ପ୍ରାଣନାଥ ଏବେ ଛାଡ଼ିଗଲ କେଣେ ।

ଦେବକୀ ସୁତର ତୁମ୍ଭେ ହୋଇଲ ବଇରୀ

ଦେବକୀ ବସୁଦେବଙ୍କୁ ଦେଲ ଯେ ଶାଙ୍କୋଳି ।

ଷଡ଼ପୁତ୍ରଙ୍କୁ ତାଙ୍କର ଅଦୋଷେ ମାଇଲ

ଭଣଜା ବୋଲି ଉପ୍ରୋଧ ତିଳେ ନ କରିଲ ।

ବାଳହତ୍ୟା ବୋଲି ତୁମ୍ଭ ନ କଲ ହେ ଭୟ

ନିରତେ ପାଞ୍ଚିଲ କୃଷ୍ଣ ମାରିବା ଉପାୟ ।

ଦିନାନିଶି ତାଙ୍କ ପାଦେ ଅପରାଧୀ ହେଲ

ତାଙ୍କୁ କରିବା କଥାକୁ ପରତେ ନ କଲ ।

ଏବେ ସେ କୃଷ୍ଣଙ୍କୁ ଦେଖି ହାରିଲ ଜୀବନ

କାହିଁଗଲା ତୁମ୍ଭର ସେସବୁ ବଡ଼ ପଣ ।

ତୁମ୍ଭର ସଙ୍ଗେ ଆମ୍ଭଙ୍କୁ କିମ୍ପାଇଁ ନ ନେଲ

କାହାପାଶେ ଛାଡ଼ିଦେଇ ନିଶ୍ଚିନ୍ତ ହୋଇଲ ।

କାହାପାଶେ ଆଉ ଆମ୍ଭେ କରିବୁ ହେ ଅଳି

କାହା ସଙ୍ଗେ ପ୍ରେମେ ମାତି କରିବୁଟି କେଳି ।

କେ ଆମ୍ଭ ନବଯୌବନ ଭୋଗ ହେ କରିବ

କାହା ଯଶ ଗୁଣଗାଇ କରିବୁ ଗରବ ।

କେ ଆମ୍ଭର ମନ ଜାଣି ଯୋଗାଇବ ସବୁ

କାହାକୁ ଦେଖିଣ ମନ ଆନନ୍ଦ କରିବୁ ।

କେ ଆଉ ଡାକିବ ବେନି ପୁତ୍ର ନାମ ଧରି

ତାହାଙ୍କ ବିକଳ ଆମ୍ଭେ ସହିବୁ କିପରି ।

କିମ୍ପା ଯାଇଅଛ ନିଦ୍ରା ଅଚେତନ ହୋଇ

ଯେତେହେଁ ଡାକିଲେ କିମ୍ପା କର୍ଣ୍ଣେ ଶୁଣ ନାହିଁ ।

ସକଳ କଂସକୁ ଧରି କୋଳେ ବସାଇଲେ

ନ ବସଇ ଢଳିଣ ସେ ପଡ଼ଇ ମହୀରେ ।

ନାରୀଜାତି ଶବକୁ ସେ ବସାଇବେ କାହିଁ

ଜୀବନ ନ ଥିଲା ପିଣ୍ଡ ବସି କି ପାରଇ ।

ଗୁଣକୁ ବାହୁନି ରାଣୀ କରନ୍ତି ରୋଦନ

ତା ଦେଖି କହନ୍ତି ଶୋକେ ନନ୍ଦର ନନ୍ଦନ ।

ବୋଲନ୍ତି ମାଈଁ କାହାର କିଛି ଗଲା ନାହିଁ

ମୋର ସିନା ସର୍ବନାଶ ଘଟାଇଲା ବିହି ।

ହଂସକ ଡିମ୍ବକ ମାମୁଁ ସୁତେ ଛନ୍ତି ରହି

ସେମାନେ ଆଦର ତାଙ୍କୁ କରିବେ ଗୋ ନେଇ ।

ମୁଁ ସିନା ପାଇଲି ଅପମାନ ଏହି ସ୍ଥାନେ

ମାମୁଁ ଘର ବୋଲି ମୁଁ ତ ଜାଣିନାହିଁ ଦିନେ

ତୁମ୍ଭର ଭ୍ରାତ ଜନନୀ ଅଛନ୍ତି ସକଳେ

ମୁଁ ଆଉ ମାମୁଁଙ୍କୁ କାହୁଁ ଦେଖିବି ଗୋ ଡୋଳେ ।

ଏମନ୍ତ ରହିଲେ ଯହୁଁ କୃଷ୍ଣ ଶୋକଭରେ

ଦେଖି ହେତୀ ପ୍ରହେତୀଙ୍କ ବଚନ ନ ସ୍ଫୁରେ ।

ନ କାନ୍ଦିଣ ରାଣୀମାନେ ହୋଇଲେ ମଉନ

ଶ୍ରୀକୃଷ୍ଣ ରୋଦନ ଶୁଣି ବିଚାରନ୍ତି ମନ ।

ବୋଇଲେ ଏ କୃଷ୍ଣ ଗୋପପୁରେ ରହିଥିଲେ

ଯେତେ ଚାର ଗଲେ ତହିଁ ସମସ୍ତ ମାଇଲେ ।

ଏବେ ସ୍ଵାମୀକି ଆମ୍ଭର କଲେ ପ୍ରାଣେ ନାଶ

ମିଛେ କାନ୍ଦୁଅଛନ୍ତି ଗୋ ଆସି ଆମ୍ଭ ପାଶ ।

ଏ ତ ବିପରୀତ କଥା ଅଟଇ ଗୋ ସଖୀ

ଦହିହୁଏ ହୃଦୟ ଗୋ ସ୍ୱାମୀ ମୃତ୍ୟୁ ଦେଖି ।

ପୁଣିହିଁ ସକଳ ରାଣୀ କଂସକୁ ଚାହିଁଲେ

ହା ହା ପ୍ରାଣନାଥ ବୋଲି ଢଳିଣ ପଡ଼ିଲେ ।

କଂସର ଚରଣ ବେନି ହୃଦରେ ଲଗାଇ

କେହୁ କଂସ ମୁଖେ ମୁଖ ଦେଇଣ ରୋଦଇ ।

କେହୁ କଂସ ନିଶ ଦାଢ଼ି କରେ ସାଉଁଳଇ

କେହୁ କଂସର ବଦନ ଅଞ୍ଚଳେ ପୋଛଇ ।

କେହି କଂସର କୁନ୍ତଳ ବାନ୍ଧେ ଯତ୍ନକରି

କେହି କଂସର ଅଙ୍ଗୁଷ୍ଠି ଚିପେ କର ଧରି ।

ହେତୀ ପ୍ରହେତୀ କଂସ ହୃଦୟ କମଳେ

ଆଲିଙ୍ଗନ କରିଣ ସେ କାନ୍ଦନ୍ତି ବିକଳେ ।

ମାଈଁମାନଙ୍କ ବିକଳ ଦେଖି ଦଇତ୍ୟାରୀ

କାନ୍ଦନ୍ତି ଦୁଃଖରେ ନେତ୍ରୁ ବହିଯାଏ ବାରି ।

ମାମୁଁ ମାମୁଁ ବୋଲି କେତେ ଡାକନ୍ତି ଉଚ୍ଚରେ

ନ ଶୁଣନ୍ତେ ଡାକ ମାଈଁମାନଙ୍କୁ କହିଲେ ।

ନ କାନ୍ଦ ଗୋ ମାଈଁ ମାମୁଁ ନିଶ୍ଚୟ ମରିଲେ

ଅଞ୍ଚଳେ ଶ୍ରୀକୃଷ୍ଣ ତାଙ୍କ ମୁଖ ପୋଛିଦେଲେ ।

କାନ୍ଦିଲେ ମାମୁଁଙ୍କୁ ଆଉ ପାଇବ ଗୋ କାହିଁ

ଏ ଜନ୍ମରେ ତାଙ୍କ ସଙ୍ଗେ ଆଉ ଭେଟ ନାହିଁ ।

ଏତେ କହି କୃଷ୍ଣ ମାଈଁ ଚଞ୍ଚଳ ଧଇଲେ

ଲୋତକର ଧାରା ତାଙ୍କ ନୟନୁ ପୋଛିଲେ ।

କୃଷ୍ଣର ବଚନେ ମାଈଁମାନେ ବୋଧହେଲେ

ନ କାନ୍ଦିଣ ରାଣୀମାନେ ମଉନ ହୋଇଲେ ।

ଅନ୍ତଃପୁରେ ରାଣୀମାନେ କରିଲେ ଗମନ

ରଙ୍ଗସଭା ମଧ୍ୟେ ବସିଥିଲେ ଯେତେ ଜନ ।

ପାତ୍ର ଅମାତ୍ୟ ସହିତେ ମନେ ବିଚାରିଲେ

ମାମୁଁଙ୍କୁ ମାରିଣ କୃଷ୍ଣ ମାଈଁକି ବୋଧିଲେ ।

ଦୁଷ୍ଟ ଅସୁରେ ଦେଖିଣ ଭୟେ ପଳାଇଲେ

ହାଲହୋଳି ପଡ଼ିଲା ଯେ ରଙ୍ଗସଭା ତଳେ ।

କେହୁ ବୋଲେ ଧନ୍ୟ ଧନ୍ୟ ତୁମ୍ଭେ ନନ୍ଦସୁତ

ଅସୁର ମାରିବା ପାଇଁ ହୋଇଅଛ ଜାତ ।

ମାଈଁଙ୍କୁ ପ୍ରବୋଧି କୃଷ୍ଣ ତହୁଁ ବାହାରିଲେ

ରଙ୍ଗସଭା ମଧ୍ୟରେ ସେ ଆସି ବିଜେ କଲେ ।

ଉଗ୍ରସେନକୁ ଚାହିଁଣ ଶ୍ରୀକୃଷ୍ଣ ବୋଇଲେ

କଂସ ମାମୁଁ ବଡ଼ କ୍ଷତ୍ରୀ ଅଟଇଟି ଭଲେ ।

ନ କାନ୍ଦ ତାହାକୁ ବେଗେ କର ଯା ସଂସ୍କାର

ଆମ୍ଭେ ଥାଉ ଥାଉ ନାହିଁ ଅଗତି ତାହାର ।

ବନ୍ଧୁମାନେ ଯେତେ ଛନ୍ତି ମାମୁଁଙ୍କୁ ନିଅନ୍ତୁ

ଯମୁନା କୂଳରେ ନେଇ ଦହନ କରନ୍ତୁ ।

ତାହା ଶୁଣି ଉଗ୍ରସେନ କରଇ ରୋଦନ

ହା ହା ମୋର ପୁତ୍ର ମୋତେ ଦେଲୁ ଏକଷଣ

ତୁ ମଲୁରେ ପୁତ୍ର ମୋତେ କଷ୍ଟ ଦେଇଗଲୁ

ମୋ କହିବା କଥାକୁରେ କେବେ ନ ଘେନିଲୁ ।

ସହୋଦର ଭଉଣୀ ଯେ ଦେବକୀ ତୋହର

ବନ୍ଦୀ କରି ରଖି ତାର ମାଇଲୁ କୁମର ।

ପୁଣି କୃଷ୍ଣ ଜାତ ହେବ କର୍ଣ୍ଣରେ ଶୁଣିଲୁ

ପାରିବି ବୋଲିଣ ଗୋପେ ମାଲଙ୍କୁ ପେଶିଲୁ ।

ପୁତନା ସାନ ଭଉଣୀ ଅଟଇ ତୋହର

ମାଇଲେ ଶ୍ରୀକୃଷ୍ଣ ପ୍ରତେ ନ ଗଲୁ ମନର ।

ପୁତ୍ର ସହ ମଲ୍ଲଙ୍କୁରେ ସଙ୍ଗରେ ମାଇଲେ

ଦ୍ୱାରେ କୁବଳୟା ଗଜ ଜୀବନେ ନାଶିଲେ ।

ତେବେ ସୁଦ୍ଧା ନ ଗଲାରେ ପ୍ରତେ ତୋର ମନ

ଏବେ ସେ କୃଷ୍ଣଙ୍କୁ ଦେଖି ହାରିଲୁ ଜୀବନ ।

ଏତେବୋଲି ଉଗ୍ରସେନ କାନ୍ଦଇ ବିକଳେ

ହୃଦରେ କଚାଡ଼ି କର ଲୋଟେ ମିହୀତଳେ ।

ହ ହା ପୁତ୍ର ବୋଲିଣ ସେ ବିକଳେ କାନ୍ଦଇ

ବୃଦ୍ଧକାଳେ ପୁତ୍ରହୀନ ହୋଇଲିଯେ ମୁହିଁ ।

ଏତେବୋଲି ଉଗ୍ରସେନ କଂସେ କୋଳକଲା

ଡୋ ସଙ୍ଗ କରିଣ ପୁତ୍ର ନିଅରେ ବୋଇଲା ।

ଦେଖି ବୋଲନ୍ତି ମଥୁରା ନରନାରୀଗଣ

କାନ୍ଦେ ଉଗ୍ରସେନ ଦେଖି ପୁତ୍ରର ମରଣ ।

କିମ୍ପାଇଁ ବା ନ କାନ୍ଦିବ କରିଅଛି ଜାତ

କି ଜାଣି ବୋଲନ୍ତି ଲୋକେ ଦୃମିଳାର ସୁତ ।

ଦେଖ ଏବେ ଉଗ୍ରସେନ ରୋଦନ କରୁଛି

କଂସ କଂସ ବୋଲି ତାରି ହୃଦୟ ଫୁଟୁଛି ।

ରାମକୃଷ୍ଣ ଦୁଇଭାଇ ପାଶରେ ଅଛନ୍ତି

ଯେତେବେଳେ ଦୁହିତାର ପୁତ୍ର ସେ ଅଟନ୍ତି ।

ପୁତ୍ର ଥିଲେ କୁଳ ସିନା ରହଇ ଗୋ ସହୀ

ଦୁହିତା ପୁତ୍ର ବଂଶରେ ଗଣନା ନୁହଇଁ ।

ଉଗ୍ରସେନ ଶୋକ ଦେଖି ଦେବକୀ ନନ୍ଦନ

ବୋଲଇ ହେ ଅଜା କିମ୍ପା ବିକଳ ଏସନ ।

କାହିଁପାଇଁ ଉଚ୍ଚସ୍ୱରେ କରୁଛ ରୋଦନ

ନ କାନ୍ଦ ବିକଳ ହୋଇ ତୋତେ ମୋର ରାଣ ।

ତୁ ଯେବେ ବୋଲିବୁ ଜୀବ ଦେବି ମୁଁ ମାମୁଁକୁ

ତୋ କାନ୍ଦଣା ଶୁଣି ମୋର ଚମକଇ ବୁକୁ ।

ସହି ନ ପାରଇ ମୁହିଁ ତୋହର ବିକଳ

ଏକ୍ଷଣି ଦେବି ବଞ୍ଚାଇ ତୋହର ଦୁଲାଳ ।

ଛାଡ଼ ଶୋକ ମାମୁଁକୁ ହୋ ଦେଉଛି ବଞ୍ଚାଇ

ଦେଖନ୍ତୁ ସକଳ ଜନେ ସୁଖୀ ହୁଅ ତୁହି ।

ମୋର ମାତାପ୍ରାୟେ ତୋର କନ୍ୟାକେତେଥିବ

ମୋ ହପରି ନାତି ତୋତେ ଅନେକ ମିଳିବ ।

ମୋ ମାତାର ଷଡ଼ପୁତ୍ର ତୋ ପୁତ୍ର ମାଇଲା

କାହା ଆଗରେ ସେ ଏହି ଦୁଃଖ କହୁଥିଲା ।

ଏକ ପୁତ୍ର ମଲା ବୋଲି କାନ୍ଦୁଅଛୁ ତୁ ତ

ତୋର ଔରସେ ପୁଣି ନୁହଇ ସେ ଜାତ ।

ଅସୁର ବୀର୍ଯ୍ୟରୁ ଜାତହେଲା କଂସାସୁର

ତେଣୁ ଅସୁର ପ୍ରକୃତି ହୋଇଲା ତାହାର ।

ଏଥିପାଇଁ ଅଜା କେତେ କରୁଛି ରୋଦନ

ଦେଖିଛୁ ଦେବକୀ କେତେ ପାଇଲେ କଷଣ ।

କାହା ଆଗେ ଗର୍ଭକଷ୍ଟ କହୁଥିଲେ ସେହି

ମର୍ମ ଦହି ନେଉଥିଲା ବନ୍ଦୀଘରେ ରହି ।

ସଂସାରେ ନଥିବେ ଦୁଃଖୀ ତାହାଙ୍କ ସମାନ

ଏକପୁତ୍ର ପାଇଁ କେତେ କରୁଛ ରୋଦନ ।

ଏକ୍ଷଣି ଜୀଆଇଁ ଦେବି ତୋହର ପୁତ୍ରକୁ

ଏମନ୍ତ ବଚନ କୃଷ୍ଣ କହିଲେ ରାଜାଙ୍କୁ ।

ତହୁଁ ଉଗ୍ରସେନ ରାଜା ବୋଲେ କୃଷ୍ଣ ଶୁଣ

ଏମନ୍ତ ବଚନ କିମ୍ପା ବୋଲୁଛ ଆପଣ ।

ଲୋକେ ବୋଲିବେ କୃଷ୍ଣକୁ ମାରି ଉଗ୍ରସେନ

ଦେଖ ମଧୁପୁରେ ଏବେ ହୋଇଲେ ରାଜନ ।

ଏ ଲୋକ ନିନ୍ଦାକୁ ମୁହିଁ କରୁଛି ରୋଦନ

ଏଥିପାଇଁ କୃଷ୍ଣ କିମ୍ପା କହୁ ଏ ବଚନ ।

ପୁଣି ଉଗ୍ରସେନ ରାଜା ମନେ ବିଚାରଇ

କଂସକୁ ଶ୍ରୀକୃଷ୍ଣ ଅବା ଦିଅନ୍ତି ବଞ୍ଚାଇ ।

ତକ୍ଷଣେ ବନ୍ଧୁ ମାନଙ୍କୁ ତାହାର ଡାକିଲା

କଂସକୁ ଦହନ କର ବୋଲି ଆଜ୍ଞା ଦେଲା ।

ଉଗ୍ରସେନ ଆଜ୍ଞାପାଇ ବନ୍ଧୁଜନମାନେ

କଂସକୁ ବହିଣ ନେଲେ ଯମୁନା ପୁଲିନେ ।

ତହୁଁ କୃଷ୍ଣ ଉଗ୍ରସେନ ଚାହିଁ ଆଜ୍ଞାଦେଲେ

ଦେବକୀ ବସୁଦେବଙ୍କୁ ଅଣାଅ ବୋଇଲେ ।

ବନ୍ଦୀଘରେ ରହିଛନ୍ତି ଯେତେ ବନ୍ଦୀଆଳ

ସମସ୍ତଙ୍କୁ ଆଣ ବେଗେ ପଠାଇଣ ଚାର ।

ଆଜ୍ଞାପାଇ ଉଗ୍ରସେନେ ଦୂତ ବରଗିଲା

ଯେତେ ବନ୍ଦୀଗଣ ସବୁ ଆଣରେ ବୋଇଲା ।

ଦେବକୀ ବସୁଦେବଙ୍କ ପାଶକୁ ସେ ଯାଇ

ବେନି ଚରଣୁ ତାଙ୍କର ଶାଙ୍କୋଳି ଫିଟାଇ ।

ତୀର୍ଥଜଳମାନ ଆଣି ସ୍ନାନ କରାଇଲେ

ଦେବାଙ୍ଗ ବସନମାନ ଦେଇ ପିନ୍ଧାଇଲେ ।

ଦେଖିଣ ଦେବକୀ କୃଷ୍ଣ କରି ଆଲିଙ୍ଗନ

ଶୋକ ଗଦଗଦେ ମୁଖେ ଦିଅନ୍ତି ଚୁମ୍ବନ ।

ପୁଣିହିଁ ଶ୍ରୀରାମ ମୁଖେ ଚୁମ୍ବନ ଦିଅନ୍ତି

ଶୋକଭରେ ଦେବୀ ବାଣୀ କହି ନ ପାରନ୍ତି ।

ବୋଲନ୍ତି ଶ୍ରୀକୃଷ୍ଣ ତୁ ମୋ ଦୁଃଖୀର ସଙ୍ଖାଳି

ଅନ୍ଧର ଲଉଡ଼ି ମୋର ହୃଦ ରତ୍ନମାଳୀ ।

ଦଶମାସ ଗର୍ଭେ ତୋତେ ଧଇଲି ନନ୍ଦନ

ଦିନେ କାଳେ ଧରିନାହିଁ ଧିକ ମୋ ଜୀବନ ।

ଷଡ଼ପୁତ୍ର ମୋର ଦୁଷ୍ଟ କଂସ କଲା ନାଶ

କାହା ଆଗେ କହିବି ମୁଁ କରମର ଦୋଷ ।

ଏବେ ତୋତେ ଦେଖି ସବୁ ଦୁଃଖପାଶୋରିଲି

ଦିନେ ତୋର ବାଲ୍ୟଲୀଳା ଦେଖି ନ ପାରିଲି ।

ଏ କଂସ ଭାଇ ମୋହର ଅଟେ ବଡ଼ ଦୁଷ୍ଟ

ଷଡ଼ପୁତ୍ର ମାରି ମୋତେ ଦେଲା ବହୁ କଷ୍ଟ ।

ସେହି ପାପରୁ ଏବେ ସେ ମୁକତ ହୋଇଲା

ଯେଣୁ ତୋର ମୁଖ ଦେଖି ଜୀବନ ହାରିଲା ।

ଆଜହୁଁ ମଥୁରା ଜନେ ହେଲେ ନିରାପଦ

ଭୁଞ୍ଜିବେ ପରମ ସୁଖ ହୋଇଣ ଆନନ୍ଦ ।

ରାମଙ୍କୁ ଦେଖି ରୋହିଣୀ କରନ୍ତି ରୋଦନ

କାହିଁଥିଲୁ ଆରେ ମୋର ଦୁଃଖୀର ଜୀବନ ।

ତୁମ୍ଭଙ୍କୁ ନଦେଖି ନେତ୍ର ଫୁଟି ଯାଇଥିଲା

ତୁମ୍ଭେ ବେନି ଅଟ ଯେଣୁ ନୟନ ପିତୁଳା ।

ନିଃସହାୟ କରି ଗୋପପୁରରେ ରହିଲ

ଆଠ ବରଷ ହୋଇଲା ଆମ୍ଭଙ୍କୁ ଭୁଲିଲ ।

ଦେବକୀ ଶ୍ରୀରାମ ମୁଖେ ଦିଅନ୍ତି ଚୁମ୍ବନ

ଲୁଚି ରହିଥିଲୁ କାହିଁ ଦୁଃଖୀର ଜୀବନ ।

ଅଷ୍ଟବର୍ଷ ହେଲା ଗୋପପୁରରେ ରହିଲ

ମାତା ପିତା ବୋଲି ତୁମ୍ଭେ ଦିନେ ନ ଜାଣିଲ

ବନ୍ଦୀଘରେ ଶୁଣିବି ମୁଁ କାହୁଁ ତୁମ୍ଭ କଥା

ଗୋପପୁରେ ଥାଇ ତୁମ୍ଭେ ନଦିଅ ବାରତା ।

ନିତି ଆସନ୍ତିରେ ଦଧି ବିକି ଗୋପଗୋଈ

ତୁମ୍ଭେ କହୁଥିଲେ କିରେ ନ କହନ୍ତେ ସେହି ।

ଆଜି ତୁମ୍ଭ ଦୁହିଁଙ୍କି ମୁଁ ନୟନେ ଦେଖିଲି

କଂସ ଦେଇଥିବା କଷ୍ଟମାନ ପାଶୋରିଲି ।

ବୋଲନ୍ତି ରାମ ଶ୍ରୀକୃଷ୍ଣ ମାତା ମୁଖ ଦେଖି

ଆମ୍ଭଙ୍କୁ କରିଣ ଜାତ ହେଲ ମହାଦୁଃଖୀ ।

ପୁଣି ଯାଇ ପିତାଙ୍କର ପାଦରେ ପଡ଼ିଲେ

ବେନିକର ଯୋଡ଼ି ରାମକୃଷ୍ଣ ଉଭାହେଲେ ।

ଯେହୁ ବସୁଦେବ ସେହୁ କଶ୍ୟପ ଅଟନ୍ତି

ଯେ ଦେବକୀ ସେହି ସିନା ଅଟନ୍ତି ଅଦିତି ।

ତେଣୁ ସିନା ରାମକୃଷ୍ଣ କରପତ୍ର ଯୋଡ଼ି

କହନ୍ତି ଦେବକୀ ବସୁଦେବ ପାଦେ ପଡ଼ି ।

ବୋଇଲେ ଭୋ ତାତ ତୁମ୍ଭେ ବଡ଼ଦୁଃଖୀ ହେଲ

ଆମ୍ଭଙ୍କୁ ଜନମ କରି ସୁଖ ନ ପାଇଲ ।

ଚଣ୍ଡାଳ ମାମୁଁ ତୁମ୍ଭଙ୍କୁ ବନ୍ଦୀରେ ରଖିଲା

ଆଗପଛକୁ ତ ସେହି ବିଚାର ନ କଲା ।

ନୋହିଲା ଅମର ସେତ ମୋତେ ଦେଖିମଲା

ଏହି କଥା ମାତ୍ର କାଳ କାଳକୁ ରହିଲା ।

ଏବେ ସେ କଥା ମନରୁ ଛାଡ଼ ତୁମ୍ଭେ ତାତ

ମଧୁପୁରେ ଉଗ୍ରସେନ ହେଉ ନରନାଥ ।

ଏ ସମୟେ ଚାରଗଣ ବନ୍ଦୀଆଳୁ ଆଣି

ଉଗ୍ରସେନକୁ କହନ୍ତି ଯୋଡ଼ି ବେନି ପାଣି ।

ବୋଇଲେ ରାଜନ ଆଜ୍ଞା ପ୍ରମାଣେ ତୁମ୍ଭର

ଆଣିଲୁ ସକଳ ବନ୍ଦୀ ଯାଇ ବନ୍ଦୀଘର ।

ଖାଲି ପଡ଼ିଛି ସେ ପୁର ଜଣେ କେହି ନାହିଁ

ପୁଣି ଉଗ୍ରସେନ କୃଷ୍ଣ ଆଗେ କହେ ଯାଇ ।

ଶୁଣି ଶ୍ରୀକୃଷ୍ଣ ବୋଇଲେ ଶାଙ୍କୋଳି ଫିଟାଅ

ଭଣ୍ଡାରର ରତ୍ନବସ୍ତ୍ର ସେମାନଙ୍କୁ ଦିଅ ।

ଛାଡ଼ିଦିଅ ଯାଆନ୍ତୁ ସେ ଯେ ଯାହା ମନ୍ଦିରେ

ଆତ୍ମୀୟ ସ୍ଵଜନ ଦେଖି ରହନ୍ତୁ ସୁସ୍ଥରେ ।

ଜନକ ଜନନୀ ଦେଖି ହୁଅନ୍ତୁ ତୃପତ

ଶୁଣି ଏ ବଚନ ଉଗ୍ରସେନ ନରନାଥ ।

ସଭାଜନମାନେ ଶୁଣି ଆନନ୍ଦ ହୋଇଲେ

ଧନ୍ୟ କୃଷ୍ଣଚନ୍ଦ୍ର ତୋର ବିବେକ ବୋଇଲେ ।

ଯେଣୁ କନକ ଜନନୀ ବନ୍ଧନ ଫେଡ଼ିଲୁ

ତେଣୁ ଯେତେ ବନ୍ଦୀଆଳ ମୁକୁଳାଇ ଦେଲୁ ।

ଉଗ୍ରସେନ ଆଜ୍ଞାପାଇ ଚାରଗଣ ଗଲେ

ଭଣ୍ଡାରରୁ ରତ୍ନ ବସ୍ତ୍ର ବହିଣ ଆଣିଲେ ।

ବନ୍ଦୀଆଳମାନଙ୍କର ଶାଙ୍କୋଳି କାଟିଲେ

ରତ୍ନ ବସନ ଭୂଷଣ ସେମାନଙ୍କୁ ଦେଲେ ।

ଶ୍ରୀକୃଷ୍ଣ ନିକଟେ ଗଲେ ସେମାନଙ୍କୁ ନେଇ

ନାନା ରତନ ବସନ ଭୂଷଣ ଘେନାଇ ।

ବୋଇଲେ ହେ ଏମାନଙ୍କୁ ଦେଖ ବନମାଳୀ

ତବ ଆଦେଶେ ଏହାଙ୍କୁ ବନ୍ଧନୁ ଫେଡ଼ିଲି ।

ବନ୍ଦୀଆଳମାନେ କୃଷ୍ଣ ଚରଣେ ପଡ଼ିଲେ

କରପତ୍ର ଯୋଡ଼ି ଖଣ୍ଡେ ଦୂରେ ଜଣାଇଲେ ।

ପ୍ରତ୍ୟେକଙ୍କ ନାମଧରି ଡାକି ବନମାଳୀ

ଜଣ ଜଣ କରି ଶାଢ଼ୀ ବଳା ଦେଲେ ତୋଳି ।

ନାମଧରି ତହୁଁ ବନ୍ଦୀମାନଙ୍କୁ ଡାକିଲେ

ଉଗ୍ରସେନ ଆଦି ଯେତେ ସଭାସଦ୍‌ ଥିଲେ ।

ବୋଇଲେ ଏ କୃଷ୍ଣ ଅଟେ ଜଗତ କରତା

ସାକ୍ଷାତେ ବିଷ୍ଣୁ ଜାଣନ୍ତି ତ୍ରିକାଳ ବାରତା ।

ଦେଖ ବନ୍ଦୀଙ୍କର ନାମ କାହୁଁ ସେ ଜାଣିଲେ

ପ୍ରତ୍ୟେକର ନାମଧରି ଶାଢ଼ୀ ବଳା ଦେଲେ ।

ବନ୍ଦୀଆଳେ ଦେଇ କୃଷ୍ଣ ରତନ ବସନ

ଆଜ୍ଞା ଦେଲେ ଯାଅ ବାବୁ ଯେ ଯାହା ସଦନ

ମାତା ପିତା ଭାଇବନ୍ଧୁ ସ୍ନେହଜନେ ଦେଖ

ବନ୍ଦୀଘରେ ରହି ତୁମ୍ଭେ ପାଇଲରେ ଦୁଃଖ ।

ଉଗ୍ରସେନ ପଦେ ସେବିଥିବ ନିରନ୍ତରେ

ଯାଅ ବନ୍ଦୀଗଣ ତୁମ୍ଭେ ଯେ ଯାହାର ପୁରେ ।

ପୁଣି ବନ୍ଦୀଆଳେ କୃଷ୍ଣ ପାଦରେ ପଡ଼ିଲେ

ବେନିକର ଯୋଡ଼ିଣ ସେ ବିନୟେ କହିଲେ ।

ବୋଇଲେ ଭୋ ଦେବ କିମ୍ପା ଯିବୁ ଆମ୍ଭ ଘର

ତୋ ପାଶେ ଥାଇ ସେବିବୁ ତୋତେ ନିରନ୍ତର ।

ତୋ ଉଚ୍ଛିଷ୍ଟ ଅନ୍ନ ନିଜେ କରିବୁ ଭକ୍ଷଣ

ତୋ ସେବାକରି ବଞ୍ଚିବୁ ଆମ୍ଭେ ପ୍ରତିଦିନ ।

ଯେଉଁଠାରେ ଆଜ୍ଞାଦେବ ସେଠାରେ ରହିବୁ

ତୋ ପାଦ ଛାଡ଼ି ଘରକୁ କିମ୍ପା ଆମ୍ଭେ ଯିବୁ ।

ପିତା ମାତା ବନ୍ଧୁଭାଇ ପୁତ୍ର ବଧୂ ଯେତେ

ଏ ମାୟା ଭାଣ୍ଡରେ କେହି ନ ଯିବେ ସଙ୍ଗତେ ।

କେବଳ ନାମକୁ ତୋର ହୃଦେ ଥିବୁ ଧରି

ତୋର ପାଦପଦ୍ମ ଧୂଳି ହୃଦୟରେ ବୋଳି ।

ତୋ ଅଧରାମୃତ ନିତି ପାନ କରୁଥିବୁ

ତୋ ରୂପକୁ ରାତ୍ରଦିନ ନେତ୍ରେ ଦେଖୁଥିବୁ ।

ତୋହର ପାଲଟା ବସ୍ତ୍ର ଶିରରେ ବାନ୍ଧିବୁ

ତୋ କଣ୍ଠଛଡ଼ା ତୁଳସୀ ଗଳେ ଲମ୍ବାଇବୁ ।

ତୋହର ନାମକୁ ସଦା କରି ଗଣ୍ଠିଧନ

ତୋ ଶ୍ରୀମୁଖ ଶୋଭା ଦେଖି ବିତାଇବୁ ଦିନ ।

ଏମନ୍ତ ବୋଲି ବନ୍ଦୀଏ କୃଷ୍ଣପାଦେ ପଡ଼ି

ଭାବେ ବେନି ନୟନରୁ ଅଶ୍ରୁଯାଏ ଗଡ଼ି ।

ଯହୁଁ ବନ୍ଦୀଆଳେ କୃଷ୍ଣପାଦେ ମନଦେଲେ

ଅନ୍ତର୍ଯ୍ୟାମୀ ନାଥ ତାହା ମନରେ ଜାଣିଲେ ।

ବୋଇଲେ ହେ ବନ୍ଦୀଗଣ ମନଦେଇ ଶୁଣ

ସଦନକୁ ଯାଅ ଚଳି ଆମ୍ଭର ବଚନ ।

ଯେ ଯାହା କୁଟୁମ୍ବ ଧରି ଆସ ଆମ୍ଭ ପୁର

ଗ୍ରାମରେ ତୁମ୍ଭମାନଙ୍କୁ ଦେବା ଅଧିକାର ।

କୃଷ୍ଣର ବନେ ବନ୍ଦୀମାନେ ତୋଷ ହେଲେ

ପାଦପଦ୍ମରେ ପ୍ରଣମି ଯେଝାପୁରେ ଗଲେ ।

 

ଉଗ୍ରସେନର ରାଜ୍ୟାଭିଷେକ

ଅକ୍ରୂରକୁ ରାଇ କୃଷ୍ଣ ବୋଲନ୍ତି ବଚନ

ମଧୁନଗରେ ଅଜାକୁ କରିବା ରାଜନ ।

ନନ୍ଦ ଗୋପାଳ ଅଛନ୍ତି ମଧୁବନେ ରହି

ତାହାଙ୍କୁ ଅକ୍ରୂର ତୁମ୍ଭେ ବେଗେ ଆଣ ଯାଇ ।

ମଧୁନଗରେ ଘୋଷଣା ଦିଅ ହେ ବହନ

ଆସନ୍ତୁ ନିଯୋଗୀମାନେ ସର୍ବେ ଏହି ସ୍ଥାନ ।

ରାଜବିଧି ଯୋଗାଡ଼ ହୋ ଆଣ ବେଗକରି

ଛତ୍ର ଚାମର ଆଲଟ ଖଦିମାନ ଧରି ।

ଚଞ୍ଚଳେ ଅଣାଅ ଯାଇ ନାନାତୀର୍ଥ ଜଳ

ଅନ୍ତଃପୁର ନାରୀମାନେ ଆସନ୍ତୁ ସକଳ ।

ଅପୂଜିତ ଦେବତାଙ୍କୁ ପୂଜା ତୁ କରାଅ

ଦେବାର୍ଚ୍ଚନା ବିଧିମାନ ସକଳ ଭିଆଅ ।

ବଜାନ୍ତୁ ବାଦକେ ବାଦ୍ୟ ମଙ୍ଗଳ ମହୁରୀ

ଦେବଜ୍ଞ ବିପ୍ରଙ୍କୁ ଆଣ ଆମନ୍ତ୍ରଣ କରି ।

ଶୁଭ ଅନୁକୂଳ ବେଳା ଦେବେ ସେହୁ କହି

ମଙ୍ଗଳାଷ୍ଟକ ପଠନ କରିବେ ଆବର

ସବୁ ଶୁଭକାର୍ଯ୍ୟେ ତାଙ୍କ ଲୋଡ଼ା ଅଟେ ମୂଳ ।

ନାଚନ୍ତୁ ନର୍ତ୍ତକୀକୁଳ ହୋଇଣ ଆନନ୍ଦ

ସମସ୍ତେ ଶୁଣନ୍ତୁ ତାଙ୍କ ଗୀତ ବାଦ୍ୟଛନ୍ଦ ।

ଦ୍ଵାରେ ଦ୍ୱାରେ ମଧୁପୁରେ ବସୁ ପୂର୍ଣ୍ଣକୁମ୍ଭ

ସର୍ବେ ଆନନ୍ଦେ ମଜ୍ଜନ୍ତି ଛାଡ଼ି ଚିନ୍ତା କ୍ଷୋଭ ।

କୃଷ୍ଣ ଆଦେଶେ ଅକ୍ରୂର ସବୁ ଯୋଗାଇଲେ

ସଧବା କାମିନୀମାନେ ହୁଳହୁଳି ଦେଲେ ।

ମଥୁରାପୁର ଆନନ୍ଦ କେ ପାରିବ କହି

ଯହିଁରେ ବିଜୟ କରିଛନ୍ତି ଭାବଗ୍ରାହୀ ।

ଶୁଣିହିଁ ଅକ୍ରୂର ଯାଇ ଭଣ୍ଡାରରୁ ବେଗେ

ପୂର୍ବ ରହୁବରେ ବସିଗଲା ନନ୍ଦଠାବେ ।

ମଧୁବନରେ ଗୋପାଳ ନନ୍ଦ ଥିଲେ ରହି

ଏଥକୁ ଦେଖି ଗୋପାଳ ନନ୍ଦ ଆଗେ କହି ।

ବୋଇଲେ ରାଜନ ଦେଖ ଆସଇ ଅକ୍ରୂର

ଶୁଣନ୍ତେ ପାଛୋଟି ଗଲା ବ୍ରଜ ନରବର ।

ଖଣ୍ଡେ ଦୂରରୁ ଅକ୍ରୂର ନନ୍ଦକୁ ଦେଖିଲା

ରଥରୁ ଓହ୍ଲାଇ ତାର ପାଦରେ ପଡ଼ିଲା ।

ଦେଖି ନନ୍ଦ ଅକ୍ରୂରକୁ କଲା ଆଲିଙ୍ଗନ

ବୋଇଲେ ହେ ମନ୍ତ୍ରୀ କହ କୃଷ୍ଣକଥାମାନ ।

ସତେ କି ମୋ ରାମକୃଷ୍ଣ ଜୀବନେ ଅଛନ୍ତି

ଗୁପତ ନ କରି କହ ଛାଡୁ ମନୁ ଭ୍ରାନ୍ତି ।

ଶୁଭୁଥିଲା ମଥୁରାରେ ଆଜ ଘୋର ରଡ଼ି

କି ଅବା ମନ୍ଦିରଗିରି ପଡ଼ୁଅଛି ଝଡ଼ି ।

ଦୁଷ୍ଟ କଂସ ଆଜି କିବା କୃଷ୍ଣଙ୍କୁ ମାଇଲା

କହ ହେ ଅକ୍ରୂର ମୋତେ ସନ୍ଦେହ ଲାଗିଲା ।

ନନ୍ଦ ବଚନେ ଅକ୍ରୂର ବେନି କରଯୋଡ଼ି

କହଇ ବିକଳ ହୋଇ ନନ୍ଦପାଦେ ପଡ଼ି ।

କୃଷ୍ଣ ସାକ୍ଷାତରେ ବ୍ରହ୍ମାକେ ତାଙ୍କୁ ମାରିବ

ଅସୁର ନିପାତିବାକୁ ଜନ୍ମ ବାସୁଦେବ ।

କଂସ ମଲା କୃଷ୍ଣ ଯଥା ବିଲୋକି ନୟନେ

କୃଷ୍ଣ ସଙ୍ଗେ ରଣକରି ମଲେ ଅନ୍ୟମାନେ ।

ଉଗ୍ରସେନ ହେବେ ରାଜା ଆଜି ମଧୁପୁରେ

ପେଶିଛନ୍ତ କୃଷ୍ଣ ମୋତେ ଚାଲହୋ ସେଠାରେ

ଅକ୍ରୂର ବଚନେ ନନ୍ଦ ଆନନ୍ଦିତ ହେଲେ

ଗୋପାଳଙ୍କୁ ସଙ୍ଗେ ଘେନି ରଥେ ବାହାରିଲେ

ମଥୁରା ନଗରେ ଯାଇ ହୋଇଲେ ପ୍ରବେଶ

ଯହିଁଛନ୍ତି ବସୁଦେବ ରାମ ପୀତବାସ ।

ନନ୍ଦକୁ ଦେଖିଣ କୃଷ୍ଣ ପାଦରେ ପଡ଼ିଲେ

ଉଗ୍ରସେନ ରାଜା ହେଉଅଛନ୍ତି ବୋଇଲେ ।

ପରସ୍ପର ପ୍ରଣମିଲେ ନନ୍ଦ ବସୁଦେବ

ଦେବକୀ ପଡ଼ିଲେ ନନ୍ଦ ପାଦେ କରି ସ୍ତବ ।

ଏହି ସମୟରେ ଚାରେ ଆଣି ତୀର୍ଥ ନୀର

ଅକ୍ରୂର ଆଗରେ ଜଣାଇଲେ ଯୋଡ଼ି କର ।.

ଦୂତ ବଚନେ ଅକ୍ରୂର ବିଷ୍ଣୁ ପାଶେ ଯାଇ

ବୋଲେ ଦେବ ବିଧିମାନ ଆଣିଲୁ ଯୋଗାଇ ।

ସକଳ ଠୁଳ ହୋଇଲା ଶୁଣ ଦେବରାଜ

କିପରି ହୋଇବ କର ବିଧିମତେ କାର୍ଯ୍ୟ ।

ଅକ୍ରୂର ବଚନେ କହୁଛନ୍ତି ଶିରୀଧର

ଅଭିଷେକ କାର୍ଯ୍ୟ ଏବେ କରାଅ ସତ୍ଵର ।

ତୀର୍ଥ ଜଳରେ ଅଜାକୁ ସ୍ନାହାନ କରାଅ

ରାଜବିଧି କରି ସିଂହାସନରେ ବସାଅ ।

କୃଷ୍ଣ ଆଦେଶେ ଅକ୍ରୂର ତହିଁ ଚଳିଗଲା

ତୀର୍ଥନୀରେ ଉଗ୍ରସେନେ ସ୍ନାନ କରାଗଲା ।

ଦେବାଙ୍ଗ ବସନମାନ କୁଞ୍ଚି ପିନ୍ଧାଇଲା

ନାନାରତ୍ନ ଅଳଙ୍କାରେ ଶରୀର ଖଞ୍ଜିଲା ।

କସ୍ତୁରୀ ଚୁଆ ଚନ୍ଦନ ଅଙ୍ଗେ ଲେପାଇଲା

ସୁବାସ କୁସୁମମାଳ ଗଳେ ଲମ୍ବାଇଲା ।

ମଣିମା ମଣିମା ବୋଲି ଖୁଣ୍ଟିଆ ଡାକିଲା

ଗାଦିରେ ଉଗ୍ରସେନକୁ ନେଇ ବସାଇଲା ।

ଆପେ ଉଗ୍ରସେନ ଶିରେ ପାଟକୁ ବାନ୍ଧଇ

ସେ ପାଟ ଶ୍ରୀକୃଷ୍ଣ ନିଜେ ଦିଅନ୍ତି ଫିଟାଇ ।

ପାଟ ବାନ୍ଧି ଉଗ୍ରସେନ ରାଜବିଧି ସାରି

ସିଂହାସନ ଉପରେ ସେ ଅଛି ବିଜେକରି ।

ଶ୍ଵେତଛତ୍ର ଚାମର ତା ଶିରରେ ପଡ଼ଇ

ଖଦି ଆଲଟ ଚାମର କେ ଗଣି ପାରଇ ।

ସ୍ୱର୍ଣ୍ଣବେତ୍ର ହସ୍ତେ ଧରି ଆଗେ ଉଭା ହରି

ଦର୍ଶନ କରନ୍ତି ନେଇ ଜଣ ଜଣ କରି ।

ପାତ୍ରମନ୍ତ୍ରୀମାନେ ଆସି କଲେ ଦରଶନ

ଯେ ଯାହା ମନ ରୂପରେ ଦେଲେ ଭେଟିମାନ ।

ଅଭିଷେକ ବିଧି ସାରି ଉଠି ଉଗ୍ରସେନ

ଲକ୍ଷ୍ମୀନାରାୟଣ ପାଦ କଲେ ଦରଶନ ।

ତଦନ୍ତେ ଇଷ୍ଟଦେବୀଙ୍କୁ ଦରଶନ କଲା

ଲକ୍ଷ ମେଷ ମହିଷ ଯେ ବଳି ତହିଁ ଦେଲା ।

ତହିଁ ଶ୍ରୀକୃଷ୍ଣଙ୍କୁ ଧରି ଅନ୍ତଃପୁରେ ଯାଇ

ହେତୀ ପ୍ରହେତୀ ରାଣୀଙ୍କୁ ପାଶକୁ ଡକାଇ ।

କଂସ ନାରୀମାନେ ଆସି କଲେ ଦରଶନ

ଅନାଇ ବନ୍ଧୁଗଣଙ୍କୁ ଦୁଃଖୀ ଉଗ୍ରସେନ ।

ତହିଁ ଇନ୍ଦୁମତୀକି ଯେ ଶ୍ରୀକୃଷ୍ଣ ଦେଖିଲେ

ରାଜା ସଙ୍ଗେ ରାମଙ୍କୁ ଯେ ରଖାଇଣ ଗଲେ ।

ରାଣୀର ମନ୍ଦିରେ ଯାଇ କଲେ ସେ ପ୍ରବେଶ

ଦେଖିଲେ ସବୁରି ମନ ଅତ୍ୟନ୍ତ ବିରସ ।

ମୁଖପୋତି ବସିଅଛି କଂସର ଜନନୀ

ବହିଯାଏ ନେତ୍ରୁ ନୀର ପୁତ୍ର ଗୁଣ ଗୁଣି ।

ଏମନ୍ତ ସମୟେ କୃଷ୍ଣ ପାଦରେ ପଡ଼ିଲେ

ଭୟ କରଯୋଡ଼ି ଖଣ୍ଡେ ଦୂର ଉଭାହେଲେ ।

ଦେଖି ଇନ୍ଦୁମତୀ ଶୋକଭରେ କହେ ବାଣୀ

ମୋହର ପୁତ୍ରକୁ ନାଶ କଲୁ ନୀଳମଣି ।

ଏକା ପୁତ୍ର ମୁଖ ମୋର ନ ପାରିଲି ଦେଖି

ବୃଦ୍ଧକାଳେ ପୁତ୍ର ଲାଗି ମୁଁ ହୋଇଲି ଦୁଃଖୀ ।

ତୁହି ତ ଦେବକୀ ପୁତ୍ର କି କହିବି ତୋତେ

ମାମୁଁଙ୍କୁ ମାଇଲୁ ଦୟା ନ ବହିଲୁ ଚିତ୍ତେ ।

ପୁତ୍ର ଥାଉଁ ପୁତ୍ର ମୁଖ ଦେଖି ନ ପାରିଲି

ମରିବା କାଳକୁ ମୁହିଁ ଅଗତି ଲଭିଲି ।

ତାହାର ବଚନ ଶୁଣି ଦେବ ଭାବଗ୍ରାହୀ

ବୋଲନ୍ତି ମାମୁଁଙ୍କୁ ଆଈ ମୁଁ ତ ମାରିନାହିଁ ।

ମଧୁପୁର ନରନାରୀ ପାତ୍ରମନ୍ତ୍ରୀ ଗଣ

ବସିଥିଲେ ପୁଣି ତହିଁ ଅଜା ଉଗ୍ରସେନ ।

ପଚାର ଡକାଇ ତୁମ୍ଭେ ମଧୁପୁରଯାକ

ମୁଁ ମାରିଛି ବୋଲି ଯଦି କହେ କେଉଁ ଲୋକ ।

ତେବେ ମୁଁ ମାମୁଁଙ୍କୁ ଆଜି ଦେବିଗୋ ଜୀଆଇଁ

ନ ବୁଝିଣ କ୍ରୋଧ କିମ୍ପା କରୁଅଛ ଆଈ ।

ଅକ୍ରୂରକୁ ପେଶି ମାମୁଁ ମୋତେ ଡକାଇଲା

କୁବଳୟା କରେ ମୋର ପ୍ରାଣ ନେଉଥିଲା ।

ତହୁଁ ତୁମ୍ଭ ଦୟାରୁ ମୁଁ ବଞ୍ଚିଣ ଆସିଲି

ମାମୁଁଙ୍କୁ ଜଗତୀ ତଳେ ଥାଇ ଦେଖାକଲି ।

ମୋତେ ଅନାଇଁଲେ ଯହୁଁ ମାମୁଁ ବେନିଡୋଳେ

ଜଗତୀ ଉପରୁ ଖସି ପଡ଼ିଲେ ସେ ତଳେ ।

ମୋ ଉପରେ ପଡୁଥିଲେ ଦଇବ ରଖିଲା

ତାହାର ଇଚ୍ଛାରେ ସିନା ମାମୁଁ ପଡ଼ି ମଲା ।

ଶୁଣି ଇନ୍ଦୁମତୀ ରାଣୀ ଶୋକଭର ହୋଇ

ବୋଇଲେ ମୋ ଅଭିଶାପ ଘନ କୃଷ୍ଣ ତୁହି

ତୋହର ପୁତ୍ର ପଉତ୍ର ହେବେରେ ବହୁତ

କଂସଠାରୁ ହୋଇବେ ସେ ଅତି ବଳବନ୍ତ ।

ତୋ ତହୁଁ ଗୁଣେ ଅଧିକ ହୋଇବେ ତୋ ସୁତ

ଦେଖୁଥିବୁ ତୋର ଆଗେ ସର୍ବେ ହେବେ ହତ ।

ବୃଦ୍ଧ ପିତାମାତା ଆମ୍ଭେ ଅଛୁରେ ଜୀବନେ

ଆମ୍ଭ ଆଗେ ଆମ୍ଭ ପୁତ୍ର ମାଇଲୁ କେସନେ ।

ନନ୍ଦ ଯଶୋଦା ଦେବକୀ ବସୁଦେବ ଥିବେ

ତୋହର ମରଣ ବୃଦ୍ଧକାଳେ ସେ ଦେଖିବେ ।

ତୁହରେକୃଷ୍ଣ ଯେତେବେଳେହେବୁପ୍ରାଣେନାଶ

ତୋ ବନ୍ଧୁ ପୁତ୍ରରୁ କେହି ନଥିବେ ତୋ ପାଶ

ମୋର ପୁତ୍ର ମଲା ମୁଖ ନ ଦେଖିଲି ମୁହିଁ

ତୋ ପୁତ୍ର ମୁଖ ନ ଦେଖି ମରିବୁରେ ତୁହି ।

ମୋପୁତ୍ର ମୋ ମୁଖେଯେବେ ନଦେଲାରେ ଅଗ୍ନି

ନ ପାଇଲି ଯେବେ ତାର କରୁ ପିଣ୍ଡପାଣି ।

ବନ୍ଧୁମାନେଯେବେ ମୋତେ କରିବେ ସଂସ୍କାର

ପୁତ୍ର ଜାତ କରି ଯେବେ ଏ ଗତି ମୋହର ।

ତୋର ପୁତ୍ରେ ତୋ ମୁଖରେ ନଦେବେ ଅନଳ

ନ ପାଇବୁ ତାହାଙ୍କର କରୁ ଜଳ ତିଳ ।

ତୋର ବନ୍ଧୁମାନେ ତୋତେ କରିବେ ଦହନ

ଆଉ କେତେ କହିବି ତୁ ଦେବକୀ ନନ୍ଦନ ।

ଏତେବୋଲି କୃଷ୍ଣଙ୍କୁ ସେ କୋଳରେ ଧଇଲେ

ଶ୍ରୀମୁଖେ ଚୁମ୍ବନ ଦେଇ ବିନୟେ କହିଲେ ।

ମାଗୁଅଛି ବାବୁ ମୋର ଘେନିବୁ କଥାଏ

କୃଷ୍ଣ ନାମ ଅଟଇ ମୋ ବାଳୁତ ତନୟେ ।

ତାକୁ ନ ମାରିବୁ କହୁଅଛି କର ଧରି

ତୋହର ଜ୍ୟେଷ୍ଠ ଭାଇରେ ଅଟେ ହଳଧାରୀ ।

ତା ତହୁଁ ଅଧିକ କରି ପ୍ରତି ପାଳିଥିବୁ

ମୋହର ଶପଥ ତୋତେ ତାକୁ ନ ମାରିବୁ ।

ସେ ତ ବାଳକ ନନ୍ଦନ କିଛି ନ ଜାଣଇ

ଗୃହରୁ ବାହାର ଆଜିଯାଏ ହୋଇନାହିଁ ।

କଂସକୁ ଦେଖିଲେ ସେହୁ ଭୟ କରୁଥାଇ

ରଖିବୁ ତୋହର ସଙ୍ଗେ କହୁଅଛି ମୁହିଁ ।

ଯହିଁ ଯାଉଥିବୁ ତାଙ୍କୁ ସଙ୍ଗେ ନେଉଥିବୁ

ହଂସକ ଡିମ୍ବକ ସଙ୍ଗେ ତାକୁ ନ ଛାଡ଼ିବୁ ।

ତୋ ସଙ୍ଗରେ ବିଦ୍ୟାପାଇଁ ଗୁରୁଘରେ ନେବୁ

ବିପତ୍ତି ପଡ଼ିଲେ ତାକୁ ରକ୍ଷା କରୁଥିବୁ ।

ଏତେକ ମୁଁ ମାଗୁଅଛି ମୋତେ କୃଷ୍ଣ ଦିଅ

ତୁ ମୋହର ଅଟୁ ଜ୍ୟେଷ୍ଠ ଦୁହିତାର ପୁଅ ।

ରାଣୀର ବଚନେ କୃଷ୍ଣ ବୋଲନ୍ତି ଗୋ ଆଈ

ମାମୁଁ ସିନା ମରୁ ମୋର ଭିନ୍ନାଭିନ୍ନ ନାହିଁ ।

ଏ ମର୍ତ୍ତ୍ୟମଣ୍ଡଳେ ଯେହୁ ହେଇବେ ଗୋ ଜାତ

ଘଟିବ ତାହାର ଦିନେ ମରଣ ନିଶ୍ଚିତ ।

ସେଥିପାଇଁ ଆଈ ମୁଁ ଗୋ ନ ପାରଇ କହି

ତୋ କଥା ପାଳିବି ସତ୍ୟ କହୁଅଛି ମୁହିଁ ।

କୃଷ୍ଣ ବଚନରେ ଇନ୍ଦୁମତୀ ହୃଷ୍ଟ ହୋଇ

ତାଙ୍କ ସଙ୍ଗେ ଅନ୍ତଃପୁରୁ ବାହାର ହୁଅଇ ।

ବଧୂଙ୍କର ପାଶେ ଉଗ୍ରସେନ ଥିଲେ ଯାଇ

ଯାଇ ପ୍ରବେଶିଲେ ଇନ୍ଦୁମତୀ ବେଗେ ତହିଁ ।

ବସି ବଧୂମାନଙ୍କର ସଙ୍ଗେ ଦୁଃଖ ଭାଳି

ଉଗ୍ରସେନ ପାଶକୁ ସେ ଗଲେ ବନମାଳୀ ।

ବଧୂମାନଙ୍କୁ ବୁଝାଇ ଭୋଜ ଦଣ୍ଡଧାରୀ

ହଂସକ ଡିମ୍ବକ ବେନି ଭାଇ କର ଧରି ।

ଦେବକୀ ବସୁଦେବଙ୍କ ପାଶେ ପ୍ରବେଶିଲେ

ଦୂରୁ ଦେଖି ବସୁଦେବ ପାଛୋଟି ଅଇଲେ ।

ଦରଶନ କରି ପାଦତଳରେ ପଡ଼ିଲେ

କୃଷ୍ଣ ବଳରାମ ସଙ୍ଗେ ଅଛନ୍ତି ଦେଖିଲେ ।

କର ଧରି ଚଳାଇଛି କଂସ ବେନିସୁତ

ରାଜା ସମ୍ଭାରେ ଆସିଛି ମଥୁରାର ନାଥ ।

ଏମନ୍ତ ଦେଖି ଦେବକୀ କିଛି ନ କହନ୍ତି

ଶୋକଭର ହୋଇ ମୁଖ ପୋତି ବସିଛନ୍ତି ।

ମନେ ବିଚାରଇ ମୋର ଷଡ଼ପୁତ୍ର ମଲେ

କଂସର ପୁତ୍ରଙ୍କୁ ଧରିଅଛି କୁତୂହଳେ ।

ତାହାଙ୍କୁ ଦେଖିଲେ ମୋର ହୃଦୟ ଜଳଇ

ମୋ ପୁତ୍ର ସଙ୍ଗରେ ତାଙ୍କୁ ଆଣିଛି ଦେଖାଇ ।

ଏ ମଲେ ସିନା କଂସର ବଂଶ ଯିବ ନାଶ

ପୁତ୍ର କଷ୍ଟ ପାଶୋରି ମୁଁ ଲଭିବି ସନ୍ତୋଷ ।

ମୋର ପୁତ୍ର କୃଷ୍ଣ କରେ ହୁଅରେ ବିନାଶ

ଯେତେ ଦୁଃଖ ଦେଇଅଛି ତୁମ୍ଭ ବାପ କଂସ ।

ମନେ ପଡ଼ିଲେ ହୃଦୟ ହୁଏ ମୋର ହାଣି

ନାତିମାନଙ୍କୁ ଦେଖାଏ ମୋର ପାଶେ ଆଣି ।

କୃଷ୍ଣଙ୍କୁ ଦେଖି କଂସର ହୋଇଲା ମରଣ

ତେଣୁ ସିନା ମଧୁପୁରେ ହୋଇଲା ରାଜନ ।

କୃଷ୍ଣ ଯେବେ ମଧୁପୁରେ ହୋଇଥାନ୍ତା ରାଜା

କାହୁଁ ମଧୁପୁରେ ତାତ ପାଇଥାନ୍ତା ପୂଜା ।

ଏବେ ବଧୂନାତି ଧରି କରିବ ସେ ଭୋଗ

ଏମନ୍ତେ ପାଞ୍ଚି ଦେବକୀ ମନେ କଲେ ରାଗ ।

ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ତାଙ୍କ ମନ ଜାଣି

ବେନିକର ଯୋଡ଼ି ପଦେ ପଡ଼ିଲେ ତକ୍ଷଣି ।

ବୋଲନ୍ତି ଗୋ ମାଏ ଶୁଣ ମୋହର ବଚନ

ଯଦି ଭାଲପଟେ ବିହି କରିଛି ଲିଖନ ।

ସବୁଦିନେ ଦୁଃଖ ମାଗୋ ନଥାଏ କାହାରି

ସବୁଦିନେ ସୁଖ କେହି ନଥାଏ ଆବୋରି ।

ଦୁଃଖସୁଖ ପ୍ରାଣୀ ସିନା କରୁଥାଇ ଭୋଗ

ସକଳ ଘଟେ ବିଧାତା କରିଛି ସଂଯୋଗ ।

ପୂର୍ବଶାପ ଥିଲା ମାଗୋ ବନ୍ଦୀଘରେ ଥିଲ

ବିହି ଲିହିଥିଲା ପୁତ୍ର ମରଣ ଦେଖିଲ ।

ସର୍ବଦା ବିପତ୍ତି ଗୃହ କରିଣ ନ ଥାଇ

ଜନମିଲେ ପ୍ରାଣୀ ମାଗୋ ନିଶ୍ଚୟ ମରଇ ।

ଯେ ଯାହା ଅର୍ଜିଥାଇ ସେ ତାହାକରେଭୋଗ

ତୁମ୍ଭ ଭାଲପଟେ ଥିଲା ପୁତ୍ର କଷ୍ଟଯୋଗ ।

ବିନା ଦୋଷେ ମାମୁଁ ନାଶ କଲେ ଷଡ଼ଭାଇ

ତେଣୁକରି ତାକୁ ମାଗୋ ଦଣ୍ଡିଲାଟି ବିହି ।

ଅକାରଣେ ତୋତେ ଯେଣୁ ଦେଲା ଗର୍ଭକଷ୍ଟ

ତାହାର ଧର୍ମକୁ ସେ ଗୋ ନିଜେ କଲା ନଷ୍ଟ ।

ଧର୍ମ ଯେବେ ସତ୍ୟ ମାଗୋ ଅଟଇ ଜଗତେ

ନ ମରିବ ପୁତ୍ର ତବ ଦେଖିବ ସାକ୍ଷାତେ ।

ଭାଇମାନଙ୍କୁ ଦେଖିବ କହୁଛି ମୁଁ ସତ୍ୟ

ଧର୍ମବଳେ ଧରା ଯେବେ ହୁଏ ଆତଯାତ ।

ଏବେ ତୁମ୍ଭ ଦୁଃଖ ଅନ୍ଧକାର ଦୂର ହେଲା

ଭାଗ୍ୟ ନଭେ ସୁଖ ଶଶୀ ଆସି ପ୍ରବେଶିଲା ।

ଆଉ ତୁମ୍ଭଙ୍କୁ ଦୁଃଖ ଯେ ନପାରଇ ଘାରି

ପିତା ତ ତୁମ୍ଭର ମଧୁପୁରେ ଦଣ୍ଡଧାରୀ ।

ଆମ୍ଭେ ଏବେ ସୁଖେ ମଧୁନଗରେ ରହିବା

ତୁମର ପିତା ତ ରାଜା କାହାକୁ ଡରିବା ।

ଆମ୍ଭମାନଙ୍କୁ ଗୋ ଅଜା କେଭେ ନ ଛାଡ଼ିବେ

ଦେବକୀ ଦୁହିତା ମୋର ନାତିଏ ବୋଲିବେ ।

କଂସର ବଂଶକୁ ମୁଁ ଗୋ କରିବି ବିନାଶ

ମେଦିନୀରେ ତେବେ ସିନା ରହିବ ମୋ ଯଶ ।

ଶୁଣ ଆଗୋ ମାଏ ଆମ୍ଭ ଭାଲପଟେ ବିହି

ରାଜଯୋଗ ଲେଖି ନାହିଁ ରାଜା ହେବା କାହିଁ ।

ଦେବକୀ ବୋଇଲେ ତୁହି ଶୁଣ ଦାମୋଦର

ଆଉ ଦୁଃଖ ଭାଲପଟେ ଅଛି କି ମୋହର ।

ପୁଣି କି ଦୁଃଖ ପଡ଼ିବ କହରେ କହ୍ନାଇ

ଆଉ ଦୁଃଖେ ପଡ଼ିଲେ ମୁଁ ନ ପାରିବି ସହି ।

ଆଗରୁ ଶରୀର ମୋର କରିବି ଦହନ

କହନ୍ତି ଦେବକୀ ବାକ୍ୟ ଶୁଣି ନାରାୟଣ ।

ଶୁଣ ଗୋ ଜନନୀ ଏବେ କହୁଅଛି ମୁହିଁ

ବିଧାତା ଲିଖନ କଥା ଜାଣିଲି ମୁଁ କାହିଁ ।

ଶୁଣିଥିଲି ମୁନି ମୁଖୁ ଗୋପପୁରେ ରହି

ସୁଖ ଭୋଗ ଯେ କରଇ ଦୁଃଖ ସେ ଭୋଗଇ ।

କାଳେ ସୁଖ ଯାଇ ଦୁଃଖ ଲଭଇ ପ୍ରକାଶ

ପୁଣି ଦୁଃଖ ଯାଇ ସୁଖ ଆସଇ ଅବଶ୍ୟ ।

ପୁଣି ସେ ଦୁଃଖ ଯେବେଟି ଅଳ୍ପଦିନେ ଯାଏ

ଦୁଃଖ ନ ମଣି ମଣିବ ତାକୁ ସୁଖ ପ୍ରାୟେ ।

ଜନମରେଯେବେ ଦୁଃଖଭୋଗ କରୁଥାଇ

ସମ୍ପଦ ମିଳିଲେ ତାହା ମନେ ନ ପଡ଼ଇ ।

କେବଳ ସମ୍ପଦ ମନେ ହେଉଥାଏ ଘାରି

ବିପଦ କିପରି ବୋଲି ନ ପାରେ ବିଚାରି ।

କେବେହେଁ ବିଷ୍ଣୁର ପାଦେ ସେବା ନ କରଇ

ହରିନାମ ତାକୁ ବିଷ ପୁରାଏ ଲାଗଇ ।

ଯେ ଜନ ନସେବେ ହରି ମୋତେ ନୃତ୍ୟଗୀତେ

କିପରି ପଦାର୍ଥ ବିଷ୍ଣୁ ନ ଭାବଇ ଚିତ୍ତେ ।

ପରବିତ୍ତ ପରଦାର ହିଂସା ଯେ କରଇ

କେବଳ ରାତ୍ର ଦିବସେ ପାପ ଚିନ୍ତୁଥାଇ ।

ଜୀବ ମାରିବାରେ ମନ ଥାଏ ନିରନ୍ତର

କ୍ଷୁଧାର୍ତ୍ତେ ତୃଷାର୍ତ୍ତେ ଦେଖି ମାରିକରେ ଦୂର ।

ସୁଖିଲୋକ ହରିନାମ ମନୁ ପାଶୋରଇ

କେବଳ ପ୍ରାଣୀର ନାମ ନିରତେ ପାଞ୍ଚଇ ।

ଏମନ୍ତ ସୁଖରେ ମାତା ନ ବଳାଅ ମନ

ସୁଖୀ ହୁଅ ହରିନାମ ସ୍ମରି ନିଶିଦିନ ।

ଯହୁଁ ଦେବକୀ ଏମନ୍ତ ବଚନ ଶୁଣିଲେ

ଉଗ୍ରସେନ ପାଦତଳେ ଯାଇ ପ୍ରଣମିଲେ ।

ଦେଖି ଉଗ୍ରସେନ ନିଜ କନ୍ୟାକୁ ଉଠାଇ

ବୋଇଲେ ଦେବକୀ ଭାଗ୍ୟବତୀ ଅଟୁ ତୁହି ।

ରାମକୃଷ୍ଣ ବେନିଭାଇ ପାଳନ୍ତୁ ଏ ପୁର

ମୁଁ ତାଙ୍କ ସେବକ ହୋଇଥିବି ନିରନ୍ତର ।

ଅନ୍ତଃପୁରେ ବଧୂଗଣ ସେବିବେ ଗୋ ତୋତେ

ଯାବତ ଭଣ୍ଡାର ତୁ ଗୋ ସମ୍ଭାଳ ଦୁହିତେ ।

କୃଷ୍ଣ ବାକ୍ୟ ଶୁଣି ଉଗ୍ରସେନ ଭୟ କଲେ

କଂସ ବେନି ପୁତ୍ର ତାଙ୍କ ପାଦେ ପକାଇଲେ ।

ବିଚାରିଲା କଂସ ବଂଶ କରିବେ ଏ ନାଶ

ଶୁଣିଲ କହିଲେ ମାତ ଆଗେ ପୀତବାସ ।

ତାର ଷଡ଼ପୁତ୍ର ଆଣିଦେବେ ଦଇତ୍ୟାରୀ

ତେବେ ଯାଇ ହେବେ ତାରମନ ତୋଷକାରୀ

ତା ଦେଖି ଦେବକୀ ମନୁ କଷ୍ଟ ପାଶୋରିବ

ଏମନ୍ତ ପ୍ରକାରେ ରାଜା ମନେକଲେ ଭାବ ।

ରାମକୃଷ୍ଣ ସହ ବେନି ନାତି କର ଧରି

ସିଂହଦ୍ୱାରେ ପ୍ରବେଶିଲେ ଆସି ଦଣ୍ଡଧାରୀ ।

ରହିଛନ୍ତି ଅଶ୍ଵ ହସ୍ତୀ ପଦାତି ଅପାର

ଶଙ୍ଖ ଭେରୀ ତୂରୀ ଯେ ବାଜଇ ନିରନ୍ତର ।

ବାଦ୍ୟର ଶବଦେ କମ୍ପୁଅଛି ମଧୁପୁର

କହି ନ ନୁହଇ ଆନନ୍ଦ ମଥୁରାପୁରର ।

ନାନାଜାତି ବାଦ୍ୟମାନ ଆନନ୍ଦେ ବାଜଇ

ପାତ୍ର ଅମାତ୍ୟ ସକଳେ କରଯୋଡ଼ି କହି ।

ବଜାଇ ବିବିଧ ବାଜା ଅଙ୍ଗବଳ ନେଇ

ମଧୁପୁରେ ପର୍ଯ୍ୟଟନ କର ନରସାଇଁ ।

ଶୁଣି ଉଗ୍ରସେନ ଶ୍ଵେତ ହସ୍ତୀ ମଣ୍ଡାଇଲା

ରାମକୃଷ୍ଣ ବେନିଭାଇ ତହିଁ ବସାଇଲା ।

ଅନ୍ୟ ଶ୍ଵେତ ହସ୍ତୀ ପରେ ନନ୍ଦ ବସୁଦେବ

ବସାଇଲେ ଉଗ୍ରସେନ କରିଣ ଗୌରବ ।

ଯେତେକ ଗୋପାଳସୁତେ କୃଷ୍ଣସଙ୍ଗେ ଥିଲେ

ସମସ୍ତେ ଅଶ୍ଵ ଉଷ୍ଟ୍ରାଦି ପୃଷ୍ଠେ ଆରୋହିଲେ ।

ମଥୁରା ନଗର ରାଜା ପାତ୍ର ମନ୍ତ୍ରୀମାନେ

ଅଶ୍ଵ ହସ୍ତୀ ଆରୋହିଲେ ଆନନ୍ଦିତ ମନେ ।

ନିଜେ ରାଜା ଏକ ଶ୍ଵେତ ହସ୍ତୀ ଆରୋହିଲା

କଂସର ବେନି ପୁତ୍ରକୁ ପାଶେ ବସାଇଲା ।

ମଣିମା ମଣିମା ବୋଲି ଡାକଇ ଖୁଣ୍ଟିଆ

ବାଦ୍ୟର ଶବଦେ ତହିଁ ଚମକଇ ହିଆ ।

ନାଚନ୍ତି ନର୍ତ୍ତକୀଗଣ ଅତି ଆନନ୍ଦରେ

ରାଜଦାଣ୍ଡେ ଉଗ୍ରସେନ ଚଳେ ଧୀରେ ଧୀରେ ।

ଶୂନ୍ୟେ ଦେବଗଣ ଦେଖି ଭଜିଲେ ଆନନ୍ଦ

ମଧୁପୁର ପର୍ଯ୍ୟଟନ କରନ୍ତି ଗୋବିନ୍ଦ ।

ପାରିଜାତ ପୁଷ୍ପ ଆଣି ବୃଷ୍ଟିକଲେ ଦେବେ

ବିଚାରିଲେ ମହୀଭାରା ଦୂର ହେଲା ଏବେ ।

ମଧୁପୁର ଦେଖି କୃଷ୍ଣ ହରଷ ହୋଇଲେ

ନଗ୍ର ଦ୍ଵାର ପାଶେ ଫେରି ସିଂହଦ୍ୱାରେ ଗଲେ

ଉଗ୍ରସେନ ପାତ୍ରମନ୍ତ୍ରୀମାନଙ୍କୁ ଡକାଇ

ଜଣ ଜଣ କରି ଶାଢ଼ୀ ବଳା ସେ ଦିଅଇ ।

ଯେ ଯାହା ପୁରକୁ ଯାଅ ବୋଲି ଆଜ୍ଞାଦେଲେ

ରାମକୃଷ୍ଣ କର ଧରି ଅନ୍ତଃପୁର ଗଲେ ।

ରତ୍ନପଲ୍ୟଙ୍କ ଉପରେ ବିଜୟ କରାଇ

ପୁଣି ଉଗ୍ରସେନ ସର୍ବ ଗୋପାଳ ଡକାଇ ।

ସମସ୍ତ ଯାଦବ ବଂଶ ଡକାଇ ଆଣିଲା

ନନ୍ଦ ବସୁଦେବ ଘେନି ଆପଣେ ବସିଲା ।

ଇନ୍ଦୁମତୀକି ଅନାଇ ବୋଲଇ ବଚନ

ମଣୋହି ଯୋଗାଡ଼ ତୁମ୍ଭେ ବେଗକରି ଆଣ ।

କାଲିଠାରୁ ରାମକୃଷ୍ଣ ଅଛନ୍ତି ଗୋ ଭୋକେ

କିଛି ନଖାଇ ଗୋପାଳେ ଅଛନ୍ତିଟି ଦୁଃଖେ ।

ନନ୍ଦ ଭୋକେ ଅଛନ୍ତି ଗୋ ଶୁଣ ବଧୂଗଣେ

ଅମୃତ ଯୋଗାଡ଼ମାନ ଆଣ ଗୋ ବହନେ ।

ସୁବର୍ଣ୍ଣ ଝରିରେ ନୀର ନନ୍ଦକୁ ଯେ ଦେଲେ

ବସୁଦେବର ପାଦକୁ ନିଜେ ପଖାଳିଲେ ।

ରାମ କୃଷ୍ଣ ପାଦ ଧୋଇ ହୋଇଲେ ଆନନ୍ଦ

ଏହି ସମୟେ ରାଜାକୁ କହିଲେ ଗୋବିନ୍ଦ ।

କଥାଏ କହିବି ରାଜା ଶୁଣ ମନଦେଇ

ତୁମ୍ଭେ କର ମଣୋହି ମୁଁ ପରେ ଭୁଞ୍ଜିବଇଁ ।

ଅକ୍ରୂର ଗୋପରୁ ମୋତେ ଯେ କାଳେ ଆଣିଲା

ମଧୁବନେ ରହିଲୁ ସେ କଂସକୁ କହିଲା ।

ରାଜ ଦର୍ଶନେ ନିମନ୍ତେ ଆସୁ ବେନିଭାଇ

ମାରୁଥୁଲା କୁବଳୟା ସିଂହଦ୍ଵାରେ ରହି ।

ଚାଣୁର ମୁଷ୍ଟିକ ନେଉଥିଲେ ଆମ୍ଭ ପ୍ରାଣ

ସେଠାରୁ ବଞ୍ଚିଲୁ ଆମ୍ଭେ ଶୁଣ ହେ ରାଜନ ।

ମାଲମାନଙ୍କର ସୁତେ ମାରୁଥିଲେ ଧରି

ଆକୁଳ ହୋଇଲେ ଦେଖି ସର୍ବ ମଧୁନାରୀ ।

ରାମକୃଷ୍ଣ ନ ମାରନ୍ତି ବୋଲି ମନାସିଲେ

କେ ବୋଲେ ରଖ ଈଶ୍ଵର ଏ ସଙ୍କଟକାଳେ ।

କେ ବୋଲଇ ରାମକୃଷ୍ଣେ ରଖ ମା ମଙ୍ଗଳା

କେ ଗ୍ରାମଦେବତୀ ମନେ ସୁମରଣା କଲା ।

ରଙ୍ଗ ମନ୍ଦାର ସିନ୍ଦୂର ପୁଣି ରଙ୍ଗ ଶାଢ଼ୀ

ଲକ୍ଷେକ ଛାଗଳ ସହ ଦେବି ରତ୍ନଚୂଡ଼ୀ ।

ମେଷ ମହିଷ ତୋତେ ଗୋ ଦେବି ମହାମାୟୀ

ଯେବେ ଜିଣନ୍ତି ଯୁଦ୍ଧରେ ରାମକୃଷ୍ଣ ଦୁଇ ।

ଏହିରୂପେ ମଧୁପୁର ନରନାରୀ ଯେତେ

ମୋପାଇଁ ଆକୁଳେ କହି ଅଛନ୍ତି ସମସ୍ତେ ।

ଦେବତାମାନଙ୍କୁ ଦେବ ଭୋଗ ଦ୍ରବ୍ୟମାନ

ଆକୁଳେ ମନାସିଛନ୍ତି ମଧୁପୁର ଜନ ।

କୁବଳୟା ଗଜ ଯେତେବେଳେ ଫିଙ୍ଗିଦେଲା

ଦେଖଣାହାରୀଙ୍କ ନେତ୍ରୁ ଅଶ୍ରୁପାତ ହେଲା ।

ସେମାନଙ୍କ ପୁଣ୍ୟରୁ ମୁଁ ପାଇଲି ଜୀବନ

ଦେବଋଣ ନଦେଇ ନ କରିବି ଭୋଜନ ।

କଂସ ମଲା ଆମ୍ଭର ତ ଜୀବନ ବଞ୍ଚିଲା

ତୁ ରାଜା ହୋଇଲୁ ତୋର ବାସ୍ଥାସିଦ୍ଧହେଲା ।

ମାତା ପିତାଙ୍କ ଚରଣୁ ଶାଙ୍କୋଳୀ ଫିଟିଲା

ଦେବାଦେବୀଙ୍କର କୃପାରୁ ଦୁଃଖ ଦୂର ହେଲା ।

କିମ୍ପାଇଁ ଦେବତା ଋଣ ରଖିବି ଯେ ମୁହିଁ

ଦେବତାମାନେ ତ ତାଙ୍କୁ ମାଗିଯିବେ ନାହିଁ ।

ସେହି ନାରୀଜାତି ସିନା ମନୁ ପାଶୋରିବେ

ନ କହନ୍ତି କଥା ଦେବେ କେମନ୍ତ ମାଗିବେ ।

ମୋ ଲାଗି ଆକୁଳେ ଯାଚିଛନ୍ତି ନରନାରୀ

କାର୍ଯ୍ୟସିଦ୍ଧ ହେଲା ମନେ ନଥିବ କାହାରି ।

ନ ପାଇଲେ ପୂଜା ଦେବୀମାନେ କ୍ରୂଦ୍ଧହେବେ

ଆଉ ବେଳେ କହିଲେ ସେ କିମ୍ପାଇଁ ଶୁଣିବେ

ଶୁଣ ଆହେ ଅଜା ତୁମ୍ଭେ ମୋହର ବଚନ

ଭଣ୍ଡାରୁ ଅଣାଅ ଦେବଯୋଗ୍ୟ ଦ୍ରବ୍ୟମାନ ।

ଭଣ୍ଡାରେ ନଥିଲେ ଆଣ ବିପଣୀରୁ ଯାଇଁ

ତହିଁ ନ ମିଳିଲେ ଆଣ ଗୋପପୁରୁ ତୁହି ।

ମୋହଠାରୁ ଲେଖାନେଇ ଯିବେ ଦୂତଗଣ

ଗୋପୀଙ୍କି କହି ଆଣିବେ ପୂଜା ଦ୍ରବ୍ୟମାନ ।

ଶ୍ରୀକୃଷ୍ଣ ବଚନ ଶୁଣି କହେ ନରବର

କିପରି ଏ ମଧୁପୁର ହୋଇଲା ମୋହର ।

ତୁ ଯେ ବୋଲୁଅଛୁ ମଧୁପୁରୁ ଦ୍ରବ୍ୟ ଆଣ

ତହିଁରେ କି ଅଧିକାର ମୋର ଭଗବାନ ।

ଗୋପପୁର ହେଲା ତୋର ନୋହିଲା ଏ ପୁର

ଏମନ୍ତ ବଚନ କିମ୍ପା ଭାଷୁ ଚକ୍ରଧର ।

ତୁ ଯେବେ ଏମନ୍ତ କଥା କହୁ ଭାବଗ୍ରାହୀ

ତେଣେ ରାଜପଣ ନେବା ମୋର ନ ଯୋଗାଇ

ମୁଁ ତାର ଭୃତ୍ୟର ଭୃତ୍ୟ ଅଟେ ନାରାୟଣ

କିମ୍ପା ଏ ଜଞ୍ଜାଳ ନେବି ଛାଡ଼ି ତୋ ଚରଣ ।

ଶ୍ରୀକୃଷ୍ଣ ବୋଇଲେ ଅଜା ନ କହ ଏ ମାନ

ମାମୁଁ ମଲା ଅରାଜକ ହେଲା ଏ ଭୁବନ ।

ମୁଁ ଯେବେ ହୋଇବି ରାଜା ନିନ୍ଦିବେ ସକଳେ

ବୋଲିବେ କଂସକୁ ମାରି କୃଷ୍ଣ ରାଜ୍ୟନେଲେ

ଦୁଷ୍ଟ ବୋଲି ତାକୁ ଦେବେ କଲେ ସେ ସଂହାର

ନ ଥିଲା କିତାର ପିତା ଉଗ୍ରସେନ ବୀର ।

ଅଛନ୍ତି ପୁଣି ତାହାର ଦୁଇ ଶିଶୁ ସୁତ

ପିତାଙ୍କୁ ବିନାଶି ତାଙ୍କୁ କଲେଟି ଅନାଥ ।

ଏମନ୍ତ ଅଖ୍ୟାତ ମୋତେ ନ ଦିଅ ନରେଶ

ଗୋ ବ୍ରାହ୍ମଣ ହିତେ ସିନା କଂସ ଗଲା ନାଶ ।

ରାଜ୍ୟ ଲୋଭେ ମାମୁଁଙ୍କୁ ମୁଁ କରିନାହିଁ ହତ

କିମ୍ପାଇଁ ଏମାନ ମୋତେ କହୁ ନରନାଥ ।

ଶୁଣି ଉଗ୍ରସେନ ଚାରମାନଙ୍କୁ ହକାରି

ବୋଇଲା ସଖୀମାନଙ୍କୁ ଆଣ ବେଗକରି ।

ଆଜ୍ଞାପାଇ ଚାରଗଣ ବେଗେ ଧାଇଁଗଲେ

ପାତ୍ର ଅମାତ୍ୟମାନଙ୍କୁ ହକାରି ଆଣିଲେ ।

ସେମାନଙ୍କୁ ଚାହିଁ ଆଜ୍ଞାଦେଲେ ନରବର

ଭଣ୍ଡାରୁ ଅଣାଅ ଦେବପୂଜାର ସମ୍ଭାର ।

ରାଜଆଜ୍ଞା ପାଇ ମନ୍ତ୍ରୀ ଭଣ୍ଡାର ଫିଟାଇ

ପୂଜା ଉପଚାରମାନ ଆଣିଲେ ବୁହାଇ ।

ଦେଖି ଉଗ୍ରସେନ ବୀର ଶ୍ରୀକୃଷ୍ଣେ ଜଣାଇ

ଉପହାରମାନ ସବୁ ଆସିଲା ଗୋସାଇଁ ।

କିପରି ଜାଣିବ ଦୂତେ କାହାଘରେ ଦେବେ

କି ଉପାୟ ନାରୀମାନେ ଏ ସବୁ ପାଇବେ ।

ଉଗ୍ରସେନ ବାକ୍ୟେ କୃଷ୍ଣ ଲେଖନ ପତର

ଧରିଣ କହିଲେ ନାମ ସର୍ବ ନାରୀଙ୍କର ।

ଯେ ଯାହା ମନାସିଲେ ତାହା ସେ ଦେଖିଲେ

ଗୋଟିଏ ନାମ କାହାରି ତହୁଁ ନ ଛାଡ଼ିଲେ ।

ସାହି ସାହି କନ୍ଦି କନ୍ଦି ଘର ଘର କରି

ମଧୁ ନାରୀଙ୍କର ନାମ ଲିହିଲେ ଶ୍ରୀହରି ।

ବ୍ରହ୍ମାଣ୍ଡନାଥ ସେ ସର୍ବ ଘଟେ ପୂରିଅଛି

ତାହାକୁ ବା କାହା ନାମ ଅଗୋଚର ଅଛି ।

ଏସନକ ପତ୍ରେ ଲେଖି ରାଜା ମୁଖ ଚାହିଁ

ବୋଇଲେ ହେ ରାଜା ଏହି ପତ୍ର ନିଅ ତୁହି ।

କୁଳ ପୁରୋହିତଙ୍କର ହସ୍ତେ ଏହା ଦେବୁ

ବଡ଼ପାତ୍ରଙ୍କୁ ତାହାଙ୍କ ସଙ୍ଗେ ପଠାଇବୁ ।

ବୋଲିବୁ ଏ ପତ୍ରେ ଯାହା ଯାହା ନାମ ଅଛି

ଲେଖିଛନ୍ତି କୃଷ୍ଣ ଯେବା ଯାହା ମନାସିଛି ।

କୃଷ୍ଣର ଶ୍ରୀମୁଖ ଏହା ହସ୍ତେ ଥିବ ଧରି

ଡାକି କହିବ ନିଅ ଗୋ ଆସି ମଧୁନାରୀ ।

ଯା ନାମ ପତ୍ରରେ ହୋଇଥିବଟି ଲିଖନ

ଯେ ଯାହା ବୋଲିବ ତାହା ଦେବ ତତକ୍ଷଣ ।

ଗୁଣେ କହିଲେ ଅଧିକ ଶତଗୁଣେ ଦେବ

ଲୋଭ ନ ରଖିବ ତୁମ୍ଭେ ଶୁଣ ହେ ଗାର୍ଗବ ।

ବୋଲିବ ହେ କୁବଳୟା ରହି ସିଂହଦ୍ୱାରେ

ରାମକୃଷ୍ଣଙ୍କୁ ସେ ମାରୁଥିଲା ଯେତେବେଳେ ।

ତୁମ୍ଭେ ଦେଖିଣ ମନରେ ଆକୁଳ ହୋଇଲା

ଗ୍ରାମ ଦେବାଦେବୀଙ୍କି ଗୋ ପୂଜା ମନାସିଲ ।

ସ୍ୱପନେ ସେ ଦେବାଦେବୀ କୃଷ୍ଣଙ୍କୁ କହିଲେ

ଦିବସରେ କୃଷ୍ଣ ଯହୁଁ ଶୟନ କରିଲେ ।

ତେଣୁ କୃଷ୍ଣଚନ୍ଦ୍ର ଦେଇଛନ୍ତି ପଠିଆଇ

ଯେ ଯାହା ଯାଚିଛ ନିଜେ ପୂଜାକର ଯାଇ ।

ଯାହା କହିବେ ସେମାନେ ତାହା ତାଙ୍କୁ ଦେବ

ନ ଅଣ୍ଟିଲେ ଆସି ମୋର ପାଶେ ଜଣାଇବ ।

ପୂଜାବିଧିମାନ ଦେଇ ଆସ ବେଗହୋଇ

ତୁମ୍ଭେ ଆସିଲେ ଶ୍ରୀକୃଷ୍ଣ କରିବେ ମଣୋହି ।

ଏତେ କହି କୃଷ୍ଣ ପତ୍ର ରାଜା କରେ ଦେଲେ

ସେ ପତ୍ର ଧରି ବାହାରେ ରାଜା ବିଜେକଲେ ।

ରାଜପୁରୋହିତେ ଡାକି କହିଲେ ବଚନ

ପାତ୍ରମନ୍ତ୍ରୀ ଘେନିଯାଅ ମଥୁରା ଭୁବନ ।

ଭଣ୍ଡାର ଘରୁ ସକଳ ଦ୍ରବ୍ୟ ଘେନିଯିବ

ନଥିବା ପଦାର୍ଥ କିଣି ବିପଣୀରୁ ଦେବ ।

ଶୁଣି ମନ୍ତ୍ରୀ ପୁରୋହିତ କୃଷ୍ଣଲେଖା ଧରି

ବୁଲିଲେ ନଗରେ ପ୍ରତି ନାରୀ ନାମ ଧରି ।

ଡାକିଲେ ଗୋ ମଧୁନାରୀମାନେ ଏବେ ଶୁଣ

ଯାହା ଯାହା ତୁମ୍ଭେମାନେ ପାଞ୍ଚିଥିଲ ମନ ।

ଗ୍ରାମଦେବାଦେବୀ ସେବା ପାଞ୍ଚିଲ ମନରେ

ସଫଳ ହୋଇଛି ବାଞ୍ଛା ତାହାଙ୍କ କୃପାରେ ।

ଲକ୍ଷ୍ମୀ ନାରାୟଣ ଶିବ ଗଉରୀଙ୍କ ପାଦେ

ପୂଜା କରିବୁ ଶ୍ରୀକୃଷ୍ଣ ଜୟକଲେ ଯୁଦ୍ଧେ ।

ଏବେ ସେହି ଯୁଦ୍ଧେ କୃଷ୍ଣ ଜିଣି କଂସାସୁର

ପଠାଇ ଅଛନ୍ତି ଯେଣୁ ପାଞ୍ଚିଲ ମନର ।

ନିଅ ଏବେ ଆସି ତୁମ୍ଭେ ପୂଜା ଦ୍ରବ୍ୟମାନ

ପୂଜାକର ଯାଇ ଦେବାଦେବୀଙ୍କ ଚରଣ ।

ତୁମ୍ଭମାନଙ୍କୁ ନବୀନ ବସ୍ତ୍ର ଦେଇଛନ୍ତି

ନିଅ ତୁମ୍ଭେ ଯେତେ ମଧୁନଗର ଯୁବତୀ ।

ଶୁଣି ମଧୁନାରୀମାନେ ମନରେ ବିଚାରି

କେମନ୍ତେ ଜାଣିଲେ କୃଷ୍ଣ ମନ ଗୋ ଆମ୍ଭରି ।

କେ ବୋଲେ ମନରେ ଯାହା ପାଞ୍ଚିଥିଲି ମୁହିଁ

ସେକଥା ସେ କେଉଁପରି ଜାଣିଲେ ଗୋ ସହୀ

କେ ବୋଲଇ ସହୀ କେଡ଼େ ଆଶ୍ଚର୍ଯ୍ୟ ଏ କଥା

କିପରି ଜାଣିଲେ ସେହୁ ଆମ୍ଭ ମନ କଥା ।

ପ୍ରତ୍ୟେକର ନାମ ସଙ୍ଗେ ବାଞ୍ଛିତ ପଦାର୍ଥ

ଲେଖି ପଠାଇ ଅଛନ୍ତି ଦେଖ ଆମ୍ଭ ପତ୍ର ।

କେ ବୋଲଇ ଅନ୍ତର୍ଯ୍ୟାମୀ ଅଟନ୍ତି ଗୋ ସେହି ।

ନୋହିଲେ ଅନ୍ତର କଥା ଜାଣନ୍ତେ ବା କାହିଁ ।

କେ ବୋଲଇ ଭାବବତୀ କଥା ଦେଖିଛ ତ

କେ ବୋଲଇ ତେଜବତୀ ହୋଇଲେ କେମନ୍ତ ।

କେ ବୋଲଇ ପ୍ରିୟବତୀ ଅନଳେ ପଶିଲା

ଯାହା କହିଛି ସେ କଥା ତାର ସତ୍ୟହେଲା ।

କେ ବୋଲଇ ରଜକକୁ ଚାପୋଡ଼େ ମାଇଲେ

ଛାଡ଼ିଲା ତାହାର ମୁଣ୍ଡ ଦେଖିଲ ତ ଡୋଳେ ।

କେ ବୋଲଇ କୁବୁଜାକୁ କଲେ ଗୋ ସୁନ୍ଦରୀ

କେ ବୋଲେ ସୁଦାମ ଦେଇ ଗଳେ ପୁଷ୍ପମାଳି

କେହୁ ବୋଲଇ ଧନୁକୁ ବେନିଖଣ୍ଡ କଲେ

ତ୍ରିପୁର ଜିଣିଲା କଂସ ଯାହା ଘେନିକରେ ।

କେ ବୋଲଇ କୁବଳୟା ଯେବେ ଫିଙ୍ଗିଦେଲା

କୃଷ୍ଣର ବକ୍ଷ ଉପରେ ମାଡ଼ି ସେ ପଡ଼ିଲା ।

ସେତେବେଳେ ମନରେ ମୁଁ ପାଞ୍ଚିଥିଲି ଯାହା

କେମନ୍ତେ ଜାଣିଲେ କୃଷ୍ଣ ପଠାଇଲେ ତାହା

କେ ବୋଲେ କୃଷ୍ଣ ନମରୁ ବୋଲି ମୁଁ ପାଞ୍ଚିଲି

ପୁଣି ଲକ୍ଷେ ଲକ୍ଷେ ବଳି ଦେବୀଙ୍କୁ ଯାଚିଲି ।

କହନ୍ତି ପାତ୍ର ଅମାତ୍ୟ ପଶି ଘରେ ଘରେ

କୃଷ୍ଣ ଶ୍ରୀହସ୍ତ ଲେଖା ଧରିଛନ୍ତି କରେ ।

ଆମ୍ଭମାନଙ୍କର ନାମ ଜାଣିବେ ବା କାହୁଁ

ପତ୍ର ଲେଖିଛନ୍ତି କିଏ କହିଲା ବା ଆଉ ।

ନରନାରୀମାନେ ସର୍ବ ଆନନ୍ଦ ମନରେ

ପୂଜାବିଧି ନେଇ ଦେବାଦେବୀଙ୍କି ପୂଜିଲେ ।

ଶଙ୍ଖ ଘଣ୍ଟାଘଣ୍ଟି ଧ୍ୱନି ଶୁଭେ ମଧୁପୁରେ

ଅପୂଜିତ ଦେବାଦେବୀ ପୂଜାକୁ ପାଇଲେ ।

ମନ୍ତ୍ରୀ ପୁରୋହିତ ଆଦି ସକଳେ ଫେରିଲେ

ରାଜା ଆଗରେ ସମସ୍ତ ବୁଝାଇ କହିଲେ ।

ଶୁଣି ଉଗ୍ରସେନ ରାଜା କୃଷ୍ଣ ଆଗେ କହି

ପୁରୋହିତ ସହକାରେ ଆସିଲେଣି ନେଇ ।

ଶୁଣି ଶ୍ରୀକୃଷ୍ଣ ମନରେ ଆନନ୍ଦ ହୋଇଲେ

ବସୁଦେବ ଆଦି ସର୍ବେ ମଣୋହି କରିଲେ ।

ମଣୋହି ସାରି ବାହାରେ ଆସି ବିଜେକଲେ

ମାତାପିତା ସଙ୍ଗେ କୃଷ୍ଣ ଆନନ୍ଦ ହୋଇଲେ ।

ମଧୁପୁରେ ଉଗ୍ରସେନ ନୃପତି ହୋଇଲେ

ପାତ୍ରମନ୍ତ୍ରୀଗଣ ତାଙ୍କ ସେବାରେ ରହିଲେ ।

ଏଥୁଅନ୍ତେ କୃଷ୍ଣ କଲେ ମନରେ ବିଚାର

ବହୁତ ଦିନରୁ ଶୂନ୍ୟ ହେଲା ଗୋପପୁର ।

ମୋତେନଦେଖିଣ ସେ ଯେ ହତାଶ ହୋଇବେ

ଯଶୋଦା ଗୋପୀ ସକଳେ ବାଟ ଚାହିଁଥିବେ ।

ଏତେ ବିଚାରି ଶ୍ରୀକୃଷ୍ଣ ନନ୍ଦ ପାଶେ ଯାଇ

ଗୋପାଳ ପୁଅମାନଙ୍କୁ କୁହନ୍ତି ବସାଇ ।

ବୋଲନ୍ତି ହେ ତାତ ତୁମ୍ଭେ ଗୋପପୁରେ ଯାଅ

ଗୋପାଳ ପୁଅମାନଙ୍କୁ ସଙ୍ଗତରେ ନିଅ ।

କଂସ ମଲା ବୋଲି ଶତ୍ରୁ ହେବ ଉପଗତ

କାହାକୁ ନଦେଖି ଗୋପେ କରିବ ଉତ୍ପାତ ।

ନାରୀ ଅଛନ୍ତି ପୁରୁଷ ତହିଁ ନାହିଁ ଜଣେ

ଗୋରୁବତ୍ସାମାନ ବୁଲୁଥିବେ ଏଣେତେଣେ ।

ମୁହିଁ ଚାରିଦିନେ ଛାଡ଼ିଯିବି ଗୋପପୁର

ଦେଖିଲେ ବିପକ୍ଷ ଭୟ ପଠାଇବ ଚାର ।

କଂସମଲା ବୋଲି ଶୁଣି ସକଳ ଦଇତ୍ୟ

ସତ୍ୟ ମିଥା ବୁଝିବାକୁ ପଶୁଛନ୍ତି ଦୂତ ।

ଗୁପତରେ ଚାରଗଣ ଦେଖି ଯାଉଛନ୍ତି

ଦଣ୍ଡୁଆସିମାନେ ଦେଖି ମୋତେ ତା କହନ୍ତି ।

ପଡ଼ିଲେ ସାକ୍ଷାତେ ମୋର ନ ପାରିବେ ସେହି

ତୁମ୍ଭେ ଯାଅ ତାତ ଗୋପପୁରେ ଥିବ ରହି ।

ଉଗ୍ରସେନ ଆସି ବୃଦ୍ଧ ହେଲାଣି ରାଜନ

ଏହାର ବଳେ ଅସୁରେ ନୁହନ୍ତି ନିଧନ ।

ଏତେ କହି ନନ୍ଦ ତହିଁ ମନକୁ ମୋହିଲେ

ମାୟାରେ ପଡ଼ି ଗୋପାଳ ସୀଉକାର କଲେ ।

ନନ୍ଦଗୋପାଳଙ୍କୁ ଧରି କୃଷ୍ଣ ଉଠି ତହୁଁ

ଉଗ୍ରସେନ ପାଶକୁ ଯେ ଗଲେ ମହାବାହୁ ।

ଦୂରୁ ନନ୍ଦକୁ ଦେଖିଣ ଉଗ୍ରସେନ ଉଠି

ଖଣ୍ଡେ ଦୂର ଆସି ପଥୁନେଲା ସେ ପାଛୋଟି ।

ରାମ ଶ୍ରୀକୃଷ୍ଣ ନନ୍ଦର ସଙ୍ଗରେ ଅଛନ୍ତି

ଉଗ୍ରସେନ ରାଜା ପାଦେ ପ୍ରଣାମ କରନ୍ତି ।

ଉତ୍ତମ ଆସନେ ରାଜା ବସାଇଲେ ନେଇ

କହନ୍ତି ଶ୍ରୀକୃଷ୍ଣ ଉଗ୍ରସେନ ମୁଖ ଚାହିଁ ।

ବୋଇଲେ ହେ ଅଜା ତୁମ୍ଭେ ଶୁଣ ମୋ ବଚନ

ବହୁତଦିନୁ ଛାଡ଼ିଲୁ ଏ ଗୋପଭୁବନ ।

ବୋଇଲେ ନନ୍ଦ ଗୋପାଳେ ଆଜି ସ୍ଵଭୁବନ

ଚାରିଦିନ ଛାଡ଼ି ଆମ୍ଭେ ଯିବୁ ହୋ ବହନ ।

ମୋତେନଦେଖିଗୋପାଳେ ହେବେଣି ବିକଳ

ଗୋପୀଏ ନ ଦେଖି ତେଜୁଥିବେ ଅଶ୍ରୁଜଳ ।

ସକଳେ ଅଛନ୍ତି ନାରୀଜାତି ଗୋପପୁରେ

ପୁରୁଷ ହୋଇଣ ଜଣେ ନାହିଁ କେ ତହିଁରେ ।

ଧେନୁବତ୍ସାମାନେ ଏଣେତେଣେ ଯିବେ କାହିଁ

ଗୋପପୁର ଶୂନ୍ୟ ହୋଇଥିବ ନରସାଇଁ ।

ଏଣେ ମାମୁଁ ମଲା ବୋଲି ଅସୁରେ ଶୁଣିବେ

କୃଷ୍ଣ ମାରିଅଛି ବୋଲି ଗୋପେ ଧାଡ଼ିଦେବେ ।

ନ ଦେଖି କାହାକୁ ଗୋପୀମାନଙ୍କୁ ସେ ନେବେ

ମହତ ହରିଣ ଗୋପପୁରି ଉଜାଡ଼ିବେ ।

ଯାଆନ୍ତୁ ନନ୍ଦଗୋପାଳେ ଗୋପକୁ ବହନ

ଶ୍ରୀକୃଷ୍ଣ ବଚନ ଶୁଣି କହେ ଉଗ୍ରସେନ ।

ବୋଲନ୍ତି ହେ କୃଷ୍ଣ ଶୁଣ ବଚନ ମୋହର

କିମ୍ପାଇଁ ନନ୍ଦଗୋପାଳେ ଯିବେ ଗୋପପୁର ।

ହେତୀ ପ୍ରହେତୀ ଦେବକୀ ଇନ୍ଦୁମତୀ ରାଣୀ

ରୋହିଣୀ ଆଦି ଯେତେକ ଅଛନ୍ତି କାମିନୀ ।

ହାନ୍ଦୋଳା ଘେନି ଅକ୍ରୂର ତାଙ୍କ ସଙ୍ଗେ ଯାଉ

ବାଦ୍ୟକାର ଚାରଗଣ ଯେତେ ଇଚ୍ଛା ନେଉ ।

ଯଶୋଦା ସହିତ ଗୋପୀ ଯେତେକ ଗୋପରେ

ଜଣେ ନ ଛାଡ଼ି ଆଣିବ ତାଙ୍କୁ ହାନ୍ଦୋଳାରେ

ମଧୁପୁରେ ମିଳିଣ ହେ ସମସ୍ତେ ରହିବା

ଅସୁରଙ୍କ ଧାଡ଼ି ଦେଖି କିମ୍ପାଇଁ ଡରିବା ।

କହନ୍ତି ଉଗ୍ରସେନର ବାକ୍ୟେ ନାରାୟଣ

ରାଜ୍ୟ ଛାଡ଼ିବା ଉଚିତ ନୁହେଁ କଦାଚନ ।

ଅସୁର ବୋଲିବେ କୃଷ୍ଣ କଂସକୁ ମାଇଲା

ଏବେ ଆମ୍ଭ ଭୟରେ ସେ ଗୋପୁଁ ପଳାଇଲା ।

ନୁହଇ ଉଚିତ ଏହା ଶୁଣି ହେ ରାଜନ

ଗୋପପୁରେ ନନ୍ଦରାଜା କରନ୍ତୁ ଗମନ ।

କରି ବଚନେ ରାଜା ନନ୍ଦ କରି ଧରି

ଅନ୍ତଃପୁରକୁ ସେ ନେଲା ସମାଦର କରି ।

ଦେବକୀ ରୋହିଣୀ ହେତୀ ପ୍ରହେତୀ ସହିତ

ବସାଇ ଇନ୍ଦୁମତୀକି କହଇ ଏମନ୍ତ ।

ଏ ନନ୍ଦ ଯିବେ ଗୋ ଆଜି ଗୋପ ଭୁବନକୁ

ସଙ୍ଗେ ସଙ୍ଗେ ଘେନି ସର୍ବ ଗୋପାଳମାନଙ୍କୁ ।

ପଡ଼ିଲେ ସକଳ ନାରୀ ଶୁଣି ନନ୍ଦ ପାଦେ

ଅପୂର୍ବ ପଦାର୍ଥମାନ ସଜାଡ଼ିଲେ ମୋଦେ ।

ଦେବକୀ ବୋଇଲେ ନନ୍ଦ ଶୁଣ ମୋ ବଚନ

ତୁମ୍ଭ ଧର୍ମବଳେ ମୁହିଁ ପାଇଲି ନନ୍ଦନ ।

ବହୁତ ବିନୟ ହୋଇ ପାଦରେ ପଡ଼ିଲା

ଯଶୋଦା ପାଇଁ ଅପୂର୍ବ ପଦାର୍ଥ ସେ ଦେଲା ।

ଶୁଣି ବସୁଦେବ ଆଗେ ରାଜା ଉଗ୍ରସେନ

ନନ୍ଦକୁ ଉଭା କରାଇ ବୋଲଇ ବଚନ ।

ଶୁଣି ବସୁଦେବ ନନ୍ଦ ଗୋପପୁର ଯିବେ

ଗୋପାଳମାନେ ଯେ ଏଥି କେହି ନ ରହିବେ ।

ଶୁଣି ସେ ନନ୍ଦରାଜାଙ୍କୁ ଉଠି କୋଳକଲେ

ତୋହ ଯୋଗୁ ପୁତ୍ର ମୁହିଁ ପାଇଲି ବୋଇଲେ ।

ପୁଣି ନନ୍ଦରାଜା ଇନ୍ଦୁମତୀଙ୍କି ଦେଖିଲେ

ପାଦତଳେ ପଡ଼ି ସେହୁ ବିନୟେ କହିଲେ ।

ଇନ୍ଦୁମତୀ ବୋଇଲେ ହେ ନନ୍ଦରାଜା ଶୁଣ

ଲୁଚାଇ ରଖିଲ କୃଷ୍ଣ ବରଜ ଭୁବନ ।

ଯଶୋଦା ଗର୍ଭରୁ ଜାତ ହୋଇଲା ବୋଇଲୁ

ଆପଣାର ପୁତ୍ର ପ୍ରାୟେ ପ୍ରତିପାଳିଥିଲୁ ।

ସେ କୃଷ୍ଣ ନୁହଇ କେବେ ତୋହର ନନ୍ଦନ

ମିଥ୍ୟରେ ତାହାକୁ ସିନା କଲୁରେ ପାଳନ ।

ତୋ ଘରେ ଅଷ୍ଟ ବରଷ କୃଷ୍ଣ ଯେ ବଢ଼ିଲା

ତୋର ଘରୁ ଆସି ମୋର ପୁତ୍ରକୁ ମାଇଲା ।

ମଥୁରାପୁରକୁ ସେ ଯେ କଲା ନାରଖାର

ତୋ ଯୋଗୁଁ ବଂଶ ସିନା ବୁଡ଼ିଲା ମୋହର ।

ଯାଅ ଯାଅ ନନ୍ଦ ଗୋପପୁରେ ଥିବୁ ରହି

କୃଷ୍ଣ ମଲାବେଳେ ଜଣେ ନଥିବରେ କେହି ।

ଉଗ୍ରସେନ ଇନ୍ଦୁମତୀ ବଚନ ଶୁଣିଲା

ଦୋଚାରୁଣୀ ଶାପ ନ ପଡ଼ଇଟି ବୋଇଲା ।

ନନ୍ଦଙ୍କୁ ଘେନିଣ ରାଜା କୃଷ୍ଣପାଶେ ମିଳି

ବୋଇଲେ ତହୁଁ ମନ୍ତ୍ରୀକି ଚାହିଁ ବନମାଳୀ ।

ରହୁବରେ ନନ୍ଦ ଗୋପସୁତଙ୍କୁ ବସାଇ

ଗୋପପୁରେ ମନ୍ତ୍ରୀବର ଛାଡ଼ିଆସ ଯାଇଁ ।

ଏଥୁଅନ୍ତେ ଉଗ୍ରସେନ ନନ୍ଦ କର ଧରି

ମନ୍ତ୍ରୀମାନଙ୍କୁ ଅନାଇ ବୋଲେ ଦଣ୍ଡଧାରୀ ।

ଭଣ୍ଡାରୁ ରତ୍ନ ବସନମାନ ଘେନିଯାଅ

ଗୋପାଳ ପୁତ୍ରମାନଙ୍କୁ ସୁବେଶ କରାଅ ।

ରାଜାଆଜ୍ଞା ପାଇ ମନ୍ତ୍ରୀମାନେ ବେଗେ ଗଲେ

ଭଣ୍ଡାରରୁ ରତ୍ନ ବସନ ଗୋପାଳଙ୍କୁ ଦେଲେ ।

ସୁବେଶ ହୋଇ ଗୋପାଳେ ରାମକୃଷ୍ଣ ସଙ୍ଗେ

ଚଳନ୍ତି ଦାଣ୍ଡରେ ନାନାବାଦ୍ୟ ବାଜେରବେ ।

ଢଳି ଢଳି କରି ଚାଲେ ରାଜା ଉଗ୍ରସେନ

ତହିଁ ମନ୍ତେ ପାତ୍ରମନ୍ତ୍ରୀ କରନ୍ତି ଗମନ ।

ତାଙ୍କ ପଛେ ଚାଲିଛନ୍ତି ମଧୁନରନାରୀ

ଏକକୁ ଆରକେ ବୋଲେ ଆସ ବେଗକରି ।

ଏ ନନ୍ଦ ଗୋପାଳ ଗୋପପୁରେ ଯାଉଛନ୍ତି

ଦେଖ ଗୋ କିପରି ଶୋଭା ଧରିଛି ଧରିତ୍ରୀ ।

ପ୍ରବେଶ କରନ୍ତି ସର୍ବେ ମଧୁ ବନେ ଯାଇ

କହୁଛନ୍ତି ରାମକୃଷ୍ଣ ନନ୍ଦମୁଖ ଚାହିଁ ।

ଏହିଠାରୁ ଆମ୍ଭେମାନେ ଯିବୁ ମଧୁପୁର

ଏତେବୋଲି ନନ୍ଦର ସେ ଧରିଲେ ପୟର ।

ନନ୍ଦକୁ ରଥ ଉପରେ ବସାଇଲେ ନେଇ

ବିବିଧ ପାରିତୋଷିକ ସମ୍ଭାର ଲଗାଇ ।

ସଫଳା ସୁତ ସ୍ୟନ୍ଦନ ବାହେ ଘନଘନ

ଦେଖୁଛନ୍ତି ରାମକୃଷ୍ଣ ସହ ସର୍ବଜନ ।

କ୍ରମେ ରହୁବର ଯହୁଁ ଅଦୃଶ୍ୟ ହୋଇଲା

ଫେରିଲେ ମଧୁବନରୁ ଦେବକୀର ବଳା ।

ନନ୍ଦଗୋପାଳ ଗୋପରେ ହୋଇଲେ ପ୍ରବେଶ

ଯଶୋଦାଙ୍କୁ ପ୍ରବୋଧିଲେ ନିନ୍ଦ ନରଈଶ ।

ଗୋପୀମାନଙ୍କୁ ଗୋପାଳ ପ୍ରବୋଧି କହିଲେ

ମଧୁପୁର କଥାସବୁ ଗୋପୀଏ ଶୁଣିଲେ ।

କୃଷ୍ଣ ଗୁଣ ଗୁଣି ଗୋପୀ ରହିଲେ ଗୋପରେ

ପିନ୍ଧି ତାହାଙ୍କ ପ୍ରଦତ୍ତ ଶାଢ଼ୀ ଭକ୍ତିଭରେ ।

ତେଣୁ ମଧୁପୁରେ କୃଷ୍ଣ କରନ୍ତି ବିଚାର

ମଲା କଂସାସୁର ଦୂର ହେଲା ମହୀଭାର ।

ଏହିପରି ଛନ୍ତି ଆଉ ଯେତେକ ଦାନବ

ମାରିବି ସହାୟ କରି ମଧ୍ୟମ ପାଣ୍ଡବ ।

ଏମନ୍ତ ବିଚାରି କୃଷ୍ଣ ହୋଇଲେ ମଉନ

ଦ୍ୱିତୀୟ ଖଣ୍ଡ ଏ ଚିତ୍ତବୋଧ ଗ୍ରନ୍ଥ ପୂର୍ଣ୍ଣ ।

ପରୀକ୍ଷିତ ଆଗେ ବ୍ୟାସ ନନ୍ଦକୁ କହନ୍ତି

ଶୁଣିଲଟି ମନଦେଇ ସୁଭଦ୍ରାର ନାତି ।

ସତ୍ୟ କରାଇଣ ଭାଗବତ ମୁଁ କହିଲି

ରାଧାନାମ ବେନିକର୍ଣ୍ଣ ଗୋପରେ ରଖିଲି ।

ଷଡ଼ଦିନ ଅଷ୍ଟବିଂଶ ଦଣ୍ଡ ବ୍ରହ୍ମଭାଗ

ଶେଷ ହୁଅନ୍ତେ କହିଲେ ତୋତେ ପ୍ରେମଭାଗ ।

ଦୁଇଖଣ୍ଡ ମଧ୍ୟେ ମୁହିଁ ସଂକ୍ଷେପି କହିଲି

ପ୍ରେମମୟୀ ରାଧାନାମ ତୋତେ ଶୁଣାଇଲି ।

ଯାହାର ରୂପକୁ ବ୍ରହ୍ମା ଇନ୍ଦ୍ର ନ ଦେଖିଲେ

ଯା ରୂପକୁ ତ୍ରିଲୋଚନ ଧ୍ୟାନେ ନ ପାଇଲେ ।

ସେ ରାଧା ରୂପକୁ କାହିଁ ପାଇବ ଚିନ୍ତିଲେ

କହିଲି ରାଜା ତୋ ଚିତ୍ତବୋଧ ନିମିତ୍ତରେ ।

ଚିତ୍ତବୋଧ ଗ୍ରନ୍ଥ ଏହୁ ଗୁପତ ଅଟଇ

ଜଗନ୍ନାଥ ଭାବହୃଦେ ଅଚ୍ୟୁତ କହଇ ।

ପଢ଼ିଶୁଣି ସାଧୁଜନେ ଦୋଷ ମୋ ନଧର

ଅମୃତ ସମାନ ଏହି କରିବ ନିସ୍ତାର ।

ଶ୍ରୀକୃଷ୍ଣ ଚରିତ ଏ ଅମୀୟ ରସବାଣୀ

ସୁଜନଙ୍କ ହିତେ ଅଚ୍ୟୁତ ଦାସ ୟା ଭଣି ।

 

-ସମାପ୍ତ-

ଇତି ଚିତ୍ତବୋଧ ବା ଚିତ୍ତବିନୋଦ ଗ୍ରନ୍ଥ ଦ୍ୱିତୀୟ ଭାଗ ସମାପ୍ତ

ଏହାପରେ ତୃତୀୟ ଓ ଚତୁର୍ଥ ଭାଗ ପଢନ୍ତୁ ।